ହରିବଂଶ ପଞ୍ଚମ ଖଣ୍ଡ

 

 

 

 

 

 

 

 

 

 

ହରିବଂଶ (ପଞ୍ଚମ ଖଣ୍ଡ)

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ

 

ସୂଚୀପତ୍ର

୧)

ଜରାସନ୍ଧ ଧାଡ଼ି

୨)

ଉଗ୍ରସେନ ଓ ଯାଦବଙ୍କୁ ରାମକୃଷ୍ଣଙ୍କର ଆଶ୍ୱାସନା ଏବଂ ସୈନ୍ୟସଜ୍ଜା

୩)

ଜରାସନ୍ଧ ସୈନ୍ୟରେ ରାମକୃଷ୍ଣଙ୍କର ପ୍ରବେଶ ଓ କପଟରେ ପଳାୟନ

୪)

ଜରାସନ୍ଧର ସୈନ୍ୟସହ ରାମକୃଷ୍ଣଙ୍କର ଯୁଦ୍ଧାରମ୍ଭ, ସୁରଥ ସହିତ ଦନ୍ତବକ୍ର ପ୍ରଭୃତିଙ୍କ ଯୁଦ୍ଧ ଓ ପରାଜୟ

୫)

କୃଷ୍ଣଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ ବ୍ରହ୍ମଶକ୍ତି ପ୍ରୟୋଗ

୬)

ବଳଦେବଙ୍କ ସହିତ ରୁକ୍ମଣର ଯୁଦ୍ଧ ଓ ପରାଜୟ

୭)

ଜରାସନ୍ଧ ସହିତ ରାମକୃଷ୍ଣଙ୍କର ଦ୍ୱିତୀୟବାର ଯୁଦ୍ଧ ଓ ପଳାୟନ

୮)

ଜରାସନ୍ଧର ଦ୍ୱିତୀୟବାର ଧାଡ଼ି

୯)

ଜରାସନ୍ଧର ତୃତୀରବାର ଧାଡ଼ି

୧୦)

ଜରାସନ୍ଧର ଚତୁର୍ଥବାର ଧାଡ଼ି

୧୧)

ଜରାସନ୍ଧର ପଞ୍ଚନବାର ଧାଡ଼ି

୧୨)

ଜରାସନ୍ଧର ଷଷ୍ଠବାର ଧାଡ଼ି

୧୩)

ଜରାସନ୍ଧର ସପ୍ତମବାର ଧାଡ଼ି

୧୪)

ଉଗ୍ରସେନ ସହିତ ଯାଦବଙ୍କୁ ଘେନି ରାମକୃଷ୍ଣଙ୍କର ମଥୁରା ପ୍ରବେଶ

୧୫)

ବର୍ଷାଋତୁ ବର୍ଣ୍ଣନା ଓ କୃଷ୍ଣଙ୍କର ଗୋପଚିନ୍ତା

୧୬)

ଉଦ୍ଧବର ଗୋପପୁର ଯାତ୍ରା ଓ ବୃନ୍ଦା ଶୋଭା ଦର୍ଶନ

୧୭)

ଉଦ୍ଧବର ଗୋପପୁରେ ରାମକୃଷ୍ଣଙ୍କ ବାର୍ତ୍ତା ପ୍ରଦାନ

୧୮)

ଅକ୍ରୂରର ବାରୁଣାବନ୍ତ ପୁରେ ପ୍ରବେଶ ଏବଂ ଅର୍ଜ୍ଜୁନଙ୍କର କୃଷ୍ଣଙ୍କ ସମୀପେ ଗମନ

୧୯)

ଜରାସନ୍ଧର ଅଷ୍ଟମ ବାର ଧାଡ଼ି

୨୦)

ଶ୍ରୀକୃଷ୍ଣଙ୍କର ଯୁଦ୍ଧରେ ଶିଶୁପାଳର ପରାଜୟ ଓ ନନ୍ଦିଘୋଷ ରଥେ ବନ୍ଧନ

୨୧)

ଜରାସନ୍ଧର ନବମବାର ଧାଡ଼ି

୨୨)

ପର୍ଶୁରାମ ସହିତ ରାମକୃଷ୍ଣଙ୍କ ସାକ୍ଷାତ

୨୩)

ଜରାସନ୍ଧର ଦଶମବାର ଧାଡ଼ି

୨୪)

କ୍ରମାନ୍ୱୟେ ଜରାସନ୍ଧର ଏକାଦଶଠାରୁ ପଞ୍ଚଦଶବାର ଧାଡ଼ି

୨୫)

ଗୋପପୁରରୁ ଉଦ୍ଧବର ପ୍ରତ୍ୟାବର୍ତ୍ତନ

୨୬)

ଜରାସନ୍ଧର ଷୋଡ଼ଶ ଏବଂ ସପ୍ତଦଶବାର ଧାଡ଼ି

୨୭)

ଜରାସନ୍ଧ କର୍ତ୍ତୃକ ଗୋମତ ପର୍ବତ ଦହନ

୨୮)

ବଳରାମଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ କୃଷ୍ଣଙ୍କର ବାରୁଣାବନ୍ତରେ ପ୍ରବେଶ

୨୯)

ଜରାସନ୍ଧର ମୋହ ଏବଂ ବଳଦେବଙ୍କର ଗୋପପୁରେ ପ୍ରବେଶ

୩୦)

କୃଷ୍ଣଙ୍କର ମଥୁରାପୁରେ ପ୍ରବେଶ

୩୧)

ଜରାସନ୍ଧର ଅଷ୍ଟାଦଶବାର ଧାଡ଼ି

୩୨)

ଉଗ୍ରସେନ ନିକଟକୁ କାଳଦମନର ଚିଟାଉ

୩୩)

କୃଷ୍ଣଙ୍କର ଦ୍ୱାରକାଗଡ଼ ନିର୍ମାଣ ଓ ଦ୍ୱାରକାରେ ଯାଦବମାନଙ୍କର ଅବସ୍ଥିତି

୩୪)

ମୁଚୁକୁନ୍ଦ କୋପାନଳରେ କାଳଦମନ ଭସ୍ମ

୩୫)

ମୁଚୁକୁନ୍ଦ ଗନ୍ଧର୍ବର ପୂର୍ବ ବୃତ୍ତାନ୍ତ ଓ କୃଷ୍ଣଙ୍କର ସ୍ୱର୍ଗପୁର ଗମନାନ୍ତର ଦ୍ୱାରକା ପ୍ରବେଶ

୩୬)

ଅର୍ଜ୍ଜୁନକୁ ଘେନି ସାତ୍ୟକିର ବାରୁଣାବନ୍ତ ଗମନ ଓ ଗୋପନଗ୍ରରୁ ସୁଭଦ୍ରାକୁ ଆନୟନ

୩୭)

ମଥୁରାରେ ସୁରଥର ଅଭିଷେକ

୩୮)

ଦ୍ୱାରକାପୁରୀ ବର୍ଣ୍ଣନ ଓ ଦେବତାମାନଙ୍କର ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ଦ୍ୱାରକାକୁ ଆଗମନ

 

ଯଂ ସର୍ବଦେବାଃ କଥୟନ୍ତି ସାରଂ, ବ୍ରହ୍ମା ନ ଜାନାତି କିମମ୍ୟ ସାରଂ ।

ଅନେକବାରଂ କିଳ ନିର୍ବିକାରଂ, ବନ୍ଦେ ଜଗନ୍ନାଟକ ସୂତ୍ରଧାରଂ ।।

ନିଗମ କଳ୍ପତଚୋର୍ଗଳିତଂ ଫଳଂ ଶୂକମୁଖାଦମୃତଦ୍ରବ ସଂଯୁତଂ ।

ପିବତ ଭାଗବତଂ ରସାମାଳୟଂ ମହୁରହୋ ରସିକା ଭୁବି ଭାବୁକାଃ ।।

 

ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା

ଆଦ୍ୟେ ପ୍ରାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ ।

ଅଶନିଶିତସୁଧାରଂ ଯସ୍ୟ ଚକ୍ରଂ ସୁଚାରୁ

ର୍ମଣିକନକ ବିଚିତ୍ରୈଃ କୁଣ୍ଡଳ ଯସ୍ୟ କର୍ଣ୍ଣେ ।

ଭ୍ରମରଶତସହସ୍ରୈଃ ସେବିକା ଯସ୍ୟ ମାଳା,

ଅସୁରକୁଳନିହନ୍ତା ପ୍ରୀୟତାଂ ବାସୁଦେବ୍ୟଃ ।।

 

ଜରାସନ୍ଧ ଧାଡ଼ି

ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା

ଶୁକମୁନି ଚରଣରେ କରି ଦିବ୍ୟପୂଜା ।

ବୋଇଲେ ଭୋ ମୁନି ତୁମ୍ଭେ ସୁପ୍ରସନ୍ନ ହୋଇ

ଲହରୀ ଖଣ୍ଡ ଚରିତ କହିଲ ବୁଝାଇ ।

ତବ ମୁଖୁଁ ଶୁଣିକରି ହରିଗୁଣା ଗାଥା

କୃତାର୍ଥ ହୋଇଲି ପୂତ ହେଲା ମୋର ଆତ୍ମା ।

ଆବର ସୁଦୟା ମୋତେ କର ବ୍ୟାସସୁତ

ସଂକ୍ଷେପି କହିବା ଧାଡ଼ିଖଣ୍ଡର ଚରିତ ।

ହେତୀ ଯେ ପ୍ରହେତି କଂସରାଜାର ବନିତା

ପତି ପୁତ୍ର ମରଣରେ ପାଇ ଘୋର ବ୍ୟଥା

ନିଜ ପିତା ଜରାସନ୍ଧ ଛାମୁରେ ମିଳିଲେ

ବିକଳରେ କାନ୍ଦି ନିଜ ଦୁଃଖ ଜଣାଇଲେ ।

ଶୁଣି ଜରାସନ୍ଧ ରାଜା କଲେ କି ବିଚାର

ଏ କଥା ବିସ୍ତାରି ମୋତେ କହ ମୁନିବର ।

ଶୁକ ବୋଲନ୍ତି ଯେ ଶୁଣ ଅରଜୁନ ନାତି

ପବିତ୍ର ଏ ଗଙ୍ଗାଜଳ ଶ୍ରୀହରି କୀରତି ।

 

ନିଜ ବେନି ଦୁହିତାଙ୍କ ପତି ପୁତ୍ର ବଧ

ଶୁଣି ମହାକୋପ କଲା ରାଜା ଜରାସନ୍ଧ ।

ପ୍ରତ୍ୟକ୍ଷରେ ଦେଖି ନିଜ ସୁତାଙ୍କ ବିକଳ

କାଳସର୍ପ ପ୍ରାୟ ଗର୍ଜ୍ଜି ହେଲା ଅନ୍ତରାଳ ।

ଅଧରେ ଅଧର ଚାପେ ରଟମଟ ପାଟି

କ୍ରୋଧଭରେ ବେନିଚକ୍ଷୁ ଦିଅଇ ତରାଟି ।

ନୟନ ବୁଲାଇ କୁମ୍ଭକାର ଚକ୍ରପ୍ରାୟ

ଉଲ୍ଲସଇ ରୋମାବଳି ପୁଲକଇ କାୟ ।

ପୁଣ ପୁଣ ପ୍ରତିଜ୍ଞା ଯେ କରେ ଅପ୍ରମାଣ

ଭାଙ୍ଗିବି ମଥୁରାପୁର କରି ରଣଭଣ ।

ଉଗ୍ରସେନ ଆଦିକରି ସମସ୍ତ ମାରିବି

ଜୁଆଇଁ ଛଳେ ଦୁହିତା ମାନ ଉଦ୍ଧାରିବି ।

ଉପ୍ରୋଧ ମୁଁ କରିଥିଲି ସିନା ବନ୍ଧୁପଣେ

ଛପନ କୋଟି ଯାଦବ ସଂହାରିବି ରଣେ ।

ଯେବେ ଉଗ୍ରସେନ ରାମ କୃଷ୍ଣ ଧରିଦେବ

ତାହାର ଆମ୍ଭର ବନ୍ଧୁପଣ ରହିଥିବ ।

ନୋହିଲେ ଯାଦବ କୁଳ ସମୂଳେ ସଂହାରି

ମଥୁରାରେ ବସାଇବି ଆନ ଦଣ୍ଡଧାରୀ ।

ଏମନ୍ତ ବୋଲିଣ କ୍ରୋଧେ ହୋଇ ପରଚଣ୍ଡ

ମନ୍ତ୍ରୀଙ୍କୁ ବୋଲଇ ସାଜି ଆଣ ସମଦଣ୍ଡ ।

ରାଜା ଆଜ୍ଞା ଶୁଣି ବେଗେ ମନ୍ତ୍ରୀଗଣ ଯାଇ

ଦଣ୍ଡ ସଜାଇଲେ ଦାଣ୍ଡେ ଟମକ ବଜାଇ ।

ହାତୀ ରଥୀ ପଦାତି ଯେ ଅଶ୍ୱ ଅପ୍ରମିତ

ବୀର ମହାବୀର ଯୋଦ୍ଧା ପାଇକ ରାଉତ ।

ଏକ ଏକକରି ତାହା କେ କହିବ ଗଣି

ଜରାସନ୍ଧ ଅଙ୍ଗବଳ ସତାଇଶ କ୍ଷୌଣୀ ।

ଯେ ଯାହାର ଶସ୍ତ୍ର ଧରି ହେଲେ ଆଗୁସାର

ଛୟାଣୋଇସସ୍ର ରାଜା ବନ୍ଦିଘରେ ତାର ।

ଏକ ଏକ ରାଜାଙ୍କର ଲକ୍ଷକୋଟି ବଳ

ଚାଲନ୍ତେଣ ବସୁମତୀ ହେଲା ଟଳମଳ ।

ପଞ୍ଚାଶ ସହସ୍ର ରାଜା ଚାଲନ୍ତି ଆଗରେ

ପଞ୍ଚାଶ ସହସ୍ର ରାଜା ପଛ ପଟୁଆରେ ।

ଏଗାର ସହସ୍ର ରାଜା ଦକ୍ଷଭାଗେ ଯାନ୍ତି

ବାମଭାଗେ ଦଶସସ୍ର ଗମନ କରନ୍ତି ।

ରାଜାମାନଙ୍କର ଯେତେ ଚତୁରଙ୍ଗ ବଳ

ଯେ ଯାହା ସଙ୍ଗରେ ଘେନି ଚଳନ୍ତି ସକଳ ।

ରଥର ଉପରେ ରଥ ହାତୀପରେ ହାତୀ

ପଦାତି ଉପରେ ଅଶ୍ୱେ ମାଡ଼ି ଚାଲିଯାନ୍ତି ।

ମସ୍ତକେ ଟୋପର ପାଗ ଅଙ୍ଗେ ବଜ୍ରସେହ୍ନା

ରଥଧ୍ୱଜମାନଙ୍କରେ ଉଡ଼େ ବୀରବାନା ।

କୋଦଣ୍ଡ କାଣ୍ଡ କମାଣ ଭାଲି ଖଣ୍ଡା ଫରି

ଛେଲ ଚକ୍ର ପରିଘ ଯେ କୁନ୍ତ ଯଷ୍ଟି ଛୁରି ।

ଲୋହପାଶ ଚର୍ମପାଶ ଯମଦାଢ଼ କାତୀ

କୁଠାର ପରଶୁ ଗଦା ମୁଦ୍‌ଗର ଶକତି ।

ଏମନ୍ତେ ଆୟୁଧମାନ ଘେନି ଯେ ଯାହାର

କଷଣି ଛାଟେଣି କରେ କନ୍ଧରେ ତୃଣୀର ।

ଏସନକ ସଜ ହୋଇ ସୈନ୍ୟ ଅପ୍ରମିତ

ଆରୋହିଲେ ଯେ ଯାହାର ହାତୀ ଘୋଡ଼ା ରଥ

ସାରଥିଏ ଘୋଡ଼ାବାଗ ଧରି ଛାଟ ପିଟି

ପବନୁଁ ବେଗରେ ରଥ ବାହାନ୍ତି ଚହଟି ।

ଏକକୁ ଆରେକ ରଥ ବିଚିତ୍ର ମଣ୍ଡଣି

ଖମ୍ୱେ ଖମ୍ୱେ ବିରାଜଇ ନାନା ରତ୍ନମଣି ।

ଅପୂର୍ବ ଝୀନ ବସନ ଶ୍ୱେତ ପୀତ ନୀଳ

କଳସ ଉପରେ ଉଡ଼େ ବିଚିତ୍ର ଚିରାଳ ।

ନେତ ପତନୀ ସିନ୍ଧୁଆ ସୁପୀତ ମାଞ୍ଜିଷ୍ଠ

ବସନ୍ତ ଧବଳ ନୀଳ ନାନବର୍ଣ୍ଣେ ପାଟ ।

ଉଭା କାଠତ୍ରୋଣ ଖମ୍ୱମାନଙ୍କେ ମଣ୍ଡାଇ

ବିବଧ କୁସୁମ ହାର ତହିଁରେ ସଜାଇ ।

ରଥ ଆରୋହିଣ ବୀରେ ହେଲେ ଆଗୁଆଣି

ଅଙ୍କୁଶ ଘାତରେ ଗଜେ କରନ୍ତି ପଲାଣି ।

ଗଣ୍ଡସ୍ଥଳ ଜରଜର ଗଳେ ମଦଜଳ

ଖଣ୍ଡଗିରି ପ୍ରାୟ ଦୂରୁ ଦିଶେ ହାତୀଦଳ ।

ଗଳାରେ ଲମ୍ୱଇ ଘଣ୍ଟି କ୍ଷୁଦ୍ର ଘଣ୍ଟି ମାଳା

ପିଠିରେ ଚାନ୍ଦୁଆ ଶୋହେ ଦନ୍ତେ ସୁନାବଳା ।

ମଣିମାଣିକ୍ୟ ମୁକୁତା ଲମ୍ୱେ ଚଉପାଶେ

ଉଦୟ ପର୍ବତେ ଯେହ୍ନେ ଦିନକର ଦିଶେ ।

ମାହୁନ୍ତେ ଅଙ୍କୁଶଘାତେ କରନ୍ତି ପହିଜ

ରଥୀଙ୍କର ଚଉପାଶେ ଆବୋରିଲେ ଗଜ ।

ଛତିଶ ବିନ୍ଧାଣେ ଜିତା ରଣରଙ୍କା ଯେତେ

ମାହୁନ୍ତଙ୍କୁ ଆବୋରିଲେ ଯାଇ ସେ ରାଉତେ ।

ବାଗ ବନ୍ଧ ବଳିୟାର ଭରୀ ତରବାରୀ

ମୁଷଳ ପରଶୁ ଛେଲ କୁନ୍ତ ଆଦିକରି ।

ବତିଶ ଆୟୁଧ ଘେନି ଅଶ୍ୱପୃଷ୍ଠେ ଚଢ଼ି

ହସ୍ତୀଙ୍କର ଚଉପାଶେ ରହିଲେ ସେ ବେଢ଼ି ।

ବଳବନ୍ତ ପଦାତିଏ ରଣେ ଆଗୁସାର

କରେ ଅସିପତ୍ର ଢାଲ କୁନ୍ତ ଧନୁଶର ।

ପରଶୁ ମୁଦ୍‌ଗର ଗଦା କାତୀ ଖଡ଼୍‌ଗ ଫଳା

ଧାମନ୍ତି ପାଇକେ ତେଜ ଦିଶେ ଅନର୍ଗଳା ।

ଅଣ୍ଟାରେ କାଛେଣି ରଙ୍ଗ ପୀତ କଳା ଧଳା

ତହିଁରେ ଲମ୍ୱଇ ଘଣ୍ଟି ପାଗୁଡ଼ିର ମାଳା ।

ଗୁଞ୍ଜରା ମୁଣ୍ଡମାଳାରେ ଶୋହେ କାହା ଶିର

ବାହୁଟି କଙ୍କଣ କରେ ପାଦରେ ନୁପୁର ।

ହଳଦୀ ଚନ୍ଦନ ଥୋକେ ବୋଳି ହୋଇଛନ୍ତି

କେହୁ ନିଜ ଅଙ୍ଗେ ରଙ୍ଗମାଟି କେ ବିଭୂତି ।

କେ ମସ୍ତକେ ଘେନିଅଛି ଗୋରଚନା ଚିତା

କାହା ମୁଣ୍ଡେ ବେଣୀ ଶୋହେ କନ୍ଧରେ ପଇତା

କେ ମନ୍ଦାର ପୁଷ୍ପମାଳା ବାନ୍ଧିଅଛି ଜଟେ

ଯମଦାଢ଼ ଖଣ୍ଡା ଶୋହେ କାହା କଟୀତଟେ ।

ଚିରାମାରି ସିଂହନାଦ କରନ୍ତି ପ୍ରମୋଦେ

ଚୌଦପୁର ଚମକଇ କିଳିକିଳା ନାଦେ ।

ଛାଟେଣି କଷଟି ଶବ୍ଦ ଧନୁରେ ଟଙ୍କାର

ବୀରଙ୍କ ଗର୍ଜ୍ଜନ ଘାତେ କମ୍ପେ ତିନିପୁର ।

ଏକ ଯୋଗେ ଚଳିଯାନ୍ତି ଚତୁରଙ୍ଗ ବଳ

ସମୁଦ୍ର ଗର୍ଜ୍ଜନ ପ୍ରାୟେ ଶୁଭଇ ଚହଳ ।

ଘୋଡ଼ାଙ୍କର ହ୍ରେଷାରବ ହାତୀ ଗରଜନ

ରଥୀଙ୍କର ରଥଘୋଷ ଧନୁର ନିସ୍ୱଃନ ।

ବୀରଙ୍କର ସିଂହନାଦ ପଦାତିଙ୍କ ରଡ଼ି

ପ୍ରଳୟ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।

ବାଜଇ ନିଶାଣ ଢୋଲ ଦମା ବୀରତୁର

ଘୁମୁରା ଦାଉଣ୍ଡି ବେଣୁ ବୀଣା ସପ୍ତସ୍ୱର ।

ମର୍ଦ୍ଦଳ ଅଧାଟି ଚାଙ୍ଗୁ ମୃଦଙ୍ଗ ମହୁରୀ

ଡିଣ୍ଡିମ ପଟ୍ଟହ ତାଳ ଯୋଡ଼ା ଶଙ୍ଗ ଭେରୀ ।

ଲକ୍ଷେ କୋଟି ବାଜଣା ଯେ ବାଜେ ଅପ୍ରମିତ

ବାଦ୍ୟନାଦ ଶବଦରେ ପୂରିଲା ଜଗତ ।

ପାତ୍ରମିତ୍ର ପୁରୋହିତ ମନ୍ତ୍ରୀ ଆଦିକରି

ଖଟଣି ସାମନ୍ତ ଲେଙ୍କା ଖୁଣ୍ଟିଆ ପ୍ରହରୀ ।

ଛତିଶ ନିଯୋଗ ମୂଳେ ବାସ୍ତରି ସେବକ

ରାଜପୁତ୍ର ଅମନାତ୍ୟ ଅଛନ୍ତି ଅନେକ ।

ଶୁଣ ହୋ ପରୀକ୍ଷ ରାଜା ଶୁକ ଯେ କହନ୍ତି

ସେନା ମଧ୍ୟେ ବିଜେ କଲା ମଗଧ ନୃପତି ।

ଛୟାଣୋଇ ସସ୍ର ରାଜାବନ୍ଦୀ ତାର ଘରେ

ଯେ ଯାହାର ସୈନ୍ୟ ଘେନି ଅଇଲେ ସଙ୍ଗରେ

ଏକ ଏକ ରାଜାଙ୍କର ଦଶବିଂଶ କ୍ଷୌଣୀ

ଏସନକ ଚାରିଊଣା ଲକ୍ଷେ ରାଜା ଗଣି ।

ସତାଇଶ କ୍ଷୌଣୀ ଅଙ୍ଗବଳ ତାର ଏକା

ଏ ବିଧିରେ ଯେତେସୈନ୍ୟ କେ କରିବ ଲେଖା

କହିବାକୁ ଅସମ୍ଭବ ଶ୍ରୁତି ଅଗୋଚର

ଦୁହିତାଙ୍କ ଛଳେ ଆସେ ମଗଧ ଈଶ୍ୱର ।

ପଞ୍ଚାଶ ଯୋଜନ ମାଡ଼ି ଚଳେ ସମଦଣ୍ଡ

ପାଦଭରେ କମ୍ପମାନ ପୃଥ୍ୱୀ ନବଖଣ୍ଡ ।

ଟଳ ଟଳ ବସୁମତୀ କମ୍ପେ ସପ୍ତଫେଣୀ

ପାଦରେଣୁରେ ଅଦୃଶ୍ୟ ହେଲେ ଦିନମଣି ।

ବନ କନ୍ଦନର ପର୍ବତ ମାଡ଼ି ଚଳେ ଥାଟ

ସୁଚିମୁନ ଭେଦିବାକୁ ନ ମିଳଇ ବାଟ ।

ଜରାସନ୍ଧ ରାଜା ଆପେ ବୀରବେଶ ହୋଇ

ମଧ୍ୟରେ ବିଜୟ କଲା ରଥେକ ଆରୋହି ।

ବାଜଇ ବିଜୟ ଶଙ୍ଖ ମର୍ଦ୍ଦଳ ମହୁରୀ

ଆଗରେ ସେବକେ ଉଭା ଦଧି ମତ୍ସ୍ୟ ଧରି ।

ବ୍ରାହ୍ମଣେ ମଙ୍ଗଳାଷ୍ଟକ ପଢ଼ନ୍ତି ଆଗରେ

ଜ୍ୟୋତିଷେ ଲଗ୍ନ କହନ୍ତି ପାଞ୍ଜି ଘେନି କରେ ।

ଭାଟଗଣେ କୀର୍ତ୍ତି ବର୍ଣ୍ଣି କରୁଛନ୍ତି ସ୍ତୁତି

ବେନି ଧାଡ଼ି ପଟୁଆରୀ ଛାମୁରେ ଯୁବତୀ ।

ଏସନ ପ୍ରକାରେ ରାଜା ଶୁଭ ଅନୁକୂଳେ

ମଥୁରାକୁ ଦଣ୍ଡ ବାହେ ନାତିଙ୍କର ଛଳେ ।

ପଞ୍ଚାଶ ସହସ୍ର ରାଜା ଆଗୁଆଣି ସେନା

ଯେ ଯାହାର ଅଙ୍ଗବଳ ଘେନି ଅକଳନା ।

ଆବର ପଞ୍ଚାଶ ସସ୍ର ନୃପତି ପଛରେ

ଆସନ୍ତି ଅସଂଖ୍ୟ ସେନା ଘେନି ସଙ୍ଗତରେ ।

ଏଗାର ସହସ୍ର ନୃପ ଦକ୍ଷଭାଗେ ଛନ୍ତି

ବାମଭାଗେ ଦଶସସ୍ର ନୃପତି ଚାଲନ୍ତି ।

ଆପଣାର ଅଙ୍ଗବଳ ସଙ୍ଗତରେ ଘେନି

ମଧ୍ୟରେ ବିଜୟ ଜରାସନ୍ଧ ନୃପମଣି ।

ଏସନ ସମ୍ଭାରେ ଚଳେ ଚତୁରଙ୍ଗ ବଳ

ପାଦଭରେ ବସୁମତୀ ହୁଏ ଟଳମଳ ।

ମାର ମାର ଧର ଧର ଶବ୍ଦ ଘୋର ଧ୍ୱନି

ବୀରତୁର ଶବଦରେ କମ୍ପଇ ମେଦିନୀ ।

ବାଟେ ଆସୁ ଆସୁ ହାଟ ପାଟଣା ଉଜାଡ଼ି

ଯହିଁ ଯହିଁ ଚାଲିଯାନ୍ତି ବନଗିରି ମାଡ଼ି ।

ପ୍ରଥମ ଦିବସେ ଥାଟ ଯାନ୍ତେ ପଥ ବାହି

ତୁଙ୍ଗଭଦ୍ରା ନଦୀତୀରେ ପ୍ରବେଶିଲେ ଯାଇ ।

ରନ୍ଧନ ଭୋଜନ କରି ରାତ୍ରେକ ବଞ୍ଚିଲେ

ରଜନୀ ପ୍ରଭାତେ ତହୁଁ ପୁଣ ଚଳିଗଲେ ।

ଅଶ୍ୱ ଗଜ ସହିତରେ ସଇନ ଚଳାଇ

ପବନହୁଁ ଅଧିକରେ ଗଲେ ପଥ ବାହି ।

କାଶୀଶ୍ୱର ନାମେ କାଶୀ ଦେଶର ନୃପତି

ଜରାସନ୍ଧ ସଙ୍ଗେ ତାର ବାଳକାଳୁ ପ୍ରୀତି ।

ସେ ରାଜ୍ୟେ ବିଶ୍ରାମ କରି ପୁଣି ଆର ଦିନ

ପ୍ରଭାତେ ସଇନ୍ୟ ଘେନି ଚଳିଲେ ବହନ ।

ବପୁଳ ପର୍ବତେ ବିଭାଣ୍ଡକ ଋଷି ଥିଲେ

ସେ ପର୍ବତ ପୂର୍ବଭାଗେ ସୈନ୍ୟ ଚଳିଗଲେ ।

ଜୈମିନି ଆଶ୍ରମ ଦେଖି ଗନ୍ଧର୍ବ ପର୍ବତେ

ଗାନ୍ଧର୍ବୀ ନଦୀକି ପାର ହୋଇଲେ କିଞ୍ଚିତେ ।

ସେ ନଦୀ ଦକ୍ଷିଣେ ଗନ୍ଧମାଦନ ଯେ ବନ

ବେନି ଶତ ଯୋଜନ ସେ ବନ ଆୟତନ ।

ପର୍ବତ ତଳରେ ନଦୀ ବହେ ପରିମଳ

ଫଳ ଫଳି ବୃକ୍ଷଙ୍କର ଲୋଟୁଅଛି ଡାଳ ।

ହସ୍ତୀ ଘୋଡ଼ା ରହିବାକୁ ଭଲ ସ୍ଥାନ ଥାଇ

ସୂର୍ଯ୍ୟଅସ୍ତମାନେ ଥାଟ ରୁହାଇଲେ ତହିଁ ।

ରନ୍ଧନ ଭୋଜନ ଆଦି କର୍ମ ବଢ଼ାଇଲେ

ରାତ୍ର ପ୍ରହରେକ ଥାଉଁ ଉଠି ଚଳିଗଲେ ।

ଅନେକ ରାଜ୍ୟ ଉଜାଡ଼ି କଲେ ନାରଖାର

ଭୟ ପାଇ ନୃପେ ଦେଲେ ନାନ ଉପହାର ।

ଏଥୁଅନ୍ତେ ବୃହସ୍ପତି ସୁଧର୍ମା ସଭାରେ

ବସିକରି ଜଣାଇଲେ ଇନ୍ଦ୍ରଙ୍କ ଛାମୁରେ ।

ଜରାସନ୍ଧ ଯାଉଅଛି ଚତୁରଙ୍ଗ ବାହି

ସମର କରିବେ ରାମ କୃଷ୍ଣ ବେନି ଭାଇ ।

କୌତୁକେ ଅନେକ ସୈନ୍ୟ ମାରିବେ ଶ୍ରୀହରି

ସମର ଦେଖିବା ଚାଲ ଦେବଗଣ ଧରି ।

ବାସବ ବୋଇଲେ ଚାଲ ଆମ୍ଭେ ସର୍ବେ ଯିବା

କୃଷ୍ଣ ସଙ୍ଗେ ମଶି ଜରାସନ୍ଧକୁ ମାରିବା ।

ଅଙ୍ଗରା ବୋଇଲେ ତୁମ୍ଭେ ଶୁଣ ଦେବରାଜ

ଜରାସନ୍ଧ ବଞ୍ଚିଥିଲେ ଅଛି କେତେ କାର୍ଯ୍ୟ ।

ଯୁଧିଷ୍ଠିର ରାଜସୂୟ କଲା ପରିଯନ୍ତେ

ପାପୀ ଜରାସନ୍ଧ ରାଜା ରହିବ ଜୀବିତେ ।

ଭୀମସେନ ହାତେ ତାକୁ ମରାଇ ଶ୍ରୀହରି

ସମସ୍ତ ରାଜାଙ୍କୁ ନେବେ ବନ୍ଦିମୁକ୍ତ କରି ।

ତେଣୁ କୃଷ୍ଣ ନ ମାରିବେ ଏହାକୁ ସ୍ୱହସ୍ତେ

ଅଷ୍ଟାଦଶ ବେଳ ଧାଡ଼ି ଦେବେ ଏହିମତେ ।

ବୃହସ୍ପତି କଥା ଶୁଣି ଇନ୍ଦ୍ର ହେଲେ ତୁନି

ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି ।

ଏଥୁଅନନ୍ତରେ ଜରାସନ୍ଧ ନରପତି

ପ୍ରଭାତୁ ସଇନି ଘେନି ଚାଲେ ଶୀଘ୍ର ଗତି ।

ଭାରତଖଣ୍ଡରେ ଯେତେ ଜମ୍ୱୁଦ୍ୱୀପ ରାଜା

ସକଳେ କରନ୍ତି ଭୟେ ତା ପାଦରେ ପୂଜା ।

ପାତ୍ର ମନ୍ତ୍ରୀ ପୁରୋହିତ ସଇନ ସହିତେ

ପ୍ରାଣ ଭୟେ ପୂଜା କରି ଗୋଡ଼ାନ୍ତି ପଶ୍ଚାତେ

ଚାରି ଊଣା ଲକ୍ଷେ ରାଜା ଅସଂଖ୍ୟ ସଇନ

ଦିନକୁ ଚାଲନ୍ତି ବାଟ ପଚାଶ ଯୋଜନ ।

ଏସନ ପ୍ରକାରେ ଯାଇ ସରସ୍ୱତୀ ତୀରେ

ରନ୍ଧନ ଭୋଜନ କରି ରହିଲେ ସେଠାରେ ।

ଅଶ୍ୱ ଗଜ ଆଜି ସର୍ବେ ଜଳପାନ କରି

ଅଚିନ୍ତାରେ ନିଦ୍ରାଯାଇ ବଞ୍ଚିଲେ ସର୍ବରୀ ।

ଏଥୁ ଅନନ୍ତରେ ନିଶି ହୁଅନ୍ତେ ପ୍ରଭାତ

ମଥୁରା କଟକେ ଯାଇ ପ୍ରବେଶିଲେ ଦୂତ ।

ଡଗର କହିଲେ ମିଳି ଉଗ୍ରସେନ ଆଗେ

ଥାଟ ସାଜି ଜରାସନ୍ଧ ଆସୁଅଛି ରାଗେ ।

ଛୟାଣୋଇ ସସ୍ର ରାଜା ଅନେକ ସଇନି

ପାତ୍ର ମନ୍ତ୍ରୀ ଅମନାତ୍ୟ ସଙ୍ଗେ ଅଛି ଘେନି ।

ରଥ ଗଜ ପଦାତିକ ଅଶ୍ୱ ଅପ୍ରମିତ

ଏତେ ତେତେ ବୋଲି ସଂଖ୍ୟା ନୁହଇ ଗଣିତ ।

ଖାଲ ଢିପ ପୋତି ହୋଇ ସମ ହେଲା ବାଟ

ଶତେକ ଯୋଜନ ମାଡ଼ି ରହିଛନ୍ତି ଥାଟ ।

ଚତୁରଙ୍ଗ ସେନା ଯେତେ ରଥ ଅଶ୍ୱ ଗଜ

ପରିଘାଇ ସମରକୁ ହୋଇଛନ୍ତି ସଜ ।

ସରସ୍ୱତୀ କୂଳେ ଥାଟ ରହିଛନ୍ତି ମାଡ଼ି

ପୁଚ୍ଛିଲେ ବୋଲନ୍ତି ଦେବୁ ମଥୁରାକୁ ଧାଡ଼ି ।

ନିଶ୍ଚୟ ଏ କଥା ଆମ୍ଭେ ଆସିଅଛୁଁ ଜାଣି

ଶୁଣି ଶଙ୍କା କଲେ ଉଗ୍ରସେନ ନରମଣି ।

ଓଷ୍ଠ କଣ୍ଠ ତାକୁ ଶୁଖି କମ୍ପିଲା ଶରୀର

ଭୟେ ଚିତ୍ତ ଅନ୍ତରାଳ ନ ଆସେ ଉତ୍ତର ।

ଯାଦବେ ବୋଲନ୍ତି ପାଇ ଏସନ ବାରତା

ବିନାଶ କାଳକୁ ହେଲା ବିପରୀତ କଥା ।

ଏଡ଼େ ବଡ଼ ପ୍ରୀତି ଭାଙ୍ଗିଗଲା ଅଳ୍ପକାଳେ

ମଥୁରା କଟକେ ରହି ନ ପାରିବା ଢାଳେ ।

କେହୁ ଯେ ବୋଲନ୍ତି ହଂସ ଡିମ୍ୱଥିଲେ ବର୍ତ୍ତି

ବନ୍ଧୁପଣ ଛାଡ଼ନ୍ତେ କି ମଗଧ ନୃପତି ।

ଝିଅଙ୍କ ବିକଳ ପୁଣି ଜାମାତା ମରଣ

ପାସୋରି ଥାନ୍ତେ ସେ ହଂସ ଡିମ୍ୱକୁ ଦେଖିଣ

ଦିଗପାଳ ସମବେନି ନାତି ଯାନ୍ତେ ନାଶ

ଯାଦବଙ୍କଠାରେ ତେଣୁ ବହିଛନ୍ତି ରୋଷ ।

ଥୋକାଏ ବୋଲନ୍ତି କଂସଥିଲେ ହ୍ୱନ୍ତା ଭଲ

ସେ ମରିଯିବାରୁ ହେଲା ମଥୁରାକୁ ସଲ ।

ଜରାସନ୍ଧ କୋପ କଲେ ନ ପାରିବା ରହି

ଛୟାଣୋଇ ସସ୍ର ରାଜା ବନ୍ଦୀ କଲା ସେହି ।

ଉଗ୍ରସେନ ଅବା ତାଙ୍କୁ କେତେକ ମାତର

ସେହିମତି ବନ୍ଦୀଘରେ ଭରିବେ ସତ୍ୱର ।

କେହୁ ଯେ ବୋଲନ୍ତି ଏକା ରାମକୃଷ୍ଣ ଥାନ୍ତେ

କି କରିବ ଜରାସନ୍ଧ ଆସି କୋପଚିତ୍ତେ ।

ନାନ ଉପଦ୍ରବ ଖଣ୍ଡି ପାରନ୍ତି ସେ ହରି

ତାଙ୍କ ପ୍ରସାଦରୁ ଆମ୍ଭେ କାହାକୁ ନ ଡରି ।

ଯା ନାମ ଧରନ୍ତେ କୋଟିପାପ ହୁଏ କ୍ଷୟ

ଦେହବନ୍ତ ହୋଇଛନ୍ତି ସେହି ଦେବରାୟ ।

ତାଙ୍କ ମୁଖ ଚାହିଁ ଯେବେ ପ୍ରାଣ ହେବା ନାଶ

ପ୍ରତ୍ୟକ୍ଷ ଲଭିବା ଆମ୍ଭେ ବଇକୁଣ୍ଠ ବାସ ।

ଉଚିତ ସଂଗ୍ରାମ ଯେବେ କରିବେ ଶ୍ରୀହରି

କୋଟି ଜରାସନ୍ଧ ହେଲେ ପଳାଇବେ ହାରି ।

କଂସଠାରୁ ବଳୀୟାର ନୁହେ ଜରାସନ୍ଧ

ତେଡ଼େ ବଳବନ୍ତ ହୋଇ ପ୍ରାଣେ ହେଲା ବଧ ।

କିଞ୍ଚିତ ସମରେ ଅଷ୍ଟମଲ ନାଶଗଲେ

ସେହି ଅଷ୍ଟମଲ୍ଲେ ୟାକୁ କି କରି ନ ଥିଲେ ।

ସେମାନେ ମରିବା ଶୁଣି ଅଇଲା ଏଥକୁ

ମତ୍ତଗର୍ବେ ଚିହ୍ନି ନ ପାରଇ ଏ କୃଷ୍ଣଙ୍କୁ ।

ସତେ କିବା ଉଗ୍ରସେନ ଏବେ କାହିଁ ଗଲା

ଏତେକ ମାତ୍ରକେ ବନ୍ଧୁ ପଣ ଏ ଛାଡ଼ିଲା ।

ଏସନେକ ଭାଳେଣି ଯେ କରନ୍ତି ଯାଦବେ

ବସନ୍ତି ଉତ୍ସବ ଛାଡ଼ି ଯେ ଯାହାରେ ସର୍ବେ ।

ଯେ ଯାହାର ମତେ ଚିନ୍ତା ଲାଗିଲା ସବୁନ୍ତି

ବୋଇଲେ ମଥୁରା ନାଶ ଗଲାକ ଏ ଘାନ୍ତି ।

ପରମ ପୁରୁଷ ରାମକୃଷ୍ଣ ବେନି ଭାଇ

ଦୁଷ୍ଟଙ୍କୁ ସଂହାରି ରକ୍ଷା କରିବେ ଏ ମହୀ ।

ସେ ପ୍ରଭୁଙ୍କ ପାଦପଦ୍ମେ ରହୁ ମୋର ସେବା

ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।

 

ଉଗ୍ରସେନ ଓ ଯାଦବମାନଙ୍କ ରାମ କୃଷ୍ଣଙ୍କର ଆଶ୍ୱାସନା ଏବଂ ସୈନ୍ୟସଜ୍ଜା

ଏଥୁଅନନ୍ତରେ ପୁଣି ଶୁକ ତପୋବନ୍ତ

ପରୀକ୍ଷ ମୁଖକୁ ଚାହିଁ କହିଲେ ଏମନ୍ତ ।

ପବିତ୍ର ବଂଶରେ ଜାତ ତୁମ୍ଭେ ନୃପମଣି

ମୁକତ ହୋଇବ ଭାଗ୍ୟେ ଭାଗବତ ଶୁଣି ।

ଯାଦବେ ଏସନ ଭାଳି କରୁଥିଲେ ଚିନ୍ତା

ଗୁରୁ ମୁଖ ରାମକୃଷ୍ଣ ପାଇଲେ ବାରତା ।

ଅନ୍ତର୍ଯ୍ୟାମୀ ନାରାୟଣ ନ ଜାଣନ୍ତି ତାହା

ଆପେ ନିବାରିବେ ଆପେ କରିଛନ୍ତି ଯାହା ।

ଚାର କହିବାର ଶୁଣି ରାମ ଶିରୀପତି

ଉଗ୍ରସେନ ଆଗେ ଆସି ମିଳିଲେ ଝଟତି ।

ବସୁଦେବ ଆଦି ସର୍ବେ ବସିଛନ୍ତି ତହିଁ

ପ୍ରବେଶ ହୋଇଲେ ରାମକୃଷ୍ଣ ବେନିଭାଇ ।

ଯେ ଯାହାରେ ଯଥାମାନ୍ୟ କଲେ ସର୍ବେ ଚିହ୍ନି

ରତ୍ନସିଂହାସନେ ବିଜେ କଲେ ଭାଇ ବେନି ।

 

 

ଉଗ୍ରସେନ ରାଜା ମୁଖ ଚାହିଁ ପୀତବାସ

ବୋଲନ୍ତି ଭୋ ତାତ କିପାଁ ହେଉଛି ବିରସ ।

ଉଗ୍ରସେନ ବୋଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ

ମୁଁ କିସ କହିବି ତୁମ୍ଭେ ନ ଜାଣ କି ସ୍ୱାମୀ ।

ମଗଧ ଦେଶର ନୃପ ସଙ୍କୋଚ ନ ବଳା

ଜରାସନ୍ଧ ନାମେ ରାଜା ତେଜ ଅନର୍ଗଳା ।

ଜମ୍ୱୁଦ୍ୱୀପ ମଣ୍ଡଳେ ସେ ଅଟେ ନୃପବର

ଛୟାଣୋଇ ସସ୍ର ରାଜା ବନ୍ଦିଘରେ ତାର ।

ସତାଇଶ କ୍ଷୌଣୀ ଅଙ୍ଗ ବଳ ତାର ଏକା

ଲକ୍ଷେ ନୃପଙ୍କର ସୈନ୍ୟ ଅଟଇ ଅଲେଖା ।

ବିଧବା ହୋଇଣ ତାର ବେନି ସୁତା ଗଲେ

ପିତାର ଛାମୁରେ ଯାଇ କାନ୍ଦିଣ କହିଲେ ।

ଯମୁନାରେ ବୁଡ଼ି ହଂସ ଡିମ୍ୱ ମଲା କଥା

କାନ୍ଦି ଜଣାଇଲେ ଯହୁଁ ତା ବେନି ଦୁହିତା ।

ନାତିଙ୍କ ମରଣ ଶୁଣି କ୍ରୋଧେ ହୋଇ ଅନ୍ଧ

ସୈନ୍ୟ ସାଜି ଆସିଅଛି ରାଜା ଜରାସନ୍ଧ ।

ମଥୁରା କଟକ ଭାଙ୍ଗି କରିବ ସେ ଧ୍ୱଂସ

ସକଳ ଯାଦବ ଶୁଣି ପାଉଛନ୍ତି ତ୍ରାସ ।

ଏହାଶୁଣି ସର୍ବଭୂତ ଆତ୍ମା ଦେବରାୟେ

ବୋଇଲେ ଏଥକୁ କିପାଁ କରୁଅଛ ଭୟେ ।

ଆମ୍ଭେ କି ନ ଜାଣୁ ଜରାସନ୍ଧ ଦୁଷ୍ଟପଣ

ରଣେ ଜିଣି ପାରଇ ସେ ଦେବ ଦୈତ୍ୟଗଣ ।

ଛୟାଣୋଇ ସସ୍ର ରାଜା ବନ୍ଦୀ ତାର ଘରେ

ସତାଇଶ କ୍ଷୌଣୀ ବଳ ଖଟନ୍ତି ପାଦରେ ।

ଜୁଆଇଁ ନାତି ମରନ୍ତେ ଝିଅ ଦୁଃଖ ଦେଖି

ସମଦଣ୍ଡ ବାହିଲା ଯେ ଉପ୍ରୋଧ ଉପେକ୍ଷି ।

ଆବର ବିଶେଷେ ଆସି ହେଲାଣି ନିକଟେ

ଏତେବେଳେ ଭୟକଲେ ଯିବା କେଉଁବାଟେ ।

ଜଣେ ହେଲେ ରହିପାରେ ଲୁଚି ଯହିଁ ତହିଁ

ସାତବଂଶ ଏ ଯାଦବେ ପଳାଇଲେ କାହିଁ ।

ନିସତ ହୋଇବା ମାତ୍ର ନ ପାଇବା କାର୍ଯ୍ୟ

ସମ୍ପଦ ବିନାଶ ହେବ ଉପୁଜିବ ଲାଜ ।

ଜରାସନ୍ଧ ନିପତିର ହୋଇଣ ବଇରୀ

ପଳାଇଲେ କେହି ରକ୍ଷା ନ କରିବେ ଡରି ।

ପୃଥିବୀ ମଧ୍ୟରେ ଆମ୍ଭେ ସ୍ଥାନ ନ ପାଇବା

ଗୋଟି ଗୋଟି ହୋଇ ଶତ୍ରୁହସ୍ତରେ ମରିବା ।

ସଙ୍କଟ ପଡ଼ିଲା ବୋଲି ମନରେ ନ ଡର

ଜରାସନ୍ଧଠାରେ କାର୍ଯ୍ୟ ଅଛଇ ଆମ୍ଭର ।

ଆବର କଥାଏ ସର୍ବେ ଶୁଣ ମନ ଦେଇ

ଯମପୁରେ ଗଲୁ ଆମ୍ଭେ ଗୁରୁ ପୁତ୍ର ପାଇଁ ।

ଆମ୍ଭଙ୍କୁ ଦେଖିଣ ଯମ ସମ୍ଭାବନା କଲେ

ସଭାମଧ୍ୟେ ନିଜେ ସିଂହାସନେ ବସାଇଲେ ।

ପଣ୍ଡୁରାଜା ବ୍ରହ୍ମହତ୍ୟା କରି ସେ ପାପରେ

ବସି ନ ପାରନ୍ତି ଧର୍ମ ଦେବଙ୍କ ସଭାରେ ।

ଦ୍ୱାଦଶ ପାବଚ୍ଛ ତଳେ କାଖେ ହସ୍ତ ଦେଇ

ଆମ୍ଭେ ଯେ ଦେଖିଲୁଁ ଉଭା ହୋଇଥିଲେ ତହିଁ

ଅନେକ ଆକୁଳ ହୋଇ ଅପମାନ ଯୋଗେ

ବୋଇଲେ କହିବ କୃଷ୍ଣ ଯୁଧିଷ୍ଠିର ଆଗେ ।

ସେ ଯଦ୍ୟପି ରାଜସୂୟ କରିବେ ମୋ ପାଇଁ

ତେବେ ଏ ସଭାର ମଧ୍ୟେ ବସିବି ମୁଁ ଯାଇଁ ।

ଯମହିଁ ବୋଇଲେ କହ ଯୁଧିଷ୍ଠିର ଆଗ

ଅବିଳମ୍ୱେ କରନ୍ତୁ ସେ ରାଜସୂୟ ଯାଗ ।

ପଣ୍ଡୁରାଜା ବିନୟରେ କହିଲେ ବହୁତ

ତେଣୁ ଆମ୍ଭେ ତାଙ୍କ ଆଗେ କରିଅଛୁ ସତ୍ୟ ।

ଯୁଧିଷ୍ଠିର ହସ୍ତେ ରାଜସୂୟ କରାଇବୁ

ବିପଦ ପଡ଼ିଲେ ତାଙ୍କୁ ସହାୟ ହୋଇବୁ ।

ଚାରିଊଣା ଲକ୍ଷେ ରାଜା ରୁଣ୍ଡ ହେବେ ତହିଁ

ଯଜ୍ଞକର୍ମ କରାଇବୁ ଆମ୍ଭେ ନିଜେ ଥାଇ ।

ତେଣୁ ଏ ଜରାସନ୍ଧକୁ ନ କରିବୁ ବଧ

ନ ହାରିବୁ ନ ଜିଣିବୁ ଲାଗିଥିବ ବାଦ ।

ତୁମ୍ଭେମାନେ ଏ କଥାକୁ ନ ପାଅ ପ୍ରୟାସ

ଅଳ୍ପଦିନେ ଜରାସନ୍ଧ ମରିବ ଅବଶ୍ୟ ।

ଯାଦବେ ହୋଇଲେ କୃଷ୍ଣ ବଚନରେ ଶାନ୍ତି

ଉଗ୍ରସେନ ରାଜା ବୋଲେ ଫିଟିଲାକ ଭ୍ରାନ୍ତି ।

କର୍ମକର୍ତ୍ତା ପୁରୁଷ ଏ ଦେଲେ ବଜ୍ରସେହ୍ନା

ଏହାଙ୍କ ପ୍ରସାଦେ ନାହିଁ ଆମ୍ଭର ଶୋଚନା ।

ଏମନ୍ତ ବିଚାର ସର୍ବେ କରୁଛନ୍ତି ବସି

ପୁଣି ଚାର ଜଣାଇଲା ବାର୍ତ୍ତା ଘେନି ଆସି ।

ଭୋ ମଣିମା ସାବଧାନେ ଶୁଣ ଚକ୍ରପାଣି

ନିଶ୍ଚୟ ଏ କଥା ସ୍ୱାମୀ ଅଇଲି ମୁଁ ଶୁଣି ।

ସୈନ୍ୟ ଘେନି ଜରାସନ୍ଧ କାଲି ରଜନୀରେ

ଠଣା ମାଡ଼ି ରହିଥିଲା ସରସ୍ୱତୀ ତୀରେ ।

ପ୍ରଭାତ ହୁଅନ୍ତେ ଥାଟ ଚଳାଇ ଆସୁଛି

ଆଗରେ ନ କହି ପଛେ କହିଲେ କି ଅଛି ।

ଡାହାଳ ଦେଶ ସୀମାରୁ ଅଇଲି ମୁଁ ଛାଡ଼ି

ଯମୁନାକୁ ପାର ହୋଇ ଆସୁଛନ୍ତି ମାଡ଼ି ।

ରଥ ଗଜ ପଦାତି ଯେ ଅପ୍ରମିତ ଥାଟ

ପର୍ବତ କାନନ ଦଳି କଲେଣି ସେ ବାଟ ।

ମଥୁରା ଦେଶର ରାଜା ଛନ୍ନ ଛନ୍ନ ହୋଇ

ପଳାଇ ଲୋଡ଼ନ୍ତି ଗୃହବିତ୍ତ ଛାଡ଼ିଦେଇ ।

ଅକଳିତ ଥାଟ ସେ ଯେ ନୁହଇ କଳନା

ବଳେ ପଶି ଭାଙ୍ଗୁଛନ୍ତି ନଗର ପାଟଣା ।

ହାଟ ଦାଣ୍ଡ ଜୁର କରି ପୋଡ଼ୁଛନ୍ତି ଘର

ଯେ ଆଗେ ପଡ଼ଇ ତାକୁ କରନ୍ତି ପ୍ରହାର ।

ଚାହୁଁ ଚାହୁଁ ଆସୁଛନ୍ତି ପବନହୁଁ ବେଗେ

ଏକ୍ଷଣି ମିଳିବେ ଆସି ମଧୁବନ ଲାଗେ ।

ସାବଧାନେ ହୁଅ ଯେବେ ପାରିବ ଯୁଦ୍ଧରେ

ନୋହିଲେ ପଳାଇ ସର୍ବେ ଲୁଚ ଧାତିକାରେ ।

ଦେଖୁ ଦେଖୁ ସୈନ୍ୟ ମାଡ଼ି ପଡ଼ିଲେ ଅଯୋଗେ

ଯାଇ ନ ପାରିବେ ପଛେ ପଡ଼ି ତାଙ୍କ ଆଗେ ।

ଯମୁନା ଉତ୍ତରକୂଳେ ଦେଇଛନ୍ତି ଧାଡ଼ି

ନ ପୁଣ ମାରନ୍ତୁ ଆସି ସମସ୍ତଙ୍କୁ ବେଢ଼ି ।

ଏସନକ ଉଚ୍ଚବାଚ ହେଉଥିଲେ ଶୁଣି

ଧାଉଡ଼ିଆ ଚାର ଆସି ଜଣାଇଲା ପୁଣି ।

ସମସ୍ତେ ଯାଦବ ତୁମ୍ଭେ ବେଗେ ହୁଅ ସଜ

ନିଶ୍ଚୟ ମଥୁରାପୁର ନାଶଯିବ ଆଜ ।

ସାଗର ସମାନ ଜରାସନ୍ଧର ସଇନି

ଚାରି ଊଣା ଲକ୍ଷେ ରାଜା ସଙ୍ଗେ ଅଛି ଘେନି ।

ଏକ୍ଷଣି ଦେଖିଲୁ ଆମ୍ଭେ ଥୋକେ ଦୂର ଛାଡ଼ି

ସମୁଦ୍ର ଲହରୀ ପ୍ରାୟେ ଆସୁଛନ୍ତି ମାଡ଼ି ।

ଶୁଣିଣ ଯାଦବଗଣ ଉଠିଲେ ତଡ଼ତି

ସୈନ୍ୟ ସାଜ ସୈନ୍ୟ ସାଜ ଶୁଭେ ଚଉକତି ।

ମାର ମାର ଧର ଧର ଧ୍ୱନି କୋଳାହଳ

ସଜହୋଇ ବାହାରନ୍ତି ଚତୁରଙ୍ଗ ବଳ ।

ରଥ ଗଜ ଅଶ୍ୱ କେତେ କେ କରିବ ସଂଖ୍ୟା

ଛପନ କୋଟି ଯାଦବେ ସର୍ବେ ରଣରଙ୍କା ।

ଯେ ଯାହାର ଅଶ୍ୱଗଜ ରଥ ଚଢ଼ି ବେଗେ

ସମସ୍ତେ ମିଳିଲେ ଆସି ରାମକୃଷ୍ଣ ଆଗେ ।

ଭୟରେ ବୋଲନ୍ତି ଥୋକେ ସନ୍ଧି କର ଯାଇ

ବାହୁଡ଼ାଇ ଦିଅ ବାକ୍ୟେ ପ୍ରବୋଧ କରାଇ ।

ଯାଦବେ ଆରତ ହେବା ଦେଖି ଦେବରାୟ

ବୋଲନ୍ତି କିପାଇଁ ତୁମ୍ଭେ କରୁଅଛ ଭୟ ।

ଲକ୍ଷେ ଜରାସନ୍ଧ ଯେବେ ଆସୁଥିବ ବାହି

ଆମ୍ଭଙ୍କୁ ହାରିଣ ନିଶ୍ଚେଁ ଯିବେ ଲଜ୍ଜା ପାଇ ।

ତୁମ୍ଭେମାନେ ଭୟକରି ଅଥୟ ନ ହୁଅ

ରାଜାଙ୍କୁ ଆବୋରି ସର୍ବେ ଆନନ୍ଦରେ ଥାଅ ।

ଆମ୍ଭ ବେନି ଭାଇଙ୍କି ତ ଲାଗେ ଯୁଦ୍ଧ କଥା

ଆକୁଳ ହେଉଛ ତୁମ୍ଭେ କହ କିପାଁ ବୃଥା ।

ଯାଦବେ ବୋଇଲେ ତୁମ୍ଭେ ଶୁଭାଶୁଭ ଦାତା

ତୁମ୍ଭେ ଯେବେ ଆବୋରିଲ ଆମ୍ଭର କି ଚିନ୍ତା ।

ଏତେ କହି ଯେ ଯାହାର ଅସ୍ତ୍ର ଶସ୍ତ୍ର ଧରି

ଉଗ୍ରସେନ ଚଉପାଶେ ରହିଲେ ଆବୋରି ।

ଜଗତର ଆଦିକର୍ତ୍ତା କୃଷ୍ଣ ବଳରାମ

ତାଙ୍କୁ କି କରିବ ଜରାସନ୍ଧ କରି ତମ ।

ସେ ବେନି ଭାଇଙ୍କ ପାଦେ ଲୁଳୁ ମୋର ମାଥ

ଅଚ୍ୟୁତ ଦାସଙ୍କୁ ରକ୍ଷାକର ଗୋପୀନାଥ ।

 

ଜରାସନ୍ଧ ସୈନ୍ୟରେ ରାମକୃଷ୍ଣଙ୍କର ପ୍ରବେଶ ଓ କପଟରେ ପଳାୟନ

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି

ଯାଦବେ ସନ୍ତୋଷ ହେଲେ କୃଷ୍ଣ କଥା ଶୁଣି ।

ଏଥୁଅନ୍ତେ ଜରାସନ୍ଧ ନୃପ ଅତି ରାଗେ

ସୈନ୍ୟ ଘେନି ମାଡ଼ିଆସେ ପବନହୁଁ ବେଗେ

ପଞ୍ଚାଶ ସହସ୍ର ରାଜା ଥାଟ ଆଗେ ଥିଲେ

ଜରାସନ୍ଧ ଆଜ୍ଞା ପାଇ ସତ୍ୱରେ ଧାଇଁଲେ ।

ମାର ମାର ଧର ଧର ଡାକ ଦେଇ ଉଚ୍ଚେ

ବସନ୍ତ ଉତ୍ସର ପୁରେ ବେଢ଼ିଲେ ନିଘଞ୍ଚେ ।

ରଥ ଗଜ ପଦାତିକ ଅଶ୍ୱ ଅପ୍ରମାଣ

କରେ ଧରିଛନ୍ତି ନାନ ଅସ୍ତ୍ର ଶସ୍ତ୍ର ବାଣ ।

ସମୁଦ୍ର ଲହରୀ ପ୍ରାୟ ମାଡ଼ିଯାନ୍ତେ ସୈନ୍ୟ

ଧୂଳି ଉଡ଼ି ଅନ୍ଧକାର ଦିଶିଲା ଗଗନ ।

ତର୍ଜନ୍ତ ଗର୍ଜନ୍ତି ବୀରେ ଛାଡ଼ି ସିଂହରଡ଼ି

ପ୍ରଳୟ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।

ଯାଦବେ ତରସ୍ତ ହେଲେ ପାଇ ମହାଭୟ

ରାମକୃଷ୍ଣ ମୁଖ ଚାହିଁ ଉଗ୍ରସେନ ରାୟ ।

 

ବୋଇଲେ ଭୋ ଦେବ ତୁମ୍ଭେ ଶୁଣ ଭାବଗ୍ରାହୀ

ବିଷମ ସଙ୍କଟୁ ମୋତେ କରିବାକୁ ତ୍ରାହି ।

ଶରଣପଞ୍ଜର ବାନା ଭକ୍ତଜନ ବନ୍ଧୁ

ଆର୍ତ୍ତକାଳେ ବଜ୍ରସେହ୍ନା ହୁଅ କୃପାସିନ୍ଧୁ ।

ତୁମ୍ଭର ବାହୁକୁ ପ୍ରଭୁ କରିଅଛୁ ଆଶ

ନୋହିଲେ ସର୍ବ ଯାଦବେ ଗଲୁ ନିଶ୍ଚେଁ ନାଶ ।

ବସୁଦେବ ଶକ୍ରାଜିତ ଊଦ୍ଧବ ଅକ୍ରୂର

ସାତ୍ୟକି ସହସ୍ରାଜିତ ଅନାଧୃଷ୍ଟ ବୀର ।

ରାମ କୃଷ୍ଣ ମୁଖ ଚାହିଁ ସର୍ବେ କଲେ ଶୋକ

ବୋଲନ୍ତି ମରିବୁ ସର୍ବେ ପାରିଲେ ତୁ ରଖ ।

ଯାଦବେ ଆରତି ହେବା ଦେଖି ଭାଇ ବେନି

ସଂଗ୍ରାମକୁ ବାହିରିଲେ ସୁରଥକୁ ଘେନି ।

ନନ୍ଦିଘୋଷ ରଥ ଆରୋହିଲେ ବନମାଳୀ

ତାଳଧ୍ୱଜ ନାମେ ରଥେ ବିଜେକଲେ ହଳୀ ।

ପୁଷ୍ପକ ରଥେ ଚଳିଲା ସୁନାସ କୁମର

ଶୁଭଯୋଗରେ ତିନିହେଁ ହୋଇଲେ ବାହାର ।

ଯାଦବଙ୍କୁ ଚାହିଁଣ ଯେ ବୋଲନ୍ତି ଶ୍ରୀହରି

ରାଜାଙ୍କୁ ଆବୋରିଥାଅ ଭୟ ଦୂର କରି ।

ଏତେ କହି ରାମକୃଷ୍ଣ ଚଳି ଅତି ବେଗେ

କ୍ଷଣକେ ମିଳିଲେ ଯାଇ ଶତ୍ରୁ ସୈନ୍ୟ ଆଗେ ।

ତାଳଧ୍ୱଜ ରଥେ ରାମ ହେଲେ ଆଗୁଆଣି

ମଧ୍ୟରେ ସୁରଥ ପଛେ ଦେବ ଚକ୍ରପାଣି ।

ଅନ୍ତରୀକ୍ଷେ ତିନିରଥ ଆସନ୍ତେ ତ ବାହି

ସମସ୍ତ ନୃପେ ଦେଖିଲେ ଖଣ୍ଡେଦୂରେ ଥାଇ ।

ଏକକୁ ଆରେକ ଚାହିଁ ପୁଚ୍ଛନ୍ତି ବାରତା

କେଉଁମାନେ ବୋଲନ୍ତି ସେ ଅପୂର୍ବ ଏ କଥା ।

ଯାହାର ନିମନ୍ତେ କରୁଥିଲେ ପରିଶ୍ରମ

ସେ ଆସି ମିଳିଲେ ପାଶେ ଏତ ଶୁଭକର୍ମ ।

ଶୁଭବେଳ ହୋଇଥିଲା କଳେ ଅନୁକୂଳ

ଆସିଲା ମାତ୍ରକେ କାର୍ଯ୍ୟ ହୋଇଲା ସଫଳ ।

ଏଡ଼େ ବଡ଼ ଯଶ କେତେ ପୁଣ୍ୟ କଲେ ପାଇ

ଜରାସନ୍ଧ ଶୁଣି ଦେବେ ଅନେକ ବଧାଇ ।

ସର୍ବେ ଆସି ଏକାବେଳେ ବେଢ଼ିଣ ଧରିବା

ଜୀବିତରେ ବାନ୍ଧି ଜରାସନ୍ଧ ଆଗେ ଦେବା ।

କେ ବୋଲଇ ଦେଖି ଆଗ ଭଲକରି ଚିହ୍ନ

ନିଶ୍ଚେଁ ଦୁହେଁ ଅଟନ୍ତି କି ରାମ ଭଗବାନ ।

ଏଡ଼େକ ସାହସ କିପାଁ କଲେ ଏ ନ ଜାଣି

ମରିବାକୁ ଆସୁଛନ୍ତି ଖେଳପ୍ରାୟ ମଣି ।

ବେଳ ନ ବଞ୍ଚିଲେ ସମୟେକ ବଞ୍ଚିପାରି

ଆସନ୍ନ ମରଣଠାରୁ ଘୁଞ୍ଚିଗଲେ ତରି ।

କେ ବୋଲଇ ଦେଖ ଏହି ଜରାସନ୍ଧ ଥାଟ

ସୂଚିମୁନେ ଭେଦିବାକୁ ନ ଦିଶଇ ବାଟ ।

ଲକ୍ଷେ ପୁର କରି ସୈନ୍ୟ ରହିଲେ ବେଢ଼ାଇ

ପଳାଇ ଯିବାକୁ ବାଟ ନ ପାଇଲେ କାହିଁ ।

ତେଣୁ ମହାଭୟ ପାଇ ଆକୁଳ ହୋଇଣ

ଆସୁଛନ୍ତି ରାଜା ପାଦେ ପଶିବେ ଶରଣ ।

ନୋହିଲେ ବା ଉଗ୍ରସେନ ଆପେ ଦେଇ ଦେଖା

ଛାମୁକୁ ପଠାଇଥିବ କରିବାକୁ ରକ୍ଷା ।

ସୁନାସ ନନ୍ଦନ ଅଛି ଏହାଙ୍କର ସଙ୍ଗେ

ଆତ୍ମା ସମର୍ପିବେ ଯାଇ ଜରାସନ୍ଧ ଆଗେ ।

ଥୋକାଏ ନୃପ ବୋଲନ୍ତି ଧର୍ମଦେବ ରଖୁ

ଜରାସନ୍ଧ ନୃପ ୟାଙ୍କୁ ମିତ୍ରପଣେ ଦେଖୁ ।

କେହୁ ଯେ ବୋଲନ୍ତି ଅବା ଆସୁଥିବେ ଯୁଝି

ନିଶ୍ଚୟ କରିବା ଆସି ଯଥାର୍ଥରେ ବୁଝି ।

ଯେ ଯାହାର ଶସ୍ତ୍ର ଧରି ରଥେ ଥାଅ ବସି

ଦ୍ୱନ୍ଦ ଜାତ କଲେ ସର୍ବେ ପ୍ରହାରିବା ମିଶି ।

ନ ଜାଣ କି ଯେତେବେଳେ କର୍ମ ଏହୁ କଲେ

କଂସ ପରାୟେ ବୀରକୁ କିଞ୍ଚିତେ ବଧିଲେ ।

ଅଷ୍ଟମଲ୍ଲଙ୍କର କଥା ସମସ୍ତେ ତ ଜାଣ

ମଲା ପ୍ରାଣୀ ଜୀଆଇଲେ ଏହି ନାରାୟଣ ।

ଏ ଜଗଦ୍‌ବନ୍ଦନ ନାଥ ଅଟନ୍ତି ଶ୍ରୀହରି

ଏହାଙ୍କ ସଙ୍ଗରେ କିପାଁ ହୋଇବା ବଇରୀ ।

ଜାଣୁ ଜାଣୁ ଆମ୍ଭେ ଯେବେ ଆରମ୍ଭିବା ଦ୍ୱନ୍ଦ୍ୱ

ପରିଶେଷ ଫଳ ନିଶ୍ଚେଁ ଜାତ ହେବ ମନ୍ଦ ।

ଏମନ୍ତ ବିଚାରି ଥୋକେ ନୃପ ମାନ୍ୟ କଲେ

ଥୋକେ ନୃପ ଆଡ଼ ହୋଇ ପଛ ଘୁଞ୍ଚାଦେଲେ

ଥୋକେ ବୋଇଲେ ଦେଖିଲା କାର୍ଯ୍ୟ ଏବେ କର

ରଥେ ରଥ ପରିତାଳ ଦେଇ ବେଗେ ଧର ।

ରାଜକାର୍ଯ୍ୟେ ଗଞ୍ଜି ହେଲେ ଧର୍ମ କୀର୍ତ୍ତି ଅଛି

ନୋହିଲେ ପଶ୍ଚାତେ ପୁଣି କହିବେ ନା ବାଛି ।

କେ ବୋଲଇ ଆସୁଛନ୍ତି ଶରଣାର୍ଥୀ ହୋଇ

ଅନିମିତ୍ତେ ଗୋଳ ଆମ୍ଭେ କରିବା କିପାଇଁ ।

ପିଠିଦେଇ ଗଲାବେଳେ ଗୋଡ଼ାଇ ଧରିବା

ଏତେ ଭିତରୁ କି ରୂପେ ପଳାଇବା ଅବା ।

ଏମନ୍ତ ବିଚାରୁ ଆସି ମଳିଲେ ନିକଟେ

ଚାରି ଊଣା ଲକ୍ଷେ ରାଜା ପଟୁଆର ଥାଟେ ।

ଆଗ ପଛେ ତିନି ରଥ ଚଳେ ଅତି ବେଗେ

ମଧ୍ୟେ ସୁରଥ କୁମର ବଳରାମ ଆଗେ ।

ପଛେ ନନ୍ଦିଘୋଷ ରଥ ଚଢ଼ି ଚକ୍ରଧର

ଝସାଇ ପଶିଲେ ଯାଇଁ ସୈନ୍ୟର ଭିତର ।

ଅଶ୍ୱବାଗ ଧରି ବାହେ ଦାରୁକ ସାରଥି

ଆପେ ଜଗନ୍ନାଥ ପ୍ରଭୁ ହୋଇଛନ୍ତି ରଥୀ ।

ଶ୍ରୀଭୁଜେ ସାରଙ୍ଗ ଧନୁ କାଳାନ୍ତକ ଶର

ଚତୁର୍ଦ୍ଧା ମୂରତିଧାରୀ ଦେବ ଚକ୍ରଧର ।

ଶ୍ରୀବତ୍ସଲାଞ୍ଛନ ହୃଦେ କୋଉସ୍ତୁଭ ମଣି

କୁମାର ଦଶ ବରଷ ରୂପେ କାମ ଜିଣି ।

କର୍ଣ୍ଣ ଅଞ୍ଚଳ ମୁକୁଟ ଶିରେ ସପ୍ତଶାଖା

ବିଦ ମୁଦି ବାହୁଟି ଯେ କରେ ଊର୍ଦ୍ଧ୍ୱରେଖା ।

ନାନାରତ୍ନ ଆଭରଣେ ଶ୍ରୀଅଙ୍ଗ ଶୋଭନ

ଲଲାଟେ କସ୍ତୁରୀ ଚିତା ହୃଦରେ ଚନ୍ଦନ ।

ନୀଳେନ୍ଦିଦଳ ପରାୟେ ଶୋହେ ଦିବ୍ୟବପୁ

କୋଟିକାମ ଜିଣୁଛନ୍ତି ରୂପେ କଂସରିପୁ ।

ତାଳଧ୍ୱଜ ରଥ ଚଢ଼ି ବିଜେ ହଳପାଣି

ନୀଳାମ୍ୱର ପ୍ରଭୁ ଶିରେ ଉଭା ସପ୍ତଫେଣି ।

ସୌନନ୍ଦ ମୁଷଳ ହଳ ବେନିକରେ ଶୋହେ

କାନ୍ତି ବିରାଜଇ ଶଙ୍ଖ ଗୋକ୍ଷୀର ପରାୟେ ।

କର୍ଣ୍ଣରେ କୁଣ୍ଡଳ କଟିତଟେ ନୀଳବାସ

କାଦମ୍ୱରୀ ପାନେ ଭୋଳ ସର୍ବଜ୍ଞ ପୁରୁଷ ।

ବିଜୟ ସାରଥି ରଥ ବାହେ ଶୀଘ୍ରକରି

ଦକ୍ଷେ ବେତ୍ରବାଡ଼ି ବାମେ ଅଶ୍ୱବାଗ ଧରି ।

ପୁଷ୍କକ ଯାନରେ ଚଳେ ସୁରଥ କୁମର

ବାମକରେ ଧନୁ ଶୋହେ ଦକ୍ଷକରେ ଶର ।

ସାନନ୍ଦ ନାମେ ସାରଥି ବାହଇ ସେ ଯାନ

ପବନହୁଁ ବେଗେ ରଥ ଚଳେ ଘନ ଘନ ।

ସଇନ୍ୟ ଭିତରେ ପଶି ଗଲା ତିନିରଥ

ସ୍ତମ୍ଭୀଭୂତ ହେଲେ ଦେଖିବ ସର୍ବ ନରନାଥ ।

ରହରହ ବୋଲିବାକୁ କାହା ଶକ୍ତି ନାହିଁ

ଚାରିଊଣା ଲକ୍ଷେରାଜା ରହିଛନ୍ତି ଚାହିଁ ।

ଲୀଳା ଗତିକରି ବିଜେ ସ୍ୱାମୀ ନନ୍ଦବତ୍ସ

ଲେଉଟି ଗୋଡ଼ାଇଛନ୍ତି ନୃପେ ତାଙ୍କ ପଛ ।

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ରାଜନ

ପବିତ୍ର ଶ୍ରୀହରିବଂଶ ପୁରାଣ ଆଖ୍ୟାନ ।

ଜଗତବନ୍ଦ ନାଥ ପ୍ରଭୁ ବନମାଳୀ

ସମସ୍ତଙ୍କୁ ଭୁଲାଇଣ ଗଲେ ତହିଁ ଚଳି ।

ଯେଉଁଠାରେ ଥିଲା ଜରାସନ୍ଧ ନରପତି

ତହିଁର ନିକଟେ ଯାଇ ମିଳିଲେ ଝଟତି ।

ଧସାଇଣ ପଶିଗଲେ ସଇନ୍ୟ ଭିତରେ

ସବୁନୃପ ଚାହିଁଛନ୍ତି ରହି ଯେ ଯାହାରେ ।

ଡଗରେ କହିଲେ ଜରାସନ୍ଧ ଆଗେ ଯାଇ

ଭୋ ମଣିମା ସାବଧାନେ ଶୁଣ ନୃପସାଇଁ ।

ରାମକୃଷ୍ଣ ବେନି ଭାଇ ଚଢ଼ି ରଥେ ରଥେ

ସୁନାସ କୁମର ବୀର ସୁରଥ ସହିତେ ।

ତୁମ୍ଭ ଥାଟ ମଧ୍ୟେ ଆସି ପଶିଲେ ଧସାଇ

ନାନାଶସ୍ତ୍ର ଧରିଛନ୍ତି ବୀରବେଶ ହୋଇ ।

ଛୟାଣୋଇ ସସ୍ର ରାଜା ନେତ୍ରେ ଦେଖୁଥିଲେ

ଛାମୁକୁ ଆସନ୍ତେ କେହି ବାରର ନ କଲେ ।

ଏକ୍ଷଣି ଏଠାକୁ ଆସି ଭୁଲାଇଣ ଗଲେ

ଅକଳିତ ଥାଟେ ପଶି ଶଙ୍କା ହିଁ ନ କଲେ ।

ଯହିଁପାଇଁ ଆସିଥିଲ ତୁମ୍ଭେ ଥାଟ ସାଜି

ଆଗରେ ସେ ଅନାୟାସେ ପଡ଼ିଥିଲା ଆଜି ।

ଧରି ନ ପାରିଲ ତୁମ୍ଭେ କଥା ଗଲା ବଳି

ଖୋଜିଲେ ମିଳେ କି ଆଉ ହଜିଲା ସଙ୍ଖାଳି ।

ପୁଣି ହିଁ ଡଗରେ ଆସି ବାରତା କହିଲେ

ଏହିକ୍ଷଣି ରାମକୃଷ୍ଣ ଆସି ପଳାଇଲେ ।

ଏହା ଶୁଣି ଜରାସନ୍ଧ କୋପେ ପରଜ୍ୱଳି

କାଳସର୍ପ ପ୍ରାୟେ ଗର୍ଜି ଉଠେ ମହାବଳୀ ।

ଦଶନେ ଅଧର ଚାପେ ବିକଟ ବଦନ

କ୍ରୋଧଭରେ ଶ୍ୱାସବାୟୁ ଛାଡ଼େ ଘନ ଘନ ।

ଲୋହଦଣ୍ଡ ଘେନି ଗଦା ଶୂନ୍ୟେରେ ବୁଲାଇ

ଧରଣୀ ଉପରେ ଉଭା ହେଲା ରଥୁ ଡେଇଁ ।

ରୋମ ଟାଙ୍କୁରଇ ଅଙ୍ଗୁ ବହେ ଶ୍ରମଝାଳ

ଭୟଙ୍କର ରୂପ ଦିଶେ ଅତ୍ୟନ୍ତ କରାଳ ।

ସଇନ୍ୟଙ୍କୁ ଆଜ୍ଞା ଦେଲେ ବେଗେ ଯାଅ ଧାଇଁ

ଖୋଜିଆଣି କେଉଁଆଡ଼େ ଗଲା ସେ ପଳାଇ ।

ଚାରିଆଡ଼େ ଚତୁରଙ୍ଗ ସେନା ବେଢ଼ି ଧର ।

ପ୍ରାଣେ ନ ମାରିଣ ଜୀବ ଥାଉଁ ବନ୍ଦି କର ।

ଜାମାତା ମରଣ ଦୁଃଖ ଝିଅଙ୍କ ବିକଳ

ନାତିଙ୍କ ବିଯୋଗ ବାଧା ଛାଡ଼ିବି ସକଳ ।

କରତାଙ୍କୁ  ସାକ୍ଷୀ ଦେଇ ସତ୍ୟ ଅଛି କରି

ଅନେକ ଅବସ୍ଥା ଦେବି ବନ୍ଦି ଘରେ ଭରି ।

ନାନାଦି ପ୍ରପଞ୍ଚ ଦଣ୍ଡ ଦେବି ଅପ୍ରମାଣ

ଖଣ୍ଡ ଖଣ୍ଡ ମାଂସ କାଟି ଘେନିବଇଁ ପ୍ରାଣ ।

ଜରାସନ୍ଧ ମୁଖୁଁ ଶୁଣି ଏସନକ ଆଜ୍ଞା

ଧାଇଁଲେ ସକଳ ନୃପ କରିଣ ପ୍ରତିଜ୍ଞା ।

ହାତୀ ରଥୀ ମହାରଥୀ ସୈନ୍ୟ ଅପ୍ରମିତ

ଉଡ଼ନ୍ତା ପର୍ବତ ପ୍ରାୟେ ଗମିଲେ ତ୍ୱରିତ ।

ବୀର ମହାବୀରମାନେ କରେ ଶସ୍ତ୍ର ଧରି

ଖୋଜିଲେ ଚୌଦିଗେ ବୁଲି ରେରେକାର କରି ।

ମାର ମାର ଧର ଦର ନିରନ୍ତପେ ଡାକ

ମେଘ ଘଡ଼ଘଡ଼ିଠାରୁ ଶବଦ ଅଧିକ ।

ଗଲା ଗଲା ବୋଲି ଶବ୍ଦ ଶୁଭଇ ଗହଳ

ଆଗୁଆଣି ଥାଟେ ବିଜେ ସଙ୍କୋଚନ ବାଳ ।

ସଙ୍ଗତରେ ଅଙ୍ଗବଳ ସତାଇଶ କ୍ଷୌଣୀ

ପାରୁଶରେ ବେଢ଼ିଛନ୍ତି ଅନେକ ସଇନି ।

ମନ ବଚନରେ ଅଗୋଚର ଯେଉଁ ହରି

ସେ ଲୁଚିଲେ ତାଙ୍କୁ ଖୋଜି କେ ପାରିବ ଧରି ।

ଅଚ୍ୟୁତ ଦାସ ବୋଲଇ ଆହେ ଶିରୀପତି

କୃପାକରି ଅନ୍ତଃକାଳେ ଦିଅ ସଦଗତି ।

 

ହରିବଂଶ ପଞ୍ଚମ ଖଣ୍ଡ

ଜରାସନ୍ଧ ସୈନ୍ୟ ସହ ରାମକୃଷ୍ଣଙ୍କ ଯୁଦ୍ଧାରମ୍ଭ ସୁରଥ ସହିତ ଦନ୍ତବକ୍ର ପ୍ରଭୃତିଙ୍କ ଯୁଦ୍ଧ ଓ ପରାଜୟ

ଶୁଣ ହେ ପରୀକ୍ଷ ରାଜା କହନ୍ତି ଯେ ଶୁକ

ଜରାସନ୍ଧ ଖୋଜେ ରାମ କୃଷ୍ଣଙ୍କୁ ଅନେକ ।

ଛୟାଣୋଇଁ ସସ୍ର ରାଜା ଅଛନ୍ତି ଗୋଡ଼ାଇ

ହାତେ ହାତେ ସେ ତିନିହେଁ ପଳାନ୍ତି ଫେଡ଼ଇ ।

ପଚାଶ ଯୋଜନ ଦୂର ମଥୁରାରୁ ଗଲେ

ମଣିଶୃଙ୍ଗ ଗିରିତଳେ ପାଲଟି ରହିଲେ ।

ସେ ଗିର ତଳରେ ବହେ ମଣିଭଦ୍ରା ନଦୀ

ଦକ୍ଷିଣ ବାହିନୀ ହୋଇ ଯମୁନାକୁ ଭେଦି ।

ନଦୀର ଦକ୍ଷିଣ ଭାଗେ କନାଉଜ ସୀମା

ଧୂମ୍ରଲୋଚନକୁ ତହିଁ ମାରିଥିଲେ ଉମା ।

ଛୟାଶୀଯୋଜନ ପାଦ ବିସ୍ତାର ସେ ଭୂଇଁ

ଝାଡ଼ବାଡ଼ ବୃକ୍ଷଲତା କଣ୍ଟା ଖୁଞ୍ଚ ନାହିଁ ।

ଅସୁରଙ୍କ ମେଦମେଦା ରକ୍ତମାଂସ ପଡ଼ି

ସିନ୍ଦୂର ପରାୟେ ମାଟି ଦିଶେ ତାହା ସଢ଼ି ।

 

 

ବଳରାମ ବୋଲନ୍ତି ଯେ ଶୁଣ ନାରାୟଣ

ଏହିଠାରେ ରହି ଆମ୍ଭେ କରିବାକ ରଣ ।

ଅନେକ କାଳତ ଏ ଯେ ରଣଭୂମି ଖଣ୍ଡି

ଧୂମ୍ରଲୋଚନକୁ ଏଥେ ମାରିଥିଲେ ଚଣ୍ଡୀ ।

ଯୋଗିନୀମାନଙ୍କ କ୍ରୀଡ଼ା ସ୍ଥାନ ଏହି ପୃଥ୍ୱୀ

ଅନନ୍ତକୋଟି ଚାମଣ୍ଡା ରହିଥାନ୍ତି ଏଥି ।

ଏଠାରେ ଦୁଷ୍ଟଙ୍କୁ ମାରି ଦେବା ବିଷାବଳି

ରକ୍ତମାଂସ ଖାଇ ତୋଷ ହେବେ ଭଦ୍ରକାଳୀ ।

ଏମନ୍ତ ବିଚାର କରି ରୁହାଇଲେ ରଥ

ଦକ୍ଷିଣରେ କାମପାଳ ବାମେ ଜଗନ୍ନାଥ ।

ସୁରଥକୁ ଆବୋରିଲେ ମଧ୍ୟ ବେନି ଭାଇ

ଏ ସମୟେ ଜରାସନ୍ଧ ସୈନ୍ୟ ଆସି ତହିଁ ।

ଶତେପୁର କରି ଚଉପାଶରେ ବେଢ଼ିଲେ

ଜାଲ ମଧ୍ୟେ ସିଂହପ୍ରାୟେ ତିନିହେଁ ରହିଲେ ।

ତର୍ଜ୍ଜନ୍ତି ଗର୍ଜ୍ଜନ୍ତି ବୀରେ କରନ୍ତି ପହିଜ

ଆବର ବୋଲନ୍ତି ବାଞ୍ଛା ସିଦ୍ଧ ହେଲା ଆଜ ।

ଲୁଚିଣ ପଳାଇଥିଲେ ଏବେ ଯିବେ କାହିଁ

ପାଦ ଫିଟିବାରୁ ଚଳି ନ ପାରିନ୍ତି ଯାଇ ।

କେହି ଯେ ବୋଲନ୍ତି ଦେଖ ହେଲେଣି ନିସତ

ପଳାଇଲେ ମାରିବାର ନୁହଇ ଯୁକତ ।

କେଉଁମାନେ ବୋଲନ୍ତି ଏ ପ୍ରଭୁଙ୍କ ବଇରି

ନିଜେ ରାଜା ଦଣ୍ଡଦେବେ ଅଛନ୍ତି ବିଚାରି ।

ଥୋକାଏ ବୋଳନ୍ତି ୟାଙ୍କୁ ଦଣ୍ଡେ ହେଁ ନ ରଖ

ଏହାଙ୍କ ଯୋଗୁଁ ପାଇଲେ ରାଜା ଅତି ଦୁଃଖ ।

ଏଥିୁଅନ୍ତେ ଜରାସନ୍ଧ ନରପତି ଆଗେ

ପଢ଼ିହାରୀ ଜଣାଇଲା ଯାଇ ଅତିବେଗେ ।

ଭୋ ମଣିମା ସାବଧାନେ ଶୁଣ ନୃପନିଧି

ଏବେ ସେ ତୁମ୍ଭର ମନବାଞ୍ଛା ହେଲା ସିଦ୍ଧି ।

ପ୍ରାଣଭୟେ ରାମକୃଷ୍ଣ ଦୁହେଁ ପଳାଇଲେ

ମଣିଶୃଙ୍ଗ ଗିରିତଳେ ଫୁଟିଣ ରହିଲେ ।

ଚାମୁଣ୍ଡା ନାମରେ ପାଦ ମଣିଭଦ୍ରା ତୀରେ

ଛାୟାଶୀ ଯୋଜନ ଦୀର୍ଘ ପ୍ରତି ବିଧାନରେ ।

ଦେଶ ଗ୍ରାମ ନାହିଁ ଶୂନ୍ୟ ଅଟଇ ସେ ପଦା

ଯୋଗିନୀ ଚାମଣ୍ଡା ବାସ କରନ୍ତି ସର୍ବଦା ।

ସେ ପାଦର ମଧ୍ୟେ ରୁହାଇଲେ ତିନି ରଥ

ସୁନାସ ନନ୍ଦନ ବଳଦେବ ଜଗନ୍ନାଥ ।

ପଚାଶ ସହସ୍ର ନୃପ ଆଗୁଆଣି ଥିଲେ

ଗୋଡ଼ାଇଣ ଆଗେ ବେଢ଼ି ଆଗୁଳି ରହିଲେ ।

ଶତେପୁର ବେଢ଼ି ସୈନ୍ୟ ରହିଛନ୍ତି ଘେରି

ବଧିବେକି ଜୀବନରେ ଆଣିଦେବେ ଧରି ।

ଏହାଶୁଣି ଜରାସନ୍ଧ ନିଶ ମୋଡ଼ି ଗର୍ବେ

ବୋଲେ ମୋର ମନୋବାଞ୍ଛା ସିଦ୍ଧହେଲା ଏବେ

ଆବର ଯେ ଟହ ଟହ ହସି କୁତୂହଳେ

ବୋଲେ ପ୍ରାଣେ ନ ମାରିଣ ଧରିଆଣ ବଳେ ।

ଏସନକ ଆଜ୍ଞା ଶୁଣି ଦୂତ ବେଗେ ଗଲା

ସବୁ ରାଜାଙ୍କର ଆଗେ ବାରତା କହିଲା ।

ବୋଲଇ ଶ୍ରୀମୁଖେ ଆଜ୍ଞାଦେଲେ ଦଣ୍ଡଧାରୀ

ଜୀବନେ ନ ମାରି ୟାଙ୍କୁ ବାନ୍ଧିନିଅ ଧରି ।

ଶୁଣି ସେ ସକଳ ନୃପ ଉଠି ଅତି ବେଗେ

ଏକ ପଛ କରି ଅନ୍ୟ ଧାଏଁ ଆଗେ ଆଗେ ।

ବନ୍ଧ ଭାଙ୍ଗିଗଲେ ଯେହ୍ନେ ଘୋଟିଆସେ ଜଳ

ତେସନ ଦିଶିଲେ ତହିଁ ନୃପତି ସକଳ ।

ଛେଲ ଚକ୍ର ଭିନ୍ଦିପାଳ ଭୂଷଣ୍ଡି ମୁଦ୍‌ଗର

ଧନୁ ଖଡ଼ଗ କୁନ୍ତ ଭାଲି ନାରାଚ ତୋମର ।

ଛୁରୀ ଯମଦାଢ଼ ଗଦା ଶୂଳ ଚକ୍ର ଯଷ୍ଟି

ଏକମୁଖ ହୋଇ ପ୍ରହାରିଲେ କୋଟି କୋଟି ।

ଅନଳ ଦେଖି ପତଙ୍ଗ ପଡ଼େ ଯେହ୍ନେ ଉଡ଼ି

ତେସନ ପ୍ରକାରେ ଥାଟ ପଡ଼ିଲେକ ମାଡ଼ି ।

ଶ୍ରୀକୃଷ୍ଣ ବୋଇଲେ ବଳଦେବ ମୁଖ ଚାହିଁ

ଭୋ ସ୍ୱାମୀ ଦକ୍ଷିଣ ଦିଗେ ଯୁଦ୍ଧକର ଯାଇଁ ।

ସୁରଥକୁ ବୋଇଲେ ତୁ ପଶ୍ଚିମରେ ଜଗ

ପୂର୍ବ ଉତ୍ତର ଏ ଦୁଇ ହେଲା ଆମ୍ଭ ଭାଗ ।

ଶ୍ରୀକୃଷ୍ଣ ଆଜ୍ଞା ପ୍ରମାଣେ ବଳଦେବ ସ୍ୱାମୀ

ଦକ୍ଷିଣ ଦିଗେ ସମର କଲେ ଅନ୍ତର୍ଯ୍ୟାମୀ ।

ବାର ସହସ୍ର ନୃପତି ଏକୁ ଏକ ବଳୀ

ସଂଗ୍ରାମେ ଶକତା ସର୍ବେ ପରାକ୍ରମ ଶାଳୀ ।

ରଥ ଗଜ ଆଦି ଯାର ଅଙ୍ଗବଳ ଯେତେ

ଯେ ଯାହାର ଅନୁରୂପେ ଘେନାଇ ସଙ୍ଗତେ ।

ସମୁଦ୍ର ଲହରୀ ପ୍ରାୟ ମାଡ଼ି ଆସୁଥିଲେ

ବଳଦେବ ରୂପ ଦେଖି ନିବର୍ତ୍ତି ରହିଲେ ।

ପଞ୍ଚାଶ ସହସ୍ର ନୃପ ପୂର୍ବେ ଥିଲେ ଥାଇଁ

ନନ୍ଦିଘୋଷ ଚଢ଼ି କୃଷ୍ଣ ଓଗାଳିଲେ ଯାଇ ।

ପଚାଶ ସହସ୍ର ନୃପଥିଲେ ପଶ୍ଚିମରେ

ସୁରଥ କୁମର ମିଳି ତାହାଙ୍କ ଆଗରେ ।

ବଡ଼ ବିଚକ୍ଷଣ ସେହି ଉଗ୍ରସେନ ନାତି

ସୁପବିତ୍ର ଭୋଜବଂଶୀ କ୍ଷତ୍ରୀ ଶୁଦ୍ଧ ଜାତି ।

ପୁଷ୍ପକ ବିମାନେ ଚଢ଼ି ସେ ସୁରଥ ବୀର

ପଶ୍ଚିମ ଦିଗ ଆବୋରି ହେଲା ଆଗୁସାର ।

ବନ୍ଧ ବନ୍ଧାଇଲେ ଯେହ୍ନେ ସ୍ଥିର ହୁଏ ଜଳ

ତେସନେକ ସ୍ଥିର ହେଲେ ନୃପତି ସକଳ ।

ସମସ୍ତଙ୍କ ହୃଦୟରେ ଜାତ ହେଲା ଭୀତି

ସଂଯମନୀ ପୁରୁ କିବା ଆସେ ଜନ୍ତୁପତି ।

ବୋଲନ୍ତି ଏମନ୍ତ ରୂପ ଦେଖିଲା ତ ନାହିଁ

ଲକ୍ଷେ ବଳ ଧନୁ କରେ ବହିଅଛି ଏହି ।

ଏ କାହାର ପୁତ୍ର ସର୍ବେ ଭଲକରି ଚିହ୍ନ

କେ ବୋଲନ୍ତି ଏହି ଅଟେ ସୁନାସ ନନ୍ଦନ ।

ଉଗ୍ରସେନ ରାଜାଙ୍କର ଅଟଇ ଏ ନାତି

ବାଳକ ବୟସ ୟାର ଚଞ୍ଚଳ ପ୍ରକୃତି ।

ସଙ୍ଗେ ରଥଗଜ ନାହିଁ ନାହିଁ ସୈନ୍ୟସଖା

ସାହସ କରିଣ ଦେଖି ଆସିଅଛି ଏକା ।

ପଶାଖେଳ ବୋଲି ମନେ କରିଛି ବିଚାର

ନିଶ୍ଚେ ଆଜ ଭେଟିବ ଏ ସଂଯମନୀ ପୁର ।

ରଥୀ ମହାରଥୀଗଣ ହୋଇଛନ୍ତି ମେଳି

ପିମ୍ପୁଡ଼ି ବଳରେ କାହିଁ ଗିରି ହୁଏ ଟାଳି ।

ବାଲି ପକାଇଲେ କାହିଁ ସିନ୍ଧୁହୁଏ ପୋତା

କରପତ୍ରେ ଲୁଚଇ ସେ ସବିତା ଦେବତା ।

ଚାରି ଊଣା ଲକ୍ଷେ ରାଜା ଅସଂଖ୍ୟ ସଇନୀ

ପାଦଭରେ ଦଲ ଦଲ କମ୍ପଇ ମେଦିନୀ ।

ସତାଇଶ କ୍ଷୌଣୀ ବଳ ଘେନି ସଙ୍ଗତରେ

ଆପେ ଜରାସନ୍ଧ ରାଜା ବିଜୟ ସମରେ ।

ଯୁକତେ ବାଳକ ୟାର ବୁଦ୍ଧି ଲେଶ ନାହିଁ

ମରଣ ବରଣ କରି ଆସିଅଛି ଧାଇଁ ।

ଏମନ୍ତ ବିଚାରୁଥିଲେ ସକଳ ନୃପତି

ସୁନାସନନ୍ଦନ ରଥ ଚାଳି ଶୀଘ୍ରଗତି ।

ଗୁଣନାଦେ ଚରାଚର ମେଦିନୀ କମ୍ପାଇ

ଥାଟ ଆଗେ ଉଭା ହେଲା ନର୍ଭୟରେ ଯାଇ ।

ସବୁରି ଅଗ୍ରତେ ଦନ୍ତବକ୍ର ରାଜା ଥିଲା

ତାହାର ଛାମୁରେ ରଥ ନେଇଣ ଟେକିଲା ।

ସମ୍ମୁଖରେ ଦୁଇ ରଥ ହେଲା ଏକଭେଟ

ଐରାବତ ଗଜ ଯେହ୍ନେ ବିନ୍ଧ୍ୟଗିରି ତଟ ।

ଦନ୍ତବକ୍ର ରାଜା ବୋଲେ ସୁରଥକୁ ଚାହିଁ

ବାବୁ ଅକଳିତ ଥାଟେ ପଶିଲୁ କିପାଇଁ ।

ସୁନାସର ନନ୍ଦନ ତୁ ଉଗ୍ରସେନେ ନାତି

ଭୋଜବଂଶର ସନ୍ତାନ ଶୁଦ୍ଧ କ୍ଷତ୍ରୀଜାତି ।

ପାଟକୁ ତୁ ଅଧିକାରୀ ରାଜ୍ୟେ ଯୁବରାଜା

ଚୌରାଶୀ କୋଟି ଯାଦବେ ତୋହର ପରଜା

ତୋର ପିତା ଦେଡ଼ୁତାକୁ କୃଷ୍ଣ କଲା ନାଶ

ତା ସଙ୍ଗେ ଆସିବା ତୋର ପ୍ରୟୋଜନ କିସ ।

ବାବୁ ତୋର ପିତା ଶତ୍ରୁ ଏହି ଚକ୍ରପାଣି

ତୋତେ ମରାଇବ ସଙ୍ଗେ ବିଶ୍ୱାସରେ ଆଣି ।

ହଂସ ଡିମ୍ୱ ବେନିଭାଇ ଜାଣି ନ ପାରିଲେ

ଏହାର ବିଶ୍ୱାସେ ପଡ଼ି ଜଳେ ବୁଡ଼ିମଲେ ।

ଯେଉଁଲୋକ ବଂଶନାଶ କରିଛି ତୋହର

ତା ସଙ୍ଗେ ବିଶ୍ୱାସ କରୁ କେବଣ ପ୍ରକାର ।

ତୁ ମରନ୍ତେ ଭୋଜବଂଶ ସମୂହେ ସରିବ

ଉଗ୍ରସେନ ବୁଢ଼ା ଥାଇ ଆଉ କି କରିବ ।

ଛଣବିଡ଼ା ପ୍ରାୟେ ତାକୁ ଉଡ଼ାଇଣ ଦୂରେ

ରାମ କୃଷ୍ଣ ରାଜା ହେବେ ମଥୁରା ନଗରେ ।

ଜାଣୁ ଜାଣୁ କେମନ୍ତେ ତୁ ହେଲୁ ଜ୍ଞାନଧ୍ୱଂସ

ଏହି କୃଷ୍ଣ ସମୂଳରେ ନାଶିଲା ତୋ ବଂଶ ।

ଆମ୍ଭ ସାହାପକ୍ଷ ପାଇ ସମର ତୁ କର

ଏ ତୋହର ପିତାଶତ୍ରୁ ସ୍ୱହସ୍ତରେ ମାର ।

ଏହି ଜରାସନ୍ଧ ନୃପ ଧର୍ମେ ତୋର ଅଜା

ରାମକୃଷ୍ଣ ମାରି ତୋତେ କରାଇବ ରାଜା ।

ଚାଲ ଏବେ ଜରାସନ୍ଧ ନିକଟକୁ ଯିବା

ଛାମୁରେ କହିଣ ଦରଶନ କରାଇବା ।

ଯେ ତୁମ୍ଭର ବନ୍ଧୁପଣ ଅଛି ସେହି ମତେ

ତୁମ୍ଭଠାରେ କୋପକରି ନାହାନ୍ତି ସେ ଚିତ୍ତେ ।

ଯେ ଯାହାର ବୈରୀ ତାହା ଜାଣଇ ସେ ଭଲେ

ତେଣୁ ଯୁଦ୍ଧ ନ କରନ୍ତି ଯାଦବଙ୍କ ତୁଲେ ।

କୃଷ୍ଣ ଆମ୍ଭ ବନ୍ଧୁ ନୁହେଁ ନୁହେଁ ସହୋଦର

ତା ସଙ୍ଗେ ପୀରତି ନୁହେଁ ଉଚିତ ବେଭାର ।

ଗଉଡ଼ ବାଉଡ଼ ହାଉଡ଼ ଯେ ମୂଢ଼ମତି

ତିନି ନାମ ବହଇ ସେ ତାର କିସ ଜାତି ।

କାଦମ୍ୱରୀ ପାନ କରି ଗୋରୁହତ୍ୟା କଲା

ରଖୁଆଳ ହୋଇ ବନେ ବତ୍ସା ଚରାଇଲା ।

ମାଉସୀ ପିଉସୀ ଖୁଡ଼ୀ ମାଇଁ ଆଦି କରି

ପରନାରୀ ହରିଲା ସେ ପାପକୁ ନ ଡରି ।

ସହୋଦର ମଉଳାକୁ ଆପେ ବଧ କଲା

ଗୁରୁଦ୍ରୋହ ରାଜଦ୍ରୋହ ପାତକ ଅର୍ଜିଲା ।

ଗଉଡ଼ଙ୍କ ଘରେ ଅନ୍ନ ଖାଇଅଛି ସେହି

ଆଠବର୍ଷ ରହିଲା ସେ ଗୋପପୁରେ ଯାଇ ।

ଆବର ସେ ମହାପାପ ଅରଜିଛି ଯେତେ

ଏକ ଏକ ନାମ ଧରି କହିବଇଁ କେତେ ।

ତୁ ତାର ଚରିତ ସବୁ ପ୍ରତ୍ୟକ୍ଷରେ ଜାଣୁ

ଆପଣାର ହିତ କିପାଁ କହିଲେ ନ ଶୁଣୁ ।

ମିଛେ ମିଛେ ନାରାୟଣ ବୋଲାଉଛି ସେହି

ତା ସମାନେ ମହାପାପୀ ଜଗତରେ ନାହିଁ ।

ଆଜ ଜାଣିବା ଉବୁରି ଯିବ କେଉଁ କତି

ଭଲ ଯୋଗେ ପଡ଼ିଅଛି ମରିବ ଏ ଘାନ୍ତି ।

ତୁ ତାହାର ସଙ୍ଗେ ଥିଲେ ନିଶ୍ଚେଁ ନାଶ ଯିବୁ

ଆପଣାର ପ୍ରାଣ ଥିଲେ ଅଛି କାର୍ଯ୍ୟ ସବୁ ।

ସାଧୁଙ୍କର ସଦବିଦ୍ୟା ସତ୍‌କର୍ମ ଜୀବିକା

ସଂସାରେ ଜନମ ହେଲେ ଏହି ସବୁ ଲେଖା ।

ଦନ୍ତଚକ୍ର କଥା ଶୁଣି ସୁନାସ କୁମର

କ୍ରୋଧଭରେ କମ୍ପାଇଲା ଆପଣା ଶରୀର ।

ବେନି ଚକ୍ଷୁ ରଙ୍ଗ କରି ଦନ୍ତେ ଦନ୍ତେ ଚାପି

ବୋଇଲା ତୁ ବିଷ୍ଣୁ ନିନ୍ଦା କଲୁ ମହାପାପୀ ।

ଅଜ୍ଞାନୀ ପାମର ତୁହି ତୋର ମନ୍ଦ ବୁଦ୍ଧି

କି ଅବା ଘୋଟିଲା ତୋତେ ଅଧି କାଳବ୍ୟାଧି ।

ଜଗତନାଥଙ୍କୁ ନିନ୍ଦା କଲୁ ତୁ ପାମର

ଅବଶ୍ୟ ଏ ଦୋଷେ କଟା ହୋଇବ ତୋ ଶିର

କ୍ଷଣକେ କୋଟିଏ ସୃଷ୍ଟି ଯେ କରନ୍ତି ଆନ

ଦେବଙ୍କ ଉପରେ ଦେବ ଯେଉଁ ଭଗବାନ ।

ଆଦିଅନ୍ତ ମଧ୍ୟେ ଯାର ନାହିଁ ରୂପ ରେଖ

ତୁ ତାଙ୍କୁ ନ ଜାଣି ନିନ୍ଦା କରୁଅଛୁ ମୂର୍ଖ ।

ଦ୍ୱାପର ଯୁଗରେ ଭାରା ନିବାରଣ ଅର୍ଥେ

ମାନବ ଶରୀରେ ଜାତ ହେଲେ ଜଗନ୍ନାଥେ ।

ତାଙ୍କୁ ମନ୍ଦ ଚିନ୍ତି କିସ କରିବୁ କହତ

ମୁଣ୍ଡ ଘେନି ପେଲିଲେ କି ଚଳଇ ପର୍ବତ ।

ଅଞ୍ଜଳିରେ ବାହିଲେ କି ସୁଖେ ବାରାନିଧି

ନଦୀବାଲି ଗଣିବାକୁ ଅଛି କାହା ବୁଦ୍ଧି ।

ନଳ ଘେନି ଆକାଶକୁ କେ ପାରଇ ମାପି

ତୁ ତାହାଙ୍କୁ ବିଷ୍ଣୁମାୟା ନ ଜାଣୁରେ ପାପୀ ।

ଏହା ଶୁଣି ଶାଲ୍ୱ ବୋଲେ ଧିକ ତୋ ଜୀବନ

ଶତ୍ରୁପାଦେ ସେବାକରି କଟାଉଛୁ ଦିନ ।

ବନ୍ଧୁବୋଲି ଜରାସନ୍ଧ ଦୟା କରିଥିଲେ

ଏବେ ତୋର ପାପବୁଦ୍ଧି ଜଣାଗଲା ଭଲେ ।

ଆପଣା ବୁଦ୍ଧିରେ ଆପେ ମରଣ ଲୋଡ଼ିଲୁ

ହସ୍ତରୁ ଅମୃତ ଛାଡ଼ି ଗରଳ ବକ୍ଷିଲୁ ।

ଏକ୍ଷଣି କାଟିବି ତୋର ମୁଣ୍ଡ ଏକ ବାଣେ

ତୋ କୃଷ୍ଣ ବାପକୁ ଡାକ ରକ୍ଷା କରୁ କ୍ଷଣେ ।

ଶୁଣିଣ ସୁରଥ ବୀର କୋପେ ପରଜ୍ୱଳି

ଆକ୍ରୋଶି ଧଇଲା ଧନୁ ବାମକରେ ତୋଳି ।

ସିଂହନାଦ କରି ଧନୁ ଆମଞ୍ଚନ କଲା

ବାବଲ ନାମେ ନାରାଚ ଗୁଣେ ବସାଇଲା ।

ହରି ବଳରାମଙ୍କର ରୂପ ଅନ୍ତର୍ଗତେ

ଧ୍ୟାନକରି ଗୁରୁପାଦେ ସୁମରିଲା ଚିତ୍ତେ ।

କଙ୍କପତ୍ର ଶତେବାଣ ଗୁଣରେ ବସାଇ

ଦନ୍ତବକ୍ର ଉପରକୁ ବିନ୍ଧିଲା ନିଠାଇ ।

ପୁନରପି ଶତେ ବାଣ ବସାଇଣ ଗୁଣେ

ଶ୍ୱାଳ୍ୱରାଜା ଉପରକୁ ବିନ୍ଧିଲା ତକ୍ଷଣେ

ପୁଣି ଅଧାଚନ୍ଦ୍ର ବାଣ ପୂରାଇଣ ଶତେ

ଦୁହିଁଙ୍କ ଉପରେ ବୃଷ୍ଟି କଲା କୋପଚିତ୍ତେ ।

ଚାରି ଅଶ୍ୱ ଉପରକୁ ବିନ୍ଧି ଦଶ ଦଶ

ବେନି ସାରଥିଙ୍କୁ ବାଣ ବିନ୍ଧିଲା ପଚିଶ ।

ପୁଣି ନିଃଶ୍ୱାସକେ ପାଞ୍ଚବାଣ ଘେନି କରେ

ଧ୍ୱଜ ଉପରକୁ ଯୋଖି ବିନ୍ଧିଲା ସତ୍ୱରେ ।

ଆବର ସହସ୍ରେ ବାଣ ଧନୁରେ ପୂରାଇ

ଦନ୍ତବକ୍ର ଉପରକୁ ବିନ୍ଧିଲା ତୁହାଇ ।

ଶାଲ୍ୱର ଦେହକୁ ପୁଣି ଶତେକାଣ୍ଡ ବିନ୍ଧି

ସେ ଆସିବା ରଣଦାଣ୍ଡ ପକାଇଲା ରୁନ୍ଧି ।

ସହସ୍ର ସହସ୍ର ବାଣ ଫିଟି ମନ୍ତ୍ରବଳେ

ଗରଜି ଧାଇଁଲେ ଘୋଟି ଆକାଶ ମଣ୍ଡଳେ ।

ଶ୍ରାବଣ ମାସରେ ଯେହ୍ନେ ବରଷଇ ଜଳ

ତେସନ ପ୍ରକାରେ ବୃଷ୍ଟି ହେଲା ଶରମାଳ ।

ଦେଖି ଦନ୍ତବକ୍ର କୋପେ ପ୍ରଜ୍ଜ୍ୱଳିତ ହୋଇ

ସୁମହତ ଲୁହାଧନୁ କରପୁଟେ ବହି ।

ସହସ୍ରେ କତୁରି ବାଣ ବିନ୍ଧି ଏକାବେଳେ

ସୁରଥର କାଣ୍ଡଯାକ ଖେଦି ଦେଲା ହେଳେ ।

ପୁଣ ସେ ପଞ୍ଚାଶ ବାଣ ଗୁଣରେ ବସାଇ

କୋପଭର ହୋଇ ବୋଲେ ସୁରଥକୁ ଚାହିଁ ।

ଆରେ ରେ ଚଣ୍ଡାଳ ମୁଢ଼ ବାଳୁତ ତୋ ମତି

ଲେଖାରେ ତୁ ଜରାସନ୍ଧ ନୃପତିର ନାତି ।

ଯଦୁବଂଶ ଅଧିକାରୀ ସୁନାସର ବଳା

ଅଖଡ଼େ ମରିବୁ କିପାଁ ବେଗେ ଏଥୁ ପଳା ।

ମୁଁ ଅବା ଉପ୍ରୋଧି କରି ଛାଡ଼ିଦେବି ତୋତେ

ହାତୀ ରଥୀ ମହାରଥୀ ନାହାନ୍ତି ଯେ କେତେ ।

କାଲିର ପୁତ୍ର ହୋଇ ତୁ କି ଯୁଦ୍ଧ କରିବୁ

ଏହିକ୍ଷଣି ଏକବାଣ ପେଷିଲେ ମରିବୁ ।

ତୁ କାହିଁ ଜାଣିବୁ ଅବା ସଂଗ୍ରାମର ଭଙ୍ଗୀ

ତୋ ଦେଡ଼ୁତା କଂସରାଜା ଥିଲା ଆମ୍ଭ ସଙ୍ଗୀ ।

ସେ ସିନା ଜାଣଇ ଆମ୍ଭ ବୀର ଶୂରପଣ

ତା ସ୍ନେହ ବିଚାରି ରକ୍ଷା କଲି ତୋର ପ୍ରାଣ ।

ତୁ ନ ଜାଣି ଆମ୍ଭ ଆଗେ ହେଉଅଛୁ ଟାଣି

ଏକା ବାଣକରେ ମୁଣ୍ଡ ପକାଇବି ହାଣି ।

ଆମ୍ଭେ କି ନ ଜାଣୁ ତୁହି ଅଟୁ ବଡ଼ ଦୁଷ୍ଟ

ଗଉଡ଼ ସଙ୍ଗତେ ରହି କାୟା କଲୁ ଭ୍ରଷ୍ଟ ।

କ୍ଷତ୍ରିୟ ମର୍ଯ୍ୟାଦା ତୋର ଦେହେ ଆଉ ନାହିଁ

ତୋତେ ବଧ କଲେ ନିନ୍ଦା ପାଇବି ଯେ ମୁହିଁ ।

ଏବେହେଁ ପଳାଇ ଯାଅ ନ ଧରିବୁ ଦୋଷ

ତୋହଠାରୁ ତୋହ ବଂଶ ହେଉଅଛି ଶେଷ ।

ନନ୍ଦ ଗଉଡ଼ର ପୋଏ ତୋହର ବଇରୀ

କପଟରେ ମରାଇଣ ଘେନିବେ ତୋ ଶିରୀ ।

ଶୁକ ବୋଲନ୍ତି ଗୋ ଶୁଣ ପରୀକ୍ଷ ନୃମଣି

ସୁରଥ କୋପିଲା କର୍ଣ୍ଣେ ବିଷ୍ଣୁ ନିନ୍ଦା ଶୁଣି ।

ପ୍ରଚଣ୍ଡ ପବନେ ଯେହ୍ନେ କମ୍ପଇ କଦଳୀ

ତେସନ କମ୍ପିଲା ଧନୁ ଧରି ମହାବଳୀ ।

କତୁରୀ ଶତେ ନାରାଚ ସ୍ୱର୍ଣ୍ଣପୁଙ୍ଖା ଶର

ବାଛି ଗୁଣେ ବସାଇଲା ନେଇ ଧାତିକାର ।

କର୍ଣ୍ଣମୂଳ ପରିଯନ୍ତେ ଓଟାରିଣ ରାଗେ

ସମ୍ଭାଳ ସମ୍ଭାଳ ବୋଲି ଛାଡ଼ିଦେଲା ବେଗେ ।

ବାବଲ ନାରାଚ ବିନ୍ଧି ଦନ୍ତବକ୍ର ରାଣ

ଚାହୁଁ ଚାହୁଁ କାଟିଦେଲା ସୁରଥର ବାଣ ।

ସୁରଥ ତା ଦେଖି ପୁଣି ସସ୍ରେବାଣ ଧରି

ନିମିଷକେ ପେଷିଦେଲା ଧନୁର୍ବେଦ ସ୍ମରି ।

ତୀକ୍ଷ୍‌ଣ ମୁନା ଲୁହାଶର ସହସ୍ରେକ ପୁଣି

ବିନ୍ଧିଲା ସୁରଥ ଧନୁ କର୍ଣ୍ଣଯାଏ ଟାଣି ।

ପୁଣି କୋଟି କୋଟି ବାଣ କ୍ଷଣକରେ ବିନ୍ଧି

ଦିଗ ବିଦିଗ ସହିତେ ଶୂନ୍ୟ ଦେଲା ରୁନ୍ଧି ।

ଦିବସେ ଅନ୍ଧାରମୟ ନ ଦିଶଇ ମାର୍ଗ

ଆକାଶରେ ପୂର୍ଣ୍ଣ ହୋଇ ରହିଲା ଆଶୁଗ ।

କୋଦଣ୍ଡ କାଣ୍ଡ ଗର୍ଜ୍ଜନ ଶବ୍ଦ ଘୋରରଡ଼ି

ପ୍ରଳୟ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।

ସୁରଥ ବିକ୍ରମ ଦେଖି ଦାନ୍ତବକ୍ର ବଳୀ

ବାବଲ ଶର ସହସ୍ରେ ବିନ୍ଧିଲାକ ଚଳି ।

ଶରେ ଶର ତାଳ ବାଜି ଉଠିଲା ଅନଳ

ଅନ୍ତରୀକ୍ଷେ ଶିଖା ଟେକି ଦିଶିଲା କରାଳ ।

ସେକାଳେ ସୁରଥ ବୀର ସହସ୍ରେକ ବାଣ

ଗର୍ଜିଣ ବିନ୍ଧିଲା ଟାଣି କର୍ଣ୍ଣଯାଏ ଗୁଣ ।

ସେ ବାଣ ଗରୁଡ଼ ପ୍ରାୟେ ଶୂନ୍ୟମାର୍ଗେ ଚଳି

ଦନ୍ତବକ୍ର ଅଙ୍ଗେ ଭେଦି ରହିଲା ନିକିଳି ।

ଚାରିଅଶ୍ୱ ପ୍ରାଣ ନେଲା ବିନ୍ଧି ଚାରିକାଣ୍ଡ

ସାତକାଣ୍ଡେ ଛିଣ୍ଡାଇଲା ସାରଥିର ମୁଣ୍ଡ ।

ସାରଥି ଅଶ୍ୱ ମରନ୍ତେ ଦନ୍ତବକ୍ର ଗଣ

ରଥୁ ଡେଇଁ ତଳେ ଉଭା ହୋଇଣ ତକ୍ଷଣ ।

ଆରେକ ରଥରେ ଯାଇ ଚଢ଼ୁଥିଲା ଉଠି

ସୁରଥ ସେ କାଳେ ତାର ଧନୁ ଦେଲା କାଟି ।

ତୂଣୀର ଭିତରେ ଯେତେ ଅସ୍ତ୍ର ଶସ୍ତ୍ର ଥିଲା

ପାଶୁପତ ବାଣେ ତାହା ଛେଦି ପକାଇଲା ।

ପୁଣି ହିଁ ବିନ୍ଧିଲା ଖରେ ଅଗ୍ନିଶର କାଢ଼ି

ଦନ୍ତବକ୍ର ନୃପତିର ରଥ ଗଲା ପୋଡ଼ି ।

ଅଗ୍ନିତେଜ ଲାଗି ଅଙ୍ଗ ହୋଇଲା ବିକଳ

ନିଃଶସ୍ତ୍ର ହୋଇଣ ଦନ୍ତବକ୍ର ମହୀପାଳ ।

ଧାତିକାରେ ପାଦଗତି କରି ପକାଇଲା

ପୁଣି ଧନୁ ଧରି ଗଜ ଉପରେ ବସିଲା ।

ଇନ୍ଦୁମତୀ ନାତି ତାହା ଦେଖି ଦୂରେ ଥାଇ

ଶାଣଦିଆ କାଣ୍ଡମାନ ବିନ୍ଧିଲା ତୁହାଇ ।

ବଜ୍ରସମ ବାଣ ବାଜି ହସ୍ତୀ ଗଣ୍ଡସ୍ଥଳେ

କାନ୍ଧରୁ ଛିଡ଼ିଣ ମୁଣ୍ଡ ପଡ଼ିଲା ଭୂତଳେ ।

ପୁନରପି ତିନି କାଣ୍ଡ ସୁରଥ ବିନ୍ଧିଣ

ମାହୁନ୍ତ କନ୍ଧରୁ ଶିର ଛେଦିଲା ତତ୍କଣ ।

ବେନିଖଣ୍ଡ ହୋଇ ହସ୍ତୀ ପଡ଼ନ୍ତେ ଭୂମିରେ

ଦନ୍ତବକ୍ର ଆରୋହିଲା ଯାଇ ଅଶ୍ୱପରେ ।

ଖଣ୍ଡା କାଢ଼ୁ କାଢ଼ୁ ଦେଖି ସୁନାସ କୁମର

କତୁରୀ ନାରାଚ ସନ୍ଧି ବିନ୍ଧିଲା ସତ୍ୱର ।

ସେ ବାଣ ଆକାଶ ଘୋଟି ଅଶ୍ୱ ଅଙ୍ଗେ ପଡ଼ି

ଚାରି ଖୁରା ତୁଲେ ତାର ମୁଣ୍ଡ ଗଲା ଛିଡ଼ି ।

ଶସ୍ତ୍ରାଘାତେ ଦନ୍ତବକ୍ର ନ ପାରିଲା ଚଳି

ପଛକୁ ଉତ୍ତାନ ହୋଇ ପଡ଼ିଲାକ ଢଳି ।

ପାତ୍ର ମନ୍ତ୍ରୀ ଅମନାତ୍ୟ ସନ୍ନିଧିରେ ଥିଲେ

ସମଦଣ୍ଡଯାକ ଆସି ରାଜାଙ୍କୁ ବେଢ଼ିଲେ ।

ଏହା ଦେଖି ଧାଇଁଲା ଯେ ଶାଲ୍ୱ ନୃପମଣି

ସଙ୍ଗେ ତାର ଅଙ୍ଗବଳ ଥିଲେ ପାଞ୍ଚକ୍ଷୌଣୀ ।

ଅପୂର୍ବ ରଥରେ ଚଢ଼ି ଗରଜିଣ ରାଗେ

ପ୍ରବେଶ ହୋଇଲା ଆସି ସୁରଥର ଆଗେ ।

ହାତୀ ରଥୀ ପଦାତି ଯେ ଅକଳିତ ସେନା

ଏକକୁ ଆରେକ ବଳୀ ସର୍ବେ ଯୁଦ୍ଧମନା ।

କରେ ନାନା ଶସ୍ତ୍ରଧରି ଭୟଙ୍କର ହୋଇ

ସୁରଥ ଉପରେ ମାଡ଼ି ପଡ଼ିଲେ ସେ ଯାଇ ।

ହାଣ ହାଣ ମାର ମାର ଧ୍ୱନି ଭୟଙ୍କର

ଚରଣ ରେଣୁରେ ଦିଗ ଦିଶିଲା ଅନ୍ଧାର ।

ଗଳାର ଧାଉଡ଼ି ଦେଖି ଧାମନ୍ତି ସକଳେ

କେ କାହାକୁ ପଛ କରି ଆଗ ହୋଇ ଚଳେ ।

ପଦାତି ପଛରେ ଅଶ୍ୱ ଅଶ୍ୱ ପଛେ ରଥୀ

ରଥୀ ପଛେ ହସ୍ତୀବଳ ହେଲେ ଯନ୍ତାଯନ୍ତି ।

କୂଳ ଲଙ୍ଘି ଆସେ ଯେହ୍ନେ ସମୁଦ୍ରର ଜଳ

ତେସନକ ମାଡ଼ିଯାନ୍ତି ଚତୁରଙ୍ଗ ବଳ ।

ଚାହୁଁ ଚାହୁଁ ମିଳିଲେ ସେ ସୁରଥ ଆଗରେ

ସୁନାସନନ୍ଦନ ତାଙ୍କୁ ଦେଖି ଖଣ୍ଡଦୂରେ ।

କତୁରୀ ନାରାଚ ଶତେ ତଣୀରରୁ କାଢ଼ି

ଗୁଣେ ସନ୍ଧି ବରଗିଲା ଧନୁର୍ବେଦ ପଢ଼ି ।

ପୁଣି ପଞ୍ଚଶତ ବାଣ ଧନୁ ମଧ୍ୟେ ଯୋଖି

ଚାହୁଁ ଚାହୁଁ ବିନ୍ଧିଲା ସେ ଉପ୍ରୋଧ ଉପେକ୍ଷି ।

ପଞ୍ଚମୁଖା ସପ୍ତମୁଖା ଶାଣଦିଆ ବାଣ

ହସ୍ତ ଲାଘବ ଦେଖାଇ ବିନ୍ଧେ ଅପ୍ରମାଣ ।

ଧାତିକାରେ ବାଣଗଣ ଶୂନ୍ୟପଥ ଭେଦି

ଅନେକ ସଇନ୍ୟ ଅଶ୍ୱ ଗଜ ଦେଲେ ଛେଦି ।

ସାରଥି ସହିତେ ରଥୀ ମଲେ ଅପ୍ରମାଣ

ଅତ୍ୟନ୍ତ କୋପେ ସୁରଥ ବିନ୍ଧେ ପୁଣ ପୁଣ ।

କାହାର କର ଚରଣ ଅଣ୍ଟା ଗଲା ଛିଡ଼ି

ପବନାସ୍ତ୍ରେ କେତେ ସେନା ପଳାଇଲେ ଉଡ଼ି ।

ଶ୍ରବଣ ନାସିକା ଛିଡ଼ି ଚକ୍ଷୁ ଦେଲା ଅନ୍ଧ

ତଳେ ପଡ଼ି ମୁଣ୍ଡ ଗଡ଼େ ଛିଡ଼ିଯାନ୍ତେ କନ୍ଧ ।

ଭୟେ ଚଳି ନ ପାରିଲେ ଶାଲ୍ୱର ସଇନି

ଅସ୍ତ୍ରଙ୍କ ଗର୍ଜ୍ଜନଘାତେ କମ୍ପଇ ମେଦିନୀ ।

ମେଦମେଦା ରକତରେ ପଙ୍କିଳ ଧରଣୀ

ଆନନ୍ଦେ ପିଅନ୍ତି ମିଳି ଅନେକ ଯୋଗିନୀ ।

ସହସ୍ର ସଂଖ୍ୟା କବନ୍ଧ ନୃତ୍ରକଲେ ଉଠି

କେହୁ ତଳେ ପଡ଼େ କେହୁ ଲାଗଇ ପାଲଟି ।

ଧନ୍ୟ ସେ ସୁନାସସୁତ କ୍ଷତ୍ରି ଅନର୍ଗଳା

ବିଷ୍ଣୁ ତେଜେ ବଳିୟାର ଭୋଜବଂଶ ବଳା ।

କ୍ରୋଧରେ ଗର୍ଜ୍ଜଇ ବୀର କାଳସର୍ପ ଜାଣି

ଏକା ହୋଇ ନିର୍ଭୟରେ କରଇ ଆରେଣି ।

ମହାମନ୍ତ୍ର ସୁମରି ସେ କରେ ଧନୁ ବହି

କ୍ଷଣକରେ କୋଟି କୋଟି ବାଣ ପ୍ରହାରଇ ।

ରଥକରେ ପଞ୍ଚବାଣ ହସ୍ତୀକେ ପଚିଶ

ଅଶ୍ୱକେ ପଞ୍ଚାଶ ପୁଣି ପଦାତିକେ ଦଶ ।

ଏ ବିଧି ଅନେକ ବାଣ ବିନ୍ଧେ ନିରନ୍ତର

ଆକାଶରେ ପୂରି ଦିଗ ଦିଶିଲା ଅନ୍ଧାର ।

କକଡ଼ା ମାସରେ ଯେହ୍ନେ ବରଷଇ ଜଳ

ତେସନେକ ବାଣବୃଷ୍ଟି ହେଲା ଅନ୍ତରାଳ ।

ସବୁରି ଶରୀରେ ହୋଇ ତୀକ୍ଷ୍‌ଣ ଶର ଘାତ

ହାତୀ ରଥୀ ପଦାତି ଯେ ମଲେ ଅପ୍ରମିତ ।

ସବୁରି ଅଙ୍ଗରେ ବାଣ ରହିଲା ନିକିଳି

ଛଟପଟ ହୋଇ ପାଦେ ନ ପାରନ୍ତି ଚଳି ।

ମତ୍ତହସ୍ତୀ ମରଦଇ ଯେହ୍ନେ ପଦ୍ମବନ

ସୁରଥ ମର୍ଦ୍ଦିଲା ତେହ୍ନେ ଶାଲ୍ୱର ସଇନ ।

ପ୍ରଚଣ୍ଡ ପବନ ଘାତେ ତୂଳାକୁଢ଼ ପ୍ରାୟେ

ଚତୁରଙ୍ଗ ସେନା ଭାଜି ପଳାଇଲେ ଭୟେ ।

ପଦାତି ଉପରେ ଅଶ୍ୱ ପଡ଼େ ଗଳଗାଜି

ଗଜଙ୍କ ଉପରେ ରଥ ମାଡ଼ିପଡ଼େ ଭାଜି ।

ବହିଲା ରକତନଦୀ ରଣରଙ୍ଗ ସ୍ଥାନେ

କାଷ୍ଠ ପ୍ରାୟେ ଭାସିଯାନ୍ତି ମୃତ ଶବମାନେ ।

ବାୟସ ଜମ୍ୱୁକ ବୃକ ଗୃଧ୍ରପକ୍ଷୀ ଶ୍ୱାନ

ମେଦ ମାଂସଖାଇ ସୁଖେ ରକ୍ତ କଲେ ପାନ ।

କଙ୍କାଳୀ ବେତାଳୀ ଚଣ୍ଡୀ ଚାମୁଣ୍ଡା ଯେ କାଳୀ

ରକ୍ଷଣୀ ଭକ୍ଷଣୀ ପିଶାଚୁଣୀ ମତୁଆଳୀ ।

କିଳିକିଳା କୁହୁ କୁହୁ ଭୟଙ୍କର ନାଦେ

ମେଦମେଦା ଖାଇ କ୍ରିଡ଼ା କରନ୍ତି ଆନନ୍ଦେ ।

ରଣରଙ୍ଗେ ବିହରଇ ଉଗ୍ରସେନ ନାତି

ଦେଖି ମହାଭୟ କଲେ ସକଳ ନୃପତି ।

ସୈନ୍ୟଙ୍କ ବିକଳ ଦେଖି ଶାଳ୍ୱ ନୃପମଣି

ସୁରଥ ଆଗରେ ରଥ ରଖାଇଲା ଆଣି ।

ଧନୁରେ ନାରାଚ ସନ୍ଧି ବୋଲେ ଆରେ ମୂଢ଼

ସଇନ ଲୋଚାଏ ମାରି ହୋଇବୁ କି ବଡ଼ ।

ଦନ୍ତବକ୍ର ପ୍ରାୟେ ମୋତେ ମଣିଲୁ କି ତୁହି

ତୋ ପିତା ସୁନାସ ମୋର ମଇତ୍ର ଅଟଇ ।

ସେହି ଧର୍ମ ରଖି ମୋତେ କରିଥିଲେ ପୂଜା

ମୋ ବଳେ ମଥୁରାପୁରେ ହୋଇଥାନ୍ତୁ ରାଜା ।

ତୁ ତାହା ନ କରି ଯେବେ ଅରଜିଲୁ ପାପ

ଆଜିଠାରୁ ତୋର ସବୁ ଶିରୀ ହେଲା ଲୋପ ।

ଗଉଡ଼କୁ ସାହା ପାଇ ଆମ୍ଭଙ୍କୁ ତୁ ଛାଡ଼ୁ

ଅମୃତକୁ ଦୂର କରି ବିଷ ଭକ୍ଷି ଲୋଡ଼ୁ ।

ଆପଣା ହସ୍ତରେ କିପାଁ ଖୋଳୁଁ ନିଜ ଆଖି

ଶତ୍ରୁପାଦେ ଖଟିଅଛୁ ସୁଦୃଢ଼ ଉପେକ୍ଷି ।

ପିତାକୁ ଛାଡ଼ିଲୁ କିପାଁ ପିଉସାକୁ ଲୋଡ଼ି

ସୂର୍ଯ୍ୟରଥ ବାନ୍ଧିବାକୁ ଲଗାଉ ଦଉଡ଼ି ।

ସମୁଦ୍ର ସଙ୍ଗରେ କରୁ କ୍ଷୁଦ୍ର ନଦୀ ଲେଖା

ଚନ୍ଦ୍ରମା ସାଙ୍ଗରେ ତାରା ହୁଅଇ କି ଯୋଖା ।

ଅସଂଖ୍ୟ ସାଗର ଏହି ଜରାସନ୍ଧ ଥାଟ

ଚାରି ଊଣା ଲକ୍ଷେ ରାଜା ହୋଇଛନ୍ତି ଯୋଟ ।

ଏ ସୈନ୍ୟ ସାଗର ମଧ୍ୟେ ପଶୁଅଛୁ ଏକା

ପଛକୁ ଚାହିଁଲେ ତୋର ଜଣେ ନାହିଁ ସଖା ।

ଦ୍ୱନ୍ଦ୍ୱ ଅରଜିଲୁ ପଶି ଚତୁରଙ୍ଗ ଥାଟେ

ଆଜ ଜାଣିବା ତୁ ଏଥୁ ଯିବୁ କେଉଁବାଟେ ।

ତିଳ ପ୍ରମାଣରେ କାଟି ମାଂସ ତୋର ଆଜ

ମାନ ଉଦ୍ଧରିବି କରି ଜରାସନ୍ଧ କାର୍ଯ୍ୟ ।

ଏତେ ବୋଲି ଧନୁ ଟାଣି କଲା ଗୁଣଧ୍ୱନି

ସେ ନାଦେ କମ୍ପିଲା ସ୍ୱର୍ଗଆଦି ପୁର ତିନି ।

ତୀକ୍ଷ୍‌ରମୁନା ଶତେ ବାଣ ପୂରାଇ ଧନୁରେ

ସମ୍ଭାଳି ସୁରଥ ବୋଲି ବିନ୍ଧିଲା କ୍ରୋଧରେ ।

ସହସ୍ରେ ବାବଲ ଶର ନିଃଶ୍ୱାସକେ ବିନ୍ଧି

ଧରଣୀ ସହିତେ ଦଶଦିଗ ଦେଲା ରୁନ୍ଧି ।

ଅଦୃଶ୍ୟ ହୋଇଲା ବାଣେ ସୁରଥର ଯାନ

ସିଂହନାଦ କଲେ ଏହା ଦେଖି ସେନାଗଣ ।

ନାରାଚ ଆସନ୍ତେ ଦେଖି ସୁନାସ କୁମର

ଅଧବାଟୁ ନିବାରିଲା ପେଷି ଲକ୍ଷେ ଶର ।

ପୁନରପି ଅଧାଚନ୍ଦ୍ର ବାଣେ ଶତେ ବିନ୍ଧି

ଶାଳ୍ୱ ନୃପତିର ସବୁ ଅସ୍ତ୍ର ଦେଲା ଛେଦି ।

ଦେଖି ମନେ ଲାଜ ପାଇ ଶାଳ୍ୱ ନୃପମଣି

କତୁରୀ ନାରାଚ ଗୁଣେ ବସାଇଲା ଆଣି ।

ମନ୍ତ୍ର ସୁମରିଣ ଗୁଣ ଟାଣି କର୍ଣ୍ଣ ଯାଏ

ସୁରଥ ଉପରେ ତାହା ବିନ୍ଧିଲା ସେ ରାୟେ ।

ଚାରିକାଣ୍ଡେ ଚାରିଅଶ୍ୱ ଉପରେ ବିନ୍ଧିଲା

ତିନିକାଣ୍ଡେ ସାରଥିକି ରୁନ୍ଧି ପକାଇଲା ।

ଅଖ ଚକ ଯୁଆଳିକି ବିନ୍ଧି ଦଶ ଦଶ

ଧ୍ୱଜ ଉପରକୁ ପୁଣି ବିନ୍ଧିଲା ପଚିଶ ।

ପ୍ରତି ଖମ୍ୱେ ଦଶକାଣ୍ଡ ବାଛି ବାଛି ବିନ୍ଧି

ସହସ୍ର ବାରରେ ରଣଦାଣ୍ଡ ଦେଲା ରୁନ୍ଧି ।

ସମରେ ଅନର୍ଗଳ ସେ ଶାଲ୍ୱ ନରପତି

ଦେବକୀ ଗନ୍ଧର୍ବ ହେଳେ ନାହିଁ ତାର ଭୀତି

ଦ୍ୱାପରେ ଭାରୋଇ ମଲ୍ଲ ଏକେ ମହାରଥୀ

ମନ କଲେ ଜିଣିପାରେ ଚରାଚର ପୃଥ୍ୱୀ ।

ଈଶ୍ୱରଙ୍କୁ ସେବା କରି ପାଇଛି ସେ ବର

ଅସ୍ତ୍ର ଶସ୍ତ୍ର ନ କାଟଇ ଅଙ୍ଗରେ ତାହାର ।

ତୋଷେ ତାକୁ ଧନୁ ଦେଇଛନ୍ତି ଶୂଳପାଣି

ଇନ୍ଦ୍ରାଦି ଦେବଙ୍କୁ ରଣେ ପାରଇ ସେ ଜିଣି

ବହଇ ପାଞ୍ଚ ସହସ୍ର ବଳ ଯେଉଁ ଧନୁ

ଯା ନାମ ଶୁଣିଲେ ଭୟେ କମ୍ପେ ଶତମୁନ୍ୟ ।

ସେ ଧନୁ ଧରି ବିନ୍ଧଇ ଶାଲ୍ୱ ନୃପବର

ତୁଳମାସ ବୃଷ୍ଟି ପ୍ରାୟେ ପଡ଼ୁଅଛି ଶର ।

ଶରଘାତେ ଅନ୍ଧକାର ହୋଇଲା ଗଗନ

ନିର୍ଘାତ ପଡ଼ିଲା ପ୍ରାୟେ ଶୁଭଇ ଗର୍ଜ୍ଜନ ।

ଦଶ ଦିଗ ଘୋଯିଆସେ ବାଣ ଅପ୍ରମିତ

ଦୂରୁ ଦେଖି ନିର୍ଭୟରେ ସୁନାସର ସୁତ ।

ଅଧାଚନ୍ଦ୍ର କତୁରୀଏ ବେନିବାଣ ଧରି

ଧାତିକାରେ ବିନ୍ଧିଲା ସେ ମନ୍ତ୍ରକୁ ସୁମରି ।

ଶାଲ୍ୱ ବାଣେ ଆସୁଥିଲେ ଶୂନ୍ୟମାର୍ଗ ଭେଦି

ପାଞ୍ଚ ପାଞ୍ଚ ଖଣ୍ଡ କରି ସବୁ ଦେଲା ଛେଦି ।

ଦେଖି ମହାକୋପ କଲା ଶାଲ୍ୱ ନୃପରାୟେ

ଶରୀର କମ୍ପଇ ବାତେ ରମ୍ଭାପତ୍ର ପ୍ରାୟେ ।

ମହାନାଗ ପ୍ରାୟ କୋପେ କର ଗରଜନ

ଆକ୍ରୋଶି ବିନ୍ଧିଲା କରେ ଟେକି ଶରାସନ ।

ଚକ୍ରକାତି ତୀକ୍ଷ୍‌ଣମୁନା ଅଧାଚନ୍ଦ୍ର ବାଣ

ଧନୁର୍ବେଦ ସୁମରି ସେ ବିନ୍ଧେ ପୁଣ ପୁଣ ।

ଦେଖିଣ ସୁରଥ କରେ ଦଶବାଣ ଧରି

ବାଣ ଉପରକୁ ବାଣ ବିନ୍ଧିଲା ଓଟାରି ।

ଅଧବାଟେ ଦୁଇଶସ୍ତ୍ର ବାଜି ପରିତାଳ

ପ୍ରଚଣ୍ଡ ହୋଇଣ ଶବ୍ଦ ଶୁଭେ ବିକରାଳ ।

ଦଲ ଦଲ ବସୁନ୍ଧରୀ କମ୍ପେ ପୁର ତିନି

ଉଠିଲାକ ଜ୍ୟୋତିର୍ମୟ ଦାବାନଳ ଅଗ୍ନି ।

ପୁଣି ଶାଲ୍ୱ ପଞ୍ଚାଶତ କ୍ଷୁରକାଣ୍ଡ ଧରି

ମନ୍ତ୍ର ପଢ଼ିଣ ବିନ୍ଧିଲା ମହାକୋପ କରି ।

ସେ ବାଣ ଆସନ୍ତେ ଦୂରୁ ସୁରଥ ଦେଖିଣ ।

ଦଶକାଣ୍ଡ ବିନ୍ଧି ତାହା କଲା ନିବାରଣ ।

ଜଳଧର ଅସ୍ତ୍ର ଶାଳ୍ୱ କରନ୍ତେ ସନ୍ଧାନ

ପବନାସ୍ତ୍ରେ ଉଡ଼ାଇଲା ସୁନାସ ନନ୍ଦନ ।

ପର୍ବତାସ୍ତ୍ର ପ୍ରହାରନ୍ତେ ଶାଲ୍ୱ ନରପତି

ବଜ୍ରାସ୍ତ୍ରରେ ଚୂର୍ଣ୍ଣ କଲା ଉଗ୍ରସେନ ନାତି ।

ପନ୍ନଗାସ୍ତ୍ର ବରଷନ୍ତେ ଶାଲ୍ୱ ନୃପନାଥ

ଗରୁଡ଼ାସ୍ତ୍ର ପେଷି ତାହା ଛେଦିଲା ସୁରଥ ।

ଅସ୍ତ୍ର ହତ ହେବା ଦେଖି ଶାଲ୍ୱ ନୃପମଣି

ପାଶୁପତ ଶର ଗୁଣେ ବସାଇଲା ଆଣି ।

ତା ଦେଖି ସୁରଥ ନାରାୟଣ ଅସ୍ତ୍ର କାଢ଼ି

ଶରାସନେ ବସାଇଲା ବେଦମନ୍ତ୍ର ପଢ଼ି ।

ନାରାୟଣ ଅସ୍ତ୍ର ଦେଖି ଶାଲ୍ୱ ଭୟ କରି

ପାଶୁପତ ଶର ଆପେ ରଖିଲା ସଂହାରି ।

ବାଣ ସଂହରନ୍ତେ ଛିଦ୍ର ପାଇଣ ସୁରଥ

ସହସ୍ର ନାରାଚ ସନ୍ଧି ପେଷିଲା ତ୍ୱରିତ ।

ଚାରି ଅଶ୍ୱକୁ ପଚାଶ ସାରଥିକୁ ଅଶୀ

ଅଖ ଚକ ଉପରକୁ ଦଶ ଦଶ ପେଷି ।

ଖମ୍ୱକେ ସତର କାଣ୍ଡ ଶ୍ରେଣୀକେ ବତିଶ

କଳସକୁ ପାଞ୍ଚକାଣ୍ଡ ପତାକାକୁ ଦଶ ।

ଧନକୁ ପନ୍ଦନର ପୁଣି ତୂଣୀରକୁ ଅଶୀ

ଏକା ନିମିଷକେ ଏତେ ବାଣ ଦେଲା ପେଷି ।

ଶାଲ୍ୱ ନୃପ ହୃଦୟକୁ ପଞ୍ଚଦଶ ବିନ୍ଧି

ପୃଥ୍ୱୀ ନଭ ତୁଲେ ଅଷ୍ଟଦିଗ ଦେଲା ରୁନ୍ଧି ।

ସେ କାଣ୍ଡ ଅତ୍ୟନ୍ତ ବେଗେ ଶୂନ୍ୟମାର୍ଗେ ଚଳି

ସବୁରି ଅଙ୍ଗରେ ଭେଦି ରହିଲା ନିକିଳି ।

ସାରଥି ସହିତେ ଚାରି ଘୋଟକ ଘୁମାଇ

ପାଦେ ଚକି ନ ପାରିଲେ ଖମ୍ୱପ୍ରାୟ ହୋଇ ।

ମୂର୍ଚ୍ଛାଗତ ହୋଇ ରାଜା ପଡ଼ିଲାକ ଲୋଟି

ଝଙ୍କପକ୍ଷୀ ପ୍ରାୟ ଅଙ୍ଗେ ବାଣ ଅଛି ଫୁଟି ।

ଏହା ଦେଖି ଧାଇଁଲା ଯେ ଦମଘୋଷ ରାଗେ

ଚୌଦକ୍ଷୌରୀ ଅଙ୍ଗବଳ ଅଛି ତାର ସଙ୍ଗେ ।

ରାଜା ମହାରାଜା ଭୂୟାଁ ଭୂପାଳ ଯେ ଥିଲେ

ଏଗାର ସହସ୍ର ନୃପ ପୃଷ୍ଠରକ୍ଷା କଲେ ।

ବଡ଼ ବଳବନ୍ତା ସେହି ଦମଘୋଷ ରାୟ

ଇନ୍ଦ୍ର ଚନ୍ଦ୍ର ହେଉ ତାର ନାହିଁ ହୃଦେ ଭୟ ।

ଶିଶୁପାଳ ନାମେ ତାର ପୁତ୍ର ରଣରଙ୍କା

ବ୍ରହ୍ମା ବିଷ୍ଣୁ ଶିବଙ୍କୁ ସେ ନ କରଇ ଶଙ୍କା ।

ଜରାସନ୍ଧ ପୁତୁରା ସେ ଶିଶୁପାଳ ବୀର

ଉଗ୍ରସେନ ନାତି ଦଇବକୀର କୁମର ।

ବଳେ ଅତି ବଳୀୟାର ଦମଘୋଷ ରାଜା

ସର୍ବଗୁଣେ ପରିପୂର୍ଣ୍ଣ କ୍ଷତ୍ରୀ ମହାତେଜା ।

ସତୁରି ସହସ୍ର ବଳ ଧନୁ କରେ ଧରି

ସୁରଥ ଆଗେ ମିଳିଲା ରେରେକାର କରି ।

ଶାଲ୍ୱ ଦନ୍ତବକ୍ର ଦୁହେଁ ମୋହେ ପଡ଼ିଥିଲେ

ଘଡ଼ିକରେ ଚେତାପାଇ ଲାଜେ ପଳାଇଲେ ।

ଦମଘୋଷ ଶିଶୁପାଳ ପିତା ପୁତ୍ର ବେନି

ସଂଗ୍ରାମକୁ ଆବୋରିଲେ କରେ ଶସ୍ତ୍ରଘେନି ।

ନାନାଦେଶ ନୃପଙ୍କର ଚତୁରଙ୍ଗ ବଳ

ଏକାବେଳକରେ ମାଡ଼ି ପଡ଼ିଲେ ସକଳ ।

ସୁରଥ ମୁଖକୁ ଚାହିଁ ବୋଲେ ଦମଘୋଷ

ଆରେ ଉଗ୍ରସେନ ନାତି ସୁନାସର ଶିଷ୍ୟ ।

ଅଭିନ୍ନ ସୋଦର ତୁ ଯେ ଆମ୍ଭର ନିୟତେ

ତୋ ସଙ୍ଗେ ସଂଗ୍ରାମ ଆମ୍ଭେ କରିବୁ କେମନ୍ତେ ।

ସଂଗ୍ରାମେ ପଶିଲେ ଗୋରୁ ବିପ୍ର ଶିର ଛେଦି

ଆବର ବିଶେଷେ ତୁ ଯେ ନୋହୁ ଆମ୍ଭେ ବାଦୀ ।

ଭୋଜବଂଶ ଉଦ୍ଧାରଣ ତୁ ଏକଇ ବଳା

ଅନିମିତ୍ତେ ନାଶଯିବୁ ବେଗେ ଏଥୁ ପଳା ।

ମୁହିଁ ଅବା ଛାଡ଼ିଦେବି ସୋଦର ବିଚାରି

ଆନର ହସ୍ତେ ପଡ଼ିଲେ ନେବେ କେଶ ଧରି ।

ତୋର ଶତ୍ରୁ ନୁହଇ ଏ ରାଜା ଜରାସନ୍ଧ

ତୁ କିପାଁ ନ ଜାଣି କଲୁ ଏତେ ସୈନ୍ୟ ବଧ ।

ଅମୃତ ଭାଣ୍ଡରେ କିପାଁ ଭରୁଅଛୁ ବିଷ

ତୋ ସକାଶୁ ବନ୍ଧୁପଣ ଗଲା ଏବେ ନାଶ ।

କୁଳକୁ କଣ୍ଟକ ହେଲୁ ତୁ ଯେ ହୀନପ୍ରାଣୀ

ରାମକୃଷ୍ଣ ଦେଖି ମିଛେ ହେଉଅଛୁ ଟାଣି ।

ସୁରଥ ବୋଇଲା ମୋତେ ଏ କଥା ନ କହ

ଆବର ପାଇବ କାହିଁ ବନ୍ଧୁ ପଣେ ସ୍ନେହ ।

ଜଗଦ୍‌ବନ୍ଦନ ନାଥଙ୍କୁ ବୋଲୁଅଛ ମନ୍ଦ

ତେଣୁ ତୁମ୍ଭ ସଙ୍ଗତେ ମୁଁ କରୁଅଛି ଦ୍ୱନ୍ଦ୍ୱ ।

ଆବର କଥାଏ ଶୁଣ କହୁଅଛି ଆଗେ

ଜରାସନ୍ଧ ସହିତରେ ଫେରିଯାଅ ବେଗେ ।

ତୁମ୍ଭର ଆମ୍ଭର ବନ୍ଧୁ ପଣ ରହିଥାଉ

ଏଡ଼େ ବଡ଼ ରାଜା ହୋଇ ନିନ୍ଦା ହିଁ ନ ପାଉ ।

ତୁମ୍ଭେମାନେ ଗଞ୍ଜି ନୁହ ଆଉ ମୋର ତହିଁ

ଜଗନ୍ନାଥ ଶତ୍ରୁ ହେଲେ ନ ବର୍ତ୍ତିବ କେହି ।

ଶିଶୁପାଳ ବୋଇଲାରେ ତୁ ଚକ୍ର ଛେଉଣ୍ଡା

ଗଉଡ଼ ସଙ୍ଗତେ ଥାଇ ହେଲୁ ଗୋଳକୁଣ୍ଡା ।

ବୁଦ୍ଧି ଜ୍ଞାନ ହରାଇଲୁ ଜାତି କଲୁ ନାଶ

ତୋତେ ବନ୍ଧୁ ବୋଇଲେରେ ହେବ ଉପହାସ ।

ଆଗରେ ପଡ଼ିଛୁ ଏବେ ଯିବୁ ଆଜ କାହିଁ

ସତେ ବଳିୟାର ପ୍ରାୟେ କହୁଛୁ ବଡ଼ାଇ ।

ଜୀବନ୍ତେ ବାନ୍ଧିକରି ମୁଁ ନେବି ତୋତେ ଧରି

ଦୁଇଚକ୍ଷୁ ଖୋଳି ରଖାଇବି ବନ୍ଦୀକରି ।

ଏତେ ବୋଲି ଶିଶୁପାଳ ନାରାଚ ପୂରାଇ

ରଥକୁ ମାଇଲା ବେଗେ କୋପଭର ହୋଇ ।

ଅତ୍ୟନ୍ତ ବେଗରେ ଧରି ସହସ୍ରେକ ବାଣ

କର୍ଣ୍ଣ ଯାଏ ଗୁଣ ଟାଣି ବିନ୍ଧିଲା ସେ ପୁଣ ।

ବଡ଼ ବଳବନ୍ତ ସେହି ଶିଶୁପାଳ ବୀର

ଦେବଇନ୍ଦ୍ର ସମାନ ସେ ଅଟେ ଧନୁର୍ଦ୍ଧର ।

କାମଦେବ ପ୍ରାୟ ଦିଶେ ତାର ତନୁ ଶୋଭା

ଅତ୍ୟନ୍ତ ଲାବଣ୍ୟ ରୂପ ଏକେ ନବଯୁବା ।

ତୋଷେ ଶିବା ତାକୁ ବରଦେଲେ ବାଲ୍ୟକାଳେ

ସଂଗ୍ରାମେ ଜିଣନ୍ତା ନାହିଁ ଏ ମହୀମଣ୍ଡଳେ ।

ରଥୀ ମହାରଥୀ ହସ୍ତୀ ଅଶ୍ୱ ଆଦିକରି

ହସ୍ତେ ଅସ୍ତ୍ର ଥିଲେ ତାକୁ କେ ନୁହନ୍ତି ସରି ।

ପିତା ଦମଘୋଷ ତାର ଅଛି ଉଭା ହୋଇ

ଭଗ୍ନସୈନ୍ୟ ଦେଖୁଛନ୍ତି ପଛକୁ ଅନାଇ ।

କହିବା ମାତ୍ରକେ ସେହି ଶିଶୁପାଳ ଜେନା

ବସାଇଲା ଆଠଶତ ବାଣ ତୀକ୍ଷ୍‌ଣମୁନା ।

ମନ୍ତ୍ରରେ ଆଦାନ କରି ବିନ୍ଧିଲା ତା ବେଗେ

ଚଳିଲେ ନାରାଚମାନେ ଅନ୍ତରୀକ୍ଷ ମାର୍ଗେ ।

ଫେଣ ଭଗ୍ନହେଲେ ଯେହ୍ନେ ମହୁପୋକେ ଧାଇଁ

ତେସନେ ବିନ୍ଧିଲା ବାଣ ତୂଣୀରରୁ ନେଇ ।

ସୁନାସକୁମର ଦେଖି ବାଣ ଆସୁ ଆସୁ

ଗୁଣେ ବସାଇଲା ଶଏ ପଞ୍ଚାଶତ ପର୍ଶୁ ।

ରେରେ କାର କରି ତାହା ଅତିବେଗେ ବିନ୍ଧି

ଶିଶୁପାଳକୁ ସାୟକ ସବୁ ଦେଲା ଛେଦି ।

ଦେଖି କୋପାନଳ ହୋଇ ଶିଶୁପାଳ ବୀର

ଆକ୍ରୋଶି ଧଇଲା କରେ ଲୁହା ଧନୁବର ।

ପରିଘ ଶକତି ବାଣ ବିନ୍ଧନ୍ତେ ସେ ଟାଣି

ଗୁଣେ ନ ବସୁ ଛେଦିଲା ତା କୁମରମଣି ।

ଅଧରକୁ ପୁଷ୍ଟକରି ସୁନାସର ବତ୍ସ

କତୁରୀ ନାରାଚ ହସ୍ତେ ଘେନିଲା ପ୍ରତ୍ୟକ୍ଷ ।

ହୁଂକାର ଶବଦ କରି ବିନ୍ଧି ଅତିବେଗେ

ଶିଶୁପାଳ ଧନୁ କାଟିଦେଲା ସେ ଆଶୁଗେ ।

ଧନୁଭଗ୍ନ ହେବା ଦେଖି ଶିଶୁପାଳ ଚଳି

ଆରେକ ଧନୁ ଧଇଲା କରେ ମହାବଳୀ ।

ସେ ଧନୁ ଟଙ୍କାର କରି ସିନ୍ଧୁ ସିନ୍ଧୁ କାଣ୍ଡ

ସୁରଥ କାଟିଣ ତାହା କଲା ବେନିଖଣ୍ଡ ।

ପୁଣି କ୍ରୋଧରେ ସୁରଥ ପଞ୍ଚବାଣ ମାରି

ଛେଦିଲା ସାରଥି ଅଶ୍ୱ ରଥଖମ୍ୱ ଚାରି ।

ସିଂହାସନେ ଆଉଜିଛି ବୀର ଶିଶୁପାଳ

ଉର୍ଦ୍ଧ୍ୱେ ଚାଲୁନାହିଁ ରଥ ହୋଇଲା ଅଚଳ ।

ପୁଣି ଲକ୍ଷେକାଣ୍ଡ କୋପେ ବିନ୍ଧିଲା ସୁରଥ

ଚକ ଛିଡ଼ି ଭଗ୍ନ ହେଲା ଶିଶୁପାଳ ରଥ ।

ବିରଥ ହୋଇଲା ତେଣୁ ଦମଘୋଷ ବାଳ

କବଚ ତିନ୍ତଇ ଅଙ୍ଗୁ ବହି ଶ୍ରମଝାଳ ।

ଓଷ୍ଠ କଣ୍ଠ ତାଳୁକା ସେ ଶୁଖିଲା ଅଧର

ମୁକୁଟ ସହିତେ ଖସ ପଡ଼ିଲା ଟୋପର ।

କଙ୍କଣ କମାଣ ବୀରବେଶ ଗଲା ତୁଟି

ପିନ୍ଧିଲା ବସନ ଲୁଟେ ଅଦଭୂତେ ଫିଟି ।

ତଥାପି ସେ ଶିଶୁପାଳ ଗଦା ଘେନି କରେ

ପାଦଗତି କରି ଧାଏଁ ବୁଲାଇ କ୍ରୋଧରେ ।

ଚୌଷଠି ଚୌଷଠି ଭାର ଗଦା କରେ ଘେନି

ମହାବାତେ କମ୍ପିଲା କି ପ୍ରଚଣ୍ଡ ବହନି ।

ତେସନ ପ୍ରକାରେ ବୀର ଅତିବେଗେ ଧାଇଁ

ସୁରଥ ଉପରେ ଗଦା ପିଟିଲା ଉଞ୍ଚାଇ ।

ଦେଖିଣ ସାରଥି ରଥ ଘୁଞ୍ଚାଇଲା ଦୂରେ

ତଳେ ଭୂମିମାଡ଼ି ଗଦା ପଡ଼ିଲା ସେଠାରେ ।

ବିବର ପରାୟେ ତହି ହେଲା ବେନି ଖାତ

କମ୍ପିଲେ ସକଳ ପୃଥ୍ୱୀ ପାଇ ଗଦାଘାତ ।

ଶବଦ ଶୁଭିଲା ଘୋର ନିର୍ଘାତ ପରାୟେ

କମ୍ପିଲେ ଅମରପୁରେ ଥାଇ ଦେବତାଏ ।

ବାବଲ ଶର ବିନ୍ଧିଲା ସୁରଥ ସତ୍ୱର

ସେ ଅସ୍ତ୍ରରେ ଶିଶୁପାଳ ଗଦା ହେଲା ଚୂର ।

ପୁତ୍ର ମାନଭଙ୍ଗ ଦେଖି ଦମଘୋଷ ରାଗେ

ସୁରଥକୁ ଓଗାଳିଲା ସୈନ୍ୟ ଘେନି ସଙ୍ଗେ ।

ସକଳ ନୃପତି ସଙ୍ଗେ ଘେନି ଯେଝା ସୈନ୍ୟ

ପ୍ରାଣପଣେ ଯୁଦ୍ଧ କଲେ ପାଇ ଅପମାନ ।

ଦମଘୋଷ ଆଜ୍ଞା ଦେଲା ସୈନ୍ୟମୁଖ ଚାହିଁ

ସୁରଥକୁ ମାର ସର୍ବେ ଏକ ଯୋଗ ହୋଇ ।

ଜଣେ ହୋଇ ଆମ୍ଭଙ୍କୁ ଯେ ଦେଲା ଏଡ଼େ ଲାଜ

ଉପରୋଧେ ହତଲକ୍ଷ୍ମୀ ହେଲୁ ଆମ୍ଭେ ଆଜ ।

ଦମଘୋଷ ଆଜ୍ଞା ଶୁଣି ଚତୁରଙ୍ଗ ବଳ

ସୁରଥର ଚଉପାଶେ ବେଢ଼ିଲେ ସକଳ ।

ତର୍ଜ୍ଜନ୍ତି ଗର୍ଜ୍ଜନ୍ତି ବୀରେ ଛାଡ଼ି ସିଂହରଡ଼ି

ଶରଦ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।

ଟମକ ନିଶାଣ ଢୋଲ ଦମାଲୁ ମର୍ଦ୍ଦଳ

ବୀରତୁର ବିଜିଘୋଷ ମୁରଜ କଂସାଳ ।

ଶଙ୍ଖ ଭେରୀ କରତାଳି ବାଜଇ କାହାଳି

ରଣବାଦ୍ୟ ଶବଦରେ କୁରୁମ ଉଛୁଳି ।

ନାନାଶସ୍ତ୍ର ଝମକାନ୍ତି ଚତୁରଙ୍ଗ ସେନା

ରଥୀ ମହାରଥୀଗଣ ଏକୁ ଏକ ଜିଣା ।

କୋଦଣ୍ଡ କମାଣ କାଣ୍ଡ ଖଣ୍ଡା ଫରୀ ଯଷ୍ଟି

ପରଶୁ ଘରିଘ ଆଦି ଶସ୍ତ୍ର କୋଟି କୋଟି ।

ପରଶୁ କୁଠାର ପୁଣି ମୁଦ୍‌ଗର ଶକତି

ଶତଘ୍ନୀ ଶାବେଳି ଆଦି ଶସ୍ତ୍ର ଧରିଛନ୍ତି ।

ତିନି କେନା ପାଞ୍ଚ କେନା ବରଛି ମୂଷଳ

ଢାଙ୍କୁଣି ଆଢ଼େଣି ଫଳା ଫଳି କରବାଳ ।

ଚର୍ମପାଶ ଲୋହଦଣ୍ଡ ଭାଲି ବାରକେନା

ଅମର ସାଜେଣି ଶସ୍ତ୍ର କାଣ୍ଡ ତୀକ୍ଷ୍‌ଣମୁନା ।

ଏମନ୍ତେ ଅନେକ ଶସ୍ତ୍ର ପ୍ରହାରନ୍ତି ନେଇ

ବଜ୍ର କବଚରେ ବାଜି ନ କାଟନ୍ତି କେହି ।

ଆଡ଼ବକ୍ରେ ରଖି ରଥ ଅଶ୍ୱ ଗଜ ସାଜି

ପଶିଲେ ଅସଂଖ୍ୟ ସେନା ରଣରଙ୍ଗେ ମଜ୍ଜି ।

ଯେ ଯାହାର ଅନୁରୂପେ କଲେ ଶସ୍ତ୍ରବୃଷ୍ଟି

ସେ ଶବଦେ କମ୍ପାମାନ ହେଲା ନବ ସୃଷ୍ଟି ।

ଶ୍ରାବଣ ମାସରେ ଯେହ୍ନେ ବରଷଇ ପାଣି

ତେସନେକ ଅସ୍ତ୍ର ଶସ୍ତ୍ର ବୃଷ୍ଟି କଲେ ଆଣି ।

ଶର ଆତଯାତେ ଦିଗ ଦିଶିଲା ଅନ୍ଧାର

ଅଦୃଶ୍ୟ ହୋଇଲେ ଦେବ ଶୂନ୍ୟେ ଦିବାକର ।

ଏଗାର ସହସ୍ର ରାଜା ପଛରେ ବରଣି

ଏଥେ ସେନାପତି ଦମଘୋଷ ନୃପମଣି ।

ସେ ଯହୁଁ ଆଦେଶ ଦେଲା ସର୍ବେ ବେଢ଼ିମାର

ତେଣୁ ସମସ୍ତେ ପେଷିଲେ ଏକୁ ଏକ ଶର ।

ଶୁଣ ହୋ ପରୀକ୍ଷ ରାଜା ଶୁକ ଯେ ବୋଲନ୍ତି

ସଂଗ୍ରାମରେ ଅନର୍ଗଳ ଉଗ୍ରସେନ ନାତି ।

ଏତେ ଶସ୍ତ୍ର ଦେଖି ତାର ଭୟ ନାହିଁ ତିଳେ

ପ୍ରତିଶସ୍ତ୍ର କରି ତାହା ନିବାରଇ ହେଳେ ।

ମନ୍ଦର ପର୍ବତ କିବା ରଥ ମଧ୍ୟେ ଉଭା

ତେସନ ପ୍ରକାରେ ତାର ଦିଶୁଅଛି ପ୍ରଭା ।

ଅଶ୍ୱଙ୍କର ବାଗ ଧରି ଧରି ସୁକାନ୍ତ ସାରଥି

କୁନ୍ଦଯନ୍ତ୍ର ମାଡ଼ି ବସିଅଛି ରଥ କତି ।

ସ୍ୱର୍ଗେ ଥାଇ ଦେବଗଣ କଲେ ଜୟ ଜୟ

ବୋଇଲେ ତୁ ଧନ୍ୟ ଧନ୍ୟ ସୁନାସ ତନୟ ।

ଅକଳିତ ସୈନ୍ୟ ଏହି ଜରାସନ୍ଧ ଥାଟ

ସୂଚିମୁନ ନ ଭେଦଇ ଖଣ୍ଡାଦାଢ଼େ ବାଟ ।

ଏଡ଼େ ସଂଗ୍ରାମରେ ପଶି ଶଙ୍କା ନାହିଁ ତାର

ପିକାନ ସମାନେ ଧନୁ ଧରିଅଛି କର ।

ବୃହସ୍ପତି ବୋଲନ୍ତି ଯେ ଶୁଣ ପୁରୁହୁତ

ଯାହାକୁ ସହାୟ ଛନ୍ତି ପ୍ରଭୁ ଜଗନ୍ନାଥ ।

ତା ବଳ ବିକ୍ରମ ବର୍ଣ୍ଣି କେ କହି ପାରିବ

ସମରେ କିପାଇଁ ତାର ଭୟ ଉପୁଜିବ ।

କୃଷ୍ଣ ସଙ୍ଗେ ପିଲାଦିନୁ ପଢ଼ି ପାଠଶାଠ

ସଦଜ୍ଞାନ ପାଇଅଛି ଦେଖି ଧର୍ମବାଟ ।

ଦ୍ୱିତୀୟ କୃଷ୍ଣ ପରାୟେ ଦିଶେ ତାର ମୂର୍ତ୍ତି

ବଳବୀର୍ଯ୍ୟ ଦେଇଛନ୍ତି ଆପେ ଶିରୀପତି ।

ତେଣୁ ସେ ନିର୍ଭୟ ଚିତ୍ତେ କରୁଅଛି ରଣ

ଦେଖୁଥିବ ହାରିଯିବେ ସବୁ ନୃପଗଣ ।

ଏମନ୍ତ ବିଚାରି ଦେବେ ଦେଇ ଏକଦୃଷ୍ଟି

ସୁନାସ କୁମର ଶିରେ କଲେ ପୁଷ୍ପବୃଷ୍ଟି ।

ଜୟ ଜୟ ଶବଦରେ ପୂରିଲା ଗଗନ

ଶୁଣିଣ ଆନନ୍ଦ ହେଲା ସୁରଥର ମନ ।

ଅଶେଷ ସୈନ୍ୟ ଭିତରେ ଏକା ରଥେ ରହି

ସବୁଙ୍କୁ ଶର ସନ୍ଧାନ କରେ ଉଭା ହୋଇ ।

କ୍ଷଣକରେ ଲକ୍ଷେ ବାଣ ବିନ୍ଧଇ ସେ ଏକା

ଅଣୁମାତ୍ର ହୃଦୟରେ ନ କରଇ ଶଙ୍କା ।

କ୍ଷଣମାତ୍ର ଛିଦ୍ର ନାହିଁ ବାଣ ଜ୍ୱାଳାବଳି

ଜଳ ସ୍ଥଳ ସହିତରେ କମ୍ପେ ମେରୁସ୍ଥଳି ।

ଦମଘୋଷ ଆଦିକରି ଯେତେକ ନୃପତି

କୋପଭରେ ନାନାଶସ୍ତ୍ର ପ୍ରହାର କରନ୍ତି ।

ବ୍ରହ୍ମଶର ଆଦି ଯେତେ ଅସ୍ତ୍ର ରଖିଥିଲେ

ସୁରଥ ଉପରେ ସର୍ବେ ତାହା ପ୍ରହାରିଲେ ।

ନିଷ୍କମ୍ପ ହୋଇ ସୁରଥ ଏକା ରଥେ ରହି

ପ୍ରତିଅସ୍ତ୍ର କରି ସବୁ ଅସ୍ତ୍ର ଦେଲା ଦହି ।

ନିରନ୍ତରେ ଲଗାଇଛି କୃଷ୍ଣପାଦେ ଲୟ

ଦେବତା ଗନ୍ଧର୍ବ ହେଲେ ନାହିଁ ତାର ଭୟ ।

ଏକା ସୁରଥକୁ କେହି ନ ପାରିଲେ ଜିଣି

ବେଳୁଁ ବେଳ ବୃଦ୍ଧି ହୋଇ ବଢ଼ିଲା ଆରେଣି ।

ସୁରଥର ଅନ୍ତର୍ଗତ ଚିନ୍ତା ଜାଣି ହରି

ଆଜ୍ଞାଦେଲେ ସୁଦର୍ଶନ ଚକ୍ରକୁ ହକାରି ।

ସୁରଥ ସମର କରେ ଦମଘୋଷ ତୁଲେ

ଏକକୁ ଅନେକ ରାଜା ବେଢ଼ିଣ ଯୁଝିଲେ ।

ଧର୍ମବନ୍ତ ଅଶ୍ୱ ଗଜ ସୈନ୍ୟ ଛାଡ଼ିଦେଇ

ଅଧର୍ମୀ ସେନାଙ୍କୁ ରଣେ ଛେଦି ପକା ଯାଇ ।

ଆଜ୍ଞାପାଇ ସୁଦର୍ଶନ ଚକ୍ର ଚଳିଗଲା

ରଥ ଗଜ ଅଶ୍ୱ ସୈନ୍ୟ ଛେଦି ପକାଇଲା ।

ବତାଶ ବହିଲେ ଯେହ୍ନେ ବନ ପଡ଼େ ଭାଜି

ତେସନ ପଡ଼ିଲେ ତହିଁ ସୈନ୍ୟ ଗଳଗାଜି ।

କୋଟି ସଂଖ୍ୟାରେ କବନ୍ଧ ନୃତ୍ୟ କଲେ ଉଠି

ରକତ ନଦୀରେ ମଡ଼ା ଭାସେ କୋଟି କୋଟି ।

ବେନି ତାଳ ଗଭୀରରେ ବହିଲା ଶୋଣିତ

ମୁଣ୍ଡ ଗଣ୍ଡି ତୁଲେ ଭାସିଯାଏ ଗୋଡ଼ ହାତ ।

ପଛକୁ ଯେ ଚାହିଁଦେଲା ଦମଘୋଷ ରାୟ

ପାଞ୍ଚଯୂଣ ଯାଏ ଦିଶେ ଛିନ୍ନ ମୁଣ୍ଡମୟ ।

ଉଲ୍ଲୋଳ ରକତ ନଦୀ ଆସୁଅଛି ମାଡ଼ି

ପାତ୍ର ମନ୍ତ୍ରୀଏ ପଳାଉଛନ୍ତି ସଙ୍ଗ ଛାଡ଼ି ।

ଶାଲ୍ୱ ଦନ୍ତବକ୍ର ଆଗୁ ହୋଇଥିଲେ ଧ୍ୱଂସି

ଦୁହେଁ ଛାଡ଼ି ପଳାଇଲେ ଏକା ରଥେ ବସି ।

ଶିଶୁପାଳକୁ ରଥରେ ଘେନି ଦମଘୋଷ

ରଣେ ଭଙ୍ଗ ଦେଇ ଗଳା ଜରାସନ୍ଧ ପାଶ ।

ଏହା ଦେଖି ଜୟଶଙ୍ଖ ବଜାଇ ସୁରଥ

ପ୍ରବେଶ ହୋଇଲା ଯହିଁ ଥିଲେ ଜଗନ୍ନାଥ ।

କୃଷ୍ଣପାଦେ ନମସ୍କାର କରି ଆନନ୍ଦରେ

ଶିରେ କର ଦେଇ ଉଭାହେଲୋ ଖଣ୍ଡେଦୂରେ ।

କହଇ ଅଚ୍ୟୁତାନନ୍ଦ କବି ଏ ଚିରତ

ଶୁଣି ସାଧୁଜନେ ହୁଅ ସଂସାରୁ ମୁକତ ।

ରାମକୃଷ୍ଣ ପାଦେ ମୋର ସଦା ରହୁ ସେବା

କୃପାକରି ପ୍ରଭୁ ମୋତେ ଗତି ମୁକ୍ତି ଦେବା ।

 

କୃଷ୍ଣଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ ବ୍ରହ୍ମଶକ୍ତି ପ୍ରୟୋଗ

ଶୁକ ବୋଲନ୍ତି ଯେ ଶୁଣ ଅଭିମନ୍ୟୁ ଶିଷ୍ୟ

ସୁରଥକୁ ସଂଗ୍ରାମରେ ହାରି ଦମଘୋଷ ।

ଜରାସନ୍ଧ ନୃପତିର ନିକଟକୁ ଯାଇ

ସଂଗ୍ରାମ ବାରତା ସବୁ କହିଲା ମଣାଇ ।

ଜରାସନ୍ଧ ଆପଣାର ସୈନ୍ୟ ହତ ଶୁଣି

କ୍ରୋଧେ ଚକ୍ଷୁ ବୁଲାଇଲା କାଳଚକ୍ର ଜାଣି

ପଞ୍ଚାଶ ସହସ୍ର ରାଜା ଘେନି ନିଜ ସଙ୍ଗେ

ସତ୍ୱରେ ମିଳିଲା ଯାଇ ଶ୍ରୀକୃଷ୍ଣଙ୍କ ଆଗେ

ବାର ସହସ୍ର ନୃପତି ସଙ୍ଗତେ ଘେନିଣ

ବାଟେ ଓଗାଳିଲା ବଳରାମଙ୍କୁ ରୁକ୍ମଣ ।

ଘାଇ ବନ୍ଧାଇଲେ ଯେହ୍ନେ ଲେଉଟଇ ପୁଣି

ରଥ ଟେକାଇଲେ ପୁଣି ଦେବ ଚକ୍ରପାଣି ।

ଆଗୁଆଣି ଥାଯେ ଜରାସନ୍ଧ ନୃପ ଥିଲା

ରେରେକାର କରି ରଥ ଛାମୁରେ ଟେକିଲା

ନାତିଙ୍କ ବିୟୋଗ ପୁଣି ଝିଅଙ୍କ ବିକଳ

ଜାମାତା ମରଣ ଚିନ୍ତି ହୃଦୟ ଆକୁଳ ।

 

ଦମଘୋଷ ହାରିଯାନ୍ତେ ବଢ଼ିଲା ତା କ୍ରୋଧ

ତଦନ୍ତେ ଅଧର ଚାପି ବୋଲେ ଜରାସନ୍ଧ ।

ଆରେ ଆରେ ଗଉଡ଼ ତୁ ଏଡ଼େକ ନିର୍ଭୟ

ଆଜ ଜାଣିମା ନା ତୋର କେ ଅଛି ସହାୟ ।

କଂସ ପରା ଜୁଆଁଇକି ମାଇଲୁ ମୋହର

ଦୁଇ ନାତି ମଲେ ପୁଣି କପଟେ ତୋହର ।

ଏବେ ଯେ ମାଇଲୁ ମୋର ଅନେକ ସଇନ

ତୋତେ ମାରି ପାସୋରିବି ମନରୁ ଏମାନ ।

ଏମନ୍ତ ବୋଲିଣ କୋପେ ଗର୍ଜ୍ଜି ମହାବଳୀ

ବୋଇଲେ ତୋ ମାଂସ କାଟି ଦେବି ବିଶାବଳି ।

ସବୁ ଦୁଃଖ ପାସୋରିବି ଆଜ ତୋତେ ମାରି

ଛାମୁରେ ପଡ଼ିଛୁ କାହିଁ ଯିବୁ ତୁ ଉବୁରି ।

ଏତେ କହି ଜରାସନ୍ଧ ରାଜା କୋପଭରେ

ନଉସସ୍ର ବଳ ଧନୁ ଧରି ବାମ କରେ ।

ଶତେ କଙ୍କପକ୍ଷ ବାଣ ଗୁଣରେ ସନ୍ଧିଲା

ଆକର୍ଷଣ କରି ତାହା କୃଷ୍ଣଙ୍କୁ ବିନ୍ଧିଲା ।

ସହସ୍ରେ କତୁରି ବାଣ ଧନୁରେ ପୂରାଇ

ପୁଣି କୃଷ୍ଣ ହୃଦୟକୁ ବିନ୍ଧିଲା ତୁହାଇ ।

ନାରାଚ ଆସନ୍ତେ ଦୂରୁ ଦେଖି ନାରାୟଣ

ସାରଙ୍ଗ ଧନୁରେ ସନ୍ଧି ତୀକ୍ଷ୍‌ଣ ପଞ୍ଚବାଣ ।

ବିନ୍ଧନ୍ତେ ଚଳିଲା କାଣ୍ଡ ଗଗନରେ ଘୋଟି

ଜରାସନ୍ଧ ବାଣଯାକ ପକାଇଲେ କାଟି ।

ଧନୁ ରଥ ଦେଖି ଜରାସନ୍ଧ ପ୍ରଶଂସିଲା

ଭଲାରେ ଗଉଡ଼ କାହୁଁ ପାଇଲୁ ବୋଇଲା ।

ଧନୁର୍ଦ୍ଧର ପଣେ ଦେବା ପଟାନ୍ତର କିସ

ପାଞ୍ଚକାଣ୍ଡେ ପାଞ୍ଚସସ୍ର ବାଣ କଲୁ ନାଶ ।

ଏତେ ବୋଲି ଆପଣାର ଧନୁ କରେ ଟାଣି

ବାବଲ ଶର ସହସ୍ରେ ବିନ୍ଧିଲା ସେ ପୁଣି ।

ପୁଣି କ୍ରୋଧ ହୋଇ କଲା ନାନା ଶରବୃଷ୍ଟି

ଗୁଣନାଦେ କମ୍ପମାନ ଚରାଚର ସୃଷ୍ଟି ।

ଅବିଚ୍ଛିନ୍ନେ ବିନ୍ଧିଲା ସେ କୋଟି କୋଟି ଶର

ଆଦାନ ସନ୍ଧାନ ଜଣା ନ ଯାଏ ତାହାର ।

ସେ କାଳେ ମଣ୍ଡଳାକାର ଦିଶିଲା ତା ଧନୁ

ସୃଷ୍ଟିନାଶ ପାଇଁ କିବା ଉଦେ ହେଲେ ଭାନୁ ।

କତୁରି ନାରାଚ ଅଧାଚନ୍ଦ୍ର ତୀକ୍ଷ୍‌ଣମୁନା

କଙ୍କପତ୍ର ଆଦି ବାଣେ ବିନ୍ଧେ ଅକଳନା ।

ଶ୍ୟେନପକ୍ଷୀ ପ୍ରାୟେ ଉଡ଼ି ଅନ୍ତରୀକ୍ଷ ମାର୍ଗେ

ଚଳିଲେ ନାରାଚଗଣ ଧାଇଁ ଅଧାସ୍ୱର୍ଗେ ।

ସେ ବାଣ ଦେଖନ୍ତେ କୃଷ୍ଣ ବିନ୍ଧି କ୍ଷୁରକାଣ୍ଡ

ଦେହରେ ନ ବାଜି କାଟି କଲେ ଖଣ୍ଡ ଖଣ୍ଡ ।

ଅସ୍ତ୍ର ହତ ହେବା ଦେଖି ଜରାସନ୍ଧ କୋପେ

ପର୍ବତାସ୍ତ୍ର ବସାଇଲା କାଢ଼ି ନିଜ ଚାପେ ।

ମହାମନ୍ତ୍ର ପଢ଼ି ରାଜା ବିନ୍ଧିଲା ସେ ଶର

ଘୋଟିଲେ ଗଗନମାର୍ଗେ ଲକ୍ଷେ ଗିରିବର ।

ଯେସନେକ ପକ୍ଷିଗଣ ଉଡ଼ନ୍ତି ଗଗନେ

ତେସନ ଧାଇଁଲେ ଉଡ଼ି ସେ ପର୍ବତମାନେ ।

ତା ଦେଖି ପେଷିଲେ କୃଷ୍ଣ ବଜ୍ରଶର କାଢ଼ି

ମସୀଗୁଣ୍ଡା ହୋଇ ଗିରିମାନ ଗଲେ ଉଡ଼ି ।

ପୁଣି ଜରାସନ୍ଧ ରାଜା ପନ୍ନଗାସ୍ତ୍ର ଧରି

ଲକ୍ଷେ ନାଗ ପେଷିଲା ସେ ମହାମନ୍ତ୍ର ସ୍ମରି ।

ବିକରାଳ ମୂର୍ତ୍ତିଧରି କାଳସର୍ପ ଗଣ

ଧାମନ୍ତି ମୁଖରେ କରି ଗରଳ ବମନ ।

ଲହ ଲହ ଜିହ୍ୱା ଦିଶେ ମୁଖ ବିସ୍ତାରିତ

ଫୁଫୁକାର ଶବଦରେ ପୂରିଲା ଜଗତ ।

ଗରୁଡ଼ାସ୍ତ୍ର ପେଷିଲେ ତା ଦେଖି ବନମାଳୀ

କ୍ଷଣକେ ସେ ଅସ୍ତ୍ର ଦେଲା ସବୁ ସର୍ପ ଗିଳି ।

ଅସ୍ତ୍ର ପ୍ରତିହତ ହେବା ଜରାସନ୍ଧ ଦେଖି

ସତ୍ୱରେ ବିନ୍ଧିଲା ଅଗ୍ନିଶର ଗୁଣେ ଯୋଖି ।

ଘୋଟିଲା ଅନଳ ଶିଖା ସ୍ୱର୍ଗପୁର ଯାଏ

ଭୟେ ସ୍ୱର୍ଗ ଛାଡ଼ି ପଳାଇଲେ ଦେବତାଏ ।

ଜଳଚର ସ୍ଥଳଚର ଆଦି ଜୀବ ଯେତେ

ଅନଳ ତେଜରେ ତ୍ରାସ ପାଇଲେ ସମସ୍ତେ ।

ଏହା ଦେଖି ଜଳଧାରା ବାଣ କରେ ଘେନି

ଶ୍ରୀକୃଷ୍ଣ ପେଷନ୍ତେ ଲିଭିଗଲା ସେ ବହନି ।

ପୁଣି କୋପେ ଜରାସନ୍ଧ ମେଘାସ୍ତ୍ର ପେଷନ୍ତେ

ବାୟବ୍ୟାସ୍ତ୍ରେ ଉଡ଼ାଇଲେ ତାହା ଜଗନ୍ନାଥେ ।

ଦେଖି ଜରାସନ୍ଧ ରାଜା ହୋଇ କୋପାନଳ

କୃତାନ୍ତକ ନାମେ ଶର ଧରି ତତକାଳ ।

ମନ୍ତ୍ରିଣ ପେଷିଲା କୋପେ କୃଷ୍ଣ ନାଶ ପାଇଁ

ବାରୁଣାସ୍ତ୍ରେ ତାହା ନିବାରିଲେ ଲକ୍ଷ୍ମୀସାଇଁ ।

ଦେଖି କୋପେ ଥରହର ମଗଧ ନୃପତି

ଆକ୍ରୋଶି ଧଇଲା କରେ ଟେକି ବ୍ରହ୍ମଶକ୍ତି ।

ତିନିଥର ବୁଲାଇ ସେ ଅମୋଘ ଶକ୍ତିକି

ମଲୁରେ ଗଉଡ଼ ବୋଲି ଫିଙ୍ଗିଲା ସେ ଡାକି ।

ଅକାରଣ ଅସ୍ତ୍ର କଲା ସଂକୋଚନ ବାଳ

ସେ ଶକ୍ତି ଘୋଟିଲା ସ୍ୱର୍ଗ ମଞ୍ଚ ରସାତଳ ।

ମହା ଭଇରବ ରୂପେ ଆସନ୍ତେ ସେ ଧାଇଁ

ହନୁମାନ ଦେଖିଲେ ତା ରଥଧ୍ୱଜେ ଥାଇ ।

ମାରୁତି ବୋଇଲେ ଦେବ ଶୁଣିମା ଗୋବିନ୍ଦ

ବ୍ରହ୍ମଶକ୍ତି ପେଷିଲାଟି ଏବେ ଜରାସନ୍ଧ ।

ଏ ଶକ୍ତି ମୁଖରୁ କେହି ନ ପାରଇ ବଞ୍ଚି

ଅକାରଣେ ଗଞ୍ଜି ନୋହି ଚାଲ ଯିବା ଘୁଞ୍ଚି ।

ପ୍ରତ୍ୟକ୍ଷେ ଧର୍ମଦେବତା ଏ ଶକତି ଜାଣ

ସେ ପିଠି ଦିଅଇ ତାର ନ ଘେନଇଁ ପ୍ରାଣ ।

ମାରୁତି ମୁଖରୁ ଏହା ଶୁଣି ଜଗନ୍ନାଥ

ଦାରୁକକୁ ଆଜ୍ଞା ଦେଲେ ଲେଉଟାଅ ରଥ ।

ବ୍ରହ୍ମଶକ୍ତି ପେଷିଅଛି ଜରାସନ୍ଧ ଦମ୍ଭେ

ପିଠି ଦେଇ ବଞ୍ଚାଇବା ସେ ଅସ୍ତ୍ରକୁ ଆମ୍ଭେ ।

ଗୋବିନ୍ଦ ଆଜ୍ଞାରେ ରଥ ଲେଉଟାଇ ଖରେ

ଦାରୁକ ରଖିଲେ ନେଇ ପାଞ୍ଚତ୍ରୋଶ ଦୂରେ ।

ଶୁଣ ହୋ ପରୀକ୍ଷ ରାଜା ଶୁକମୁନି ଭାଷି

ଲେଉଟି ରହିଲା ଶକ୍ତି ଜରା ତ୍ରୋଣେ ପଶି ।

ଦେଖିଣ ଚକିତ ହେଲା ମଗଧ ଈଶ୍ୱର

ସଇନକୁ ଚାହିଁ ବୋଲେ ଗୋଡ଼ାଅ ସତ୍ୱର ।

ଯେ ଯାହାର ସୈନ୍ୟବଳ ଘେନିଯାଅ ବେଗେ

ପଳାଇ ଯାଉଛି କୃଷ୍ଣ ଓଗାଳିବ ଆଗେ ।

ଏ ଗଉଡ଼ ଟୋକା କେତେ ଗର୍ବେ କହୁଥିଲା

ବ୍ରହ୍ମଶକ୍ତି ଦେଖି ଭୟେ ପିଠି ଦେଇ ଗଲା ।

ମୋ ଶପଥ ମାନି କେହୁ ଉପ୍ରୋଧ ନ କର

ସମଦଣ୍ଡ ଘେନି ଯାଇ ଶତ୍ରୁକୁ ସଂହାର ।

ରାମକୃଷ୍ଣ ଆଣି ମୋର ଛାମୁରେ ଯେ ଦେବ

ଠାକୁର ହୋଇ ମୋ ଠାରୁ ପୂଜା ସେ ପାଇବ ।

ଅନେକ ଧନ ଭଣ୍ଡାର ରତ୍ନକୋଷ ଦେବି

ଭୃତ୍ୟପଣ କରି ତାର ପାଦେ ସେବିଥିବି ।

ଜରାସନ୍ଧ ମୁଖୁ ଶୁଣି ଏସନକ ଆଜ୍ଞା

ରାଜାଗଣେ ବାହାରିଲେ କରିଣ ପ୍ରତିଜ୍ଞା ।

କରେ ନାନା ଶସ୍ତ୍ର ଧରି ଧାମନ୍ତି ସକଳେ

କେ କାହାକୁ ପଛକରି ଆଗ ହୋଇ ଚଳେ ।

ଥୋକେ ଦୂର ବାଟେ ଥିଲେ ଜଗନ୍ନାଥେ ରହି

ଆଗୁଆଣି ଥାଟ ତାଙ୍କୁ ଭେଟିଲେକ ଯାଇ ।

ଯେ ଯାହାର ଅନୁରୂପେ ଅସ୍ତ୍ର ଶସ୍ତ୍ର ଧରି

ଶ୍ରୀଜଗନ୍ନାଥଙ୍କୁ ବେଢ଼ି ଶତେପୁର କରି ।

ପ୍ରତିଜ୍ଞା କରି ମାରନ୍ତି ଶସ୍ତ୍ର କୋଟି କୋଟି

ବର୍ଷାକାଳେ ମେଘ ଯେହ୍ନେ ବରଷଇ ଘୋଟି ।

ଦିବସେ ଅନ୍ଧାର ନ ଦିଶିଲେ ଦିନମଣି

ବୀରଙ୍କର ପାଦଘାତେ କମ୍ପଇ ଧରଣୀ ।

ସୈନ୍ୟ ଆଗମନ ଦେଖି ଜଗନ୍ନାଥ ସ୍ୱାମୀ

ମନଭେଦୀ ନାରାଚକୁ କାଢ଼ି ଅନ୍ତର୍ଯ୍ୟାମୀ ।

ମନ୍ତ୍ରିର ବାଣକୁ ଆଜ୍ଞା ଦେଲେ ଲକ୍ଷ୍ମୀସାଇଁ

ରଥ ଗଜ ଅଶ୍ୱ ସବୁ ଛେଦ ବେଗେ ଯାଇ ।

ପୁଣି ହିଁ ଚକ୍ରକୁ ଆଜ୍ଞା ଦେଲେ ଦେବରାୟ

ସଜ୍ଜନଙ୍କୁ ରକ୍ଷା କରି ଦୁଷ୍ଟ କର କ୍ଷୟ ।

ଆଜ୍ଞା ପାଇ ଚଳିଗଲେ ଚକ୍ର ମନଭେଦି

ହାତୀ ରଥୀ ପଦାତିଙ୍କି ପକାଇଲେ ଛେଦି ।

ମର୍ଭୁତ ସହସ୍ର ଲକ୍ଷ କୋଟି ଶତ ଦଶ

ଏକ ଏକ ପ୍ରହାରକେ ଗଲେ ସବୁ ନାଶ ।

ପ୍ରଚଣ୍ଡ ବାତରେ ଯେହ୍ନେ ଲୋଟେ ରମ୍ଭାବନ

ତେସନ ପଡ଼ିଲେ ତହିଁ ଜରାସନ୍ଧ ସୈନ୍ୟ ।

ବହିଲା ରକତନଦୀ ତ୍ରିତାଳ ଉତ୍ସର୍ଗେ

ଇନ୍ଦ୍ର ଆଦି ଦେବଗଣ ଦେଖୁଛନ୍ତି ସ୍ୱର୍ଗେ ।

ଶୃଗାଳ ବାୟସ ଶ୍ୱାନ ବୃକ ଗୃଧ୍ର ପକ୍ଷୀ

ରଣସ୍ଥାନେ ବିହରିଲେ ରକ୍ତମାଂସ ଭକ୍ଷି ।

କଙ୍କାଳୀ ବେତାଳୀ ଚଣ୍ଡୀ ଅଶେଷ ଚାମୁଣ୍ଡା

ଜିହ୍ୱା ଲହଲହ କରେ ଖପର ଯେ ଖଣ୍ଡା ।

ମେଦମେଦା ମାଂସ ଖାଇ ହେଲେ ମତୁଆଳି

ନାଚନ୍ତି ଆନନ୍ଦ ମନେ ଦେଇ ହୁଳହୁଳି ।

ତଡ଼କୀ ଘୁମୁରା କଡ଼ା କୁଣ୍ଡଳୀ ଦାଉଣ୍ଡି

ମଦିରା ଭୋଳେ ଖେମଟା ନାଚି ନାଚଖଣ୍ଡି ।

ନାଚନ୍ତି କବନ୍ଧ ଲକ୍ଷକୋଟି ରଣରଙ୍ଗେ

ଅଶ୍ୱ ଗଜ ପଦାତିଏ ପଡ଼ି ଏକ ଯୋଗେ ।

କର ଚରଣ ତାହାର ଛାଡ଼ିଲା ଅଙ୍ଗରୁ

କା ଅଣ୍ଟା ଛିଡ଼ିଲା କାର ଭଗ୍ନ ହେଲେ ଉରୁ ।

ଏସନ ପ୍ରାଭବ ପାଇଲେ ଯେ ସୈନ୍ୟବଳ

ଏକା ଚକ୍ର ମନଭେଦୀ ଛେଦିଲେ ସକଳ ।

ଷଡ଼ଯୁଣ ପରିଯନ୍ତେ ତିଳେ ନାହିଁ ଛଡ଼ା

ପର୍ବତ ସମାନେ ତହିଁ ପଡ଼ିଅଛି ମଡ଼ା ।

ଚାରିଊଣା ଲକ୍ଷେ ରାଜା ଅସଂଖ୍ୟକ ଥାଟ

ପ୍ରାଣ ଭୟେ ପଳାଇଲେ ଖୋଜି ଯେଝା ବାଟ ।

କେତେ ମଲେ କେତେ ବର୍ତ୍ତିଗଲେ ପ୍ରାଣ ପାଇ

ଅସଂଖ୍ୟ ସଇନବଳ ଗଣନା ଯେ ନାହିଁ ।

ଏହା ଦେଖି ଆନନ୍ଦରେ ହସି ପଦ୍ମମୁଖ

ମୁଖେ ଭରି ବଜାଇଲେ ପାଞ୍ଚଜନ୍ୟ ଶଙ୍ଖ ।

ଜୟ ଧ୍ୱନିକରି ଦେବେ ପୁଷ୍ପ ବରଷିଲେ

ଦେବର୍ଷି ମହର୍ଷିଗଣ ଆନନ୍ଦ ହୋଇଲେ ।

ଜୟଯୁକ୍ତ କୃଷ୍ଣଙ୍କର ଚରଣ କମଳେ

ଅଚ୍ୟୁତ ଦାସର ମନ ରହୁ ସବୁକାଳେ ।

 

ବଳଦେବଙ୍କ ସହିତ ରୁକ୍ମଣର ଯୁଦ୍ଧ ଓ ପରାଜୟ

ଏଥୁ ଅନନ୍ତରେ ପୁଣି ଶୁକ ତପୋବନ୍ତ

ବୋଇଲେ କହିବା ଶୁଣ ଅଭିମନ୍ୟୁ ସୁତ ।

ଦକ୍ଷିଣ ଦିଗ ସଂଗ୍ରାମେ ବଳରାମ ଥିଲେ

ରୁକ୍ମଣ ତୁଲେ ଅନେକ ସଂଗ୍ରାମ ସେ କଲେ ।

ବାରସହସ୍ର ରାଜାଙ୍କ ଚତୁରଙ୍ଗ ବଳ

ଏକମୁଖ ହୋଇକରି ବେଢ଼ିଲେ ସକଳ ।

କୋପେ ପରିଘାଇ ନାନାଶସ୍ତ୍ର ବରଷନ୍ତି

ଛେଲ ଚକ୍ର ଭିନ୍ଦିପାଳ ପରିଘ ଶକତି ।

ମୁଦ୍‌ଗର ପରଶୁ ଶୂଳ ଭାଲି କାଣ୍ଡ ଖଣ୍ଡା

ପ୍ରହାର କରନ୍ତି ରରେ ନାଚି ପରଚଣ୍ଡା ।

ରଥୀ ମହାରଥୀ ସର୍ବେ ଏକରୁଣ୍ଡ ହୋଇ

ଯେ ଯାହାର ଅସ୍ତ୍ର ଶସ୍ତ୍ର ମାରନ୍ତି ତୁହାଇ ।

ସଂଗ୍ରାମେ ଅପରାଜିତ ପ୍ରଭୁ କାମପାଳ

ଯା ଅଙ୍ଗରେ ପୂରିଅଛି କୋଟି ସିଂହବଳ ।

କାଦମ୍ୱରୀ ପାନେ ସଦା ଭୋଳ ଯାର ମତି

ଅଷ୍ଟାଙ୍ଗ ଯୋଗରେ ସିଦ୍ଧ ନିରଞ୍ଜନ ଜ୍ୟୋତି ।

 

ସୌନନ୍ଦ ମୂଷଳ ହଳ ଧରି ବେନି ହସ୍ତେ

ବିଜେ କରିଛନ୍ତି ସ୍ୱାମୀ ତାଳଧ୍ୱଜ ରଥେ ।

ନୃପତିମାନଙ୍କୁ ରାମ ନଜରେ ନ ଗଣି

ରୁକ୍ମଣ ଆଗରେ ରଥ ଟେକାଇଲେ ଆଣି ।

ଭୀଷ୍ମକନନ୍ଦନ ତାଙ୍କୁ ସମ୍ମୁଖରେ ଦେଖି

ସହସ୍ରେ ବାଣ ବିନ୍ଧିଲା ଉପ୍ରୋଧି ଉପେକ୍ଷି ।

ପୁଣି ହସ୍ତବ୍ୟଗ୍ରେ ଶତ ନାରାଚ ପୂରାଇ

କାମପାଳ ଉପରକୁ ବିନ୍ଧିଲା ନିଠାଇ ।

ଚାହୁଁ ଚାହୁଁ ପାଞ୍ଚସସ୍ର ବାଣ ପୁଣି ଧରି

ହୃଦୟକୁ ଲକ୍ଷ୍ୟକରି ବିନ୍ଧିଲା ଓଟାରି ।

ସେ ବାଣ ଆସନ୍ତେ ଦୂରୁ ଦେଖି କାମପାଳ

ଧନୁ ଧରି ଛାଡ଼ିଲେ ସେ ଲାଙ୍ଗଳ ମୂଷଳ ।

ସେ ଧନୁ ଗୁଣରେ ସନ୍ଧି ସାତଗୋଟି କାଣ୍ଡ

ରୁକ୍ମଣ ନାରାଚ କାଟି କଲେ ଖଣ୍ଡ ଖଣ୍ଡ ।

ପୁଣି ସେ ବାବଲ ଶର ଶତେକ ସନ୍ଧିଲେ

ରୁକ୍ମଣ ବକ୍ଷକୁ ଲକ୍ଷ୍ୟ କରି ଛାଡ଼ିଦେଲେ ।

ସେ ବାଣ ପକ୍ଷୀଙ୍କ ପ୍ରାୟେ ଅନ୍ତରୀକ୍ଷେ ଚଳି

ସେହ୍ନା ଫୁଟି ରୁକ୍ମଣର ହୃଦେ ଗଲା ଗଳି ।

ପୁଣି ପାଞ୍ଚବାଣ ବିନ୍ଧି ରୋହିରୀ ଶିଷ୍ୟ

ସାରଥି ସହିତେ ବଧ କଲେ ଚାରି ଅଶ୍ୱ ।

ବିରଥୀ ହୁଅନ୍ତେ କ୍ରୋଧେ ଭୀଷ୍ମକର ବଳା

ରଥରୁ ଡେଇଁଲା କରେ ଘେନି ଖଡ଼୍‌ଗଫଳା ।

ପ୍ରବେଶ ହୋଇଣ ବଳଦେବଙ୍କ ଛାମୁରେ

ବାହାନାଦ କରି ବୀର ରେରେକାର କରେ ।

ରୁକ୍ମଣ ଆସନ୍ତେ ଦୂରୁ ଦେଖି ହଳପାଣି

ବାବଲ ନାରାଚ ଗୁଣେ ବସାଇଲେ ଆଣି ।

ମନ୍ତ୍ରିଣ ପେଷନ୍ତେ ବାଣ ଅନ୍ତରୀକ୍ଷେ ଗଲା

ରୁକ୍ମଣ ହସ୍ତରୁ ଖଡ଼୍‌ଗଫଳା କାଟିଦେଲା ।

ଖଡ଼୍‌ଗଫଳା ଭଗ୍ନହେବା ଦେଖି ସେ ରୁକ୍ମଣ

ଯୁଦ୍ଧ ଛାଡ଼ି ପଳାଇଲେ ନିରସ୍ତ୍ର ହୋଇଣ ।

ରୁକ୍ମଣ ପଳାଇଯାନ୍ତେ ମୃଗସେନ ଦେଖି

ବଳରାମ ଆଗେ ଉଭାହେଲା ରଥ ଟେକି ।

ଷାଠିଏ ସହସ୍ର ବଳ ଧନୁ ଧରି କରେ

ମହାମେଘ ପରାୟ ସେ ଗର୍ଜିଲା କ୍ରୋଧରେ ।

ତା ସଙ୍ଗେ ମିଳିଲା ଆସି କଳିଙ୍ଗ ରାଜନ

ନବଲକ୍ଷ ମତ୍ତଗଜ ସଙ୍ଗେ ଘେନାଇଣ ।

ଦୁଇ ରାଜା ମିଶି ରୁକ୍ମଣକୁ ଆବୋରିଲେ

ଅନେକ ଭୂୟାଁ ଭୂପାଳ ଛନ୍ତି ତାଙ୍କ ତୁଲେ ।

ଯେ ଯାହାର ଅସ୍ତ୍ର ଶସ୍ତ୍ର ଧରି ନିଜ କରେ

କ୍ରୋଧ ହୋଇ ପ୍ରହାରିଲେ ରାମଙ୍କ ଉପରେ ।

ବିଶ୍ୱରୂପ ଧରିଛନ୍ତି ପ୍ରଭୁ କାମପାଳ

ତେଜ ବିରାଜଇ ଯେହ୍ନେ ପ୍ରଳୟ ଅନଳ ।

ଯେତେ ଶସ୍ତ୍ର ପ୍ରହାରିଲେ ପ୍ରଭୁ ଅଙ୍ଗେ ପଡ଼ି

ପର୍ବତେ ସୋରିଷ ପ୍ରାୟେ ବାଜି ପଡ଼େ ଝଡ଼ି ।

ଦଣ୍ଡେ ପରିଯନ୍ତେ ସର୍ବେ କଲେ ଶରବୃଷ୍ଟି

ଗୁଣନାଦ ଶବଦରେ କମ୍ପେ ନବସୃଷ୍ଟି ।

ଦଲ ଦଲ ନବସୃଷ୍ଟି ବ୍ରହ୍ମାଣ୍ଡ ହିଁ ସାତ

ଯୁଗାନ୍ତ କାଳରେ ଯେହ୍ନେ ପଡ଼ଇ ନିର୍ଘାତ ।

ଏକା କାମପାଳ ସର୍ବେ ବିନ୍ଧୁଛନ୍ତି ବାଣ

ସଂଗ୍ରାମେ ବିଶ୍ରାମ ନାହିଁ ତୁଚ୍ଛା ହେଲା ତୂଣ ।

ଫୁଟିଣ ରହିଲେ ନୃପେ ମନେ ଲଜ୍ଜାପାଇ

ପାଶୁପତ ଶର ସନ୍ଧି ରେବତୀର ସାଇଁ ।

ଅସ୍ତ୍ରକୁ ତିଆରି କର୍ଣ୍ଣେ କହି ମନ୍ତ୍ର ଗୋଟି

ବୋଇଲେ ରାଜାମାନଙ୍କ ଶିର ଦିଅ କାଟି ।

ଆଜ୍ଞା ପରମାଣେ ପାଶୁପତ ଶର ଗଲା

ଅନେକ ନୃପତି ଶିର ଛେଦି ପକାଇଲା ।

ରଥ ଗଜ ପଦାତିକ ମଲେ ଅପ୍ରମିତ

ଯେ ଆଗେ ପଡ଼ିଲା ତାର ଘେନିଲା ଜୀବିତ ।

ମହାଗୋଳ ଧନ୍ଦୋଳ ଯେ ହେଲା ଅପ୍ରମାଣ

ପର ଆପଣା ବୋଲିଣ ନୋହିଲେ ବାରଣ ।

ମୃଗସେନ ଯେ କଳିଙ୍ଗସେନ ଦୁଇ ରାଜା

ଦେଖିଣ ଆଶ୍ଚର୍ଯ୍ୟ ହୋଇ ଅସ୍ତ୍ର କଲେ ତେଜ୍ୟା ।

ଶସ୍ତ୍ରଛାଡ଼ି ଥୋକେ ସୈନ୍ୟ ଅପସରି ଗଲେ

ବଳରାମ ବାଣାଘାତେ ଥୋକେ ସୈନ୍ୟ ମଲେ ।

ସେନାଏ ଭାଜିଲେ ଯହୁଁ ଅସ୍ତ୍ର ଶସ୍ତ୍ର ଛାଡ଼ି

ପାଶୁପତ ଶର ତ୍ରୋଣେ ରହିଲା ବାହୁଡ଼ି ।

ଦେଖି ବଳରାମ ସ୍ୱାମୀ ହୋଇଣ ହରଷ

ବାହୁଡ଼ି ମିଳିଲେ ଯାଇ ଶ୍ରୀକୃଷ୍ଣଙ୍କ ପାଶ ।

ଗୋବିନ୍ଦ ସୁରଥ ଦୁହେଁ ଦେଖିଣ ଆନନ୍ଦେ

ନମସ୍କାର କଲେ ଉଠି ବଳରାମ ପାଦେ ।

ତିନିଭାଇ ଏକ ସ୍ଥାନେ ବସି ମନତୋଷେ

ଯେ ଯାହା ସମର କଥା କହନ୍ତି ହରଷେ ।

ହରିବଂଶ ପୁରାଣ ଏ ସୁଧାସାର ଗୀତ

ଧାଡ଼ି ଖଣ୍ଡରେ ପ୍ରଥମ ଅଧ୍ୟାୟ ଚରିତ ।

ଶ୍ରବଣେ ଶୁଣିଲେ ସର୍ବ ପାପ ହୁଏ ଧ୍ୱଂସ

ଅନାୟାସେ ଲାଭ ହୁଏ ବଇକୁଣ୍ଠ ବାସ ।

ଅପୁତ୍ରିକ ପୁତ୍ର ପାଏ ଏ ପୁରାଣ ଶୁଣି

କହଇ ଅଚ୍ୟୁତ ଦାସ କବି ଗୀତେ ଭଣି ।

 

 

ବିଷ୍ଣୁ କାମପାଳ ପାଦେ ସଦା ମୋର ସେବା

ଏ ଦୀନଜନକୁ ପ୍ରଭୁ ଗତି ମୁକ୍ତି ଦେବା ।

 

ଜରାସନ୍ଧ ସହିତ ରାମକୃଷ୍ଣଙ୍କର ଦ୍ୱିତୀୟବାର ଯୁଦ୍ଧ ଓ ପଳାୟନ

ଶୁକ ବୋଲନ୍ତି ଯେ ଶୁଣ ଅଭିମନ୍ୟୁ ଚାଟ

ବଳରାମ ଭୟେ ଭାଜି ପଳାଇଣ ଥାଟ ।

ଜରାସନ୍ଧ ନୃପତିର ଛାମୁରେ ମିଳିଲେ

ସଂଗ୍ରାମ ବାରତା ସବୁ ବୁଝାଇ କହିଲେ ।

ସାବଧାନ ହୋଇ ତୁମ୍ଭେ ଶୁଣ ନୃପନିଧି

ସମରେ ବିନାଶ ଗଲା ତୁମ୍ଭର ସମୃଦ୍ଧି ।

ଜମ୍ୱୁଦ୍ୱୀପ ମଧ୍ୟେ ତୁମ୍ଭେ ରାଜ ଶିରୋମଣି

ଛୟାଣୋଇ ସସ୍ର ରାଜା ବନ୍ଦୀ କଲ ଜିଣି

ଯେ ତୁମ୍ଭର ବୈରୀ ସେହି ସମସ୍ତଙ୍କ ବାଦୀ

ତବ ଆଜ୍ଞା ପରମାଣେ ଗଲୁ ତାକୁ ସାଧି ।

ଅସଂଖ୍ୟ ସଇନ ଆମ୍ଭେ ସେ ତିନିହେଁ ଏକା

ରଥ ଗଜ ସୈନ୍ୟ କେହି ସଙ୍ଗେ ନାହିଁ ସଖା ।

ତୁମ୍ଭର ପରାଏ ରାଜା ରଣରଙ୍ଗେ ପଶି

କିଛି କାର୍ଯ୍ୟ ନ ପାଇଲ ଏତେ ସୈନ୍ୟ ନାଶି ।

ମୂଷଳ ବେଣ୍ଟକୁ ଗଜଦନ୍ତ ସାଜିଆଣି

ହାନିଲାଭ ଦୁଇ କଥା ନ ପାରିଲ ଜାଣି ।

 

ସବୁ ରାଜାଙ୍କର ଥିଲେ ଯେତେ ସୈନ୍ୟବଳ

ରଥ ଗଜ ଆଦି କରି ପଡ଼ିଲେ ସକଳ ।

ଲୋକେ ଅପବାଦ ପୁଣି ଆପଣାର ବ୍ୟଥା

କ୍ଷତ୍ରିୟ ନିନ୍ଦିବେ ନିଶ୍ଚେଁ ଶୁଣିଲେ ଏ କଥା

ଚତୁରଙ୍ଗ ସେନା ରଥୀ ମହାରଥୀ ଥାଇ

ତିନିଜଣଙ୍କୁ ତ ଜିଣି ନ ପାରିଲା କେହି ।

ରାଜାମାନଙ୍କର ମୁଖୁଁ ଏ ବଚନ ଶୁଣି

କ୍ରୋଧ ହୋଇ ଜରାସନ୍ଧ ବୋଲେ ଶିରଝୁଣି ।

ଦେଖ ମୋ ପ୍ରତିଜ୍ଞା ଆଜ କରି ଘୋର ରଣ

ଜୀବିତେ ବାନ୍ଧିବି ଗଉଡ଼ଙ୍କୁ ଏହିକ୍ଷଣ ।

ତୁମ୍ଭେ ସକଳ ନୃପତି ଥାଅ ମୋର ପଛେ

କିପରି ମୋ କ୍ଷତ୍ରିପଣ ଦେଖିବ ପ୍ରତ୍ୟକ୍ଷେ ।

ଏତେ ବୋଲି ଗରଜିଣ କୋପେ ମହାବଳୀ

ବୋଲେ ସେ ତିନିଙ୍କି ଆଜ ଦେବି ବିଶାବଳି ।

ମୋ ଛାମୁରେ ଯେବେ ଯାଇ ନ ଥାନ୍ତା ପଳାଇ

ଏତେବେଳେ ଯାଏ କିପାଁ ରହିଥାନ୍ତେ ଜୀଇ ।

ଗର୍ବିତ ପଣରେ ଆସି ଯୁଦ୍ଧ କରୁଥିଲା

ବ୍ରହ୍ମଶକ୍ତି ଦେଖି ଭୟେ ପିଠିଦେଇ ଗଲା ।

ଅମୋଘ ସେ ବ୍ରହ୍ମଅସ୍ତ୍ର ଧର୍ମ ନ ଛାଡ଼ଇ

ପିଠିଦେଇ ଗଲେ ଆପେ ବାହୁଡ଼ି ଆସଇ ।

ତେଣୁ ବଳେ ପଳାଇଲା ମୋ ଆଗରୁ ଫିଟି

ଆଉବେଳେ ଦେଖାଦେଲେ ନ ଯିବ ଲେଉଟି ।

ଏତେ କହି ଜରାସନ୍ଧ ଧୂଆଁଇଲା ଯାନ

କରେ ଧରି ନଉସସ୍ର ବଳ ଶରାସନ ।

ପବନ ସମାନ ରଥ ଚଳଇ ପ୍ରଖରେ

ଶାଣଦିଆ କାଣ୍ଡ ବାଛି ଧରିଅଛି କରେ ।

ଅସଂଖ୍ୟ ସୈନ୍ୟ ଗୋଡ଼ାଇଛନ୍ତି ତାର ପଛ

ସବୁରି ଆଗରେ ଚଳେ ସଙ୍କୋଚନ ବତ୍ସ ।

ବେନିପାର୍ଶ୍ୱେ ଅଙ୍ଗବଳ ସତାଇଶ କ୍ଷୌଣୀ

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି ।

ଥୋକେ ଦୂରେ ବଳରାମ ଶ୍ରୀକୃଷ୍ଣ ସୁରଥ

ଶସ୍ତ୍ର ଧରି ରହିଛନ୍ତି ଚଢ଼ି ଯେଝା ରଥ ।

ମହାଘୋର ସଂଗ୍ରାମକୁ ନାହିଁ ତାଙ୍କ ଭୀତି

ଏ ସମୟେ ଆସି ଜରାସନ୍ଧ ନରପତି ।

ସେ ଯହିଁ ଅଛନ୍ତି ତହିଁ ଥୁଆଇଲା ରଥ

ହସ୍ତ ଟେକି ଗୋବିନ୍ଦଙ୍କୁ ଦେଖାନ୍ତି ସୁରଥ ।

ପଛକତି ଧାଇଁଛନ୍ତି ଚତୁରଙ୍ଗ ବଳ

ବନ୍ଧ ଭଗ୍ନ ହେଲେ ଯେହ୍ନେ ମାଡ଼ିଆସେ ଜଳ ।

ତେସନ ପ୍ରକାରେ ସୈନ୍ୟ ଆସୁଛନ୍ତି ମାଡ଼ି

ଅନେକ ଦୂର ପର୍ଯ୍ୟନ୍ତ ଲାଗିଅଛି ଧାଡ଼ି ।

ଖଣ୍ଡେଦୂରୁ ଗୋବିନ୍ଦଙ୍କୁ ଦେଖି ଜରାସନ୍ଧ

ବୋଲେ ଆରେ ଗଉଡ଼ ତୁ ଅଟୁ ବଡ଼ ମନ୍ଦ ।

ସାମାନ୍ୟ ଶତ୍ରୁ ବୋଲି ମୁଁ ଦୟାକଲି ତୋତେ

ତେଣୁ ସିନା ଏତେ ସରି କଲୁରେ ତୁ ମୋତେ ।

ଏଡ଼େ ବଡ଼ଥାଟ ନାଶଗଲା ତୋର ଯୋଗେ

ଏତେ ବୋଲି ଶତେବାଣ ବିନ୍ଧିଲା ସେ ରାଗେ ।

ରାଜାମାନଙ୍କୁ ବୋଇଲା ସର୍ବେ ଧନୁ ଧରି

ବ୍ରହ୍ମାସ୍ତ୍ର ଏହାଙ୍କୁ ପେଷ କିଛି ନ ବିଚାରି ।

ଏ ତିନି ଏଠାରୁ ଯେହ୍ନେ ନ ଯିବେ ବରତି

ତେମନ୍ତ ପ୍ରକାରେ ମାର ବେଢ଼ି ଚଉକତି ।

ଏତେ ବୋଲି ଜରାସନ୍ଧ ଝିଙ୍କି ଶରାସନ

ବଳରାମ ଉପରକୁ ବିନ୍ଧିଲା ମାର୍ଗଣ ।

ଧାତିକାରେ ସହସ୍ରେକ ନାରାଚ ପୂରାଇ

ସୁରଥକୁ ବିନ୍ଧିଲା ସେ କୋପମୁଖ ହୋଇ ।

ନାରାଚ ଆସନ୍ତେ ଦୂରୁ ଦେଖି ଚକ୍ରପାଣି

କାଟି ଖଣ୍ଡ ଖଣ୍ଡ କଲେ ଶାର୍ଙ୍ଗଧନୁ ଟାଣି ।

ଦେଖି ଜରାସନ୍ଧ କ୍ରୋଧ ବଢ଼ଇ ଦ୍ୱିଗୁଣ

ନିମିଷକେ ବରଗିଲା ତିନିଶତ ବାଣ ।

ପୁଣି ସହସ୍ରେକ ବାଣ ଧନୁରେ ପୂରାଇ

ଚାହୁଁ ଚାହୁଁ ବିନ୍ଧିଲେ ସେ କୋପମୂର୍ତ୍ତି ହୋଇ ।

ସେ କାଳେ ତା ଅଙ୍ଗ ତେଜ ଦିଶିଲା କରାଳ

ପ୍ରଳୟ କାଳରେ ଯେହ୍ନେ ଘୋଟଇ ଅନଳ ।

ଜରାସନ୍ଧ କୋପ ଦେଖି ସକଳ ସଇନି

ନିର୍ଭୟରେ ପ୍ରହାରିଲେ ନାନାଶସ୍ତ୍ର ଘେନି ।

ରଥଗଜ ପଦାତି ଯେ ଅଶ୍ୱ ଅପ୍ରମାଣ

ଏକମୁଖ ହୋଇ ସର୍ବେ କଲେ ଘୋରରଣ ।

ଜଣକେ ସହସ୍ର ଶତ ଦଶ ବିଂଶ ବିନ୍ଧି

ସେ ତିନି ଭାଇଙ୍କ ରଥ ଗତି ଦେଲେ ରୁନ୍ଧି ।

ବୀରଙ୍କ ଚରଣାଘାତେ ପୃଥ୍ୱୀ ଟଳମଳ

ବାଣେ ବାଣ ଘଷି ହୋଇ ଉଠିଲା ଅନଳ ।

ମାର ମାର ଧର ଧର ଶବଦ ପ୍ରଚଣ୍ଡ

ବୀରଙ୍କର ସିଂହନାଦେ କମ୍ପିଲା ବ୍ରହ୍ମାଣ୍ଡ ।

ହାତୀ ରଥୀ ମହାରଥୀ ପଦାତି ସହିତେ

ବିନ୍ଧନ୍ତି ଯେ ଯାହା ବାଣ ଘେନି ଅବିରତେ ।

ଆକାଶରେ ପୂର୍ଣ୍ଣ ହେଲା ଶର କୋଟି କୋଟି

ଦିବସେ ଅନ୍ଧାରମୟ ନ ଦିଶଇ ସୃଷ୍ଟି ।

ମହା ଘୋର ମେଘ ଯେହ୍ନେ ବରଷଇ ପାଣି

ଅସ୍ତ ହେଲା ପ୍ରାୟେ ଲୀନ ହେଲେ ଦିନମଣି ।

ଘୋରନିଶା ପ୍ରାୟେ ସୃଷ୍ଟି ଦିଶଇ ଅନ୍ଧାର

କାହାରି ନେତ୍ରକୁ କିଛି ନୋହିଲା ଗୋଚର ।

ବଳରାମ ନ ଜାଣିଲେ ସୁରଥର ଗତି

ସୁରଥ ବୋଇଲା ଅବା ଶ୍ରୀକୃଷ୍ଣ ନାହାନ୍ତି ।

ରଥୀଙ୍କର ନୟନକୁ ସାରଥି ନ ଦିଶେ

ସାରଥି ବିଚାରେ ରଥେ ନାହାନ୍ତି କି ଅଶ୍ୱେ ।

କେବଳ ଶୁଭଇ ମୁଖରଡ଼ି ଗୁଣଘୋଷ

ନିର୍ଘାତ ପରାୟେ ବାଣ ପଡ଼େ ଚଉପାଶ ।

ଛୟାଣୋଇ ସସ୍ର ରାଜା ଏକମୁଖ ହୋଇ

ରାମ କୃଷ୍ଣ ସୁରଥକୁ ବିନ୍ଧନ୍ତି ତୁହାଇ ।

ଶୁକ ବୋଲନ୍ତି ଶୁଣ ହେ ପରୀକ୍ଷ ନୃପତି

ଅନେକ ସଂଗ୍ରାମ କରେ ମଗଧାଧିପତି ।

ହସ୍ତୀଙ୍କର ଗରଜନ ରଥଘୋଷ ରଡ଼ି

ପଦାତିଙ୍କ ପାଦଧ୍ୱନି ଅଶ୍ୱ ତଡ଼ବଡ଼ି ।

ଭୟଙ୍କର ଶସ୍ତ୍ରପାତ ମୁଖରାବ ଗୋଳ

ବୀରଙ୍କର ସିଂହନାଦେ କମ୍ପେ ଭୂମଣ୍ଡଳ ।

ଜରାସନ୍ଧ ଆଦିକରି ଯେତେକ ନୃପତି

ଯେ ଯାହାର ମତେ ଧାଇଁଆସି ଶୀଘ୍ରଗତି ।

ରାମ କୃଷ୍ଣ ସୁରଥକୁ ଧରିବା ମାନସେ

ବେଢ଼ିଲେ ସହସ୍ର ପୁର କରି ଚଉପାଶେ ।

ଏକ ଯୋଗେ ବେଢ଼ନ୍ତେ ସେ ଚତୁରଙ୍ଗ ଥାଟ

ସୂଚିମୁନ ଭେଦିବାକୁ ନ ରହିଲା ବାଟ ।

ଚାରି ଊଣା ଲକ୍ଷେରାଜା ଅସଂଖ୍ୟ ସଇନି

ପ୍ରହାର କରନ୍ତି କୋପେ ନାନାଶସ୍ତ୍ର ଘେନି ।

ଏସନ କଟାଳ ଯହୁଁ ଗଲା ଜରାସନ୍ଧ

ସୁଦର୍ଶନ ଚକ୍ର କରେ ଧଇଲେ ଗୋବିନ୍ଦ ।

କୋଟିଏ ସୂର୍ଯ୍ୟର ତେଜ ଯେ ଅଙ୍ଗେ ବହଇ

କ୍ଷଣକରେ ଚରାଚର ସୃଷ୍ଟି ପାରେ ଦହି ।

ସେ ଚକ୍ର ଧଇଲେ ଯହୁଁ ଦେବ ନାରାୟଣ

ହଳ ମୂଷଳ ତୋଳିଲେ ଦେଖି ସଂକର୍ଷଣ ।

ସୁରଥ ହସ୍ତେ ଧଇଲା ଲୋହସାର ଧନୁ

ଦେଖିଣ ଶଙ୍କିତ ହେଲେ ସ୍ୱର୍ଗେ ଶତମନୁ ।

ମହାବିଷ୍ଣୁ ରୂପ ଧରିଛନ୍ତି ଲକ୍ଷ୍ମୀନାହା

ସୁର ସିଦ୍ଧ ମୁନିମାନେ ଭାବୁଥାନ୍ତି ଯାହା ।

ଜାଜ୍ଜ୍ୱଲ୍ୟମାନ ମୂରତି ତେଜ ବିକରାଳ

ଯେଉଁ ରୂପ ଦେଖି ପୂରେ ଅସୁରଙ୍କ କାଳ ।

ଚକ୍ରକୁ ବୁଲାନ୍ତି କରେ ଧରି ଚକ୍ରପାଣି

ଅଦଭୂତେ ଆକାଶରୁ ଶୁଭଲାକ ବାଣୀ ।

ଭୋ ଦେବ ଶ୍ରୀନାରାୟଣ ସର୍ବ ଅନ୍ତର୍ଯ୍ୟାମୀ

ସମୟେ ଏହାକୁ ରକ୍ଷା କର ଦେବସ୍ୱାମୀ ।

ତୁମ୍ଭେ ଦେଖିଅଛ ପଣ୍ଡୁ ରାଜାଙ୍କର କଷ୍ଟ

ରାଜାସୂୟ କରାଇବେ ପାଣ୍ଡବଙ୍କ ଶ୍ରେଷ୍ଠ ।

ଲକ୍ଷେ ନୃପ ମିଳି ତହିଁ ଦେବେ ହବିର୍ଭାଗ

ସେ ଦିନୁ ଭାରତଯୁଦ୍ଧ ହୋଇବ ଉଦ୍‌ଯୋଗ ।

ଏଣୁ ଏ ରାଜାଙ୍କୁ ଏବେ ଜୀବନେ ନ ମାରି

କପଟ କରିଣ ଏଥୁ ଯାଅ ଅପସରି ।

ତୁମ୍ଭେ କି ନ ଜାଣ ପ୍ରଭୁ ଏ କଥା ସକଳ

ଏହିରୂପେ ଧାଡ଼ି ଦେବ ଅଷ୍ଟାଦଶ ବେଳ ।

ତା ସବୁ ସହିବ ତୁମ୍ଭେ ଦେବକାର୍ଯ୍ୟ ପାଇଁ

ନୋହିଲେ ଧରଣୀ ଭାର ଉଶ୍ୱାସ ନୁହଇ ।

ଏ କଥା ବିଚାର କର ପ୍ରଭୁ ହୃଦଗତେ

ମହତ ବିବେକ ତୁମ୍ଭେ ଠାକୁର ଜଗତେ ।

ଭକ୍ତକୁ ତାରିବା ପାଇଁ ତୁମ୍ଭ ଅବତାର

କାର୍ଯ୍ୟ ନାଶଯିବ ଏହା ନ କଲେ ବିଚାର ।

ଆବର ଏହାକୁ କିଛି କଟାଳ ନ କରି

ଉପହାସ ହେଉ ପଛେ ଯାଅ ଅପସରି ।

ଏମନ୍ତ ଆକାଶ ବାଣୀ ଶୁଣି କର୍ଣ୍ଣପଥେ

ସୁଦର୍ଶନ ଚକ୍ର ସଂହରିଲେ ଜଗନ୍ନାଥେ ।

ବଳଦେବ ସଂହରିଲେ ଆପଣା ଆୟୁଧ

ସାରଥିକୁ ଚାହିଁ ଆଜ୍ଞାଦେଲେ ଚକ୍ରାୟୁଧ ।

ରଥ ଲେଉଟାଇ ଏଥୁ ନିଅ ବେଗେ ବାହି

ସମର ନ କରି ଆମ୍ଭେ ଯିବା ପିଠିଦେଇ ।

ଶୁଣି ତା ସାରଥି ରଥ ପାଲଟାଇ ବାହେ

ଦେବକାର୍ଯ୍ୟେ ପିଠି ଦେଇଗଲେ ସେ ତିନିହେଁ ।

ପଛେ ବଳଦେବ ସ୍ୱାମୀ ଆଗେ ଜଗନ୍ନାଥ

ମଧ୍ୟେ ନିଜ ରଥ ଚଢ଼ି ଚଳଇ ସୁରଥ ।

ସଇନ ଭିତରେ ପଶିଗଲେ ନିଃଶଙ୍କରେ

ଦେଖଣାହାରୀଏ ଦେଖୁଛନ୍ତି ଯେ ଯାହାରେ ।

ସବୁଙ୍କୁ ଭେଳିକି ଲଗାଇଲେ ଦେବହରି

ତାଟକା ହୋଇଣ ସର୍ବେ ଚାହୁଁଛନ୍ତି ହେରି ।

ଗଲା ଗଲା ବୋଲି ଶୁଭେ ମୁଖରାବ ଗୋଳ

ଚମତ୍କାର କରି ସର୍ବେ କଲେ କୋଳାହଳ ।

କେ ବୋଲଇ ଏତେ ଲୋକ ଥାଉ କାହିଁଗଲା

କେ ବୋଲଇ ଜରାସନ୍ଧ ଭୟେ ପଳାଇଲା ।

ସବୁ ରାଜାମାନେ ଛନ୍ତି ଯେଝା ସୁଖେ ଜଗି

ହାତୀ ଘୋଡ଼ା ରଥ-ରଥୀ ଦେହେ ଦେହଲାଗି ।

କେଣେ ପଳାଇଲେ କେହି ନ ପାରିଲେ ଦେଖି

ଜଣକରେ ବନ୍ଦୀ ହେଲା ସମସ୍ତଙ୍କ ଆଖି ।

ଏବେ ହୋ ଖୋଜିବା ଚାଲ ଗଲା କେଉଁବାଟେ

ଥୋକାଏ ବୋଲନ୍ତି ଲୁଚିଥିବେ ଏହି ଥାଟେ ।

ଶତେକ ଯୋଜନ ମାଡ଼ି ଅଛନ୍ତି ସଇନି

ଏଥୁ କେମନ୍ତେ ପଳାଇ ଯିବେ ପ୍ରାଣ ଘେନି ।

ଜରାସନ୍ଧ ବୋଲେ ନୃପଗଣଙ୍କୁ ଅନାଇଁ

ପଥ ଅନୁସରି ଚାଲ ମାରିବା ଗୋଡ଼ାଇ ।

ନିସତ ହେଲେଣି ଫିଟିଯିବ କେତେ ଦୂର

ଗୋଡ଼ାଇଲେ ନିଶ୍ଚେଁ ଆଗେ ପଡ଼ିବ ଆମ୍ଭର ।

ଏମନ୍ତ ବୋଲିଣ ସର୍ବେ ଚାହିଁ ଚଉଦିଗେ

ଦେଖିଲେ ସେ ତିନିରଥ ଯାଉଅଛି ଆଗେ ।

ସହସ୍ରେ ଆଦିତ୍ୟ ଅବା ଉଦୟ ହୋଇଛି

ଧ୍ୱଜରେ ବାନର ବସି ଶୋଭା ପାଉଅଛି ।

ଆଗେ ଯାନ୍ତି ବଳରାମ ମଧ୍ୟରେ ସୁରଥ

ସବୁ ପଛେ ଲୀଳା ବିଜେ ପ୍ରଭୁ ଜଗନ୍ନାଥ ।

ଏମନ୍ତ ଦେଖିଣ କୋପେ ମଗଧ ନୃପତି

ଗୋଡ଼ାଇଲେ ସୈନ୍ୟ ସଖା ଘେନି ପଛକତି ।

ପିଠଦେଉ ତିନି ରଥ ଯାଉଅଛି ଆଗେ

ପଛେ ପଛେ ଜରାସନ୍ଧ ଗୋଡ଼ାଇଲେ ରାଗେ ।

ଆଡ଼ ତିଆଡ଼ ଯେ ବକ୍ର ହୋଇଣ ଚଳନ୍ତି

ଥୋକେ ଦୂର ଲୁଚି ଥୋକେ ଦୂରେ ଦେଖାଦ୍ୟନ୍ତି ।

ଖଣ୍ଡେ ଦୂରେ ଦେଖି ଧରି ନ ପାରନ୍ତି କେହି

ପୁଣି ଆଗସରି ଯାନ୍ତି ଏକମୁଖ ହୋଇ ।

ଧରାଦେଲା ପ୍ରାୟେ ଖଣ୍ଡେ ଦୂରେ ରହିଥାନ୍ତି

ସଇନ ଗୋଡ଼ାଇ ଯାନ୍ତେ ପୁଣି ସେ ପଳାନ୍ତି ।

ରଥୀ ମହାରଥୀ କେହି ନ ପାରିଲେ ଧରି

ସମସ୍ତଙ୍କୁ ଅତିକ୍ରମି ଗଲେ ଦେବ ହରି ।

ଘାଏ ଘୁମାଇଲେ ଥୋକେ ସେନା ମହୀଲୋଟି

ଥୋକେ ଚଳି ନ ପାରିଣ ରହିଲେ ପାଲଟି ।

ଥୋକେ ସେନା ହେଲେ କ୍ଷୁଧା ତୃଷ୍ଣାରେ ଆକୁଳ

ଶ୍ରାନ୍ତ ହୋଇ ଥୋକେ ଆଶ୍ରେ କଲେ ବୃକ୍ଷମୂଳ ।

ଶସ୍ତ୍ରାଘାତେ ଅଙ୍ଗମାନ ଯାଇଥିଲା ଛିଡ଼ି

ବାଣପୀଡ଼ା ହେତୁ ଥୋକେ ମଲେ ବାଟେ ପଡ଼ି ।

ଥୋକାଏ ରହିଲେ ଆଗେ ନ ଦିଶଇ ବାଟ

ପ୍ରାଣ ବିକଳରେ ଥୋକେ ହେଲେ ଛଟପଟ ।

ଏମନ୍ତେ ପନ୍ଦର ଘଡ଼ି ହୋଇଲାକ ବେଳ

ଦିନକର ଦେବ ଆରୋହିଲେ ଅସ୍ତାଚଳ ।

ଚାହୁଁ ଚାହୁଁ ପରବେଶ ହୋଇଲା ରଜନୀ

ପ୍ରଦୀପ ଦିହୁଡ଼ି ହୁଳା ଲଗାନ୍ତି ସଇନି ।

ଅନ୍ଧାର ନିଶାରେ ଚଳି ଥୋକେ ଦୂର ଗଲେ

ଗନ୍ଧର୍ବୀ ନଦୀର ତୀରେ ପ୍ରବେଶ ହୋଇଲେ ।

ଗନ୍ଧର୍ବ ପର୍ବତେ ମଲ୍ଲ ନାମେ ଅଛି ପଦା

ମଳୟ ନାମରେ ତହିଁ ଅଛି ଏକ ଗଦା ।

ସେ ଗନ୍ଧର୍ବ ଗିରି ଅଟେ ଅତ୍ୟନ୍ତ ସୁସଞ୍ଚ

ତିନିଯୋଜନ ବିସ୍ତାର ପାଞ୍ଚଯୂଣ ଉଚ୍ଚ ।

ସୁସ୍ୱାଦୁ ଶୀତଳ ଜଳ ଦେଖି ସେ ନଦୀରେ

ସ୍ନାନପାନ କଲେ ସର୍ବେ ମିଳି ଯେ ଯାହାରେ ।

ପଥଶ୍ରମେ ପୀଡ଼ା ପାଇ ହାତୀ ଘୋଡ଼ା ରଥୀ

ପଦାତିକ ଆଦି କେହି ଚଳି ନ ପାରନ୍ତି ।

ଜରାସନ୍ଧ ବୋଲେ ଆଜ ରହିବା ଏଠାଇଁ

ପରଭୂମି ରାତ୍ରକାଳେ ପଥ ନ ଦିଶଇ ।

ଖୋଜି ନ ପାଇବା ଆଉ ଅନ୍ଧାର ନିଶାରେ

କାହିଁ ଗଲା ଜଣାଯିବ କାଲି ପ୍ରଭାତରେ ।

ଏସନକ ଆଜ୍ଞା ଯହୁଁ ଦେଲା ସେ ରାଜନ

ଠଣା ମାଡ଼ି ବସା କଲେ ସକଳ ସଇନ ।

ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି

ଇତି ଶିରୀ ଭାଗବତ ପୁଣ୍ୟମୟ ଧ୍ୱନି ।

ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ

ଧାଡ଼ି ଖଣ୍ଡର ପ୍ରଥମ ଅଧ୍ୟା ଶେଷ ହୋଏ ।

ଅଚ୍ୟୁତ କହଇ କର୍ଣ୍ଣେ ଶ୍ରୀହରି ଚରିତ

ଶୁଣି ସାବଧାନେ ହୁଅ ସଂସାରୁ ମୁକତ ।

 

ଜରାସନ୍ଧର ଦ୍ୱିତୀୟବାର ଧାଡ଼ି

ଜୟ ଜୟ ନାରାୟଣ ଅନନ୍ତ ସ୍ୱରୂପୀ

ସପତ ସମୁଦ୍ର ମଧ୍ୟେ ଯେଉଁ ଦେହ ବ୍ୟାପୀ

ଚୌରାଶୀ କାଠ ଗଭୀର ଯେଉଁ ମହାଜଳ

କାରୁଣ୍ୟ ବାରାନିଧି ଯେ ଅକଳିତ କୂଳ ।

ସେ ଜଳ ଭିତରେ ତବ ଶରୀର ଅକ୍ଷୟେ

ପୂରି ଉଛୁଳିଲା ଜଳ ଶୂନ୍ୟ ପଥଯାଏ ।

ଶଙ୍ଖାସୁର ନାମେ ମହାଦୁଷ୍ଟ ଦୈତ୍ୟ ଥିଲା

ବ୍ରହ୍ମାଙ୍କର ବେଦପୋଥି ଚୋରାଇଣ ନେଲା ।

କାନ୍ଦିଣ ବିକଳେ ବ୍ରହ୍ମା କଲେକ ଗୁହାରି

ତହିଁର ନିମନ୍ତେ ଜଳେ ମତ୍ସ୍ୟରୂପ ଧରି ।

ବେଦ ଉଦ୍ଧରିଲେ ବଳେ ଦୈତ୍ୟ କରି ହତ

ତେଣୁ ରକ୍ଷା ହେଳା ଚରାଚର ଏ ଜଗତ ।

ଆଦ୍ୟରୁ ଶ୍ରୀଭୁଜେ ଶଙ୍ଖ ଚକ୍ର ଅଛି ବହି

ନିରାକାର ପୁରୁଷ ତୋ ରୂପ ରେଖ ନାହିଁ ।

ସ୍ୱାମୀ ପୃଥ୍ୱୀ ଭାରାଭର ନିବାରିବା ଅର୍ଥେ

ଦିବ୍ୟ ଦେହେ ଅବତାର ତୁମ୍ଭେ ପୁଣ୍ୟପଥେ ।

 

ତୁମ୍ଭର ସର୍ଜିଲାସିନା ସର୍ବ ବସୁନ୍ଧରୀ

ଶୁଭଶୁଭ କର୍ମ ତୁମ୍ଭେ ପାର ଆନ କରି ।

ଦକ୍ଷିଣ ସମୁଦ୍ର ତୀରେ ନୀଳ ପରବତ

ଚତୁର୍ଦ୍ଧା ରୂପରେ ତହିଁ ବିଜେ ଜଗନ୍ନାଥ ।

ଅବିକାର ପରଂଜ୍ୟୋତି ପ୍ରତ୍ୟକ୍ଷେ ଉଦୟ

ଦର୍ଶନ ମାତ୍ରକେ କୋଟି ପାପ ଯାଏ କ୍ଷୟ ।

ଅପାର ମହିମା ଦେବ କେ ପାରିବ କହି

ଭକତ ଜନ ବାନ୍ଧବ ଲକ୍ଷ୍ମୀଦେବି ସାଇଁ ।

ଶ୍ରୀଜଗନ୍ନାଥ ଦେବଙ୍କ ଚରଣେ ପ୍ରଣମି

ଅଚ୍ୟୁତ ଦାସ କବିକି ଉଦ୍ଧରିବା ସ୍ୱାମୀ ।

ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା

ଶୁକମୁନି ଚରଣରେ କଲେ ଦିବ୍ୟ ପୂଜା ।

ଲକ୍ଷେକ ସୁବର୍ଣ୍ଣ ଦେଇ ପାଦତଳେ ପଡ଼ି

ପୁଣି ପଚାରଇ ରାଜା ଶିରେ କରଯୋଡ଼ି ।

ଭୋ ସ୍ୱାମୀ ଜରାସନ୍ଧର ଆଦ୍ୟ ଧାଡ଼ି ବାଣୀ

ପାପାଦି ପାତକ ମାନ କ୍ଷୟ କଲି ଶୁଣି ।

ତଦନ୍ତରେ ଆନ କଥା ହେଲା ପୁଣ କିସ

ବିସ୍ତାରି କହିବା ମୋତେ ବେଦବ୍ୟାସ ଶିଷ୍ୟ ।

ଏହାଶୁଣି ବୋଲନ୍ତି ଯେ ଶୁକ ମହାଯତି

ଶୁଣ ହେ ପରୀକ୍ଷ ରାଜା ପଣ୍ଡୁ ପଣନାତି ।

ସକଳ ରାଜାଙ୍କ ସୈନ୍ୟ ପରିଶ୍ରମ ପାଇ

ରାତ୍ରରେ ଶୁତିଲେ ଯେ ଯାହାରେ ନିଦ୍ରାଯାଇ ।

ସୁରଥ ସହିତେ ବଳଦେବ ବନମାଳୀ

ପାଦୁକା ମନ୍ତ୍ର ସୁମରି ଧାତିକାରେ ଚଳି ।

ତିନି ରଥରେ ତିନିହେଁ ଆରୋହିଣ ବେଗେ

ତକ୍ଷ୍‌ଣେ ମିଳିଲେ ଆସି ମଥୁରାର ଲାଗେ ।

ସିହଂଦ୍ୱାରେ ରଥ ରଖି ଭିତରକୁ ଗଲେ

ଉଗ୍ରସେନ ନୃପତିର ଛାମୁରେ ମିଳିଲେ ।

ତିନି ନାତି ଅଜାପାଦେ କରନ୍ତି ବନ୍ଦନ

ଆସନ ତେଜିଲେ ତାଙ୍କୁ ଦେଖି ଉଗ୍ରସେନ ।

ଆନନ୍ଦରେ ଗଦ ଗଦ ପୁଲକିତ ଗାତ୍ର

ସନ୍ନିଧିକୁ ହାକାରିଲେ ଅମନାତ୍ୟ ପାତ୍ର ।

ସିଂହାସନେ ବିଜେ କଲେ ରାମକୃଷ୍ଣ ଧରି

ସଂଗ୍ରାମ ବାରତା ତାଙ୍କୁ କହିଲେ ଶ୍ରୀହରି ।

ସମସ୍ତ ଯାଦବ ଶୁଣି ହରଷ ହୋଇଲେ

ସଭାଭଙ୍ଗ କରି ଯେଝା ପୁରେ ଚଳିଗଲେ ।

ବସୁଦେବ ନବରକୁ ରାମକୃଷ୍ଣ ବେନି

ବିଜେ କଲେ ସୁରଥକୁ ସଙ୍ଗତରେ ଘେନି ।

ସ୍ନାହାନ ଭୋଜନ ସାରି ସୁଖେ ବେନି ଭାଇ

ଅମୂଲ୍ୟ ରତ୍ନ ପଲ୍ୟଙ୍କେ ପହୁଡ଼ିଲେ ଯାଇ ।

ପାଦ ମଞ୍ଚାଳଇ ବସି ସୁରଥ କୁମର

ନିଦ୍ରାବଶେ ଅଚେତନ ରାମ ଚକ୍ରଧର ।

ଏଥୁଅନ୍ତେ ଜରାସନ୍ଧ ନିଶି ଅବସାନେ

ଖଟଣି ସାମନ୍ତ ଘେନି ଉଦବେଗ ମନେ ।

ଚାରି ଦିଗେ ଚାରିଲକ୍ଷ ଡଗର ବରଗି

ଆଜ୍ଞା ଦେଲା ରାମକୃଷ୍ଣ ବାର୍ତ୍ତା ଆଣ ବେଗି ।

ହେଳା ନ କରିଣ ବୁଲି ଯତ୍ନରେ ଖୋଜିବ

ଲାଭ ହାନି ବାର୍ତ୍ତା ଦେଇ ଚାର ପେଷୁଥିବ ।

ଧାଉଡ଼ିଆ ଆଡ଼ତିଆ ଯୋଡ଼ି ଯୋଡ଼ି ଥିବେ

ଦେଶାଉର କଥା ଆଣି ଛାମୁରେ କହିବେ ।

ଶତ୍ରୁ ନ ପାଇଲେ ଆମ୍ଭେ ଲେଉଟି ନ ଯିବୁ

ଖୋଜି ଆସିବା ପର୍ଯ୍ୟନ୍ତେ ଏହିଠାରେ ଥିବୁ ।

ଯେ ଆଗ ଖୋଜିଣ ମୋତେ ବାର୍ତ୍ତା ଆଣିଦେବ

ମୋ ରାଜ୍ୟରେ ନିଶ୍ଚେଁ ସେହି ଅମନାତ୍ୟ ହେବ ।

ଏତେ ବୋଲି ଜରାସନ୍ଧ ଶାଢ଼ୀମାଳା ଦେଇ

ଆଜ୍ଞା ଦେଲା ରାମ କୃଷ୍ଣ ଖୋଜି ଆସ ଯାଇ ।

ଶୁଣିଣ ଡଗରାମାନେ ଧାତିକାରେ ଚଳି

ନିଅବକାଶେ ଖୋଜିଲେ ନାନାଦେଶ ମିଳି ।

ଏସନ ପ୍ରକାରେ ତହିଁ କେତେ ଦିନ ଗଲା

ମଥୁରା ନଗରୁ ଚାର ଆସି ଜଣାଇଲା ।

ଭୋ ମଣିମା ସାବଧାନେ ଶୁଣ ନୃପମଣି

ରଣଭଙ୍ଗ ହୋଇ ଗଲେ ରାମ ଚକ୍ରପାଣି ।

ମଥୁରା କଟକେ ଯାଇ ପ୍ରବେଶ ହୋଇଲେ

ଉଗ୍ରସେନ ଆଗେ ଯୁଦ୍ଧ ବାରତା କହିଲେ ।

ଯାଦବେ ପାଇଲେ ଶୁଣି ମନେ ଘୋରବ୍ୟଥା

କାହାକୁ ନ ରୁଚେ ରାମ କୃଷ୍ଣଙ୍କର କଥା ।

ଅଦ୍ୟାପି ସେ ତିନି ଜଣ ଅଛନ୍ତି ସେ ଦେଶେ

ଗୁପତ ସମ୍ୱାଦ ଆମ୍ଭେ ବୁଝିଲୁ ବିଶ୍ୱାସେ ।

ଏହା ଶୁଣି ଜରାସନ୍ଧ କ୍ରୋଧଭରେ କମ୍ପି

ନୟନ ତରାଟି ଚାହେଁ ଦନ୍ତେ ଦନ୍ତ ଚାପି ।

ବିକରାଳ ମୂର୍ତ୍ତି ରଟ ମଟ ଦ୍ୟନ୍ତ ପାଟି

ପ୍ରଖର ନିଃଶ୍ୱାସ ବହେ ନୟନ ତରାଟି ।

ରୋମ ପୁଲକଇ ବୀର ଛାଡ଼େ ସିଂହରଡ଼ି

ଯୁଗାନ୍ତ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।

ବାସ୍ତରି ଭାର ଗଦା ସେ ଉର୍ଦ୍ଧ୍ୱରେ ବୁଲାଇ

ସିଂହାସନୁ ଡେଇଁ ତଳେ ଉଭା ହେଲା ଯାଇ ।

ପାଦଭରେ କମ୍ପୁଅଛି ପୃଥ୍ୱୀ ନବଖଣ୍ଡ

କୋପେ ଆଜ୍ଞା ଦେଲା ବେଗେ ସାଜ ସମଦଣ୍ଡ ।

ଶୁଣିଣ ସାଜିଲେ ନୃପେ ଯେ ଯାହାର ବଳ

ହାତୀ ରଥୀ ମହାରଥୀ ପଦାତି ସକଳ ।

ଚାରି ଊଣା ଲକ୍ଷେ ରାଜା ଅନର୍ଯ୍ୟାପ ଥାଟ

ବନ ଗିରି ମାଡ଼ି କଲେ ସମତୁଲ ବାଟ ।

ଚୁହାଣ ନୃପତି ବାଟ କଢ଼ାଉଛି ଆଗେ

ସୈନ୍ୟ ଘେନି ଜରାସନ୍ଧ ଚଳେ ଅତି ରାଗେ ।

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତି

ହରିବଂଶ ପୁରାଣ ଏ ପବିତ୍ର ଭାରତୀ ।

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥି ଶୁକ୍ରବାର

ରେବତୀ ନାମେ ନକ୍ଷତ୍ର ଅଟେ ସେ ଦିନର ।

ବାଣିଜ୍ୟ ନାମେ କରଣ ଇନ୍ଦ୍ରନାମେ ଯୋଗ

ମେଷ ସଂକ୍ରାନ୍ତିରୁ ସପ୍ତବିଂଶ ଦିନ ଭୋଗ ।

ସେ ଦିନ ବସନ୍ତଯାତ୍ରା ସମାପତ କରି

ହରଷେ ବାହୁଡ଼ା ବିଜେ କଲେ ରାମହରି ।

ଉଗ୍ରସେନ ଆଦିକରି ସକଳ ଯାଦବେ

ଗହଣ ଲଗାଇ ଯାତ୍ରା କରନ୍ତି ସରବେ ।

ବଳଦେବ ସହିତରେ ସୁରଥକୁ ଘେନି

ପଛିଆଣି ଥାଟେ ବିଜେ କଲେ ଚକ୍ରପାଣି ।

ଯତନରେ ପୃଷ୍ଠ ରକ୍ଷା କଲେ ଲକ୍ଷ୍ମୀସାଇଁ

ଜାଣନ୍ତି ସେ ଜରାସନ୍ଧ ଆସୁଅଛି ବାହି ।

ଚୌରାଶୀ କୋଟି ଯାଦବେ କରନ୍ତେ ଆରେଣି

ଜରାସନ୍ଧ ନୃପତିକି ନ ପାରିଲେ ଜିଣି ।

ଏ ଯାଦବେ ପରାଭବ ପାଇବେ କିମର୍ଥେ

ଆମ୍ଭେ ପଛେ ଥିବା ଯୁଦ୍ଧ କରୁ ଆମ୍ଭ ସାଥେ ।

ଏମନ୍ତ ବିଚାରି ପ୍ରଭୁ ପଛଥାଟେ ରହି

ଲୀଳାରେ ଗମନ କଲେ କାହାକୁ ନ କହି ।

ଏଥୁ ଅନନ୍ତରେ ଯହୁଁ ପାହିଲା ରଜନୀ

ସମସ୍ତ ଦେବତା ଆଳେ ଶୁଭେ ଶଙ୍ଖଧ୍ୱନି ।

ଦଣ୍ଡୁଆସିମାନେ ଠଣା ଛାଡ଼ି ଗୁହେ ଗଲେ

ଦ୍ୱିଜଗଣ ସ୍ନାନସାରି ସନ୍ଧ୍ୟା ସୁମରିଲେ ।

ପଥିକ ଚାଲିଲେ ଉଚ୍ଚେ ରାମ ଦେଲା କାକ

ବୃକ୍ଷ କୋରଡ଼ରେ ପଶି ଲୁଚିଲା ପେଚକ ।

ଜମ୍ଭୁକ ଶଶକ ମୃଗଆଦି ବନଚରେ

ସଭୟେ ଲୁଚିଲେ ପଶି ଅଗମ୍ୟ ବନରେ ।

ପ୍ରଭାତ ହୁଅନ୍ତେ ସର୍ବେ ଫିଟାଇ କବାଟ

ଛେରାପାଣି ପକାଇଣ ପହଁରନ୍ତି ବାଟ ।

ତାଟି ଫେଡ଼ିଣ ପସରା ବାଢ଼ିଲେ ବେପାରି

ଚାଟପୋଏ ପଢ଼ିଗଲେ ହାତେ ଖଡ଼ି ଧରି ।

ଦେବତା ପୂଜିଲେ ଦ୍ୱିଜେ ଧୂପଦୀପ ଦେଇ

ଗୋପାଳେ ଦୋହନ ସାରି ଫଟାଇଲେ ଗାଈ ।

ଯେ ଯାହାର ନିତ୍ୟକର୍ମ ସାରି ସର୍ବଲୋକେ

ଆପଣା ଜୀବିକାମାନେ ଅରଜିଲେ ଥୋକେ ।

ଚକ୍ରବାକ ଚକ୍ରବାକୀ ବିଚ୍ଛେଦରେ ଥିଲେ

ସନ୍ତାପ ଛାଡ଼ିଣ ଏକ ଆସନେ ବସିଲେ ।

କୁମୁଦ ମୁଦ୍ରିତ ହେଲା ଫୁଟିଲା କମଳ

ଆଦିତ୍ୟ କିରଣେ ଦିଗ ଦିଶେ ପରିମଳ ।

ଏମନ୍ତେ ଘଡ଼ିଏ ବେଳ ହେଲା ରାତ୍ର ପାହି

ଜରାସନ୍ଧ ନୃପ ଆସେ ସମଦଣ୍ଡ ବାହି ।

ଗୁପତରେ ଜଗିଥିଲା ଆସିଣ ଆଗହୁଁ

ମଥୁରାପୁରକୁ ଧାଡ଼ିଦେଲା ଚାହୁଁ ଚାହୁଁ ।

ପାଦଗତି କରି ବିଜେ ରାମକୃଷ୍ଣ ବେନି

ଏମନ୍ତ ସମୟେ ମାଡ଼ି ପଡ଼ିଲେ ସଇନି ।

ଜରାସନ୍ଧ ଦେଖି ବୋଲେ ଆରେ ରେ ଗଉଡ଼

ନ ଜାଣି ମୋ ସଙ୍ଗେ ଦ୍ରୋହ ଅରଜିଲୁ ମୂଢ଼ ।

କପଟେ ମାଇଲୁ ମୋର ଅନେକ ସଇନ

ଏହି ଗଦାଘାତେ ତୋର ଘେନିବି ଜୀବନ ।

ବାରେକ ଭଣ୍ଡାଇ ଗଲୁ କପାଳ ସୁଯୋଗେ

ଆଜ କାଳ ପୂର୍ତ୍ତି ହେଲା ପଡ଼ିଲୁ ମୋ ଆଗେ ।

ଏଠାରୁ ବରିତ ଯାଇ ନ ପାରିବୁ ଆଜ

ତୋତେ ସଂହାରିଲେ ମୋର ସିଦ୍ଧ ହେବ କାର୍ଯ୍ୟ ।

ରଥେ ଥାଇ ଜରାସନ୍ଧ କହେ କ୍ରୋଧ କରି

ତଳେ ଉଭା ହୋଇଛନ୍ତି ରାମ ଚକ୍ରଧାରୀ ।

ଏକାଛନ୍ତି ରାମକୃଷ୍ଣ କରେ ଶସ୍ତ୍ର ନାହିଁ

ଶତେପୁର କରି ସୈନ୍ୟ ରହିଲେ ବେଢ଼ାଇ ।

ତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ରମାର କାନ୍ତି

ପଦ୍ମବନରେ ମରାଳ ଯେହ୍ନେ ଶୋଭାପାନ୍ତି ।

ଶୃଗାଳ ଯୂଥରେ ଯେହ୍ନେ ସିଂହ ପାଏ ଶୋଭା

କାଚ ମଣି ସଙ୍ଗେ ଯଥା ମାଣିକ୍ୟର ପ୍ରଭା ।

ଛାଗଳ ପଲରେ ଦିଶେ ଶାର୍ଦ୍ଦୂଳ ଯେସନ

ତେମନ୍ତ ଦିଶନ୍ତି ତହିଁ ରାମ ଭଗବାନ ।

ସୈନ୍ୟକୁ ଚାହିଁଣ ଆଜ୍ଞା ଦେଲା ଜରାସନ୍ଧ

ଜୀବନ୍ତା ଧରିଣ ୟାଙ୍କୁ ନ ମାରିଣ ବାନ୍ଧ ।

ଆୟତ୍ତେ ପଡ଼ିଛି କାହିଁ ପଳାଇବ ଆଜ

ଏ ଘାନ୍ତି ସଫଳ ନିଶ୍ଚେଁ ହେଲା ମୋର କାର୍ଯ୍ୟ ।

ଏମନ୍ତ କହିଣ ରଥ ଧୂଆଇଁଲା ବେଗେ

ରାମକୃଷ୍ଣଙ୍କୁ ଧରିବା ପାଇଁ ଅତି ରାଗେ ।

ଏହା ଦେଖି ରାମକୃଷ୍ଣ ବିଶ୍ୱରୂପ ଧରି

ସୈନ୍ୟ ମଧ୍ୟେ ପଶିଗଲେ ପାଦଗତି କରି ।

ଦେଖିଣ ସକଳ ନୃପେ ଧରନ୍ତି ଗୋଡ଼ାଇ

ହାତେ ହାତ ଧରୁ ଧରୁ ଗଲେ ସେ ଫେଡ଼ାଇ ।

ସଇନ ଭିତରେ ପଶି କ୍ଷେପିଣ ପଳାନ୍ତି

ଦେଖି ଚମତ୍କାର ହେଲେ ସକଳ ନୃପତି ।

ଜରାସନ୍ଧ ଗୋଡ଼ାଇଛି ତାଙ୍କ ପୃଷ୍ଠଭାଗେ

ତେଇଶି କ୍ଷଉଣୀ ବଳ ଅଛନ୍ତି ତା ସଙ୍ଗେ ।

ଆବର ଅନେକ ରାଜା ଚତୁରଙ୍ଗ ଥାଟ

ନାନାଶସ୍ତ୍ର ଧରି ଯତ୍ନେ ଜଗିଛନ୍ତି ବାଟ ।

ସମସ୍ତଙ୍କୁ ପିଠି ଦେଇ ରାମ ବନମାଳୀ

ସତ୍ୱରେ ପଳାନ୍ତି କେହି ନ ପାରେ ଓଗାଳି ।

ଗଲା ଗଲା ବୋଲି ଡାକ ଶୁଭେ ଚଉକତି

ମୁଖରାବ ଶବଦରେ କମ୍ପଇ ଧରିତ୍ରୀ ।

ଛାଗଳ ପଲରେ ଯେହ୍ନେ ଶାର୍ଦ୍ଦୁଳ ପଶଇ

ତେସନ ପ୍ରକାରେ ପଶିଗଲେ ବେନିଭାଇ ।

ଆଗେ ବଳରାମ ସ୍ୱାମୀ ପଛେ ଶିରୀପତି

ଦେବକାର୍ଯ୍ୟ ନିମନ୍ତେ ସେ ପିଠି ଦେଇଛନ୍ତି ।

ସାହସ ଦେଖାଇ ଭଣ୍ଡିଗଲେ ତେଡ଼େ ଥାଟ

ବେନିଧାଡ଼ି ପଟୁଆର ତିଳେ ନାହିଁ ବାଟ ।

ପବନହୁଁ ବେଗ ହୋଇ ଗଲେ ନନ୍ଦବତ୍ସେ

ଶତେଯୁଣ ମାଡ଼ି ସେନା ଗୋଡ଼ାଇଲେ ପଛେ ।

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି

ସମରୁ ବାହାର ହୋଇଗଲେ ଭାଇ ବେନି ।

ଅନେକ ନିର୍ଝର ବନ ଶାଳଶିଳ ଗିରି

ନିମେଷ ମାତ୍ରକେ ଗଲେ ଅତିକ୍ରମ କରି ।

ମାୟାରେ ପଳାନ୍ତି ବେନି ମାୟାଧର ଆଗେ

ଜରାସନ୍ଧ ଗୋଡ଼ାଇଛି ହାତେ ହାତେ ଲାଗେ ।

କଞ୍ଚନ ନାମରେ ଏକ ପର୍ବତ ସୁସଞ୍ଚ

ଯୋଜନେ ବିସ୍ତାରସ୍ଥଳୀ ଦଶଯୂଣ ଉଚ୍ଚ ।

ବତିଶ ଯୋଜନ ଦୀର୍ଘ ନବଯୂଣ ପ୍ରତି

ସମସ୍ତ ପାଷାଣ ତହିଁ ଦିଶେ ଏକଜାତି ।

ସେ ଗିରି ଦକ୍ଷିଣ ଭାଗେ ନରମଦା ନଦୀ

ବେନିତ୍ରୋଶ ମାଡ଼ି ବହେ ଉତ୍ତରକୁ ଭେଦି ।

ସେଠାରେ ପ୍ରବେଶ ହୋଇ କୃଷ୍ଣ କାମପାଳ

ଦେଖିଲେ ଅତ୍ୟନ୍ତ ବେଗେ ବହୁଅଛି ଜଳ ।

ନାବ ନ ଦେଖିଲେ ନଦୀ ପାରହେବା ପାଇଁ

ତେଣୁ ସେ କୂଳରେ ଉଭା ହେଲେ ବେନି ଭାଇ ।

ପଛେ ଜରାସନ୍ଧ ସୈନ୍ୟ ପଡ଼ିଅଛି ମାଡ଼ି

ଚାରିଊଣା ଲକ୍ଷେରାଜା ଦେଇଛନ୍ତି ଧାଡ଼ି ।

ରାମକୃଷ୍ଣ ଉଭା ହୋଇଥିଲେ ନଦୀତଟେ

ଚତୁରଙ୍ଗ ସେନା ଆସି ମିଳିଲେ ନିକଟେ ।

ଅତ୍ୟନ୍ତ କଟାଳ ଯହୁଁ କଲେ ଆସି କୋହେ

ନଦୀ ଭିତରକୁ ଡେଇଁ ପଡ଼ିଲେ ସେ ଦୁହେଁ ।

ଅକାତ ଜଳରେ ପଡ଼ି ପହଁରିଣ ଗଲେ

ନିଃଶ୍ୱାସ ମାତ୍ରକେ ଆର କୁଳରେ ଲାଗିଲେ ।

ମଗର କୁମ୍ଭୀର ସୁସୁମ୍ୱର ଭେଳା ଭେଳା

ପ୍ରଖର ଲହରୀ ଉଠେ ସ୍ରୋତ ଅନର୍ଗଳା ।

ଆତଙ୍ଗେ ପଡ଼ିଲେ ତହିଁ କାହ୍ନୁ ସଙ୍କର୍ଷଣ

କୂଳେ ଥାଇ ଦେଖୁଥାନ୍ତି ସବୁ ନୃପଗଣ ।

ବେନିଭାଇ ନଦୀ ପାର ହୋଇ ଚଳିଗଲେ

ମଗଧ ଦେଶରେ ଯାଇ ପ୍ରବେଶ ହୋଇଲେ ।

ଥୋକାଏ ଦୂରେ ଦେଖିଲେ ନଗ୍ରେକ ଉତ୍ତମ

ବିଷ୍ଣୁ ପୁର ପାଟଣା ଯେ ଅଟେ ତାର ନାମ ।

ଷାଠିଏ ସହସ୍ର ଘର ବସଇ ତହିଁରେ

କୁବେର ସମାନ ଛନ୍ତି ଧର୍ମବନ୍ତ ନରେ ।

ମେଢ଼ ମଣ୍ଡପ ଦେଉଳ ଅଟ୍ଟାଳୀ ଜଗତୀ

ଚାରିବର୍ଣ୍ଣ ଲୋକେ ତହିଁ ବାସ କରିଛନ୍ତି ।

ସେ ନଗ୍ରେ ବିଶ୍ରାମ ଯାଇ କଲେ ଭାଇ ବେନି

ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି ।

ସୈନ୍ୟ ଘେନି ଜରାସନ୍ଧ ନଦୀକୂଳେ ଥିଲା

ଏଠାରେ ବିଶ୍ରାମ କର ବୋଲି ଆଜ୍ଞାଦେଲା ।

ଜରାସନ୍ଧ ନୃପତିର ଆଜ୍ଞା ଶିରେ ଘେନି

ଶାଢ଼ୀଘର ବାନ୍ଧି ବସା ପାଡ଼ିଲେ ସଇନି ।

ଯେ ଯାହାର ନିତ୍ୟକର୍ମ ସାରି ନଦୀଜଳେ

ଭୋଜନ କରିଣ ନିଦ୍ରାଗଲେ ନିଶାକାଳେ ।

ଜଳ ପାନକରି ଅଶ୍ୱ ଗଜ ସୁସ୍ଥ ହୋଇ

ଯେ ଯାହା ସ୍ଥାନରେ ନିଦ୍ରା ଗଲେ ଶ୍ରମପାଇ ।

ବିଷ୍ଣୁପୁର ପାଟଣାର ରାମକୃଷ୍ଣ ବେନି

ମଣ୍ଡପରେ ନିଦ୍ରାକରି ବଞ୍ଚିଲେ ରଜନୀ ।

ଧ୍ୟାନରେ ଜାଣିଲେ ତାହା ଦୁର୍ବାସା ମହର୍ଷି

ଜଗବନ୍ଧୁ ନାଥ ଆଗେ ପ୍ରବେଶିଲେ ଆସି ।

କର୍ଣ୍ଣରେ ତମ୍ୱକୁଣ୍ଡଳ ଶିରେ ଦିବ୍ୟଜଟା

କଟୀତଟେ କଉପୀନ ଦେହ ଅତିମୋଟା ।

ଶଙ୍ଖ ଗୋକ୍ଷୀର ପରାୟ ବିରାଜଇ ତନୁ

ଅଳ୍ପ ଆଦି ପୁରୁଷ ସେ ଯୁଗକଳ୍ପ ମନୁ ।

ହସ୍ତେ ଶୋହେ ବ୍ରହ୍ମଦଣ୍ଡ ଦଶମୁଦ୍ରା ବାନ୍ଧି

କନ୍ଧେ ଉତ୍ତରୀ ପଇତା ଦିବ୍ୟଛନ୍ଦେ ଛନ୍ଦି ।

ଗଳେ ତୁଳସୀ ରୁଦ୍ରାକ୍ଷ ସ୍ଫୁଟିକର ମାଳ

ଲମ୍ୱିତ ଜୁଡ଼ା ପାଚିଲା ଦାଢ଼ି ଅଧେ ବାଳ ।

ଭଷ୍ମ ବିଲେପନ ଗୋପୀଚନ୍ଦନ ଯେ ଚିତା

କରେ ଶୋହେ ଜପାମାଳି ପରଂବ୍ରହ୍ମବେତ୍ତା ।

ଓଢ଼ଣୀ ବସ୍ତ୍ର କଟିରେ ଅଛନ୍ତି ସେ ଭିଡ଼ି

ଯୋଗ ଆସନରେ ଉଭା ତଳୁ ହାତେ ଛାଡ଼ି ।

ବେଦପୋଥି କୁଶବିଡ଼ି ପ୍ରୋକ୍ଷଣି ଏ ତିନି

ଜଳପାତ୍ର ବେଦକାଣ୍ଡି ସହିତରେ ଘେନି ।

ଆସନ ନିମନ୍ତେ ପୃଷ୍ଠେ ବାନ୍ଧି କୃଷ୍ଣାଜିନ

ଏମନ୍ତ ବେଗେ ମିଳିଲେ ଆସି ତପୋଧନ ।

ବୃହତ୍ସାମ ଗାୟନ ସେ ମୁନିମୁଖୁଁ ଶୁଣି

ସାଷ୍ଟାଙ୍ଗେ ପ୍ରଣାମ କଲେ ହଳୀ ଚକ୍ରପାଣି ।

କମଣ୍ଡଳୁ ଜଳେ ମୁନି ଚରଣ ପଖାଳି

ବେନିଭାଇ ସେ ପାଦୁକ ଅଙ୍ଗେ ହେଲେ ବୋଳି ।

କେବଳ ଚରଣ କାଣି ଅଙ୍ଗୁଳି କୋଣରେ

ନ ଲାଗି ରହିଲା ଛିଦ୍ର ଶ୍ରୀକୃଷ୍ଣ ଅଙ୍ଗରେ ।

ଅଛିଦ୍ର ହୋଇ ଲାଗିଲା ବଳରାମ ଦେହେ

ତିହେହେଁ ଛିଦ୍ର ହୋଇଣ ନୋହିଲା କେବେହେଁ ।

ଏତେମାତ୍ର କୃଷ୍ଣଙ୍କର ଅନ୍ତର୍ଦ୍ଦଶା ଭୋଗ

ଜରା ଶବରର ବାଣ ହେବ ତହିଁ ଯୋଗ ।

ଯୋଗବଳେ ମୁନିବର କଲେ ଏହି ଚିନ୍ତା

ଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସେ କଥା ।

ଜଗନ୍ନାଥ ପ୍ରଭୁଙ୍କର ଗୁପ୍ତକଥା ଏହି

ବଳରାମ ଆଦିକରି ନ ଜାଣନ୍ତି କେହି ।

ଦୁର୍ବାସା ଜାଣନ୍ତି ମୃତ୍ୟୁଭେଦ କୃଷ୍ଣଙ୍କର

ଦେବ ଦାନବ ମାନବେ ଅଟେ ଅଗୋଚର ।

ମୁନିଙ୍କୁ ଅନେକ ସେବା କଲେ ରାମ ହରି

ଦେଖିଣ ପରମ ତୋଷ ହେଲେ ତପଚାରୀ ।

କାମଧେନୁ ରାଇ ଆଜ୍ଞା ଦେଲେ ତପିମଣି

ଏକପୁର ନିର୍ମାଣ ତୁ କର ଏହିକ୍ଷଣି ।

ଇଚ୍ଛାସୁଖେ ରାମକୃଷ୍ଣ ଲୋଡ଼ୁଥିବେ ଯାହା

ପରିବାରଗଣେ ଆଣି ଯୋଗାଇବେ ତାହା ।

ଧରଣୀର ଭାରାଭର ନିବାରିବା ପାଇଁ

କଳା ଧଳା ବେନି ଲୋମ ଜନ୍ମିଛନ୍ତି ଏହି ।

ଜରାସନ୍ଧ ଭୟେ ଯାନ୍ତି ସଙ୍ଗେ ନାହିଁ ସଖା

ସେବାକାରୀପଣ ତୋର ଏତେବେଳେ ଦେଖା ।

ଶୁଣି କାମଧେନୁ ମନେ ସୁମରଣା କଲା

ତକ୍ଷଣେ ଅପୂର୍ବ ପୁର ନିର୍ମାଣ ହୋଇଲା ।

ମୁଗୁନି ପାଷାଣ ବାଢ଼ ବିଚିତ୍ର ମନ୍ଦିର

ବାହାରେ ବୃଷାଳ ଖଣା କୋଶେକ ଓସାର ।

ତହିଁ ଭିତରେ ନବର ଦିଶେ ଜ୍ୟୋତର୍ମୟ

କୋଟିଚନ୍ଦ୍ର ସୂର୍ଯ୍ୟ କିବା ହୋଇଛି ଉଦୟ ।

କୁବେର ଅଳକା ଅବା ଇନ୍ଦ୍ର ବାରସ୍ୱତୀ

ଯଶୋବନ୍ତୀପୁର କି ସେ ବ୍ରହ୍ମାଙ୍କ ବସତି ।

ଅପୂର୍ବ ଭୁବନ ଶୋଭା ଦିଶଇ ସୁସଞ୍ଚ

ନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ।

ବେନି ସହସ୍ର ବଖରା ସବୁ ସ୍ୱର୍ଣ୍ଣମୟ

ଶୁକ୍ଳାମ୍ୱର ଜ୍ୟୋତି କିବା ହୋଇଛି ଉଦୟ ।

ପାଞ୍ଚନଳ ଆୟତନ ବଖରା ଆରମ୍ଭ

ନବରତ୍ନ ଯୋଗକରି ଗଢ଼ିଅଛି ଖମ୍ୱ ।

ସୁବର୍ଣ୍ଣ କଳସ ପରେ ବିତପନ ଉଡ଼େ

ନୀଳମେଘରୁ ବିଜୁଳି ଯେହ୍ନେ ଖସି ପଡ଼େ ।

ଝିଙ୍କର ଛାଏଣି ଚାଳ ଦିଶେ ଶୁକ୍ଳ ଜ୍ୟୋତି

ବଖରା ମୁଣ୍ଡେ ମଣ୍ଡପ ବେଦି ପନ୍ତି ପନ୍ତି ।

ପାଟିଆ ଶେଣି ଉପରେ ଗଜଦନ୍ତ ଖମ୍ୱ

ନନ୍ଦାବର୍ତ୍ତ କମତୁଲେ ମୋତିମାଳ ଲମ୍ୱେ ।

ହିଙ୍ଗୁଳ ହରିତାଳରେ ଚିତ୍ରଲେଖା ଘର

ନିର୍ମଳ କାଚର ବାଡ଼ ନାନା ପରକାର ।

ଦ୍ୱିତୀୟ ପ୍ରାଙ୍ଗଣ ପଦ୍ମପୀଢ଼ ଯେ ସୁସଞ୍ଚ

ତାଳେକ ଉପରେ ତାହା ଅଧିକରେ ଉଚ୍ଚ ।

ସ୍ଫଟିକ ପାବଚ୍ଛ ତହିଁ ଦିଶେ ଦିବ୍ୟଜ୍ୟୋତି

ଗଜଦନ୍ତ ପିତୁଳିକାମାନେ ଶୋଭା ପାନ୍ତି ।

ଝଲକ ପାତିଆ ପାନପତ୍ର ଶୁଦ୍ଧହେମ

ହିଙ୍ଗୁଳ ପଗଡ଼କାଠି ନାନାରତ୍ନେ କମ ।

କର୍ପୂର ପନୀର ଧୂପ ନାନାଜାତି ଫୁଲ

ଅପୂର୍ବ ମଣ୍ଡଣି ପୁର ନାହିଁ ସମତୁଲ ।

ମଧ୍ୟେ ହେମ ଗଜଦନ୍ତ ପଲ୍ୟଙ୍କ ସୁଷମ

ଅଷ୍ଟରତ୍ନରେ ନିର୍ମାଣ ପିତୁଳିକା କମ ।

ମୟୂରକଣ୍ଠ ସୁପାତି ହଂସୁଲୀ ଯେ ତୁଳୀ

ପାରୁଶରେ ହଂସାବଳି ସିନ୍ଧୁଆ ମୁକୁଳି ।

ସେବତୀ ମଲ୍ଲୀ ପାଖୁଡ଼ାମାନ ତହିଁ ସିଞ୍ଚି

ପନୀର ପାଣି କର୍ପୂରଗୁଣ୍ତି ତହିଁ ବିଞ୍ଚି ।

କୁସୁମ ବିଞ୍ଚଣି ବାତପାଶେ ଧୂପକାଠି

ସେବତୀ ମାଳତୀ ଧଣ୍ଡା ଲମ୍ୱେ କୋଟି କୋଟି ।

ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ସୂଚିକମ ପନ୍ତି

ମୁକୁତାଝରା ସୁବର୍ଣ୍ଣ ଦର୍ପଣ ଶୋଭନ୍ତି ।

ପୁର ଦେଖି ଜଗନ୍ନାଥେ ମୁନିଙ୍କୁ ପ୍ରଶଂସି

ବୋଇଲେ ସକଳ ଗୁଣେ ଧନ୍ୟ ତୁମ୍ଭେ ଋଷି ।

ତୁମ୍ଭେ ମହାଜ୍ଞାତା ମୁନି ବନେ ବାସ କର

କାହୁଁ ଆଣି ଭିଆଇଲ ଏ ବିଚିତ୍ର ପୁର ।

ଦୁର୍ବାସା ବୋଇଲେ ତୁମ୍ଭେ ଶୁଣ ଆଦିମୂଳ

ଏ ସୁରଭି ପ୍ରସାଦରୁ ମିଳଇ ସକଳ ।

ଲକ୍ଷ୍ମୀର ବଲ୍ଲଭ ତୁମ୍ଭେ ଅଟ ହୃଷୀକେଶ

ତୁମ୍ଭେ ଯହିଁ ଥିବ ତହିଁ ନ ମିଳଇ କିସ ।

ଅଶେଷ ବ୍ରହ୍ମାଣ୍ଡ ତୁମ୍ଭେ ଗର୍ଭେ ଅଛ ବହି

ଆବର କଥାଏ ଏବେ ଶୁଣ ଭାବଗ୍ରାହୀ ।

ଦେବମାତା କପିଳାର ସହସ୍ରେକ ବତ୍ସା

ବତ୍ସାକରେ ଚଉବିଂଶ ସସ୍ର ହେଲେ ବତ୍ସା ।

ନନ୍ଦିନୀକେ ଜାତ ଦଶସହସ୍ର ସୁରଭି

ସୁରଭିକେ ଚଉବିଂଶ ସହସ୍ର ଯେ ଗାଭୀ ।

ବ୍ରହ୍ମଲୋକ ଜିଣି ସର୍ବେ ଗୋଲକରେ ଥାନ୍ତି

ବାଞ୍ଛାବଟ ତଳେ ଶୋଇ ସୁଖେ ବିହରନ୍ତି ।

କଳ୍ପନାରୁ କାମଧେନୁ ନାମ ସେ ବୋଲାଇ

ତପସିଦ୍ଧ ହେଲେ ମୁନି ଏକ ଧେନୁ ପାଇ ।

ଶ୍ରୀମନ୍ତ ପୁରୁଷ ତୁମ୍ଭେ ପ୍ରଭୁ ଚକ୍ରପାଣି

କୋଟିପାଦେ ଖଟିଛନ୍ତି ଦେବୀ କମଳିନୀ ।

ଏତେ କହି ଅନ୍ତର୍ଦ୍ଧାନ ହେଲେ ମହାମତି

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତି ।

ଏଥୁଅନ୍ତେ ଆପଣାର ନିତ୍ୟକର୍ମ ସାରି

କୋମଳ ଶଯ୍ୟାରେ ବିଜେ କଲେ ରାମ ହରି ।

କୃଷ୍ଣର ଅଶେଷ ମାୟା କେ ପାରିବ ଜାଣି

ଶୁଭାଶୁଭ କର୍ମଦାତା ସେହି ଚକ୍ରପାଣି ।

କାଳକ୍ରମେ ଶୁଭାଶୁଭ ଭୋଗକରି ବେଳେ

ନିଶ୍ଚେଁ ଦୋଷ ନ ଲାଗଇ ସଂହରଇ କାଳେ ।

ଥୋକାଏ ପୃଥ୍ୱୀରେ ରଖିବ ସଂହରଇ ଶେଷେ

କାଳପାଶ ଲାଗି ପ୍ରାଣୀ ପଡ଼େ ନିଜ ଦୋଷେ ।

 

 

ସେ ମାୟାଧର ପୁରୁଷ ପାଦେ ମୋର ସେବା

ଅଚ୍ୟୁତ ଦାସ କବିକୁ ଗତିମୁକ୍ତି ଦେବା ।

 

ହରିବଂଶ ପଞ୍ଚମ ଖଣ୍ଡ

ଜରାସନ୍ଧର ତୃତୀୟବାର ଧାଡ଼ି

ଏଥୁଅନ୍ତ ଜରାସନ୍ଧ ନୃପତିର ଆଗେ

ଡଗର ଯାଇ ବାରତା ଜଣାଇଲା ବେଗେ ।

ଭୋ ମଣିମା ସାବଧାନେ ଶୁଣ ନୃପସାଇଁ

ବିଷ୍ଣୁପୁର ପାଟଣାରେ ରାମକୃଷ୍ଣ ରହି ।

ଅପୂର୍ବ ନବର ତହିଁ ଥିଲା କେ ନିର୍ମାଣି

ନିଶ୍ଚିନ୍ତେ ରହିଲେ ସେହି ପୁରେ ଭାଇ ବେନି ।

ଅଦ୍ୟପି ଅଛନ୍ତି ସେହିଠାରେ ରାମ ହରି

ଏ କଥା ନିଶ୍ଚୟ ଅଟେ ଜାଣ ଦଣ୍ଡଧାରୀ ।

ଏହା ଶୁଣି ଜରାସନ୍ଧ ଲୋମ ପୁଲକଇ

ନିଶ୍ଚେ ହସ୍ତଭରି ବୀର କୋପେ ଗରଜଇ ।

ସାଜରେ ସଇନି ବୋଲି ଆଜ୍ଞାଦେଲା ରାଗେ

ଶୁଣି ନୃପତିଏ ସୈନ୍ୟ ସଜାଇଲେ ବେଗେ ।

ଗଜ ଅଶ୍ୱ ପହଁରିଣ ଗଲେ ନଦୀଜଳେ

ଗଜ ଲଗାଇ ମାହୁନ୍ତେ ରଥ ପାର କଲେ ।

ଅଶ୍ୱ ଉପରେ ସଭାରେ ଅସ୍ତ୍ର ଶସ୍ତ୍ର ଧରି

ପଦାତି ପାର ହୋଇଲେ ଜଳରେ ପହଁରି ।

 

 

ଥୋକେ ସୈନ୍ୟ ପାରହେଲେ ଗଜ ଓଟେ ବସି

ଥୋକେ କାଷ୍ଠ ଭେଳା କଲେ ଥୋକେଗଲେ ପଶି ।

ଏସନକ ପାର ହେଲେ ଚତୁରଙ୍ଗ ଥାଟ

ଆଗରେ ଡଗରା ଥାଇ କଢ଼ାଇଲା ବାଟ ।

ନଦୀ ପାର ହୋଇ ସୈନ୍ୟ ଥୋକେ ଦୂର ଗଲେ

ପର୍ବତ ଉତ୍ତର ଭାଗେ ପ୍ରବେଶ ହୋଇଲେ ।

ବିଷ୍ଣୁପୁରେ ଭେଟାଇଲା ନେଇ ପଢ଼ିହାରୀ

ରାତ୍ର ଥାଉଁ ବେଢ଼ିଲେ ସେ ଲକ୍ଷେପୁର କରି ।

ଦିହୁଡ଼ି ଜାଳି ଖୋଜନ୍ତି ଘରେ ଘରେ ପଶି

ଚହଳ ପଡ଼ନ୍ତେ ଲୋକେ ନିଦ୍ରା ତେଜି ଆସି ।

ଗୋଟି ଗୋଟିକରି ସବୁ ସଙ୍ଖୋଳି ଧଇଲେ

ରଜନୀ ପାହିଲେ ଚିହ୍ନି ଛାଡ଼ିବା ବୋଇଲେ ।

ନବର ଭିତରେ ରାମକୃଷ୍ଣ ଛନ୍ତି ଶୋଇ

ପାଚେରୀ ଡେଇଁ ପଶିଲେ ନିଶୁଣି ଲଗାଇ ।

ଭିତରେ ପଶି କବାଟ ଭାଙ୍ଗି ଅତିବେଗେ

ପଦାଘାତେ ଦ୍ୱାରବନ୍ଧ ଉପାଡ଼ିଲେ ରାଗେ ।

କବାଟ ପଞ୍ଜରମାନ କାଢ଼ି ଦୂରେ ଫିଙ୍ଗି

କୋଳିଆ ଦୁଆର କାନ୍ଥ ପକାଇଲେ ଭାଙ୍ଗି ।

ଯେ ଯାହା ମୁହିଁରେ ପଶି ଅପ୍ରମାଣ ଥାଟ

ତିଳେ ଛିଦ୍ର ନ ରଖିଣ ରୋଧ କଲେ ବାଟ ।

ଯେବଣ ମନ୍ଦିରେ ରାମକୃଷ୍ଣ ଥିଲେ ଶୋଇ

ଡଗରା ଚିହ୍ନାଇ ଦେଲା ଆଗେ ଆଗେ ଯାଇ ।

ରାତ୍ର ପାହିବାକୁ ଆଉ ଅର୍ଦ୍ଧ ଘଡ଼ି ଅଛି

ଶ୍ରମେ ନିଦ୍ରା ଯାଇଛନ୍ତି ନନ୍ଦ ବେନିବତ୍ସି ।

ପ୍ରଦୀପ ଦିହୁଡ଼ି ହୁଳା ଜାଳି ନିରନ୍ତର

ନିର୍ବନ୍ଧେ ଜଗିଲେ ଶତେପୁର ବେଢ଼ି ଦ୍ୱାର ।

ଏମନ୍ତ ପ୍ରକାରେ ଦ୍ୱାର ନିରୋଧନ୍ତେ ଯାଇ

ଜରାସନ୍ଧ ବୋଲେ ପଶ କବାଟ ଫିଟାଇ ।

ଜୀବ ଥାଉଁ ଧରି ଆଣ ଛାମୁକୁ ମୋହର

ଅନଳେ ଆହୁତି ଦେବି ମାଂସ କାଟି ତାର ।

ସାମାନ୍ୟ ଶତ୍ରୁ ନୁହନ୍ତି ସେ ଗଉଡ଼ ବେନି

କପଟେ ମାଇଲେ ମୋର ଅସଂଖ୍ୟ ସଇନି ।

ଯତ୍ନବନ୍ତ ହୋଇ ସର୍ବେ ବାନ୍ଧିଆଣ ଯାଇ

ହସ୍ତରୁ ଫିଟିଲେ ନ ପାରିବଟି ଗୋଡ଼ାଇ ।

ପୁଣି ପଚାରିଲା ପାତ୍ର ସାମନ୍ତଙ୍କୁ ଚାହିଁ

ତୁମ୍ଭେମାନେ ଦେଖ ନିଶ୍ଚେଁ ଅଛିଟି କି ସେହି ।

ଶୁଣି ପାତ୍ର ଅମନାତ୍ୟେ ତତକ୍ଷଣେ ଗଲେ

ଗବାକ୍ଷ ମାର୍ଗରେ ହୁଳା ଲଗାଇ ଚାହିଁଲେ ।

ଦେଖିଲେ ପଲ୍ୟଙ୍କ ପରେ ରାମକୃଷ୍ଣ ଦୁଇ

ସୁଖେ ନିଦ୍ରା କରିଛନ୍ତି ଦେହେ ଜ୍ଞାନ ନାହିଁ ।

ନୀଳେନ୍ଦୀଦଳ ପରାୟେ ବିରାଜଇ ତନୁ

ନିର୍ମଳ ମେଘରେ ଯେହ୍ନେ ଉଦେ ଇନ୍ଦ୍ରଧନୁ ।

ଅମୂଲ୍ୟ ମନ୍ଦିରେ ରତ୍ନଖଟେ ଛନ୍ତି ଶୋଇ

ଆପେ ଜରାସନ୍ଧ ଦେଖେ କବାଟ ଫିଟାଇ ।

ମନ୍ଦିର ଦେଖି ଅନେକ ପ୍ରଶଂସା ସେ କଲା

ଧନ୍ୟରେ ଗଉଡ଼ ତୋର ମହିମା ବୋଇଲା ।

ଏଡ଼େକ ସମ୍ପଦ ଏଥେ ସମ୍ପାଦିଲା କାହୁଁ

କେ ବୋଲନ୍ତି ଏ ମନ୍ଦିର ଥିଲାକ ଆଗହୁଁ ।

ଏସନକ ଉଚ୍ଚବାଚ ହୁଅନ୍ତେ ସକଳେ

ଅନ୍ତର୍ଗତେ ଜାଣିଲେ ତା କୃଷ୍ଣ କାମପାଳେ ।

ବେନିଭାଇ ତତକ୍ଷଣେ ନିଦ୍ରା ତେଜି ଉଠି

ଦେଖିଲେ ଚୌଦିଗେ ସୈନ୍ୟ ରହିଛନ୍ତି ଘୋଟି ।

ଆପେ ଜରାସନ୍ଧ ରାଜା ଧନୁ ଧରି କରେ

ନାରାଚ ପୂରାଇ ଉଭା ହୋଇଛି ଆଗରେ ।

ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଆଦିକରି

ପୂର୍ବ ପରାକ୍ରମମାନ ହୃଦେ ଛନ୍ତି ଧରି ।

ଯେଝା ଅନୁରୂପେ ସର୍ବେ କରି ପ୍ରାଣପଣ

ନାରାଚ ପୂରାଇ ଟାଣି ଧରିଛନ୍ତି ଗୁଣ ।

ରାମ ବୋଲନ୍ତି ଯେ ହେଲା ବିଷମ ସମୟ

ଅଯୋଗେ ବେଢ଼ିଲେ ଆସି ସବୁ ନରରାୟ ।

ସମୁଦ୍ର ଲହରୀ ପ୍ରାୟ ଦିଶୁଅଛି ଥାଟ

ତିଳେ ଛିଦ୍ର ନାହିଁ ସୂଚି ଭେଦିବାକୁ ବାଟ ।

ଏମନ୍ତ ଭାଳି ଉଠିଲେ ହଳୀ ଚକ୍ରପାଣି

ଜରାସନ୍ଧ ଡାକଦେଲା ସେ ଉଠିବା ଜାଣି ।

କରେ ଅସ୍ତ୍ର ଶସ୍ତ୍ର ଧରି ଜଗ ଯେଝା ପଥେ

ଏକ୍ଷଣି ଭୁଲାଇ ଏଥୁ ଯିବେ ହାତେ ହାତେ ।

ପୁଣି ଆଜ୍ଞାଦେଲା ଦଶସସ୍ର ମାଲ ରାଇ

ମନ୍ଦିର ଭିତରେ ପଶି ଧର ବେଗେ ଯାଇ ।

ଯେ ଯେଉଁ ଉପାୟ ଜାଣ ତା କରେ ସତ୍ୱରେ

ନୋହିଲେ ପଳାଇ ଯିବେ କ୍ଷଣକ ଭିତରେ ।

ଶୁଣିଣ ଧାମନ୍ତି ସର୍ବେ ଘୋର ନାଦକରି

ମନ୍ଦିରୁ ବାହାର ହେଲେ ରାମ ଚକ୍ରଧାରୀ ।

ଦ୍ୱାର ଜିଣି ବାହାରକୁ ଯାନ୍ତେ ଭାଇ ବେନି

ମାଲେ ଧଇଲେ ବିନ୍ଧାଣଯନ୍ତ୍ର କରେ ଘେନି ।

ଜଡ଼ଣ ଜାଡ଼ଣ ଭିଡ଼ାଭିଡ଼ି ଯେ ଉଞ୍ଚାଣ

ଚୋଟଣ ଚାଟଣ ଆଡ଼ ଘୁଞ୍ଚାଣ ପଞ୍ଚାଣ ।

ଲୋଟଣ ଯୋଟଣ ବନ୍ଧ ନିର୍ବନ୍ଧ ଫିଟାଣ

ଆଡ଼ଣ ତାଡ଼ନ ଆଦି ଯେତେକ ବିନ୍ଧାଣ ।

ବିଧା ଗୁରୁଦା କହୁଣି ମାଡ଼ ଗଡ଼ାଗଡ଼ି

ପାଦେ ପାଦ ଛନ୍ଦି ଭୁଜେ ଭୁଜ ଭିଡ଼ାଭିଡ଼ି ।

ଅଙ୍ଗେ ଅଙ୍ଗ ପରିତାଳ ମୁଣ୍ଡେ ମୁଣ୍ଡ ବଜା

ଚଉଦ ବିନ୍ଧାଣି ଯୁଦ୍ଧ କଲେ ଦେବରାଜା ।

ସମସ୍ତ ମାଲେ ଧରନ୍ତେ ସେ ଦୁହିଁଙ୍କୁ ଯାଇ

ଶ୍ରୀଅଙ୍ଗ ଛିଞ୍ଚାଡ଼ି ଦୁହେଁ ଦେଲେ ଫୋପଡ଼ାଇ ।

ତକ୍ଷଣେ ସେ ମାଲମାନେ ଅନ୍ତରୀକ୍ଷେ ଉଡ଼ି

ଅନେକ ଦୂରେ ପଡ଼ିଲେ ପ୍ରିୟପ୍ରାଣ ଛାଡ଼ି ।

ମାଲେ ଉଡ଼ିଯିବା ଦେଖି ମାଡ଼ିପଡ଼ି ଦୁଷ୍ଟେ

ଆବୋରିଲେ ଯେ ଯାହାର ଶସ୍ତ୍ର ଧରି ଆଣ୍ଟେ ।

ମାରନ୍ତେ ଶସ୍ତ୍ର ବଞ୍ଚାଇ ରାମ ଯଦୁସାଇଁ

ନିମିଷ ମାତ୍ରକେ ଫିଟିଗଲେ ପିଠିଦେଇ ।

ଗଲାରେ ଗଲାରେ ବୋଲି ପଡ଼ିଲା ଚହଳ

ଛଦ୍ମରେ ପଳାଇ ଯାନ୍ତି କୃଷ୍ଣ କାମପାଳ ।

ତିଳେ ଛିଦ୍ର ନାହିଁ ବେଢ଼ ରହିଥାନ୍ତି ଥାଟ

ମଧ୍ୟେ ପଶିଯାନ୍ତି ଦୁହେଁ ଲଗାଇ ଉଚ୍ଚାଟ ।

ତାହା ଦେଖି ରାଜାମାନେ ହୋଇଲେ ତାଟକା

ବଳବୀର୍ଯ୍ୟଚ୍ୟୁତ ହୋଇ ଜାତ ହେଲା ଶଙ୍କା ।

ମହିମା ସାଗର କୃଷ୍ଣ ବଳରାମ ସ୍ୱାମୀ

ହାତେ ହାତେ ଫେଡ଼ାଇଣ ଗଲେ ଅତିକ୍ରମି ।

ଅସଂଖ୍ୟ ସୈନ୍ୟ ଭିତରୁ ହୋଇଲେ ବାହାର

ସକଳ ନୃପତି ଦେଖି ହେଲେ ଚମତ୍କାର ।

ଏକ ଆଗରେ ଆରେକ କହନ୍ତି ବାରତା

ବିଚାରି ବୋଇଲେ ଏତ ଅସମ୍ଭବ କଥା ।

ଏତେ ରାଜା ଶସ୍ତ୍ର ଧରି ଜଗିଛନ୍ତି ଦୃଢ଼େ

ସମସ୍ତଙ୍କୁ ଭୁଲାଇ ସେ ଗଲେ କେଉଁଆଡ଼େ ।

ଗଗନରୁ ଛିଡ଼ି ତାରା ପଡ଼େ ଯେହ୍ନେ ଖସି

ସେହିମତେ କେଉଁଆଡ଼େ ଗଲେ ଥାଟ ପଶି ।

ପରିଘାଇ ନାନାଶସ୍ତ୍ର ପ୍ରହାରିଲୁ ରାଗେ

ତା ସବୁ ବଞ୍ଚାଇ ଗଲେ ନ ଭେଦିଲା ଅଙ୍ଗେ ।

ଏହିକ୍ଷଣି ଯାଉଛନ୍ତି କେତେଦୂର ଯିବେ

ପାଦ ଶ୍ରମପାଇ ବନେ ଲୁଚିଣ ରହିବେ ।

ବିଳମ୍ୱ ନ କରି ଚାଲ ଏକମୁଖେ ଯିବା

ପଛେ ପଛେ ଗୋଡ଼ାଇଲେ ଅବଶ୍ୟ ଭେଟିବା ।

ଏତେବୋଲି ରଥ ଚଳାଇଲେ ଶ୍ରୀଘ୍ରଗତି

ପଛରେ ଗୋଡ଼ାଇ ଯାନ୍ତି ଅନେକ ନୃପତି ।

ବାଜଇ ବିବିଧ ବାଜା ଟମକ ନିଶାଣ

ନିର୍ଘାତ ଶବଦ ଜାଣି ପଡ଼ୁଅଛି ଜାଣ ।

ମର୍ଦ୍ଦଳ କାହାଳି ଶଙ୍ଖ ମୃଦଙ୍ଗ ମହୁରୀ

ଢୋଲ ଦମା ବିଜିଘୋଷ ବୀରତୂର ଭେରୀ ।

ଏମନ୍ତେ ଅନେକ ବାଦ୍ୟ ବାଜେ ନାନାଛନ୍ଦେ

ସମୁଦ୍ର ଉଛୁଳି ପୃଥ୍ୱୀ କମ୍ପେ ଘୋରନାଦେ ।

ରଥ ଗଜ ପଦାତି ଯେ ଅଶ୍ୱ ଅପ୍ରମିତ

ସୈନ୍ୟ ଘେନି ନୃପଗଣେ ଖୋଜିଲେ ବହୁତ ।

ରାମକୃଷ୍ଣ ନ ଦେଖିଣ ମନେ ଲଜ୍ଜାପାଇ

ବାହୁଡ଼ି କହିଲେ ଜରାସନ୍ଧ ଆଗେ ଯାଇ ।

ଶୁଣିଣ ମଗଧେଶ୍ୱର ମନେ ପାଇ ବ୍ୟଥା

କିଛି ନ କହିଣ ଲାଜେ ପୋତିଦେଲେ ମଥା ।

ପୃଥ୍ୱୀଭାରା ନିବାରଣେ କୃଷ୍ଣ ଅବତାର

ଯାର ମାୟା ନ ଜାଣନ୍ତି ଇନ୍ଦ୍ର ବ୍ରହ୍ମା ହର ।

ସନକାଦି ସିଦ୍ଧଗଣ ଯୋଗଧ୍ୟାନେ ବସି

ଯେଉଁରୂପ ଚିନ୍ତା କରୁଥାନ୍ତି ଅହର୍ନିଶି ।

ଏ ଛାର ନୃପଗତିଗଣ ପାଇବେ ତା କାହୁଁ

କ୍ଷଣକରେ ଅନ୍ତର୍ହିତ ହେଲେ ଚାହୁଁ ଚାହୁଁ ।

ଭକତ ବାନ୍ଧବ ପ୍ରଭୁ କରୁଣା ସାଗର

ଅଚ୍ୟୁତ ଦାସକୁ ଗତି ଦିଅ ଚକ୍ରଧର ।

ସୁଦୟା କରିଣ ମୋତେ ଏହି ଆଜ୍ଞା ଦେବା

ଜନ୍ମେ ଜନ୍ମେ ରହୁ ମୋର ତପ ପାଦେସେବା ।

 

ଜରାସନ୍ଧର ଚତୁର୍ଥବାର ଧାଡ଼ି

ଏଥୁ ଅନନ୍ତରେ ପୁଣି ଶୁକ ତପୋଧନ

ବୋଇଲେ କହିବା ଶୁଣ ପରୀକ୍ଷ ରାଜନ ।

ଅପମାନ ପାଇ କୋପେ ମଗଧ ନୃପତି

ଚାରିଦିଗେ ଡଗରାଙ୍କୁ ପେଷିଲା ଝଟତି ।

ଆଜ୍ଞାଦେଇ ଗଲେ ସର୍ବେ ବେଗହୋଇ ଯାଅ

ରାମକୃଷ୍ଣ ବାର୍ତ୍ତା ଆଣି ସତ୍ୱରେ ଜଣାଅ ।

ଅନେକ ଲଜ୍ଜା ଆମ୍ଭଙ୍କୁ ସେ ଦେଲେ ସମରେ

ରଥ ଗଜ ଅଶ୍ୱ ମାରି ଲୁଚିଛନ୍ତି ଦୂରେ ।

ସକଳ ଦେଶରେ କହ ଏ ବାରତା ଯାଇ

ରାମକୃଷ୍ଣ ସମ୍ଭାଳିଲେ ହେବେ ରାଜଦ୍ରୋହୀ ।

ଅଷ୍ଟଲୋକପାଳଙ୍କୁ ମୁଁ କରୁଅଛି ସାକ୍ଷୀ

ରାମକୃଷ୍ଣ ସମ୍ଭାଳିବ ଯେ ମୋତେ ଉପେକ୍ଷି ।

ଏ ମୋର ଆଜ୍ଞା ଲଙ୍ଘନ ଯେ କରିବ ଜାଣି

ତା ବଂଶ ନାଶିବି ମୁହିଁ ଖଡ଼ଗରେ ହାଣି ।

ଯେବଣ ଦେଶକୁ ଯିବେ ନନ୍ଦ ବେନି ବତ୍ସି

ଅନ୍ନ ପାଣି ଆଦି ତାଙ୍କୁ ନ ଦେବଟି କିଛି ।

 

ଶୁଣି ଚାରଗଣେ ତହୁଁ ଅନ୍ତରୀକ୍ଷେ ଗଲେ

ସକଳ ଦେଶରେ ବୁଲି ଆଜ୍ଞାପତ୍ର ଦେଲେ ।

ଟମକ ବଜାଇ ପୁଣ ଗ୍ରାମେ ଗ୍ରାମେ ପଶି

ବୋଲନ୍ତି ଗଉଡ଼େ ଜରାସନ୍ଧଠାରେ ଦୋଷୀ ।

ରାମକୃଷ୍ଣ ବୋଲି ନାମ ବହନ୍ତି ସେ ଦୁହେଁ

ତାଙ୍କୁ ଅନ୍ନପାଣି କେହି ନ ଦେବ କେବେହେଁ ।

ବାସସ୍ଥାନ ନ ଦେବ କେ ନ କହିବ କଥା

ଆଜ୍ଞା ଲଘିଂବେ ନୃପତି କଟାଇବେ ମଥା ।

ମନରେ ଚେତି ସମସ୍ତେ ଥିବ ଆଜ୍ଞା ମାନି

ବେନି ଭାଇଙ୍କୁ ଛାମୁରେ ଦେବ ବାନ୍ଧି ଆଣି ।

ଗୌରବ ପାଇଣ ନେବ ଶାଢ଼ୀ ସୁନାବଳା

ନୃପତି ଆଜ୍ଞାରେ କେହି ନ କରିବ ହେଳା ।

ଏମନ୍ତେ ଡଗରାମାନେ ଟମକ ବଜାଇ

ଘୋଷଣା ଦିଅନ୍ତି ଦେଶ ଦେଶାନ୍ତରେ କହି ।

ଏଥୁ ଅନନ୍ତରେ ବଳରାମ ଚକ୍ରଧର

ଅବହେଳେ ମଢ଼ିଆରୁ ହୋଇଲେ ବାହାର ।

ଅଗମ୍ୟ ବନରେ ଥୋକେ ଦୂର ଚଳିଗଲେ

ଭାନୁମତୀ ନଦୀକୂଳେ ପ୍ରବେଶ ହୋଇଲେ ।

ଜରାସନ୍ଧ ଥିବାଠାରୁ ପାଞ୍ଚଯୂଣ ଛାଡ଼ି

ନିତ୍ୟକର୍ମ ସାରି ଦୁହେଁ ରହି ବେନିଘଡ଼ି ।

ସେଠାରେ ଦେଖିଲେ ଶିବ ନାମେ ପରବତ

ଯୋଜନେ ଉତ୍ସର୍ଗ ପାଞ୍ଚ ଯୋଜନ ବିସ୍ତୃତ ।

ନଦୀର ଉତ୍ତର କୂଳେ ଅତି ରମ୍ୟସ୍ଥାନ

ପୂର୍ବେ ତହିଁ ଥିଲେ ବାଲମୀକ ତପୋଧନ ।

ସଦାଶିବ ନାମେ ତହିଁ ଛନ୍ତି ଲିଙ୍ଗରାଜା

ମାନ୍ଧାତା ନୃପତି ପୂର୍ବେ କରିଥିଲେ ପୂଜା ।

ଶତେନଳ ଆୟତନ ମଣ୍ଡପ ଦେଉଳ

ଅଗ୍ରଭାଗେ ପୁଷ୍କରିଣୀ ଦିଶେ ପରିମଳ ।

ମହାରଣ୍ୟ ଭିତରେ ସେ ଏକ ରମ୍ୟସ୍ଥାନ

ଜନଜନ୍ତୁରେ ଅଗମ୍ୟ ଅତ୍ୟନ୍ତ ଗୋପନ ।

ଦୁଇଭାଇ ନଦୀତୀରେ ନିତ୍ୟକର୍ମ ସାରି

ଦେଉଳେ ପଶି ଦର୍ଶନ କଲେ ତ୍ରିପୁରାରି ।

ଅରଖ ଦୁଦୁରା ଫୁଲ ବିଲ୍ୱପତ୍ର ଦେଇ

କରଯୋଡ଼ି ସ୍ତୁତିପାଠ କଲେ ବେନିଭାଇ ।

କଇଥ କମଳା କେନ୍ଦୁଗୁଆ ବରକୋଳି

ନଇବେଦ୍ୟ କଲେ ନାନା ବନ୍ୟଫଳ ତୋଳି ।

ପଞ୍ଚାକ୍ଷର ମନ୍ତ୍ର ଜପ କରନ୍ତେ କେଶବ

ପ୍ରସନ୍ନ ହୋଇଣ ବିଜେ କଲେ ସଦାଶିବ ।

ପଞ୍ଚମୁଖ ତ୍ରିନୟନ ଶିରେ ଗଙ୍ଗାଜଳ

ଜଟାମୂଳେ ଖଣ୍ଡଇନ୍ଦୁ ଦିଶେ ପରିମଳ ।

ଶ୍ରୀଭୁଜେ ପିନାକ ଧନୁ କପାଳେ କୁଠାର

ବିଭୂତି ଭୂଷଣ ଜଟାଧାରୀ ଦିଗମ୍ୱର ।

ଡିବିଡିବି ଡମ୍ୱରୁ ଯେ ବାଜେ ନବକୋଟି

ବାମ ଡାହାଣେ ଅଛନ୍ତି ନନ୍ଦୀ ଯେ ଭୃକୁଟୀ ।

କୋଳେ ହିମବନ୍ତ ସୁତା ଆରୋହି ବୃଷଭ

ରାମକୃଷ୍ଣ ଆଗେ ଉଭା ହେଲେ ମହାଦେବ ।

ଦେଖି ବେନିଭାଇ ଶିରେ କରପତ୍ର ଯୋଡ଼ି

ରୁଦ୍ର ଦେବତାଙ୍କୁ ସ୍ତୁତି କଲେ ପାଦେ ପଡ଼ି ।

ହସିଣ ବୋଲନ୍ତି ଶିବ ତୁମ୍ଭେ ଦେବରାଜା

ବ୍ରହ୍ମା ଇନ୍ଦ୍ର ଘେନି ଆମ୍ଭେ କରୁ ପାଦପୂଜା ।

ପୃଥ୍ୱୀଭାର ନିବାରଣ କରିବାର ପାଇଁ

କଉତୁକେ ଜନ୍ମିଅଛ ନରତନୁ ବହି ।

ଦେବଙ୍କ ଉପରେ ତୁମ୍ଭେ ଦେବ ଶିରୋମଣି

ଶୁଭାଶୁଭ କର୍ମ ତୁମ୍ଭେ ଆନ କର ପୁଣି ।

ତୁମ୍ଭେ ପ୍ରଭୁ ମାୟାଧର ଭକ୍ତ ଭାବଗ୍ରାହୀ

ଶରଣପଞ୍ଜର ବାନା ଆପେ ଅଛ ବହି ।

ନାମ ସୁମରନ୍ତେ ସବୁଦୁଃଖ ହୁଏ ପାର

ଅତ୍ରାହିର ତ୍ରାହି ତୁମ୍ଭେ ଶରଣ ସୋଦର ।

ଅଜ୍ଞାନ ସେ ଜରାସନ୍ଧ ନ ଜାଣଇ କିଛି

ଧର୍ମ ଅର୍ଥ ନାଶକରି ଗୋଡ଼ାଇଣ ଅଛି ।

ତାହାର ବଳେ ତୁମ୍ଭର ହୋଇପାରେ କିସ

ତୁମ୍ଭେ ଆଜ୍ଞା ଦେଲେ ହେବେ ସମୁଳରେ ନାଶ ।

କ୍ଷମାଶୀଳ ହେତୁ ତୁମ୍ଭ ହୃଦେ କୋପ ନାହିଁ

ଦେବକାର୍ଯ୍ୟେ ଜନ୍ମିଅଛ ନରତନୁ ବହି ।

ଜଗତ କରତା ତୁମ୍ଭେ ପ୍ରଭୁ ଆଦିକନ୍ଦ

ମନ କଲେ ଜିଣି ପାର ଲକ୍ଷେ ଜରାସନ୍ଧ ।

ଏତେ କହି ପାଶୁପତ ବାଣ କରେ ଧରି

କୃଷ୍ଣ ହସ୍ତେ ସମର୍ପଣ କଲେ ତ୍ରିପୁରାରି ।

ବୋଇଲେ ସମ୍ଭାଳି ଯତ୍ନେ ରଖ ଚକ୍ରପାଣି

ଏ ବାଣରେ ତ୍ରିଭୁବନ ପାର ତୁମ୍ଭେ ଜିଣି ।

ଆବର କଥାଏ ଶୁଣ ଲକ୍ଷ୍ମୀଦେବୀ ସାଇଁ

ଏହିଠାକୁ ଜରାସନ୍ଧ ଆସିବ ଯେ ବାହି ।

ପୂର୍ବରୁ ଏ କଥା ଅଛି ତୁମ୍ଭଙ୍କୁ ଗୋଚର

ଅବଶ୍ୟ ସେ ଧାଡ଼ିଦେବ ଅଷ୍ଟାଦଶ ବାର ।

ଏତେ କହି ବ୍ୟୋମକେଶ ହେଲେ ଅନ୍ତର୍ଦ୍ଧାନ

ମଣ୍ଡପରେ ବସିଛନ୍ତି ରାମ ଭଗବାନ ।

ସେଠାରୁ ସନ୍ଦେଶ ପାଇ ଦେଶାଉର ବେଗେ

ବାହୁଡ଼ିଣ ଜଣାଇଲା ଜରାସନ୍ଧ ଆଗେ ।

ଭୋ ମଣିମା ସାବଧାନେ ଶୁଣ ନୃପମଣି

ରାମକୃଷ୍ଣ ଦେଖି ଆମ୍ଭେ ଅଇଲୁ ଏକ୍ଷଣି ।

ଭାନୁମତୀ ନଦୀତୀରେ ଶିବ ପରବତ

ସଦାଶିବ ନାମେ ଶମ୍ଭୁ ତହିଁ ପ୍ରତିଷ୍ଠିତ ।

ସେ ବଡ଼ ପ୍ରତ୍ୟକ୍ଷ ଶମ୍ଭୁ ଜ୍ୟୋତିର୍ମୟ ଲିଙ୍ଗ

ଦରଶନେ ମହାପାପ ନ ରହଇ ଅଙ୍ଗ ।

ସେ ଶିବଙ୍କୁ ଦରଶନ କରି ବେନିଭାଇ

ମଣ୍ଡପରେ ବସିଛନ୍ତି ସଙ୍ଗେ କେହି ନାହିଁ ।

ଏହି ଅନୁକୂଳେ ଚାଲ ଥାଟ ଘେନିଯିବା

କିଛି ହିଁ ସନ୍ଦେହ ନାହିଁ ଏକ୍ଷଣି ଭେଟିବା ।

ଶତ୍ରୁକୁ ମାରିବ ତୁମ୍ଭେ ତୁଟିବ ଅରିଷ୍ଟି

ବାଟ ନିକଟ ତା ପାଞ୍ଚ ଯୋଜନ ସେହିଟି ।

ଶୁଣି ଜରାସନ୍ଧ ରାଜା ହେଲା ହସ ହସ

ପରିଘାଇ ଆଗେ ରଥ ବାହେ ଦମଘୋଷ ।

ଶାଲ୍ୱଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ପ୍ରତିଜ୍ଞା କରନ୍ତି କୋପେ ଉଠି ପୁଣ ପୁଣ ।

ଦମଘୋଷ ବୋଲେ ବାବୁ ଏ ଲାଗିଲା ମୋତେ

କହରେ ଡଗରା କାହିଁଛନ୍ତି ନନ୍ଦସୁତେ ।

ଡଗରା ବୋଲଇ ଏହି ପରବତ ତଳେ

ଦୁହେଁ ବସିଛନ୍ତି ଭାନୁମତୀ ନଦୀକୂଳେ ।

ମହାଘୋର ଅରଣ୍ୟ ଏ ଜନଜନ୍ତୁ ନାହିଁ

ଧାତିକାରେ ଚାଲ ଯିବା ନିଶବଦ ହୋଇ ।

ଏହା ଶୁଣି ବୋଲେ ଜରାସନ୍ଧ ନୃପବର

ହସ୍ତୀକନ୍ଧମାନଙ୍କରୁ ଘଣ୍ଟ ତୋଳି ଧର ।

ଢୋଲ ଟମକ ନିଶାଣ ଆଦି ବାଦ୍ୟ ଯେତେ

ନ ବଜାଇ ଯତନରେ ଧରି ଯେଝା ହସ୍ତେ ।

ନିଶବଦେ ଚାଲ କେହି ନ କହିଣ କଥା

କିଛିହିଁ ଶବଦ ଜାତ ନୋହିବ ସର୍ବଥା ।

ପାଇକେ ଅଣ୍ଟାରୁ ଫେଇ ଦିଅନ୍ତୁ ଘାଗୁଡ଼ି

ଘୋଡ଼ାଙ୍କ ବେକରୁ ଘଣ୍ଟି ଯତ୍ନେ ରଖ କାଢ଼ି ।

ଚାରିଭାଗ କରି ସୈନ୍ୟ ରଖ ପରିମାଣି

ଏସନକ ଧାଡ଼ି ଦେଲେ ଭେଟିବା ଏକ୍ଷଣି ।

ଏମନ୍ତ ଆଜ୍ଞା ଦିଅନ୍ତେ ମଗଧ ନୃପତି

ଦମଘୋଷ ବୋଲେ ମୋର ସେନା ପୂର୍ବକତି ।

ଶିଶୁପାଳ ବୋଲେ ଥିବି ମୁଁ ଉତ୍ତର ଦିଗେ

ପଶ୍ଚିମ ହୋଇଲା ଶାଲ୍ୱ ଦନ୍ତବକ୍ର ଭାଗେ ।

ଏହାଶୁଣି ବୋଲେ ଜରାସନ୍ଧ ନରପତି

ସମଦଣ୍ଡ ଘେନିଥିବି ମୁଁ ଦକ୍ଷିଣ କତି ।

ଏମନ୍ତ ପ୍ରକାରେ ସାଜି ଚତୁରଙ୍ଗ ସୈନ୍ୟ

ହସ୍ତୀଙ୍କ ବେକରୁ କାଢ଼ି ନେଲେ ଘଣ୍ଟିମାନ ।

ଅଶ୍ୱଙ୍କ ବେକରୁ ଘଣ୍ଟି ଘାଗୁଡ଼ି ଫେଡ଼ିଲେ

ପଦାତିମାନେ ଅଣ୍ଟାରୁ ଘଣ୍ଟି ଫିଟାଇଲେ ।

ଢୋଲ ଦମାଲୁ ଟମକ ନିଶାଣ ରୁହାଇ

ଧୀରେ ଧୀରେ ଚଳିଗଲେ ସର୍ବେମୌନ ହୋଇ ।

କହୁଁ କହୁଁ ମିଳିଲେକ ଶିବଗିରି ଲାଗେ

ଡଗରା ବାଟ କଢ଼ାଇ ଯାଏ ଆଗେ ଆଗେ ।

ପଛରେ ଗୋଡ଼ାଇଛନ୍ତି ଅସଂଖ୍ୟ ସଇନି

ସ୍ୱର ଶବ୍ଦ ନାହିଁ ସର୍ବେ ହୋଇଛନ୍ତି ତୁନି ।

ଯେବଣ ମଣ୍ଡପେ ରାମ କୃଷ୍ଣ ଥିଲେ ବସି

ଲକ୍ଷେପୁର କରି ତାକୁ ବେଢ଼ିଗଲେ ଆସି ।

ଜରାସନ୍ଧ ଆଜ୍ଞା ଦେଲା ସଇନ୍ୟଙ୍କୁ ଚାହିଁ

ଯେ ଯାହାରେ ଜଗିଥାଅ ନ ଯାନ୍ତୁ ପଳାଇ ।

ଦନ୍ତବଜ୍ର ବୋଲେ ଆଜ ପଡ଼ିଛି ଅଖଡ଼େ

ଏଠାରୁ ବାହାରି ଆଉ ଯିବ କେଉଁଆଡ଼େ ।

ଜାଲର ଭିତରୁ କାହିଁ ଉବୁରିବ ଶଶା

ଜନ୍ତାରେ ପଡ଼ିଲେ ଯାଇ ପାରଇ କି ମୂଷା ।

ଧାଉଡ଼ିରେ ପଶି କାହିଁ ବର୍ତ୍ତିଅଛି ମୀନ

ବ୍ୟାଘ୍ରର ଛାମୁରୁ ଛେଳି ନ ପାଏ ଜୀବନ ।

ଇନ୍ଦୁର ପଡ଼ିଛି କାଳ ଭୁଜଙ୍ଗର ଆଗେ

ଶାର୍ଦ୍ଦୂଳ ମୁଖରୁ ମୃଗ ଯିବ କେଉଁ ବାଗେ ।

କୃତାନ୍ତ ପୋଛିଲା ଆଜି ଏ ଦୁହିଁଙ୍କ ପାଞ୍ଜି

ସପତାଙ୍ଗେ ନାଶଯିବେ ହୋଇଣ ଏ ଗଞ୍ଜି ।

ଏତେ ବୋଲି ଆପଣାର ଶସ୍ତ୍ର ଧରି କରେ

ଗରଜି ପ୍ରହାର କଲା ଶ୍ରୀକୃଷ୍ଣ ଉପରେ ।

ଛେଲ ଚକ୍ର ଲୋହଯଷ୍ଟି କୁନ୍ତ କାଣ୍ଡ ଖଣ୍ଡା

ପରିଘାଇ ନାନାଶସ୍ତ୍ର ମାରନ୍ତି ପ୍ରଚଣ୍ଡା ।

ଆଦାନ ସନ୍ଧାନ ଗୁଣନାଦ ମୁଖଧ୍ୱନି

ଦଲ ଦଲ ହୋଇ କମ୍ପି ଉଠେ ପୁର ତିନି ।

ଶ୍ରାବଣ ବରଷା ପ୍ରାୟ କଲେ ବାଣବୃଷ୍ଟି

ଦିବସେ ଅନ୍ଧାର ହୋଇ ନ ଦିଶିଲା ସୃଷ୍ଟି ।

ଦୁଃସହ କଟାଳ ଯହୁଁ କଲା ଜରାସନ୍ଧ

ଉଠିଲେ ଆସନ ଛାଡ଼ି ରାମ ଆଦିକନ୍ଦ ।

ଦୁର୍ବାସାଙ୍କ ପାଦୋଦକ ଲେପିଛନ୍ତି ଦେହେ

ଶ୍ରୀଅଙ୍ଗରେ ଶସ୍ତ୍ରାଘାତ ନୁହଇ କେବେହେଁ ।

ଦୁହିଙ୍କ ଅଙ୍ଗରେ ସବୁ ଅସ୍ତ୍ର ଶସ୍ତ୍ର ବାଜି

ତିଳେ ନ ଭେଦିଣ ତଳେ ପଡ଼ିଯାନ୍ତି ଭାଜି ।

ଅକ୍ଷୟ ଅଜରାମର ପ୍ରଭୁ ଜଗଦୀଶ

ମାନବ ମାତ୍ରକେ ତାଙ୍କୁ କରିବେଟି କିସ ।

ଅଭୟ କବଚ ଯଆର ନାମ ବଜ୍ରସେହ୍ନା

ଯା ଅଙ୍ଗରେ ବାଜି ମେରୁ ଗିରି ହେବ ଚୂନା ।

ଚାରିଊଣା ଲକ୍ଷେ ରାଜା ଯେତେକ ସଇନୀ

ଅନୁକ୍ଷଣେ ପ୍ରହାରିଲେ ନାନଶସ୍ତ୍ର ଘେନି ।

ଏସନ କଟାଳ ଯହୁଁ ଦେଖିଲେ ଶ୍ରୀହରି

ରାମଙ୍କୁ ବୋଇଲେ ଚାଲ ଯିବା ଅପସରି ।

ଶୁଣି ବଳରାମ କ୍ଷେପିଗଲେ ଶୂନ୍ୟମାର୍ଗେ

ତ୍ରିଦଶ ଦେବତା ଦେଖୁଛନ୍ତି ଥାଇ ସ୍ୱର୍ଗେ ।

ଆଗେ ବଳରାମ ପଛେ ଜଗତର ସାଇଁ

ଅସଂଖ୍ୟ ସୈନ୍ୟ ଭିତରୁ ଗଲେ ପିଠିଦେଇ ।

ମତ୍ତ ମାତଙ୍ଗ ଯୂଥରେ ଯେସନେ କେଶରୀ

ତେସନ ଗମନ୍ତି ତହିଁ ରାମ ଚକ୍ରଧାରୀ ।

କ୍ଷଣକେ ଦିଶନ୍ତି କ୍ଷଣେ ଅଦୃଶ୍ୟ ହୁଅନ୍ତି

ଖଣ୍ଡେଦୂର ଯାଇ ପୁଣି ଲେଉଟି ରହନ୍ତି ।

ଦେଖିଣ ମଗଧେଶ୍ୱର କୋପଭର ହୋଇ

ସଇନଙ୍କୁ ଆଜ୍ଞା ଦେଲା ମାର ବେଗେ ଧାଇଁ ।

ହାତୀ ରଥୀ ମହାରଥୀ ସର୍ବେ ଅଛୁ ମିଳି

ଦୁଇଜଣ ପଳାଇଲେ ସମସ୍ତଙ୍କୁ ବଳି ।

ଧନୁର୍ଦ୍ଧର ଚୂଡ଼ାମଣି ସର୍ବେ ଅଗ୍ରଲେଖା

ତ୍ରିଭୁବନ ଜୟ କରି ପାର ଏକା ଏକା ।

ଗଉଡ଼ ମାତ୍ରକ ହୋଇ ଦେଲା ଏଡ଼େ ଲାଜ

ତୁମ୍ଭ ବଳେ ହେବ ଆଉ କହ କେଉଁ କାର୍ଯ୍ୟ ।

ଧିକ ତୁମ୍ଭ କ୍ଷତ୍ରିପଣ ଧିକ ତୁମ୍ଭ ବଳ

ଅକାରଣେ ଏତେ ଯତ୍ନ ହୋଇଲା ନିଷ୍ଫଳ ।

ଗଉଡ଼ ଯୋଡ଼ାକୁ ଆମ୍ଭେ ନ ପାରିଲେ ଜିଣି

କି ବୋଲିବେ ଜଗତରେ ଏ କଥାକୁ ଶୁଣି ।

ଶୁଣି ମନେ ଲଜ୍ଜାପାଇ ସବୁ ନୃପବର

ପବନହୁଁ ବେଗେ ଧୂଆଁଇଲେ ରହୁବର ।

ରାଉତ ମାହୁନ୍ତେ ଅଶ୍ୱ ଗଜ ପୃଷ୍ଠେ ବସି

ସତ୍ୱରେ ଧାଇଁଲେ ଢାଲ ଖଣ୍ଡା କରେ ବସି ।

କୋଟି କୋଟି ପଦାତିକ ଅପ୍ରମିତ ବଳ

କରେ ନାନା ଶସ୍ତ୍ର ଧରି ଧାମନ୍ତି ସକଳ ।

ମାର ମାର ଧର ଧର ହାଣ ହାଣ ଡାକ

ଭୟଙ୍କର ନାଦେ କମ୍ପେ ତିନିପୁର ଯାକ ।

ଏକକୁ ପଛ କରିଣ ଆରେକ ଧାମନ୍ତି

ପଥୁକୀ ଦେଖିଲେ ବାଟେ ବାରତା ପୁଚ୍ଛନ୍ତି ।

ଆପେ ଜରାସନ୍ଧ ରାଜା ଆଗୁଆଣି ଥାଟେ

କଟାଳ କରୁଛି ରାମ କୃଷ୍ଣଙ୍କ ନିକଟେ ।

ପାଦଘାତେ ଶାଳ ଶିଳ ବୃକ୍ଷ ଅକଳନା

ଅରଣ୍ୟ ପର୍ବତ ଭାଙ୍ଗି ହେଉଛନ୍ତି ଚୂନା ।

ଆଗେ ଆଗେ ରାମ କୃଷ୍ଣ ଯାନ୍ତି ପିଠିଦେଇ

ପଛେ ଚତୁରଙ୍ଗ ସେନା ଅଛନ୍ତି ଗୋଡ଼ାଇ ।

ଏମନ୍ତେ ଅନେକ ଦୂରୁ ଯହୁଁ ଗୋଡ଼ାଇଲେ

ସମସ୍ତଙ୍କୁ ମାୟାଧର ସ୍ୱାମୀ ଭୁଲାଇଲେ ।

କ୍ଷଣକେ ଦିଶନ୍ତି କ୍ଷଣେ ଅନ୍ତର୍ଦ୍ଧାନ ହୋଇ

ତ୍ରୌଞ୍ଚ ପର୍ବତର ଶିରେ ଉଠିଲେ ସେ ଯାଇ ।

ବତିଶ ଯୋଜନ ଆୟତନ ଗିରିବର

ତିନିଯୋଜନ ଉତ୍ସର୍ଗ ଯୋଜନେ ବିସ୍ତାର ।

ଆନ ପର୍ବତ ତହିଁକି ପଟାନ୍ତର ନାହିଁ

ଅଙ୍ଗିରା ନାମରେ ଋଷି ପୂରେଥିଲେ ତହିଁ ।

କାର୍ତ୍ତିକେୟ ପଦା ଅଛି ସେ ପର୍ବତ ତଳେ

କାର୍ତ୍ତିକେୟ ଜନ୍ମିଥିଲେ ତହିଁ ପୂର୍ବକାଳେ ।

ଅଠର ଯୂଣ ବିସ୍ତୃତ ସେ ପଦା ଅଟଇ

ଅତି ଯତ୍ନେ ସଞ୍ଚିଥିଲେ ଅଙ୍ଗିରା ଗୋସାଇଁ ।

ସେ ପଦା ମଧ୍ୟେ ମାନସ ନାମେ ଅଛି କୁଣ୍ଡ

ଅଙ୍ଗିରା ମହର୍ଷି ତହିଁ ପୋତିଥିଲେ ଦଣ୍ଡ ।

ଶତେ ନଳ ଆୟତନ କୁଣ୍ଡ ଦୀର୍ଘ ପ୍ରତି

ତହିଁରେ ମଜ୍ଜିଲେ ପ୍ରାଣୀ ଲଭେ ମୋକ୍ଷଗତି ।

ସେ ଗିରି ଶିଖରେ ଯାନ୍ତେ କୃଷ୍ଣ କାମପାଳ

ତଳରେ ମିଳିଲେ ଯାଇଁ ନୃପତି ସକଳ ।

ସମସ୍ତଙ୍କୁ ବଣା କରାଇଲେ ଦେବ ହରି

କେଉଁବାଟେ ଗଲେ କେହି ନ ପାରନ୍ତି ବାରି ।

ପଥ ଅନୁସରି ଲୋକେ ଦୂରଯାଏ ଗଲେ

ସଠା ଶବଦେ ସେ ଖୋଜି ଖୋଜି ନ ପାଇଲେ ।

ଜରାସନ୍ଧ ବୋଲେ ଦମଘୋଷକୁ ଅନାଇଁ

ସୈନ୍ୟ ଫୁଟିଲେଣି ଏଥେଁ ରହିବା ନ ଯାଇ ।

ଆଜକ ବିଶ୍ରାମ କରି ଏଠାରେ ରହିବା

କାଲି ପ୍ରଭାତରୁ ଉଠି ଦଣ୍ଡ ଚଳାଇବା ।

ଏମନ୍ତ ବିଚାର କରି ସେ ପର୍ବତ ତଳେ

ଜରାସନ୍ଧ ଆଦିକରି ରକହିଲେ ସକଳେ ।

ଲୁଗା ଟାଣି କଲେ ବସା ମଣ୍ଡପ ନିର୍ମାଣ

ନବର ବାହାରେ ଆବୋରିଲେ ନୃପଗଣ ।

ହାଟୁଆ ବାଟୁଆ ତେଲି ତନ୍ତି ବଣିଜାର

ପସରାନ୍ତ ବାଢ଼ି କଲେ ଯେ ଯାହା ବେପାର ।

ନିତ୍ୟ କର୍ମ ବଢ଼ାଇଣ ସକଳ ସଇନି

ରନ୍ଧନ ଭୋଜନ କରି ବଞ୍ଚିଲେ ରଜନୀ ।

ଶୁଣ ହେ ପରୀକ୍ଷ ରାଜା ଶୁକ ଯେ କହନ୍ତି

ଇତି ଶିରୀ ଭାଗବତ ପୁଣ୍ୟମୟ କୀର୍ତ୍ତି ।

ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟ

ଶ୍ରବଣେ ଶୁଣିଲେ ମହାପାପ ହୁଏ କ୍ଷୟ ।

ଗ୍ରହପୀଡ଼ା ରାଜପୀଡ଼ା ତ୍ରିବିଧ ଉତ୍ପାତ

ଆଧି ବ୍ୟାଧି ଅପମୃତ୍ୟୁ ନ ରହେ କିଞ୍ଚିତ ।

ଅପୁତ୍ରିକ ଶୁଣି ପୁତ୍ର ପାଏ ବରଷକେ

ଅନ୍ତଃକାଳେ ବାସ ମିଳେ ବଇକୁଣ୍ଠ ଲୋକେ ।

ହରିନାମ ଉଚ୍ଚାରି ଯେ ପଢ଼େ ହରିବଂଶ

ମୁକତ ହୁଅନ୍ତି ତାର ଚଉଦ ପୁରୁଷ ।

ରାମକୃଷ୍ଣ ପାଦେ ମୋର ସଦା ରହୁ ସେବା

ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।

 

ଜରାସନ୍ଧର ପଞ୍ଚମ ବାର ଧାଡ଼ି

ଏଥୁ ଅନନ୍ତରେ ପୁଣି ଶୁକ ମହାଯତି

ବୋଇଲେ କହିବା ଶୁଣ ପରୀକ୍ଷ ନୃପତି ।

ପର୍ବତ ଉପରେ ଛନ୍ତି ରାମକୃଷ୍ଣ ବେନି

ତଳରେ ରହିଲେ ସବୁ ନୃପେ ସୈନ୍ୟ ଘେନି ।

ଏସନ ବାରତା କେହି ନ ଜାଣନ୍ତି ଆନ

କନ୍ଦମୂଳ ଫଳ ଭକ୍ଷି ରାମ ଭଗବାନ ।

ଲବଙ୍ଗ ଲତାର ତଳେ କୋମଳ ପତ୍ରରେ

ସୁଖେ ନିଦ୍ରା ଗଲେ ଶ୍ରମ ପାଇ ସେ ନିଶିରେ ।

ଏଥୁ ଅନନ୍ତରେ ପୁଣ ପାହିଲା ରଜନୀ

ପୂର୍ବ ଅଚଳରେ ଉଦେ ହେଲେ ଦିନମଣି ।

ପର୍ବତ ଉପରୁ ରାମ କୃଷ୍ଣ ଦୁହେଁ ଆସି

ସ୍ନାନ କଲେ ସେ ମାନସ କୁଣ୍ଡଳେ ପଶି ।

ଜରାସନ୍ଧ ଚାରେ ତହିଁ ଗୁପତରେ ଥିଲେ

ସ୍ନାନ କଲା କାଳେ ରାମକୃଷ୍ଣଙ୍କୁ ଦେଖିଲେ ।

ସନ୍ଦେଶ ବାରତା ଘେନି ବାହୁଡ଼ିଣ ବେଗେ

ତକ୍ଷଣେ କହିଲେ ଯାଇ ଜରାସନ୍ଧ ଆଗେ ।

 

ଭୋ ଦେବ ତୁ ସାବଧାନେ ଶୁଣ ନୃପସାଇଁ

ବାରତା ଘେନିଣ ଆମ୍ଭେ ଆସିଅଛୁଁ ଧାଇଁ ।

କାର୍ତ୍ତିକେୟ ନାମେ ପଦା ଏ ଗିରି ଉତ୍ତରେ

ମାନସ ବୋଲିଣ କୁଣ୍ଡ ଅଛଇ ସେଠାରେ ।

ସେ କୁଣ୍ଡ ଭିତରେ ପଶି କୃଷ୍ଣ କାମପାଳ

ନିତ୍ୟକର୍ମ କରୁଛନ୍ତି ସେ ଦୁଇ ଗୋପାଳ ।

ସେଠାରେ ଭେଟିବା ଆମ୍ଭେ ଏହିକ୍ଷଣି ଗଲେ

କାର୍ଯ୍ୟହାନି ହେବ ନିଶ୍ଚେଁ ବିଳମ୍ୱ ହୋଇଲେ ।

ଏହାଶୁଣି ମହାରାଜା ସନ୍ତୋଷ ହୋଇଲା

ସମଦଣ୍ଡ ସାଜ ବୋଲି ଉଠି ଆଜ୍ଞା ଦେଲା ।

ଆଜ୍ଞା ପରମାଣେ ସବୁ ନୃପେ ହେଲେ ସଜ

ରଥୀ ମହାରଥୀ ପଦାତିକ ଅଶ୍ୱ ଗଜ ।

ଧାମନ୍ତି ଆୟୁଧ ଘେନି ଛାଡ଼ି ସିଂହରଡ଼ି

ଜୁଆର ଟେକିଲେ ଯେହ୍ନେ ସିନ୍ଧୁ ଆସେ ମାଡ଼ି ।

ତର୍ଜନ୍ତି ଗର୍ଜନ୍ତି ବୀରେ କରନ୍ତି ପହିଜ

କେ ବୋଲେ କରିବା ଚାଲ ଆଜି ରାଜକାର୍ଯ୍ୟ ।

ରାମକୃଷ୍ଣ ବାନ୍ଧି ଆଣି ଶ୍ରୀଛାମୁରେ ଦେବା

ନୋହିଲେ ଜୀବନେ ମାରି ଶ୍ରମ ପାସୋରିବା ।

କେହୁ ଯେ ବୋଲନ୍ତି ତୁମ୍ଭେ ନ କର ବଡ଼ିମା

ସାମାନ୍ୟ ନୁହନ୍ତି ସେହି ହରି ବଳରାମା ।

ଦେଖିଲତ ଯାହା କଲେ ସେ ପ୍ରଥମ ରଣେ

ଲକ୍ଷେ ରାଜା ଦର୍ପ ଗଞ୍ଜି ଗଲେ ତିନିଜଣେ ।

ଆଉ ଯେତେ ଥର ବେଢ଼ି ମଧ୍ୟରେ ପଡ଼ନ୍ତି

ଦେଖୁଥାଇ ହାତେ ହାତେ ଫେଡ଼ାଇଣ ଯାନ୍ତି ।

ଅଷ୍ଟମଲ୍ଲ ସହିତରେ କଂସ କଲେ ନାଶ

ତାଙ୍କ ସଙ୍ଗେ ଯୁଦ୍ଧ କଲେ ନ ପାଇବା ଯଶ ।

ଜାଣୁ ଜାଣୁ ମୂର୍ଖପଣ କଲେ ହେବ ଲାଜ

କଥା ହିଁ ରହିବ ଶେଷେ ନ ପାଇବା କାର୍ଯ୍ୟ ।

ଥୋକାଏ ବୀର ପ୍ରତିଜ୍ଞା କଲେ ଏହାଶୁଣି

ରାମକୃଷ୍ଣଙ୍କର ବଳ ଜାଣିମା ଏକ୍ଷଣି ।

ସମ୍ମୁଖରେ ଥାଇ ଯେବେ କରିବେ ସେ ରଣ

ତେବେ ଜଣାଯିବ ତାଙ୍କ ବୀର ଶୂରପଣ ।

ପ୍ରତିଥର ଏହିରୂପେ ବଡ଼ପଣ କହି

ସମୟ ପଡ଼ିଲେ ଭୟେ ଯାନ୍ତି ପିଠିକେଇ ।

ବୀର ବିମର୍ଦ୍ଦନ ବାନା ଜରାସନ୍ଧ ରାୟେ

ତା ଆଗେ ରହି ଯୁଝତୁ ବଳ ଥିଲେ କାୟେ ।

ଦୁଷ୍ଟ ନଷ୍ଟ ରାଜାମାନେ ଏମନ୍ତ ବିଚାରି

ଆଗଭର ହେଲେ କରେ ନାନା ଶସ୍ତ୍ରଧରି ।

ଜରାସନ୍ଧ ଆଦି କରି ସକଳ ନୃପତି

ଯେ ଯାହା ବଡ଼ିମା କହି ଗଲେ ଶୀଘ୍ରଗତି ।

କେ ରଥେ ବସିଲେ କେତେ ଆରୋହିଲେ ଗଜ

ରାଉତେ ଅଶ୍ୱ ପିଠିରେ ବସି ହେଲେ ସଜ ।

ଯେ ଯାହାର ଶସ୍ତ୍ରମାନ କରେଛନ୍ତି ଧରି

ଆଗରେ ଧାମନ୍ତି ତୋକେ ଗରଜନ କରି ।

ଏମନ୍ତ ପ୍ରକାରେ କେତେ ଦୂର ଚଳିଗଲେ

କାର୍ତ୍ତିକ ପଦାରେ ଯାଇ ପ୍ରବେଶ ହୋଇଲେ ।

ଅତ୍ୟନ୍ତ ନିର୍ମଳ ଭୂମି ହୋଇଛି ସେ ସ୍ଥାନ

ଦେଖିଣ ଆନନ୍ଦ ହେଲେ ସକଳ ସଇନ ।

ମଧ୍ୟରେ ମାନସ କୁଣ୍ଡ ଦିଶେ ଅତି ଶୋଭା

ନିତ୍ୟକର୍ମ ସାରି ରାମକୃଷ୍ଣ ତହିଁ ଉଭା ।

ଜରାସନ୍ଧ ଆସୁଅଛି ସଇନ ଚଳାଇ

ଶ୍ରୀକୃଷ୍ଣ ଦେଖିଲେ ତାହା ଖଣ୍ଡେଦୂରେ ଥାଇ ।

ଢୋଲ ଦମାଲୁ ଟମକ ବୀରତୂର ଧ୍ୱନି

ଶବଦରେ କମ୍ପୁଅଛି ସମଗ୍ର ମେଦିନୀ ।

ରଥଧ୍ୱଜମାନଙ୍କରେ ବିଚିତ୍ର ଚିରାଳ

ସମୁଦ୍ର ଲହରି ପ୍ରାୟେ ଦିଶଇ ଉଲ୍ଲୋଳ ।

ପରିଘାଇ ଜରାସନ୍ଧ ଦେଇଅଛି ଧାଡ଼ି

ଚାହୁଁ ଚାହୁଁ ସୈନ୍ୟ ଆସି ପଡ଼ୁଛନ୍ତି ମାଡ଼ି ।

ବଳରାମଙ୍କୁ ଚାହିଁଣ ବୋଲନ୍ତି ଶ୍ରୀହରି

ଯୁଝିବା କି ପଳାଇବା ଏଥୁଁ ଅପସରି ।

ଶ୍ରୀକୃଷ୍ଣ ବଚନ ଶୁଣି ପ୍ରଭୁ କାମପାଳ

ବୋଲନ୍ତି ଏ ପଦାଗୋଟି ଅତି ପରିମଳ ।

ପାଷାଣ କଣ୍ଟକ ବୃକ୍ଷ ଖୁଣ୍ଟା ଲତା ନାହିଁ

ୟା ସମାନେ ଭୂମି ଆଉ ନ ପାଇବା କାହିଁ ।

ଏହିଠାରେ ଥାଇ ଆମ୍ଭେ ସମର କରିବା

ଦୁଷ୍ଟ ରାଜାମାନଙ୍କର ଗରବ ଗଞ୍ଜିବା ।

ଏସନ କିହଲେ ଯହୁଁ ଦେବ ହଳପାଣି

ଶ୍ରୀଜଗନ୍ନାଥ ସନ୍ତୋଷ ହେଲେ ତାହା ଶୁଣି ।

ଶଙ୍ଖ ଚକ୍ର ଆୟୁଧ ଯେ ନନ୍ଦିଘୋଷ ରଥ

ତତକ୍ଷଣେ ସୁମରଣା କଲେ ଲକ୍ଷ୍ମୀକାନ୍ତ ।

ତାଳଧ୍ୱଜ ସୁମରିଲେ ପ୍ରଭୁ କାମପାଳ

ଆପଣା ଆୟୁଧ ବଜ୍ର ଲଙ୍ଗଳ ମୂଷଳ ।

ଗନ୍ଧମାଦନ ପର୍ବତେ ଥିଲେ ରଥବେନି

ଦେବଦୂତ ରାଇ ଆଜ୍ଞା ଦେଲେ ସସ୍ରଯୋନି ।

ଇନ୍ଦ୍ର ବୋଇଲେ ମାତଳି ଶୁଣ ମୋର ବାଣୀ

ରାମ କୃଷ୍ଣଙ୍କ ଛାମୁକୁ ଯିବ ଏହିକ୍ଷଣି ।

ଗନ୍ଧମାଦନ ପର୍ବତେ ଅଛି ଦୁଇ ରଥ

କାର୍ତ୍ତିକ ପଦାରେ ଛନ୍ତି ରାମ ଗୋପୀନାଥ ।

ଲଙ୍ଗଳ ମୂଷଳ ଚକ୍ର ସାରଙ୍ଗ ସହିତେ

ସମର୍ପଣ କର ନେଇ ତାହାଙ୍କ ଅଗ୍ରତେ ।

ଜରାସନ୍ଧ ଧାଡ଼ି ଦେଇ କରୁଛି କଟାଳ

ନିରାୟୁଧ ହୋଇଛନ୍ତି କୃଷ୍ଣ କାମପାଳ ।

ବିଳମ୍ୱ ନ କରି ତୁମ୍ଭେ ଏହିକ୍ଷଣି ଯାଅ

ବେନି ରଥ ନେଇ ରାମକୃଷ୍ଣ ପାଶେ ଦିଅ ।

ଇନ୍ଦ୍ରଆଜ୍ଞା ପରମାଣେ ଚଳିଲେ ମାତଳି

ଗନ୍ଧମାର୍ଦ୍ଦନ ପର୍ବତେ ତତକ୍ଷଣେ ମିଳି ।

ସକଳ ଆୟୁଧ ଦୁଇ ରଥରେ ସଜାଇ

ଗଗନ ମାର୍ଗରେ ଗଲେ ଅତି ବେଗେ ବାହି ।

କାର୍ତ୍ତିକ ପଦାରେ ଥିଲେ ରାମ ଜଗନ୍ନାଥ

ଦୁହିଁଙ୍କ ଗୋଚରେ ନେଇ ଦେଲେ ଦୁଇ ରଥ ।

ଦେଖିଣ ଆନନ୍ଦ ମନେ ଲକ୍ଷ୍ମୀଦେବୀ ସାଇଁ

ପ୍ରଦକ୍ଷିଣ କରି ରଥ ଆରୋହିଲେ ଯାଇ ।

ସିଂହାସନ ମାଡ଼ି ସ୍ୱାମୀ ବସିଲେ ନିର୍ଭରେ

ଲଙ୍ଗଳ ମୂଷଳ ଚକ୍ର ଗଦା ଧରି କରେ ।

ନନ୍ଦୀଘୋଷରେ ସାରଥି ହୋଇଲେ ମାତଳି

ତାଳଧ୍ୱଜରେ ଦାରୁକ ନାମେ ମହାବଳୀ ।

ଏକଯୋଗେ ବେନି ରଥ ହୋଇଛନ୍ତି ଉଭା

ନିଦାଘ କାଳରେ ଯେହ୍ନେ ଦିନକର ପ୍ରଭା ।

ଉପରେ କପିକେତନ ଉଡ଼େ ଫରଫର

ଯାହାକୁ ଦେଖିଲେ ଶତ୍ରୁ ହୁଅନ୍ତି କାତର ।

ତାଳଧ୍ୱଜେ ଅଛି ଶ୍ୱେତନାଗ ଯେ ଚିରାଳ

ଅସୁର ଧ୍ୱଂସନ ବାନା ଅତି ବିକରାଳ ।

ମାଣିକ୍ୟ ପ୍ରବାଳ ହୀରା ନୀଳା ମଣି ଜ୍ୟୋତି

ମାରଗ ବୈଡୁର୍ଯ୍ୟ ମରକତ ଗଜମୋତି ।

ରସାଣିଲା ପାନପତ୍ର ଷାଠିବାନୀ ସୁନା

ଜାଈ ଯୁଈ ପାରିଜାତ ପୁଷ୍ପ ଅକଳନା ।

ନେତ ପତନୀ ସିନ୍ଧୁଆ ଧବଳ ମାଞ୍ଜିଷ୍ଠ

ବସନ୍ତ ସୁପୀତ ନୀଳ ନାନା ବର୍ଣ୍ଣେ ପାଟ ।

ଆପେ ବିଶ୍ୱକର୍ମା ମଣ୍ଡିଅଛି ବେନିରଥ

ଆନନ୍ଦରେ ବିଜେ କଲେ ରାମ ଜଗନ୍ନାଥ ।

ଜରାସନ୍ଧ ସହିତରେ ସର୍ବ ନୃପବର

ସେ ବେନି ରଥକୁ ଦେଖି ହୋଇଲେ କାତର ।

ଏକକୁ ଆରେକ ଚାହିଁ ପୁଚ୍ଛନ୍ତି ବାରତା

କେଉଁମାନେ ବୋଲନ୍ତି ଏ ଅସମ୍ଭବ କଥା ।

ଏଥିର ତଦନ୍ତ ଆମ୍ଭେ ଜାଣିମା କେମନ୍ତେ

କେବଣ ଦେବତା ଅବା ଆସିଛି ଗୁପତେ ।

ମାନବ ରଥ ନୁହଇ ଏତ ଦେବଯାନ

ଆଦିତ୍ୟ ମଣ୍ଡଳ ପ୍ରାୟେ ଦିଶେ ତେଜୀୟାନ ।

ବାସବ ବରୁଣ ଯମ କିବା ନଈର୍ଋତ

କୁବେର ବିମାନ କିବା ସୂର୍ଯ୍ୟଦେବ ରଥ ।

କି ଅବା ଗନ୍ଧର୍ବ ଯକ୍ଷ ବାୟୁ ବୈଶ୍ୱାନର

ନୋହିଲେ ବା ବ୍ରହ୍ମା ଏହି ଅନାଦି ଈଶ୍ୱର ।

କେବଣ ଦେବତା ଏହା ଜାଣିମା କେମନ୍ତେ

କାହିଁପାଇଁ ଏ ସ୍ଥାନକୁ ଅଇଲେ ଅଦ୍ଭୁତେ ।

ଏ ବଚନ ଶୁଣି ବୋଲେ ଦନ୍ତବକ୍ର ରାୟେ

ଏ ଦୁହେଁ ଦିଶନ୍ତି ମୋତେ ଯୁଦ୍ଧ କଲା ପ୍ରାୟେ ।

କରେ ଶସ୍ତ୍ର ଧରି ପୁଣି ବୀରବେଶ ହୋଇ

ନିର୍ଭୟରେ ରହିଛନ୍ତି ମନେ ଶଙ୍କା ନାହିଁ ।

ମୋ ବିଚାରେ ଜାଣୁଅଛି ମୁହିଁ ତଥ୍ୟ କରି

ନିଶ୍ଚୟେ ଅଟନ୍ତି ଦୁହେଁ ରାମ ଚକ୍ରଧାରୀ ।

ଜରାସନ୍ଧ ବୋଲେ ମୋର ଏଡ଼େ ଭାଗ୍ୟ କାହିଁ

ସମର କରିବେ ରାମ କୃଷ୍ଣ ଆଗେ ରହି ।

ଜୁଆଇଁ ମରଣ ଶୋକ ଝିଅଙ୍କ ବିକଳ

ନାତିଙ୍କ ମରଣ ପାସୋରିବି ମୁଁ ସକଳ ।

ଚାରିବେଳ ମୋ ଆଗରୁ ପଳାଇଲେ ଡରେ

ସେ ଏବେ ଯୁଝିବେ ରହି କେଉଁ ଭରସାରେ ।

ଏମନ୍ତ ସମୟେ ଆସି କହିଲା ଡଗର

ସାବଧାନ ହୋଇ ଶୁଣ ମଗଧ ଈଶ୍ୱର ।

ରାମକୃଷ୍ଣ ଦୁଇ ଭାଇ ରଥେ ରଥେ ଚଢ଼ି

ସଂଗ୍ରାମ କରିବେ ବୋଲି ଆସୁଛନ୍ତି ବଢ଼ି ।

ଏହାଶୁଣି ଜରାସନ୍ଧ ନିଶେ ହାତ ଦେଲା

ଯାହା ଲୋଡ଼ୁଥିଲି ତାହା ପାଇଲି ବୋଇଲା ।

ଦଣ୍ଡୁଆସି ଅଗ୍ରତରେ ପଡ଼ିଅଛି ଚୋର

ଛାଗଳ ମିଳିଲା ଆସି ଶାର୍ଦ୍ଦୁଳ ଛାମୁର ।

ମାର୍ଜ୍ଜାର ଦାଢ଼ରେ ଆସି ପଡ଼ିଅଛି ମୂଷା

ଲୁବ୍‌ଧକ ଜାଲରେ ଆପେ ପଶିଲା କି ଶଶା ।

କୈବର୍ତ୍ତ ଆଗରେ ଆସି ପଡ଼ିଅଛି ମୀନ

ଏତେକାଳେ ଦେଖାଗଲା ମୋର ପୂର୍ବ ପୁଣ୍ୟ ।

ଏତେ ବୋଲି ଆପଣାର ରଥକୁ ଧୂଆଇଁ

ସଇନ୍ୟକୁ ଆଜ୍ଞା ଦେଲା ବେଢ଼ ବେଗେ ଯାଇ ।

ଜାଣିଥାଅ ରାମକୃଷ୍ଣ ଦେବ ଯେହୁ ଜିଣି

ଆଜିଠାରୁ ମୋ ରାଜ୍ୟରେ ସେ ହେବ ତରଣି ।

ଧନରତ୍ନ ଦେଇ ଆପେ ହେବି ତାର ଭୃତ୍ୟ

ମାନ ଉଦ୍ଧରିବି ନିଶ୍ଚେ କରି ଏହି କୃତ୍ୟ ।

ଜରାସନ୍ଧ ମୁଖୁଁ ଏହା ଶୁଣି ନୃପରାଣ

ରେରେକାର କରି ସର୍ବେ ଧାଇଁଲେ ତକ୍ଷଣ ।

ଯେବଣ ରଥରେ ଥିଲେ ରାମ ଯଦୁନାଥ

ଲକ୍ଷେ ପୁର କରି ତହିଁ ବେଢ଼ିଲେ ସେ ରଥ ।

ଧାମନ୍ତି ସକଳ ଦିଗେ ଘୋଟିଣ ସଇନି

ସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭେ ମୁଖଧ୍ୱନି ।

କରେ ଶସ୍ତ୍ର ଧରି ବୀରେ କରନ୍ତି ପହିଜ

ବୋଲନ୍ତି ଗଉଡ଼ ଆରେ କାହିଁ ଯିବୁ ଆଜ ।

ଭଣ୍ଡି ଯାଉଥିଲୁ ଆଜି ପଡ଼ିଅଛୁ ଭେଟ

ଏଘାନ୍ତି ଜାଣିମା ତୋର ଦେହ କେଡ଼େ ଆଣ୍ଟ ।

କୃତାନ୍ତ ଦେବତା ଆଜି ପୋଛିଲା ତୋ ପାଞ୍ଜି

ଏହିକ୍ଷଣି ତୁଳା ପ୍ରାୟେ ଦେବୁ ତୋତେ ପିଞ୍ଜି ।

ଏତେ ବୋଲି ଜରାସନ୍ଧ ଧାଇଁ ଅତି ବେଗେ

ରଥ ଟେକାଇଲା ନେଇ ବଳରାମ ଆଗେ ।

ବାମକରେ ଧନୁ ଧର ନାରାଚ ସନ୍ଧିଣ

କର୍ଣ୍ଣଯାଏ ଝିଙ୍କିଆଣି ବିନ୍ଧେ ପୁଣ ପୁଣ ।

ବାବଲ ନାରାଚ ଗୁଣେ ସନ୍ଧି ସେ ଭୂପତି

ବଳରାମ ଉପରକୁ ମାରେ ଶୀଘ୍ରଗତି ।

କଙ୍କପକ୍ଷ ତୀକ୍ଷ୍‌ଣମୁନା ସହସ୍ରେକ ବାଣ

ହସ୍ତ ବ୍ୟଗ୍ରେ ବିନ୍ଧିଲା ସେ ମନ୍ତ୍ର ସୁମରିଣ ।

ନାରାଚ ଆସନ୍ତେ ଦୂରୁ ଦେଖି ନୀଳାମ୍ୱର

ମୂଷଳ ଥୋଇଣ ଧନୁ ଧଇଲେ ସତ୍ୱର ।

କତୁରୀ ନାରାଚ ଶତେ ଧନୁରେ ପୂରାଇ

ରେରେକାର କରି କୋପେ ବିନ୍ଧିଲେ ନିଠାଇ ।

ସେ ନାରାଚମାନ ଯୁଦ୍ଧ ପ୍ରାଙ୍ଗଣରେ ଘୋଟି

ଜରାସନ୍ଧ ବାଣମାନ ପକାଇଲେ କାଟି ।

ଦେଖିଣ ମଗଧେଶ୍ୱର କୋପେ କୋପାନଳ

କାଳସର୍ପ ପ୍ରାୟେ ଗରଜଇ ଅନ୍ତରାଳ ।

ଅଧାଚନ୍ଦ୍ର ବାଣ ଶତେ ଭାରତୀରୁ ଆଣି

ଆକ୍ରୋଶି ବିନ୍ଧିଲା କର୍ଣ୍ଣ ଯାଏ ଗୁଣ ଟାଣି ।

ବାବଲ ବାଣେକ ଧରି ରାମ ଦେଲେ ଛାଡ଼ି

ଜରାସନ୍ଧ ବାଣେ ଗଲା ଅନ୍ତରୀକ୍ଷେ ଉଡ଼ି ।

ଦେଖି ମନେ ଖେଦପାଇ ସଙ୍କୋଚନ ବତ୍ସି

ଶାଣଦିଆ ଶତେବାଣ ପୂରାଇଲା ବାଛି ।

ଦନୁର୍ବେଦ ସୁମରିଣ ପେଷିଦେଲା ବେଗେ

ଗର୍ଜିଣ ଧାଇଁଲେ ବାଣ ଅନ୍ତରୀକ୍ଷେ ମାର୍ଗେ ।

ପୁଣି ହିଁ ସହସ୍ରେ ବାଣ ତୂଣୀରରୁ କାଢ଼ି

ସମ୍ଭାଳ ଗଉଡ଼ ବୋଲି କୋପେ ଦେଲା ଛାଡ଼ି ।

ଧନୁର୍ଗୁଣ ଶବଦରେ କମ୍ପଇ ବ୍ରହ୍ମାଣ୍ଡ

ନିମିକେ ବରଗିଲା ଲକ୍ଷେ ଲକ୍ଷେ କାଣ୍ଡ ।

ପନ୍ଦର ସହସ୍ର ବାଣ ପୂରାଇଣ ଗୁଣେ

ବଳଦେବ ଉପରକୁ ବିନ୍ଧିଲା ତକ୍ଷଣେ ।

ଚଳିଲେ ସେ ବାଣମାନେ ଦଶଦିଗେ ଘୋଟି

ଦିବସେ ଅନ୍ଧାର ହୋଇ ନ ଦିଶିଲା ସୃଷ୍ଟି ।

ନାରାଚ ଆସନ୍ତେ ଦେଖି ବଳରାମ ସ୍ୱାମୀ

ଚକ୍ରମୁନା ପାଞ୍ଚସସ୍ର ପେଷି ଅନ୍ତର୍ଯ୍ୟାମୀ ।

ଜରାସନ୍ଧ ବାଣମାନେ ଆସୁଥିଲେ ଉଡ଼ି

ପାଞ୍ଚ ପାଞ୍ଚ ଖଣ୍ଡ ହୋଇ ମଧ୍ୟୁ ଗଲେ ଛିଡ଼ି ।

ବାଣହତ ଦେଖି ଜରା କୋପେ ପରଜ୍ୱଳି

ଗୁଣେ ବସାଇଲା ଆଣ ଶର ଆର୍ଦ୍ରାବଳି ।

ବେଦମନ୍ତ୍ରେ ମନ୍ତ୍ରି ତାହା ବିନ୍ଧିଲା ସତ୍ୱର

ସେ ଅମୋଘ ବାଣ ଦୂରୁଁ ଦେଖି ହଳଧର ।

କାଳାନ୍ତକ ନାମେ ଏକ ମହାବାଣ କାଢ଼ି

ମନ୍ତ୍ରପୂତ କରି ତାକୁ ବେଗେ ଦେଲେ ଛାଡ଼ି ।

ଦୁଇବାଣ ଗଗନରେ ବାଜି ସମତାଳ

ଉଠିଲା ବହନିଶିଖା ଜ୍ୟୋତି ଅନ୍ତରାଳ ।

ଦେଖି ମହାକୋପ କରି ମଗଧ ନୃପତି

କୁହୁକୁ ବାଣକୁ କରେ ଘେନିଣ ଝଟତି ।

ମହାମନ୍ତ୍ରେ ମନ୍ତ୍ରୀ ତାକୁ ପେଷିଦେଲା ରାୟେ

ଦିଶିଲା ସକଳ ସୃଷ୍ଟି ଅନ୍ଧକାର ମୟେ ।

ଘଡ଼ ଘଡ଼ ହୋଇ ଶବ୍ଦ ଶୁଭେ ଭୟଙ୍କର

ଘୋଟିଲା ଅକାଳ ନିଶା ନିବିଡ଼ ଅନ୍ଧାର ।

ଏକକୁ ଆରେକ ବଣା ନ ଦିଶଇ ବାଟ

ଯେ ଯାହାର ସ୍ତମ୍ଭୀଭୂତ ହେଲେ ସର୍ବଥାଟ ।

ତତକ୍ଷଣେ ସୂର୍ଯ୍ୟ ଅସ୍ତ୍ର କଲେ ହଳଧର

ଆଦିତ୍ୟ ତେଜରେ ଲୀନ ହୋଇଲା ଅନ୍ଧାର ।

ପନ୍ନଗାସ୍ତ୍ର କଲା ପୁଣି ଜରାସନ୍ଧ କୋପେ

ଗରୁଡ଼ାସ୍ତ୍ରେ ସଂହାରିଲେ ବଳରାମ ଆପେ ।

କୋପେ କୋପାନଳ ତାହା ଦେଖି ଦୈତ୍ୟମଣି

ଦଶସସ୍ର ପର୍ବତାସ୍ତ୍ର ବିନ୍ଧେ ଗୁଣ ଟାଣି ।

ସେ ପର୍ବତେ ପକ୍ଷବନ୍ତ ପକ୍ଷୀ ପ୍ରାୟେ ଉଡ଼ି

ମନ୍ତ୍ରବଳେ ଆସୁଥିଲେ ଶୂନ୍ୟପଥ ମାଡ଼ି ।

ବଳବନ୍ତା ସ୍ୱାମୀ ଦେଖି ନ କରି ଶୋଚନା

ବଜ୍ରାସ୍ତ୍ର ବିନ୍ଧିଣ ସବୁ ଗିରି କଲେ ଚୂନା ।

ବେଳୁଁ ବେଳ ବଢ଼ିଲା ଯେ ରଣ ମହାଗୋଳ

ଅନ୍ୟୋନ୍ୟରେ ଦୁହେଁ ମହାକ୍ଷତ୍ରୀ ଅନର୍ଗଳ ।

ଧାତିକାରେ ଜରାସନ୍ଧ ମେଘାସ୍ତ୍ର କାଢ଼ିଲା

ବଳରାମ ଉପରକୁ ମନ୍ତ୍ରି ଛାଡ଼ିଦେଲା ।

ମହାଭୟଙ୍କର ରୂପେ ମେଘମାଳ ଘୋଟି

ଉଲ୍‌କାପାତ ହେଲା ପ୍ରାୟ ଦିଶେ ନଭସୃଷ୍ଟି ।

ଘଡ଼ ଘଡ଼ ଗରଜନ ବଜ୍ରସମ ଧ୍ୱନି

ନିର୍ଘାତ ଶବଦେ କମ୍ପିଗଲା ପୁର ତିନି ।

ମାରଇ ବିଜୁଳି ଅନ୍ତରୀକ୍ଷେ ଘନ ଘନ

ଘୋର ବରଷାରେ ଦିଗ ହୋଇଲା ଆଛନ୍ନ ।

ପବନାସ୍ତ୍ର ପେଷିଲେ ତା ଦେଖି କାମପାଳ

ଛିନ୍ନଛତ୍ର ହୋଇ ଉଡ଼ିଗଲେ ମେଘମାଳ ।

ଦେଖି ମନେ ଲଜ୍ଜାପାଇ ଜରାସନ୍ଧ ରାଣ

ଗରଜି ଧଇଲା ବୀର କରେ ଅଗ୍ନିବାଣ ।

ମନ୍ତ୍ରି ପଢ଼ି କର୍ଣ୍ଣଯାଏ ଓଟାରିଣ ରାଗେ

ବଳରାମ ଉପରକୁ ବିନ୍ଧିଲା ତା ବେଗେ ।

ପ୍ରଚଣ୍ଡ ଅନଳଶିଖା ଅନ୍ତରୀକ୍ଷେ ଉଠି

ଚାହୁଁ ଚାହୁଁ ମାଡ଼ିଆସେ ଦଶଦିଗ ଘୋଟି ।

ଗୋପନ ଦୋହରା ଅଗ୍ନି ଜଳେ ଅନ୍ତରାଳ

ଚରାଚର ପ୍ରାଣୀ ଦେଖି ହୋଇଲେ ଆକୁଳ ।

ପୃଥୀଠାରୁ ଘୋଟିଅଛି ଧ୍ରୁବଲୋକ ଯାଏ

ଦେଖି ଭୟେ କମ୍ପମାନ ହେଲେ ଦେବତାଏ ।

ବଳରାମ ଜଳଧାରା ବାଣ କରେ ଘେନି

ମାରନ୍ତେ ଘୋଟିଲା ବାଣ ଆକାଶ ମେଦିନୀ ।

ମୂଷଳ ଧାରା ପ୍ରମାଣେ ବୃଷ୍ଟି ହୋଇ ଜଳ

ତତକ୍ଷଣେ ଲିଭିଗଲା ପ୍ରଚଣ୍ଡ ଅନଳ ।

ଦେଖି ଜରାସନ୍ଧର ଯେ ନ ସ୍ଫୁରଇ କିଛି

ଅନେକ ଲଜ୍ଜା ପାଇଲା ସଙ୍କୋଚନ ବତ୍ସି ।

ଛୟାଣୋଇସସ୍ର ରାଜା ଦେଖୁଛନ୍ତି ରହି

ରାମ ସଙ୍ଗେ ଜରାସନ୍ଧ ସମର କରଇ ।

ସହସ୍ର ଲକ୍ଷ ଯେ କୋଟି ଅର୍ବୁଦ ନିଖର୍ବ

ଦେବଶସ୍ତ୍ର ଆଦିକରି ପ୍ରହାରିଲା ସର୍ବ ।

ବିନ୍ଧି ବିନ୍ଧି ବଳହାନି ହେଲା ନୃପରାଣ

ରାମ ଅଙ୍ଗେ ନ ଭେଦିଲା ତୁଚ୍ଛା ହେଲା ତୂଣ ।

ମନେ ମନେ ବିଚାରଇ ଜରାସନ୍ଧ ରାୟେ

ଏହାକୁ ଜିଣିବି ଆଉ କେବଣ ଉପାୟେ ।

ଧନୁଶର ଧରି ଯହୁଁ ନ ପାରିଲା ଜିଣି

ମନେ ମନେ ମହାଲଜ୍ଜା ପାଇ ନୃପମଣି ।

ଅମୋଘ ବାସ୍ତରୀ ଭାର ଗଦା ଘେନି କରେ

ରଥୁ ଡେଇଁ ତଳେ ଉଭାହେଲା କୋପଭରେ ।

ଧାମଇଁ ବିକ୍ରମ ସିଂହ ପ୍ରାୟେ ଦେଇ ରଡ଼ି

ସତେ କିବା ମେରୁଗିରି ପଡ଼ୁଅଛି ଝଡ଼ି ।

ଗଦା ବୁଲାଇଣ ବୀର କରନ୍ତେ ପହିଜ

ପ୍ରଚଣ୍ଡ ପବନେ ଉଡ଼ିଗଲେ ରଥ ଗଜ ।

ପାଦଘାତେ ଦଲଦଲ କମ୍ପଇ ଧରଣୀ

ଟଳମଳ ହୋଇଲା ଯେ ବାସୁକୀର ଫଣି ।

ବୀରଦର୍ପ ଗଞ୍ଜନ ସେ ସଂଗ୍ରାମେ ଅଜେୟ

ସୁରାସର ମାନବକୁ ନାହିଁ ତାର ଭୟ ।

ମର୍ତ୍ତ୍ୟ ମଣ୍ଡଳରେ ସେହି ବୀର ଶିରୋମଣି

ଯତନେ ସନ୍ଧିଛି ତାକୁ ଜରା ରାକ୍ଷସୁଣୀ ।

ଛୟାଣୋଇ ସସ୍ର ରାଜା ଜିଣିଲା ସେ ବଳେ

ତା ସମାନେ ବଳବନ୍ତ ନାହିଁ ରବିତଳେ ।

ନବଦ୍ୱୀପ ସାତସିନ୍ଧୁ ହେଳେ କଲା ସାଧ୍ୟ

ବସୁଦେବ ସୁତ ହସ୍ତେ ନୁହଇ ସେ ବଧ ।

ପବନହୁଁ ଖରେ ବୀର ଧାଇଁ ଅତିବେଗେ

ପ୍ରବେଶ ହୋଇଲା ଯାଇ ବଳରାମ ଆଗେ ।

ବାହାନାଦ କରି ଗଦା ଉର୍ଦ୍ଧ୍ୱରେ ବୁଲାଇ

ତାଳଧ୍ୱଜ ରଥପରେ ପିଟିଲାକ ନେଇ ।

ତା ଦେଖି ସାରଥି ରଥ ଘୁଞ୍ଚାଇଲା କାଢ଼ି

ଅସମ୍ଭାଳ ହୋଇ ରାଜା ପଡ଼େ ମୁହଁ ମାଡ଼ି ।

ଦେଖି ଅଟ୍ଟହାସ କଲେ ସଇନ୍ୟ ସକଳ

ଦମଘୋଷ ଦନ୍ତବକ୍ର ଶାଲ୍ୱ ଶିଶୁପାଳ ।

ରୁକ୍ମଣକୁ ଆଦିକରି ଥିଲେ ଯେତେ ରାଜା

ହସନ୍ତେ ତା ଦେଖି ଜରାସନ୍ଧ ପାଇ ଲଜ୍ଜା ।

ସତ୍ୱରେ ଧାଇଁଲା ପୁଣି ଗଦାବର ତୋଳି

କଳାସର୍ପ ପ୍ରାୟେ ଗରଜଇ ମହାବଳୀ ।

ରେରେକାର କରି ଗଦା ବୁଲାଇ ପ୍ରଖରେ

ଉଞ୍ଚାଇ ପିଟିଲା ବଳଦେବଙ୍କ ରଥରେ ।

ଗଦା ଦେଖି ବଳରାମ କୋପମୁଖ ହୋଇ

ବିନ୍ଧିଲେ କତୁରୀବାଣ ଧନୁରେ ପୂରାଇ ।

ସେ ବାଣ ଗଗନ ମାର୍ଗେ ଚଳି ଅତିଚାଣ୍ଡେ

ଗଦା କାଟି ବେନିଖଣ୍ଡ କଲା ରଣଦାଣ୍ଡେ ।

ଗଦା ଭଗ୍ନହେବା ଦେଖି ମଗଧ ଈଶ୍ୱର

ପୁଣି ଆନ ଗଦା କରେ ଧଇଲା ସତ୍ୱର ।

ଉର୍ଦ୍ଧ୍ୱକୁ ବୁଲାଇ ତାହା ପିଟନ୍ତେଣ ତୋଳି

ପାଞ୍ଚଗୋଟି ଅଧାଚନ୍ଦ୍ର ବିନ୍ଧିଲେ ମୂଷଳି ।

ପାଞ୍ଚଖଣ୍ଡ ହୋଇ ଗଦା ପଡ଼ିଲା ଭୂତଳେ

ଦେଖିଣ ମଗଧେଶ୍ୱର କ୍ରୋଧାଗ୍ନିରେ ଜଳେ ।

ମାନଭଙ୍ଗ ହୋଇଣ ସେ କ୍ଷତ୍ରିୟ ପ୍ରଚଣ୍ଡା

ଆକ୍ରୋଶି ଧଇଲା କରେ ଟେକି ଫରି ଖଣ୍ଡା ।

କୃପାଣ ବୁଲାଇ ରାଜା ଧାମେ ଅନ୍ତରାଳେ

ବାବଲ ଶର ପେଶିଲେ ଦେଖି କାମପାଳେ ।

ସେ ବାଣରେ ବେନିଖଣ୍ଡ ହୋଇ ଅସିବର

ଖଣ୍ଡେ ହସ୍ତେ ରହି ଖଣ୍ଡେ ପଡ଼ିଲା ଭୂମିର ।

ସମରେ ନିଃଶସ୍ତ୍ର ହୋଇ ନ ଦେଇ ସେ ପିଠି

ମାଲ ବିନ୍ଧାଣି ଗତିରେ ଧାଇଁଲା ପାଲଟି ।

ଠାଣିମାଣି କରି ବୀର ବାହାସ୍ଫୋଟ ମାରେ

ହାବୋଡ଼ା ବାଣେକ ରାମ ପେଷିଲେ ସତ୍ୱରେ ।

ବକ୍ଷରେ ବାଜିଲା ବାଣ ବଜ୍ରପ୍ରାୟେ ଘୋଟି

ମୂର୍ଚ୍ଛାଗତ ହୋଇ ରାଜା ପଡ଼େ ମହୀଲୋଟି।

ଦମଘୋଷ ଆଦି ଯେତେ ନରପତି ଥିଲେ

ପ୍ରାଣପଣ କରି ତାକୁ ଆବୋରି ରହିଲେ ।

ଚନ୍ଦନ କର୍ପୂର ଗୋଳା ପାଣି ମୁଖେ ସିଞ୍ଚି

କୋଳକରି ବସାଇଲେ ଆଲଟରେ ବିଞ୍ଚି ।

କିଛିକ୍ଷଣେ ଜରାସନ୍ଧ ଅଙ୍ଗେ ଚେତା ପାଇ

ସୈନ୍ୟ ଭିତରେ ରହିଲା ରଥେକ ଆରୋହି ।

ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ଜଗନ୍ନାଥଙ୍କର ତୁଲେ ଆରମ୍ଭିଲେ ରଣ ।

ହାତୀ ରଥୀ ମହାରଥୀ ସୈନ୍ୟ ଅପ୍ରମିତ

ଏକକୁ ଆରେକ ଯୋଦ୍ଧା ହେଲେ ସୁସଜ୍ଜିତ ।

କରେ ନାନା ଶସ୍ତ୍ର ଧରି ଏକମୁଖ ହୋଇ

ଗୋବିନ୍ଦ ଉପରେ ମାଡ଼ି ପଡ଼ିଲେକ ଧାଇଁ ।

ରେରେକାର କରି ସର୍ବେ ଧରିଣ ଆୟୁଧ

ଏକାବେଳେ ପ୍ରହାରନ୍ତି ନ ରଖି ଉପ୍ରୋଧ ।

ଛେଲ ଛତ୍ର କୁନ୍ତ ଅସି ନାରାଚ ମୁଦ୍‌ଗର

ପରିଘ ଶାବେଳି ଗଦା ଗୁରୁଜ ତୋମର ।

କତୁରୀ ନାରାଚ ଯମଦାଢ଼ ତୀକ୍ଷ୍‌ଣ ମୁନା

ପରଶୁ କୃପାଣ ଭାଲ କାଣ୍ଡ ଅକଳନା ।

ଅକଳିତ ଶସ୍ତ୍ର ଘେନି କରନ୍ତି ପ୍ରହାର

ଦଶଦିଗେ ପୂରି ହେଲା ଦିବସ ଅନ୍ଧାର ।

ଅବିଚ୍ଛିନ୍ନେ ଶୂନ୍ୟୁ ଘୋଟି ପଡ଼ୁଅଛି ବାଣ

ଶ୍ରାବଣ ମାସରେ ଯେହ୍ନେ ବରଷଇ ଘନ ।

ସମୁଦ୍ର ଗର୍ଜ୍ଜନ ପ୍ରାୟେ ଶୁଭେ ମୁଖଧ୍ୱନି

ଏକା ରଥକୁ ବେଢ଼ିଲେ ସକଳ ସଇନି ।

ନନ୍ଦିଘୋଷ ସ୍ୟନ୍ଦନରେ ବିଜେ ଚକ୍ରଧର

ସାରଙ୍ଗ ଧନୁକୁ ଧରିଛନ୍ତି ବାମକର ।

କୋଟି କୋଟି ଅସ୍ତ୍ର ଶସ୍ତ୍ର ଦେଖି ଚକ୍ରପାଣି

ମନଭେଦୀ ବାଣ ଗୁଣେ ବସାଇଲେ ଆଣି ।

ଯେବଣ ଯୋଦ୍ଧାଏ ଯେତେ ଶସ୍ତ୍ର ପେଷିଥିଲେ

ଏକା ପ୍ରହାରକେ ତାହା ସବୁ ଛେଦି ଦେଲେ ।

ପୁଣି ପାଞ୍ଚଶତ ତୀକ୍ଷ୍‌ଣମୁନା କାଣ୍ଡ ସନ୍ଧି

ସୈନ୍ୟ ଉପରକୁ ଲକ୍ଷ୍ୟ କରିଦେଲେ ବିନ୍ଧି ।

ଚାହୁଁ ଚାହୁଁ ସହସ୍ରେକ ଅଧାଚନ୍ଦ୍ର ବାଣ

ମନ୍ତ୍ର ପଢ଼ି ନିମିଷକେ ବରଗିଲେ ପୁଣ ।

ପୁନରପି ନିଜ ହସ୍ତ ଲାଘବ ଦେଖାଇ

ଶତ ଶତ କ୍ଷୁର କାଣ୍ଡ ବିନ୍ଧିଲେ ତୁହାଇ ।

ସେକାଳେ ମଣ୍ଡଳା କାମର ହେଲା ଶରାସନ

କେହି ଦେଖି ନ ପାରିଲେ ଆଦାନ ସନ୍ଧାନ ।

ସେ ନାରାଚେ ପକ୍ଷୀ ପ୍ରାୟ ଶୂନ୍ୟପଥ ଭେଦି

ଚଉଦିଗେ ପଡ଼ି ଶତ୍ରୁ ସୈନ୍ୟ ଦେଲେ ଛେଦି ।

ଯହିଁକି ଚାହିଁଲେ ତହିଁ କୁଢ଼ କୁଢ଼ ମଡ଼ା

କେଡ଼େବଡ଼ ପଦା ଗୋଟା ତିଳେ ନାହିଁ ଛଡ଼ା ।

ନାରାଚ ବାଜନ୍ତେ ହାତୀ ଘୋଡ଼ା ମୁଣ୍ଡ ଛିଡ଼ି

ବୃକ୍ଷୁତାଳ ଫଳପ୍ରାୟ ତଳେ ପଡ଼େ ଝଡ଼ି ।

ସାରଥି ଅଶ୍ୱ ସହିତେ ରଥ ହେଲା ଚୂନା

କେତେ ମହାରଥୀ ମଲେ ନ ଗଲା କଳନା ।

ବହିଲା ରକତ ନଦୀ ଖଳ ଖଳ ହୋଇ

ଶୁଷ୍କ କାଠ ଭେଳା ପ୍ରାୟେ ମଡ଼ାଙ୍କୁ ଭସାଇ ।

ମଗର କଚ୍ଛପ ହେଲେ ତହିଁ ମୁଣ୍ଡମାଳ

ଧଣ୍ଡ ସାପ ପ୍ରାଏ ତହିଁ ଭାସେ କରବାଳ ।

ନାଚନ୍ତି କବନ୍ଧେ ଉଠି ଯୁଦ୍ଧେ ଲୟ ଦେଇ

ଭୟାଳୁଏ ଶସ୍ତ୍ର ଧରି ନ ପାରିଲେ ରହି ।

ଜମ୍ୱୁକ ବାୟସ ବୃକ ଶ୍ୱାନ ଗୃଧ୍ରପକ୍ଷୀ

ଆନନ୍ଦରେ ନୃତ୍ୟ କଲେ ରକ୍ତ ମାଂସ ଭକ୍ଷି ।

କଙ୍କାଳୀ ବେତାଳୀ ଚଣ୍ତୀ ଚାମୁଣ୍ଡା ଡାକିନୀ

ମେଦମେଦା ଖାଇ କଲେ କିଳିକିଳା ଧ୍ୱନି ।

ଅବିଚ୍ଛନ୍ନେ ବିନ୍ଧୁଛନ୍ତି ପ୍ରଭୁ ନାରାୟଣ

ଯହିଁକି ଚାହିଁଲେ ତହିଁ ପଡ଼ୁଅଛି ବାଣ ।

ଅଠର ଯୋଜନ ଦୀର୍ଘ ପ୍ରତିରେ ସେ ପଦା

ତାଳେକ ଉଚ୍ଚରେ ମଡ଼ା ପଡ଼ି ହେଲେ ଗଦା ।

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି

ଅନେକ ସୈନ୍ୟ ମାଇଲେ କୋପେ ଚକ୍ରପାଣି ।

ଜରାସନ୍ଧ ଆଦିକରି ସକଳ ନୃପତି

ଘୋର ଯୁଦ୍ଧ ଦେଖି ମନେ କଲେ ମହାଭୀତି ।

ଦମଘୋଷ ବୋଲେ ଶୁଣ ମଗଧ ଈଶ୍ୱର

ଆଜର ସଂଗ୍ରାମ ହେଲା ଅତି ଗୁରୁତର ।

ପଡ଼ିଲେ ଅସଂଖ୍ୟ ହାତୀ ରଥୀ ସୈନ୍ୟବଳ

ଲକ୍ଷେ ରାଜାଙ୍କର ସୈନ୍ୟ ମଲେଣି ସକଳ ।

ଏକାକେ ସେ ଦୁଇ ଭାଇ ଏଡ଼େ କୃତ୍ୟକଲେ

ଇଷ୍ଟ ବନ୍ଧୁ ସହୋଦର ସର୍ବେ ନାଶ ଗଲେ ।

ଏତେ ବୋଲି ସଇନ୍ୟଙ୍କୁ ଦୁହେଁ ଦେଲେ ଚାହିଁ

ଅକ୍ଷତ ହୋଇଣ ଯୋଦ୍ଧା ଜଣେ କେହି ନାହିଁ ।

ଚାରିଆଡ଼େ କୁଢ଼ କୁଢ଼ ଦିଶୁଛନ୍ତି ମଡ଼ା

ପ୍ରାଣଥିବା ଲୋକେ ହୋଇ ନ ପାରନ୍ତି ଛିଡ଼ା ।

କର ଚରଣ କାହାର ଯାଇଅଛି ଛିଡ଼ି

ଜାନୁ ଭଗ୍ନ ହୋଇ ଥୋକେ ରହିଛନ୍ତି ପଡ଼ି ।

ସବୁରି ଶରୀରେ କ୍ଷତ ଶସ୍ତ୍ର ଆଘାତରୁ

ମନ୍ଦାର କୁସୁମ ପ୍ରାୟେ ଦିଶୁଅଛି ଦୂରୁ ।

ଜରାସନ୍ଧ ବୋଲେ କେହି ନ କର ଶୋଚନା

ହାରିବା ଜିଣିବା ବୃତ୍ତି କ୍ଷତ୍ରିୟର ସିନା ।

ଯେବଣ କାଳକୁ ଯୋଗଥାଏ ଯେଉଁକଥା

ଅବଶ୍ୟ ଘଟଇ କେଭେଁ ନୁହଇ ଅନ୍ୟଥା ।

ଏଥକୁ ଶୋଚନା କଲେ ହେବ ଆଉ କିସ

କ୍ଷତ୍ରିୟ ବିଦ୍ୟାରେ ମୁଖ୍ୟ ଅଟଇ ସାହସ ।

ଏ କଥାକୁ ଡରି ଆମ୍ଭେ ଯୁଦ୍ଧ କଲେ ତ୍ୟଜ୍ୟା

ଲୋକେ ଅପଖ୍ୟାତି ହେବ ଉପୁଜିବ ଲଜ୍ଜା ।

ଦୁଇଜଣ ଯୁଦ୍ଧକଲେ ଜଣେ ନିଶ୍ଚେଁ ହାରେ

ଛିଦ୍ର ଜଗିଥିଲେ ଶତ୍ରୁ ପଡ଼େ ଆୟତରେ ।

ସବୁକାଳରେ ପ୍ରାଣୀର ନ ଥାଇଟି ଦୁଃଖ

ସମୟେକ ଦୁଃଖ ପାଇ ଭୋଗକରେ ସୁଖ ।

ଲାଭହାନି ଶୁଭାଶୁଭ ଜନ୍ମ ମୃତ୍ୟୁ ଭୟ

ସଙ୍ଗେ ଘେନି ପ୍ରାଣୀମାନେ ହୁଅନ୍ତି ଉଦୟ ।

ଯେବଣ କାଳକୁ ଯେଉଁ କଥା ଥାଏ ଯୋଗ

ମେଣ୍ଟଣ ନ ଯାଇ ନିଶ୍ଚେ ହୁଅଇ ତା ଭୋଗ ।

ଏ କଥା ବିଚାରି କେହି କିଛି ହିଁ ନ ଡର

ଏକମୁଖ ହୋଇ ଚାଲ କରିବା ସମର ।

ସଂସାରେ ଅଜରାମର ନୁହେଁ କାହା ଦେହୀ

ସାହସକୁ ଲକ୍ଷ୍ମୀ ବୋଲି ଶାସ୍ତ୍ରେ ଅଛି ବହି ।

ନନ୍ଦ ଗଉଡ଼ର ପୋଏ ଆମ୍ଭ ସଙ୍ଗେ ସରି

ହେଲେ କିପାଁ ଚାରିବେଳ ଯାଇଥାନ୍ତେ ହାରି ।

ଆଜ ସଂଗ୍ରାମରେ ତାଙ୍କୁ ଥିଲା ଏତେ ଯଶ

ଆମ୍ଭଙ୍କୁ ନ ପାରି ଆମ୍ଭ ସୈନ୍ୟ କଲେ ନାଶ ।

ଏହି ଥର ଜଣାଯିବ ଥିଲେ ବୀର ପଣ

ସମସ୍ତେ ବେଢ଼ି ଘେନିବା ଚାଲ ତାଙ୍କ ପ୍ରାଣ ।

ଏମନ୍ତ ବିଚାରି ସର୍ବେ ବାହାରିଲେ ବେଗେ

ରଥ ଚଢ଼ି ଜରାସନ୍ଧ ଧାଏଁ ଆଗେ ଆଗେ ।

ତା ପଛରେ ଗୋଡ଼ାଇଲେ ସକଳ ନୃପତି

ଯେ ଯାହାର ଦଣ୍ଡ ସାଜି ସତ୍ୱରେ ଚଳନ୍ତି ।

ଢୋଲ ଦମାଲୁ ଯମକ ବୀରତୂର ଧ୍ୱନି

ପାଦଘାତେ କମ୍ପମନ ହୋଇଲା ମେଦିନୀ ।

ସମସ୍ତେ ଧନୁରେ ସନ୍ଧି ଧରିଛନ୍ତି ବାଣ

ତର୍ଜନ୍ତି ଗର୍ଜନ୍ତି ବୀରେ ବହି ଯେଝା ଟାଣ ।

ସିଂହନାଦ କରି ବାହାସ୍ଫୋଟ କେ ମାରଇ

କେ କାହାକୁ ପଛ କରି ଆଗକୁ ଚଳଇ ।

ଊର୍ଦ୍ଧ୍ୱବାହୁ ହୋଇ କେହି ଶସ୍ତ୍ର ଫୋପାଡ଼ନ୍ତି

ବିଚିତ୍ର ଗତିରେ ଥୋକେ ଡେଇଁଣ ଧରନ୍ତି ।

ଥୋକେ ଆଡ଼ଚିରା ମାରି କରନ୍ତି ପହିଜ

ମାଲ ବିନ୍ଧାଣରେ ଥୋକେ ଯୋଦ୍ଧା ହ୍ୱନ୍ତି ସଜ ।

କିଳିକିଳା ରାବ ଦେଇ ଧାମନ୍ତି ସକଳେ

ଭୟଙ୍କର ଶବଦରେ କୁରୁମ ଉଛୁଳେ ।

ମାର ମାର ହାଣ ହାଣ ଧର ଧର ଧ୍ୱନି

ପାଦଭରେ ଥରହର କମ୍ପଇ ମେଦିନୀ ।

ଶୁକମୁନି କହୁଛନ୍ତି ପରୀକ୍ଷିତ ଆଗେ

ଏମନ୍ତେ ଅସଂଖ୍ୟ ସୈନ୍ୟ ମାଡ଼ିଯାନ୍ତେ ରାଗେ ।

ଶ୍ରୀକୃଷ୍ଣ କହିଲେ ବଳରାମଙ୍କୁ ଦେଖାଇ

ଜରାସନ୍ଧ ଆସୁଅଛି ଦେଖ ଆହେ ଭାଇ ।

ପ୍ରତିଜ୍ଞା କରିଅଛଇ ସୈନ୍ୟର ବିକଳେ

ଅନେକ ଯୁଦ୍ଧ କରିବ ଆଜି ଅଙ୍ଗଛଳେ ।

ବଳରାମ ବୋଇଲେ ମୁଁ ତୋତେ କରେ ଭୟ

ମାରିବୁ କି ନ ମାରିବୁ କହ ତା ନିଶ୍ଚୟ ।

ଚାରିଊଣା ଲକ୍ଷେ ରାଜା ହୋଇଛନ୍ତି ମେଳି

ମୋ ଆଗରୁ ଜଣେ କେହି ନ ଯିବେ ଉବୁରି ।

ସମସ୍ତଙ୍କୁ ଆଜ ସଂହାରିବି ମୂଷଳରେ ଆଜ

ପୃଥ୍ୱୀଭାରା ନାଶଯାଇ ହେବ ଦେବକାର୍ଯ୍ୟ ।

ରାମଙ୍କ ମୁଖରୁ ଏହା ଶୁଣି ଚକ୍ରପାଣି

ବିନୟରେ ଜଣାଇଲେ ଯୋଡ଼ି ବେନିପାଣି ।

ମୋ ବଚନ ଘେନି ସ୍ୱାମୀ କୋପ ନ କରିବା

ଦେବକାର୍ଯ୍ୟ ପାଇଁ ଏଥୁ ଅପସରି ଯିବା ।

ପଣ୍ଡୁରାଜା ହୋଇଛନ୍ତି ଯମପୁରେ କଷ୍ଟୀ

ତାଙ୍କ ପାଇଁ ରାଜସୂୟ କରିବେ ଯୁଧିଷ୍ଠି ।

ଅତି ବଳୀୟାର ଜରାସନ୍ଧ ଦଣ୍ଡଧାରୀ

ଛୟାଣୋଇ ସସ୍ରରାଜା ଅଛି ବନ୍ଦୀକରି ।

ସମୟରେ ଜରାସନ୍ଧ କରି ମହାରଣ

ଏକାବେଳେ ନେବୁ ସବୁ ରାଜାଙ୍କର ପ୍ରାଣ ।

ଥୋକାଏ ଦୁଷ୍ଟଙ୍କ ପ୍ରାଣ କରିବ ଏ ନାଶ

ମହାଭାରତ ଯୁଦ୍ଧକୁ ହୋଇବ ଉଶ୍ୱାସ ।

ସବୁ ରାଜା ରୁଣ୍ଡ କରିଥିବ ଏହି ଜରା

ଅସୁରଙ୍କୁ ନାଶଇ ଆମ୍ଭେ ଖଣ୍ଡିବା ଭୂଭାରା ।

ଏବେ ତ ଅନେକ ସୈନ୍ୟ ହୋଇଲେଣି ନାଶ

ପିଠିଦେଇ ଗଲେ ଆମ୍ଭେ ନାହିଁ ଅପଯଶ ।

ଏଥିରୁ ପୌରୁଷ ପାଇ ସବୁ ନୃପମଣି

ଲେଉଟି ଆସିବେ ସମଦଣ୍ଡ  ସାଜି ପୁଣି ।

ଏସନକ ଆଜ୍ଞା ଯହୁଁ ହେଲେ ଜଗନ୍ନାଥ

ସନ୍ତୋଷ ହୋଇଲେ ଶୁଣି ରେବତୀର କାନ୍ତ ।

ଏମନ୍ତ ବିଚାରି ରାମକୃଷ୍ଣ ବେନି ଭାଇ

ସ୍ଥିର କଲେ ସଂଗ୍ରାମରୁ ପିଠି ଦେବାପାଇଁ ।

ସମୁଦ୍ର ଭିତରୁ ଯେହ୍ନେ ଉଠଇ ଲହରୀ

ତେସନ ପ୍ରକାରେ ସୈନ୍ୟ ଆସୁଛନ୍ତି ଘେରି ।

ସାରଥିକି ଆଜ୍ଞା ଦେଲେ ଲକ୍ଷ୍ମୀଦେବୀ ନାହା

ପିଠିଦେଇ ଯିବା ରଥ ଲେଉଟାଇ ବାହା ।

ଆଜ୍ଞା ପ୍ରମାଣେ ସାରଥି ଫେରାଇଲା ଯାନ

ସଂଗ୍ରାମରେ ପିଠି ଦେଲେ ରାମ ଭଗବାନ ।

ଅଶ୍ୱଭାଗ ଧରି ସୂତ ବାହେ ଅତିବେଗେ

ପବନହୁଁ ଖରେ ଯାନ ଗଲା ଶୂନ୍ୟମାର୍ଗେ ।

ରାମକୃଷ୍ଣ ପିଠି ଦ୍ୟନ୍ତେ ହସି ଜରାସନ୍ଧ

ସୈନ୍ୟଙ୍କୁ ବୋଇଲା ଦେଖ ଏ ଗଉଡ଼େ ମନ୍ଦ ।

ଊଣାବଣା ସୈନ୍ୟ ଦେଖି ମାରୁଥିଲେ ରହି

ଆଣ୍ଟ ଆକଟ ପଡ଼ନ୍ତେ ଗଲେ ପିଠିଦେଇ ।

କେଶରୀ ଆଗରେ କାହୁଁ ରହିବ ଶୃଗାଳ

ମାର୍ଜ୍ଜାର ସଙ୍ଗତେ ମୂଷା କରଇ କି ଗୋଳ ।

ମଣ୍ଡୁକ ବଳେ କି ଜିଣିପାରେ କାଳସର୍ପ

ହରିଣ ହରିବ କାହୁଁ ଶାର୍ଦ୍ଦୂଳର ଦର୍ପ ।

ପର୍ବତ ସମାନେ ଯେବେ ହେବ ତୁଳାରାଶି

କିଞ୍ଚିତ ଅନଳ ତାକୁ ପାରିବ କି ଧ୍ୱଂସି ।

ମିଛେହେଁ ପ୍ରତିଜ୍ଞା କରି କହୁଥିଲା କଥା

କାର୍ଯ୍ୟକାଳେ ତାହା ସବୁ ହୋଇଲା ଅନ୍ୟଥା ।

ଏତେ ବୋଲି ସଇନ୍ୟଙ୍କୁ ଆଜ୍ଞା ଦେଲେ ଦୃଢ଼େ

ପଛରୁ ଗୋଡ଼ାଇ ମାର ପଳାନ୍ତୁ ଗଉଡ଼େ ।

ଶାଲ୍ୱରାଜା ବୋଇଲା ସେ ଏହିମତି ହୋଇ

ପାଞ୍ଚବେଳ ପରିଯନ୍ତେ ଗଲେଣି ପଳାଇ ।

ହାତେ ହାତେ ଧରୁ ଧରୁ ଫେଡ଼ାଇଣ ଯାନ୍ତି

ଆଉ କି ଲୋଡ଼ିଲେ ଧରି ପାରିବା ଏ ଘାନ୍ତି ।

ପାଦେ ପାଦେ ଲାଗିଥାଏ ନ ପାରନ୍ତି କେହି

ସେ ଏବେ ଅଛନ୍ତି ବେନି ରଥରେ ଆରୋହି ।

ଦେବ ଆସନ ପରାୟ ଦିଶଇ ସେ ଯାନ

ପବନ ବେଗରେ ଶୂନ୍ୟେ କରୁଛି ଗମନ ।

ଅନିମିତ୍ତେ ଗଞ୍ଜିହେବା କିପାଁ ଆମ୍ଭେ ଆଉ

ଏ ଘାନ୍ତି ଯାଇ ସେ ଥୋକେଦିନ ବଞ୍ଚିଥାଉ ।

ଶାଲ୍ୱର ବଚନେ ଜରାସନ୍ଧ ହେଲା ତୁନି

ଦମଘୋଷ ବୋଲେ ଆଜ ରୁହାଅ ସଇନି ।

କାଲି ଜଣାଯିବ ରାମକୃଷ୍ଣ ଥିବେ ଯହିଁ

ଦେଶାଉର ବୋଲେ ଯିବା ସମଦଣ୍ଡ ବାହି ।

ଏ କଥା ଶୁଣି ଚୂହାଣ ବେଗ ହୋଇ ଗଲା

ଆଗୁଆଣି ଥାଟ ଯାଉଥିଲେ ରୁହାଇଲା ।

କ୍ରୌଞ୍ଚଗିରି ତଳଭାଗେ ଥୋକେଦୂର ଗଲେ

କାବେରୀ ତଟିନୀ ତୀରେ ପ୍ରବେଶ ହୋଇଲେ ।

କୁଣ୍ଡଳି ନାମରେ ତହିଁ ଏକ ଗିରିବର

ପଚାଶ ଯୋଜନ ଦୀର୍ଘ ଯୋଜେନ ଓସାର ।

ସେ କୁଣ୍ଡଳି ଗିରିତଳେ ବସ୍ତ୍ରଘର ଟାଣି

ଭଗ୍ନବଳ ଘେନି ବସା କଲେ ନୃପମଣି ।

କେତେବଳ ପଡ଼ିଲେ ତା ଆଦିଅନ୍ତ ନାହିଁ

ଯେ ଯାହାର ଅନୁରୂପେ ଛନ୍ତି ପୀଡ଼ା ପାଇ ।

କାହାର ପିତା ପଡ଼ିଲା ପଡ଼ିଲା କା ପୁତ୍ର

କାହାର ମଉଳା ମଲା ମଲା କାହା ଭ୍ରାତ ।

ଇଷ୍ଟବନ୍ଧୁ ସହୋଦର ପ୍ରିୟପୁତ୍ର ସଖା

କାହାର ବଂଶ ପଡ଼ିଲେ ଜଣେ ଥିଲେ ଏକା ।

ଆର୍ତ୍ତନାଦେ ଯେ ଯାହାର ନାମମାନ ଧରି

ବିକଳେ କାନ୍ଦିଲେ ବନ୍ଧୁବାନ୍ଧବଙ୍କୁ ସ୍ମରି ।

ଖୁଡ଼ୁତା ପୁତୁରା ଭାଇ ତନୟ ସ୍ୱଜନ

ଗୁଣ ବାହୁନି କରନ୍ତି ବିକଳେ ରୋଦନ ।

ନିରନ୍ତର ଥାଟ ମଧ୍ୟେ ପଡ଼ିଲା ବୋବାଳି

ସମସ୍ତେ ସନ୍ତାପ ଚିତ୍ତେ କଲେ ହାଲୋହୋଳି ।

ମନର ବେଦନା ଜାଣି ମନେ ଦୁଃଖ ଘେନି

ଏକକୁ ଆରେକ ବୋଧି କରୁଛନ୍ତି ତୁନି ।

ଏମନ୍ତ ସମୟେ ଅସ୍ତ ହେଲେ ଛାୟାପତି

କହୁଁ କହୁଁ ପରବେଶ ହେଲା ଆସି ରାତି ।

ଜରାସନ୍ଧ ଆଦି ନୃପେ ଘେନି ଯେଝା ସୈନ୍ୟ

ନିତ୍ୟକର୍ମ ସାରି ସର୍ବେ କଲେକ ଭୋଜନ ।

ଜଳପାନ କରି ହାତୀ ଘୋଡ଼ା ସୁସ୍ଥ ହେଲେ

କାବେରୀ ନଦୀର ତୀରେ ନିଶାରେ ଶୋଇଲେ ।

ସ୍ୱଭାବେ ଗ୍ରୀଷମ ଋତୁ ପୁଣି ଜ୍ୟଷ୍ଠମାସ

ପ୍ରଚଣ୍ଡ ପବନ ନାହିଁ ସୂର୍ଯ୍ୟର ତରାସ ।

ଆବର ସବୁରି ଅଙ୍ଗେ ଶସ୍ତ୍ର ଅଛି ଫୁଟି

ଚନ୍ଦ୍ର ଆହ୍ଲାଦରେ ନିଦ୍ରାଗଲେ ଭୂମି ଲୋଟି ।

ଶୁଣ ହୋ ପରୀକ୍ଷ ରାଜା ବଦନ୍ତି ଯେ ମୁନି

ଇତି ଶ୍ରୀପୁଣ୍ୟ ପୁରାଣ ହରିବଂଶ ଧ୍ୱନି ।

ଏଥୁ ଅନନ୍ତରେ ବଳଦେବ ଜଗନ୍ନାଥ

ଥୋକେଦୂର ଯାଏ ବାହିଗଲେ ଯେଝା ରଥ ।

ଜରାସନ୍ଧ ସୈନ୍ୟ କ୍ଷୟକରି ଦେବସ୍ୱାମୀ

ପାଦୁକା ମନ୍ତ୍ର ସ୍ମରଣା କଲେ ଅନ୍ତର୍ଯ୍ୟାମୀ ।

ସାରଥି ଗୋଚରେ ଦୁହେଁ ଦୁଇରଥ ଦେଇ

ବୋଇଲେ ଗନ୍ଧମାଦନେ ଥୁଅ ଏଥୁ ନେଇ ।

ଏତେ ବୋଲି ରଥୁ ଓହ୍ଲାଇଲେ ଭାଇ ବେନି

ଆଜ୍ଞା ପ୍ରମାଣେ ସାରଥି ଗଲେ ରଥ ଘେନି ।

ଗନ୍ଧମାଦନ ପର୍ବତେ ଥୋଇଲେ ଯେ ଯାନ

ଶ୍ରୀପୟରେ ବିଜେ କଲେ ରାମ ଭଗବାନ ।

ଶଙ୍ଖ ଚକ୍ର ଗଦା ହଳ ମୂଷଳାଦି ଥୋଇ

ଶୂନ୍ୟହସ୍ତ ହେଲେ ରାମକୃଷ୍ଣ ବେନି ଭାଇ ।

ପାଦୁକା ମନ୍ତ୍ର ସୁମରି ଯାଇ ଅତିବେଗେ

ତକ୍ଷଣେ ପ୍ରବେଶ ହେଲେ ମଧୁପୁର ଲାଗେ ।

ସମସ୍ତ ଯାଦବମାନେ ଥିଲେ ବାଟ ଚାହିଁ

ଦୁଇଭାଇ ଦରଶନ କଲେ ବେଗେ ଯାଇ ।

ଉଗ୍ରସେନଙ୍କୁ ଦେଖିଣ ରାମ ଚକ୍ରଧାରୀ

ପାଦରେ ଶୁତିଲେ ଆଗେ ନିଉଛାଳି କରି ।

ବସୁଦେବ ପାଦେ ନମି ଭିତରକୁ ଗଲେ

ଇନ୍ଦୁମତୀ ଦେବକୀ ଏ ଦୁହିଁଙ୍କୁ ବନ୍ଦିଲେ ।

ସଭାରେ କହିଲେ ପୁଣି ଯୁଦ୍ଧର ବାରତା

ଶୁଣି ଶଙ୍କା କଲେ ଉଗ୍ରସେନ ମହାରଥା ।

ଅନ୍ତଃପୁର ମଧ୍ୟେ ଯାଇ ନିତ୍ୟକର୍ମ ସାରି

ରାତ୍ର ପ୍ରହରେ ମଣୋହି କଲେ ରାମହରି ।

ଆପେ ଇନ୍ଦୁମତୀ ପରଷନ୍ତି ଅନ୍ନ

କ୍ଷୁଧା ଆରତେ ଭୁଞ୍ଜିଲେ ରାମ ଭଗବାନ ।

ନାନାଦି ବ୍ୟଞ୍ଜନ ସୂକ୍ଷ୍ମ ଶାଳିଅନ୍ନ ଘୃତ

ଦଧି ଦୁଗ୍‌ଧ ଛେନା କ୍ଷିରୀ କ୍ଷିରିସା ନବାତ ।

ଇକ୍ଷୁ ପଇଡ଼ର ପଣା ଖଣ୍ଡ ବାସପାଣି

ନାନାଦି ପ୍ରକାରେ ପିଠା ପରଷନ୍ତି ରାଣୀ ।

ଲକ୍ଷ୍ମୀବଲ୍ଲଭ ମଣୋହି କରୁଛନ୍ତି ଯହିଁ

କେବଣ ପଦାର୍ଥ ଅବା ନ ମିଳିବ ତହିଁ ।

ଚଉରାଶୀ ମଢ଼ଫୁଲି ଯୋଗାଡ଼ ଯେ ପ୍ରତି

ସମତୁଲ କରି ପରଷିଲେ ଇନ୍ଦୁମତୀ ।

ଦେବକୀ ଦେବୀ ଆଲଟ ଘେନିଣ ଶ୍ରୀକରେ

ବିଞ୍ଚିଲେ ସନ୍ନିଧେ ଉଭା ହୋଇ ଧୀରେ ଧୀରେ ।

ଭୋଜନେ ସନ୍ତୋଷ ହୋଇ ଉଠି ଭାଇ ବେନି

ଆଚମନ କଲେ ଦୁହେଁ ବାସଜଳ ଘେନି ।

ଶ୍ରୀମୁଖ ପୋଛିଣ ପୁଣି ତାମ୍ୱୁଳ ଭୁଞ୍ଜିଲେ

ପରିଶ୍ରମ ପାଇ ରତ୍ନଖଟେ ନିଦ୍ରା ଗଲେ ।

ଇତି ଶ୍ରୀ ଭାଗବତ ପୁରାଣ ପୁଣ୍ୟମୟେ

ଇଦଂ ଦ୍ୱିତୀୟ ଅଧ୍ୟାୟ ସମାପତ ହୁଏ ।

ଜୟ ଦିନକର ନାଥ ଜୟ ଜ୍ୟୋତିର୍ମୟ

ଅକ୍ଷୟ ଅବିନାଶ ତୁ ଅବିଶ୍ରାମ କାୟ ।

ତିମିର ବିଦାରଣ ତୁ ଛାୟାଦେବୀ ସାଇଁ

କଳ୍ପାଦି ପୁରୁଷ ତୋର ଜନ୍ମ ମୃତ୍ୟୁ ନାହିଁ ।

କାଳାନ୍ତକ ଯୁଗାନ୍ତକ ଲୟାନ୍ତକ ମୂର୍ତ୍ତି

ନିହନ୍ତା ବିହନ୍ତା ତୁ ହେ ଅଗତିର ଗତି ।

ତାର ବାର ନକ୍ଷତ୍ର ଯେ ଗ୍ରହ ତିଥିଆଦି

ଆଦି ଅନ୍ତ ମଧ୍ୟେ ତୋର ଜ୍ୟୋତି ଶୂନ୍ୟଭେଦୀ ।

ପୃଥିବୀ ସଲିଳ ତେଜ ବାୟବ୍ୟ ଆକାଶ

ଏ ପଞ୍ଚମହାଭୂତ ତୋ ଶରୀରୁ ପ୍ରକାଶ ।

ଭୂତ ଭିବଷ୍ୟତ ବର୍ତ୍ତମାନ କାଳଜ୍ଞାତା

ସର୍ବଭୂତ ଅନ୍ତର୍ଯ୍ୟାମୀ ଆଦିତ୍ୟ ଦେବତା ।

କାର୍ଯ୍ୟ କାରଣ କରତା ତ୍ରୈଲୋକ୍ୟର ଚକ୍ଷୁ

ଅନୁବ୍ରତେ ଜଗତର ହାନିଲାଭ ଦେଖୁ ।

ଚାରିବେଦ ଷଡ଼ଶାସ୍ତ୍ର ଅଠର ପୁରାଣ

ଏ ତୁମ୍ଭ ଶରୀରୁ ସ୍ୱାମୀ ହୋଇଛି ନିର୍ମାଣ ।

ଚଣ୍ଡ ପ୍ରଚଣ୍ଡ ବିଚଣ୍ଡ ପୁଣି ମହାନୀଳ

ବହଳ ଚଞ୍ଚଳ ଉଚ୍ଚୈଃଶ୍ରବା ମହାବଳ ।

ଏମନ୍ତେ ସପତ ଅଶ୍ୱ ରଥେ ଅଛୁ ଯୋଚି

ଜନ୍ମ ମରଣ ଏହାଙ୍କୁ ନ ବାଧଇ କିଛି ।

ଏ ଅଶ୍ୱେ ଅଟନ୍ତି ଉଚ୍ଚୈ ବତିଶ ଯୋଜନ

ଅପ୍ରମେୟ ପୁରୁଷ ତୁ ସ୍ୱୟଂ ଭଗବାନ ।

ଏକଗୋଟି ଚକ୍ର ଶୋଭାପାଏ ତୋର ରଥେ

କ୍ଷଣେହେଁ ବିଶ୍ରାମ ନାହିଁ ଗମେ ଶୂନ୍ୟପଥେ ।

କଶ୍ୟପ ନନ୍ଦନ ନାଥ ନାମ ଦିବାକର

ତିନି ମେରୁ ପ୍ରଦକ୍ଷିଣ କରେ ରଥ ଯାର ।

ପଞ୍ଚଭୂତ ପଞ୍ଚତତ୍ତ୍ୱ ପଚିଶ ପ୍ରକୃତି

ଅନ୍ତର୍ଯ୍ୟମୀ ପୁରୁଷ ତୁ ସର୍ବଭୂତେ ସ୍ଥିତି ।

ତୁ ଉଦେ ହୁଅନ୍ତେ ସୃଷ୍ଟି ହୁଅଇ ପ୍ରକାଶ

ସ୍ୱାମୀ ତୋ ଅଭାବେ ପୁଣି ସୃଷ୍ଟି ଯାଏ ନାଶ ।

ତୁମ୍ଭେ ଦେବ ଆଦିଅନ୍ତ ତୁମ୍ଭେ ଯେ ଅନାଦି

ତୁମ୍ଭେ ଜଳ ସ୍ଥଳ ବାୟୁ ଅଗ୍ନି ଶୂନ୍ୟଭେଦୀ ।

ଅଶେଷ ମହିମା ଯାର ଆଦିଅନ୍ତ ନାହିଁ

ମୁଁ କିସ ବର୍ଣ୍ଣିବି ଅବା ନରଦେହ ବହି ।

ଶ୍ରୀବିରଞ୍ଚି ନାରାୟଣ ପାଦେ ମୋର ସେବା

ଅଚ୍ୟୁତ ଦାସ କବିକୁ ଗତି ମୁକ୍ତି ଦେବା ।

 

ହରିବଂଶ ପଞ୍ଚମ ଖଣ୍ଡ

ଜରାସନ୍ଧର ଷଷ୍ଠବାର ଧାଡ଼ି

ଏଥୁଅନ୍ତେ ପରୀକ୍ଷତି ନାମେ ମହାରାଜା

ଶୁକମୁନି ଚରଣରେ କଲେ ଦିବ୍ୟପୂଜା ।

ଗନ୍ଧ ପୁଷ୍ପ ଧୂପ ଦୀପ ଦେଇ ଆନନ୍ଦରେ

ପୁଣି ପଚାରଇ ରାଜା କରଯୋଡ଼ି ଶିରେ ।

ଭୋ ମୁନି କହିବା ମୋତେ ଶ୍ରୀହରି ଚରିତ

ତବ ମୁଖୁ ଶୁଣିଲେ ମୁଁ ହୋଇବି ମୁକତ ।

ଶୁଣିଲି ପଞ୍ଚମ ଧାଡ଼ି ଜରାସନ୍ଧ ରଣ

ତଦନ୍ତରେ ଆନକଥା ହେଲା କିସ ପୁଣ ।

ତା ମୋତେ ବିସ୍ତାର କରି କହ ମହାମୁନି

ଶରୀର ପବିତ୍ର ହେବ ଶୁଣି ହରିଧ୍ୱନି ।

ରାଜା ବାକ୍ୟେ ବୋଲନ୍ତି ଯେ ଶୁକ ମହାଯତି

ସାବଧାନ ହୋଇ ଶୁଣ ପଣ୍ଡୁ ପଣନାତି ।

କାବେରୀ ନଦୀର ତୀରେ ଜରାସନ୍ଧ ଥିଲା

ରାତ୍ର ପ୍ରହରେକ ଥାଉଁ ଶଯ୍ୟାରୁ ଉଠିଲା ।

ପାତ୍ର ମନ୍ତ୍ରୀମାନଙ୍କୁ ସେ ଡକାଇଣ କତି

ସବୁରି ମୁଖକୁ ଚାହିଁ ବୋଲେ ସେ ନୃପତି ।

 

କାଲି କଥାମାନ ମନେ ଅଛ କି ଚିତୋଇ

ଆମ୍ଭ ଛାମୁରୁ ଗଉଡ଼େ ଗଲେ ପିଠିଦେଇ ।

କାହିଁ ସେ ବିଶ୍ରାମ କଲେ ହି ନିଶାଭାଗେ

ଏସନ ବାରତା ଖୋଜିଆସ ଯାଇ ବେଗେ ।

ଶତ୍ରୁଙ୍କର ଛିଦ୍ରକାଳ ସନ୍ଧାନ ନ କଲେ

କାର୍ଯ୍ୟହାନି ହୁଅଇଟି ବିଳମ୍ୱ ହୋଇଲେ ।

ସେ ଦୁହିଁଙ୍କ ଯୋଗୁଁ ମୋର ହେଲା ସବୁ କ୍ଷତି

ଜୁଆଁଇକୁ ମାରି ନାଶ ଗଲେ ଦୁଇନାତି ।

ହେତୀ ପ୍ରହେତୀ ମୋହର ଶରଚ୍ଚନ୍ଦ୍ର ମୁଖୀ

ତାହାଙ୍କ ଯୋଗରୁ ଦୁହେଁ ହେଲେ ନିରିମାକ୍ଷୀ ।

ଆବର ଏବେ ସେ ମୋର ସୈନ୍ୟ କଲେ ନାଶ

ଜନମୁଖେ ଉପହାସ ହୋଇଲା ଝିଙ୍ଗାସ ।

ଛାର ଗଉଡ଼ର ପୁଣି ଏଡ଼େକ ଭରସା

ଶୋଇଲା ସିଂହକୁ ଆସି କଟାଳୁଛି ଶଶା ।

ମୋ ନାମ ଶୁଣିଲେ ସ୍ୱର୍ଗେ କମ୍ପେ ପୁରନ୍ଦର

ବୀରବୋଲି କାହାକୁ ମୁଁ ନ କରେ ନଜର ।

ଛୟାଣୋଇସସ୍ର ରାଜା ଅସଂଖ୍ୟ ସଇନି

ଚତୁରଙ୍ଗ ବଳ ସାଜି ସଙ୍ଗେ ଅଛି ଘେନି ।

ଉପ୍ରୋଧ ନ ଛାଡ଼ି ଯୁଦ୍ଧ କର ତୁମ୍ଭେ ଯହୁଁ

ହାତେ ହାତେ ଫେଡ଼ାଇ ସେ ଯାଏ ତୁମ୍ଭ ତହୁଁ ।

କି ଉପାୟ କଲେ ଏବେ ତୁଟିବ ସନ୍ଦେହ

ସକଳ ନୃପତିମାନେ ବିଚାରିଣ କହ ।

ଜରାସନ୍ଧ ରାଜା ମୁଖୁଁ ଏ ବଚନ ଶୁଣି

କରଯୋଡ଼ି ବୋଲେ ଦମଘୋଷ ନୃପମଣି ।

ଭୋ ଦେବ ତୁ ସାବଧାନେ ଶୁଣ ନୃପନାହା

ତୁ କିସ ନ ଜାଣୁ ଆମ୍ଭେ କହିବୁ ଯେ ତାହା ।

ବଳବନ୍ତ ବୁଦ୍ଧିମନ୍ତ ଗୁଣବନ୍ତ ଶକ୍ତା

ଭାଗ୍ୟବନ୍ତ ଜ୍ଞାନ ବନ୍ତ ପଣ୍ଡିତ ବକତା ।

ଆମ୍ଭେ ସବୁ ନୃପ ଅନ୍ଧ ତୁମେ ଦିବ୍ୟଚକ୍ଷୁ

ଆପଣା ବିଚାର ଛାଡ଼ି ଆମ୍ଭଙ୍କୁ କି ପୁଚ୍ଛୁ ।

ତୁମ୍ଭେ ଏକା ରଖୁଆଳ ଆମ୍ଭେମାନେ ଗୋରୁ

ଆମ୍ଭେମାନେ କ୍ଷୁଦ୍ର ଗିରି ତୁମ୍ଭେ ମହାମେରୁ ।

ତୁମ୍ଭେ ମହାର୍ଣ୍ଣବ ଆମ୍ଭେମାନେ କ୍ଷୁଦ୍ର ନଦୀ

ତୁମ୍ଭେ ସୁପଣ୍ଡିତ ଆମ୍ଭେ ଅଟୁ କ୍ଷୁଦ୍ରବୁଦ୍ଧି ।

ତୁମ୍ଭେ ମହାକଳ୍ପତରୁ ଆମ୍ଭାମାନେ ପତ୍ର

ତୁମ୍ଭେ ଜୀବଆତ୍ମା ଆମ୍ଭେମାନେ ଦେହ ମାତ୍ର ।

ତୁମ୍ଭେ କଇବର୍ତ୍ତ ଆମ୍ଭେମାନେ ଅଟୁ ମୀନ

ତୁମ୍ଭେ ମହାରାଜା ଆମ୍ଭେ ତୁମ୍ଭର ଅଧୀନ ।

ତୁମ୍ଭେ ସୁବିଚାର କରି ଯାହା ଦେବ ଆଜ୍ଞା

ମାନବ ହୋଇ କେ ତାହା କରିବ ଅବଜ୍ଞା ।

ବୀରାଧିବୀର ମର୍ଦ୍ଦନ ଅଟେ ତୁମ୍ଭ ବାନା

ଛାଉ ଗଉଡ଼ଙ୍କ ପାଇଁ ଏଡ଼େକ ଶୋଚନା ।

କାହିଁ ଲୁଚି ରହିବେ ସେ ତୁମ୍ଭ ଶତ୍ରୁ ହୋଇ

ସସାଗରା ପୃଥିବୀରେ ନ ରହିବେ କେହି ।

ସ୍ୱର୍ଗ ଅବା ପାତାଳରେ ଲୁଚିବେ ସେ ଯଦି

ରାତ୍ର ପାହିଲେ ଛାମୁରେ ଦେବୁ ନିଶ୍ଚେଁ ବାନ୍ଧି ।

ଏଥିପାଇଁ ମନେ କିଛି ନ କରିଣ ଭୟେ

ସ୍ଥିରହୋଇ ଥାଅ ରାତି ଶେଷହେବା ଯାଏ ।

ଏ କଥାରେ ଅଣୁମାତ୍ର ନ ବିଚାର ଆନ

ଶୁଣିଣ ସନ୍ତୋଷ ହେଲେ ମଗଧ ରାଜନ ।

ଏଥୁଅନ୍ତେ ନିଶି ପାହି ପ୍ରଭାତ ହୁଅନ୍ତେ

ଦିନନାଥ ବିଜେ କଲେ ଉଦୟ ପର୍ବତେ ।

ଆପଣାର ନିତ୍ୟକର୍ମ ସାରି ଯେ ଯାହାରେ

ରାଜାମାନେ ଆସି ବିଜେ କଲେ ଆସ୍ଥାନରେ ।

ଚାର ଆସିବାକୁ ସର୍ବେ ରହିଛନ୍ତି ଚାହିଁ

ବିଚାରନ୍ତି ରାମକୃଷ୍ଣ ଦୁହେଁ ଗଲେ କାହିଁ ।

ଏମନ୍ତ ସମୟେ ଆସି ମିଳିଲା ଡଗର

କରପତ୍ର ଯୋଡ଼ି ବୋଲେ ଶୁଣ ନୃପବର ।

ରାମ କୃଷ୍ଣଙ୍କ ବାରତା ପାଇ ଆମ୍ଭେମାନେ

ଆସିଛୁ କହିବୁ ଯାହା ଶୁଣ ଏକମନେ ।

କାଲି ପିଠିଦେଇ ଗଲେ ଦୁହେଁ ପ୍ରାଣଘେନି

ଯାଉଁ ଯାଉଁ ବେନିଦଣ୍ଡ ହୋଇଲା ରଜନୀ ।

ଥୋକେ ଦୂରେ ରଥ ଛାଡ଼ି ପାଦଗାମୀ ହୋଇ

ରାତ୍ର ପ୍ରହରେ ମିଳିଲେ ମଥୁରାରେ ଯାଇ ।

ନବରେ ପଶିବା ଯାଏ ସଙ୍ଗେ ଆମ୍ଭେ ଥିଲୁଁ

ସନ୍ଦେଶ ଘେନିଣ ତହୁଁ ସତ୍ୱରେ ଅଇଲୁଁ ।

ଶୁଣି ଜରାସନ୍ଧ ରାୟେ ସନ୍ତୋଷ ହୋଇଲା

ସାଜରେ ସଇନ୍ୟ ବୋଲି ଉଠି ଆଜ୍ଞା ଦେଲା ।

ବିଷମ ସମରେ ଆଜ ମାରିବି ବଇରୀ

ଭାଙ୍ଗିବି ମଥୁରାପୁର ଧୂଳିସମ କରି ।

ଚୌରାଶୀ କୋଟି ଯାଦବ ନ ରଖିବି ଲେଶ

ଉଗ୍ରସେନ ସହିତରେ କରିବଇଁ ନାଶ ।

ଉପ୍ରୋଧ କରିଣ ସବୁକଥା ଥିଲି ମୂର୍ଚ୍ଛି

ମାନହାନି କାଳେ ଆଉ କାର୍ଯ୍ୟ ନାହିଁ କିଛି ।

ଜାଣିଥିଲି ମୁହିଁ ରାମକୃଷ୍ଣ ମୋର ବାଦୀ

ଏବେ ଜଣାଗଲା ଯାଦବଙ୍କ ଦୁଷ୍ଟବୁଦ୍ଧି ।

ନାଶିବି ଯାଦବବଂଶ ନ ରଖିବି ତିଳେ

ଯୁଗ ଯୁଗାନ୍ତରେ କଥା ଥିବ ରବିତଳେ ।

ଏତେ ବୋଲି ରାଜା ତିନିବାର ସତ୍ୟ କଲା

କାନ୍ଧରୁ ପଇତା କାଢ଼ି ହସ୍ତରେ ବାନ୍ଧିଲା ।

କାଳସର୍ପ ପ୍ରାୟେ ବୀର ଗର୍ଜି କୋପଭରେ

ଆକର୍ଷିଣ ବେନି ଗଦା ବୁଲାଇଲା କରେ ।

ଅତି କୋପେ କୋପାନଳ ମଗଧ ନୃପତି

ରଥରେ ଉଠିଲା ସିଂହପ୍ରାୟେ କରି ଗତି ।

ସଇନ୍ୟଙ୍କୁ ଆଜ୍ଞାଦେଲୋ ବେଗେ ହୁଅ ସଜ

ଆଜ୍ଞାମାତ୍ରେ ସଜାଇଲେ ରଥ ଅଶ୍ୱ ଗଜ ।

ଆପଣାର ଅଙ୍ଗବଳ ତେଇଶି କ୍ଷଉଣୀ

ସଙ୍ଗେ ଘେନି ମହାରାଜା ହେଲା ଆଗୁଆଣି ।

ପଛରେ ଗୋଡ଼ାଇଛନ୍ତି ଲକ୍ଷେ ନରପତି

ଅର୍ଦ୍ଧ ଆକାଶରେ ଦେବେ ରହିଣ ଦେଖନ୍ତି ।

ବତିଶ ଯୋଜନ ମାଡ଼ି ଚଳେ ସମଦଣ୍ଡ

ପାଦଘାତେ କମ୍ପୁଅଛି ପୃଥ୍ୱୀ ନବଖଣ୍ଡ ।

ଶାଲ୍ଵ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ଦମଘୋଷ ଆଦିକରି ସବୁ ରାଜାଗଣ ।

ମଇଁଷି ଶାର୍ଦ୍ଦୂଳ ଓଟ ଗଧ ସିଂହ ହସ୍ତୀ

ବାଘ ଭାଲୁ ଆଦି ଯାନ ଚଢ଼ିଣ ଚଳନ୍ତି ।

ଅକଳିତ ଅସଂଖ୍ୟ ଯେ ଜରାସନ୍ଧ ଥାଟ

ଶାଳଶିଳ ବନଭୂମି ମାଡ଼ି କଲେ ବାଟ ।

ଅନେକ ସମ୍ଭାର ବାଦ୍ୟ ବାଜେ ଅପ୍ରମାଣ

ଢୋଲ ଦମାଲୁ ଟମକ ମର୍ଦ୍ଦଳ ନିଶାଣ ।

ଶଙ୍ଖ ଭେରୀ ହୁଳହୁଳି ବୀରତୂର ଧ୍ୱନି

ଭୟଙ୍କର ବାଦ୍ୟନାଦେ କମ୍ପିଲା ଅବନୀ ।

ବିଚିତ୍ର ଚିରାଳ ଉର୍ଦ୍ଧ୍ୱେ ଉଡ଼େ ପନ୍ତି ପନ୍ତି

ମେଘାଡମ୍ୱର ଧବଳ ଛତ୍ର ଶୋଭା ପାନ୍ତି ।

ରାଉତ ମାହୁନ୍ତ ରଥୀ ପଦାତିଙ୍କ ମୁଖେ

ଗଗନ ଉଛୁଳି ପଡ଼େ କିଳିକିଳା ଡାକେ ।

ଶୁଣ ହୋ ପରୀକ୍ଷ ରାଜା ଶୁକ ଯେ କହନ୍ତି

ବଡ଼ାଇ ସମ୍ଭାରେ ଚଳେ ମଗଧ ନୃପତି ।

ଚାରିଊଣା ଲକ୍ଷେ ରାଜା ଅସଂଖ୍ୟ ସଇନି

ପ୍ରତିଜ୍ଞା କରନ୍ତି କରେ ନାନାଶସ୍ତ୍ର ଘେନି ।

ପବନହୁଁ ବେଗେ ଥାଟ ଚଳେ ପଥ ବାହି

ମଧୁବନ ତୋଟା ଲାଗେ ମିଳିଲେ ସେ ଯାଇ ।

ଚତୁରଙ୍ଗ ବଳ ଘେନି ସର୍ବ ଦଣ୍ଡଧାରୀ

ବେଢ଼ିଲେ ମଥୁରାପୁର ଶତେପୁର କରି ।

ମାର ମାର ଧର ଧର ଶୁଭଇ ଶବଦ

କିଳିକିଳା ଧ୍ୱନି ଉଠେ ଭୟଙ୍କର ନାଦ ।

ଦ୍ୱାରପାଳମାନେ ଦେଖି ହୋଇଲେ ଉଚ୍ଚାଟ

ଚାରିଦ୍ୱାର ରୁନ୍ଧି ବେଗେ କିଳିଲେ କବାଟ ।

ଯାଦବ ସଭାରେ ଯାଇ ଚାର ଜଣାଇଲା

ଦଣ୍ଡ ସାଜି ଜରାସନ୍ଧ ରାଜ୍ୟକୁ ବାହିଲା ।

ଅପ୍ରମିତ ରହୁବର ଅସଂଖ୍ୟ ପଦାତି

ବାହାର ଗଡ଼ ଆବୋରିଛନ୍ତି ଚଉକତି ।

ତିଳେ ଛିଦ୍ର ନ ଦିଶଇ ପୂରିଛନ୍ତି ଥାଟ

ପେଲି ଆସୁଥିଲେ ଆମ୍ଭେ କିଳିଲୁଁ କବାଟ ।

ବିଚାର କରିବା କଳା ନାହିଁ ଆଉ ଏବେ

ଏକ୍ଷଣି କବାଟ ଭାଙ୍ଗି ଭିତରେ ପଶିବେ ।

ଶୁଣି ସକଳ ଯାଦବେ ପାଇ ମହାଭୀତି

ବୋଇଲେ ମଥୁରା ନାଶ ଗଲା ଯେ ଏ ଘାନ୍ତି ।

ଆମ୍ଭେମାନେ ଜରାସନ୍ଧ ସଙ୍ଗେ ନୋହୁ ସରି

ଆଗୁଁ ଜାଣିଥିଲେ ଯାଇଥାନ୍ତୁ ଅପସରି ।

ଚାରି ଊଣା ଲକ୍ଷେ ରାଜା ବନ୍ଦୀ ତାହା ଘରେ

କି ଯୁଦ୍ଧ କରିବୁ ଆମ୍ଭେ ରହି ତା ଛାମୁରେ ।

ଉଗ୍ରସେନ ରାଜା ବୋଲେ ଯାଦବଙ୍କୁ ଚାହିଁ

ଅନିମିତ୍ତେ ଏଡ଼େ ଭୟ କରୁଛ କିପାଇଁ ।

ଆରତଭଞ୍ଜନ ବାନା ବହେ ଲକ୍ଷ୍ମୀପତି

ରାମକୃଷ୍ଣ ଥାନ୍ତେ ଭୟ କର କାହାପ୍ରତି ।

ଶୁଭାଶୁଭ କର୍ମ କରି ପାରନ୍ତି ଯେ ଆନ

ଦେବାଧବଦେବଙ୍କ ମୁଖ୍ୟ ଯେଉଁ ଭଗବାନ ।

ଯା ନାମ ଧରନ୍ତେ ଯମ ଦଣ୍ଡି ନ ପାରଇ

ସେ ଥାନ୍ତେ ଶତ୍ରୁକୁ ଭୟ କରୁଛ କିପାଇଁ ।

ଉଗ୍ରସେନ କଥା ଶୁଣି ଯାଦବେ ସନ୍ତୋଷ

କୃଷ୍ଣଙ୍କୁ ବୋଇଲେ ଏବେ କରିବା ଯେ କିସ ।

ଛୟାଣୋଇ ସସ୍ର ରାଜା ଅପ୍ରମିତ ବଳ

ସଙ୍ଗେ ଘେନି ବେଢ଼ିଅଛି ମଗଧ ଭୂପାଳ ।

ସଂଗ୍ରାମେ ତାହାକୁ ଆମ୍ଭେ କେହି ନୋହୁ ସରି

ପାରିଲେ ଆମ୍ଭଙ୍କୁ ରକ୍ଷା କର ଆହେ ହରି ।

ଯାଦବେ ଆକୁଳ ହେବା ଦେଖି ଦେବରାୟ

ହସିଣ ବୋଇଲେ ତୁମ୍ଭେ ଛାଡ଼ ମନୁ ଭୟ ।

କୋଟି ଜରାସନ୍ଧ ଯେବେ ଆସୁଥିବେ ବାହି

ଅବଶ୍ୟ ଏଠାରୁ ଯିବେ ପରାଭବ ପାଇ ।

ଏସନ କହିଣ ଆଜ୍ଞା ଦେଲେ ଦେବରାଜ

ସହସ୍ର ଯାଦବ ତୁମ୍ଭେ ବେଗେ ହୁଅ ସଜ ।

ପ୍ରାଣ ପଣ କରି ଚାରିଦ୍ୱାରେ ଲାଗି ଜଗ

ଚତୁରଙ୍ଗ ସେନା ବାଣ୍ଟିକରି ଚାରି ଭାଗ ।

ପାଞ୍ଚସସ୍ର ରଥ ଏକ ମର୍ଭୂତ ଯେ ହସ୍ତୀ

ପନ୍ଦର ଅୟୁତ ଅଶ୍ୱ ଖର୍ବେକ ପଦାତି ।

ଉଗ୍ରସେନର ଗୋଚରେ ଏତେ ସୈନ୍ୟ ଦେଇ

ବୋଇଲେ ଦକ୍ଷିଣ ଦ୍ୱାର ଜଗ ବେଗେ ଯାଇ ।

ଉଦ୍ଧବ ଅନାଧୃଷ୍ଟ ଏ ଥିବେ ତୁମ୍ଭ ସଙ୍ଗେ

ପରିଘାଇ ଅଙ୍ଗଛଳେ ରଣକର ରଙ୍ଗେ ।

ଷାଠିଏ ସହସ୍ର ରଥ ନବଖର୍ବ ହସ୍ତୀ

ଚଉଦ ମେବତ୍ସ ଅଶ୍ୱ ଦ୍ୱିଖର୍ବ ପଦାତି ।

ସାତ୍ୟକି ସହସ୍ରାଜିତ କୃତବର୍ମା ତିନି

ସୁରଥକୁ ବୋଇଲେ ତୁ ଚଳ ଏହା ଘେନି ।

ଶ୍ରୀଭୁଜକୁ ଭିଡ଼ି କୋଳେ କରି ଜଗନ୍ନାଥେ

ବୋଇଲେ ପଶ୍ଚିମ ଦ୍ୱାର ଲାଗେ ବାବୁ ତୋତେ ।

ବଳରାମଙ୍କୁ ବୋଇଲେ ପୁଣି ଲକ୍ଷ୍ମୀସାଇଁ

ଉତ୍ତର ଦ୍ୱାର ଆବୋରି ରଖ ତୁମ୍ଭେ ଯାଇ ।

ସତୁରି ସହସ୍ର ରଥ ଅୟୁତେକ ହସ୍ତୀ

ବତିଶ ସହସ୍ର ଅଶ୍ୱ ନିଖର୍ବ ପଦାତି ।

ଏତେକ ସଇନ୍ୟ ବଳ ତୁମ୍ଭ ସଙ୍ଗେ ଥିବେ

କାଳକୁ ବିଚାରି କାର୍ଯ୍ୟ କରିବା ହୋଇବେ ।

ଚାଳିଶ ସହସ୍ର ରଥ ଲକ୍ଷେ ମତ୍ତହସ୍ତୀ

ଅଠାଶୀ ସହସ୍ର ଅଶ୍ୱ ବୃନ୍ଦେକ ପଦାତି ।

ଲକ୍ଷେକ ଉଦ୍ଦଣ୍ଡ ବେନି ଲକ୍ଷ ବାଦ୍ୟକାର

ଏତେ ସୈନ୍ୟ ନିଜ ସଙ୍ଗେ ଘେନି ଦାମୋଦର ।

ପୂର୍ବଦ୍ୱାର ଆବୋରିଲେ ଆପେ ଦେବରାଜ

ସମସ୍ତ ଯାଦବେ ଅଶ୍ୱ ଧରି ହେଲେ ସଜ ।

ମରିବୁ ମାରିବୁ ବୋଲି ଛାଡ଼ନ୍ତି ସେ ରଡ଼ି

କୁଟୁମ୍ୱ ସହିତେ ଯେଣୁ ବେଢ଼ିଛନ୍ତି ପଡ଼ି ।

ଯୁକତେ କଂସ ନୃପତି ଅର୍ଜି କୋଟିନିଧି

ଅନେକ ସମ୍ପଦ ପୁରେ ରଖିଛି ସମ୍ପାଦି ।

ଦେବ ଭଣ୍ଡାରରୁ ରତ୍ନ ଆଣିଥିଲା ବାଛି

ଅଚଳ ଲକ୍ଷ୍ମୀ ମଥୁରା ପୁରେ ରହିଅଛି ।

ଏକୁ ଆରେକ ଯାଦବେ କୁବେର ସମାନ

ସବୁରି ଭଣ୍ଡାର ପୂରିଅଛି ରତ୍ନ ଧନ ।

ବଳବନ୍ତ ବିଦ୍ୟାବନ୍ତ ରୂପବନ୍ତ ସର୍ବେ

ଚଉଦ ଭୁବନ ମଧ୍ୟେ ବିଖ୍ୟାତ ଯାଦବେ ।

ନାରାୟଣ ସ୍ୱାମୀ ରୂପ ଦେଖନ୍ତି ନୟନେ

ଆନ ଲୋକ ହେବ କାହୁଁ ତାଙ୍କର ସମାନେ ।

ଦ୍ୱାପର ଯୁଗରେ ଭାରା ନିବାରିବା ପାଇଁ

ଗୁପତେ ଅଛନ୍ତି ଦେବେ ନରଦେହ ବହି ।

ଚୌରାଶୀ କୋଟି ଯାଦବେ ରଥ ଗଜ ଅଶ୍ୱ

ଆରୋହି ଜଗିଲେ ଯାଇଁ ଦ୍ୱାର ଚଉପାଶ ।

ଯେ ଯାହାର ଖଞ୍ଜାଭୂଜେ ରହିଲେ ଆବୋରି

ସହାୟ ହୋଇଲେ ବୀରେ କରେ ଶସ୍ତ୍ର ଧରି ।

ବଜ୍ରବାଣ ଛିଟିକିଣି ଫରୀ ବାରକେନା

ପରିଘ ଶାବେଳୀ ଛୁରୀ କାଣ୍ଡ ତୀକ୍ଷ୍‌ଣମୁନା ।

ଏସନ ଦ୍ୱାଦଶ ଜାତି ବାଣ ପରିମାଣି

ଯେ ଯାହା ସ୍ଥାନରେ ମାଡ଼ି ରହଲେ ଛାଉଣୀ ।

ଅରଖ ଅଙ୍ଗାର ଖାର ଗନ୍ଧକ ମିଶାଇ

ଚିକ୍‌କଣେ ବାରୁଦ ବାଟି ନଳିରେ ପୂରାଇ ।

ସୂତ୍ରରେ ଯନ୍ତ୍ରକୁ ଚାଳି ଅଗ୍ନି ଘେନି କରେ

ବାରୁଆ ଜଗିଲେ ବସି କାଙ୍ଗୁର ଉପରେ ।

ପାଞ୍ଚ ବଖରା ମନ୍ଦିର ଅନ୍ତେ ବାଘମୁହିଁ

ଯତନରେ ଦାରୁଘର ସଜାଡ଼ିଲେ ତହିଁ ।

ଫରୀ ଆଢ଼ଣ ଦାଉଣ୍ଡି ଫଳମୁନ ଝଳି

ଢାଲ ଢାଙ୍କର ଶତଘ୍ନୀ ଗୁରୁଜ ଶାବେଳୀ ।

ଲେନ୍ତି ପଥର ବାଟୁଳି ଗଦାପର୍ଶୁ ତେଣ୍ଟା

ଗଡ଼ ଚାରିପାଖେ ଆଣି ପକାଇଲେ କଣ୍ଟା ।

ଛେଲ ଚକ୍ର କାଣ୍ଡ ଆଦି ନାନ ଶସ୍ତ୍ର ଧରି

ଯାଦବେ ରହିଲେ ଚାରି ଦ୍ୱାରକୁ ଆବୋରି ।

ଜରାସନ୍ଧ ଆଗେ ଯାଇ କହିଲା ଡଗର

ଭୋ ମଣିମା ସାବଧାନେ ଶୁଣ ନୃପବର ।

ଗଡ଼ ଚାରିଦ୍ୱାର କିଳି ପାରିଲେ କବାଟ

ପ୍ରାଣ ପଣରେ ଯାଦବେ ଜଗିଛନ୍ତି ବାଟ ।

ବଜ୍ର ବାଣ ଛିଟିକିଣି କୁନ୍ତ ବାରକେନା

ନିରନ୍ତରେ ମାରୁଛନ୍ତି ଶସ୍ତ୍ର ଅକଳନା ।

ସକଳ ସୈନ୍ୟ ତୁମ୍ଭର ଶସ୍ତ୍ରପାତ ଭୟେ

କେହି ପଶି ନ ପାରନ୍ତି ଗଡ଼ଦ୍ୱାର ଯାଏ ।

ଗଉଡ଼ ସାଜେଣି ଦେଖି ସକଳେ ବୋଲନ୍ତି

ପଶି ନ ପାରିଣ ଲଜ୍ଜା ପାଇବା ଏ ଘାନ୍ତି ।

ଶୁଣି ମନେ ଶଙ୍କା ପାଇ ସଙ୍କୋଚନ ବାଳ

ନେତ୍ର ବୁଲାଇଲା ଚକ ପ୍ରାୟେ ଅନ୍ତରାଳ ।

ପ୍ରଖର ନିଃଶ୍ୱାସ ବହେ ଘୋର ବାତ ଜାଣି

ବାହା ମୋଡ଼ି ପ୍ରତିଜ୍ଞା ସେ କଲା ପୁଣି ପୁଣି ।

ରେରେକାର କରି ଉଚ୍ଚେ ଛାଡ଼େ ସିଂହରଡ଼ି

ଶରଦ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।

ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ଦମଘୋଷ ଆଦିକରି ଯେତେ ନରରାଣ ।

ସମସ୍ତଙ୍କୁ ବସାଇଣ ବୋଲେ ନୃପନାହା

ଶୁଣିଲଟିକି ଡଗରେ କହୁଛନ୍ତି ଯାହା ।

ଗଡ଼ ସଜାଡ଼ି ଯାଦବେ ଜଗି ରହିଲେଣି

ତୁମ୍ଭେମାନେ ରଣେ ତାଙ୍କୁ ପାରିବ କି ଜିଣି ।

ମୁହିଁ ଯେ ପ୍ରତିଜ୍ଞା କରି ଦେଉଅଛି ଧାଡ଼ି

ରାମକୃଷ୍ଣ ନ ଜିଣିଲେ ନ ଯାଏ ବାହୁଡ଼ି ।

କ୍ଷତ୍ରିୟ ବଚନ ଅଟେ ପାଷାଣର ଗାର

ବାକ୍ୟଭ୍ରଷ୍ଟ ହେଲେ ନିନ୍ଦା ପାଇବି ଅପାର ।

ଦମଘୋଷ ବୋଲେ ତୁମ୍ଭେ ଅଟ ମହାରାୟ

ନବଦ୍ୱୀପ ସାତସିନ୍ଧୁ ରଣେ କଲ ଜୟ ।

ବୁଦ୍ଧିବନ୍ତ ବଳବନ୍ତ ବୀର ଶିରୋମଣି

ଦିଗପାଳ ଦେବତାଙ୍କୁ ହେଳେ ପାର ଜିଣି ।

ଯାଦବ ମାତ୍ରକେ ତୋତେ କରିବେ ସେ କିସ

ଅଳପ କଥାକୁ କିପାଁ କର ବହୁ ରୋଷ ।

ଏକ୍ଷଣି ମଥୁରାପୁର ଭାଙ୍ଗି ଧ୍ୱସ୍ତ କରି

ଯାଦବଙ୍କୁ ଆଣି ଦେବି ଜୀବନ୍ତରେ ଧରି ।

ଏଥକୁ ଯେ ମନେ ଭ୍ରାନ୍ତି ନ କର ତୁ କିଛି

କାର୍ଯ୍ୟ କାରଣ ନୋହିଲେ ପଛେ ସିନା ବାଛି ।

ଭୋ ଦେବ ବଚନ ମୋର ଶୁଣ ନିରାଧାର

ଚାରି ଭାଗ କରି ଥାଟ ବାଣ୍ଟି ସଜ କର ।

ଏକମୁଖ ହୋଇ ସର୍ବେ ଯୁଦ୍ଧ କର ଆଜ

ଅବହେଳେ ଜିଣିନେବା ଏ ମଥୁରା ରାଜ୍ୟ ।

ତୁମ୍ଭର କାର୍ଯ୍ୟରେ ଆମ୍ଭେ କରି ପ୍ରାଣ ଗାଢ଼

ଯାଦବଙ୍କୁ ସଂହାରିବୁ ବଳେ ଭାଙ୍ଗି ଗଡ଼ ।

ଦମଘୋଷ ମୁଖୁ ଜରାସନ୍ଧ ଏହାଶୁଣି

ଚାରି ଦୁଆରକୁ ଥାଟ ପେଷିଲା ସେକ୍ଷଣି ।

ଦମଘୋଷକୁ ଚାହିଁଣ ବୋଲେ ନୃପସାଇଁ

ଦକ୍ଷିଣ ଗଡ଼ ଦୁଆରେ ଲାଗ ତୁମ୍ଭେ ଯାଇ ।

ଚବିଶ ସହସ୍ର ନୃପ ଅଙ୍ଗବଳ ସୈନି

ସହଦେବ କୁମରକୁ ସଙ୍ଗେ ଥିବ ଘେନି ।

ଶତସଂଖ୍ୟା ମହାରଥୀ ଥିବେ ତୁମ୍ଭ ସଙ୍ଗେ

ଯାଦବଙ୍କ ତୁଲେ ରଣ କର ଯାଇ ବେଗେ ।

ଏତେ ବୋଲି ଶ୍ରୀହସ୍ତରେ ଶାଢ଼ୀ ମାଳା ଦେଇ

ବୋଲେ ଏହି ଅନୁକୂଳେ ଯାଅ ଶୀଘ୍ର ହୋଇ ।

ପୁଣି ଦନ୍ତବକ୍ରକୁ ସେ ପାଶକୁ ହକାରି

ବୋଲେ ତୁମ୍ଭେ ପଞ୍ଚବିଂଶସସ୍ର ନୃପ ଧରି ।

ପଶ୍ଚିମ ଦୁଆରେ ବେଢ଼ି କର ଯାଇ ରଣ

ଯେ ଆଗେ ପଡ଼ିବ ତାର ଘେନିବ ପରାଣ ।

ପୁଣି ଆଜ୍ଞାଦେଲା ରାଜା ରୁକ୍ମଣକୁ ଚାହିଁ

ପୂର୍ବ ଦୁଆରେ ସଂଗ୍ରାମ କର ତୁମ୍ଭେ ଯାଇ ।

ଚବିଶ ସହସ୍ର ନୃପ ଥିବେ ତୁମ୍ଭ ସଙ୍ଗେ

ଚତୁରଙ୍ଗ ସେନା ଘେନି ପଶ ରଣରଙ୍ଗେ ।

ସଂଗ୍ରାମେ ଶକତା ତୁମ୍ଭେ ଅଟ ମହାରଥୀ

ନିମିଷକେ ଜିଣିପାର ଚରାଚର ପୃଥ୍ୱୀ ।

ତୁମ୍ଭରି ବାହାକୁ ବାବୁ କରିଛି ମୁଁ ଆଶ

ଯାଦବଙ୍କୁ ରଣେ ମାରି ଛଡ଼ାଅ ମୋ ପ୍ରାସ ।

ତୁମ୍ଭର ମଙ୍ଗଳ ହେଉ ଯାଅ ଆହେ ବୀର

ମୋ ପାଇଁରେ ଅଙ୍ଗଛଳେ କରିବ ସମର ।

ଶାଲ୍ୱ ଶିଶୁପାଳକୁ ସେ ଚାହିଁଣ ବିଶ୍ୱାସେ

ବୋଲେ ତୁମ୍ଭେ ଦୁହେଁ ଜଗିଥିବ ମୋର ପାଶେ ।

ତେଇଶ ସହସ୍ର ରାଜା ଅଙ୍ଗବଳ ସୈନ୍ୟ

ସଜକରି ଏମାନଙ୍କୁ ସଙ୍ଗତରେ ଘେନ ।

ଉତ୍ତରଦ୍ୱାର ଆବୋରି ସଂଗ୍ରାମ କରିବା

ଯାଦବଙ୍କୁ ଜିଣି ରାମକୃଷ୍ଣଙ୍କୁ ମାରିବା ।

ଶୁଣ ହେ ପରୀକ୍ଷ ରାଜା ଶୁକ ଯେ ବଦନ୍ତି

ଏସନକ ଆଜ୍ଞାଦେଇ ମଗଧ ନୃପତି ।

ଆପଣାର ଅଙ୍ଗବଳ ତେଇଶ କ୍ଷଉଣୀ

ତେଇଶ ସହସ୍ର ନୃପ ସଙ୍ଗତରେ ଘେନି ।

ଅନେକ ପ୍ରତିଜ୍ଞା କରି ଧାମନ୍ତି ସେ ବୀରେ

ସମ୍ଭାରେ ଲାଗିଲେ ଯାଇ ଉତ୍ତର ଦୁଆରେ ।

ରାଜା ଆଗମନ ଦେଖି ସକଳ ସଇନି

ଆଗରେ ଧାଇଁଣ କଲେ ରେରେକାର ଧ୍ୱନି ।

ଯେ ଯାହାର ବଣ୍ଟାମୂଳେ ଲାଗିଲେକ ଯାଇ

ଯେଝା ଅନୁରୂପେ ଅସ୍ତ୍ରଶସ୍ତ୍ର ସେ ହଲାଇ ।

ଶିର ଅଙ୍ଗସ୍ତ୍ରାଣ ଲୁହା ଟୋପର ସେ କାତି

ଅକାଟ ଅଫୁଟ ସ୍ନେହା ପହରି ଅଛନ୍ତି ।

ବେଢ଼ିଲେ ସକଳ ନୃପେ ଗଢ଼ ଚାରିଦ୍ୱାରେ

ପିମ୍ପୁଡ଼ି ପରାୟେ ସୈନ୍ୟଧାଡ଼ି ନିରନ୍ତରେ ।

ତ୍ରେତାଯୁଗେ ଯେହ୍ନେ ଦଶରଥ ସୁତ ବେନି

ଲଙ୍କାଗଡ଼ ବେଢ଼ିଥିଲେ ଋକ୍ଷ କପି ଘେନି ।

ତେସନେ ଦିଶିଲେ ତହିଁ ଜରାସନ୍ଧ ଥାଟ

ସ୍ୱର୍ଗେ ଥାଇ ଦେବଗଣ ପାଇଲେ ଉଚ୍ଚାଟ ।

ଏକମୁଖ ହୋଇ ସୈନ୍ୟ ପଡ଼ିଲେକ ଧାଇଁ

ପରିଘ ଗୁରୁଜ ଗଦା ମାରନ୍ତି ବୁଲାଇ ।

ଯେତେ ଯେତେ ଖାଲ ଖଣା ଥିଲା ଯାହାପାଖେ

ସମତୁଲ କରି ତାହା ପୋତିଲେ କ୍ଷଣକେ ।

ଉପରେ ଯାଦବ ଥାଇ ବିନ୍ଧୁଛନ୍ତି ଶର

ଶକତି ପରିଘ ଗଦା ଶତଘ୍ନୀ ତୋମର ।

ଦଶବିଂଶ ପାଞ୍ଚଶତ ଶତଲକ୍ଷ କୋଟି

ଏକାବେଳକରେ ସୈନ୍ୟ ପଡ଼ୁଛନ୍ତି ଲୋଟି ।

ମଥୁରା ଦାଣ୍ଡରେ ଚାରିଆଡ଼େ ସୈନ୍ୟ ଛିଡ଼ି

ମଡ଼ାର ଉପରେ ମଡ଼ା ପଡ଼ିଛନ୍ତି ମାଡ଼ି ।

କୋଦଣ୍ଡ କମାଣ କାଣ୍ଡ ଖଣ୍ଡା କରେ ଘେନି

ଯାଦବେ ମାରନ୍ତେ ଲୋଟି ପଡ଼ିଲେ ସଇନି ।

ଅନନ୍ତ ମାୟାଧର ସେ ପ୍ରଭୁ ଦେବରାଜ

ସବୁ ଯାଦବଙ୍କୁ ଦେଲେ ଆପଣାର ତେଜ ।

ତେଣୁ ଯାଦବଙ୍କୁ କେହି ନ ପାରନ୍ତି ଜିଣି

ସଙ୍ଗେ ସଖା ହୋଇଛନ୍ତି ରାମ ଚକ୍ରପାଣି ।

ପଡ଼ିଲେ ଅନେକ ସେନା ରଣଭୂମି ମାଡ଼ି

କାହାର ଚରଣ କର ଅଣ୍ଟା ଗଲା ଛିଡ଼ି ।

ରକତରେ ଜରଜର ଦିଶେ କାହା କାୟେ

କାହାର ଶରୀର ଦିଶେ ରଙ୍ଗଫୁଲ ପ୍ରାୟେ ।

ବତିଶଯୂଣ ବିସ୍ତାର ସେ ମଥୁରା ଗଡ଼

ବେନିତାଳ ଉଚ୍ଚେ ମଡ଼ା ପଡ଼ି ହେଲେ କୁଢ଼ ।

ବହିଲା ରକତ ନଦୀ ପ୍ରଖର ସ୍ରୋତରେ

ଭୟାଳୁଏ ଯୁଦ୍ଧ ଛାଡ଼ି ପଳାଇଲେ ଦୂରେ ।

ଅଶ୍ଵଙ୍କ ଉପରେ ଗଡ଼ ପଡ଼ିଲେକ ମାଡ଼ି

ଚାରିଆଡ଼େ କୁଢ଼ ହେଲା ରଥଧ୍ଵଜ ଛିଡ଼ି ।

ରାଉତ ମାହୁନ୍ତ ରଥୀ ସୈନ୍ୟ ଅପ୍ରମିତ

ଯାଦବଙ୍କ ବାଣେ ମରି ପଡ଼ିଲେ ବହୁତ ।

ସାତସିନ୍ଧୁ ଶୁଖାଇବ ହସ୍ତରେ କେ ବାହି

ନଦୀ ବାଲି ଗଣିବାକୁ ଶକ୍ତି ଅଛି କାହିଁ ।

ବାଲିବନ୍ଧେ ସାତସିନ୍ଧୁ ପାରିବ କେ ବାନ୍ଧି

ଅତିଭାଗ୍ୟେ ଭାଗବତ ପୁରାଣପୟୋଧି ।

ଅଦୃଷ୍ଟି ଅଶ୍ରୁତି ଅସମ୍ଭବ ଏହି ବାଣୀ

ଅନେକ ଜନ୍ମର ପାପ ଧ୍ଵଂସ ହୁଏ ଶୁଣି ।

ଇଦଂ ପ୍ରତିବାକ୍ୟ କହନ୍ତି ଯେ ଶୁକ ଯତି

ଶୁଣ ତୁ ହୋ ସାବଧାନେ ପଣ୍ଡୁ ପଣନାତି ।

ଦକ୍ଷିଣ ଦୁଆରେ ଥିଲେ ରାଜା ଉଗ୍ରସେନ

ଦମଘୋଷ ଆଗେ ମିଳି କରେ ଆୟୋଧନ ।

ସୈନ୍ୟହତ ହେବା ଦେଖି ଦମଘୋଷ କୋପେ

ରେରେକାର କରି ବାଣ ପୂରାଇଲେ ଚାପେ ।

କଙ୍କପକ୍ଷ ମୁନା ବାଣ ସହସ୍ରେକ ଧରି

ଗଡ଼ଦ୍ଵାର କବାଟକୁ ବିନ୍ଧିଲା ଓଟାରି ।

ପୁଣି ହିଁ ତିନିସହସ୍ର ବଜ୍ରମୁନା ବାଣ

କର୍ଣ୍ଣ ପରିଯନ୍ତେ ଟାଣି ବିନ୍ଧିଲା ତତ୍‌କ୍ଷଣ ।

ଚଳିଲେ ଯେ ବାଣମାନ ଅନ୍ତରୀକ୍ଷ ମାର୍ଗେ

ସକଳ ଦେବତା ମିଳି ଦେଖୁଛନ୍ତି ସ୍ଵର୍ଗେ ।

ଚକ୍ଷୁ ପିଛଡ଼ାକେ ଯାଇ କବାଟରେ ବାଜି

ମସୀଗୁଣ୍ଡା ହୋଇ ଦ୍ଵାର ପଡ଼ିଲାକ ଭାଜି ।

ବଜ୍ର କିଳଣି ସହିତେ ପଡ଼ନ୍ତେ ଉପୁଡ଼ି

ଦେଖି ଦମଘୋଷ ରାଜା କଲା ସିଂହରଡ଼ି ।

ଗଡ଼ଦ୍ଵାର ଭାଙ୍ଗି ତହୁଁ ହୋଇଲା ମୁକୁଳା

ଧସାଇ ପଶିଲେ ସୈନ୍ୟ ଘୋଟି ଅସଂଖଳା ।

ଦମଘୋଷ ଆଦି ସବୁ ରାଜାଙ୍କର ଥାଟ

ସମସ୍ତେ ପଶିଲେ ପେଲି ପାଇବାରୁ ବାଟ ।

ଉଗ୍ରସେନ ଅନାଧୃଷ୍ଟ ଉଦ୍ଧବ ଏ ଥିଲେ

ରହ ରହ ବୋଲି ଆଗେ ଆସି ଓଗାଳିଲେ ।

ବନ୍ଧ ବନ୍ଧାଇଲେ ଯେହ୍ନେ ସ୍ଥିର ହୁଏ ଜଳ

ସ୍ତମ୍ଭୀଭୂତ ହେଲେ ତେହ୍ନେ ଶତ୍ରୁ ସୈନ୍ୟବଳ ।

ଚବିଶ ସହସ୍ର ରାଜା ଏକ ମୁଖ ହୋଇ

ତିନି ରଥ ଉପରକୁ ପଡ଼ିଲେ ଯେ ଧାଇଁ ।

ଉଗ୍ରସେନଙ୍କୁ ଆବୋରି ସହଦେବ ବୀର

ଅନାଧୃଷ୍ଟ ସଙ୍ଗେ ଦମଘୋଷର ସମର ।

ରଥୀର ଆଗରେ ରଥୀ କରନ୍ତି ପହିଜ

ଗଜର ଆଗରେ ମିଳି ଯୁଦ୍ଧ କଲେ ଗଜ ।

ଅଶ୍ଵଙ୍କ ସହିତେ ଅଶ୍ୱ ପରିତାଳ ଦ୍ୟନ୍ତି

ପଦାତିଙ୍କ ସଙ୍ଗେ ମିଳି ଯୁଝିଲେ ପଦାତି ।

ଏମନ୍ତ ପ୍ରକାରେ ହେଲା ରଣ ମହାଗୋଳ

ଯୁଗାନ୍ତ କାଳରେ ଯେହ୍ନେ ଘୋଟେ ସିନ୍ଧୁଜଳ ।

ଆଗଭର ହୋଇ ଯାନ୍ତି ନାନା ଶସ୍ତ୍ର ଧରି

କାହାକୁ ମାରି କାହାକୁ ପକାନ୍ତି ସେ ଚିରି ।

ପଶ୍ଚିମ ଦ୍ଵାର ଆବୋରି ଦନ୍ତବକ୍ର ଥିଲା

ସୁରଥକୁ ଜିଣିବାକୁ ପ୍ରତିଜ୍ଞା ସେ କଲା ।

ଗୁଣ ଘୋଷ ଶବଦରେ ମେଦିନୀ କମ୍ପାଇ

ତର୍ଜନା କରଇ ବୀର ସିଂହରଡ଼ି ଦେଇ ।

ଦେଖିଣ ଯାଦବ ସୈନ୍ୟ ପାଇ ମନେ ଭୀତି

ତରସ୍ତ ହୋଇଣ ଶସ୍ତ୍ର ଧରି ନ ପାରନ୍ତି ।

ସାତ୍ୟକି ସହସ୍ରାଜିତ କୃତବର୍ମା ତିନି

ଭୟ ତେଜି ବାହାରିଲେ କରେ ଶସ୍ତ୍ର ଘେନି ।

ହାବୋଡ଼ା ବାଣେକ ଘେନି ଦନ୍ତବକ୍ର ମାରି

ସିଂହ ପ୍ରାୟେ ଗରଜିଲା ଗୁଣନାଦ କରି ।

ସେ ବାଣ ବାଜନ୍ତେ ଦ୍ଵାର ପଡ଼ିଲା ଉପୁଡ଼ି

ଭିତରେ ପଶିଲା ଦନ୍ତବକ୍ର ନିଶ ମୋଡ଼ି ।

ସକଳ ନୃପତି ଦେଖି ସାଧୁ ସାଧୁ କଲେ

ଦନ୍ତବକ୍ର ସଙ୍ଗେ ସର୍ବେ ଭିତରେ ପଶିଲେ ।

ଅନେକ ପ୍ରଶଂସା କଲେ ଗଡ଼ ଗୋଟି ଦେଖି

ବୋଇଲେ ଅମର ବାରସ୍ୱତୀ ପୁର ଏ କି ।

କେବଳ  ଦେବତା ଏହା ନିର୍ମାଣିଲା ଆସି

ଜରାସନ୍ଧ ବିନା ଆନ ନ ପାରନ୍ତା ପଶି ।

ଧନ୍ୟରେ ଯାଦବେ ତୁମ୍ଭ ଜୀବନ ହିଁ ସାଧୁ

ଅଭେଦ୍ୟ ଗଡ଼ରେ ଥାଇ ବୋଲାଅ ବୀରଧୂ ।

ଏମନ୍ତ ବୋଲିଣ ସର୍ବେ କଲେ ଶରବୃଷ୍ଟି

ବୀରଙ୍କ ଗର୍ଜନ ଘାତେ କମ୍ପେ ନବସୃଷ୍ଟି ।

ଦେଖିଣ ଯାଦବ ବୀରେ ମନେ ବହି କ୍ରୋଧ

ଏକମୁଖ ହୋଇ ସର୍ବେ ପିଟିଲେ ଆୟୁଧ ।

ଯେ ଯାହାର ଅସ୍ତ୍ର ଶସ୍ତ୍ର ନିଜ କରେ ଧରି

ବେନି ବଳ ମିଶି ବାଟେ ହେଲେ ମରାମରି ।

ସଂଗ୍ରାମେ ଶକତା ଦୁଇ ବଳ ସମକଚ୍ଛ

ଏକକୁ ଆରେକ ଯୁଦ୍ଧେ ନ ଦିଅନ୍ତି ପଛ ।

ମହାଘୋର ଯୁଦ୍ଧ ହେଲା ଦୁଇ ସେନାଙ୍କର

ଅଦୃଶ୍ୟ ହୋଇଲେ ସୂର୍ଯ୍ୟ ଦିବସେ ଅନ୍ଧାର ।

କକଡ଼ା ମାସରେ ଯେହ୍ନେ ମେଘ କରେବୃଷ୍ଟି

ତେସନେ ପଡ଼ଇ ବାଣ ଶୂନ୍ୟପଥ ଘୋଟି ।

ରଣଜିତା ଯଦୁବୀରେ ଅଟନ୍ତି ଅଜେୟ

ରାମକୃଷ୍ଣ ପ୍ରସାଦରୁ ନାହିଁ ତାଙ୍କ ଭୟ ।

ଏଥୁ ଅନନ୍ତରେ ଜରାସନ୍ଧ ନୃପମଣି

ଆପଣାର ଅଙ୍ଗବଳ ତେଇଶ କ୍ଷଉଣୀ ।

ତେଇଶ ସହସ୍ର ରାଜା ଚତୁରଙ୍ଗ ବଳ

ଘେନିଣ  ଉତ୍ତର ଦ୍ୱାରେ କଲା ରଣଗୋଳ ।

ରଥ ଗଜ ପଦାତିକ ଅଶ୍ୱ ଅପ୍ରମିତ

ଏକକୁ ଆରେକ ଯୋଦ୍ଧା ସର୍ବେ ବଳବନ୍ତ ।

ଆପେ ଜରାସନ୍ଧ ରାଜା ସମରେ ଦୁର୍ଜ୍ଜୟ

ଦେବ ଦୈତ୍ୟ ଗନ୍ଧର୍ବଙ୍କୁ ନକରଇ ଭୟ ।

ଅନେକ ସଇନ୍ୟ ଛନ୍ତି ପଛରେ ଗୋଡ଼ାଇ

ଗଡ଼ର ଉତ୍ତର ଦ୍ୱାରେ ମିଳିଲା ଯେ ଯାଇ ।

ବାସ୍ତରୀ ଭାର ଗଦାକୁ ବୁଲାଇଣ କରେ

ଆକର୍ଷି ପିଟିଲା ନେଇ କବାଟ ଉପରେ ।

ନିର୍ଘାତ ଶବଦ ଶୁଭେ ଘୋର ବିକରାଳ

ଉଠିଲା ବହନି ଶିଖା ଜ୍ୟୋତି ଅନ୍ତରାଳ ।

ବିଷମ ହୁଂକାର ଧ୍ୱନି ପଦାଘାତ ପାଇ

କବାଟ ଭାଙ୍ଗି ପଡ଼ିଲା ଖଣ୍ଡ ଖଣ୍ଡ ହୋଇ ।

କବାଟ ଭାଙ୍ଗନ୍ତେ ଦ୍ୱାର ହୋଇଲା ମୁକୁଳା

ଧସାଇ ପଶିଲା ପୁରେ ସଙ୍କୋଚନ ବଳା ।

ତା ପଛରେ ଲାଗି ଆଉ ଯେତେ ନୃପ ଥିଲେ

ସମଦଣ୍ଡ ଘେନି ସର୍ବେ ଭିତରେ ପଶିଲେ ।

ପ୍ରଥମ ଦ୍ୱିତୀୟ ଦ୍ୱାର ଜିଣି ବେଗେ ଯାଇ

ଭିତର ଗଡ଼େ ପ୍ରବେଶ ହେଲେ ପରିଘାଇ ।

ଦୁଇହାତେ ଗଦା ଧରି ବୁଲାଇ ନୃପତି

ବଳଦେବଙ୍କ ଛାମୁରେ ମିଳିଲା ତଡ଼ତି ।

ଅଧର ପୁଷ୍ଟ କରିଣ ବୋଲେ ମହୀପାଳ

ଆରେରେ ଗଉଡ଼ ଆଜି ପୂରିଲା ତୋ କାଳ ।

ଜାଣୁ ଜାଣୁ ମୋ ସଙ୍ଗରେ ହୋଇଲ ବିବାଦୀ

ନିଶ୍ଚୟ ମାରିବି ତୋର ବଂଶବର୍ଗ ଶୋଧି ।

ତୁମ୍ଭଙ୍କୁ ମାରିବା ଏହା ସଂଶୟ ଯେ ନାହିଁ

ସପତବଂଶ ଯାଦବେ ମଲେ ତୁମ୍ଭପାଇଁ ।

ପାଞ୍ଚବେଳ ପରିଯନ୍ତେ ପଳାଇଲେ ଆଗୁଁ

ଅସଂଖ୍ୟ ସଇନ୍ୟ ମୋର ମଲେ ତୁମ୍ଭଯୋଗୁଁ ।

ଏହି ପରକାରେ ତୁମ୍ଭେ ସବୁବେଳେ ଭଣ୍ଡ

ଆଜ ବିଶାବଳି ଦେବି କରି ଖଣ୍ଡ ଖଣ୍ଡ ।

କେଉଁ ଭରସାରେ କଲ ମୋ ସଙ୍ଗରେ କକ୍ଷା

ହରି ବ୍ରହ୍ମାଇନ୍ଦ୍ର ହେଲେ ନ କରିବେ ରକ୍ଷା ।

ଏତେ ବୋଲି ଅନ୍ତରୀକ୍ଷେ ଗଦାକୁ ବୁଲାଇ

କାମପାଳ ଉପରକୁ ପଡ଼ିଲା ସେ ଧାଇଁ ।

ବାହା ନାଦକରି ଗଦା ପିଟେ ମହାବଳ

ଦେଖି ବଳରାମ ସ୍ୱାମୀ ଆଡ଼ିଲେ ମୂଷଳ ।

ମୂଷଳରେ ଗଦା ବାଜି ପରିତାଳ ଘେନି

ଉଠିଲା ପ୍ରଚଣ୍ଡ ଶିଖା ଟେକିଣ ବହନି ।

ନିର୍ଘାତ ଶବଦ ହେଲା ଯେହ୍ନେ ଘଡ଼ଘଡ଼ି

ସତେ କିବା ମେରୁଗିରି ପଡ଼ୁଅଛି ମାଡ଼ି ।

ବନ ଗିରି ସଙ୍ଗତରେ କମ୍ପିଲା ଧରଣୀ

ତରସ୍ତ ହୋଇଲେ ଭୟ ପାଇ ସର୍ବବାଣୀ ।

ପୁଣି ଜରାସନ୍ଧ ଗଦା ବୁଲାଇଣ ବେଗେ

ରାମଙ୍କ ଉପରେ ନେଇ ପ୍ରହାରିଲା ରାଗେ ।

ଶ୍ରୀଅଙ୍ଗେ ନ ବାଜି ଗଦା ଦେଖି କାମପାଳ

ଧାତିକାରେ ଆଡ଼ିଦେଲେ ସୌନନ୍ଦ ମୂଷଳ ।

ତେଡ଼େ ବଡ଼ ଗଦାଗୋଟା ମୂଷଳରେ ବାଜି

ବେନି ଖଣ୍ଡ ହୋଇ ତଳେ ପଡ଼ିଲାକ ଭାଜି ।

ଗଦା ଭଗ୍ନ ଦେଖି କୋପେ ମଗଧ ଈଶ୍ୱର

ଖଡ଼ଗ ଧଇଲା କରେ ଟେକିଣ ସତ୍ୱର ।

ଖଣ୍ଡାହସ୍ତ ହୋଇ ରାଜା କୋପାନଳ ମୂର୍ତ୍ତି

ବିକ୍ରମ ସିଂହ ପରାୟେ କଲା ପାଦଗତି ।

ବେଳୁଁ ବେଳ କୋପ  ତାର ବଢ଼ିଲାକ ଯହୁଁ

ରାମଙ୍କୁ ଘୋଟିଲା ଯେହ୍ନେ ଚନ୍ଦ୍ରମାକୁ ରାହୁ ।

ତା ଦେଖି ରୋହିଣୀସୁତ ଲଙ୍ଗଳ କଚାଡ଼ି

ହାତେ ଧରିଥିବା ଖଣ୍ଡା ପକାଇଲେ ଝାଡ଼ି ।

ନିଃଶସ୍ତ୍ର ହୁଅନ୍ତେ କ୍ରୋଧେ ମଗଧ ନୃପତି

ମଲ୍ଲ ବିନ୍ଧାଣରେ ଠିଆ ହୋଇଲା ତଡ଼ତି ।

ଆଣ୍ଠୁଭରା ଦେଇ ତଳେ ବସି ମହାରାଜ

ବିଚିତ୍ର ଗତିରେ ଉଠି କରଇ ପହିଜ ।

ବଜ୍ରମୁଷ୍ଟି ଟେକି ରାମ ଆଗେ ହେଲା ଉଭା

ପର୍ବତ ପରାୟେ ଅଙ୍ଗ ଦିଶେ ତାର ଶୋଭା ।

ଚଉରାଶୀ ବିନ୍ଧାଣରେ ଅପସର ଦେଇ

ଆରେରେ ଗଉଡ଼ ବୋଲି ଡାକେ ମୁଖ ଚାହିଁ ।

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି

ଦେଖି ମହାକୋପ କଲେ ପ୍ରଭୁ ହଳପାଣି ।

ବାମହସ୍ତେ ହଳଘେନି ଦୃଢ଼େ କରି ମୁଷ୍ଟି

ଜରାସନ୍ଧର ବେକରେ ପକାଇଲେ ଛାଟି ।

କୃତାନ୍ତ ଦେବତା ଯେହ୍ନେ କାଳପାଶ ଘେନି

ନିମିଷରେ ସାଧିପାରେ ସକଳ ମେଦିନୀ ।

ତେସନେ ଲଙ୍ଗଳ ଧରି ରେବତୀର ସାଇଁ

ଝାଡ଼ିଦେଲେ ଜରାସନ୍ଧ ବେକରେ ଲଗାଇ ।

ସେ ଘାତରେ ଅସମ୍ଭାଳ ହୋଇ ମହାବଳୀ

ଅସାଷ୍ଟମ ହୋଇ ତଳେ ପଡ଼ିଗଲା ଢଳି ।

ଜରାସନ୍ଧ ପଡ଼ିବାରୁ ଦେଖି କାମପାଳ

ପ୍ରାଣ ନେବାପାଇଁ କ୍ରୋଧେ ଟେକିଲେ ମୂଷଳ ।

ଏମନ୍ତ ସମୟେ ତହିଁ ମିଳି ଦେବଦୂତ

କରଯୋଡ଼ି ସ୍ତୁତି କଲା ରାମଙ୍କୁ ବହୁତ ।

ନମସ୍ତେ ହେ କାମପାଳ କୃପାଜଳ ସିନ୍ଧୁ

ନମସ୍ତେ ରେବତୀ ନାଥ ଭକ୍ତଜନ ବନ୍ଧୁ ।

ନମସ୍ତେ ହେ କାମପାଳ ସଂସାର କରତା

ନମସ୍ତେ ହେ କାମପାଳ ଭକ୍ତିମୁକ୍ତି ଦାତା ।

କାଦମ୍ବରୀ ପାନେ ସଦା ଭୋଳ ତୁମ୍ଭ ମତି

ଛପନ କୋଟି ଜୀବର ଅଟ ତୁମ୍ଭେ ଗତି ।

ମସ୍ତକ ଉପରେ ଶୋଭା ପାଏ ସପ୍ତଫେଣି

କୁଟିଳ କୁନ୍ତଳ ଦିଶେ ନବଘନ ଜିଣି ।

ବେନି କର୍ଣ୍ଣେ ବିରାଜଇ ମକର କୁଣ୍ଡଳ

ଶରୀରରେ ପୂରିଅଛି କୋଟି ସିଂହବଳ ।

ନୀଳ ଝୀନବାସେ ଶୋଭାପାଏ ଦିବ୍ୟକଟି

ପାପାଧି ପାପ ଧ୍ଵଂସନ ତୁମ୍ଭ ନାମଗୋଟି ।

ସୁଢ଼ଳ ନୟନ ବେନି ରକ୍ତପଦ୍ମ ପ୍ରାୟ

ଆଜାନୁ ଲମ୍ବିତ ଭୁଜଦଣ୍ଡ ତେଜୋମୟ ।

ପ୍ରତ୍ୟକ୍ଷେ ପରମାନନ୍ଦ ଅବ୍ୟକ୍ତ ମୂରତି

କାଳାନ୍ତକ ଯୁଗାନ୍ତକ ଲୟାନ୍ତକ ଜ୍ୟୋତି ।

ପଞ୍ଚଭୂତ ପଞ୍ଚ ତତ୍ତ୍ଵ ପ୍ରକୃତି ପଚିଶ

ସୃଷ୍ଟି ସ୍ଥିତି ସଂହାରଣ କରତା ପୁରୁଷ ।

ତୁମ୍ଭର ସଞ୍ଚିତ ଏହି ସକଳ ଜଗତ

ଅକ୍ଷୟ ଅଜରାମର ତୁମ୍ଭେ ବିଶ୍ଵନାଥ ।

ଏକ ରୋମକରେ ଯାର କୋଟି ସିଂହବଳ

ନମସ୍ତେ ପନ୍ନଗ ନାରାୟଣ କାମପାଳ ।

ପୃଥ୍ଵୀଭାରା ନିବାରଣ କରିବାର ପାଇଁ

କଉତୁକେ ଜନ୍ମିଅଛ ମରଦେହ ବହି ।

ସର୍ବଜ୍ଞ ପୁରୁଷ ତୁମ୍ଭେ ସର୍ବ ଗୁଣଗ୍ରାହୀ

ଆରତ ଭଞ୍ଜନ ନାଥ ବାରେ କର ତ୍ରାହି ।

କଳିକଳୁଷ ଧ୍ଵଂସନେ ନିରପେକ୍ଷ ରୂପେ

ଚତୁର୍ଦ୍ଧାମୂରତି ଧରି ବସିଅଛି ଆପେ ।

ଦକ୍ଷିଣ ସାଗର ତଟ ନୀଳ ପରବତେ

ସଙ୍ଗେ ଭାଇ ଭଗ୍ନୀ ଘେନି ବିଜେ ଜଗନ୍ନାଥେ ।

ସୁଦର୍ଶନ ଚକ୍ର ଘେନି ଚତୁର୍ଦ୍ଧା ମୂରତି

ଦର୍ଶନ ମାତ୍ରକେ ପ୍ରାଣୀ ଲଭଇ ମୁକତି ।

ବଳଦେବ ଶ୍ରୀଚରଣେ ସଦା ମୋର ସେବା

ଅଚ୍ୟୁତ ଦାସକୁ ହରିବଂଶ କହିଦେବା ।

ଏସନକ ସ୍ତୁତି ଯହୁଁ କଲା ଦେବଦୂତ

ପ୍ରସନ୍ନ ହୋଇଲେ ଶୁଣି ରେବତୀର କାନ୍ତ ।

ପୁଣି ବିଚାରିଲେ ରାମ ଦେବଦୂତ ଚାହିଁ

ଏ କିପାଁ ଜୀବନେ ଥିବ କହ ତା ବୁଝାଇ ।

ଦେବଦୂତ ବୋଲେ ତୁମ୍ଭେ ଜଗତର ନାହା

ମୁହିଁ କି କହିବି ତୁମ୍ଭେ ନ ଜାଣ କି ତାହା ।

ଏ ଜରାସନ୍ଧର ତୁମ୍ଭ ହସ୍ତେ ମୃତ୍ୟୁ ନାହିଁ

ଭୀମସେନ ହସ୍ତେ ମରାଇବେ ଲକ୍ଷ୍ମୀସାଇଁ ।

ଆବର ଏ ନୃପଠାରେ ଅଛି ଦେବକାର୍ଯ୍ୟ

ତେଣୁ ପେଷିଛନ୍ତି ମୋତେ କହି ଦେବରାଜ ।

ତୁମ୍ଭ ଶ୍ରୀଚରଣେ ହେଉଅଛି ପରଣାମି

ଏହାକୁ ସମୟେ ରକ୍ଷା କର ଅନ୍ତର୍ଯ୍ୟାମୀ ।

ସଂସାରେ ଅକୀର୍ତ୍ତି ପଛେ ରହୁ ଏଥିପାଇଁ

ଆଜ ସଂଗ୍ରାମରେ ତୁମ୍ଭେ ଯାଅ ପିଠିଦେଇ ।

ଏହାକୁ ନାଶିଲେ କାର୍ଯ୍ୟ ନ ପାଇବ କିଛି

ଅନେକ ପାପିଷ୍ଠ ଦୁଷ୍ଟ ମାରିବ ଏ ବାଛି ।

ଏ କଥା ବିଚାର ଯେବେ ନ କରିବ ମନେ

ନିଶ୍ଚୟରେ ସୃଷ୍ଟି ନାଶ ଯିବ ଅଳ୍ପଦିନେ ।

ଦେବକାର୍ଯ୍ୟ ନ ହୋଇବ ସୃଷ୍ଟି ନୋହି ରକ୍ଷା

କର୍ମକରତା ପୁରୁଷ ଯେ ତୁମ୍ଭର ଇଚ୍ଛା ।

ଏତେ କହି ଅନ୍ତର୍ଦ୍ଧାନ ହେଲା ଦେବଦୂତ

ବଳରାମ ଶୁଣି କୋପେ ଛାଡ଼ି ଦେଲେ ଶାନ୍ତ ।

ସଂଗ୍ରାମ ଉପେକ୍ଷି ତହୁଁ ଗଲେ ପିଠିଦେଇ

ଜଗନ୍ନାଥଙ୍କ ସନ୍ନିଧେ ପ୍ରବେଶିଲେ ଯାଇ ।

ଏକାନ୍ତରେ ଦେବଦୁତ କହିଗଲା ଯାହା

ଗୋବିନ୍ଦ ଛାମୁରେ ରାମ ଜଣାଇଲେ ତାହା ।

ଶୁଣିଣ ସନ୍ତୋଷ ହେଲେ କମଳା ବିଳାସ

ପରୀକ୍ଷ ଆଗେ କହନ୍ତି ବେଦବ୍ୟାସ ଶିଷ୍ୟ ।

ଏଥୁ ଅନ୍ତରେ ରୁକ୍ମଣ ନାମେ ମହାବୀର

ସୈନ୍ୟ ଘେନିଣ ଆବୋରି ଥିଲା ପୂର୍ବଦ୍ଵାର ।

ହାତୀ ରଥୀ ମହାରଥୀ ପଦାତି ସହିତେ

ପଚିଶ ସହସ୍ର ରାଜା ଥିଲେ ତା ସଙ୍ଗତେ ।

ଏକମୁଖ ହୋଇ ସର୍ବେ ବିନ୍ଧି ପରିଘାଇ

କବାଟ ଭାଙ୍ଗି ଗଡ଼ରେ ପଶିଲେ ଧସାଇ ।

ଚାରିଦ୍ଵାର ଲଙ୍ଘିଯାନ୍ତେ ଭିତରକୁ ପଶି

ଦେଖିଣ ଯାଦବଗଣ ଓଗାଳିଲେ ଆସି ।

ରଥୀଙ୍କ ସହିତେ ରଥୀ କରନ୍ତି ଆରେଣି

ମାହୁନ୍ତେ ଗଜକୁ ଗଜ ଭେଟାଇଲେ ଆଣି ।

ରାଉତ ସଙ୍ଗେ ରାଉତେ ସମର କରନ୍ତି

ପଦାତି ମାନଙ୍କ ସଙ୍ଗେ ଜୁଝିଲେ ପଦାତି ।

ଧ୍ରୁବବାଣ ବଜ୍ରବାଣ ଫରୀ ବାରକେନା

ଶାବେଳୀ ବାଙ୍କିଆ ଲୋହ କିଳା ତୀକ୍ଷ୍‌ଣମୁନା ।

ଛେଲ ଚକ୍ରଶକ୍ତି ଗଦା ନାରାଚ ମୁଦ୍‌ଗର

କୋଦଣ୍ଡ କାଣ୍ଡ କମାଣ କୁନ୍ତ ଅସିବର ।

ଗୁରୁଜ କତୁରୀ ଯମଦାଢ଼ ଲୋହବାଣ

କୁଠାର ପରଶୁ ତେଣ୍ଟା ଭାଲି ଅପ୍ରମାଣ ।

କେନ୍ତି ପଥ ଛାଟେଣି ଯେ ହାବେଳି ଶକତି

ଏସନ ପ୍ରକାରେ ନାନା ଆୟୁଧ ମାରନ୍ତି ।

ଦଶବିଂଶ ପଞ୍ଚଶତ ବାଣ କରେ ଧରି

ଏକୁ ଆରକେ ମାରନ୍ତି କୋଦଣ୍ଡ ଓଟାରି ।

ଅସଂଖ୍ୟ କବନ୍ଧ ରଣେ ନୃତ୍ୟ କଲେ ଉଠି

ଶସ୍ତ୍ର ଆତଯାତ ଶବ୍ଦେ କମ୍ପେ ନବସୃଷ୍ଟି ।

ରଣରଙ୍ଗ ମଣ୍ଡଳରେ ମିଳି ଭଦ୍ରକାଳୀ

ଯୋଗିନୀଗଣଙ୍କୁ ସଙ୍ଗେ ଧରି କଲେ କେଳି ।

ରକ୍ଷିଣୀ ଭକ୍ଷିଣୀ ଚଣ୍ଡୀ ଚାମଣ୍ଡା ପିଶାଚୀ

ଡାକିନୀ ଶାକିନୀ ଭଇରବୀ ଊର୍ଦ୍ଧ୍ଵକେଶୀ ।

ତରିଣୀ ତାରିଣୀ ଉଗ୍ରତାରା ସହସ୍ରାକ୍ଷୀ

ଆନନ୍ଦେ ନାଚିଲେ ମଧୁମାଂସ ରକ୍ତ ଭକ୍ଷି ।

କିଳିକିଳା କୁହୁକୁହୁ ହୁଳୁହୁଳି ନାଦେ

ଭ୍ରମଣ କରନ୍ତି ବୁଲି ଅତ୍ୟନ୍ତ ପ୍ରମୋଦେ ।

ଶୃଗାଳ ବାୟସ ଶ୍ଵାନ ଗୃଧ୍ର ରୁଣ୍ଡ ହୋଇ

ଭୟଙ୍କର ଧ୍ଵନି କଲେ ମେଦମେଦା ଖାଇ ।

ମଥୁରା ନଗରେ ବେଢ଼ି ବେନି ଯୁଣ ଯାଏ

ଚାରିଆଡ଼େ କୁଢ଼କୁଢ଼ ଦିଶେ ମଡ଼ାମୟେ ।

ଗଜ ହୟ ପଦାତିଙ୍କ ମଡ଼ା ଅପ୍ରମିତ

ଏତେ ତେତେ ବୋଲି ଗଣି କେ କରିବ ଅନ୍ତ ।

ପଡ଼ିଲେ ସଇନେ ଯାଦବଙ୍କ ଶସ୍ତ୍ରାଘାତେ

ଯେସନେ କଦଳିବନ ଲୋଟେ ମହାବାତେ ।

ବହିଲା ରକତନଦୀ ରଣରଙ୍ଗ ସ୍ଥାନେ

କାଠପ୍ରାୟ ଭାସିଯାନ୍ତି ମୃତ ଶବମାନେ ।

ଧରଣୀର ଭାରାଭର ନିବାରିବା ପାଇଁ

ଯାଦବଙ୍କୁ ତେଜ ଦେଇଛନ୍ତି ଲକ୍ଷ୍ମୀସାଇଁ ।

ବେଳୁବେଳ ବୃଦ୍ଧିହୋଇ ଲାଗିଲା ସମର

କୁତୁହଳେ ଦେଖୁଛନ୍ତି ରାମ ଚକ୍ରଧର ।

ସାତ୍ୟକି ସହସ୍ରାଜିତ ଅକ୍ରୁର ଉଦ୍ଧବ

ବିଜୟ ସୁରଥ କୃତବର୍ମା ବସୁଦେବ ।

ଚୌରାଶୀ କୋଟି ଯାଦବ ଏମାନଙ୍କ ମୁଳେ

ଅବିଶ୍ରାମ ଯୁଦ୍ଧ କରୁଛନ୍ତି ଅଙ୍ଗଛଳେ ।

ଶାଲ୍ଵ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ଦମଘୋଷ ଆଦି ଯେତେ ନରପତିଗଣ ।

ଚଉପାଶେ ରହି ଜରାସନ୍ଧର ସମୀପେ

ପରିଘାଇ ଯୁଦ୍ଧ କରୁଛନ୍ତି ନାନାରୂପେ ।

ଏମନ୍ତ ଦ୍ଵାଦଶ ଘଡ଼ି ହେଲା ଆସି ବେଳ

ଯୁଦ୍ଧ ଶ୍ରମେ ସନ୍ତାପିତ ହେଲେ ଦୁଇବଳ ।

ରାମଙ୍କୁ ଚାହିଁ ବୋଲନ୍ତି ଲକ୍ଷ୍ମୀଦେବି ନାହା

ଶୁଣିଛ ତ ଦେବଦୂତ କହିଗଲା ଯାହା ।

ଆମ୍ଭ ହସ୍ତେ ଜରାସନ୍ଧ କେବେ ନୁହେ ବଧ

କିପାଇଁ ବୃଥାରେ ଲାଗି କରୁଥିବା ଯୁଦ୍ଧ ।

ଅନେକ ସଇନ୍ୟ ତାର ହୋଇଲେଣି ନାଶ

ପିଠିଦେଇ ଅପସରି ଯିବା ଆମ୍ଭେ ଆସ ।

ରଣେ ହାରି ଜରାସନ୍ଧ ଲଜ୍ଜା ପାଇଅଛି

ଆମ୍ଭେ ପଳାଇଲେ ଫେରିଯିବ ମୁଁ ଜାଣୁଛି ।

ଜରାସନ୍ଧର ଯାଦବେ ନୁହନ୍ତି ବିବାଦୀ

ଆମ୍ଭେ ଦୁଇଭାଇ ସିନା ତାହାର ବିରୋଧୀ ।

ଆମ୍ଭେ ଯେବେ ଯୁଦ୍ଧ ଛାଡ଼ି ଯିବା ଆଡ଼ ହୋଇ

ଯାଦବଙ୍କ ସଙ୍ଗେ ରଣ କରିବ କିପାଇଁ ।

ଏମନ୍ତ ବିଚାର କରି ରାମ ଚକ୍ରଧର

ତକ୍ଷଣେ ଗଡ଼ ଭିତରୁ ହୋଇଲେ ବାହାର ।

ବାହାର ଗଡ଼କୁ ଜିଣି ଥୋକେ ଦୁର ଯାନ୍ତେ

ଡଗର କହିଲା ଜରାସନ୍ଧର ଅଗ୍ରତେ ।

ଭୋ ମଣିମା ସାବଧାନେ ଶୁଣ ଦୃଢ଼ବାଣୀ

ଗଡ଼ ଛାଡ଼ି ରାମ କୃଷ୍ଣ ଗଲେ ଏହିକ୍ଷଣି ।

ଉଗ୍ରସେନ ଆଦି ତାଙ୍କ ସଙ୍ଗେ କେହି ନାହିଁ

ପ୍ରାଣର ବିକଳେ ଦୁହେଁ ଗଲେ ପିଠିଦେଇ ।

ଏହାଶୁଣି ସ୍ତମ୍ଭୀଭୂତ ହୋଇ ଦଣ୍ଡଧାରୀ

ବୋଇଲା ଗୋଡ଼ାଇ ଆଉ ନ ପାରିବା ଧରି ।

ପ୍ରତିଥର ଏହି ରୂପେ ପଳାନ୍ତି ଭୁଲାଇ

ବିଳମ୍ବ ନ କରି ଚାଲ ଧରିବା ଗୋଡ଼ାଇ ।

ଦମଘୋଷ ବୋଲେ ତୁମ୍ଭେ ଶୁଣ ଦଣ୍ଡଧାରୀ

କେଉଁଗୁଣେ  ସେ ଗଉଡ଼ ଆମ୍ଭସଙ୍ଗେ ସରି ।

ସମ ବଳବନ୍ତ ହେଲେ ସିନା ଥାନ୍ତେ ରହି

ନ ପାରିଲେ ଯହୁଁ ଭୟେ ଗଲେ ପିଠିଦେଇ ।

ଜନମୁଖେ ଅପବାଦ ହୋଇଲା ତାଙ୍କର

କ୍ଷତ୍ରୀପୁତ୍ର କରନ୍ତା କି ଏସନ ବେଭାର ।

ଗଉଡ଼ ବାଉଡ଼ ଜାତି ବନପଶୁ ସମ

କ୍ଷତ୍ରୀୟ ଧର୍ମରେ କାହୁଁ କରିବେ ସଂଗ୍ରାମ ।

ଭଲ ହେଲା ଯେବେ ଦୁହେଁ ପଳାଇଲେ ଆଜ

ସମୟେ କରିବା ଆମ୍ଭେ ବୁଝି ସବୁ କାର୍ଯ୍ୟ ।

ଏହା ଶୁଣି ବୋଲେ ଜରାସନ୍ଧ ନରପତି

ତଦନ୍ତ କରିଣ ବୁଝ ଗଲେ କେଉଁକତି ।

ପଥ ଅନୁସରି ଚାଲ ଗୋଡ଼ାଇଣ ଯିବା

ଭେଟ ନ ପାଇଲେ ପଛେ ଲେଉଟି ଆସିବା ।

ଏ ଯାଦବେ ଦୋଷକରି ନାହାନ୍ତି ତ କିଛି

ଉଗ୍ରସେନେ ମାରି କିସ ପ୍ରୟୋଜନ ଅଛି ।

ଆମ୍ଭର ବଇରି ନୁହେଁ ରାଜା ଉଗ୍ରସେନ

କିପାଇଁ ଘେନିବା ଆମ୍ଭେ ତାହାର ଜୀବନ ।

ଯେ ଆମ୍ଭର ଶତ୍ରୁ ସେ ତ ଗଲେଣି ପଳାଇ

ଏ ସ୍ଥାନେ ଆମ୍ଭର ଆଉ ପ୍ରୟୋଜନ ନାହିଁ ।

ଏମନ୍ତ କହିଣ କୋପେ ସଙ୍କୋଚନ ଚାଟ

ଡଗରାକୁ ବୋଲେ ଆଗେ କଢ଼ାଅରେ ବାଟ ।

ଯେଉଁବାଟେ ପଳାଇଲେ ରାମ ଚକ୍ରପାଣି

ସେହି ବାଟେ ନେଇ ଭେଟ କର ଏହିକ୍ଷଣି ।

ଡଗରା ବୋଇଲା ପ୍ରଭୁ ଏହି ବାଟେ ଗଲେ

ଅବଶ୍ୟ ଦେଖିବ ତୁମ୍ଭେ ପଛେ ଗୋଡ଼ାଇଲେ ।

ଶୁଣିଣ ଧାଇଁଲା କୋପେ ମଗଧ ନୃପତି

ଚତୁରଙ୍ଗ ସେନା ତାର ପଛେ ଲାଗିଛନ୍ତି ।

ହରିଣ ଯୁଥରେ ଯେହ୍ନେ ଧାମଇଁ କେଶରୀ

ତେସନେ ଧାମଇଁ ରାଜା ପାଦଗତି କରି ।

ସୀମନ୍ତିନୀ ଜଗଦ୍‌ବଳା ମୁକୁଟ କୁଣ୍ଡଳ

କେଶବାସ ଆଦି ସବୁ ହେଲା ଅସମ୍ଭାଳ ।

ଥୋକେ ଦୁର ଯାଇ ରାଜା ଡଗରାକୁ ପୁଚ୍ଛି

ଡଗରା ବୋଲଇ ଦେଖ ଆଗେ ଦିଶୁଅଛି ।

ଅଳ୍ପଦୁର ଛଡ଼ା ହୋଇ ଯାଉଛନ୍ତି ଆଗେ

ଗୋଡ଼ାଇ ଗଲେ ଭେଟିବ ଯମୁନାର ଲାଗେ ।

ଶୁଣି ଜରାସନ୍ଧ ଆଗେ ନିରୋପିଲା ଚାହିଁ

ଖଣ୍ଡେ ଦୁରେ ଦିଶୁଛନ୍ତି ରାମ କୃଷ୍ଣ ଦୁଇ ।

ସଇନ୍ୟଙ୍କୁ ଆଜ୍ଞା ଦେଲା ବେଗେ ଧାଇଁଯାଅ

ପଳାଇ ନ ଯାନ୍ତୁ ଚାରିପାଖେ ଘେରଦିଅ ।

ଆଜ୍ଞାପାଇ ଯୋଦ୍ଧାମାନେ ମଥୁରାକୁ ଛାଡ଼ି

ରଥ ଗଜ ପଦାତିଏ ଗଲେ ବେଗେ ମାଡ଼ି ।

ଆଗରେ ଦେଖିଲେ ରାମ କୃଷ୍ଣ ଦୁହେଁ ଏକା

ପାଦେ ଚାଲି ଯାଉଛନ୍ତି ସଙ୍ଗେ ନାହିଁ ସଖା ।

ଚାରିଊଣା ଲକ୍ଷେ ରାଜା ଅସଂଖ୍ୟ ସଇନି

ଯେ ଯାହାର ଶସ୍ତ୍ରମାନ କରେ ଛନ୍ତି ଘେନି ।

କେ ବୋଲଇ ଆଜ ନିଶ୍ଚେ ହେବ ରାଜକାର୍ଯ୍ୟ

କେହୁ ଯେ ବୋଲନ୍ତି ଧରା ପଡ଼ିଯିବ ଆଜ ।

କେ ବୋଲନ୍ତି ଏହି ପରକାରେ ପ୍ରତିଘାନ୍ତି

ହାତେ ହାତେ ଧରୁ ଧରୁ ଫେଡ଼ାଇଣ ଯାନ୍ତି ।

ଅନନ୍ତ ମାୟାଧର ସେ ରାମ କୃଷ୍ଣ ଦୁଇ

ଯାର ମାୟା ବ୍ରହ୍ମା ଶିବେ ଗୋଚର ନୁହଇ ।

ଏସନକ ଭାଳି ସୈନ୍ୟ ଗୋଡ଼ାଇଲେ ପଛେ

ଆଗେ ଆଗେ ଯାଉଛନ୍ତି ନନ୍ଦ ବେନି ବତ୍ସେ ।

କ୍ଷଣେ ଦେଖାଦେଇ କ୍ଷଣେ ଅଦୃଶ୍ୟ ହୁଅନ୍ତି

ବଳେ ଧରୁ ଧରୁ ହାତ ଫେଢ଼ାଇ ପଳାନ୍ତି ।

ଥୋକେଦୁର ଏହିମତ ଭଣ୍ଡି ଭଣ୍ଡି ଗଲେ

ଜୟନ୍ତ ପର୍ବତ ତଳେ ଅଦୃଶ୍ୟ ହୋଇଲେ ।

ବ୍ରହ୍ମା ଗଙ୍ଗାଧରେ ଯାର ଅଗୋଚର ମାୟା

ଉଲୁକ ମନ୍ତ୍ର ସୁମରି ଲୁଚାଇଲେ କାୟା ।

ଜରାସନ୍ଧ ଆଦିକରି ସର୍ବ ମହୀକ୍ଷିତ

ସେ ପର୍ବତ ଚଉପାଶେ ବେଢ଼ିଲେ ତ୍ୱରିତ ।

ଚାରିଭାଗ ହୋଇ ସବୁ ନୃପଙ୍କର ଥାଟ

ଅନେକ ପର୍ବତ ଜଗି ଓଗାଳିଲେ ବାଟ ।

ଏଥୁଅନ୍ତେ ପରବେଶ ହ୍ୱନ୍ତେ ସନ୍ଧ୍ୟାକାଳ

ଦିନନାଥ ଆରୋହଣ କଲେ ଅସ୍ତାଚଳ ।

ପର୍ବତ ବେଢ଼ିଲେ ଜରାସନ୍ଧର ସଇନୀ

ଦିନ ଅନ୍ତେ ପରବେଶ ହୋଇଲା ରଜନୀ ।

ରାମ କୃଷ୍ଣ ଦୁହେଁ ଲୁଚି ଗୋପନରେ ଥିଲେ

ଲେଉଟି ମଥୁରାପୁରେ ପ୍ରବେଶ ହୋଇଲେ ।

ରାତ୍ର ବେନିଘଡ଼ି ସଙ୍ଗ ସଖା କେହି ନାହିଁ

ଉଗ୍ରସେନ ମନ୍ଦିରକୁ ଗଲେ ବେନି ଭାଇ ।

ଦେଖି ଅଜା ଆଇ ଦୁହେଁ ସନ୍ତୋଷ ହୋଇଲେ

ମୁଖରେ ଚୁମ୍ବନ ଦେଇ କୋଳେ ବସାଇଲେ ।

ସକଳ ଯାଦବ ଦେଖି ମନେ ଲଭି ଶାନ୍ତି

ବୋଇଲେ ଆମ୍ଭର ଭୟ ଛାଡ଼ିଲା ଏ ଘାନ୍ତି ।

ଯେ ଯାହାର ନିତ୍ୟକର୍ମ ଭୋଜନାଦି ସାରି

ବୋଲନ୍ତି କେବଣ କାର୍ଯ୍ୟ କରିବା ବିଚାରି ।

ଜରାସନ୍ଧର ଅନେକ ସୈନ୍ୟ ଯୁଦ୍ଧେ ମଲେ

ପୁଣ ପୁଣ ପରିଘାଇ ସମର ସେ କଲେ ।

ଆଜି ସଂଗ୍ରାମରେ ତାର ହେଲା ପରାଜୟ

ଅସଂଖ୍ୟକ ହାତୀ ରଥ ଅଶ୍ୱ ଗଲେ କ୍ଷୟ ।

ସବୁ ରାଜା ମାନଙ୍କର ଅପ୍ରମିତ ବଳ

ରଥୀ ମହାରଥୀ ଆଦି ପଡ଼ିଲେ ସକଳ ।

ଅପମାନ ପାଇଅଛି ତେଡ଼େ ନୃପମଣି

ରଜନୀ ପାହିଲେ ବାହି ଆସିବେ ସେ ପୁଣି ।

ଗଡ଼ ନିରୋଧନ୍ତେ କୋପେ କଲୁ ସିନା ରଣ

ଆମ୍ଭ ହସ୍ତେ ନାହିଁ ଜରାସନ୍ଧର ମରଣ ।

ଉଗ୍ରସେନ କର୍ଣ୍ଣେ ଏହା କହି ନରହରି

ବୋଇଲେ ଗୁପତେ ତୁମ୍ଭେ ଯାଅ ଅପସରି ।

ଯାହାର ଗୃହରେ ଅଛି ଯେତେ ଧନଦ୍ରବ୍ୟ

ପୁତ୍ର ଦାରା ଆଦି ତାହା ଘେନିଯାଅ ସର୍ବ ।

ଏହି ମୁହୂର୍ତ୍ତରେ ସର୍ବେ ଉଠି ଯେଝାମତେ

ଗୋମତ ପର୍ବତେ ଯାଇ ରହିବ ଗୁପତେ ।

ସାତ୍ୟକି ସହସ୍ରାଜିତ ଉଦ୍ଧବ ଅକ୍ରୁର

କୃତବର୍ମା ଶକ୍ରାଜିତ ଅନାଧୃଷ୍ଟ ବୀର ।

ସୁରଥକୁ ଆଦି ଯେତେ ବଳିଷ୍ଟ ଯାଦବେ

ଚତୁରଙ୍ଗ ସେନା ଘେନି ଆମ୍ଭ ସଙ୍ଗେ ଥିବେ ।

ଆଉ ସମସ୍ତଙ୍କୁ ସଙ୍ଗେ ଘେନି ତୁମ୍ଭେ ଯାଅ

ଜରାସନ୍ଧ ଲେଉଟିବା ଯାଏ ତହିଁ ଥାଅ ।

ଶ୍ରୀକୃଷ୍ଣ ବଚନ ଶୁଣି ରାଜା ଉଗ୍ରସେନ

ସଙ୍ଗତେ ଘେନାଇ ବନ୍ଧୁ କୁଟୁମ୍ବ ସ୍ୱଜନ ।

ସମସ୍ତଙ୍କ ଧନଦ୍ରବ୍ୟ ଏକତ୍ରିତ କଲେ

ମଥୁରାକୁ ଛାଡ଼ି ଯିବାପାଇଁ ସଜ ହେଲେ ।

ଲାଗିଲା ଦୀପ ଦିହୁଡ଼ି ହୁଳା ନିରନ୍ତରେ

ବଣିକ ହାଟୁଆ ବାହାରିଲେ ଯେ ଯାହାରେ ।

ରାଣୀଏ ହାନ୍ଦୋଳା ଚଢ଼ି ହୋଇଲେ ବାହାର

ଦାସୀ ପରିବାରୀ ସେବାକାରୀ ସୁପକାର ।

ନାନାବର୍ଣ୍ଣେ ଖଟଦୋଳା ସୁଆରୀ ପଲ୍ୟଙ୍କ

ରଥଗଜ ଆରୋହଣ କଲେ ଥୋକେ ଲୋକ ।

ଯେ ଯାହାର ଧନଦ୍ରବ୍ୟ ସଙ୍ଗତେ ବୁହାଇ

ଚାରିଦ୍ୱାରେ ବାହାରିଲେ ଦିହୁଡ଼ି ଲଗାଇ ।

କେଉଁମାନେ ସଜାଡ଼ିଣ ନେଲେ ବୋଝଭାର

ଶଗଡ଼ ବଳଦେ ଲଦି ହୁଅନ୍ତି ବାହାର ।

ଛତିଶ ପାଟକ ଜାତି ଚାରିବର୍ଣ୍ଣ ମୁଳେ

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ରାଦି ସକଳେ ।

ପୁତ୍ର କନ୍ୟା କାଖେ ଘେନି ଚଳିଲେ କାମିନୀ

ଗୃହସ୍ଥେ ବାହାର ହେଲେ ବଧୁ ସଙ୍ଗେ ଘେନି ।

ଚୌରାଶୀ କୋଟି ଯାଦବ ପୁତ୍ର ନାତି ଯେତେ

ଜଣ ଜଣ କରି ତାହା କହିବ ହିଁ କେତେ ।

ଆଗେ ଉଗ୍ରସେନ ରାଜା କୁଟୁମ୍ବ ଚଳାଇ

ପଛେ ପଛେ ବାହାରିଲେ ଅଶ୍ୱେକ ଆରୋହି ।

ସମସ୍ତ ଜନ ପରଜା ଧନ କୋଷ ଘେନି

ଗୋମତ ଉଠନ୍ତେ ତିନି ପ୍ରହର ରଜନୀ ।

ନିର୍ଝର ଗିରି କନ୍ଦର ତରୁଲତା ମାଳ

ଅଗମ୍ୟ ବନ ଭିତରେ ଲୁଚିଲେ ସକଳ ।

ବସ୍ତ୍ର ଟେରା ଶାଢ଼ୀଘର ଛାମୁଣ୍ଡିଆ ଟାଣି

ପର୍ବତେ ଲୁଚିଲେ ରାଜା ପରିବାର ଘେନି ।

ରଣଜିତା ଯାଦବଙ୍କୁ ଘେନିଣ ସଙ୍ଗତେ

ଗଡ଼ ଆବୋରି ରହିଲେ ରାମ ଜଗନ୍ନାଥେ ।

ରଥ ଗଜ ଅଶ୍ୱ ଆଉ ପଦାତି ସକଳ

ଚୌରାଶୀ କୋଟି ଯାଦବ ରଣଜିତା ବଳ ।

ଯାଦବେ ପ୍ରତ୍ୟକ୍ଷେ ଦେବଅଂଶୀ ଜଣେ ଜଣେ

ତ୍ରିଭୁବନ ସାଧ୍ୟକରି ପାରନ୍ତି ସେ ରଣେ ।

ଶସ୍ତ୍ରାସ୍ତ୍ରରେ ସୁପଣ୍ଡିତ ସମରେ ଦୁର୍ଜ୍ଜୟ

ବିଶେଷରେ ବିଷ୍ଣୁ ତେଜ ଲାଗି ପୁଣ୍ୟମୟ ।

ସପତ ବଂଶ ଯାଦବ ଅସଂଖ୍ୟ ସଇନି

ଗଡ଼ ଭିତରେ ରହିଲେ ରାମ କୃଷ୍ଣ ବେନି ।

ସେ ବେନି ଭାଇଙ୍କ ପାଦେ ଲୁଳୁ ମୋର ମାଥ

ଅଚ୍ୟୁତ ଦାସକୁ ରକ୍ଷାକର ଜଗନ୍ନାଥ ।

 

ଜରାସନ୍ଧର ସପ୍ତମ ବାର ଧାଡ଼ି

ଶୁକମୁନି ବୋଲନ୍ତି ଯେ ଶୁଣ ପରୀକ୍ଷିତ

କଳୁଷନାଶନ ବାଣୀ ଶ୍ରୀହରି ଚରିତ ।

ଏଥୁଅନନ୍ତରେ ପୁଣ ପାହିଲା ରଜନୀ

ଗଗନେ ଉଦୟ ହେଲେ ପ୍ରଭୁ ଦିନମଣି ।

ଫିଟିଲା ଅନ୍ଧ ପଟଳ ବିକାଶିଲା ଜ୍ୟୋତି

ପରିମଳ ହୋଇ ଦିଗ ଦିଶେ ଚଇକତି ।

ଜୟନ୍ତ ପର୍ବତ ଥିଲା ଜରାସନ୍ଧ ବେଢ଼ି

ହରି ବଳରାମଙ୍କୁ ସେ ନ ପାଇଲା ଲୋଡ଼ି ।

ଗଛେ ଗଛେ ପତ୍ରେ ପତ୍ରେ ଖୋଜିଣ ଡଗରେ

ବନସ୍ତ ଗହ୍ୱର ଲତା ଗୁଳ୍ମ ଅଭ୍ୟନ୍ତରେ ।

ଗିରି କନ୍ଦର ପାଷାଣ ଝେଲା ଗୁହା ଖାଲ

ନାନାମତେ ଖୋଜାଇଲା ଜରାସନ୍ଧ ମଲ୍ଲ ।

କୌଣସି ସ୍ଥାନରୁ କିଛି ନ ପାଇ ସନ୍ଦେଶ

ବୋଲେ ଏବେ କି କରିବା କହ ଦମଘୋଷ ।

ମୁଷା ପାରିଧିକି ରଥ ଗଜ ହୟ ଆଣି

ଛାର ଗଉଡ଼ଙ୍କ କଥା ନ ପାରିଲେ ଜାଣି ।

 

କାର୍ଯ୍ୟ ନ ପାଇଲେ ତୁଛା ବାଇ ପ୍ରାୟ ହୋଇ

ଶତ୍ରୁ ରାଜାମାନେ ଶୁଣି କରିବେ ସେ ଟାହି ।

ଚାରିଉଣା ଲକ୍ଷେ ରାଜା ଅଙ୍ଗବଳ ଘେନି

କାର୍ଯ୍ୟ ନ ପାଇଲେ ପୁଣି ହେଲା ଆମ୍ଭ ହାନି ।

ଏଡ଼େ ବଡ଼ ଯୋଦ୍ଧାମାନେ ଜୁଝି ଅଙ୍ଗଛଳେ

ଜୟ କରି ନ ପାରିଣ ପଛଘୁଞ୍ଚା ଦେଲେ ।

ମୋର ଭଳି ଲୋକ ଆସି ନ ପାଇଲା କାର୍ଯ୍ୟ

ନନ୍ଦ ଗଉଡ଼ର ପୋଏ କରାଇଲେ ଲାଜ ।

କାହାମୁଖ ଚାହିଁବି ମୁଁ ମହାରାଜ ହୋଇ

ପୋଡ଼ ପୋଡ଼ ରାଜ୍ୟ ମୋର ପ୍ରୟୋଜନ ନାହିଁ ।

ଛୟାଣୋଇ ସସ୍ର ରାଜା ଅଛ ମୋର ତୁଲେ

ପ୍ରତ୍ୟକ୍ଷ କରିଣ କଥା ଜାଣିଲ କି ଭଲେ ।

ସରିଲା ମୋ ବଳବୀର୍ଯ୍ୟ ଗଲା ସଦବୁଦ୍ଧି

କେବଣ ଶତ୍ରୁକୁ ଆଉ ପାରିବି ମୁଁ ସାଧି ।

କା ଆଗେ କହିବି ଏହା କେ ଦେଖିବ ଭଲ

ନନ୍ଦ ଗଉଡ଼ର ପୋଏ ହେଲେ ମୋତେ ଶଲ ।

ସାମାନ୍ୟ ଶତ୍ରୁ ବୋଲିଣ ଭାବିଥିଲି ମୁହିଁ

ସମ୍ମୁଖରେ ଥାଇ ଯୁଦ୍ଧ ନ କରନ୍ତି ସେହି ।

ନିରନ୍ତର ପଳାନ୍ତି ସେ ପିଠି ଦେଇ ରଣେ

କେଉଁଠାରେ ଲୁଚିଯାନ୍ତି ନ ଦେଖନ୍ତି ଜଣେ ।

ବୁଡ଼ିଲେ ସେ ପାଣିକୁଆ ଉଡ଼ିଲେ ଚକୁଆ

ଏ କଥା ଦେଖିଣ ମୁଁ ଯେ ହୋଇଲି କାବୁଆ ।

ଇଦଂ ପ୍ରତିବାକ୍ୟ ପୁଣି ଦମଘୋଷ ପାଶେ

ଦୃଷ୍ଟାନ୍ତର ଦେଇ ରାଜା କହଇ ବିଶ୍ୱାସେ ।

କେବଣ ହିଁ ଦିନେ ଏକ କ୍ଷୁଦ୍ର ବେଙ୍ଗ ଗୋଟି

ଜଳଘାଟେ ବସିଥିଲା ସୂର୍ଯ୍ୟେ ଦେଇ ପିଠି ।

ଏକାଳେ ଆସନ୍ତେ ଏକ ସିଂହ ପାଣି ଖାଇ

ଦେଖିଲା ଜଳ କୁଳରେ ଭେକ ଅଛି ଶୋଇ ।

ମାଡ଼ନ୍ତେ ଏ ମରିଯିବ ବୋଲି ଦୟାକଲା

ବାଟଛାଡ଼ ପାଣି ପିଇ ଯିବି ମୁଁ ବୋଇଲା ।

ମଣ୍ଡୁକ ବୋଇଲା ତୋତେ କେତେବାଟ ନାହିଁ

ମୋତେ ଘୁଞ୍ଚାଇବୁ ବୋଲି ଆସିଅଛୁ ଧାଇଁ ।

ନ ଛାଡ଼ିବି ବାଟ ତୋତେ ନୁହଇ ମୁଁ ତୁଚ୍ଛ

ବଳ ଥିଲେ ମୋ ଆଗରେ ଦେଖାଅ ପ୍ରତ୍ୟକ୍ଷ ।

ତୋହର ମୋହର ଆଜ କରିବା ସମର

ତୁ ମୋତେ ଜିଣିଲେ ଯିବୁ ପାନକରି ନୀର ।

ପିଇବୁ ମୋତେ ଅବଜ୍ଞା କରି ଯେବେ ଜଳ

ନିଶ୍ଚୟେ ପାଇବୁ ରକ୍ତପାନ କଲା ଫଳ ।

ସିଂହ ବିଚାରିଲା ମୋତେ ଲାଗୁଅଛି ତୃଷା

ଏ ପାମର ଥାଇ ଖଣ୍ଡୁଅଛି ମୋର ଆଶା ।

ପାଦେ ମାଡ଼ି ଚାଲିଗଲେ ମରିବ ଏକ୍ଷଣି

ଜଳକୁ ଆଶ୍ରୟ କରି ହେଉଅଛି ଟାଣି ।

ଏମନ୍ତ ବିଚାରି ସିଂହ ଧର୍ମ ନ ଲଙ୍ଘିଲା

ଉପରେ ଡେଇଁଣ ଜଳ ପିଇ ବାହୁଡ଼ିଲା ।

ଏବେ ଆମ୍ଭର ଚରିତ ହେଲା ସେହିମତି

ଏତେ କହି ଅଟ୍ଟହାସ କଲା ସେ ଭୁପତି ।

ଦନ୍ତବକ୍ର ବୋଲେ ତୁ ରାଜାଧିରାଜ ଦେବା

ଲକ୍ଷେନୃପ କରୁଛନ୍ତି ତୋ ପାଦରେ ସେବା ।

ଅଳପ କଥାକୁ କିପାଁ କରୁଅଛୁ ଚିନ୍ତା

ତା ପରେ ଭରୋଇ ମଲ୍ଲ ଅଟୁ ବଳବନ୍ତା ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ତୁ ହେଳେ ପାରୁ ଜିଣି

ବୁଦ୍ଧିମନ୍ତ ବଳବନ୍ତ ବୀର ଶିରୋମଣି ।

କେତେକାଳ ପଳାଇଲେ ପଳାନ୍ତୁ ନ ଦେଖି

ଅଯୋଗରେ ଗୋଡ଼ାଇଲେ ଭେଟ ପଡ଼ଇ କି ।

ଯିବାର କଥାକୁ ଆଉ ଶୋଚନା କିପାଇଁ

ଆଗରେ ପଡ଼ିଲେ ନିଶ୍ଚେଁ ଧରିବା ଗୋଡ଼ାଇ ।

ପୂର୍ବରୁ ଏକଥା ଆମ୍ଭେ ବିଚାର ନ କଲେ

ନ ଜାଣିମା ପଣେ ଏତେ ସୈନ୍ୟ ମରାଇଲେ ।

ପରାକ୍ରମ କଲେ ଯେବେ ଶତ୍ରୁ ନୋହେ ଜିଣି

ଉପାୟେ ଜାଣିମା ଏହା ରାଜନୀତି ଭଣି ।

ସାମ ଦାନ ଭେଦ ଦଣ୍ଡ ଚାରି ଉପାୟରେ

ଶତ୍ରୁକୁ ଜିଣିଣ ସାଧ୍ୟ କରିବ ବିଚାରେ ।

ଭୋ ଦେବ ବରଷାକାଳ ହେଉଛି ପ୍ରବେଶ

ପୂର୍ଣ୍ଣମୀ ଦିନକୁ ଶେଷ ହେବ ଜ୍ୟେଷ୍ଠମାସ ।

ଆଷାଢ଼ ପ୍ରବେଶ ହେବ ବରଷାର କାଳ

ରାଜ୍ୟେ ଯାଇ ରାଜନୀତି କରିବା ସକଳ ।

ଚତୁର୍ମାସ୍ୟାରେ ବଞ୍ଚିବା ସର୍ବେ ସୁସ୍ଥ ହୋଇ

ଶରଦ ହେଲେ ଆସିବା ଦମଦଣ୍ଡ ବାହି ।

ପଡ଼ିଲେ ଅନେକ ସୈନ୍ୟ ରଥ ଅଶ୍ଵ ଗଜ

ରାଜାମାନଙ୍କର ଭାଙ୍ଗି ଯାଇଅଛି ଓଜ ।

ଅନେକ ଧନ ଭଣ୍ଡାର ଦେଶ ଘୋଷ ଦେଇ

ଯେ ଯାହାର ଅଙ୍ଗବଳ ଭିଆଇବେ ଯାଇ ।

ବନ ପଲ୍ଲବିଣ ନଦୀ ପୂର୍ଣ୍ଣ ହେବ ଜଳେ

ତରଣୀ ବିହୁନେ ଥାଟ ମରିବେ ଆକୁଳେ ।

ଅଯୋଗରେ ଅଟକାଇ ସୈନ୍ୟ ହେବେ ଗଞ୍ଜି

ଯାହା ସଞ୍ଚିଥାଇ ଯିବି ସପତାଙ୍ଗେ ଭାଜି ।

ଆଉ କିଛି ନ ବିଚାରି ବାହୁଡ଼ିବା ଚାଲ

ସୁସ୍ଥ ହୋଇଣ ରହିବେ ଯେଝା ଘରେ ବଳ ।

ଗୁପତେ ଡଗରା ପେଷି ତଦନ୍ତ ବୁଝିବା

ବର୍ଷାକାଳ ଶେଷହେଲେ ପୁଣି ଧାଡ଼ି ଦେବା ।

ଦନ୍ତବକ୍ର ମୁଖୁଁ ଏହା ଜରାସନ୍ଧ ଶୁଣି

ବୋଇଲା ଆବର ଥରେ କରିବା ପଲାଣି ।

ତୁମ୍ଭେ ଯା କହିଲ ତାହା ମୋ ବିଚାରେ ରୁଚି

ଚତୁର୍ମାସ୍ୟା ଶେଷଯାଏ ଯିବା ଆମ୍ଭେ ଘୁଞ୍ଚି  

ଏମନ୍ତ ବିଚାର ସର୍ବେ କରୁଥିଲେ ବସି

ସେ ସମୟେ ଦେଶାଉର ଜଣାଇଲା ଆସି ।

ଭୋ ଦେବ ତୁ ସାବଧାନେ ଶୁଣ ନୃପନାହା

ସନ୍ଦେଶ ବାରତା ଆମ୍ଭେ ଆଣିଅଛୁ ଯାହା ।

ଗଡ଼ ଛାଡ଼ି ରାମ କୃଷ୍ଣ ପଳାଇଣ ଥିଲେ

ରାତ୍ରରେ ବାହୁଡ଼ି ଆସି ମଥୁରା ରହିଲେ ।

ପ୍ରଭାତ ସମୟେ ଆମ୍ଭେ ଭେଟିଲୁ ନିର୍ଭରେ

ରଥରେ ଆରୋହି ଦୁହେଁ ଥିଲେ ସିଂହଦ୍ୱାରେ ।

ଗଡ଼ର ବାହାରେ ଆମ୍ଭେ ହେଲୁ ଭେଟାଭେଟି

ସନ୍ଦେଶ ବାରତା ଘେନି ଅଇଲୁ ଲେଉଟି ।

ଏହା ଶୁଣି ଜରାସନ୍ଧ ନିଶେ ହସ୍ତ ଦେଲା

ଯାଦବଙ୍କ କଥା ଆଜ ଜାଣିବା ବୋଇଲା ।

ରାମକୃଷ୍ଣ ଦୁହେଁ ଯେବେ ନ ଯାନ୍ତେ ପଳାଇ

ଏତେବେଳ ଯାଏ ଲୁଚି ରହିଥାନ୍ତେ କାହିଁ ।

କୁଟୁମ୍ବ ସମ୍ପଦ ତୁଲେ ଯାଦବଙ୍କୁ ମାରି

ଅଯାଦବ କରିବଇଁ ଆଜ ବସୁନ୍ଧରୀ ।

ମାରିବି ଯାଦବ ବଂଶ ସମୂଳେ ନିରୋଧି

ରାମକୃଷ୍ଣ ଦୁଇ ବେନି ଜୀବନ୍ତରେ ବାନ୍ଧି ।

ଏତେ କହି ଆଜ୍ଞାଦେଲା ସୈନ୍ୟ ବେଗେ ସାଜ

ସବୁ ନୃପତିଙ୍କର ଯେତେ ରଥ ଅଶ୍ୱ ଗଜ ।

ପଦାତି ସହିତେ ସର୍ବେ ସଜ ହୁଅ ବେଗେ

ମଥୁରାପୁରକୁ ଧାଡ଼ି ଦେବା ଏହିଲାଗେ ।

ଚତୁରଙ୍ଗ ସେନା ଥିଲେ ପର୍ବତକୁ ବେଢ଼ି

ଆଜ୍ଞାପାଇ ମଥୁରାକୁ ବାହିଲେ ବାହୁଡ଼ି ।

ଅଶ୍ୱ ଗଜଙ୍କୁ ସଇନ୍ୟେ ଜଳ ତୃଣ ଦେଇ

ରନ୍ଧନ ଭୋଜନ କଲେ ଅଧବାଟେ ରହି ।

ଆଦିତ୍ୟ ଅସ୍ତ ହୁଅନ୍ତେ ଶେଷ ହେଲା ଦିନ

ରାତ୍ର ବେନି ଘଡ଼ି ଠାରେ ଉଠିଲେ ସଇନ ।

ପବନ ସମାନେ ଥାଟ ଗଲେ ଅତି ବେଗେ

ଅର୍ଦ୍ଧରାତ୍ରମାନେ ମିଳି ମଥୁରାର ଲାଗେ ।

ଗଡକୁ ବେଢ଼ିଲେ ଶତେ ପୁର କରି ବାଣ୍ଟି

ଚନ୍ଦ୍ରମଣ୍ଡଳକୁ ଯେହ୍ନେ ରାହୁ ଥାଏ ଘୋଟି ।

ଯାଦବମାନଙ୍କୁ ସଙ୍ଗେ ଘେନି ନିର୍ଭୟରେ

ରାମକୃଷ୍ଣ ଦୁହେଁ ଛନ୍ତି ସେ ଗଡ଼ ଭିତରେ ।

ବାହାରେ ବେଢ଼ିଛି ଜରାସନ୍ଧ ସୈନ୍ୟ ଘେନି

ଚାରି ଊଣା ଲକ୍ଷେ ରାଜା ଅସଂଖ୍ୟ ସଇନି ।

ଏଥୁ ଅନନ୍ତରେ ନିଶି ହେଲା ଅବଶେଷ

ଯାଦବେ ଚାହିଁଲେ ଉଠି ଗଡ଼ ଚଉପାଶ ।

ଦେଖିଲେ ଜରାସନ୍ଧର ସୈନ୍ୟ ଛନ୍ତି ବେଢ଼ି

ଅକଳିତ ଥାଟ ଯେହ୍ନେ ସମୁଦ୍ର ଲହଡ଼ି ।

ଥୋକାଏ ହରଷ ହେଲେ ଥୋକେ କଲେ ଭୟ

କ୍ରୋଧାଗ୍ନିରେ ଜଳି ଥୋକେ ହୋଇଲେ ଅଥୟ ।

ଯେ ଯାହା ସୁଖରେ ଉଠି ଅସ୍ତ୍ର ଶସ୍ତ୍ର ଧରି

ଅନେକ ସମର କଲେ ଦ୍ୱାରକୁ ଆବୋରି ।

ଚୌରାଶୀ କୋଟି ଯାଦବ ଲକ୍ଷେ ରାଜା ଥାଟ

ଘୋର ଯୁଦ୍ଧ କଲେ ଦୁଇ ବଳ ପଡ଼ି ଭେଟ ।

ହାତୀ ରଥୀ ମହାରଥୀ ପଦାତି ସହିତେ

ନାନା ଶସ୍ତ୍ର ଧରି ଯୁଦ୍ଧ କଲେ କ୍ରୋଧଚିତ୍ତେ ।

କୃଷ୍ଣଙ୍କ ସହିତେ ରଣ କଲା ଜରାସନ୍ଧ

ଶିଶୁପାଳ ସଙ୍ଗେ ବଳଦେବ କଲେ ଦ୍ୱନ୍ଦ ।

ଦନ୍ତବକ୍ର ସଙ୍ଗେ ଯୁଦ୍ଧ କରଇ ସୁରଥ

ଶାଲ୍ୱକୁ ସମରେ ଆବୋରିଲେ ସସ୍ରାଜିତ ।

ଅକ୍ରୁର ଦମଘୋଷ ଏ ଭେଟାଭେଟି ହେଲେ

ଜରାସନ୍ଧ ପୁତ୍ର ସଙ୍ଗେ ସାତ୍ୟକି ଯୁଝିଲେ ।

ଯାଦବ ମଧ୍ୟେ ପ୍ରସନ୍ନାଜିତ ମହାବୀର

ଶ୍ରୀକାଳ ବାସୁଦେବର ସଙ୍ଗେ ଯୁଦ୍ଧ ତାର ।

କଳିଙ୍ଗସେନର ଅନାଧୃଷ୍ଟ ସଙ୍ଗେ ରଣ

ବୃହଦ୍ଧ୍ୱଜ ଆଗେ ମିଳି ଯୁଝିଲା ରୁକ୍ମଣ ।

ବଳିଷ୍ଟ ଯାଦବ ଯେତେ ଥିଲେ ଏହିପରି

ନୃପତି ମାନଙ୍କ ସଙ୍ଗେ ଯୁଝିଲେ ଆବୋରି ।

ହାତୀଙ୍କ ସଙ୍ଗତେ ହାତୀ ଭେଟାଭେଟି ହ୍ୱନ୍ତି

ପଦାତିଙ୍କ ସଙ୍ଗତରେ ଯୁଝିଲେ ପଦାତି ।

ଅଶ୍ୱାରୋହୀ ସଙ୍ଗତରେ ମିଳି ଅଶ୍ୱାରୋହୀ

ସମର କରନ୍ତି ନିଜ ବିକ୍ରମ ଦେଖାଇ ।

ଲକ୍ଷେ କୋଟିଏ ସହସ୍ରେ ବାଣ କରେ ଧରି

କର୍ଣ୍ଣଯାଏ ଗୁଣ ଟାଣି ବିନ୍ଧନ୍ତି ହୁଁକାରି ।

ଗୁରୁଜ ପରୀଘ ଗଦା ଘେନି ଆଣ୍ଟେ ପିଟି

ପ୍ରହାର କରନ୍ତି ନାନାଶସ୍ତ୍ର କୋଟି କୋଟି ।

ମାର ମାର ଧର ଧର ଶୁଭେ ଘୋର ଧ୍ୱନି

ରଣଗୋଳ ଶବଦରେ କମ୍ପିଲା ମେଦିନୀ ।

ଶ୍ରାବଣ ବରଷା ଜାଣି ପଡ଼ୁଅଛି ଶର

ନ ଦିଶିଲେ  ଦିନମଣି ଦିବସେ ଅନ୍ଧାର ।

ଜୁଳୁଜୁଳା ପୋକ ପ୍ରାୟ ଦିଶେ ବାଣାନଳ

ଅବିଛିନ୍ନେ ପୂର୍ଣ୍ଣ ହେଲା ଆକାଶ ମଣ୍ଡଳ ।

ନିର୍ଘାତ ପଡ଼ିଲା ପ୍ରାୟ ଶୁଭେ ଘୋର ରଡ଼ି

ପ୍ରଳୟ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।

ରଣଝଣ ରଟମଟ ଧ୍ୱନି ବିକରାଳ

ଶସ୍ତ୍ରରେ ଶସ୍ତ୍ର ବାଜନ୍ତେ ଉଠେ ପରିତାଳ ।

ଭୟଙ୍କର ହୋଇ ଜାତ ହେଲା ପ୍ରତିଧ୍ୱନି

ବନଗିରି ସହିତରେ କମ୍ପଇ ମେଦିନୀ ।

ଦିଶିଲା ସକଳ ସୃଷ୍ଟି ଉଲ୍‌କାପାତମୟେ

ଅର୍ଦ୍ଧ ଆକାଶେ ଦେଖନ୍ତି ରହି ଦେବତାଏ ।

ପଡ଼ିଲେ ସଇନ୍ୟ ଯାଦବଙ୍କ ଶସ୍ତ୍ରାଘାତେ

ଯେସନେ କଦଳୀବନ ପଡ଼େ ମହାବାତେ ।

ଲକ୍ଷେ ରାଜାଙ୍କର ଯେତେ ସୈନ୍ୟ ଅଙ୍ଗବଳ

ଛିନ୍ନ ମସ୍ତକ ହୋଇଣ ଲୋଟିଲେ ଭୂତଳ ।

ନାଚନ୍ତି କବନ୍ଧ ରଣେ ଲକ୍ଷ ଲକ୍ଷ ଉଠି

କେହୁ ଲୟ ଧରି ନାଚେ କେ ପଡ଼େ ଲେଉଟି ।

ଏମନ୍ତ ସଂଗ୍ରାମ ହେଲା ମହାଭୟଙ୍କର

ଶୁକମୁନି ବୋଲନ୍ତି ଯେ ଶୁଣ ନୃପବର ।

ରାମଙ୍କୁ ଚାହିଁଣ ଧୀରେ କହିଲେ ଶ୍ରୀହରି

ଜରାସନ୍ଧ ଜିଣୁ ଆମ୍ଭେ ଯିବା ଅପସରି  

ନ ଗଲେ ଦେବଙ୍କ କାର୍ଯ୍ୟ ନ ହୋଇବ କିଛି

ଆଜ ସଂଗ୍ରାମରୁ ଆମ୍ଭେ ପଳାଇବା ଘୁଞ୍ଚି ।

ରାମ ବୋଇଲେ ରେ ବାବୁ ଯେ ତୋହର ଇଛା

ତୁ ଯେ ସର୍ବଜ୍ଞ ପୁରୁଷ ପୁରୁ ତୋର ବାଞ୍ଛା ।

ତୁହି ବାବୁ ଜାଣୁ ସବୁ କାଳର ତଦନ୍ତ

ଯାଦବଙ୍କ ବଂଶରକ୍ଷା ହୁଅଇ ଯେମନ୍ତ  

ଏମନ୍ତ ବିଚାରି ବଳଦେବ ଚକ୍ରଧର

ଯାଦବ ମାନଙ୍କୁ ଡାକି କରାଇଲେ ସ୍ଥିର ।

ନଗର ଦକ୍ଷିଣ ଦ୍ୱାର କରିଣ ମୁକୁଳା

ଯାଦବଙ୍କୁ ସଙ୍ଗେ ଘେନି ଗଲେ ନନ୍ଦବଳା ।

ଯେ ଯାହାର ନିଜ ଶସ୍ତ୍ର କରେ ଛନ୍ତି ଧରି

ଧନୁରେ ଗୁଣ ଚଢ଼ାଇ ଆମଞ୍ଚନ କରି ।

ତଇଲା କାଟନ୍ତେ ଯେହ୍ନେ ବନେ ଫିଟେ ବାଟ

ତେସନେ ବାହାର ହେଲେ ମାରି ଶତ୍ରୁ ଥାଟ ।

ଥୋକେ ମଲେ ଥୋକେ ପଳାଇଲେ ଭୟପାଇ

ଯାଦବ ବାହାର ହେଲେ ଭେଳିକି ଦେଖାଇ ।

ଆଗେ ଯାନ୍ତେ ବଳରାମ କରେ ଶସ୍ତ୍ର ଧରି

ମଧ୍ୟରେ ସୁରଥ ପଛେ କୃଷ୍ଣ ବିଜେ କରି ।

ଦକ୍ଷିଣ ଭୁଜରେ ଗଦା ଚକ୍ର ପାଏ ଶୋଭା

ବାମକରେ ବିରାଜଇ ଶଙ୍ଖ ପଦ୍ମ ପ୍ରଭା ।

ଜାଜ୍ଜଲ୍ୟମାନ ମୁରତି ରାଜେ ବିଷ୍ଣୁ ତେଜ

ଶ୍ରୀମଧୁସୂଦନ ରୂପ ଧରି ଦେବରାଜ ।

ନୀଳେନ୍ଦିଦଳ ପରାୟେ ଦିଶେ ଦିବ୍ୟକାୟ

କୋଟି କନ୍ଦର୍ପର କାନ୍ତି ହୋଇଛି ଉଦୟ ।

ସ୍ୱର୍ଗେ ଥାଇ ଦେବଗଣ ଦେଖି କଲେ ସ୍ତୁତି

ବୃହସ୍ପତି ଉଠି ଇନ୍ଦ୍ର ଆଗରେ କହନ୍ତି ।

ମୋ ବଚନେ ଇନ୍ଦ୍ର ତୁମେ ସାବଧାନ ହୋଇ

ମଥୁରା ପୁରକୁ ଦେଖ ଦିବ୍ୟଦୃଷ୍ଟି ଦେଇ ।

ପଳାଇଅଛନ୍ତି ଜରାସନ୍ଧ ଭୟେ ହରି

ମାୟାରେ ମଧୁସୂଦନ ରୂପଗୋଟି ଧରି ।

କୋଟିଏ ଜରାସନ୍ଧକୁ ଯେ ପାରନ୍ତି ଜିଣି

ବିଶ୍ୱକୁଟ ମାୟା ପ୍ରଭୁ କରୁଛନ୍ତି ପୁଣି ।

ସମସ୍ତ ଦେବତାମାନେ ସ୍ୱର୍ଗପୁରେ ଥାଇ

ଦେଖିଲେ ଯାଦବମାନେ ଯାଉଛନ୍ତି ପିଠିଦେଇ ।

ବେନି ଯୋଜନ ଓସାରେ ବେଢ଼ିଛନ୍ତି ଥାଟ

ଏମୁଣ୍ଡୁ ସେମୁଣ୍ଡ ଯାଏ ଫିଟିଗଲା ବାଟ ।

ସୁର ସିଦ୍ଧ ସହିତରେ ସନକାଦି ମୁନି

କଲ୍ୟାଣ ବାଞ୍ଛିଲେ ମୁଖେ କରି ବେଦ ଧ୍ୱନି ।

ବୃହତ ସାମ ଗାୟନ କଲେ ସୁରଲୋକେ

ଅମର ଦୁନ୍ଦୁଭି ଘେନି ବଜାଇଲେ ଥୋକେ ।

ଅପସରା  ନୃତ୍ୟ କରି କଲେ ପୁଷ୍ପବୃଷ୍ଟି

ଆକାଶ କୁସୁମେ ଶୋଭା ଦିଶେ ନବସୃଷ୍ଟି ।

ଏମନ୍ତ ସମୟେ ସ୍ୱାମୀ ହୋଇଲେ ବାହାର

ଚମତ୍କାର ଲଗାଇଣ ପ୍ରଭୁ ମାୟାଧର ।

ଆକାଶ ମଣ୍ଡଳୁଁ ଯେହ୍ନେ ଛିଡ଼େ ତାରାପନ୍ତି

ତେସନେ ସଂଜାତ ଦିଶେ ଯାଦବଙ୍କ ଜ୍ୟୋତି ।

ଅବ୍ୟକତ ବିଶ୍ୱରୂପ କରେ ଶସ୍ତ୍ର ଧରି

ପଛିଆଣି ଥାଟେ ବିଜେ ପାଦଗତି କରି ।

ଚକ୍ଷୁ ପିଛଡ଼ା ମାତ୍ରକେ ହୋଇଲେ ବାହାର

ଅବହେଳେ ଚାହୁଁ ଚାହୁଁ ଗଲେ ଗଦାଧର ।

ଥୋକାଏ ଦେଖିଲେ ଥୋକେ ନ ପାରିଲେ ଦେଖି

ମାୟାଧର ବନ୍ଦି କଲେ ସମସ୍ତଙ୍କ ଆଖି ।

ମଥୁରା ଦକ୍ଷିଣ ଭାଗେ ଗୋମତି ଯେ ନଦୀ

ଯମୁନାରୁ ଫୁଟି ଆସେ ଦକ୍ଷିଣକୁ ଭେଦି ।

ସେ ନଦୀକୁ ଜିଣି ଥୋକେ ଦୂର ପଥ ଗଲେ

ମନ୍ଦର କାନନେ ଯାଇ ପ୍ରବେଶ ହୋଇଲେ ।

ପାଞ୍ଚଯୁଣ ଆୟତନ ସେହି ତୋଟା ଗୋଟି

କଞ୍ଚନ ପର୍ବତଠାରୁ ନଦୀ ଯାଏ ଘୋଟି ।

ଅମୃତ ସମାନେ ସ୍ୱାଦୁ ଫଳ ମୂଳ ଜଳ

ସେ ତୋଟା ଭିତରେ ପୁରି ରହିଛି ସକଳ ।

ଫଳିତ ପୁଷ୍ପିତ ତରୁ ଲତା ଶୋଭା ପାନ୍ତି

ସକଳ ସୁଢ଼ଳ ଧାଡ଼ି ଧାଡ଼ି ପନ୍ତି ପନ୍ତି ।

ସେ ତୋଟା ମଧ୍ୟରେ ଯାଇ ମିଳିଲେ ଶ୍ରୀହରି

ସଙ୍ଗରେ ଯାଦବେ ଛନ୍ତି ରାମ ଆଦିକରି ।

ଦୁର୍ବାର ସମରେ ମହାଘୋର ପୀଡ଼ା ପାଇ

ଜରାସନ୍ଧ ସୈନ୍ୟ ଥିଲେ ଥୋକେ ଦୁରେ ଯାଇ ।

ଡଗରେ ବାରତା ନେଇ ରାଜାଙ୍କୁ କହିଲେ

ଭୋ ଦେବ ଯାଦବେ ଗଡ଼ ଛାଡ଼ି ପଳାଇଲେ ।

ତାଙ୍କ ସଙ୍ଗେ ପଳାଇଲେ ରାମକୃଷ୍ଣ ବେନି

ସମରେ ପଡ଼ିଲେ ଆଜ ବହୁତ ସଇନି ।

ରାଜାମାନେ ପରିଘାଇ ଯୁଦ୍ଧ କରୁଥିଲେ

କିପରି ସେ ଗଲେ କେହି ଜାଣି ନ ପାରିଲେ ।

ଶୁଣି ଜରାସନ୍ଧ କ୍ଷଣେ ହେଲା ସ୍ତମ୍ଭୀଭୂତ

ରାଜାଙ୍କୁ ଚାହିଁଣ ବୋଲେ ଏ କି ଆଚମ୍ଵିତ ।

ଏତେ ପ୍ରକାରେ କେମନ୍ତେ ଭୁଲାଇ ସେ ଗଲା

କେ ବୋଲଇ ଜଳନ୍ଧର ବ୍ୟୂହ ଅବା କଲା ।

କୌଣସି ପ୍ରକାରେ ତାଙ୍କୁ ନ ପାରିଲେ ସାଧି

ଆବର ସେ ଗଉଡ଼ଙ୍କୁ ନାହିଁ ଆମ୍ଭ ବୁଦ୍ଧି ।

କେଉଁ ବାଟେ ଗଲେ କାହିଁ ପଶିଲେ ସେ ଯାଇ

ଡଗରେ ବୁଲିଣ ବେଗେ ଖୋଜି ଆସ ଯାଇ ।

ସେ ବେନି ଭାଇଙ୍କୁ ଯେବେ ନ ପାରିବା ମାରି

ଆପଣା ରାଜ୍ୟକୁ ଆଉ ଯିବା କିପାଁ ଫେରି ।

ଜରାସନ୍ଧ ମୁଖୁ ଶୁଣି ଏସନ ଭାରତୀ

କରଯୋଡ଼ି ଜଣାଇଲା ଗୁଣମଣି ମନ୍ତ୍ରୀ ।

ଭୋ ଦେବ ଶୁଣିମା ସାବଧାନେ ମହାରାୟେ

ବଳିଷ୍ଠ ଶତ୍ରୁଙ୍କୁ ନୃପେ ଜିଣନ୍ତି ଉପାୟେ ।

ସାମାନ୍ୟ ଶତ୍ରୁ ନୁହନ୍ତି ହଳୀ ଚକ୍ରପାଣି

ଅଷ୍ଟମଲ୍ଲଙ୍କୁ ମାଇଲେ ଅବହେଳେ ଜିଣି ।

ଗୁରୁ ଦକ୍ଷିଣା ନିମନ୍ତେ ଯମପୁରେ ଗଲେ

ମଲାଲୋକଙ୍କୁ ସେଠାରୁ ଜୀଆଇଁ ଆଣିଲେ ।

ଅନନ୍ତ ମାୟାଧର ସେ ସ୍ଵୟଂ ବିଶ୍ଵବାସ

କାହାରି ବଳରେ କେବେ ନୁହଇ ସେ ନାଶ ।

ଦେବାଧିଦେବଙ୍କ ରାଜା ପୁଣ୍ୟମୟ ଦେହୀ

ଏ ସେ ନାରାୟଣ ବୋଲି ଲୋକମୁଖେ କହି ।

ତା ସଙ୍ଗେ ବିବାଦ କଲେ ଯଶ ନାହିଁ କିଛି

ଥୋକେଦିନ ଅପସରି ଚାଲ ଯିବା ଘୁଞ୍ଚି ।

ଦୁସ୍ତର କଟକାଇରେ ଗଞ୍ଜି ହେଲେ ବଳ

କ୍ଷୁଧା ତୃଷା ବେଳେ ନ ପାଇଲେ ଅନ୍ନଜଳ ।

ଅଶ୍ଵ ଗଜ ଚରିବାକୁ ନ ମିଳଇ ଘାସ

ସବୁ ନୃପଙ୍କର ସୈନ୍ୟ ରଣେ ଗଲେ ନାଶ ।

ଅସଂଖ୍ୟ ସଇନ୍ୟ ମଲେ ଥୋକେ ଛନ୍ତି ରହି

ଯେ ଯାହାର ସୈନ୍ୟ ଘେନି ଯାନ୍ତୁ ଆଜ୍ଞା ପାଇ ।

ଆକଟ କରାଇ ତୁମ୍ଭେ ସମସ୍ତଙ୍କୁ ଛାଡ଼

ଯେ ଯାହାର ଅଙ୍ଗବଳ କରନ୍ତୁ ସେ ଦୃଢ଼ ।

ବର୍ଷାକାଳ ଶେଷ ହେଲେ ସାଜି ଜେଝା ବଳ

ଯୁଦ୍ଧର ସାମଗ୍ରୀ ଘେନି ଆସି ହେବେ ଠୁଳ ।

ଏବେ ସେ ଯାଦବେ ଗଲେ ରଣେ ପିଠି ଦେଇ

ଆବର ଲୋଡ଼ିଲେ ତାଙ୍କୁ ପାଇବା ନା କାହିଁ ।

ଭଲ ହେଲା ଯେବେ ଛାଡ଼ି ପଳାଇଲେ ଡରେ

ଆମ୍ଭେ କିପାଁ ଗୋଡ଼ାଇବା ତାହାଙ୍କ  ପଛରେ ।

କ୍ଷତ୍ରିୟ ବେଭାର ଏହୁ ନୁହଇ ରାଜନ

ମଲା ଗଲା ଦୁଇଲୋକ ଅଟନ୍ତି ସମାନ ।

ଛାଡ଼ ସବୁ ପରିତାପ ହୁଅ ଦେବ ଶାନ୍ତି

ଯଶ ଘେନି ବାହୁଡ଼ିବା ଯିବାକ ଏଘାନ୍ତି ।

ଗୁଣଭୁଷଣ ମନ୍ତ୍ରୀର ଏ ବଚନ ଶୁଣି

ସନ୍ତୋଷ ହୋଇଲା ଜରାସନ୍ଧ ନୃପମଣି ।

ନିଶରେ ହାତ ଦେଇଣ ବୋଲେ ଦଣ୍ଡଧାରୀ

ମଥୁରା ଗଡ଼କୁ ଭାଙ୍ଗ ନବନସ୍ତ କରି ।

ହାଟ ବାଟ ଜୁର କର ରାଜ୍ୟନ୍ତ ଉଜାଡ଼ି

ଘରେ ଘରେ ଅଗ୍ନି ଜାଳ ସବୁ ଦିଅ ପୋଡ଼ି ।

ଯାହାକୁ ଦେଖିବ ଆଗେ ତାକୁ କର ବନ୍ଦୀ

ମୋ ଛାମୁକୁ ଆଣିଦିଅ ହାତ ଗୋଡ଼ ବାନ୍ଧି ।

ରାଜା ଆଜ୍ଞା ପରମାଣେ ଧାଇଁଲେ ସଇନି

କୁରାଢ଼ି ଶାବେଳି କାଙ୍କ କାତି କୋଡ଼ି ଘେନି ।

ପ୍ରାସାଦ ଅଟ୍ଟାଳି ଘରଦ୍ଵାର କାନ୍ଥ ବାଡ଼

ଦଣ୍ଡକ ମଧ୍ୟରେ ଭାଙ୍ଗି ଚୂର୍ଣ୍ଣ କଲେ ଗଡ଼ ।

ଦେଉଳ ମଣ୍ଡପ ମେଢ଼ ଜଗତୀ ପାଚେରୀ

ନବତାଳ ଉତ୍ସର୍ଗ ଯେ ଅଧାସ୍ଵର୍ଗ ସରି ।

ଦୁର୍ଜ୍ଜୟ କବାଟ ନାଟ୍ୟ ମନ୍ଦିର ପାଟଣା

ପାଞ୍ଚତାଳ ଗଭୀରରେ ଖୋଳି କଲେ ଖଣା ।

ସୁନା ରୁପା ଖମ୍ଵ ବଜ୍ର ବିନ୍ଧଣୀ କବାଟ

ଧୁଳିସମ କଲେ ଭାଙ୍ଗି ଜରାସନ୍ଧ ଥାଟ ।

ଖଣ୍ଡ ଖଣ୍ଡ କରି ନେଲେ ଯେ ଯାହାର ବହି

ଯମୁନା ନଦୀ ଜଳରେ ଭସାଇଲେ ନେଇ ।

ଇଟା ପଥର ମୁଗୁନି ସବୁ ଗଲା ନାଶ

ଭଣ୍ଡାର ଜୁରିଲେ ଯାହା ଥିଲା ଅବଶେଷ ।

ଅସଂଖ୍ୟ ଧନ ଭଣ୍ଡାର ସବୁ ବହି ନେଇ

ଭଗ୍ନଗଡ଼ ପୋଡ଼ିଦେଲା ଅନଳ ଲଗାଇ ।

ଉଠିଲା ପ୍ରଚଣ୍ଡ ଶିଖା ଦିଶିଲା ଆକାଶେ

ଧୁମ ଆଦୃତେ ଅନ୍ଧାର ଦିଶେ ଦଶଦିଶେ ।

କ୍ଷଣକେ ମଥୁରା ପୁର ଭସ୍ମ ହେଲା ପୋଡ଼ି

ଜୟଶଙ୍ଖ ବଜାଇଣ ଗଲେ ସେ ବାହୁଡ଼ି ।

ଛୟାଣୋଇସସ୍ର ରାଜା ସଙ୍ଗେ ଜରାସନ୍ଧ

ଆପଣା ରାଜ୍ୟକୁ ଗଲା ଘେନି ସୈନ୍ୟ ବୃନ୍ଦ ।

ଇତିଶିରୀ ହରିବଂଶ ଗ୍ରନ୍ଥ ପୁଣ୍ୟମୟେ

ଇଦଂ ତୃତୀୟ ଅଧ୍ୟାୟ ସମାପତ ହୁଏ ।

 

ହରିବଂଶ ପଞ୍ଚମ ଖଣ୍ଡ

ଉଗ୍ରସେନ ସହିତ ଯାଦବଙ୍କୁ ଘେନି ରାମ କୃଷ୍ଣଙ୍କର ମଥୁରା ପ୍ରବେଶ

ଏଥୁ ଅନନ୍ତରେ ପୁଣି ଶୁକବ୍ରହ୍ମା ଭଣି

ଶୁଣ ହେ ପରୀକ୍ଷ ରାଜା ହରିବଂଶ ବାଣୀ ।

ହରିନାମ କୀର୍ତ୍ତନ ଏ ସୁଧାମୟ ରସ

ଶୁଣନ୍ତେ ପାପାଧିପାପ ଅଙ୍ଗୁ ହୁଏ ଧ୍ଵଂସ ।

ମଣିକର୍ଣ୍ଣିକାରେ ଶତେବାର ଝାସଦେଲେ

ସହସ୍ରେ ବରଷ ବିଶ୍ଵେଶ୍ଵରଙ୍କୁ ସେବିଲେ ।

ସହସ୍ରେ ବିପ୍ରଙ୍କୁ ଦେଲେ ସନ୍ତୋଷ ଭୋଜନ

ହରିବଂସ ଶ୍ରବଣକୁ ନୁହଇ ସମାନ ।

ଜଳଦାନ ବସ୍ତ୍ରଦାନ ଅନ୍ନଦାନ ଆଦି

କାୟାକୁ ଦର୍ଶନ କରି ବ୍ରହ୍ମଜ୍ଞାନ ସାଧି ।

ନାନାତୀର୍ଥ ବ୍ରତ ତପ ନିଷ୍ଠା ଆଦି କରି

ହରିବଂଶ ଶ୍ରବଣକୁ ନୁହନ୍ତି ଏ ସରି ।

ଏଥୁଅନ୍ତେ ସୈନ୍ୟ ଘେନି ଜରାସନ୍ଧ ରାଜା

ଆପଣା ରାଜ୍ୟକୁ ଗଲା ବଜାଇଣ ବାଜା ।

 

ସଙ୍ଗରେ ଅଛନ୍ତି ସବୁ ନରପତିମାନେ

ରାଜ୍ୟରେ ପଶିଲା ପଥ ବାହି ସାତଦିନେ ।

ପାତ୍ର ମନ୍ତ୍ରୀ ଅମନାତ୍ୟ ବନ୍ଧୁଜନ ଯେତେ

ପାଛୋଟି ଅଇଲେ ବେନି ଯୋଜନ ପର୍ଯ୍ୟନ୍ତେ ।

ନଗର ଭିତରେ ଯାଇ ହୋଇଲେ ପ୍ରବେଶ

ରାଜାଙ୍କୁ ବୋଇଲା ସର୍ବେ ଯାଅ ଯେଝା ଦେଶ ।

ଧନବସ୍ତ୍ର ଆଭରଣ ପୁରଷ୍କାର ଦେଲା

ଚତୁର୍ମାସ୍ୟା ଶେଷ ହେଲେ ଆସିବ ବୋଇଲା ।

ପଦାତି ସାରଥି ରଥୀ ଅଶ୍ଵ ଗଜ ବଳ

ଦ୍ଵିଗୁଣ କରି ଭିଆଣ କରିବ ସକଳ ।

ସୂତ୍ରରଜ୍ଜୁ ଶାଢ଼ୀ ଘର କିଳା ତାଟି ବାଡ଼

କୁନ୍ତ ଲାଙ୍କିଆ ଗୁରୁଜ ଛୁରୀ ଯମଦାଢ଼ ।

ପରଶୁ ପରିଘ ଗଦା ଶାବେଳି ମୁଦ୍‌ଗର

ଧନୁ କାଣ୍ଡ ଖଣ୍ଡା ଢାଲ କବଚ ତୂଣୀର ।

ଏମାନଙ୍କୁ ଆଦି ଯେତେ ଅସ୍ତ୍ର ଅସ୍ତ୍ର ଅଛି

ବରଷା କାଳରେ ସବୁ ସମ୍ପାଦିବ ବାଛି ।

ନନ୍ଦ ଗଉଡ଼ର ପୁଅ ଦେଲା ଅପମାନ

ତୁମ୍ଭେ ସର୍ବେ ମୋ କାର୍ଯ୍ୟରେ ହେବ ସାବଧାନ ।

ମୋ ଆଜ୍ଞା ନ ପାଳି ଯେବା କରିବ ଅନ୍ୟଥା

ରାଜ୍ୟ ବିଧ୍ଵଂସିତ ତାର କଟାଇବି ମଥା ।

ଜରାସନ୍ଧ ମୁଖୁଁ ଶୁଣି ଏସନ ଆଦେଶ

ସନମତ କରି ନୃପେ ଗଲେ ଯେଝା  ଦେଶ ।

ଯେତେ ସୈନ୍ୟ ନେଇଥିଲେ ସକଳ ନୃପତି

ତିନିଭାଗ ମରି ଭାଗେ ବରତି ଅଛନ୍ତି ।

ଦୁର୍ବୁଦ୍ଧି ଦୁରାତ୍ମା ଦୁଷ୍ଟ ପାପିଷ୍ଠ ସକଳ

ଯାଦବଙ୍କ ହସ୍ତେ ମରି ଗଲେ ଯମଆଳ ।

ଶ୍ରୀକୃଷ୍ଣ ଭକତ ଯେତେ ଥିଲେ ପୁଣ୍ୟଦେହୀ

ମହାଘୋର ସଂଗ୍ରାମରୁ ବର୍ତ୍ତିଛନ୍ତି ସେହି ।

ପୃଥ୍ଵୀଭାର ନିବାରିବା ପାଇଁ ଦେବହରି

ଅନେକ ଦୁଷ୍ଟଙ୍କୁ ରଣେ ପକାଇଲେ ମାରି ।

ବରଷା ଆଗମ ଦେଖି ଜରାସନ୍ଧ ରାଜା

ଆପଣା ରାଜ୍ୟରେ ରହି ପାଳିଲା ପରଜା ।

ଶୁଣ ହୋ ପରୀକ୍ଷ ରାଜା ଶୁକ ଯେ ବଦନ୍ତି

ଶ୍ରୀଭାଗବତ ପୁରାଣ ପୁଣ୍ୟମୟ କୀର୍ତ୍ତି ।

ଜରାସନ୍ଧ ଡରେ ରାମ କୃଷ୍ଣ ଭାଇ ବେନି

ମଥୁରାରୁ ପଳାଇଲେ ଯାଦବଙ୍କୁ ଘେନି ।

ଗୋମତ ପର୍ବତେ ଲୁଚି ଉଗ୍ରସେନ ଥିଲେ

ସମସ୍ତେ ଯାଇଣ ତାଙ୍କ ପାଶରେ ମିଳିଲେ ।

ପୁତ୍ର ଭାର୍ଯ୍ୟା ଜ୍ଞାତି ବନ୍ଧୁ ବାନ୍ଧବ ସୋଦର

ହାଟୁଆ ବାଟୁଆ ପ୍ରଜା ସମ୍ପଦ ଭଣ୍ଡାର ।

ଅଗମ୍ୟ ବନ ଭିତରେ ସର୍ବେ ଛନ୍ତି ରହି

ଯାଦବଙ୍କୁ ଘେନି କୃଷ୍ଣ ପ୍ରବେଶିଲେ ତହିଁ ।

ଉଗ୍ରସେନ ରାଜାଙ୍କୁ ସେ ନମସ୍କାର କଲେ

ସଂଗ୍ରାମ ବାରତା ସବୁ ସଂକ୍ଷେପି କହିଲେ ।

ଭୋ ତାତ ମଥୁରା ଗଡ଼ ଭାଙ୍ଗି ଜରାସନ୍ଧ

ଆପଣା ରାଜ୍ୟକୁ ଗଲା ଘେନି ସୈନ୍ୟବୃନ୍ଦ ।

ଚାରି ଊଣା ଲକ୍ଷେରାଜା ତା ସଙ୍ଗରେ ଥିଲେ

ଯେ ଯାହାର କଟକକୁ ବିଜେକରି ଗଲେ ।

ଉଗ୍ରସେନ ଆଗେ ଏହା କହି ଦେବରାୟ

ବୋଇଲେ କରିବା ଆମ୍ଭେ କେବଣ ଉପାୟ ।

ଉଗ୍ରସେନ ବୋଲେ ତୁମ୍ଭେ ଅଟ ଦେବରାଜା

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର କରୁଛନ୍ତି ପୂଜା ।

ତୁମ୍ଭ ବିଚାରକୁ ବାବୁ ଆସଇ ଯେମନ୍ତ

ଲାଭିହାନି ବୁଝି ତାହା କର ପଦ୍ମନେତ୍ର ।

ଯାର ନାମ ସୁମରନ୍ତେ ରିଷ୍ଟ ହୁଏ କ୍ଷୟ

ତା ସଙ୍ଗତେ ଥିଲେ ଶତ୍ରୁଠାରୁ କିସ ଭୟ ।

ଶ୍ରୀକୃଷ୍ଣ ବୋଇଲେ ଚାଲ ମଥୁରାକୁ ଯିବା

ସମସ୍ତେ ବିଚାରି ଯାହା ହେବ ତା କରିବା ।

ଦୁସ୍ତର ବରଷାକାଳ ହେଲାଣି ପ୍ରବେଶ

ଆପଣା ରାଜ୍ୟେ ବଞ୍ଚିବା ରହି ଚାରିମାସ ।

ରାଜ୍ୟଯାକ ଧ୍ଵଂସିଅଛି ଜରାସନ୍ଧ ରାଜା

ଆମ୍ଭଙ୍କୁ ଦେଖିଲେ ସୁସ୍ଥ ହୋଇବେ ପରଜା ।

ଏମନ୍ତ ବିଚାରି ତହୁଁ ବାହାର ହୋଇଲେ

ମଥୁରା କଟକେ ଯାଇ ସମସ୍ତେ ମିଳିଲେ ।

ନବତାଳ ଉତ୍ସର୍ଗରେ ଯେବଣ ପାଚେରୀ

ଦେଖିଲେ ଭାଙ୍ଗିଛି ତାହା ଭୂମିସମ କରି ।

ପାଞ୍ଚତାଳ ଉତ୍ସର୍ଗରେ ମଡ଼ା ପଡ଼ିଛନ୍ତି

ବେନି ଯୋଜନ ପର୍ଯ୍ୟନ୍ତେ ଗନ୍ଧାଏ ବିକୃତି ।

ଶ୍ଵାନ ଶୃଗାଳ ଶାଗୁଣା ବାଘ ଭାଲୁ ମୂଳେ

ମଡ଼ା ମାଂସ ଖାଇ କ୍ରୀଡ଼ା କରନ୍ତି ସକଳେ ।

ଗଡ଼ ଭିତରକୁ ପଶି ଯାଦବ ସଇନି

ଦେଖିଲେ ପୋଡ଼ିଛି ଲାଗି ପ୍ରଚଣ୍ଡ ବହନି ।

ଜଉ ସଜଳସ ଗୁଆଘିଅ ଛଣପଟ

ଅନଳେ ପଡ଼ନ୍ତେ ଜଳି ଉଠେ ଝଟପଟ ।

ନନ୍ଦାବର୍ତ୍ତକ ଝିଙ୍କର ଛାଏଣି ଯେ ଘର

ଦିନମ ମଧ୍ୟେ ଭକ୍ଷିଲେ ସବୁ ବୈଶ୍ଵାନର ।

ଅନଳ ଜଳନ୍ତେ ଧୂମ ଉଠି ଜ୍ଵାଳାବଳୀ

ଦିବସ ଅନ୍ଧାର ଦିଶେ ଲୁଚି ଅଂଶୁମାଳୀ ।

ଥୋକାଏ ଯାଦବ ଗଡ଼ ଭିତରେ ପଶନ୍ତି

ପୋଡ଼ୁଥିବା ଗୃହେ ଜଳ ପକାଇ ଲିଭାନ୍ତି ।

ଥୋକାଏ ଯାଦବ ମନେ ପାଇ ଘୋରବ୍ୟଥା

ଏକକୁ ଆରେକ କହୁଛନ୍ତି ଦୁଃଖ କଥା ।

କେ ବୋଲନ୍ତି ଯେବେ କଂସରାଜା ଥାନ୍ତା ଜୀଇ

ଏସନକ ଉପଦ୍ରବ ହୁଅନ୍ତା କିପାଇଁ ।

ଏକା ରାମକୃଷ୍ଣ ଯୋଗୁ ହେଲା ଏତେ ମନ୍ଦ

ଜିଣିବା ବଳ ନ ଥାଏ କରନ୍ତି ସେ ଦ୍ଵନ୍ଦ୍ଵ ।

ପଟୁଆର ଯୁଦ୍ଧେ ଯେବେ ନୁହନ୍ତି ସେ ସରି

ଆଗହୁଁ ଭେଟି ନ ଦେଲେ କିପାଁ ସନ୍ଧିକରି ।

ଆନକୁ କହିଲେ ହେବ ପ୍ରୟୋଜନ କିସ

ଉଗ୍ରସେନ ନୃପତିର ଅଟେ ସବୁ ଦୋଷ ।

ଜରାସନ୍ଧ ପ୍ରାୟ ବନ୍ଧୁ କେତେକ ପାଇବା

ଧନ ରତ୍ନ ନେଇ କିପାଁ ନ କଲେ ତା ସେବା ।

ଅଚଳାଚଳ ସମ୍ପଦ ଅର୍ଜିଥିଲା କଂସ

ଏହାଙ୍କ ଅଯୋଗ୍ୟ ପଣେ ସବୁ ଗଲା ନାଶ ।

ମେଘଦଣ୍ଡ ପାଚେରୀ ଯେ ସୁନିର୍ମାଣ ଗଡ଼

ଅଠର ଯୋଜନ ସ୍ଥଳୀ ପାଷାଣେ ନିବାଡ଼ ।

ଖଣା ପୋତି ଜରାସନ୍ଧ କରି ଗଲା ଯାହା

ଏହାଙ୍କ ବଳେ କି ଆଉ ହୋଇପାରେ ତାହା ।

ମଥୁରା ଗଡ଼କୁ ସ୍ଵର୍ଗପୁର ନୋହେ ସମ

ନିଶ୍ଚୟ ଜାଣିଲୁ ଏଥୁ ନାଶଗଲା ଧର୍ମ ।

ଏସନକ ବିଚାରନ୍ତି ପୁରବାସୀ ଲୋକେ

ଆପଣା କର୍ମ ସୁମରି ଶାନ୍ତ ହେଲେ ଥୋକେ ।

ପ୍ରଜାଙ୍କ ବିକଳ ଦେଖି ଲକ୍ଷ୍ମୀଦେବୀ ସାଇଁ

ଧାତିକାରେ ଆଜ୍ଞା ଦେଲେ ବିଶ୍ଵକର୍ମା ରାଇ ।

ନାରାୟଣ ବୋଇଲେ ହେ ବିଶ୍ଵକର୍ମା ଶୁଣ

ମଥୁରାକୁ ଧ୍ଵଂସ ଗଲା ଜରାସନ୍ଧ ରାଣ ।

ସମସ୍ତ ଜନ ପରଜା ପାଉଛନ୍ତି ଦୁଃଖ

ଏକାଳେ ତାହାଙ୍କୁ ତୁମ୍ଭେ ସାହା ହୋଇ ରଖ ।

ମଥୁରାଗଡ଼ ପାଟଣା ତୁମ୍ଭେ ଅଛ ଜାଣି

ଚତୁର୍ଦ୍ଦଶ ଗୁଣ କରି ଭିଆଇବ ପୁଣି ।

ରାଜାଙ୍କ ନଗର ପାତ୍ର ମନ୍ତ୍ରୀଙ୍କ ଉଆସ

ଦେଉଳ ମଣ୍ଡପ ମେଢ଼ ପ୍ରଜାଙ୍କ ନିବାସ ।

ଯେଝା ଅନୁରୂପେ ବାସଗୃହ ପରମାଣି

ପୂର୍ବ କଟକ ସ୍ଥାପନ କର ଏହିକ୍ଷଣି ।

ଏସନକ ଆଜ୍ଞା ଯହୁଁ ଦେଲେ ନାରାୟଣ

ବିଶ୍ଵକର୍ମା ଲାଗିକଲେ ନଗର ନିର୍ମାଣ ।

ମେଢ଼ ମଣ୍ଡପ ଦେଉଳ ଜଗତୀ ଅଟାଳୀ

ବିଚିତ୍ର ମନ୍ଦିର ମାନ କଲେ ଭଳି ଭଳି ।

ଅପୂର୍ବ ପାଟଣା ବେନି ଯୂଣ ଆୟତନ

ଝିଙ୍କର ଛାଏଣି ପିଢ଼ା ଊର୍ଦ୍ଧ୍ଵେ ବିତପନ ।

ସ୍ଫଟିକ ପାବଚ୍ଛ ଝଲମଲ ବାଚବାଡ଼

ହିଙ୍ଗୁଳ ହରିତାଳରେ କମ୍ପେ ଚାରିଆଡ଼ ।

ରକତ ଚନ୍ଦନ କାଠ କାଣ୍ଡ ରୁଅ ଶେଣୀ

ନେତ ପତାଙ୍ଗ ସୁବର୍ଣ୍ଣ କଲଶ ଖଞ୍ଜଣି ।

ହୀରା ନୀଳା ମୋତି ମଣି ମାଣିକ୍ୟରେ ଝଳି

ସୁବର୍ଣ୍ଣ ଖମ୍ଵରେ ଗଜଦନ୍ତର ପିତୁଳୀ ।

ରସାଣିଲା ପାନପତ୍ର ଝଲମଲ ଜ୍ୟୋତି

ଅମୂଲ୍ୟ ରତନ ଝରା ଶୋହା ପନ୍ତି ପନ୍ତି ।

ରୂପିଲା ମର୍କତ ଖମ୍ଵେ ନାନା ରତ୍ନ ହେମ

ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ମଧ୍ୟେ ସୂଚୀକମ ।

ନେତ ପତନୀ ସିନ୍ଧୁଆ ଧବଳ ମାଞ୍ଚିଷ୍ଠ

ବସନ୍ତ ସୁପୀତ ନୀଳ ନାନା ବର୍ଣ୍ଣେ ପାଟ ।

ପାରୁଶରେ ଉଭା ତ୍ରୋଣ କାଠର ମଣ୍ଡଣି

ଗଣ୍ଠିମୂଳେ ରଙ୍ଗପାଟ ଚାମର ଖଞ୍ଜଣି ।

ରାଜାଙ୍କ ଏକାନ୍ତ ପୁରରାଣୀଙ୍କ ପାଟଣା

ଅମର ବାରସ୍ପତୀକି ଦିଶଇ ସେ ଜିଣା ।

ସିଂହଦ୍ଵାର ପୂର୍ବଦ୍ଵାର ପଶ୍ଚିମ ଉତ୍ତର

ଭିତରେ ଭିତରେ ଦ୍ଵାର ରାଣୀହଂସ ପୁର ।

ବିଚିତ୍ର ସଭାରେ ସ୍ଥାପି ରତ୍ନ ସିଂହାସନ

ଏମନ୍ତେ ରାଜାଙ୍କ ପୁର କଲେ ସେ ନିର୍ମାଣ ।

ମଧ୍ୟ କକ୍ଷରେ ନିର୍ମାଣି ଦିବ୍ୟ ଗନ୍ତାଘର

ତଦନ୍ତରେ ନିର୍ମାଣିଲେ ପାତ୍ର ମନ୍ତ୍ରୀପୁର ।

ଆଖଡ଼ା ମନ୍ଦିର ନାଟ୍ୟଶାଳା ହସ୍ତିଶାଳ

ଘୋଡ଼ାଶାଳ ଓଟଶାଳ ଗୋରୁଙ୍କ ଗୁହାଳ ।

ନଗର ବାହାରେ ରଚି ରଖିଲେ ଏମାନ

ଦାଣ୍ଡ ହାଟ କୂପ ବାମ୍ଫୀ ପ୍ରଜାଙ୍କ ସଦନ ।

ଗତୁଁ ଶତେଗୁଣ କରି ସୁନିର୍ମାଣ କଲେ

ଯେ ଯେତେ ଭାଜନ ତାକୁ ତେଡ଼େ ଗୃହ ଦେଲେ ।

ଲେଙ୍କା ଲମତା ଖୁଣ୍ଟିଆ ଦ୍ଵାରୀ ପଢ଼ିହାରୀ

ରଜକ ନାପିତ ବେଶକାର ଆଦିକରି ।

ହାଟୁଆ ବାଟୁଆ ବେଶ୍ୟା ଭାଟ ବଣିଜାରେ

ନିଶ୍ଚିନ୍ତେ ରହିଲେ ଗୃହେ ଯାଇ ଯେ ଯାହାରେ ।

ଚୌରାଶୀକୋଟି ଯାଦବ ଇଷ୍ଟବନ୍ଧୁ ମୂଳେ

ସୁସ୍ଥ ହୋଇ ଯେଝା ସ୍ଥାନେ ରହିଲେ ସକଳେ ।

ବାହାରେ ପାଚେରୀ ନବତାଳ ଉତ୍ସର୍ଗରେ

ପାଞ୍ଚତାଳମାନେ ଖଣା ଜଳି ତହିଁ ପରେ ।

ଚାଙ୍ଗୁ ବାଙ୍ଗୁଲା କୋଳିଆ ଘର ବାଘମୁହୀଁ

ଅଜୟ ଗଡ଼କୁ ଆନ ପଟାନ୍ତର ନାହିଁ ।

ପାଞ୍ଚ ପାଞ୍ଚ ଆଙ୍କି ଅଛି ଭିତରେ ବାହାରେ

ପୁଞ୍ଜା କାଠର ଅର୍ଗଳି ଫେଡ଼ା କବାଟରେ ।

ନାନାଶସ୍ତ୍ର ଦାରୁ ଗୁଳି ନଳି ଛିଟିକିଣି

ବିଶ୍ଵକର୍ମାର ଘଟଣା ବିଚିତ୍ର ସାଜେଣି ।

ଯାଦବେ ଦେଖି ଅପୂର୍ବ ପ୍ରାୟେ ତାହା ମଣି

ବୋଲନ୍ତି କିମ୍ଭୁତ ମାୟା ନ ପାଇଲୁ ଜାଣି ।

ସୈନ୍ୟ ଘେନି ଜରାସନ୍ଧ ରାଇଜ ଉଜାଡ଼ି

ପ୍ରତ୍ୟକ୍ଷେ ଦେଖିଲୁ ଗଲା ଘରଦ୍ଵାର ପୋଡ଼ି ।

କାଲି ମଧ୍ୟାହ୍ନ ସମୟେ କିଛି ହିଁ ନ ଥିଲା

ରାତିକ ଭିତରେ କିଏ ଆସି ଭିଆଇଲା ।

କେ ବୋଲେ ବିଧାତା ଆସି ସରଜିଲା ଏହା

କେ ବୋଇଲା ମାୟା କଲେ ଲକ୍ଷ୍ମୀଦେବୀ ନାହା ।

ବଡ଼ଇ ଅପୂର୍ବ ଏହା କେବେ ଦେଖି ନାହୁଁ

ଏତେ ବେଗେ ଏତେ ଦ୍ରବ୍ୟ ହେଲା ପୁଣକାହୁଁ ।

ଯେବଣ କଟକେ ବାସ କରିଥିଲେ ପୂର୍ବେ

ତହିଁରୁ ଅଧିକ ଦେଖା ଯାଉଅଛି ଏବେ ।

କେ ବୋଲଇ ଯହିଁ ନାରାୟଣ ଆପେ ଅଛି

ତାହାଙ୍କୁ ଅପୂର୍ବ ଏହା ନୁହଇ ଯେ କିଛି ।

ଯାହାର ଆଜ୍ଞାରେ ସୃଷ୍ଟି ହୁଏ ଆତଯାତ

ଅବହେଳେ ଜିରିପାରେ ଯେ ବ୍ରହ୍ମାଣ୍ଡ ସାତ ।

ଶୁଭାଶୁଭ କର୍ମକରି ପାରଇ ଯେ ଆନ

ଦେବଙ୍କ ଉପରେ ଦେବ ଯେଉଁ ଭଗବାନ ।

ତୁଳସୀ ବଲ୍ଲଭ ଲକ୍ଷ୍ମୀଦେବୀ ପ୍ରାଣବନ୍ଧୁ

ଭକତବତ୍ସଳ ପ୍ରଭୁ କୃପାଜଳ ସିନ୍ଧୁ ।

ପ୍ରତ୍ୟକ୍ଷେ ଦେଖିଲେ କୃଷ୍ଣ କଲେ ଯେଉଁ କୃତ୍ୟ

ବଞ୍ଚାଇ ଆଣିଲେ ଯମଘରୁ ଷଡ଼ପୁତ୍ର ।

ଅଷ୍ଟମଲ୍ଲ ତୁଲେ ଯେହୁ ବଧ କଲେ କଂସ

ସେ କୃଷ୍ଣଙ୍କ ବଳେ ହୋଇ ନ ପାରଇ କିସ ।

ମାଗଇ ଅଚ୍ୟୁତ ଦାସ କହି ଏହି ବର

ଯେ ତୁମ୍ଭର ଇଚ୍ଛା ପ୍ରଭୁ ସେହି ଆଜ୍ଞା କର ।

 

ବର୍ଷାଋତୁ ବର୍ଣ୍ଣନା ଓ କୃଷ୍ଣଙ୍କର ଗୋପଚିନ୍ତା

ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ଭୂପାଳ

ଏସନ ବିଚାର କଲେ ଯାଦବ ସକଳ ।

ଉଗ୍ରସେନ ନୃପ ନିଜ ନବରେ ରହିଲେ

ସମସ୍ତ ଯାଦବେ ଯେଝା ଭୁବନକୁ ଗଲେ ।

କୁଟୁମ୍ଵ ବାନ୍ଧବ ଧନ ସମ୍ପଦ ସହିତେ

ପୂର୍ବ ପରକାରେ ସୁଖେ ରହିଲେ ସମସ୍ତେ ।

ହାଟ ପାଟଣା ନଗର ବିରାଜଇ ତେଜେ

ସହସ୍ର ପାଦରେ ଲକ୍ଷ୍ମୀ ଆସି କଲେ ବିଜେ ।

ଆଧି ବ୍ୟାଧି ରୋଗ ପୀଡ଼ା ନ ଜାଣିଲେ ପ୍ରାଣୀ

ଧନୀପଣରେ ଯାଦବେ କୁବେରଙ୍କୁ ଜିଣି ।

ରାମକୃଷ୍ଣ ଆହ୍ଲାଦରେ ଯାଦବେ ଦୁର୍ଜ୍ଜୟ

ଇନ୍ଦ୍ର ଚନ୍ଦ୍ର ହେଲେ ମନେ ନ କରନ୍ତି ଭୟ ।

ହରି ବଳରାମ ପାଦେ କରନ୍ତି ଭକତି

ଉଗ୍ରସେନ ରାଜଧର୍ମେ ପ୍ରଜାଙ୍କୁ ପାଳନ୍ତି ।

ଗାର୍ଗଙ୍କ କନିଷ୍ଠ ଭ୍ରାତା ମହା ତପୋବନ୍ତ

ସାତବଂଶ ଯାଦବଙ୍କ କୁଳ ପୁରୋହିତ ।

 

ବସୁଦେବ ଅନାଧୃଷ୍ଟ ସାତ୍ୟକି ଅକ୍ରୂର

ଉଦ୍ଧବ ସହସ୍ରାଜିତ କୃତବର୍ମା ବୀର ।

ସୁରଥ ପ୍ରସନ୍ନାଜିତ ଜୟନ୍ତ ପୁଷ୍ପକ

ଏମାନଙ୍କୁ ଆଦିକରି ଯାଦବ ଯେତେକ ।

ଦେବକୀର ଷଡ଼ପୁତ୍ର ଆଣି ଥିଲେ ହରି

ବିକ୍ରମ ବେଲାଳ ବୀରସେନ ବୀର ଚାରି ।

ବୀରବାହୁ ଆଦିକରି କୁମାର ବୈନେତ୍ର

ରାମକୃଷ୍ଣ ମିଶି ଅଷ୍ଟ ଦେବକୀର ପୁତ୍ର ।

ସୁଭଦ୍ରା ନାମରେ ପୁଣି ଦେବକୀର ଜେମା

ଏ ଆଠ ଭାଇଙ୍କ ଭଗ୍ନୀ ଅଟେ ସେହି ବାମା ।

ଅତିସୁଖେ ରାଜ୍ୟ କରେ ଉଗ୍ରସେନ ରାଜା

ଐଶ୍ଵର୍ଯ୍ୟ ଭୋଗ କରନ୍ତି ରାଜ୍ୟେ ଜନପ୍ରଜା ।

ସମସ୍ତଙ୍କୁ  ପାଳେ ରାଜା ପାତ୍ର ମନ୍ତ୍ରୀ ଧରି

ବେନିଶତ ଯୋଜନରେ ଅଧିକାର କରି ।

ଯମୁନା ଦକ୍ଷିଣ କୂଳେ ମଥୁରା ନଗର

ଆଡ଼ଦୀର୍ଘେ ପାଞ୍ଚଯୁଣ ଅଟଇ ବିସ୍ତାର ।

ସପତ ବଂଶ ଯାଦବ ଚଉରାଶୀ କୋଟି

ରାମକୃଷ୍ଣ ପାଦେ ସର୍ବେ ରହିଥାନ୍ତି ଖଟି ।

ଉତ୍ତମ ସେବକ ମଧ୍ୟେ ସାତଜଣ ଲେଖା

ସବୁ ଅବତାରେ ସେହି କୃଷ୍ଣଙ୍କର ସଖା ।

ଉଗ୍ରସେନ ଅନାଧୃଷ୍ଟ ସାତ୍ୟକି ଅକ୍ରୂର

ଉଦ୍ଧବ ସୁରଥ ବସୁଦେବ ଯେ ଆବର ।

ବିଶ୍ଵାସ କରନ୍ତି କୃଷ୍ଣ ଏମାନଙ୍କ ତୁଲେ

କିଛିକାର୍ଯ୍ୟ ନ କରନ୍ତି ତାଙ୍କୁ ନ କହିଲେ ।

ଯେ ଦିନ ଅଇଲେ ଗୋପ ଛାଡ଼ି ଦେବରାୟେ

ଦଶସସ୍ର କନ୍ୟା ଆଣିଦେଲେ ଦେବତାଏ ।

ଏହାଙ୍କୁ ଘେନି ବିଳାସ କରନ୍ତି ଶ୍ରୀହରି

ଅପୂର୍ବ ସୁନ୍ଦରୀ ସର୍ବେ ବିଷ୍ଣୁ ମନୋହାରୀ ।

ସେ କନ୍ୟାଏ ଅବତାର ଲକ୍ଷ୍ମୀକଳା ଘେନି

ଭ୍ରୂଭଙ୍ଗୀରେ ମୋହି ପାରନ୍ତି ସେ ପୁର ତିନି ।

ବସୁଦେବ ପୁରେ ଥାଇ ସେ ସର୍ବ ଅଙ୍ଗନା

ଭକ୍ତିରେ ଶାଶୁଙ୍କ ପାଦେ କରନ୍ତି ମାନନା ।

ସର୍ବଗୁଣେ ସୁଲକ୍ଷଣୀ ସେ ସକଳ ନାରୀ

ସମୁଦ୍ର ମନ୍ଥନୁ ଜାତ ଲକ୍ଷ୍ମୀ ସହଚରୀ ।

ଆଜନ୍ମରୁ ବ୍ରହ୍ମଚାରୀ ବଳଦେବ ସ୍ଵାମୀ

କଟିରେ ବଜ୍ର କାଛେଣି ପିନ୍ଧି ଅନ୍ତର୍ଯ୍ୟାମୀ ।

ଉଜାଣି ତୋଳନ୍ତି ବ୍ରହ୍ମରନ୍ଧ୍ରେ ବ୍ରହ୍ମରସ

ସୂର୍ଯ୍ୟମଣ୍ଡଳେ ଲଗାଇ ଚନ୍ଦ୍ରମାର ତ୍ରାସ ।

ତେବେ ସେ ରହିଲା ବନ୍ଧ ଅଜ୍ରାମର ହୋଇ

ରେବତୀ ବ୍ୟତ୍ରକେ ଆନ ଅଙ୍ଗ ସଙ୍ଗ ନାହିଁ ।

ପରୀକ୍ଷ ଆଗେ କହନ୍ତି ଶୁକ ମହାମୁନି

ଇତି ଶ୍ରୀ ପୁରାଣ ହରିବଂଶ ପୁଣ୍ୟଧ୍ଵନି ।

ଏଥୁ ଅନନ୍ତରେ ପୁଣି କେତେଦିନ ଗଲା

ନିଦାଘ ଅନ୍ତେ ବରଷାଋତୁ ପ୍ରବେଶିଲା ।

ବନ ପର୍ବତ କନ୍ଦରେ ଘୋଟି ମେଘମାଳ

ପବନ ଆଘାତେ ଉଠି ବରଷିଲେ ଜଳ ।

ଦୁସ୍ତର ବରଷା ଘଡ଼ଘଡ଼ି ଚଡ଼ଚଡ଼ି

ଝଟକ ବିଜୁଳି ପଡ଼େ ଗଗନରୁ ଝଡ଼ି ।

ବର୍ଷାଜଳରେ ପଙ୍କିଳ ହେଲା ମହୀସ୍ଥଳି

ମୟୂରେ ନାଚନ୍ତି ନାନାରଙ୍ଗେ କରି କେଳି ।

ପଲ୍ଲବ ଉଠିଲେ ତରୁଲତା ଜଳ ପାଇ

କୁରଙ୍ଗେ ବୁଲନ୍ତି ରଙ୍ଗେ ନବତୃଣ ଖାଇ ।

ଧରଣୀରୁ ତାପ ଶାନ୍ତି ହେଲା ଦିନୁଁଦିନ

ଚାତକେ ହରଷ ହେଲେ କେଳି କଲେ ମୀନ ।

ବରଷା ଜଳରେ ପରିପୂର୍ଣ୍ଣ ହେଲା ରସା

ଉତ୍ସାହରେ କୃଷିକର୍ମ ଆରମ୍ଭିଲେ ଚଷା ।

କୁଳଟା ପରାୟେ ଦୁଇକୁଳକୁ ବୁଡ଼ାଇ

ବିଷମ ସ୍ରୋତରେ ନଦୀମାନେ ଗଲେ ବହି ।

ବାମ୍ଫୀ କୂପ ପୁଷ୍କରିଣୀ ପୂର୍ଣ୍ଣ ହୋଇ ଜଳେ

କୁଳବତୀ ନାରୀପ୍ରାୟ ରହିଲେ ନିଶ୍ଚଳେ ।

ଫୁଟିଲେ ଶେଫାଳି କଇଁ କଦମ୍ଵ ମାଳତୀ

କୂଟଜ କଞ୍ଚନ ବଣମଲ୍ଲୀ ଜାଈ ଯୂଥୀ ।

ନାବିକେ ଜଗିଲେ ନାବ ରଖି ଘାଟକୂଳେ

ଭେକଗଣ ମକମକ ହେଲେ ବର୍ଷାକାଳେ ।

ତା ଦେଖି ଭୁଜଙ୍ଗମାନେ ଗାତରୁ ବାହାରି

ଆନନ୍ଦେ ଗିଳିଲେ ତାଙ୍କୁ ଚଉପାଶେ ଘେରି ।

ନବୀନ ତୃଣରେ ପୂର୍ଣ୍ଣ ହେଲା ବସୁମତୀ

ଗାଭୀଏ ହୋଇଲେ ଗ୍ରାସ ପାଇ ଦୁଗ୍‌ଧବତୀ ।

କ୍ରମେ କ୍ରମେ ଊଣା ହେଲା କୋକିଳର ଧ୍ଵନି

ବନ କୁସୁମରେ ଶୋଭା ଦିଶଇ ମେଦିନୀ ।

ସଧବା ସ୍ତିରୀଏ ନିଜ ପତି ଘେନି ସଙ୍ଗେ

ହରଷ ମନରେ କ୍ରୀଡ଼ା କଲେ ନାନାରଙ୍ଗେ ।

ବିରହିଣୀସ୍ତିରୀ ନିଜ ଭର୍ତ୍ତାଙ୍କୁ ସୁମରି

ବସିଲେ ବିଷାଦମନେ ଶିରେ କର ମାରି ।

ପ୍ରବାସୀଏ ଗୃହେ ଯିବା ପାଇଁ କଲେ ମନ

ବନଚରେ ଆଶ୍ରାକଲେ ବୃଷ୍ଟିହୀନ ସ୍ଥାନ ।

ଦେବେ ଶୁଅନ୍ତେ ହୋଇଲା କାଳ ଯେ ଅଶୁଦ୍ଧ

ବିଚ୍ଛେଦୀ ନାୟକ ମନେ ଜାତ ହେଲା ଖେଦ ।

ଏମନ୍ତ ଦୁସ୍ତର ବର୍ଷା ହେଲା ପରବେଶ

ନିଅବକାଶରେ ବିଜେ ପ୍ରଭୁ ହୃଷୀକେଶ ।

ଗୋପୀଙ୍କ ସଙ୍ଗତେ କ୍ରୀଡ଼ା କରିଥିଲେ ଯେତେ

ସେ କଥା ସ୍ମରଣ କରି ନିଜ ଅନ୍ତର୍ଗତେ ।

ନନ୍ଦ ଯଶୋଦାଙ୍କ ସ୍ନେହ ପଡ଼ିଲାକ ମନ

ପବିତ୍ର କାଳିନ୍ଦୀନଦୀ ପୁଣି କୁଞ୍ଜବନ ।

କଦମ୍ଵ ତରୁ ମାଧବୀ ଲତା ପରିମଳ

ବୃନ୍ଦାବନ କେଳି ମନେ ଚିତୋଇ ସକଳ ।

ଗାଈ ଗୋରୁ ବତ୍ସା ଗୋପୀ ଗୋପାଳଙ୍କ ସଙ୍ଗେ

ବିରହ ବଂଶୀର ଗୁଣ ସୁମରି ଶ୍ରୀରଙ୍ଗ ।

ବଧିକା ଦୂତିକା ଆଦି ଯେତେ ଗୋପାଳୁଣୀ

ରାସକ୍ରୀଡ଼ା କେଳି ମନେ ଚିନ୍ତି ଚକ୍ରପାଣି ।

ଉଦ୍ଧବ ଅକ୍ରୂରକୁ ସେ ଛାମୁକୁ ହକାରି

ଏକାନ୍ତ ବିଶ୍ଵାସେ ତାଙ୍କୁ କହିଲେ ଶ୍ରୀହରି ।

ସବୁ ଅବତାରେ ତୁମ୍ଭେ ମୋର ସଙ୍ଗେ ଥାଅ

ମୁହିଁ ଯେଣେ ଯାଏ ତୁମ୍ଭେ ଦୁହେଁ ତହିଁ ଯାଅ ।

ବିଶ୍ଵାସ ବଚନ ମୋର ଶୁଣ ପରିମାଣି

ଅକ୍ରୂର ବାରୁଣାବନ୍ତେ ଯାଉ ଏହିକ୍ଷଣି ।

ଶତଶୃଙ୍ଗ ପର୍ବତରେ ପଣ୍ଡୁ ନାଶ ଗଲେ

ତଦନ୍ତେ ପାଣ୍ଡବେ ତହିଁ ଥୋକେ ଦିନ ଥିଲେ ।

ଛେଉଣ୍ଡ ହୋଇଲେ ଯହୁଁ ସେହି ପାଞ୍ଚଭାଇ

ଧୃତରାଷ୍ଟ୍ର ନେଲେ ତାଙ୍କୁ ଗୌରବ କରାଇ ।

ଭାଇ ଭାଗ ପ୍ରମାଣରେ ଅଧେ ରାଜ୍ୟ ଦେଲେ

ବାରୁଣାବନ୍ତ କଟକେ ତାଙ୍କୁ ରଖାଇଲେ ।

ଯୁଧିଷ୍ଠି ନକୁଳ ଭୀମାର୍ଜ୍ଜୁନ ସହଦେବ

ସୋମବଂଶକୁ ଧାରଣା ଏ ପଞ୍ଚ ପାଣ୍ଡବ ।

ସର୍ବଶୁଭେ ଅଛନ୍ତି ସେ ମୋର ପ୍ରାଣ ସଖା

ସେ ପାଞ୍ଚେ ଅଟନ୍ତି ବୀରପଣେ ଅଗ୍ରଲେଖା ।

ପାଣ୍ଡବଙ୍କ ତହିଁ ମୋର ଅଛି ବହୁ କାର୍ଯ୍ୟ

ବାର୍ତ୍ତା ଦେଇଛନ୍ତି ତାଙ୍କ ପିତା ପଣ୍ଡୁରାଜ ।

ନଇଲେ ନ ଗଲେ ନିଶ୍ଚେଁ ବନ୍ଧୁ ହୁଏ ପର

ଅର୍ଜ୍ଜୁନଙ୍କ ସଙ୍ଗେ ଘେନି ଆସ ଧାତିକାର ।

ଆମ୍ଭର କୁଶଳ ବାର୍ତ୍ତା ଯୁଧିଷ୍ଠିର ଆଗେ

କହି ତୋଷ କରାଇବ କଥା ଅନୁରାଗେ ।

ଅକ୍ରୂର ଆଗେ ଏମନ୍ତ କହି ଚକ୍ରପାଣି

ଦୁର୍ବାକ୍ଷିତ କରି ଦେଲେ ଶକ୍ରାଜିତ ମଣି ।

ବଚନରେ ସୁକଲ୍ୟାଣ କରି ଦେବରାଜ

ବୋଇଲେ ଏକ୍ଷଣି ଯାଅ ହୋଇ ତୁମ୍ଭେ ସଜ ।

ସ୍ଵାମୀର ଶ୍ରୀମୁଖ ଆଜ୍ଞା ଘେନିଣ ଅକ୍ରୂର

ଅପୂର୍ବ ରଥରେ ବସି ଗଲେ ଧାତିକାର ।

ବାରୁଣାବନ୍ତେ ପାଣ୍ଡବେ ରହିଛନ୍ତି ଯହିଁ

ତହିଁକି ବୋଲି ଅକ୍ରୂର ଗଲେ ରଥ ବାହି ।

ଏଥୁଅନ୍ତେ ଉଦ୍ଧବଙ୍କୁ ଡାକି ଦେବରାଜ

ଆଜ୍ଞାଦେଲେ ଗୋପପୁରେ ଯିବ ତୁମ୍ଭେ ଆଜ ।

ଗୋପପୁରେ ଥିଲୁ ଆମ୍ଭେ ଲୁଚି କାଳେ କାଳେ

ନାନାରୂପେ ବଢ଼ି ଗୋପୀ ଗୋପାଳଙ୍କ ମେଳେ ।

ସେମାନେ ଆମ୍ଭଙ୍କୁ ଏବେ ବୋଲୁଥିବେ କିସ

ନନ୍ଦ ଯଶୋଦା ଏ ଦୁହେଁ କରିଥିବେ ଆଶ ।

ଗୋପର ନାୟିକାମାନେ ଆମ୍ଭ ଅର୍ଦ୍ଧ ଦେହ

ଆମ୍ଭଠାରେ ଅଛିଟିକି ତାଙ୍କ ପୂର୍ବ ସ୍ନେହ ।

ନିକୁଞ୍ଜ ବନର କୁଞ୍ଜ କାଳିନ୍ଦୀର ଜଳ

ପୂର୍ବ ପ୍ରାୟେ ଅଛିଟିକି ଦେଖିବ ସକଳ ।

କୋକିଳ ମୟୂର ଶୁକ ଆଦି ପକ୍ଷୀମାନେ

ପୂର୍ବ ପ୍ରାୟେ ଧ୍ଵନି କରନ୍ତି କି ବୃନ୍ଦାବନେ ।

ସେ ଗୋପପୁରରେ ରହି ଯେତେ ନାରୀଜନ

ଆମ୍ଭର ତହିଁ ତାଙ୍କରି ଅଛିଟିକି ମନ ।

ଫଳିତ ପୁଷ୍ପ ତ ବୃନ୍ଦାବନ ଲତା ତରୁ

ସର୍ବଶୁଭେ ପାଳନ୍ତି କି ଗୋପେ ବତ୍ସା ଗୋରୁ ।

ନନ୍ଦ ଯଶୋଦାଙ୍କୁ ସର୍ବ ଶୁଭବାର୍ତ୍ତା କହି

ସମସ୍ତଙ୍କୁ ପ୍ରବୋଧିବ ଥୋକେ ଦିନ ରହି ।

କଂସକୁ ମାରିଣ ଆମ୍ଭେ ଅଛୁ ମଥୁରାରେ

ଗୋପପୁର ଲୋଭ ମୋହ ନ ଛାଡ଼ି ନିର୍ଭରେ ।

ଆମ୍ଭଙ୍କୁ ନ ଦେଖି ଗୋପୀ ପାଇଥିବେ ତ୍ରାସ

ପ୍ରବୋଧ ବନେ ତାଙ୍କୁ ତୃପ୍ତ କରି ଆସ ।

ସୁହୃଦପଣେ କହିବ ଆଶ୍ଵାସନା କଥା

ସବୁରି ମନରୁ ଯେହ୍ନେ ଦୂର ହେବ ବ୍ୟଥା ।

ଆମ୍ଭ ମାତା ଯଶୋବନ୍ତୀ ନନ୍ଦ ମନୋହାରୀ

ପୃଥ୍ଵୀ ହିତକାରିଣୀ ସେ ଭାଗ୍ୟବତୀ ନାରୀ ।

ପ୍ରତ୍ୟକ୍ଷେ ଦେବୀ ସେହୁ ଯେ ଅଥି ପୁଣ୍ୟଦେହୀ

ନୋହିଲେ ଆମ୍ଭ ଆର୍ଦ୍ଦୋଳି ପାରନ୍ତେ କି ସହି ।

ନନ୍ଦ ମହାଖୁଡ଼ଗୁଣ କେ କହି ପାରିବ

ସେ ଅଟନ୍ତି ଆମ୍ଭ ପିତା ଗୁରୁ ଇଷ୍ଟଦେବ ।

ଆମ୍ଭଙ୍କୁ ପାଳିଲେ ଯତ୍ନେ କେତେ ଦୁଃଖ ପାଇ

ସେ ଋଣ ଶୁଝିବୁ ଆମ୍ଭେ କିସ ଅବା ଦେଇ ।

ଗୋପୀଙ୍କର ସ୍ନେହଭାବ ଗୋପାଳଙ୍କ ଗୁଣ

ଜୀବ ଥିବାଯାଏ କାହିଁ ପାସୋରିବା ପୁଣ ।

ସେ କଥା ବିଚାରି ଆମ୍ଭ ଜୀବନ ବ୍ୟାକୁଳ

ବିଧାତା ଭିଆଇଅଛି ଏ କଥା ସକଳ ।

ଏତେ ସ୍ନେହ ଛାଡ଼ି ଆମ୍ଭେ ହେଲୁ ଭିନ୍ନ ଭିନ୍ନ

ଭାବିଲେ ନ ସରେ ରାତି ନ ସରଇ ଦିନ ।

ଏବେ ସେ ଥୋକାଏ ଦିନ ଥାନ୍ତୁ ସ୍ଥିର ହୋଇ

ଅବଶ୍ୟ ଗୋପରେ ଆମ୍ଭେ ବିହରିବୁ ଯାଇ ।

ଏଥିପାଇଁ ଗୋପଲୋକେ ନ କରନ୍ତୁ ଭୀତି

ପ୍ରବୋଧ ବଚନ କହି କରାଇବ ଶାନ୍ତି ।

ପଣ୍ଡିତ ଧାର୍ମିକ ତୁମ୍ଭେ ଅଟ ଗୁଣମଣି

ସର୍ବ ଶୁଭ ଅନୁକୁଳେ ଚଳ ଏହିକ୍ଷଣି ।

ଏସନକ ଆଜ୍ଞା ତହୁଁ ଦେଲେ ଜଗନ୍ନାଥ

ତକ୍ଷଣେ ଉଦ୍ଧବ ଯାଇ ଆରୋହିଲେ ରଥ ।

ଜଗତ ସୋଦର କୃଷ୍ଣ ଦୀନଜନ ବନ୍ଧୁ

ଭକ୍ତ ମନ ଜାଣନ୍ତି ସେ ପ୍ରଭୁ କୃପାସିନ୍ଧୁ ।

ସେ କୃଷ୍ଣ ଅଭୟ ପାଦେ ରହୁ ମୋର ମନ

ଅଚ୍ୟୁତ ଦାସର ଗତି ଶ୍ରୀ ମଧୁସୂଦନ ।

 

ଉଦ୍ଧବର ଗୋପପୁର ଯାତ୍ରା ଓ ବୃନ୍ଦାବନ ଶୋଭା ଦର୍ଶନ

ଶୁକ ମୁନି ବୋଇଲେ ହୋ ଶୁଣ ନୃପବର

ଉଦ୍ଧବ ବାହାର ହେଲେ ଚଢ଼ି ରହୁବର ।

ମନ୍ଦର ପର୍ବତ ଜିଣି ଥୋକେ ଦୂର ଗଲେ

ଗୋଧିକ ଘାଟରେ ଯାଇ ପ୍ରବେଶ ହୋଇଲେ

ଯମୁନାରେ ସ୍ନାନ ସନ୍ଧ୍ୟା ନିତ୍ୟକର୍ମ ସାରି

ରଥରେ ବସିଲେ ପୁଣି ବୀରବେଶ ଧରି ।

ମସ୍ତକେ ମୁକୁଟ ଶୋହେ କର୍ଣ୍ଣରେ କୁଣ୍ଡଳ

ପଦକ ଭୂଷିତ ହୃଦ ଗଳେ ରତ୍ନମାଳ ।

ତାଡ଼ ତୋଡ଼ର ବାହୁଟୀ ବଳୟ କଙ୍କଣ

ସୁବର୍ଣ୍ଣ ମୁଦ୍ରିକା ନାନା ରତ୍ନ ଆଭରଣ ।

ବାମେ ଯମଦାଢ଼ ଛୁରୀ ବୀରନେତ ବାନ୍ଧି

ସୁରଙ୍ଗ ପତନୀ ବାଛି କଟ୍ଟୀତଟେ ପିନ୍ଧି ।

କବଚ ତୂଣୀର ଖଣ୍ଡା କାଣ୍ଡ ଶରାସନ

ଆୟୁଧମାନଙ୍କୁ ଧରି ଆରୋହିଲେ ଯାନ ।

ଦ୍ଵିତୀୟ ଇନ୍ଦ୍ର ପରାଏ ଶୋଭା ପରକାଶି

ରଥ ଦଣ୍ଡେ ଆଉଜିଲେ ସିଂହାସରେ ବସି ।

 

ଅନଙ୍ଗ ଦେବତା ପ୍ରାୟେ ବିରାଜଇ ତନୁ

ବାମ କରେ ଧରିଅଛି କିବା ପୁଷ୍ପଧନୁ ।

କୁସୁମ ସାୟକ ଶୋହେ କିବା ଦକ୍ଷକରେ

ସାରଥି ଚାଲଇ ଯାନ ବାହି ଧୀରେ ଧୀରେ ।

ଚନ୍ଦ୍ରମା ପରାଏ ଯାନ ଜ୍ୟୋତି ପରକାଶି

ଗଗନ ମଣ୍ଡଳୁ କିବା ପଡ଼ୁଅଛି ଖସି ।

ଥୋକେ ଦୂର ଚଳିଯାଇ କାଳିନ୍ଦୀର ତଟେ

ପ୍ରବେଶ ହୋଇଲେ କୁଞ୍ଜ କାନନ ନିକଟେ ।

ଦେଖିଲେ ଲବଙ୍ଗଲତା କଦମ୍ଵର ତଳ

ଦେବତା ମନ୍ଦିର ଲତା-କୁଞ୍ଜ ପରିମଳ ।

ଗଭୀର କାଳନ୍ଦୀ ନଦୀ ବହଇ ପ୍ରଖର

ଦିଶନ୍ତି ଅପୂର୍ବ ତରୁମାନେ ମନୋହର ।

ବୃକ୍ଷ ଶିଖକୁ ଚାହିଁଲେ ଖସିପଡ଼େ ଗଭା

ନନ୍ଦନବନକୁ ନିନ୍ଦେ ସେ ବନର ଶୋଭା ।

ଫଳିତ ପୁଷ୍ପିତ ତରୁ ଲତିକା ଶୋଭନ୍ତି

ସଳଖ ସୁନ୍ଦର ଧାଡ଼ି ଧାନି ପନ୍ତି ପନ୍ତି ।

ଅଷ୍ଟରତ୍ନ ଚଉରା ସେ ବୃକ୍ଷଙ୍କର ମୂଳେ

ମନ୍ଦ ମନ୍ଦ ହୋଇ ବାତ ବହଇ ଶୀତଳେ ।

ଫଳଭରେ ବୃକ୍ଷ ଢାଳ ବଳେ ପଡ଼େ ଲୋଟି

ସୂର୍ଯ୍ୟତେଜ ନ ପଡ଼ଇ ତରୁ ଛାୟା ଘୋଟି ।

ଯେବଣ ଶୁଖିଲା ପତ୍ର ବୃକ୍ଷୁ ପଡ଼େ ଝଡ଼ି

ପବନ ଘାତରେ ଯାଏ ଅନ୍ତରୀକ୍ଷେ ଉଡ଼ି ।

ତଳରେ ସୁସଞ୍ଚ ବାଲି ଦିଶେ ଦିବ୍ୟ ଶୋଭା

କର୍ପୂର ମୁକୁତା ଚୂରି ବିଞ୍ଚିଅଛି ଅବା ।

କୋକିଳର କଣ୍ଠ ସ୍ଵନ ଝିଙ୍କାରିଙ୍କ ଧ୍ଵନି

ଠାବେ ଠାବେ ପଢ଼ୁଛନ୍ତି ଶୁକ ଶାରୀ ବେନି ।

ଆମ୍ଵ ପଣସ ଖଜୁରୀ ଗୁଆ ନଟୀକାଳ

ଅସଂଖ୍ୟ ତମାଳ ତହିଁ କରମଙ୍ଗା ତାଳ ।

ଦାରାକ୍ଷ ପେଣ୍ଡୀ ଖଜୁରୀ କେନ୍ଦୁ ନରକୋଳି

ଭଇଞ୍ଚ ମହୁଲ ବେଲ ବେତ୍ର କ୍ଷିରୀକୋଳି ।

ସରଳ ଚନ୍ଦନ ନିମ୍ଵ ଶାଳ ଦେବଦାରୁ

ଜେଉଟ ତିନ୍ତୁଳି ଅଁଳା ପାଳଧୁଆ ତରୁ ।

କୋଚିଲା କରଞ୍ଜ ନୀପ ଜମ୍ଵାଳ ପାଟଳୀ

ଭାଲିଆ ଗମ୍ଭାରୀ ଜାମୁ ବାହାଡ଼ା ଶିମିଳୀ ।

କୋରୁଆଁ ପଲାଶ ନାନାଜାତିର ହରିଡ଼ା

ସୁନାରୀ ବକୁଳତରୁ କୁମ୍ଭୀ ଯେ ବାହାଡ଼ା ।

ବୃକ୍ଷଙ୍କ ଉପରେ ବେଢ଼ିଛନ୍ତି ନାନାଲତା

ଜାଈ ଯୂଇ ମାଳତୀ ଯେ ଅପୂର୍ବ ଶୋଭିତା ।

ଟଗର ତରାଟ ମଲ୍ଲୀ ଚମ୍ପକ ଶେଫାଳି

ଅଶୋକ ପୁନ୍ନାଗ ଫୁଟି ଦିଶେ ଭଳି ଭଳି ।

କଦମ୍ଵ ଆବର କିଆ ସେବତୀ ଦୟଣା

କଞ୍ଚଣ କନ୍ୟର କୁନ୍ଦ କୁରୁବେଲୀ ବେଣା ।

ଏମନ୍ତେ ଅନେକ ଫୁଲ ଫୁଟି ସେ ବନରେ

ସୁଗନ୍ଧ ଗନ୍ଧରେ ସର୍ବ ଜନମନ ହରେ ।

ହରିଣ ହରିଣୀ କଳାବାହୁଟିଆ ଶଶା

ମୟୁର କୁକ୍‌କୁଟ ବାଘ ଭାଲୁ ବଣ୍ୟମୂଷା ।

ଗଣ୍ଡା ଗୟଳ ଖୁରାଣ୍ଟ ସିଂହ ଓଟ ହସ୍ତୀ

ଶୁକ ଶାରୀ ହଳଦିଆ ବସନ୍ତ କପୋତୀ ।

କୋକିଳ ଝିଙ୍କାରୀ ବଣିଆଦି ଜୀବ ମେଳେ

ବିହରନ୍ତି ନାନାପଶୁ ପକ୍ଷୀ ବନସ୍ଥଳେ ।

ବସନ୍ତରେ ବସନ୍ତ ବହେ ଘନ ଘନ

ଦେଖିଣ ଉଦ୍ଧବ ବୋଲେ ଧନ୍ୟ କୁଞ୍ଜବନ ।

ଧନ୍ୟ ଏ ଯମୁନାନଦୀ ଧନ୍ୟ ୟାର ତଟ

ଏ ନଦୀରେ କ୍ରୀଡ଼ା କରୁଥିଲେ ନନ୍ଦଚାଟ ।

କୋଟି କୋଟି ପୁଣ୍ୟତୀର୍ଥ ନୁହେଁ ଏହାସରି

ନୋହିଲେ ବିହାର କିପାଁ କରନ୍ତେ ଶ୍ରୀହରି ।

ଗୋପିକାମାନଙ୍କୁ ଧରି ଏହି ଜଳେ ପଶି

ଜଳକ୍ରୀଡ଼ା କରୁଥିଲେ ଆପେ ହୃଷୀକେଶୀ ।

କୈବର୍ତ୍ତ ସ୍ଵରୂପ ଧରି ବାହୁଥିଲେ ନାବ

ଗୋରୁଙ୍କୁ ଏଠାରେ ପାଣି ପିଆନ୍ତି ମାଧବ ।

ବନ ଦଇତ୍ୟକୁ ବଧ କଲେ ଏହି ଜଳେ

ବତ୍ସାନ୍ତ ଚରାନ୍ତି ହରି ଏହି ନଦୀକୂଳେ ।

ଯମୁନା ମହିମା କହି ନୁହେ ଅନ୍ତକରି

ବିଚାରିଲେ ୟାଙ୍କୁ ଗଙ୍ଗା କେଉଁ ଗୁଣେ ସରି ।

ଈଶ୍ଵର ଜଟାରୁ ଫୁଟି ଗଙ୍ଗାଜଳ ବହି

ସୁମେରୁ ମେଖଳ କ୍ରୋଟେ ଲୁଚିଥିଲା ରହି ।

ଐରାବତ ଚାରିଦନ୍ତ କରନ୍ତେ ପ୍ରହାର

ଦନ୍ତେ ଭାଙ୍ଗି ତିନିଦନ୍ତ ହୋଇଲା ବାହାର ।

ଗଙ୍ଗା ଯମୁନା ଆବର ସରସ୍ଵତୀ ତିନି

ସେ ତିନି ମାର୍ଗରେ ଫୁଟି ପଡ଼ିଲେ ଅବନୀ ।

ସବୁହିଁ ଶ୍ରେଷ୍ଠ ଯମୁନାନଦୀ ବିଷ୍ଣୁପଦି

ମର୍ତ୍ତ୍ୟମଣ୍ଡଳରୁ ଯାନ୍ତି ପାତାଳକୁ ଭେଦି ।

କଳ୍ମଷଧ୍ଵଂସିନୀ ନଦୀ କାଳିନ୍ଦୀ ୟା ନାମ

ବ୍ରହ୍ମଭାଗେ କହିଛନ୍ତି ଦେବ ବୃହତ୍ସାମ ।

ଯା ପାଦରୁ ପଡ଼ି ଗଙ୍ଗା ପବିତ୍ର ଜଗତେ

ସେ ପ୍ରଭୁ ଶ୍ରୀଅଙ୍ଗେ ଗୁଣ ନାହିଁ ଅବା କେତେ ।

ଏ ନଦୀ ଭିତରେ ଯେତେ ଜନ୍ତୁ ଛନ୍ତି ରହି

ପାପ ବିବର୍ଜିତ ଅଙ୍ଗ ଜନ୍ମ ମୃତ୍ୟୁ ନାହିଁ ।

ଏ ନଦୀ କୂଳରେ ଖେଳୁଥିଲେ ଦେବରାଜ

ତେଣୁ ଏ ଭୂମି ପବିତ୍ର ପଡ଼ି ପାଦରଜ ।

ଏତେ ବୋଲି ବାଲିମୁଠେ ଧରି ଅଙ୍ଗେ ଘଷି

ନମସ୍କାର କରି ଥୋକେ ମଥାରେ ନିବେଶି ।

ତହୁଁ ଥୋକେଦୂର ଗଲେ ରଥକୁ ଚଳାଇ

କଦମ୍ବ ତରୁର ତଳେ ପ୍ରବେଶିଲେ ଯାଇ ।

ଦେଖିଲେ ଅମରବୃକ୍ଷ ଅତି ପରିମଳ

ଆକାଶ ମଣ୍ଡଳ ଯାଏ ଗୋଟିଅଛି ଡାଳ ।

ବୃକ୍ଷମୂଳରେ ଅଛଇ ଅଷ୍ଟରତ୍ନ ବେଦୀ

ବିଶ୍ଵକର୍ମା ଗଠନ ସେ ଶୋଭାକୁ ସମ୍ପାଦି ।

ବିଚାରିଲେ ଏ କଦମ୍ଵବୃକ୍ଷ ପୁଣ୍ୟମୟ

ତେଣୁ ଏହା ତଳେ କ୍ରୀଡ଼ା କଲେ ଦେବରାୟ ।

ଗୋପିକାମାନଙ୍କୁ ଘେନି ଏ ବୃକ୍ଷର ତଳେ

ନାନାରଙ୍ଗରେ ବିନୋଦ କଲେ କୁତୂହଳେ ।

ଗୋପୀଙ୍କ ବସ୍ତ୍ର ହରଣ କପଟରେ କରି

ଏ ମହାବୃକ୍ଷରେ ବାନ୍ଧି ରଖିଥିଲେ ହରି ।

ନାନାରଙ୍ଗେ ନୃତ୍ୟକରି ଗୋପସୁତ ମେଳେ

ଷଣ୍ଢାସୁର ବଧ କଲେ ଏହି ବୃକ୍ଷ ତଳେ ।

ଏ ବୃକ୍ଷରେ ବସି କୃଷ୍ଣ ମୂରଲି ବଜାଇ

ଜଗତ ମୋହିଲେ ନାନାଛନ୍ଦେ ଗୀତ ଗାଇ ।

ପ୍ରୟାଗରେ ଝାସ ଦେଇଥିବ ଯେଉଁ ଜନ

ସେ ଆସି ଏ ପୁଣ୍ୟଭୂମି କରିବ ଦର୍ଶନ ।

ଏମନ୍ତ ବୋଲି ଉଦ୍ଧବ ସ୍ତୁତିବାକ୍ୟ ପଢ଼ି

ସାଷ୍ଟାଙ୍ଗେ ପ୍ରଣାମ କଲେ ବୃକ୍ଷତଳେ ପଡ଼ି ।

ଆନନ୍ଦେ ପୁଲକି ଉଠେ ଅଙ୍ଗ ରୋମାବଳୀ

କଦମ୍ବତରୁ ଉପେକ୍ଷି ଧୀରେ ଧୀରେ ଚଳି ।

କୁଞ୍ଜବନ ବୃନ୍ଦାବନ ଦେଖି ସ୍ତୁତି କଲେ

ମଧୁବନ ରୁଦ୍ରବନ ପୁଣି ସେ ଦେଖିଲେ ।

ଅମ୍ଵିକା ନନ୍ଦନ ଦୁଇ ବନଶୋଭା ଦେଖି

ମନେ ମନେ ହୋଇଲେ ସେ ଅତିଶୟ ସୁଖୀ ।

ଏ ଯେ ଷଡ଼ବନ ଏକୁ ଆରେକ ସୁସଞ୍ଚ

ନାହିଁ ପଟାନ୍ତର ସ୍ଵର୍ଗ ପାତାଳ ଯେ ମଞ୍ଚ ।

ଅତି ମନୋହର ବନ ଦିଶଇ ପ୍ରତ୍ୟକ୍ଷ

ଧାଡ଼ି ଧାଡ଼ି ରେଖ ରେଖ ସୁସଞ୍ଚିତ ବୃକ୍ଷ ।

ଉଦ୍ଧବ ବିଚାର କଲେ ଦେଖି ମନେ ମନେ

ପାତକ ଖଣ୍ଡିଲି ମୁଁ ଏ ବନ ଦରଶନେ ।

ଧନ୍ୟ ଧନ୍ୟ ମୋ ଜନମ ଧନ୍ୟ ମୋର ତାତ

ଧନ୍ୟ ମୋର କୃଳଗୋତ୍ର ଗର୍ଭଧାରୀ ମାତ ।

ବିଷ୍ଣୁ ବାଳ୍ୟଲୀଳା ଭୂମି ଦେଖି ଚର୍ମଡୋଳେ

ଜନ୍ମ ମରଣ ଖଣ୍ଡିଲି ପୂର୍ବ ପୁଣ୍ୟବଳେ ।

ଏମନ୍ତ ବିଚାରି ରଥ ଚାଳି ଧୀରେ ଧୀରେ

ଗୋପରେ ମିଳିଲେ ବେଳ ସାତ ଘଡ଼ିଠାରେ ।

ଗୋପରେ ନାୟିକାମାନେ ଦେଖି ଦୂରେଥାଇ

ଏକକୁ ଆରେକ ଗୋପୀ ପଚାରନ୍ତି ଚାହିଁ ।

ଅପୂର୍ବ ରଥ ଗୋଟାକ ଆସୁଅଛି ଭଲା

ଏସନ ସଞ୍ଜାତ ପୂର୍ବେ ଦେଖାତ ନ ଥିଲା ।

ଦିଶଇ ଜାଜ୍ଜ୍ଵଲ୍ୟମାନ ତେଜ ଜ୍ଵାଳାବଳି

ସ୍ଵର୍ଗର ଦେବତା ଅବା ଆସେ ମହୀସ୍ଥଳି ।

ନାନାରତ୍ନ ଭୂଷଣ ଏ ହୋଇଛି ଶରୀରେ

ସ୍ଵର୍ଗ ଛାଡ଼ି କିପାଁ ଏହୁ ଆମେ ମର୍ତ୍ତ୍ୟପୁରେ ।

ଦିଗପାଳନ ସମାନରେ ଦିଶୁଅଛି ପଠା

ଚାହୁଁ ଚାହୁଁ ଆମ୍ଭ ମନ ହରିନେବ ଅବା ।

କେ ବୋଲଇ ସଖି ଏହା ଜାଣିବା କିପରି

ଶ୍ରୀକୃଷ୍ଣ ଅଇଲେ ଅବା ଚିତ୍ତା ଦୟାକରି ।

ଆମ୍ଭମାନଙ୍କର ବାଞ୍ଛା ହେଲା ଆଜ ସିଦ୍ଧି

ଏ ନିଶ୍ଚେଁ ଅଟନ୍ତି ଗୋପୀନାଥ ଗୁଣନିଧି ।

ଥୋକାଏ ବୋଲନ୍ତି ସଖି ନ ବୋଲ ଏ ବାଣୀ

ସେ କଥା ବିଚାରି କଲେ ହୃଦ ହୁଏ ହାଣି ।

ଆବର କୃଷ୍ଣଙ୍କୁ ଆମ୍ଭେ ପାଇବା ଯେ କାହିଁ

ସ୍ଵପ୍ନପ୍ରାୟ ଗଲେ ମାୟାପଟଳ ଦେଖାଇ ।

କେଉଁ ଗୁଣ ବାହୁନିବା ଆମ୍ଭେ ତାହାଙ୍କର

ନିରଞ୍ଜନ ପୁରୁଷ ଯେ ନିତ୍ୟ ନିରାକାର ।

କଳ୍ପନା କାମନାନିଧି କୋଟି କାମରୂପ

ଯା ମୁଖ ଦେଖିଲେ ଖଣ୍ଡେ କୋଟି ଜନ୍ମ ପାପ ।

ଜଗତମୋହନ ରୂପ କୋଟି ଗୁଣରାଶି

କେତେକାଳ ଲାଗି ଧାତା ଗଢ଼ିଗଲା ବସି ।

ତା କଥା ଚିନ୍ତିଲେ ଅଙ୍ଗେ ପ୍ରାଣ ନୋହେ ଧରି

ସନ୍ତାପ ଜଳେ ବୁଡ଼ାଇ ଗଲେ ଗୋ ଶ୍ରୀହରି ।

କେମନ୍ତେ କରୁଣାନିଧି ଅଟେ ତାଙ୍କ ବାନା

ଆରତ ପ୍ରାଣୀର କେହ୍ନେ ହ୍ଵନ୍ତି ବଜ୍ର ସେହ୍ନା ।

ଡକାଇତ ଆଚରଣ କଲେ ନନ୍ଦବଳା

ଅମୃତ ବଚନ କହି କାଟି ଗଲେ ଗଳା ।

ଗଗନର ଶଶୀ ଯେହ୍ନେ ଲୋଡ଼ିଲେ ନ ପାଇ

ଇନ୍ଦ୍ରଜାଲ ବିଦ୍ୟା ଯେହ୍ନେ ଦେଖୁ ଦେଖୁ ଯାଇ ।

ସେହିମତି କୃଷ୍ଣ କଲେ ଆମ୍ଭଠାରେ ମାୟା

ନିରପେକ୍ଷ ପୁରୁଷ ତା ହୃଦେ ନାହିଁ ଦୟା ।

ପବନ କି ଧରା ପଡ଼େ ପାତିଲେ ଗୋ ଫାନ୍ଦ

ହାତେ ଧରି ଲୋଡ଼ୁଥିଲେ ଗଗନର ଚାନ୍ଦ ।

ଭେଳା ବାନ୍ଧି ତରିବାକୁ ଲୋଡ଼ି ବାରାନିଧି

ବାଇ ବାତୁଳ ପରାୟେ ହେଲା ଆମ୍ଭ ବୁଦ୍ଧି ।

ଆଉ ଏକସଖୀ ବୋଲେ ଶୁଣ ସଙ୍ଗାତୁଣି

ସେ କୃଷ୍ଣର କଥା ମୁହିଁ ଥୋକେ ଅଛି ଜାଣି ।

ସବୁକାଳେ ମାୟାଧର ଅଟେ ସେ ପୁରୁଷ

ସର୍ବ ଅନ୍ତର୍ଯ୍ୟାମୀ ତାର ସର୍ବଭୂତେ ବାସ ।

ଅକ୍ଷୟ ସେ ଅବିନାଶୀ ଅଟେ ପୁଣ୍ୟଦେହୀ

ସବୁଠାରେ ସମ ତାର ଶତ୍ରୁ ମିତ୍ର ନାହିଁ ।

ସବୁ ଏକ ମଣନ୍ତି ସେ ନ ବିଚାରି ପର

ନ ଜାଣିବା ଲୋକେ ତାକୁ ବୋଲନ୍ତି ମୋହର

ମୃଗତୃଷ୍ଣା ସ୍ଥାନେ ଲୋଡ଼ି କେ ପାଇଛି ପାଣି

ଅଜ୍ଞାନରେ ପଡ଼ି ଭ୍ରମି ହେଉଥାନ୍ତି ପ୍ରାଣୀ ।

ବ୍ରହ୍ମା ଇନ୍ଦ୍ର ରୁଦ୍ରଙ୍କୁ ସେ ଭୁଲାଇବେ ଏକା

ଆମ୍ଭେ ସ୍ତିରୀମାତ୍ର ତାଙ୍କୁ କେଉଁଗୁଣେ ଲେଖା ।

ଲକ୍ଷ୍ମୀର ବଲ୍ଲଭ ସରସ୍ଵତୀ ପ୍ରାଣବନ୍ଧୁ

ଅନନ୍ତ ମାୟାଧର ସେ କୃପାଜଳ ସିନ୍ଧୁ ।

ତାହାକୁ ଆମ୍ଭର ବୋଲି ବୋଲ ଯେ ନ ଜାଣି

ଚାଲୁଣୀ ଭିତରେ କାହିଁ ରହିବ ଯେ ପାଣି ।

ବଢ଼ିଲା ନଦୀରେ ଖୋଜି କେ ପାଇବ ସ୍ଥଳ

ଯେତେ ପୁଣ୍ୟ ଥିଲା ତେତେ ଲଭିବଇଁ ଫଳ ।

ସବୁକାଳରେ ପ୍ରାଣୀର ନ ଥାଇଟି ଦୁଃଖ

ସମୟେକ ଦୁଃଖ ପାଇ ଭୋଗ କରେ ସୁଖ ।

ଲାବଣ୍ୟନିଧି ଅର୍ଜିଲେ ଆମ୍ଭେ ଭାଗ୍ୟବଳେ

ହସ୍ତୁ ଫଟି ପଳାଇଲା କର୍ମର ଅବଳେ ।

ତହିଁକି ଶୋଚନା କଲେ ହେବ ଆଉ କିସ

ବିଧାତାର ଘଟସୂତ୍ର ଏସନ ଭବିଷ୍ୟ ।

ଦେହକୁ ଆବୋରି ପ୍ରାଣ ରହିଅଛି ଭଲେ

ପିଣ୍ଡଅକାରଣ ହେବ ପ୍ରାଣ ଛାଡ଼ିଗଲେ ।

ଶ୍ରୀକୃଷ୍ଣ ପ୍ରୀତିରେ ଆମ୍ଭେ ହୋଇଥିଲେ ମୋହ

ତାଙ୍କ ହୃଦରେ ଆମ୍ଭଙ୍କୁ ତିଳେ ନାହିଁ ସ୍ନେହ ।

ନବ ନାଗର ପୁରୁଷ ଅଟେ ଭଗବାନ

ବାହାରେ ଯାହା କରଇ ଭିତରେ ତା ଆନ ।

ସେ ବଡ଼ ନିଷ୍ଠୁର ତାହା ହୃଦେ ନାହିଁ ଦୟା

ଯେତେ କଥା କହଇ ସେ ସବୁ ତାର ମାୟା ।

ଆମ୍ଭେ ଯେ ଷୋଳ ସହସ୍ର ଅଟୁ ଗୋପବାଳୀ

ସୁକୁମାର ସୁଲକ୍ଷଣ ଏକୁ ଏକ ବଳି ।

ଅନୁପମ କାମମୁଦ୍ରା ସର୍ବ ଗୁଣଗ୍ରାହୀ

ଜଣ ଜଣକେ ଇନ୍ଦ୍ରଙ୍କୁ ପାରୁ ଆମ୍ଭେ ମୋହି ।

ବଢ଼ିଲୁ ଅସତ ମାର୍ଗେ ଛାଡ଼ି ଜାତି ଲଜ୍ଜା

ଘର ବର ଆଦି ସବୁ କଲୁ ପରିତ୍ୟଜ୍ୟା ।

ନିସ୍ତରିବୁ ବୋଲି ଘେନିଥିଲୁ ବଡ଼ ବାଛି

ଅସତୀ ହୋଇଲୁ କାର୍ଯ୍ୟ ନ ପାଇଲୁ କିଛି ।

ସପତ ସମୁଦ୍ରେ ପଶି ନ ତିନ୍ତିଲା ପାଦ

ସପ୍ତନିଧି ଆବୋରିଣ ହୋଇଲୁ ଦରିଦ୍ର ।

କାମଧେନୁ ଆଶ୍ରେ କଲୁ ନ ତୁଟିଲା କ୍ଷୁଧା

ମୃତ ସଂଜୀବନୀ ଶିଖି ଲାଗେ ମୃତ୍ୟୁ ବାଧା ।

ସବୁ ଛାଡ଼ି ଶ୍ରୀକୃଷ୍ଣର ପାଦ ଆଶ୍ରେ କଲୁ

କିଛି କାର୍ଯ୍ୟ ନ ହୋଇଲା ଉପହାସେ ମଲୁ ।

ଏହାଶୁଣି ବୋଲେ ଆନ ଏକ ଗୋପାଳୁଣୀ

ସତେ କି ଆମ୍ଭଙ୍କୁ ତ୍ୟାଗ କଲେ ବେଣୁପାଣି ।

ବୁଦ୍ଧିମନ୍ତ ଗୁଣବନ୍ତ ଅଟନ୍ତି ଗୋ ସେହି

ଆମ୍ଭଠାରେ ନିର୍ଦ୍ଦୟ ସେ ହେବେ କାହିଁପାଇଁ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚୌଖାନି

ପାଳନ କରନ୍ତି ନିତ୍ୟେ ଦୟା ଗୁଣ ଘେନି ।

ମନ ବୁଦ୍ଧି ଅହଙ୍କାରେ ନୁହନ୍ତି ସେ ସଙ୍ଗ

ସର୍ବଗୁଣେ ପରିପୂର୍ଣ୍ଣ ଯାହାର ଶ୍ରୀଅଙ୍ଗ ।

ଆରତ ଭଞ୍ଜନବାନା କୃପାଜଳ ରାଶି

ଦୟାସିନ୍ଧୁ ବୋଲି ବେଦ ବେଦାନ୍ତରେ ଭାଷି ।

ଦେବଙ୍କ ଉପରେ ଦେବ ପରଂବ୍ରହ୍ମ ସ୍ଵାମୀ

ସବୁରି ମନ ଜାଣନ୍ତି ସେହି ଅନ୍ତର୍ଯ୍ୟାମୀ ।

ଯା ନାମ ଧରନ୍ତେ ପ୍ରାଣୀ ଭବଜଳୁଁ ତରେ

ଭାବ ଜାଣି ଅନୁଗ୍ରହ ସର୍ବଦା ସେ କରେ ।

ଏଥକୁ ଅଭାବ କେହି ନ ଭାଳ କିଞ୍ଚିତେ

ଆମ୍ଭଙ୍କୁ ସୁଦୟା କୃଷ୍ଣ କରିଛନ୍ତି ଚିତ୍ତେ ।

ଯାହାର ଆଶ୍ରୟେ ପ୍ରାଣୀ କଷ୍ଟହୁଏ ପାରି

ତା ସହିତେ ଅଙ୍ଗସଙ୍ଗ କଲେ ବ୍ରଜନାରୀ ।

ନାନା ପ୍ରେମ କଉତୁକ ହାସ ପରିହାସେ

ସ୍ଵଚ୍ଛନ୍ଦେ ବିହରି ଦିନ ବଞ୍ଚିଲେ ତା ପାଶେ ।

କେତେ ପୁଣ୍ୟେ ସେ ଶ୍ରୀଅଙ୍ଗ ଲାଗି ଆମ୍ଭ ତହିଁ

ଖଣ୍ଡିଲେ ସକଳ ଦୋଷ ସ୍ତିରୀ ଜନ୍ମ ପାଇ ।

ଆମ୍ଭଙ୍କୁ ଉପେକ୍ଷି ଏବେ ଗଲେ ଶିରୀବତ୍ସି

ଅଇଲେ ଏ ଦୁଃଖ ଆଉ ନ ରହିବ କିଛି ।

ଅଳପ ଚାଖିଲେ ଜାଣି ଅମୃତର ସ୍ଵାଦ

ଅଳପ ଘେନନ୍ତି ଲୋକେ ଶିବଙ୍କ ପ୍ରସାଦ ।

ଅଳ୍ପ ରାମ ନାମ ହୃଦେ ଘୋଷି ଯୋଗୀଜନ

ଅଳପେ ଖଣ୍ଡିଲେ ମାୟା ସଂସାର ବନ୍ଧନ ।

ଅଳପ ଅନଳ ପାରେ ସୃଷ୍ଟି ଧ୍ଵଂସ କରି

ଅଳପ ପ୍ରୀତିରେ ବୋଧ କରି ଗଲେ ହରି ।

ଅଳପ ମଣିର ମୂଲ୍ୟେ ପାଇ ବହୁଧନ

ଅଳପ ଭକ୍ତିରେ ତୋଷ ହ୍ଵନ୍ତି ଭଗବାନ ।

ପରଶ ପଥର ଲାଗି ଲୁହା ହୁଏ ସୁନା

ତେସନ ସଞ୍ଜାତ ଆମ୍ଭେ ହେଲେ ଗୋପାଙ୍ଗନା ।

ଖାଲ ଡିଙ୍ଗର ପର୍ବତୁ ଯେତେ ଜଳ ଆସି

ପବିତ୍ର ହୁଅଇ ତାହା ସମୁଦ୍ରରେ ପଶି ।

ସେହି ଜଳ ପ୍ରାୟ ଆମ୍ଭେ ସବୁ ଗୋପୀଯାକ

ଶ୍ରୀକୃଷ୍ଣ ସମୁଦ୍ରେ ପଶି ଖଣ୍ଡିଲୁ ପାତକ ।

ଏ ବଚନ ଶୁଣି ବୋଲେ ଏକଇ ମୃଗାକ୍ଷୀ

ଜୀବ ଥିଲେ ଶ୍ରୀକୃଷ୍ଣଙ୍କୁ ମୂର୍ଚ୍ଛି ନୋହେ ସଖି ।

ପୁରୁଷଙ୍କ ଉତ୍ତମ ସେ ସର୍ବଗୁଣ ରାଶି

କେତେଗୁଣ ତାହାଙ୍କର ବାହୁନିବା ବସି ।

ନୀଳେନ୍ଦ୍ରୀ ଦଳ ପରାୟେ ଦିଶେ ତନୁ କାନ୍ତି

ଯା ପାଦପଦ୍ମକୁ ସମ ନୁହେ ରତିପତି ।

କୁଟିଳ କୁନ୍ତଳେ ଶୋହେ ବର୍ହିପୁଚ୍ଛ ବେଣୀ

ନୀଳଘନ ମଧ୍ୟେ ଯେହ୍ନେ ଉଦେ ତାରାଶ୍ରେଣୀ ।

ନାନାଜାତି କୁସୁମରେ ହୋଇ ପରିମଳ

ମସ୍ତକ ଉପରେ ଶୋଭାପାଏ ଦିବ୍ୟଚୁଳ ।

ଭାଲପଟେ ବିରାଜଇ ଗୋରଚନା ଚିତା

କନ୍ଦର୍ପ ଧନୁକୁ ନିନ୍ଦେ ଚାରୁ ଭୁରୁଲତା ।

କଟାକ୍ଷରୁ ସରି ନୋହେ ମଦନର ବାଣ

ଚାହିଁଲା ମାତ୍ରକେ ହରିନିଏ ମନପ୍ରାଣ ।

ବିମ୍ଵାଧରେ ମନ୍ଦହାସ ଅପୂର୍ବ ଚାହାଣି

ସେ କଥା ଚିନ୍ତିଲେ ସଖି ହୃଦ ହୁଏ ହାଣି ।

ବିକଚ କମଳ ପ୍ରାୟ ଶୋହେ ବେନି ଡୋଳା

ମୁଖଚନ୍ଦ୍ର ଦେଖି ମୋହି ହେଲେ ଗୋପବାଳା ।

ସୁସଞ୍ଚ ସୁନ୍ଦର ନାସା ଅପୂର୍ବ ଶୋଭନ

ଶତବାନି ସୁବଣ୍ଣ କି ଯା ପୀତ ବସନ ।

ତାରାବର୍ତ୍ତକ ମୁକୁତା ଧାଡ଼ି ଥାଇ ଲମ୍ଵ

ହିମବନ୍ତ ପର୍ବତେ କି ଶ୍ଵେତନାଗ ଚୁମ୍ଵ ।

ଅପୂର୍ବ ସୁନ୍ଦର ଦିଶେ ବିମ୍ଵାଧର କାନ୍ତି

ସିନ୍ଦୂର ରେଖା ଲଳିତ ମୁକ୍ତା ଦନ୍ତପନ୍ତି ।

କଣ୍ଠେ ଶୋଭାବନ ନାନା ବର୍ଣ୍ଣ ରତ୍ନହାର

ତାରାଗଣ ଘେନି ଯେହ୍ନେ ଉଦେ ନିଶାକର ।

ହସ୍ତାଙ୍କର ଥୋର ହସ୍ତ ଜାଣି ଭୁଜଦଣ୍ଡ

ସେ ଭୁଜର ବଳେ ଜିଣି ପାରଇ ବ୍ରହ୍ମାଣ୍ଡ ।

ବିଦ ମୁଦି ତାଡ଼ ତୋଡ଼ କଙ୍କଣ ବାହୁଟି

ହୀରା ନୀଳା ଅଷ୍ଟରତ୍ନ ଖଞ୍ଜା ଗୋଟି ଗୋଟି ।

ଅଙ୍ଗୁଳି ଶୋଭା ଯେସନ ଚମ୍ପାଫୁଲ କଢ଼ି

ନଖ ସେବତୀକି ଯାଈଫଳର ପାଖୁଡ଼ି ।

କଟୀ ଶୋଭାକର ହର ଡମ୍ଵରକୁ ଜିଣି

ଆରକତ ପଦ୍ମପ୍ରାୟ ଶୋହେ ପଦ୍ମପାଣି ।

ତ୍ରିକଚ୍ଛ ପୀତବସନ ଅର୍ଦ୍ଧାଞ୍ଜଳି ଫେଡ଼ି

ନବରତ୍ନ ଓଢ଼ିଆଣୀ ତଥିପରେ ଜଡ଼ି ।

ତେଣୁ ଅତି ଶୋଭାବନ ଦିଶୁଥାଇ କଟୀ

ଗୋପ ନାୟିକାଙ୍କ ଧୈର୍ଯ୍ୟ କରଇ ସେ ଲୁଟି ।

ସଧୀରେ ଚାଳଇ ଯେହ୍ନେ ରାଜହଂସ ଚାଲି

ବିରହିଣୀ ହୃଦୟକୁ ହୁଅଇ ସେ ଭାରୀ ।

ଅଣ୍ଡିର କୋକିଳ ପ୍ରାୟ କହନ୍ତି ବଚନ

ସେ ବଚନେ ବନ୍ଦୀ ହେଲା ଗୋପୀଙ୍କର ମନ ।

ଭୋ ସଖି ଏମନ୍ତ ଯେତେ ଶ୍ରୀକୃଷ୍ଣଙ୍କ କଥା

ସୁମରନ୍ତେ ହୃଦ ଫାଟି ଜାତ ହୁଏ ବ୍ୟଥା ।

କେଉଁ ଦଇବର ଆମ୍ଭେ କଲୁ କେତେ ଦୋଷ

ଏଡ଼େ ସୁଖ ଭାଙ୍ଗି କଲା ଆମ୍ଭଙ୍କୁ ନିରାଶ ।

ଭାବ ଲଗାଇ ବିଚ୍ଛେଦ କଲେ ଦେବହରି

କେଉଁଦୋଷେ ଛାଡ଼ିଗଲେ ସ୍ଵହସ୍ତେ ନ ମାରି ।

ନୋହିଲେ ଆମ୍ଭଙ୍କୁ ସଙ୍ଗେ ନେଇଥାନ୍ତେ ଅବା

ପରିଚାରୀ ପଣେ ଆମ୍ଭେ କରୁଥାନ୍ତେ ସେବା ।

ଏତେ ବୋଲି ଶୋକେ ଗଦ ଗଦ ଗୋପନାରୀ

ବେନି ନୟନରୁ ଫାଟି ବହେ ଅଶ୍ରୁବାରି ।

ଭୋ ବିଧାତା କି ବିଚାର କରି ଏହା କଲୁ

ପ୍ରାପ୍ତ ହେବା ନିଧି ଆମ୍ଭ ହସ୍ତ ଘେନିଗଲୁ ।

ଆବର କୃଷ୍ଣଙ୍କୁ ଆମ୍ଭେ ପାଇବୁ ଯେ କାହିଁ

ନିଶ୍ଚେଁ ପ୍ରାଣ ବିସର୍ଜିବୁ ବିଷ ଗୋଳି ଖାଇ ।

ଏମନ୍ତ ବୋଲି ବିକଳ ହୁଅନ୍ତେ ତରୁଣୀ

ଆବର ଗୋପୀଏ ବୋଲେ ଶୁଣ ସଙ୍ଗାତୁଣି ।

ଶ୍ରୀକୃଷ୍ଣର ମାୟା ତୁମ୍ଭେ ନ ଜାଣ ଗୋ କିଛି

ତାଠାରେ ଆମ୍ଭର କିସ ପ୍ରୟୋଜନ ଅଛି ।

ବଡ଼ ନିରପେକ୍ଷ ଦେହୀ ଅଟଇ ସେ କହ୍ନା

ପ୍ରତ୍ୟକ୍ଷରେ ଦେଖିଅଛ ମାଇଲା ପୂତନା ।

ତାକୁ ଆଶ୍ରେ କରି ବୃନ୍ଦା ପ୍ରାଣ ବିସର୍ଜିଲା

ଚନ୍ଦ୍ରାବଳୀ ମରୁଥିଲା ଭାଗ୍ୟରେ ବଞ୍ଚିଲା ।

ଷଣ୍ଢା ଶକଟା ଯାମଳାର୍ଜ୍ଜୁନ କେଶୀ ବକା

ଅଘା ତୃଣା ଆଦି ଯେତେ କଂସାସୁର ସଖା ।

ଧେନୁ କୁବଳୟା ଗଜ ମୁଷ୍ଟିକ ଚାଣୂର

ଏମାନଙ୍କୁ ମାରି କଲା କଂସକୁ ସଂହାର ।

ଏତେ ମାରି ହତ୍ୟା ଦୋଷ ନ ଲାଗିଲା ଯାକୁ

ଆମ୍ଭେମାନେ ମଲେ କିଏ ଭୟ ଅଛି ତାକୁ ।

ଆପଣାର ସୁଖ ଆପେ ଜାଣେ ବନମାଳୀ

ବଚନେ ଯା କହେ ତାହା ନ ପାରଇ ପାଳି ।

ଅନେକ ପୀରତି କରି ଆମ୍ଭଙ୍କୁ ଭଣ୍ଡିଲା

ଏବେ ରାଜ ଭୋଗ ପାଇ ତାହା ପାସୋରିଲା

ଅକ୍ରୂର ସଙ୍ଗତେ ଗଲାବେଳେ ସେ ମାଧୋଇ

ଆମ୍ଭେମାନେ ବୋଲୁଥିଲୁଁ ସଙ୍ଗେ ଯିବାପାଇଁ

ବେନି ତ୍ରୋଶ ଯାଏ ଗଲୁ ପଛରେ ତାହାରି

ଲେଉଟି ଆମ୍ଭଙ୍କୁ ଥରେ ନ ଚାହିଁଲା ହରି ।

ଗୋପ ଛାଡ଼ିଯାନ୍ତେ ଏଡ଼େବଡ଼ ସେ ହୋଇଲା

ଏକାବେଳେ ସବୁ ସ୍ନେହ ମନରୁ ଭୁଲିଲା ।

ଏବେ ସିନା ଜଣାଗଲା ସଖି ତାର ମନ

ତଣ୍ଟିକଟା ଅଟଇ ସେ ନନ୍ଦର ନନ୍ଦନ ।

ଆମ୍ଭ ହୃଦୟରେ ବୁଦ୍ଧି ନ ଥିବାରୁ ଲେଶ

ଜାଣି ନ ପାରିଲୁ ତାର କପଟ ବିଶ୍ଵାସ ।

ଅମୃତ ଦେଖାଇ ବିଷ ଖୁଆଇଲା ପରି

କପଟ ପ୍ରୀତିରେ ଗଲା ଆମ୍ଭଙ୍କୁ ସେ ମାରି ।

ଏବେ ଗୋଷ୍ଠୀ କଲା ଯାଇ ଯାଦବଙ୍କ ମେଳେ

ଗୋପୀଗୋପାଳଙ୍କୁ କିପାଁ ଚାହିଁବ ସେହେଳେ

ରାଜକୁମାରୀମାନଙ୍କୁ ହେବ ତହିଁ ବିଭା

ସେ କନ୍ୟାଙ୍କ ଆଗେ ଆମ୍ଭେ ଦିଶିବା କି ଶୋଭା

ମଥୁରା ନଗରେ ଯେତେ ନାଗରୀ ଯୁବତୀ

ଚଉଷଠି ବନ୍ଧ ନାନା ବିନୋଦ ଜାଣନ୍ତି ।

ନାଗର ପୁରୁଷ ତାଙ୍କ ହସ୍ତେ ଅଛି ପଡ଼ି

ଶୁଦ୍ଧ ସୁବର୍ଣ୍ଣରେ ଯେହ୍ନେ ମରକତ ଜଡ଼ି ।

ଦିନକୁ ଦିନ ପୀରତି ବଢ଼ିଲାକ ଯହୁଁ

ତାଙ୍କଠାରୁ ଉବୁରି ସେ ଆସିବ ବା କାହୁଁ ।

ପଦ୍ମବନ ମଧ୍ୟେ ସଦା ବେଙ୍ଗ ରଖୁଆଳ

ଭ୍ରମର ବିହାର କରେ ଫୁଟିଲେ କମଳ ।

କର୍ପୂର କସ୍ତୁରୀ ଗନ୍ଧ ପନିଅର ଆଣି

ମୁଦି ହୋଇଥିଲେ କେହି ନ ପାରନ୍ତି ଜାଣି ।

ସମ୍ପୂଟ ଫିଟାଇ ଦେଲେ ଚହଟଇ ବାସ

ସୁଗନ୍ଧ ଆମୋଦ ପୂର୍ଣ୍ଣ ହୁଏ ଦଶ ଦିଶ ।

ସେହି ପ୍ରାୟ ତିନିପୁରେ ଶ୍ରୀକୃଷ୍ଣର କୀର୍ତ୍ତି

ଶୁଭିଲାଣି ବଶ ହେବେ ଅନେକ ଯୁବତୀ ।

ବନ ପଶୁ ପ୍ରାୟେ ଆମ୍ଭେ ଅଟୁ ଗୋପଙ୍ଗନା

ଆମ୍ଭପାଇଁ କିପାଁ ସେ ଗୋ କରିବ ଶୋଚନା ।

ଅମେଧ୍ୟରେ ପଡ଼ିଥିଲେ ବ୍ରହ୍ମଜାତି ହୀରା

ଉତ୍ତମ ଲୋକେ କରନ୍ତି ତାକୁ ଗଳେ ହାରା ।

ସଂଯୋଗରେ କାଚ ସ୍ଵର୍ଣ୍ଣ ଏକ ବର୍ଣ୍ଣ ଦିଶେ

ବିଚାରି ଜାଣିଲେ ଏକ ମୂଲ୍ୟ ନୁହଇ ସେ ।

କୋକିଳ ଶିଶୁକୁ ଯେବେ କାକ ପ୍ରତିପାଳେ

ନିଜ ଗୁଣ ଧରଇ ସେ ବସନ୍ତର କାଳେ ।

ଗଜମୁକ୍ତା ପଡ଼ିଥିଲେ ଅରଣ୍ୟ ମଧ୍ୟରେ

କାଳେ ସେ ବସଇ ଯାଇ ନୃପତିଙ୍କ ଶିରେ ।

ଶାଳଗ୍ରାମ ଶିଳା ଯେବେ ନୀଚଗୃହେ ଥିବେ

ବେଦ ଶାସ୍ତ୍ରମତେ ତାଙ୍କୁ ବ୍ରାହ୍ମଣେ ପୂଜିବେ ।

ଉତ୍ତମ ପୁରୁଷ ସ୍ଵାମୀ ଅଟନ୍ତି ଶ୍ରୀଅଙ୍ଗ

କିଛି କାଳ ଆମ୍ଭ ସଙ୍ଗେ କଲେ ଅଙ୍ଗସଙ୍ଗ ।

ପୁଣି ସେ ଲେଉଟି କିପାଁ ଆସିବେ ଏଥକୁ

ସବୁଠାରେ ଭୋଗ ମିଳେ ଶ୍ରୀମନ୍ତ ଲୋକଙ୍କୁ ।

ବଳବନ୍ତ ଗୁଣବନ୍ତ ଲକ୍ଷ୍ମୀଦେବୀ ସାଇଁ

ଯହିଁ ଥିବେ ତହିଁ ତାଙ୍କୁ କିସ ନ ମିଳଇ ।

ଧନ ରତ୍ନ ଅଳଙ୍କାର ସ୍ତିରୀ ନାନା ଦ୍ରବ୍ୟ

ବାଞ୍ଛାକଲେ ଅବହେଳେ ପାଇବେ ସେ ସର୍ବ ।

ଏହା ଶୁଣି ବୋଲେ ଆଉ ଏକ ଚନ୍ଦ୍ରମୁଖୀ

ମୁଁ କହିବା କଥା ତୁମ୍ଭେ ଶୁଣ ସର୍ବ ସଖି ।

ଅଖିଳ ବ୍ରହ୍ମାଣ୍ଡ ନାଥ ସେହି ନାରାୟଣ

ହୃଦୟ ପୋଡ଼ୁଛି ମନେ ଚିନ୍ତି ତାଙ୍କ ଗୁଣ ।

ଯେଉଁଦିନ ଅବତାର ହେଲେ ନନ୍ଦଘରେ

ଚାରିପାଦେ ଲକ୍ଷ୍ମୀ ବିଜେକଲେ ଗୋପପୁରେ ।

ଅଚାଳାଚଳ ସମ୍ପଦ ପୁତ୍ରକନ୍ୟା ନାତି

ଚାହୁଁ ଚାହୁଁ ଅଦଭୂତେ ବଢ଼ିଲା ବିଭୂତି ।

ସ୍ଵର୍ଗସମ ଗୋପପୁରେ ବିକାଶିଲା ଶୋଭା

ବୃଦ୍ଧମାନେ ପାଲଟିଣ ହେଲେ ନବଯୁବା ।

ଧରଣୀରେ ଉପୁଜିଲା ନାନା ପୁଷ୍ପ ଫଳ

ଇଚ୍ଛା କଲେ ମେଘମାନେ ବରଷିଲେ ଜଳ ।

ରୋଗ ଶୋକ ମୃତ୍ୟୁବାଧା ନ ଜାଣିଲେ କେହି

ନାନା ଉପଦ୍ରବୁ ରକ୍ଷା କଲେ ବେନି ଭାଇ ।

ରାତ୍ର ଦିବସ ବର୍ତ୍ତନ୍ତି ରାହାସ ବିନୋଦେ

ସର୍ବ ଗୋପୀଙ୍କି ମୋହିଲେ ଏକା ବଂଶୀନାଦେ

ନାନାରଙ୍ଗେ କ୍ରୀଡ଼ା କଲେ ଆମ୍ଭସଙ୍ଗେ ହରି

ସେ କଥା ସ୍ମରିଲେ ହୃଦ ହେଉଛି ବିଦାରି ।

ବତିଶ ଯେ ଆଲିଙ୍ଗନ ଷୋଳକଳା ରତି

ଚୌଷଠି ବନ୍ଧେ ଶୃଙ୍ଗାର ଆଳାପ ପୀରତି ।

ଜାରଣ ମାରଣ ଆଦି ସମ୍ଭାଷଣ ଲୀଳା

ସବୁ ରସେ ରସାଇଲେ ସେହି ନନ୍ଦବଳା ।

କଦମ୍ଵ ବୃକ୍ଷରେ ଉଠି ବଜାଇଲେ ବେଣୁ

ଆମ୍ଭ ପଞ୍ଚଭୂତ ଆତ୍ମା ହରି ନେଲେ ତେଣୁ ।

ଲଳିତ ଗାନ୍ଧାର ରାଗେ ଗାଇଲେ ସେ ଗୀତ

ଶୁଣିଲା ମାତ୍ରକେ ଅଙ୍ଗ ହେଲା ପୁଲକିତ ।

ମୃଦଙ୍ଗ କଂସାଳ ବୀଣାଯନ୍ତ୍ର ଅଳାବେଣୀ

ମର୍ଦ୍ଦଳ ପଟ୍ଟହ ବଜାଇଲେ ଚକ୍ରପାଣି ।

ତାଣ୍ଡବ ରଙ୍ଗରେ ପଶି କଲେ ଦିବ୍ୟ ନାଟ

ଷୋଳସସ୍ର ଗୋପୀ ଆମ୍ଭେ ହୋଇଲୁ ଉଚ୍ଚାଟ ।

ଆମ୍ଭଙ୍କୁ ସୁଦୟା ଚିତ୍ତେ କଲେ ପୀତବାସ

ଖଟିଲୁ ଅଭେଦ ଆତ୍ମା ହୋଇ ତାଙ୍କ ପାଶ ।

ଘର ବର ତେଜି ଲଜ୍ଜା ନ ଧଇଲୁ ମନେ

ସର୍ବଦା ସେବିଲୁ ତାଙ୍କୁ ବୁଲି କୁଞ୍ଜବନେ ।

ଶାଶୁ ଶ୍ଵଶୁର ଦିଅର ପତି ପୁତ୍ର ମୂର୍ଚ୍ଛି

ପିତା ମାତା ସହୋଦର ଭାଇ ବନ୍ଧୁ ଲେଛି ।

ଇଚ୍ଛାସୁଖେ ବରିଥିଲୁ ଯାକୁ ଭର୍ତ୍ତା କରି

କେବଣ ଦଇବ ତାକୁ ନେଲା ଏବେ ହରି ।

ଅସତୀ ହୋଇଲୁ ମାତ୍ର ନ ପୂରିଲା ଆଶ

ଏଡ଼େ ବଡ଼ ପ୍ରୀତି ହେଲା ଅଳ୍ପକରେ ନାଶ ।

ଏତେ କହିଣ ଆକୁଳ ହେଲେ ଗୋପାଙ୍ଗନା

କହୁ କହୁ ନ ରହିଲା ଅଙ୍ଗରେ ଚେତନା ।

ଶୁକମୁନି ବୋଲନ୍ତି ହୋ ଶୁଣ ପରୀକ୍ଷିତ

ପବିତ୍ର ପୁରାଣ ଏ ଯେ ଶ୍ରୀହରିଚରିତ ।

ଏକ ସଖୀ ଅସାଷ୍ଟମେ ଆରେକ ତରୁଣୀ

ବିକଳ ହୋଇଣ ବୋଲେ ଶୁଣ ସଙ୍ଗାତୁଣୀ ।

ଶ୍ରୀକୃଷ୍ଣ ଚିନ୍ତାରେ ଏତେ ଆରତ ତୁ ନୁହ

ତୋ ବିକଳ ଦେଖି ମୋର ନ ସହଇ ଦେହ ।

ସରିଲାଣି ଦମ୍ଭପଣ କୃଷ୍ଣ ଗଲା ଦିନୁ

ତିଳେ ହେଲେ ତାଙ୍କ କଥା ନ ଛାଡ଼ିଲା ମନୁ ।

ନ ଲାଗଇ କ୍ଷୁଧା ତୃଷା ନିଦ୍ରା ନାହିଁ ରାତ୍ରେ

ପୋଡ଼ୁଛି ବିରହାନଳ ପଶି ମୋର ଗାତ୍ରେ ।

ସବୁକାଳେ କରି କରି ସେହି କୃଷ୍ଣ ଚିନ୍ତା

ଖାଇବାକୁ ଅନ୍ନ ମୋତେ ଲାଗିଲାଣି ପିତା ।

ଚକ୍ଷୁ କର୍ଣ୍ଣ ନାସା ଆଦି ଇନ୍ଦ୍ରିୟଙ୍କ ଭୋଗ

ବସନ ଭୂଷଣ ମାଲ୍ୟ ସବୁ କରି ତ୍ୟାଗ ।

ଗଜଦନ୍ତ ପଲ୍ୟଙ୍କରେ ଶେଯାଇ ହଁସୁଲୀ

କର୍ପୂର ପନୀର ଗନ୍ଧ ରଖିଥାଏ ଗୋଳି ।

ଯେତେବେଳେ ନ ଦେଖିଲି ଶ୍ରୀକୃଷ୍ଣ ବଦନ

ତା ମୋତେ ଲାଗିଲା ଯେହ୍ନେ ପ୍ରଳୟ ଦହନ ।

ବାଲିରେ ପଡ଼ିଛି କୃଷ୍ଣ ଚରଣ ପଙ୍କଜ

ଯମୁନାକୁ ଗଲାବେଳେ ଦେଖିଲି ମୁଁ ଆଜ ।

ସାଉଁଟି ଆଣିଲି କରେ ସେ ଚରଣ ଧୂଳି

ମସ୍ତକରୁ ପାଦଯାଏ ଅଙ୍ଗେ ଦେଲି ବୋଳି ।

ଗତ କଥାମାନ ସବୁ ମନ ମଧ୍ୟେ ସ୍ମରି

ଅସାଷ୍ଟମ ହେଲି କାମବାଣେ ହୋଇ ଘାରି ।

ଏକାନ୍ତ କ୍ରୀଡ଼ାରେ ଭୂମି ଲତା କୁଞ୍ଜବନ

ଏକାହୋଇ ବୁଲି ବୁଲି ଦେଖିଲି ସେମାନ ।

ଯେଉଁଠାରେ କୃଷ୍ଣ ମୋତେ କରିଥିଲେ ଯାହା

ଆଦି ଅନ୍ତ କରି ରଖି ଚିତୋଇଲି ତାହା ।

ତେତେବେଳୁ ପ୍ରାଣ ମୋର ହେଉଛି ଆଉଟି

ନିରନ୍ତର ଜପୁଅଛି କୃଷ୍ଣନାମ ଗୋଟି ।

କବୀରର ଫୁଲ ମୋତେ ଲାଗୁଅଛି ଭାର

ସର୍ପ ପ୍ରାୟ ମଣିଲି ମୁଁ ଗଳା ରତ୍ନହାର ।

କର୍ପୂର କସ୍ତୁରୀ ଗନ୍ଧ ଯେ ପନୀର ପାଣି

ପରିତ୍ୟାଗ କଲି ସଖି ଅଗ୍ନି ପ୍ରାୟ ମଣି ।

ପରିଧାନ ଝୀନବାସ ହେଲା ମୋତେ ଗରୁ

ଖଳ ଖଳ ହୋଇ ଜାଳ ବହଇ ଦେହରୁ ।

ଭାସିଲି ମଦନ ଜଳେ ନ ପାଇଣ କୂଳ

ତାରିବାକୁ ନାବ ଏକା ସେହି ନନ୍ଦବାଳ ।

ସତେ କି ଦେଖିବି ଆଉ ସେ ମୁଖ ମାଧୁରୀ

ଏତେ ବୋଲି ଉଚ୍ଚେ ଶୋକ କଲା ଗୋପନାରୀ

ଆଉ ଏକ ସଖୀ ବୋଲେ ସତ ପ୍ରାୟ ମଣୁ

ଆଉ କି ଶୁଣିବା କର୍ଣ୍ଣେ ସେ ବିରହ ବେଣୁ ।

ବାହୁଡ଼ି ନିକୁଞ୍ଜବନେ ସେହିମତି ହୋଇ

ଏ ଜନ୍ମେ ଲୋଡ଼ିଲେ ଆମ୍ଭେ ପାଇବା ଯେ କାହିଁ

ଯେଉଁଦିନ ଗଲେ ରାମକୃଷ୍ଣ ଗୋପ ଛାଡ଼ି

ସେହି ଦିନୁ ସବୁ ସୁଖ ସଙ୍ଗେ ନେଲେ କାଢ଼ି ।

ଆବର ଏଠାରେ ଆମ୍ଭେ ରହି କି କରିବା

ସେ ଯହିଁ ଅଛନ୍ତି ଚାଲ ସେହିଠାକୁ ଯିବା ।

ପରିବାରୀପଣେ ତାଙ୍କ ପାଦେ ଥିବା ଖଟି

ଏଠାରେ ରହିଲେ ପ୍ରାଣ ଯିବ ହୃଦ ଫାଟି ।

ଆଉ ଏକ ଗୋପୀ ବୋଲେ କୃଷ୍ଣର କି ଦୋଷ

କେବଳ ଅକ୍ରୂର ଆସି ସବୁ କଲା ନାଶ ।

ତାହାଠାରୁ କ୍ରୂରକର୍ମା ଜଗତେ କେ ନାହିଁ

କେମନ୍ତେ ଅକ୍ରୂର ବୋଲି ନାମ ଅଛି ବହି ।

ଏହିମତେ ପରସ୍ପରେ ସର୍ବ ଗୋପବାଳୀ

ଆକୁଳ ହୁଅନ୍ତି ରାମକୃଷ୍ଣ କଥା ଭାଳି ।

ଭୋଜନ ଶୟନ ଗୃହ ଦାଣ୍ଡ ଜଳଘାଟେ

ବାତୁଳୀ ପରାଏ ହ୍ଵନ୍ତି ଶ୍ରୀକୃଷ୍ଣ ଉଚ୍ଚାଟେ ।

ନବଲକ୍ଷ ସଂଖ୍ୟା ଗୃହ ବସେ ଗୋପପୁରେ

ଯେତେ ନରନାରୀ ବାସ କରନ୍ତି ତହିଁରେ ।

ସମସ୍ତେ କହନ୍ତି ବାଟଘାଟେ ସେହି କଥା

ରାମକୃଷ୍ଣ ବିନୁ ଆନ ନ ରୁଚେ ସର୍ବଥା ।

ଶୁଣ ହେ ପରୀକ୍ଷରାଜ ଶୁକ ଯେ କହନ୍ତି

ଇତି ଶ୍ରୀପୁରାଣେ ହରିବଂଶ ପୁଣ୍ୟକୀର୍ତ୍ତି ।

ସେ ଶୁକମୁନିଙ୍କ ପାଦେ କୋଟି ନମସ୍କାର

କହଇ ଅଚ୍ୟୁତ ଦାସ ହରିବଂଶ ସାର ।

ଜଗତ ବନ୍ଦନ କୃଷ୍ଣ ରାଧିକାବଲ୍ଲଭ

କୃପାକରି ପ୍ରଭୁ ମୋତେ ଦିଅ ସଦଭାବ ।

 

ଉଦ୍ଧବର ଗୋପପୁରରେ ରାମ କୃଷ୍ଣଙ୍କ ବାର୍ତ୍ତା ପ୍ରଦାନ

ଏଥୁଅନ୍ତେ ଶୁକମୁନି ବୋଇଲେ ରାଜନ

କହିବା ଶ୍ରୀକୃଷ୍ଣ ଲୀଳା ହେତୁକରି ଘେନ ।

ଏସନେ ଗୋପିକାମାନେ ଖଳବଳ ହ୍ଵନ୍ତେ

ଉଦ୍ଧବ ଗୋପକୁ ଗଲେ ବସି ନିଜ ରଥେ ।

ଆନନ୍ଦେ ଗଦ୍‌ଗଦ ପୁଲକଇ ରୋମାବଳି

ନଗ୍ର ଚଉକତି ଚାହିଁ ନ ପାରନ୍ତି କଳି ।

ଗୋପୀଜନମାନେ ତାହା ଦେଖନ୍ତେ ନେତ୍ରରେ

ଧାଇଁଲେ ଅପୂର୍ବ ପ୍ରାୟେ ମଣି ଯେ ଯାହାରେ ।

ଉଦ୍ଧବ ରଥର ଚଉପାଶେ ବେଢ଼ିକରି

ନିରୋପି ଚହିଁଲେ ସର୍ବେ ଏକ ଦୃଷ୍ଟି କରି ।

ତଥ୍ୟକରି ଜାଣିଲେ ଏ ନୁହନ୍ତି ମାଧବ

ଥୋକାଏ ବୋଲନ୍ତି ଏ ତ ଅଟଇ ଉଦ୍ଧବ ।

କେ ବୋଲଇ ଗୋପକୁ ଏ ଆସିଛି କିପାଁଇ

ତଥ୍ୟ ଜଣାଯିବ ସଖି ପଚାର ଗୋ ଯାଇ ।

କେ ବୋଲଇ ରାଜାଙ୍କର ଅଟଇ ଏ ଦୂତ

ଅମନାତ୍ୟ ଅଧିକାରୀ ଯଦୁବଂଶ ଗୋତ୍ର ।

 

ଏଡ଼େ ବଡ଼ଲୋକ ଯେବେ ଏଥକୁ ଆସିଛି

ଅବଶ୍ୟ ଏଥିରେ କଥା ସନ୍ଧି ଥିବ କିଛି ।

ଏହା ପ୍ରାୟ ରଥେ ବସି ଅକ୍ରୂର ଅଇଲା

ଗୋପ ନଗରରୁ ଶିରୀ ଘେନି ପଳାଇଲା ।

ଏ ଉଦ୍ଧବ ସେହିମତି ରାଜାଙ୍କର ଦୂତ

କି ନିମନ୍ତେ ଆସିଅଛି ବୁଝ ଗୋ ତଦନ୍ତ ।

ଥୋକାଏ ବୋଲନ୍ତି ଏଥୁ ନେବ କେଉଁଦ୍ରବ୍ୟ

ରାମକୃଷ୍ଣ ଗଲାଦିନୁ ସରିଲାଣି ସର୍ବ ।

ଥୋକେଗୋପୀ ବୋଲନ୍ତି ଗୋ କିପାଁ କର ଭୟ

ବାରତା ଶୁଣିବା ଯାଏ ହୋଇଥିବା ଥୟ ।

ଏସନକ ପରସ୍ପରେ ଭାଳି ଗୋପନାରୀ

ଉଦ୍ଧବ ମୁଖକୁ ଚାହିଁ ବାରତା ପଚାରି ।

ହେ ଉଦ୍ଧବ ତୁମ୍ଭେ ଗୁଣବନ୍ତ ଶିରୋମଣି

ମଥୁରା ରାଜାଙ୍କ ପାତ୍ର ରାଜ୍ୟରେ କାରେଣି ।

ତୁମ୍ଭପରା ଲୋକ କିପାଁ ଏକରଥେ ଚଢ଼ି

ଗୋପପୁରେ ଆସିଅଛି କହ କୂଟ ଛାଡ଼ି ।

ତୁମ୍ଭ ଆଗମାନେ ଆମ୍ଭେ ଆତଙ୍କ ହେଉଛୁ

ତେଣୁ ତୁମ୍ଭ ଆଗେ ମିଳି ବାର୍ତ୍ତା ପଚାରୁଛୁ ।

ଗୋପିକାମାନଙ୍କ ମୁଖୁଁ ଏ ବଚନ ଶୁଣି

ଉଦ୍ଧବ କହିଲେ ତାଙ୍କୁ ହସି ମଞ୍ଜୁବାଣୀ ।

ତୁମ୍ଭେ ଗୋପିମାନେ ଅଟ ଶ୍ରୀକୃଷ୍ଣଙ୍କ ଦେହ

ବାର୍ତ୍ତା ଘେନି ଆସିଅଛି ଆର୍ତ୍ତ କେହୁ ନୁହ ।

ତୁମ୍ଭ ସମାପକୁ ମୋତେ ପେଷି ନାରାୟଣ

ଯାହା କହିଛନ୍ତି ତାହା ଏକମନେ ଶୁଣ ।

ତୁମ୍ଭ ଗୁଣମାନ ହରି ଅନ୍ତର୍ଗତେ ଗୁଣି

ନ ସରଇ ଦିନ ତାଙ୍କୁ ନ ରୁଚଇ ପାଣି ।

ଅନ୍ନ ମଧ୍ୟ ନ ରୁଚଇ କରିବାରୁ ଖେଦ

ସେହିମତ ନିଶାକାଳେ ନ ଲାଗଇ ନିଦ ।

ସନକାଦି ଋଷି ଯାକୁ କରୁଥାନ୍ତି ଧ୍ୟାନ

ତୁମ୍ଭଠାରେ ମନଦେଇ ସେହି ଭଗବାନ ।

ରାଜଭୋଗ ଆଦି ସୁଖ ତୁଚ୍ଛପ୍ରାୟ ମଣି

ଆରତ ହୁଅନ୍ତି ସଦା ତୁମ୍ଭ ଗୁଣ ଗୁଣି ।

ସ୍ଵର୍ଗ ମଞ୍ଚ ପାତାଳରେ ତୁମ୍ଭ ଜନ୍ମ ସାଧୁ

ଏ ଦେହେ ନିସ୍ତାର ଯେଣୁ ହେଲ ଗୋପବଧୁ ।

କେବଣ ତୀର୍ଥରେ ବସି କଲ ବେତେ ତପ

ନିରନ୍ତରେ କରୁଅଛ କୃଷ୍ଣ ନାମ ଜପ ।

ଜଗତମୋହନୀ ଅଟେ ଯେଉଁ ବିଷ୍ଣୁ ମାୟା

ଜନ୍ମ ମରଣ ଖଣ୍ଡିଲ ଦେଖି ତାଙ୍କ କାୟା ।

ଯେଉଁ ପାଦ ପଖାଳିଲେ ଆପେ ବେଦବର

ଯେଉଁ ପାଦୋଦକ ଶିରେ ଧରିଲେ ଶଙ୍କର ।

ଶାପେ ଶିଳା ହୋଇଥିଲେ ଗଉତମ ନାରୀ

ଯେଉଁ ପାଦରଜ ଲାଗି ଗଲେ ସେ ନିସ୍ତରି ।

ଯେଉଁ ପାଦେ ବିଭୀଷଣ ପଶନ୍ତେ ଶରଣ

ଚିରଜୀବୀ ହୋଇଲା ସେ ନ ପାଇ ମରଣ ।

ଯେଉଁ ପାଦେ ରସାତଳଗାମୀ ହେଲା ବଳି

ଯେଉଁ ପାଦ ଆଶ୍ରୟରେ ହନୁ ବହାବଳୀ ।

ଯେଉଁ ପାଦପଦ୍ମ ସେବା କରନ୍ତି ଚଞ୍ଚଳା

ଶକଟାସୁର ଯେବଣ ପାଦଘାତେ ମଲା ।

ଯେଉଁପାଦ ଆଶ୍ରେକରି ଶୁକ ମହାମୁନି

ମାତାଗର୍ଭେ ଥାଇ ବେଦ ପଢ଼ି ହେଲେ ଜ୍ଞାନୀ ।

ଯେଉଁ ପାଦେ ସେବାକରି ଜନକ ତନୁଜା

ମହାଯତି ହୋଇଣ ସେ ପାଇଥିଲେ ପୂଜା ।

ଯେଉଁ ପାଦରଜ ଘେନି ଗଙ୍ଗାନଦୀ ବହି

ପତିତପାବନୀ ନାମ ଆପେ ଛନ୍ତି ବହି ।

ଯୋଗୀ ମୁନି ଆଦିକରି ଯେତେ ସିଦ୍ଧଯତି

ଯେଉଁ ପାପପଦ୍ମ ପୂଜି ଲଭିଲେ ସଦ୍‌ଗତି ।

ଯେଉଁ ପାଦ ଆଶ୍ରେକରି ଉଗ୍ରସେନ ରାଜା

ମଥୁରା ନଗରେ ବସି ପାଉଛନ୍ତି ପୂଜା ।

ଯେବଣ ପାଦକୁ ହର ବ୍ରହ୍ମା ପୂଜାକରି

ସେହି ପାଦ ମଞ୍ଚାଳିଲ ତୁମ୍ଭେ ଗୋପନାରୀ ।

ଆବର କି ତୁମ୍ଭ ଅଙ୍ଗେ ଅଛି ଆଉ ପାପ

ଏ ଦେହେ ଖଣ୍ଡିଲ ଜନ୍ମ ମରଣ ସନ୍ତାପ ।

ତୁମ୍ଭଙ୍କୁ ଦେଖିଲି ମୋର ଥିଲା ପୂର୍ବଭାଗ୍ୟ

ଷଡ଼ାର୍ଘ୍ୟ ପୂଜାକୁ ତୁମ୍ଭେମାନେ ଅଟ ଯୋଗ୍ୟ ।

ତୁମ୍ଭ ଦର୍ଶନରେ ଆଜ ମୁକ୍ତ ହେଲି ମୁହିଁ

ଖଣ୍ଡିଲି ସକଳ ପାପ ନରତନୁ ବହି ।

ଜଣ ଜଣକରେ ତୁମ୍ଭେମାନେ ମହାଜ୍ଞାତା

କୃଷ୍ଣର ବଲ୍ଲଭୀ ତୁମ୍ଭେ ଅଟ ମୋର ମାତା ।

ଲକ୍ଷ୍ମୀଅଂଶେ ଜନ୍ମିଅଛ ସର୍ବ ଗୋପାଙ୍ଗନା

ତୁମ୍ଭର ମହିମା କେବା କରିବ ବର୍ଣ୍ଣନା ।

ତେଣୁ ତୁମ୍ଭଠାରେ କୃଷ୍ଣ ବଢ଼ାଇଲେ ସ୍ନେହ

ଆବର ବିଶେଷେ ତୁମ୍ଭେ ଅଟ ତାଙ୍କ ଦେହ ।

ଅଶେଷ କୋଟି ବ୍ରହ୍ମାଣ୍ଡ ଯା ମାୟାରୁ ଜାତ

ମାୟାରେ ଭୁଲାଇ ନେଲ ତୁମ୍ଭେ ତାଙ୍କ ଚିତ୍ତ ।

ତୁମ୍ଭଠାରେ କୃଷ୍ଣଙ୍କର ମନ ଅଛି ରହି

ତୁମ୍ଭ ମନ ତାଙ୍କଠାରୁ ଭିନ୍ନ ହୋଇ ନାହିଁ ।

ଭକ୍ତିରେ ପ୍ରଭୁଙ୍କ ମନ ତୁମ୍ଭେ ନେଲ ହରି

ବ୍ରହ୍ମାରୁଦ୍ର ଇନ୍ଦ୍ର ଯାହା ନ ପାରନ୍ତି କରି ।

ତୁମ୍ଭମାନଙ୍କର ଗୁଣ କହିବଇଁ କେତେ

ମୂର୍ତ୍ତିମନ୍ତ ବିଷ୍ଣୁପ୍ରାୟ ଦିଶୁଛନ୍ତି ମୋତେ ।

ଆବର ମଥୁରାପୁରେ ଯିବି ମୁଁ କିପାଇଁ

ତୁମ୍ଭ ସେବା କରୁଥିବି ଏହିଠାରେ ଥାଇ ।

ତୁମ୍ଭ ମୁଖୁଁ ରାମକୃଷ୍ଣ ନାମ ଶୁଣୁଥିବି

ଯମୁନା ନଦୀର ଜଳେ ସ୍ନାହାନ କରିବି ।

ତୁମ୍ଭ ସଙ୍ଗେ ସଙ୍ଗୀ ହୋଇ ଆନନ୍ଦ ମନରେ

ଚିନ୍ତା ଛାଡ଼ି ବୁଲୁଥିବି ନିକୁଞ୍ଜ ବନରେ ।

ଇଚ୍ଛାସୁଖେ ଗାଈକ୍ଷୀର କରୁଥିବି ପାନ

ଏଥିରୁ ଅଧିକ ଆଉ ଅଛଇ କି ପୁଣ୍ୟ ।

ଏତେ ବୋଲି ଉଦ୍ଧବ ଯେ ପୁଲକିତ ଦେହୀ

କଣ୍ଠ ଗଦଗଦ ନେତ୍ରୁ ଆନନ୍ଦାଶ୍ରୁ ବହି ।

ସମାଦିବିବରେ ମନ ଲାଗି ଅନୁପମ

ସମସ୍ତ ପାସୋରି ଏକା ସ୍ମରେ କୃଷ୍ଣନାମ ।

ହରେ କୃଷ୍ଣ ହରେ ରାମ ବୋଲି ମୁଖେ ଘୋଷି

ରଥରୁ ଓହ୍ଲାଇ ତଳେ ଉଭା ହେଲେ ଆସି ।

ଶତେବାର ପ୍ରଣିପାତ କରିଣ ନିର୍ଭରେ

ଭୂମିରେ ଶୁତିଲେ ଗୋପୀମାନଙ୍କ ଛାମୁରେ ।

ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ନୃମଣି

ଉଠ ଉଦ୍ଧବ ବୋଲନ୍ତି ସର୍ବ ଗୋପାଳୁଣୀ ।

ଶୁଣି ଉଦ୍ଧବ ଉଠିଣ ଯୋଡ଼ି କରପତ୍ର

ଆନନ୍ଦରେ ଜରଜର ଉଲ୍ଲସଇ ଗାତ୍ର ।

ଗୋପୀଏ ବୋଇଲେ ତୁମ୍ଭେ ଛାଡ଼ ସବୁକଥା

ସଂକ୍ଷେପିଣ କହ ରାମ କୃଷ୍ଣଙ୍କ ବାରତା ।

ଦୁରାତ୍ମା ଅକ୍ରୂର ଏଡ଼େ କ୍ରୂରକର୍ମ କଲା

ଶରୀର ଭିତରୁ ଆମ୍ଭ ପ୍ରାଣ କାଢ଼ିନେଲା ।

ଆମ୍ଭଙ୍କୁ ଉପେକ୍ଷି ବାବୁ ଗଲେ ଭଗବାନ

ଆମ୍ଭ ତହିଁ ତ ତାଙ୍କର ଅଛିଟି କି ମନ ।

ସର୍ବଶୁଭେ ରାମକୃଷ୍ଣ ଅଛନ୍ତି କି କହ

ସେଠା ଲୋକେ କରନ୍ତି କି ତାଙ୍କଠାରେ ସ୍ନେହ

ହସଖେଳ କରନ୍ତି ସେ ବୁଲି କାହା ସଙ୍ଗେ

ଗୁପତ କଥା କହନ୍ତି ବିଶ୍ଵାସେ କା ଆଗେ ।

କୀର୍ତ୍ତ ଅପକୀର୍ତ୍ତି ଧନ ଅରଜି ପୌରୁଷେ

ମଥୁରା ଲୋକଙ୍କ ମନ ରଞ୍ଜାଇଲେ କି ସେ ।

ଆମ୍ଭମାନଙ୍କର ଆଶା ଦେଇଛନ୍ତି ଖଣ୍ଡି

ସତ୍ଵରେ ଆସିବି ବୋଲି କହିଗଲେ ଭଣ୍ଡି ।

ଏବେ ସେ ଆସିବା ପାଇଁ କରନ୍ତି କି ମନ

ପଥୁକୀ ପ୍ରାୟେ ବିଚ୍ଛେଦ କଲେ ଭଗବାନ ।

ବିଶ୍ଵାସଘାତକ ପାପ ଅର୍ଜିଲେ ଶ୍ରୀବତ୍ସି

ଆମ୍ଭେ ଗୋପବାଳୀ ତାଙ୍କୁ ନ ପାରୁ ମୁରୁଛି ।

ଉଦ୍ଧବ ବୋଇଲେ ତୁମ୍ଭେ ନ ହୁଅ ଆକୁଳ

ବାର୍ତ୍ତା ଦେଇ ପେଷିଛନ୍ତି ମୋତେ ଆଦିମୂଳ ।

ଅତି ସ୍ନେହେ କହିଛନ୍ତି ପ୍ରଭୁ ବାସୁଦେବ

ଗୋପୀଗୋପାଳଙ୍କ ଆଗେ ବୁଝାଇ କହିବ ।

ଆପେ ଆସୁଥିଲେ ରାଜକାର୍ଯ୍ୟ ପଡ଼ିବାରୁ

ବାହୁଡ଼ାଇ ନେଲା ଚାର ଆସିଣ ବାଟରୁ ।

ତେଣୁ ମୋତେ ଆଜ୍ଞାଦେଇ ପଠାଇଲେ ବେଗେ

ବୋଇଲେ କହିବ ନନ୍ଦ ଯଶୋଦାଙ୍କ ଆଗେ

ଗୋପୀମାନଙ୍କର ଆଗେ କହିବ ଏ କଥା

ତୁମ୍ଭେମାନେ କେହି କିଛି ନ ପାଇବ ବ୍ୟଥା ।

ବିଳମ୍ଵ ହୋଇଲା ବୋଲି ନୋହିବ ବିମୁଖ

ଆମ୍ଭ ଶ୍ରୀହସ୍ତର ଭାଷା ପତ୍ର ଘେନି ଦେଖ ।

ଶ୍ରୀକୃଷ୍ଣ ଆଜ୍ଞାରେ ମୁହିଁ ରଥ ଚଢ଼ି ବେଗେ

ଆସିଲି କହିବା ପାଇଁ ଏହା ତୁମ୍ଭ ଆଗେ ।

ଉଦ୍ଧବ ବଚନେ ଗୋପୀଗଣ ହୋଇ ଶାନ୍ତି

ବିଚାରିଲେ ନିଶ୍ଚେଁ କୃଷ୍ଣ ଆସିବେ ଏଘାନ୍ତି ।

ଏ ଉଦ୍ଧବ ଅଟନ୍ତି ତ କୃଷ୍ଣଙ୍କର ପ୍ରାଣ

ଏହାଙ୍କ ବଚନ କିପାଁ ହେବ ଅପ୍ରମାଣ ।

ସତ୍ୟବାଦୀ ପୁରୁଷ ଏ ନ କହନ୍ତି ମିଛ

ଅବଶ୍ୟ ଏଠାକୁ ଆସିବେ ସେ ନନ୍ଦବତ୍ସ ।

ଏମନ୍ତ ବିଚାରି ଦାଣ୍ଡ ଖରକାଇ ଲୋକେ

ଚନ୍ଦନ ଗୋଳିଣ ଛେରା ପକାଇଲେ ଥୋକେ ।

ଦ୍ଵାରେ ଦ୍ଵାରେ ପୂର୍ଣ୍ଣକୁମ୍ଭ ଆରୋପିଲେ ଆଣି

ମଙ୍ଗଳ ଆଳତି ସଜ୍ଜା କରନ୍ତି ତରୁଣୀ ।

ଦଧି ମତ୍ସ୍ୟ ଅନୁକୁଳ ଥୋଇ ଆନନ୍ଦରେ

ପୋତିଲେ କଦଳୀ ସ୍ତମ୍ଭ ଆଣି ଦ୍ଵାରେ ଦ୍ଵାରେ ।

କାନ୍ଥବାଡ଼ ଧଉଳାଇ ଲେଖନ୍ତି ପିତୁଳୀ

ଆନନ୍ଦ ଉତ୍ସବେ ମନ ପଡ଼ଇ ଉଛୁଳି ।

ମେଲା କାଠମାନଙ୍କର ବାନ୍ଧି ଉଭା ତ୍ରୋଣା

ସୁବର୍ଣ୍ଣ କଳଶ ପରେ ନେତ ଜଗଜ୍ଜିଣା ।

ଅନେକ ଉତ୍ସବ କରି ମଣ୍ଡିଲେ ନଗର

ବୋଲନ୍ତି ଆସିବେ ନିଶ୍ଚେ ରାମ ଦାମୋଦର ।

ଉଚ୍ଚାଟ ହୋଇ ଆସିଲେ ସର୍ବେ ଆଶା ଟେକି

ବାଟକୁ ଯାଇଣ ଥୋକେ ଚାହାନ୍ତି ନିରେଖି ।

ବାରତା ଶୁଣନ୍ତି ଥୋକେ ଆଗଭର ହୋଇ

କେ ବୋଲଇ ଅଧବାଟେ ହେଲେଣି କହ୍ନାଇ ।

କେ ବୋଲଇ ମିଳିଲେଣି ଆସି ନନ୍ଦଘରେ

ଶୁଣିଣ ଧାମନ୍ତି ଥୋକେ ଉଠି ଯେ ଯାହାରେ ।

ବିରହେ ବିହ୍ଵଳା ହୋଇ ସର୍ବ ଗୋପାଳୁଣୀ

ଦଧି ବୋଲି ଘୃତଭାଣ୍ଡେ କେ ପୂରାଏ ପାଣି ।

କ୍ଷୀର ବୋଲି କେଉଁ ଗୋପୀଢାଳେ ତୈଳ ଘଟ

ଘର ବୋଲି ବାହାରେ କେ ପକାଇଲା ଖଟ ।

ହଳଦୀ ବୋଲି ଗୋବର କେ ହୁଅଇ ବୋଳି

ଦଧି ବୋଲି ଚୂନଭାଣ୍ଡ ମନ୍ଥେ କେଉଁବାଳୀ ।

ଘଟୀ ବୋଲି ବେସରକୁ ଘଷନ୍ତି କେ ଅଙ୍ଗେ

ସ୍ଵାମୀ ବୋଲି ମିଳଇ କେ ଦେଢ଼ଶୁର ଆଗେ ।

ଚଉଁରୀ ବିଭ୍ରମେ କେହୁ ଖୋଷେ କଳାକନା

ପଣାବୋଲି ଗୋମୂତ୍ରରେ କେ ଭରଇ ଛେନା

ଝୀନବସ୍ତ୍ର ପ୍ରାଏ ମଣି ଜାଲ କେହୁ ପିନ୍ଧେ

ରତ୍ନବସ୍ତ୍ର ବୋଲି ସୂତା ଦଉଡ଼ି କେ ବାନ୍ଧେ ।

ଶିବଲିଙ୍ଗ ବୋଲି ଶିଳପୁଆ କରି ପୂଜା

ନୈବେଦ୍ୟ କରନ୍ତି ଛେନା ଗୁଡ଼ ଖଣ୍ଡ ଗଜା ।

ପାଦର ନୂପୁର କେବା ପିନ୍ଧଇ ଗଳାରେ

କସଣୀ ଘେନଇଁ କେଉଁ ଗୋପିକା କର୍ଣ୍ଣରେ ।

ବତ୍ସା ବୋଲି ପୁତ୍ରକୁ କେ କରଇ ବନ୍ଧନ

ବିରହେ ବିହ୍ଵଳ ହେଲା ଗୋପୀଙ୍କର ମନ ।

ଉଦ୍ଧବ ଜାଣିଲେ ଅନ୍ତର୍ଗତରେ ନିରୋପି

ନିଶ୍ଚୟ ବାତୁଳୀ ହେଲେ ଏ ସକଳ ଗୋପୀ ।

କୃଷ୍ଣ ବିନା ଏହାଙ୍କର ଅନ୍ୟଗତି ନାହିଁ

ଏମନ୍ତ ବିଚାରି ତାଙ୍କୁ କହିଲେ ବୁଝାଇ ।

ଅଶେଷ ବ୍ରହ୍ମାଣ୍ଡେ ଯେହୁ ଠାକୁର ଅନନ୍ତ

କେ ଜାଣି ପାରଇ ତାଙ୍କ କଥା ଆଦି ଅନ୍ତ ।

ସୁପହଧନକୁ କିପାଁ ବୋଲୁଛ ମୋହର

ଚନ୍ଦ୍ରକୁ ଧରିବା ପାଇଁ ବଢ଼ାଉଛ କର ।

ପବନ ବାନ୍ଧିବା ପାଇଁ ପାଶ ଅଛ ପାତି

ସମୁଦ୍ରକୁ ଅଙ୍ଗୁଳିରେ କେ ପାରଇ ମନ୍ଥି ।

ଦେବାଧିଦେବଙ୍କ ରାଜା ଲକ୍ଷ୍ମୀଦେବୀ ସାଇଁ

ସେ ଦୟା ନ କଲେ ତାଙ୍କୁ ପାଇବ ଯେ କାହିଁ ।

ଭକ୍ତଜନ ବାନ୍ଧବ ସେ ପ୍ରଭୁ ନନ୍ଦବତ୍ସି

ଭାବର ପ୍ରଭୁ ଅଭାବେ ନୁହଇ ସେ କିଛି ।

ଏମନ୍ତ କହି ଉଦ୍ଧବ ଚଳେ ପାଦଗତି

ସମସ୍ତ ଗୋପିକା ପଛେ ଗୋଡ଼ାଇ ଅଛନ୍ତି ।

ଗୋପନଗ୍ରେ ଯେତେ ଲୋକ କରିଥିଲେ ବାସ

ଉଦ୍ଧବ ଆଗମ ଶୁଣି ସମସ୍ତେ ହରଷ ।

ଏକର ତହୁଁ ଆରେକ କ୍ରମେ ବାର୍ତ୍ତା ପାଇ

ଦେଖା ଦରଶନୀ ଘେନି ଅଇଲେ ସେ ଧାଇଁ ।

ବାଟେ ମିଳି ରାମକୃଷ୍ଣ ବାରତା ପୁଚ୍ଛନ୍ତି

ଜଣ ଜଣ କରି ବୋଧି ଉଦ୍ଧବ କହନ୍ତି ।

ଏମନ୍ତ ପ୍ରକାରେ ଚାଲି ଦାଣ୍ଡେ ଦାଣ୍ଡେ ଗଲେ

ନନ୍ଦ ସିଂହଦ୍ଵାରେ ଯାଇ ପ୍ରବେଶ ହୋଇଲେ ।

ଦେଖବଲେ ସେ ପୁର ଦିଶେ ଅପୂର୍ବ ଘଟଣା

ବାରସ୍ଵତୀ ଭୁବନ କି ବରୁଣ ପାଟଣା ।

ଉଦ୍ଧବ ଭାଳନ୍ତି ମନେ ପରଶଂସା କରି

ନୋହିଲେ କେମନ୍ତେ ଏଥି ଥାନ୍ତେ ରାମ ହରି ।

ଏମନ୍ତ ବିଚାରି ତହୁଁ ଭିତରକୁ ଗଲେ

ଅବାରିତ ହୋଇ ପୁର ମଧ୍ୟରେ ପଶିଲେ ।

ଯେଉଁଠାରେ ଥିଲେ ନନ୍ଦ ଯଶୋଦାଏ ବେନି

ସେଠାରେ ମିଳିଲେ ଯାଇ ଭେଟିଦ୍ରବ୍ୟ ଘେନି ।

ପାପାନ୍ତକ ନାମେ ମଣି କୃଷ୍ଣ ଥିଲେ ଦେଇ

ନନ୍ଦ ଯଶୋଦା ଛାମୁରେ ଥୋଇଲେ ତା ନେଇ ।

ଆବର ସେ ନେଇଥିଲେ ଯେତେଯେତେ ଦ୍ରବ୍ୟ

ପାଏ ପଡ଼ି ଛାମୁରେ ତା କୁଢ଼ାଇଲେ ସର୍ବ ।

ବିନୟ ଚାଟୁ ବଚନେ ବହୁ ସ୍ତୁତି ବୋଲି

ସାଷ୍ଟାଙ୍ଗେ ଶୁତିଲେ ପାଦତଳେ ଗଡ଼ଘାଲି ।

ଦେଖି ନନ୍ଦ ଯଶୋବନ୍ତୀ ଆନନ୍ଦିତ ହେଲେ

ଷଡ଼ଅର୍ଘ୍ୟେ ପୂଜାକରି ପାଶେ ବସାଇଲେ ।

ଆନନ୍ଦରେ ଉତ୍କଣ୍ଠିତ ହୋଇ ବ୍ରଜପତି

ଉଦ୍ଧବଙ୍କୁ ରାମକୃଷ୍ଣ କୁଶଳ ପୁଚ୍ଛନ୍ତି ।

ସକଳ ଯାଦବମାନେ ଅଛନ୍ତି ନା ଭଲେ

ଉଗ୍ରସେନ ବସୁଦେବ ଦେବକୀର ତୁଲେ ।

ଉଦ୍ଧବ ବୋଇଲେ ତୁମ୍ଭେ ପୁଣ୍ୟବନ୍ତ ପ୍ରାଣୀ

ତେଣୁ ତୁମ୍ଭ ପୁତ୍ରେ ହେଲେ ତ୍ରୈଲୋକ୍ୟ କାରେଣୀ

କେବଣ ତୀର୍ଥରେ ତପ କରିଥିଲ ବସି

ଜଗନ୍ନାଥ ଜନ୍ମ ହେଲେ ତୁମ୍ଭ ଘରେ ଆସି ।

ଯାହାଙ୍କୁ ଯୋଗୀଏ ଦେଖି ନ ପାରନ୍ତି ଧ୍ୟାନେ

ସେ ତୁମ୍ଭ କୋଳରେ ବିଜେକଲେ ବିଦ୍ୟମାନେ

କୁଙ୍କୁମ ଚନ୍ଦନ ଘଟୀ ଶ୍ରୀଅଙ୍ଗେ ବୋଳିଲ

ଅନେକ ଯତ୍ନରେ ପୁଣି ତାହାଙ୍କୁ ପାଳିଲ ।

ବିଚିତ୍ର ଦୋଳିରେ ବସାଇଲେ ଗାଇ ଗୀତ

ତେଣୁ ସୁପ୍ରସନ୍ନ ହେଲେ ଜଗତର ତାତ ।

ସ୍ତନ ମେଲାଇଣ ଦୁଗ୍‌ଧ ଦେଲ ପଦ୍ମମୁଖେ

ଅନ୍ତର୍ଯ୍ୟାମୀ ନାଥ ତାହା ପାନ କଲେ ସୁଖେ ।

ଶ୍ରୀଅଙ୍ଗେ ହଳଦୀ ଘଷି ଶିରେ ତୈଳ ଦେଲ

ନାନାମିଷ୍ଟ ଦ୍ରବ୍ୟ ନିଜ ହସ୍ତେ ଖୁଆଇଲ ।

ମୁଖେ ଚୁମ୍ବ ଦେଇ ପୁଣି ବସାଇଲ କୋଳେ

ଯାହା ନ କରନ୍ତି ଯୋଗୀଜନ ଜ୍ଞାନବଳେ ।

ଆନନ୍ଦରେ ପିନ୍ଧାଇଲ ନାନା ଅଳଙ୍କାର

ତାଡ଼ ତୋଡ଼ର ବାହୁଟି ନବରତ୍ନ ହାର ।

ଝୀନବାସ ପିନ୍ଧାଇଲ ପୁଣି କଟୀଭାଗେ

ବାଳଭାବେ ନୃତ୍ୟ କଲେ ସେ ତୁମ୍ଭର ଆଗେ ।

ଅଧାମ ଲବଣୀ ସର ଗୋଟିକା ଗୋରସ

ଅମୃତ ଆହାର ଦେଇ ମନ କଲ ତୋଷ ।

ଏହି ମନ୍ଦିରରେ ରହିଥିଲେ ଦେବରାୟେ

ଏ ପୁର ଦିଶୁଛି ମୋରେ ବଇକୁଣ୍ଠ ପ୍ରାୟେ ।

ଏ ଭୁବନେ ପଡ଼ିଅଛି କୃଷ୍ଣ ପାଦଧୂଳି

ଏତେବୋଲି ସାଉଁଟିଣ ଅଙ୍ଗେ ହେଲେ ବୋଳି ।

ଆନନ୍ଦରେ ଗଦ ଗଦ ପୁଲକିତ ତନୁ

ପଦ୍ମ ବିକାଶଇ ଯେହ୍ନେ ଉଦେ ହେଲେ ଭାନୁ ।

ନିଧି ପାଇଲେ ଦରିଦ୍ର ଯେହ୍ନେ ତୋଷ ହ୍ଵନ୍ତି

ଅନ୍ଧ ନେତ୍ର ପାଇ ଯେହ୍ନେ ଆନନ୍ଦିତ ମତି ।

ଅପୁତ୍ରକ ତୋଷ ଯେହ୍ନେ ପୁତ୍ର ହେଲେ ଜାତ

ମଲା ଲୋକ ଜୀଇ ଥାଇ ଯେହ୍ନେ ଆନନ୍ଦିତ ।

ତେହ୍ନେ ଉଦ୍ଧବର ମନ ଆନନ୍ଦିତ ହେଲା

ପୁରକୁ ଚାହିଁ ଅନେକ ପ୍ରଶଂସା ଯେ କଲା ।

ବିଷ୍ଣୁଙ୍କ ମନ୍ଦିର ବିଶ୍ଵକର୍ମାର ଘଟଣ

ମନୋହର ଦିଶଇ ସେ ଅପୂର୍ବ ଭୁବନ ।

ତା ଦେଖି ଉଦ୍ଧବ ହୋଇ ଅତ୍ୟନ୍ତ ତୃପତି

ବିଚାରିଲେ କୃତପୁଣ୍ୟ ହେଲି ମୁଁ ଏ ଘାନ୍ତି ।

ନିଶ୍ଚୟେ ସୁଦୟା ମୋତେ କଲେ ଜନାର୍ଦ୍ଦନ

ନୋହିଲେ ଏ ପୁର କାହୁଁ କରନ୍ତି ଦର୍ଶନ ।

ଏମନ୍ତ ବିଚାରି ନନ୍ଦ ଯଶୋଦାଙ୍କୁ ଚାହିଁ

ବୋଇଲେ ତୁମ୍ଭର ଜନ୍ମମୃତ୍ୟୁ ଆଉ ନାହିଁ ।

ତୁମ୍ଭର ଛାମୁକୁ ମୋତେ ପେଷି ହୃଷୀକେଶ

ବୋଇଲେ ଆମ୍ଭର ଘରୁ ବାର୍ତ୍ତା ଘେନି ଆସ ।

ରାଜକାର୍ଯ୍ୟ ହେତୁ ଆମ୍ଭେ ନ ପାରିଲୁ ଯାଇ

ଆମ୍ଭର ବାରତା ଗୋପେ କହି ଆସ ତୁହି ।

ପିତାମାତା ଦୁହେଁ ବର୍ତ୍ତିଅଛନ୍ତି ନା ଭଲେ

ଗୋପ ଗୋପୀ ଗାଈ ଗୋରୁ ଷଣ୍ଢ ବତ୍ସାତୁଲେ ।

ଗୋପପୁରେ ଉପଦ୍ରବ ନୁହଇ ତ କିଛି

ପୂର୍ବ ପ୍ରାୟ ଧନଧାନ୍ୟ ପୂରି ତ ରହିଛି ।

ଆମ୍ଭପାଇଁ ପିତାମାତା ଚିନ୍ତା ନ କରିବେ

ତାଙ୍କ ସୁକୃତରୁ ଆମ୍ଭେ ଅଛୁଁ ସର୍ବଶୁଭେ ।

ଗୋପନଗରକୁ ଆଉ କିଛି ଭୟ ନାହିଁ

ଆକଟ ପଡ଼ିଲେ ଦୂତ ଦେବେ ପଠିଆଇ ।

ଉଗ୍ରସେନ ରାଜା ପାଶେ ଆମ୍ଭେ ଅଛୁ ରହି

କରିବୁ ସକଳ କାର୍ଯ୍ୟ ଛାମୁରେ ଜଣାଇ ।

ରାଜା ରଖିଛନ୍ତି କରି ବହୁତ ଆଦର

ଆଉ ଥୋକେ ଦିନ ରହି ଯିବୁ ଗୋପପୁର ।

ଆମ୍ଭର କଥାକୁ ଭ୍ରାନ୍ତି ନ କରିବେ କିଛି

ରାଜା ପାଶେ ଥିଲେ ସବୁ କଥା ଲାଭ ଅଛି ।

ଅନେକ ସୁକୃତ ଯେବେ ପୂର୍ବେ କରିଥାଇ

ତେବେ ସିନା ଲୋକ ରାଜସଭାରେ ବସଇ ।

ଆବର ବିଶେଷେ ଆମ୍ଭେ ତାହାଙ୍କର ପ୍ରଜା

ସମସ୍ତେ ତ ଜାଣିଅଛ ମଲା କଂସରାଜା ।

ଏମନ୍ତ ସମୟେ ଆମ୍ଭେ ରାଜ୍ୟ ଗଲେ ଛାଡ଼ି

ଶତ୍ରୁରାଜାମାନେ ଆସି ବସିବେ ସେ ମାଡ଼ି ।

ଉଗ୍ରସେନ ନରପତି ହୋଇଲେ ବିନାଶ

ରାଜ୍ୟ ନାଶ ଯିବ ଆମ୍ଭେ ନ ପାଇବା ବାସ ।

ଏଣୁ ଆମ୍ଭେ ଥୋକେ ଦିନ ରହିବୁ ଏଠାରେ

ଆମ୍ଭ ପାଇଁ କେହି ଚିନ୍ତା ନ କର ମନରେ ।

ଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷ ନୃପତି

ନନ୍ଦ ଯଶୋଦାଙ୍କ ଆଗେ ଏସନ ଭାରତୀ ।

କହିଣ ଉଦ୍ଧବ ତାଙ୍କୁ କରାଇଲେ ତୋଷ

ଗୋପ ଗୋପୀମାନେ ଶୁଣି ଲଭିଲେ ହରଷ ।

ଯେଝା ଅନୁକ୍ରମେ ସର୍ବେ ହୋଇଲେ ଆନନ୍ଦ

ପ୍ରତେ ଉପୁଜିଲା ନିଶ୍ଚେଁ ଆସିବେ ଗୋବିନ୍ଦ ।

ନନ୍ଦ ଯଶୋଦା ବୋଇଲେ ରାମ ଭଗବାନ

ଯେ ଦିନୁ ଏଠାରୁ ଗଲେ ପୁର ହେଲା ଶୂନ୍ୟ ।

ପୁଅଙ୍କୁ ନ ଦେଖି ମନ ହେଉଅଛି ଦହି

ଘରେ ବାହାରେ ନା ଆମ୍ଭେ ନ ପାରିଲୁ ରହି ।

ଯେଉଁ ବାଟରେ ଅକ୍ରୂର ନେଲା ରଥ ଗୋଟି

ସେ ବାଟକୁ ଚାହିଁ ମୂର୍ଦ୍ଧା ଯାଉଅଛି ଫାଟି ।

ଦିବସରେ କ୍ଷୁଧା ନାହିଁ ରାତ୍ରେ ନାହିଁ ନିଦ

ନିରନ୍ତର ହୃଦୟରେ ବଢ଼ୁଅଛି ଖେଦ ।

ଏତେ କହି ପତି ପତ୍ନୀ ହୋଇଲେ ବିକଳ

ବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।

ରାମକୃଷ୍ଣଙ୍କର ଗୁଣ ବିଚାରି ସମସ୍ତ

କ୍ରୋଟରାଗ୍ନି ପ୍ରାୟ ଦହି ହେଲା ପଞ୍ଚଭୂତ ।

ଉଦ୍ଧବ ବୋଇଲେ ତୁମ୍ଭେ ବିକଳ ନ ହୁଅ

ଅଳ୍ପ ଦିନରେ ଆସିବେ ତୁମ୍ଭ ବେନି ପୁଅ ।

ଅର୍ଜିବେ ଅନେକ ଧନରତ୍ନ ପୁରୁଷାର୍ଥ

ଈଶ୍ଵର ପୁରୁଷ ସେହି ରାମ ଜଗନ୍ନାଥ ।

ତାଙ୍କ ପ୍ରସାଦେ ତୁମ୍ଭଙ୍କୁ କିଛି ଭୟ ନାହିଁ

ଅନିମିତ୍ତେ ଏତେ ଶୋକ କର କାହିଁପାଇଁ ।

ମଲା ହଜିଲାକୁ ସିନା ହୁଅନ୍ତି ବିକଳ

ରାଜାଠାରେ ପୂଜ୍ୟ ହେଲେ ତୁମ୍ଭ ବେନିବାଳ ।

ଅନେକ ଧନ ସମ୍ପଦ ଅରଜିଲେ ତହିଁ

ଅନିମିତ୍ତେ ଶୋକ ତୁମ୍ଭେ କର କାହିଁପାଇଁ ।

ନନ୍ଦ ଯଶୋଦା ବୋଲନ୍ତି ନ ପାରୁ ମୁରୁଛି

ଆମ୍ଭ ପଞ୍ଚଭୂତ ଆତ୍ମା ରାମ ଶିରୀବତ୍ସି ।

ଧନ ଦ୍ରବ୍ୟରେ ଆମ୍ଭର ନାହିଁ କିଛି କାର୍ଯ୍ୟ

ଅନୁବ୍ରତ ଦେଖୁଥିବୁ ସେ ମୁଖ ପଙ୍କଜ ।

ପୁତ୍ରମୁଖ ଦେଖୁଥିଲେ ଯିବ ଆମ୍ଭ ଦୁଃଖ

ଆଉ କିଛି ଲୋଡ଼ା ନାହିଁ ଧନଦ୍ରବ୍ୟ ସୁଖ ।

କେତେ ଗୁଣ ବାହୁନିବୁ ବସି ତାହାଙ୍କର

ନିରାଶ କରିଣ ଗଲେ ରାମ ଚକ୍ରଧର ।

ଏତେବୋଲି ପିତା ମାତା ହୁଅନ୍ତି ବିକଳ

ପୁଣି ବେନି ନୟନରୁ ବହେ ଅଶ୍ରୁଜଳ ।

ଉଦ୍ଧବ ବୋଇଲେ କିଛି କର ନାହିଁ ଭ୍ରାନ୍ତି

ମୋହର ବଚନ ଶୁଣି ହୁଅ ତୁମ୍ଭେ ଶାନ୍ତି ।

ମୁଁ ଗଲା ଦିନରୁ ଲେଖୁଥିବ ଦିନ ଗଣି

ନିକଟେ ଆସିବେ ନିଶ୍ଚେଁ ରାମ ଚକ୍ରପାଣି ।

ତୁମ୍ଭ ଆଗେ ଏହି କଥା କହିବାର ପାଇଁ

ଆସିବା ଆଗରୁ ମୋତେ ଦେଲେ ପଠିଆଇ ।

ଉଦ୍ଧବର ଶାନ୍ତି ବାକ୍ୟେ ନନ୍ଦ ନନ୍ଦ ରାଣୀ

ଶୋକ ଶାନ୍ତି କଲେ ପୋଛି ନୟନରୁ ପାଣି ।

ଆନନ୍ଦରେ ଗୋପ ଗୋପୀ ନିଜପୁର ଗଲେ

ଉଦ୍ଧବଙ୍କୁ ନନ୍ଦରାଜା ଗୌରବେ ରଖିଲେ ।

ସ୍ନାନ ଆଦି ନିତ୍ୟକର୍ମ ବଢ଼ାଇ ତ୍ଵରିତେ

ଦେବାର୍ଚ୍ଚନ କଲେ ନନ୍ଦ ଉଦ୍ଧବ ସହିତେ ।

ତହିଁପରେ ଷଡ଼ରସ ଭୋଜନ ସେ କଲେ

ଆପେ ଯଶୋବନ୍ତୀ ରାଣୀ ଅନ୍ନ ପରଷିଲେ ।

ସନ୍ତୋଷେ ଭୋଜନ ସାରି କଲେ ଆଚମନ

ତଦନ୍ତେ ସେ କଲେ ପୁଣି ତାମ୍ବୁଳ ସେବନ ।

ଦେବାଙ୍ଗ ବସନ ରତ୍ନ ଦିବ୍ୟ ମାଲ୍ୟ ଗନ୍ଧ

ଉଦ୍ଧବଙ୍କୁ ସମର୍ପଣ କଲେ ଆଣି ନନ୍ଦ ।

ଦିନକୁ ଦିନ ଅତ୍ୟନ୍ତ ଗଉରବ ପାଇ

ଉଦ୍ଧବ ରହିଲେ ଗୋପେ ଆନନ୍ଦିତ ହୋଇ ।

ପରୀକ୍ଷ ଆଗେ କହନ୍ତି ଶୁକ ମହାମୁନି

ଇତି ଶ୍ରୀ ପବିତ୍ର ହରିବଂଶ ପୁଣ୍ୟଧ୍ଵନି ।

ଜୟ ମଦନମୋହନ ପ୍ରଭୁ ଗୋପୀନାଥ

ଲଳିତ ବିରହ ବେଣୁ ଶୋହେ ପଦ୍ମହସ୍ତ ।

କଦମ୍ବ ବୃକ୍ଷେ ମଧୁର ସ୍ଵରେ ଗୀତ ଗାଇ

ଗୋପୀଙ୍କି ମୋହିତ କଲ ମୂରଲୀ ବଜାଇ ।

ଚାଚର ଚିକୁର ଶିରେ ବର୍ହିପୁଚ୍ଛ ବେଣୀ

ବେଦ ବେଦାନ୍ତରେ ତୁମ୍ଭ ନାମ ପରିମାଣି ।

ନମସ୍ତେ ହେ ଗୋପୀନାଥ ଜଗତ ଜୀବନ

ନମସ୍ତେ ହେ ଗୋପୀନାଥ କଂସ ନିସୂଦନ ।

ନମସ୍ତେ ହେ ଗୋପୀନାଥ କାମକଳ୍ପନିଧି

ତୁମ୍ଭ ନାମ ସୁମରନ୍ତେ ବାଞ୍ଛା ହୁଏ ସିଦ୍ଧି ।

ଧରଣୀର ଭାରାଭର ଉଦ୍ଧରିବା ପାଇଁ

କଉତୁକେ ଜନ୍ମ ହେଲ ନର ତନୁ ବହି ।

ପତିତପାବନ ବୋଲି ଉଡ଼େ ତୁମ୍ଭ ବାନା

ଗରବଗଞ୍ଜନ ନାଥ ହୁଅ ବଜ୍ରସେହ୍ନା ।

ଶ୍ରୀ ଗୋପୀନାଥ ଚରଣେ ଶରଣ ମୁଁ ନିତି

ଅଚ୍ୟୁତ ଦାସ କବିକି ଦିଅ ଶୁଦ୍ଧମତି ।

 

ଅକ୍ରୂରର ବାରୁଣାବନ୍ତ ପୁରେ ପ୍ରବେଶ ଏବଂ ଅର୍ଜ୍ଜୁନଙ୍କର କୃଷ୍ଣଙ୍କ ସମୀପେ ଗମନ

ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା

ଶୁକମୁନି ପାଦତଳେ କଲେ ଦିବ୍ୟ ପୂଜା ।

ଅତିଭାଗ୍ୟେ ଭାଗବତ ସୁଧାରସ ବାଣୀ

ପାପାଧିପାପ ଖଣ୍ଡନ କଲି କର୍ଣ୍ଣେ ଶୁଣି ।

ଗୋବିନ୍ଦ ଆଜ୍ଞା ପାଇଣ ଉଦ୍ଧବ ଅଇଲେ

ନନ୍ଦ ଯଶୋଦାଙ୍କଠାରୁ ଗୌରବ ପାଇଲେ ।

ଗୋପୀ ଗୋପାଳମାନଙ୍କୁ ପ୍ରବୋଧନା ଦେଇ

ସାନ୍ତ୍ଵନା ବାକ୍ୟେ ତାହାଙ୍କ ମନକୁ ରଞ୍ଜାଇ ।

ତେଣୁକରି ଉଦ୍ଧବ ଯେ ରହିଲେ ଗୋପରେ

ଅଭେଦ ପ୍ରୀତି ବଢ଼ିଲା ଗୋପୀଙ୍କ ସଙ୍ଗରେ ।

ନନ୍ଦ ଯଶୋଦା ମନକୁ ଲାଗିଲା ଯେ ସତ

ବୋଇଲେ ନିଶ୍ଚେଁ ଆସିବେ ରାମ ଜଗନ୍ନାଥ ।

ଗୋପପୁର ନରନାରୀ ଆନନ୍ଦିତ ହୋଇ

ଉଚ୍ଚାଟେ ରହିଲେ ରାମକୃଷ୍ଣ ବାଟ ଚାହିଁ ।

 

 

ଏଥୁଅନନ୍ତରେ କଥା ହେଲା କିସ ଆନ

ମୋ ଆଗେ ବିସ୍ତାରି ତାହା କହ ତପୋଧନ ।

ରାଜା ବାକ୍ୟେ ହୃଷ୍ଟ ହୋଇ ଶୁକ ମହାଯତି

ବୋଇଲେ କହିବା ଶୁଣ ପଣ୍ଡୁ ପଣନାତି ।

ଅତି ଭାଗ୍ୟେ ଭାଗବତ ପୁରାଣ ଏ ଗ୍ରନ୍ଥ

ଯା ଗର୍ଭରେ ପୂରିଅଛି ପଞ୍ଚମ ବେଦାର୍ଥ ।

ଜଗନ୍ନାଥଙ୍କ ଆଜ୍ଞାରେ ଅକ୍ରୂର ଯେ ଗଲେ

ବାରୁଣାବନ୍ତ କଟକେ ପ୍ରବେଶ ହୋଇଲେ ।

ଆକାଶମଣ୍ଡଳୁଁ ରଥ ପଡ଼ିଲାକ ଖସି

ତାରା ଖସିଲାର ପରି ଦିଶେ ତେଜରାଶି ।

ସ୍ତମ୍ଭୀଭୂତେ ଚାହିଁଛନ୍ତି ସକଳ ପରାଣୀ

କିମ୍ଭୂତ ମାୟା ଆମ୍ଭେ ତ ନ ପାରିଲୁ ଜାଣି ।

ଏମନ୍ତ ଆଶ୍ଚର୍ଯ୍ୟ ହେଲେ ଦେଖି ନଗ୍ରଜନେ

ସର୍ବେ ମିଳିଲେ ଅକ୍ରୂର ମନ୍ତ୍ରୀ ସନ୍ନିଧାନେ ।

କାହୁଁ ଅଇଲ ବୋଲିଣ ବାରତା ସେ ପୁଚ୍ଛି

ଅକ୍ରୂର ବୋଲେ ମଥୁରାପୁରୁ ଆସିଅଛି ।

ପାଣ୍ଡବଙ୍କ ତହିଁ ମୋତେ ପେଷିଲେ ଅଚ୍ୟୁତ

ଯୁଧିଷ୍ଠି ଛାମୁରେ କହିବାକୁ ସେ ଉଦନ୍ତ ।

ଶୁଣି ପଡ଼ିହାରୀ ନଗ୍ର ଭିତରକୁ ଗଲେ

ଆସ୍ଥାନର ତଳେ ଉଭା ହୋଇ ଜଣାଇଲେ ।

ଭୋଦେବ ସାବଧାନରେ ଶୁଣ ପଣ୍ଡୁନାନ

ଅକ୍ରୂରକୁ ପେଷିଛନ୍ତି ପ୍ରଭୁ ଭଗବାନ ।

ନବରର ସିଂହଦ୍ଵାରେ ରଥରୁ ଓହ୍ଲାଇ

ବୋଇଲେ ଦର୍ଶନ ମୋତେ କରାଅ ଜଣାଇ ।

ଶୁଣି ଯୁଧିଷ୍ଠିର ହେଲେ ପରମ ସନ୍ତୋଷ

ଆଜ୍ଞା ଦେଲେ ଭିତରକୁ ତାଙ୍କୁ ଘେନିଆସ ।

ଶୁଣିଣ ଖୁଣ୍ଟିଆ ଧାତିକାରେ ସେ ଅଇଲେ

ଅକ୍ରୂରର ହସ୍ତ ଧରି ଭିତରକୁ ନେଲେ ।

ଆସ୍ଥାନରେ ବସିଛନ୍ତି ଯୁଧିଷ୍ଠି ନୃପତି

ଅକ୍ରୂର ଦର୍ଶନ ଯାଇ କଲେ ଶୀଘ୍ରଗତି ।

ଦେଖିଲେ ଧର୍ମନନ୍ଦନ ଦିଶି ପୁଣ୍ୟମୟେ

ପ୍ରତ୍ୟକ୍ଷରେ ଶୁକ୍ଲାମ୍ଵର ବିଷ୍ଣୁ କି ଉଦୟେ ।

ଜାଜ୍ଵଲ୍ୟମାନ ଦିଶନ୍ତି ସେ ପୁଣ୍ୟ ପୁରୁଷ

ଯା ମୁଖ ଦର୍ଶନେ ସର୍ବ ଦୁଃଖ ଯାଏ ନାଶ ।

ଦକ୍ଷିଣରେ ଭୀମସେନ ଛତ୍ର ଧରି ଉଭା

ଦ୍ଵିତୀୟ ଇନ୍ଦ୍ର ପରାୟେ ଦିଶେ ରୂପ ଶୋଭା ।

ବାମେ ଭଭା ହୋଇଛନ୍ତି ବୀରବର ପାର୍ଥ

ଲକ୍ଷେକ ବଳ ଧନୁ ଯେ ଅଛି ବାମହସ୍ତ ।

ମାଦ୍ରୀଦେବୀ ସୁତ ସହସେବ ଯେ ନକୁଳ

ସେ ଦୁହେଁ ବସିଅଛନ୍ତି ସିଂହାସନ ତଳ ।

ରାଜା ମହାରାଜା ଜେନା ଲମ୍ଵହତା ମୂଳେ

ସମସ୍ତେ ଉଭାରିଛନ୍ତି ପ୍ରାଙ୍ଗଣର ତଳେ ।

ସୁବାସିତ ହଡ଼ପ ଯେ ଆଉ ଧୂପକାଠି

ଗନ୍ଧ ଚନ୍ଦନ କର୍ପୁର ସୁବାସ ପ୍ରକଟି ।

ସ୍ଵର୍ଣ୍ଣ ସିଂହାସନ ତଳେ ସୁପାତି ଯେ ଶେଯ

ଉଦ୍ଦଣ୍ଡ ପାଟଛତ୍ର ଯେ ଦିଶେ ବଡ଼ ତେଜ ।

ଏହି ସମୟରେ ଯାଇ ଅକ୍ରୂର ଯେ ମିଳି

ଗଡ଼ଘାଲି ଶୁତିଲା ସେ ଅଗ୍ରେ ନିଉଛାଳି ।

ନିସ୍ତରିଲି ବୋଲି ଧର୍ମସୁତେ ଯେ ବୋଇଲେ

ଆସ୍ଥାନରୁ ଉଠି ଯାଇ କୋଳ ତାଙ୍କୁ କଲେ ।

ଗୌରବ କରି ତାହାଙ୍କୁ ପାଶେ ବସାଇଲେ

ଆସନ ପାଦାସନ ଯେ ଗନ୍ଧପୁଷ୍ପ ଦେଲେ ।

କୃତକୃତ୍ୟ ହୋଇଲେକ ଯୁଧିଷ୍ଠିରାଜନ

ଭୋ ଅକ୍ରୂର ଅଟ ରାମକୃଷ୍ଣଙ୍କ ସମାନ ।

ବୁଦ୍ଧିବନ୍ତ ଗୁଣବନ୍ତ ଦୟାଳୁ ପୁରୁଷ

ଯାଦବ ବଂଶେ ଉତ୍ତମ ଶ୍ରୀହରି ବିଶ୍ଵାସ ।

ଏତେମତେ ଅକ୍ରୂରକୁ ବୋଲି କୁନ୍ତୀସୁତ

ଶ୍ରୀକରରେ ଆଉଁଷିଲେ ଅକ୍ରୂରର ଗାତ୍ର ।

ରାମକୃଷ୍ଣଙ୍କ ବାରତା କୁହ ହେ ବିଶେଷି

ଅକ୍ରୂର ବୋଇଲା ତୁମ୍ଭେ ଶୁଣ ଧର୍ମଶିଷି ।

ଏ ଜମ୍ଵୁଦ୍ଵୀପ ମହୀକୁ ତୁମ୍ଭେ ଯେ କାରେଣି

ରାଜାଧିରାଜାଙ୍କ ପରେ ଅଟ ଶିରୋମଣି ।

ପବିତ୍ର ସୋମବଂଶରେ ତୁମ୍ଭର ସମ୍ଭୂତ

ପଣ୍ଡୁରାଜା ପିତା ଯାର କୁନ୍ତୀଦେବୀ ମାତ ।

ଭୋ ଦେବ ତୁମ୍ଭ ତହିଁଙ୍କି ପେଷିଲେ ମାଧୋଇ

ବୋଇଲେ ଯୁଧିଷ୍ଠି ଦେବେ କହିବ ମଣାଇ ।

ସେ ମୋର ମାଉସୀ ପୁତ୍ର ପୁଣି ଜ୍ୟେଷ୍ଠଭ୍ରାତ

ବେନି ମାତା ଏକା ଗର୍ଭୁ ହୋଇଛନ୍ତି ଜାତ ।

ଦେବତୀ ଯେ ଦଇବତୀ ଦେବକୀ ଏ ତିନି

ଉଗ୍ରସେନ ରାଜାଙ୍କର ତିନିହେଁ ନନ୍ଦିନୀ ।

ଦେବତୀଙ୍କୁ କୁନ୍ତଭୋଜ ରାଜା ଘେନି ଗଲେ

କୁନ୍ତୀ ନାମ ଦେଇ ପଣ୍ଡୁ ନୃପେ ବିଭାଦେଲେ ।

ସେ କୁନ୍ତୀ ଗର୍ଭରୁ ହେଲେ ତିନିପୁତ୍ର ଜନ୍ମ

ମହାରାଜା ଯୁଧିଷ୍ଠିର ଭୀମ ଅରଜୁନ ।

ଦେବକୀର ଷଡ଼ପୁତ୍ର ବର୍ଷେ ବର୍ଷେ ଜାତ

ତାହାଙ୍କୁ ଶିଳାରେ କଚାଡ଼ିଲା କଂସ ଦୈତ୍ୟ ।

ସାନ୍ଦିପନୀ ଗୃହେ ଆମ୍ଭେ ବିଦ୍ୟା ପଢ଼ି ଗଲୁ

ବିଦ୍ୟା ପଢ଼ିଣ ଗୁରୁଙ୍କୁ ଦକ୍ଷିଣା ଯାଚିଲୁ ।

ଗୁରୁପତ୍ନୀ ବୋଇଲେକ ଦ୍ରବେ କାର୍ଯ୍ୟ ନାହିଁ

ଷଡ଼ପୁତ୍ର ମରିଛନ୍ତି ଦିଅ ହେ ଜିଆଇ ।

ସନମତ କରି ଆମ୍ଭେ ଯମପୁରେ ଗଲୁ

ଗୁରୁପୁତ୍ରମାନଙ୍କୁ ଯେ ଜୀଆଇ ଆଣିଲୁ ।

ଦେବକୀର ଷଡ଼ପୁତ୍ର କଂସ ମାରିଥିଲା

ମାଗନ୍ତେ କୃତାନ୍ତ ଷଡ଼ଭ୍ରାତା ଆଣି ଦେଲା ।

କୃତାନ୍ତପୁରରୁ ଆମ୍ଭେ ଆସିବାର ବେଳେ

ତୁମ୍ଭ ପିତା ପଣ୍ଡୁ ବସିଛନ୍ତି ସଭାତଳେ ।

ଅନେକ କଦର୍ଯ୍ୟେ ଥାଇ ଦେଇଛନ୍ତି ବାର୍ତ୍ତା

ଶୁଣି ଯୁଧିଷ୍ଠିର କଲେ ମନେ ବଡ଼ ଚିନ୍ତା ।

ପୁଣି ଅକ୍ରୂର ବୋଇଲେ ଶୁଣ ନରନାହା

ଆବର ବଚନ ହରି କହିଛନ୍ତି ଯାହା ।

ଶ୍ରଦ୍ଧାଯୁକ୍ତେ ମୋତେ କହିଛନ୍ତି ଜଗନ୍ନାଥେ

ଅର୍ଜ୍ଜୁନ ମଥୁରା ଯିବେ ମୋହର ସଙ୍ଗତେ ।

ହରି ବଳରାମ କହିଛନ୍ତି ଶ୍ରଦ୍ଧାକରି

ସମସ୍ତ ଯାଦବ ଉଗ୍ରସେନ ଆଦିକରି ।

ଦେବକୀ କହିଅଛନ୍ତି ହୋଇ ତୋଷମତି

ଆବର କହିଅଛନ୍ତି ରାଣୀ ଇନ୍ଦୁମତୀ ।

ନିଶ୍ଚେ ଅର୍ଜ୍ଜୁନକୁ ପଠାଇବେ ମୋର ତୁଲେ

ଯୁଧିଷ୍ଠି ସମ୍ମତ କଲେ ଅକ୍ରୂରର ବୋଲେ ।

ଏଥୁଅନ୍ତରେ ଆସ୍ଥାନ ଗୋଟି ଯେ ମଉଳି

ପାତ୍ର ଅମନାତ୍ୟ ଗଲେ ଯେଝା ପୁରେ ଚଳି ।

ଯୁଧିଷ୍ଠିର ଭୀମାର୍ଜ୍ଜୁନ ନକୁଳ ଅକ୍ରୂର

ଅନ୍ତଃପୁରରେ ମିଳିଲେ କୁନ୍ତୀଙ୍କ ଛାମୁର ।

ସକଳ ବୃତ୍ତାନ୍ତମାନ ବୁଝାଇ କହିଲେ

ଶୁଣି କୁନ୍ତୀଦେବୀ ମନେ ଆନନ୍ଦିତ ହେଲେ ।

ଶୁଣ ରାଜା ପରୀକ୍ଷିତ ଭଣି ଶୁକଯତି

ଅକ୍ରୂରେ ଯାଇ କହନ୍ତି ମହାସତୀ କୁନ୍ତୀ ।

ମୋହର କଥା କହିବ ଶ୍ରୀକୃଷ୍ଣଙ୍କୁ ଯାଇଁ

ରାଣ୍ଡ ଛେଉଣ୍ଡ ପୁଅଙ୍କୁ ପାସୋରିବେ ନାହିଁ ।

ଧୃତରାଷ୍ଟ୍ର ଶତେପୁତ୍ର ହେଲେ ମହାବଳୀ

ସମ୍ପଦ ହେତୁ କରନ୍ତି ସର୍ବଦା ସେ କଳି ।

କର୍ଣ୍ଣ ଅଶ୍ଵତ୍‌ଥାମା ଭୂରିଶ୍ରବା ଆଦି ଦ୍ରୋଣ

ଏହାଙ୍କୁ ଆବୋରି ନିରନ୍ତରେ ଆଣ୍ଟପଣ ।

ବାଳୁତ ପୁଅ ମୋହର ସର୍ବେ ପାଞ୍ଚଗୋଟି

ଜନ୍ମଦିନଠାରୁ ହେଲେ ଅତିଶୟ କଷ୍ଟୀ ।

ତାହାଙ୍କର କଥା ମନୁ ନ ଦେବ ପାସୋରି

ମୁହିଁ ତାହାଙ୍କର ମାଉସୀ ଥିବେ ହେତୁ କରି ।

ଅନନ୍ତ ନାରାୟଣ ସେ କୃଷ୍ଣ ବିଶ୍ଵମୟ

ସେ ଯାହାକୁ ସାହାଥିବେ ତାର କିସ ଭୟ ।

ଅପାର ମହିମା ସେ ଯେ କୃପାଜଳ ସିନ୍ଧୁ

ଅନାଥ ପ୍ରାଣୀର ନାଥ ଦୀନଜନବନ୍ଧୁ ।

ମୁଁ ତାଙ୍କ ମହିମା  ଜାଣି ପାରିବି କେମନ୍ତେ

ମୋ ପୁତ୍ରକୁ ସାହା ଥିବେ ମାଗୁଅଛି ଏତେ ।

ଅକ୍ରୂର ବୋଇଲେ ତୁମ୍ଭେ ଶୁଣ ଠାକୁରଣୀ

ବିଶ୍ଵକୂଟ ମାୟାଧର ପ୍ରଭୁ ଚକ୍ରପାଣି ।

ନୋହିଲେ କି ପେଷିଥାନ୍ତେ ମୋତେ ତୁମ୍ଭ ତହିଁ

ସବୁ କାର୍ଯ୍ୟ କରିବେ ସେ ଅର୍ଜ୍ଜୁନକୁ ନେଇ ।

ଏଥକୁ ମନରେ ତୁମ୍ଭେ ନ କର ଗୋ ଭ୍ରାନ୍ତି

ଅଚଳାଚଳ ସମ୍ପଦ ମିଳିବ ଏ ଘାନ୍ତି ।

ଅଭେଦ ଆତ୍ମା ଶ୍ରୀହରି ଅରଜୁନ ବେନି

ପୃଥ୍ଵୀଭାରା ନିବାରିବେ ଏହାଙ୍କୁ ଯେ ଘେନି ।

ପରମା ସାଧବୀ ତୁମ୍ଭେ ନ ଜାଣ ବା କିସ

ତୁମ୍ଭଙ୍କୁ ତ୍ରିକାଳ କଥା ହୁଅଇ ତ ଦୃଶ୍ୟ ।

ପ୍ରତ୍ୟକ୍ଷରେ ଦେବତାଙ୍କୁ କରିଅଛ ଜାତ

ମାହେଶ୍ଵରୀ ଅଟ ତୁମ୍ଭେ ଆଦି ବୃଦ୍ଧ ମାତ ।

କଲ୍ୟାଣ କାମନା ତୁମ୍ଭେ କର ମାଗୋ ବସି

ଆମ୍ଭେ ଦୁହେଁ ଯାଉଅଛୁ ରଥପରେ ବସି ।

ଏତେ ବୋଲି ଦୁଇବୀରେ ଆରୋହିଲେ ଯାନ

ପବନହୁଁ ବେଗେ ରଥ ଚଳେ ଘନ ଘନ ।

ବାରୁଣାବନ୍ଦରୁ କାଢ଼ି ବାହିଲା ସାରଥି

ରଥ ଗୋଟି ଚଳିଯାଏ ଦକ୍ଷିଣ ରାଉତି ।

ଅକ୍ରୂର ଅର୍ଜ୍ଜୁନ ଦୁହେଁ ଯାନ୍ତେ ରଥେ ବସି

ଦେଖିଲେ ଗମନମାର୍ଗେ ଥାଇ ସ୍ଵର୍ଗବାସୀ ।

ଦେବଇନ୍ଦ୍ର ପଚାରିଲେ ଗୁରୁମୁଖ ଚାହିଁ

କେବଣ ମହାତ୍ମା ଯାନ୍ତି ରଥରେ ଆରୋହି ।

ଏକା ରଥେ ବସିଛନ୍ତି ପୁଣ ବେନି ଜନ

ଜାଣି ନ ପାରିଲୁ ଆମ୍ଭେ ଏଥିର କାରଣ ।

ଅଙ୍ଗିରା ବୋଇଲେ ତାହା ଶୁଣ ସସ୍ରଯୋନି

ଅକ୍ରୂର ଯାଉଛି ସଙ୍ଗେ ଅର୍ଜ୍ଜୁନଙ୍କୁ ଘେନି ।

ଗୌରବେ ପାର୍ଥକୁ ନେଉଛନ୍ତି ଦେବରାୟ

ଏହାଙ୍କୁ ଘେନି କରିବେ ପୃଥ୍ଵୀଭାରା କ୍ଷୟ ।

ଏହାଶୁଣି ଶଚୀପତି ଆନନ୍ଦିତ ହେଲେ

ଅର୍ଦ୍ଧ ଆକାଶରେ ଥାଇ ପୁଷ୍ପ ବୃଷ୍ଟି କଲେ ।

ଶୁକମୁନି କହୁଛନ୍ତି ପରୀକ୍ଷିତ ଆଗେ

ଅକ୍ରୂର ଅର୍ଜ୍ଜୁନ ଦୁହେଁ ଗଲେ ବାୟୁବେଗେ ।

ଗମନ୍ତେ ପ୍ରବେଶ ହୋଇ ମଥୁରା ନଗରେ

ଭିତରକୁ ଗଲେ ରଥ ରଖି ସିଂହଦ୍ଵାରେ ।

ଯେବଣ ସ୍ଥାନରେ ବିଜେ ପ୍ରଭୁ ଚକ୍ରଧର

ସେ ସ୍ଥାନେ ମିଳିଲେ ଯାଇ ଅର୍ଜ୍ଜୁନ ଅକ୍ରୂର ।

କୃଷ୍ଣଙ୍କୁ ଦେଖିଣ ଦୁହେଁ ପାଦତଳେ ପଡ଼ି

ବିନୟରେ ଉଭା ହେଲେ ଶିରେ କର ଯୋଡ଼ି ।

ତାହାଙ୍କୁ ଦେଖିଣ ହୃଷ୍ଟ ହୋଇ ବନମାଳୀ

ତକ୍ଷଣେ କୋଳକଲେ ସେ ବେନିକରେ ତୋଳି ।

ବୋଲନ୍ତି ମୁଖରେ ଚୁମ୍ବ ଦେଇ ଭଗବାନ

କେତେ ଭାଗ୍ୟେ କଲି ଆଜ ତୁମ୍ଭ ଦରଶନ ।

ତୁମ୍ଭେ ମୋର ପଞ୍ଚଭୂତ ଆତ୍ମାର କାରେଣି

ନିରନ୍ତରେ ତୁମ୍ଭ ନାମ ହୃଦେ ଥାଏ ଗୁଣି ।

ଏ ଅକ୍ରୂର ମହିମା ମୁଁ କହିବଇଁ କେତେ

ପ୍ରାଣର ସଖାକୁ ମୋର ଆଣିଦେଲା ମୋତେ ।

ଏତେ ବୋଲି ଅର୍ଜ୍ଜୁନକୁ କୋଳରେ ବସାଇ

ନବରତ୍ନ ସିଂହାସନେ ବିଜେ ଲକ୍ଷ୍ମୀସାଇଁ ।

କୁରୁ ପାଣ୍ଡବଙ୍କ ଶୁଭବାର୍ତ୍ତା ପଚାରିଲେ

ଯଥାବିଧି କରି ତାଙ୍କୁ ଅର୍ଜୁନ କହିଲେ ।

ଏକାନ୍ତରେ କୁନ୍ତୀଦେବୀ କହିଥିଲେ ଯାହା

କରଯୋଡ଼ି ଶ୍ରୀଛାମୁରେ ଜଣାଇଲେ ତାହା ।

ଯୁଧିଷ୍ଠିର ଆଦି ଭାଇମାନଙ୍କ ଉତ୍ତର

ମଣାଇ କହିଲେ ପାର୍ଥ କୃଷ୍ଣଙ୍କ ଛାମୁର ।

ଶ୍ରୀକୃଷ୍ଣ ବୋଇଲେ ଅକ୍ରୂରକୁ ଚାହିଁ ପୁଣି

ଏ ପଞ୍ଚ ପାଣ୍ଡବେ ମୋର ରାଜ୍ୟକୁ କାରେଣି ।

ପୃଥ୍ଵୀଦେବୀ ଭାରାଭର ନିବାରିବା ପାଇଁ

ପାଣ୍ଡବଙ୍କୁ ଘେନି ଜନ୍ମ ହୋଇଅଛି ମୁହିଁ ।

ଏହା କହି ଆନନ୍ଦରେ ପ୍ରଭୁ ଶିରୀରଙ୍ଗ

ଶ୍ରୀଭୁଜେ ମାର୍ଜ୍ଜନା କଲେ ଅର୍ଜ୍ଜୁନଙ୍କ ଅଙ୍ଗ ।

ପୁଣି ତାଙ୍କୁ ଆନନ୍ଦରେ କୋଳାଗ୍ରତ କରି

ସଙ୍ଗେ ଘେନି ଭିତରକୁ ବିଜେ କଲେ ହରି ।

ଇନ୍ଦ୍ରଦେବ ଦେଇଥିଲେ ସହସ୍ରେ ନାୟିକା

ସୁକୁମାରୀ ସୁଲକ୍ଷଣୀ ରୂପେ ଅଗ୍ରଲେଖା ।

ତାଙ୍କୁ ରାଇ ଆଜ୍ଞା ଦେଲେ ପ୍ରଭୁ ଚକ୍ରଧର

ଆଜିଠାରୁ ଅର୍ଜ୍ଜୁନଙ୍କୁ ସେବା ତୁମ୍ଭେ କର ।

ଏତେ କହି ତେଳଲାଗି ହେଲେ ଚକ୍ରପାଣି

ପାର୍ଥକୁ ମାର୍ଜ୍ଜନା କଲେ ସକଳ ତରୁଣୀ ।

ହରିଦ୍ରାତିଳ ତଇଳ ଲେପିଲେ ସକଳ

ସ୍ନାନ କରାଇଲେ ତହୁଁ ଢାଳି ତୀର୍ଥଜଳ ।

ଝୀନବସ୍ତ୍ର ପରିଧାନ କରି କୃଷ୍ଣାର୍ଜ୍ଜୁନ

ସର୍ବାଙ୍ଗରେ ବୋଳି ହେଲେ କର୍ପୂର ଚନ୍ଦନ ।

ଅର୍ଜ୍ଜୁନକୁ ସଙ୍ଗତରେ ଘେନି ବନମାଳୀ

ଉଗ୍ରସେନ ନୃପତିଙ୍କୁ କଲେ ନିଉଛାଳି ।

ତଦନ୍ତରେ ବସୁଦେବ ନମସ୍କାର କଲେ

ଇନ୍ଦୁମତୀ ଦେବକୀ ଏ ଦୁହିଙ୍କୁ ନମିଲେ ।

ବୀରବେଶ ହୁଡ଼ି ତହୁଁ ଦ୍ଵିଜବେଶ ଧରି

ମଣୋହି କୋଠାରେ ବିଜେ ଅରଜୁନ ହରି ।

ଶ୍ରୀହସ୍ତେ ଅନ୍ନ ବ୍ୟଞ୍ଜନ ପରଷନ୍ତି ମାଏ

ଭୁଞ୍ଜିଲେ ପାର୍ଥକୁ ସଙ୍ଗେ ଘେନି ଦେବରାୟେ ।

ହରଷେ ହରି ଅର୍ଜ୍ଜୁନ ସାରିଲେ ଭୋଜନ

ଉଠି ଆଚମନ କଲେ ପାର୍ଥ ଭଗବାନ ।

ଅଞ୍ଚଳକୁ ମୁଖ ପୋଛି ତାମ୍ଵୁଳ ଭୁଞ୍ଜିଲେ

ରାତ୍ରି ଅର୍ଦ୍ଧମାନେ ରତ୍ନଖଟେ ପହୁଡ଼ିଲେ ।

ସେ ହରି ଅର୍ଜ୍ଜୁନ ପାଦେ ରହୁ ମୋର ମନ

ଅଚ୍ୟୁତ ଦାସକୁ ତ୍ରାହି କର ଭଗବାନ ।

 

ହରିବଂଶ ପଞ୍ଚମ ଖଣ୍ଡ

ଜରାସନ୍ଧର ଅଷ୍ଟମ ବାର ଧାଡ଼ି

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ରାଜନ

ଏମନ୍ତ ପ୍ରକାରେ ତହିଁ ଗଲା କେତେଦିନ ।

ପାର୍ଥକୁ ରାଇଣ ହୃଷ୍ଟ ହେଲେ ପୀତବାସ

କ୍ରମେ ଆସି ଶରତ୍‌ଋତୁ ହେଲା ପରବେଶ ।

କାଦୁଅ ଶୁଖିଲା ଶୁଷ୍କ ହୋଇଲା ଧରଣୀ

ଦିନ ନ୍ୟୂନ ହେଲା ଦକ୍ଷିଣରେ ଦିନମଣି ।

ହିନ୍ଦୁମାନେ ଯେ ଦୁର୍ଗାଙ୍କ ଉତ୍ସବ କରିଲେ

ଯବନ ରାଜା ମଥୁରା ନଗରେ ବୁଲିଲେ ।

ଜରାସନ୍ଧ ସୈନ୍ୟ ବୁଲିଲେକ ଦେଶ ଦେଶ

ବୋଇଲେ ରାଜାମାନେ ହୋ ସଜ ହୋଇଆସ ।

ଏଥୁ ଅନନ୍ତରେ ମାର୍ଗଶିର ଅବଶେଷ

ପ୍ରଥମେ ପ୍ରବେଶ ହେଲା ଆସି ଧନୁମାସ ।

ଗୁଣବନ୍ତ ମନ୍ତ୍ରୀ ଡାକି ମଗଧ ଈଶ୍ଵର

ଆଶ୍ଵାସନା କରି ତାଙ୍କୁ କହେ ଏ ପ୍ରକାର ।

ତୁମ୍ଭେ ମନ୍ତ୍ରିବର ଅଟ ରାଜ୍ୟକୁ କାରେଣି

ଗଉଡ଼ଙ୍କ ହାତେ ଅପମାନ ଭୋଗୁଁ ପୁଣି ।

 

କଂସ ପରାୟ ଜୁଆଁଇ ମୋର ନାଶ କଲେ

ହେତୀ ପ୍ରହେତୀ ଦୁହିତା ବିଧବା ହୋଇଲେ ।

ହଂସ ଡିମ୍ଵ ପ୍ରାୟ ନାତି ନାଶ ହେଲେ ପୁଣି

ଏହାଠାରୁ ବଡ଼ ହୋଇଅଛି କି ଧରଣୀ ।

ଗୌଡ଼ଛାରଯୋଗେ ମୋତେ ହେଲା ଏଡ଼େ ଲଜ୍ଜା

ପୋଡ଼ୁ ଏ ରାଜ୍ୟ କରିବି ନିଶ୍ଚେଁ ପରିତ୍ୟଜ୍ୟା ।

ଅଖଡ଼େ ଅନେକ ସୈନ୍ୟ ମାଇଲା ମୋହର

ସାତବେଳ ଯାଗେ ପିଠିଦେଇ ଗଲା ଚୋର ।

କୂଟ କପଟ ଜାଣଇ ବଡ଼ମାୟା ଛନ୍ଦ

ଛାମୁରେ ରହି ନ ପାରେ ପଛେ କରେ ଦ୍ଵନ୍ଦ୍ଵ ।

ହସ୍ତେ ଧରୁ ଧରୁ ଯାଏ ସୈନ୍ୟ ଦେଇ ପିଠି

ରଥ ଗଜ ସୈନ୍ୟ ମୋର ମାରି କୋଟିକୋଟି

ଏବେ କେଉଁ ଉପାୟରେ ହେବ କାର୍ଯ୍ୟସିଦ୍ଧି ।

ରାମକୃଷ୍ଣ ଜିଣିବାକୁ ଅଛି କାର ବୁଦ୍ଧି ।

ମନ୍ତ୍ରୀବର ବୋଇଲା ତୁ ରାଜ୍ୟେ ରାଜଦେବା

ଚାରିଊଣା ଲକ୍ଷେରାଜା କରି ତୁମ୍ଭ ସେବା ।

ସର୍ବଗୁଣେ ସୁଲକ୍ଷଣ ବିଚକ୍ଷଣ ପୁଂସ

କିବା ତୁମ୍ଭେ ନ ଜାଣଟି କହିବା ବା କିସ ।

ରାମକୃଷ୍ଣ ବଧିବାକୁ ଶୋଚନା ଯେ ଏତେ

ଆଜ୍ଞାଦେଲେ ଚିତ୍ର ନୁହେ ମାରିବୁ ଯୁକତେ ।

ସାତବଂଶ ଯାଦବ ଚୌରାଶୀ କୋଟିକରି

ଯାକୁ ବୋଲିବୁ ଜୀଅନ୍ତା ଦେବୁ ନିଶ୍ଚେଁ ଧରି ।

ଏହାଶୁଣି ଜରାସନ୍ଧ ହେଲା ଆନନ୍ଦିତ

କେଉଁ ରାଜା ଆମ୍ଭ ବଶ ନୁହଇ କହ ତ ।

ମନ୍ତ୍ରୀ ବୋଲେ କରଯୋଡ଼ି ଶୁଣ ନୃପବର

ହସ୍ତିନା ନୃପତି ଦୁର୍ଯ୍ୟୋଧନ ଦଣ୍ଡଧର ।

ଅତିମାନେ ମାନଗୋବିନ୍ଦ ନାମ ବହଇ

ଅବହେଳେ ପୃଥିବୀକୁ ଜିଣି ସେ ପାରଇ ।

ଅଇରି ଦର୍ପଦଳନ ଅଟଇ ଯା ବାନା

ହସ୍ତ ଲାଗନ୍ତେ ପାଷାଣ ହୋଇଯାଏ ସୁନା ।

ଭୀଷ୍ମ ଦ୍ରୋଣ ଭୂରିଶ୍ରବା ଅଶ୍ଵତ୍‌ଥାମା କର୍ଣ୍ଣ

ଦ୍ଵାପରେ ଭାରୋଇମଲ୍ଲ ହୋଇଛନ୍ତି ଜନ୍ମ ।

ଅଠର କ୍ଷଉଣୀ ବଳ ଖଟନ୍ତି ଯା କତି

ଏ ମର୍ତ୍ତ୍ୟରେ ଅଟନ୍ତି ସେ ଏକ ଚକ୍ରବର୍ତ୍ତୀ ।

ଗାନ୍ଧାରୀ ମାତା ତାଙ୍କର ଧୃତରାଷ୍ଟ୍ର ପିତା

ପଣ୍ଡୁନାମେ ନରପତି ତାହାଙ୍କ ଖୁଡ଼ୁତା ।

ଯୁଧିଷ୍ଠି ଭୀମ ନକୁଳ ପାର୍ଥ ସହଦେବ

ପଣ୍ଡୁର ନନ୍ଦନ ଜାଣ ଏ ପଞ୍ଚ ପାଣ୍ଡବ ।

ଆଣିବା ଏହାକୁ ଦୂତ ବରଗାଇ କରି

କୋଟି ରାମକୃଷ୍ଣ ଜିଣି ପାରନ୍ତି ଏ ଧରି ।

ଶାଖା କଟକର ବଜ୍ରନାଭ ନରପତି

ଚୌବିଂଶ କ୍ଷଉଣୀ ବଳ ଏହାକୁ ଖଟନ୍ତି ।

ଅଗ୍ନିର ପାଚେରୀ ତପ୍ତଘୃତ ଯାର ଖଣା

ଦ୍ଵାଦଶ ଯୋଜନ ଯାନ ଗଡ଼ର ପାତନା ।

ବଡ଼ ବଳବନ୍ତ ବିଚକ୍ଷଣ ଶିରୋମଣି

ଅବହେଳେ ଶତଇନ୍ଦ୍ର ପାରଇ ସେ ଜିଣି ।

ସେ ରାଜା ବରଣ କରି ଆଣି ଧାତିକାରେ

ଜିଣିବା ଯାଦବ ଅବହେଳାରେ ସମରେ ।

ଶୋଣିତ କଟକେ ବାଣାସୁର ନାମେ ରାଜା

ବଳିର ନନ୍ଦନ ଯାକୁ ଦେବେ କରି ପୂଜା ।

କୁଭାଣ୍ଡ ନାମେଣ ମନ୍ତ୍ରୀ ତିନିକାଳଜ୍ଞାତା

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ସେ ଜିଣିପାରେ ଶକ୍ତା ।

ସତୈଶ କ୍ଷଉଣୀ ବଳ ଖଟନ୍ତି ତାହାକୁ

ଅରିକୁଳ ଶଲ ସେ ଏ ତିନି ଭୁବନକୁ ।

ନାନାଦି ଉପାୟ କରି ସେ ରାଜାକୁ ଆଣି

କୋଟିଏ ରାମକୃଷ୍ଣଙ୍କୁ ରାୟେ ପାରେ ଜିଣି ।

ସାରାବତୀ କଟକେ ଶମ୍ଵର ବୋଲି ରାୟେ

ଅନେକ କାଳର ବୃଦ୍ଧ ରଣେ ନୁହେ କ୍ଷୟେ ।

ନବସହସ୍ର ନନ୍ଦନ ଏକୁ ଏକ ଯୋଧୀ

ନବଦ୍ଵୀପ ସାଗର ସେ କ୍ଷଣେ ପାରେ ସାଧି ।

ଏ ରାଜା ଛାମୁକୁ ତୁମ୍ଭେ ଦୂତ ବେଗେ ପେଷ

ପାଦପୂଜା କରିଣ ସଙ୍ଗକୁ ଘେନି ଆସ ।

ରାମକୃଷ୍ଣ ଜିଣି ପାରିବ ସେ ବାହୁବଳେ

ତା ସମାନେ ବଳବନ୍ତ ନାହିଁ ରବିତଳେ ।

ଏ ପୃଥ୍ଵୀ ମଧ୍ୟରେ ଅଛି ନାରକା ଅସୁର

ବରାହଙ୍କ ବୀର୍ଯ୍ୟରୁ ସେ ଅଟେ ଅବତାର ।

ରଣେ ଗନ୍ଧର୍ବ ଦେବତା ଯାକୁ ନୁହେ କ୍ଷମ

ଉଡ଼ଇ ଶତ୍ରୁ ବୀରଧୁ ବାନା ଯାର ନାମ ।

ଈଶ୍ଵରଙ୍କୁ ସେବାକରି ଅଛି ବର ପାଇ

ଜଳ ସ୍ଥଳ ଅନଳରେ ଯାନ ନାଶ ନାହିଁ ।

ଦୂତ ବରଗି ଆଣିବା ତାହାଙ୍କୁ ଏକ୍ଷଣି

ସେ ରାଜାମାନଙ୍କ ବଳେ ରାମକୃଷ୍ଣ ଜିଣି ।

ବିଜୟ ଗିରି ନିକଟେ କାମ୍ୟକ ପାଟଣା

ଗୋସିଂହ ନାମେ ନୃପତି ଅଟେ ଜଗଜ୍ଜିଣା ।

ଅତିବଳେ ବଳୀ ସେହି ଦୁର୍ବାର ଦାନବ

ପଞ୍ଚବିଂଶ ଅକ୍ଷୌହିଣୀ ବଳ ଅସମ୍ଭବ ।

ଅପ୍ରମିତ ସୈନ୍ୟ ରଥ ଗଜହିଁ ପଦାତି

ଯା ନାମ ଧରନ୍ତେ ସ୍ଵର୍ଗେ କମ୍ପେ ସୁରପତି ।

ସପ୍ତଦ୍ଵୀପା ପୃଥ୍ଵୀ ଜିଣି ସ୍ଵର୍ଗେ ଦିଏ ଧାଡ଼ି

ଡରେ ଦେବଗଣେ ପଳାନ୍ତି ଯେ ସ୍ଵର୍ଗଛାଡ଼ି ।

ବ୍ରହ୍ମା ବିଷ୍ଣୁ ଈଶ୍ଵରଙ୍କୁ ଜିଣିପାରେ ହେଳେ

ଭାରାଭର ପୃଥ୍ଵୀ ବହିପାରେ ଭୁଜବଳେ ।

ଦୁର୍ଜ୍ଜୟ ବ୍ରହ୍ମ ଶକତି ହସ୍ତେ ଥାଏ ଘେନି

ଅବହେଳେ ଜିଣିପାରେ ଚରାଚର ପ୍ରାଣୀ ।

ପତ୍ରେକ ଲେଖି ଉତ୍ତମ ଲୋକ ପଠାଇବା

ଧନ ବସ୍ତ୍ର ଅଳଙ୍କାର ଦେଇଣ ତୋଷିବା ।

ସେ ରାଜାର ତୁଲେ ପ୍ରୀତ ହୋଇଲେ ନିଶ୍ଚୟ

ନିଃଶ୍ଵାସ ମାତ୍ରକେ ଶତ୍ରୁ କରିପାରେ କ୍ଷୟ ।

ଆରେକ ନୃପତି ଅଛି ସେ କାଳଦମନ

ଦୁର୍ବାର ବଳବନ୍ତ ସେ ଗୋପାଳୀ ନନ୍ଦନ ।

ଗର୍ଗ ମହାଋଷି ବୀର୍ଯ୍ୟେ ସେହି ଉତପତ୍ତି

ଦାସ ରାଜାର ଅଟଇ ଝିଆଣିଆ ନାତି ।

ସନ୍ତୋଷେ ବର ତାହାକୁ ଦେଲେ ମହାଦେବା

ଜନ୍ମହେଲା ମାତ୍ରକେ ସେ ହେଲା ନବଯୁବା ।

ଅନର୍ଗଳ ଅନିବାର ଆରଣିକ ଜ୍ୟୋତି

ଭାଗ୍ୟବଳେ ଭୋଗ କରେ ରାଜାଙ୍କ ସମ୍ପତ୍ତି ।

ତାର ତହିଁକି ଦୂତେକ ବରଗ ଏକ୍ଷଣି

ସେ ରାଜା ଅଇଲେ ନିଶ୍ଚେଁ ଶତ୍ରୁପାରେ ଜିଣି ।

ପଶ୍ଚିମ ସୌରାଷ୍ଟ୍ରେ ବିନ୍ଧ୍ୟଗିରିର ନିକଟେ

ମନୋହର କଟକ ସେ ଭଇରବୀ ତଟେ ।

ମୃଗସେନ ଅଟେ ପୁଣି ତହିଁର ନୃପତି

ବେଦବ୍ୟାସଙ୍କ ବୀର୍ଯ୍ୟେ ସେ ହୋଇଛି ଉତ୍ପତ୍ତି ।

ମୃଗୁଣୀ ଗର୍ଭରୁ ହୋଇଅଛି ଅବତାର

ବିନ୍ଧ୍ୟମାଳ ଦେଶ ଗୋଟା ତାର ଅଧିକାର ।

କୁଟୁମ୍ବୀ ପଣରେ ତାକୁ କେହି ନୋହେ ସରି

ଦୁହିତା ପୁତ୍ର ସେ ଅକଳନା ଜାତ କରି ।

ଷାଠିସସ୍ର ଦୁହିତା ଚୌରାଶୀ କୋଟି ପୁତ୍ର

ଏରୂପେ ସନ୍ତତି ତାର ହୋଇଛନ୍ତି ଜାତ ।

ଅଠର କ୍ଷଉଣୀ ବଳ ଏହାକୁ ଯେ ଖଟି

ଧନବନ୍ତ ବଳବନ୍ତ କକ୍ଷା ଜଗଜ୍ଜେଠି ।

ଚରଣେ ତିନି ସହସ୍ରେ ରାଜା ଖଟିଥାନ୍ତି

ତାର ସେବାରେ ଥିବାରୁ କାକୁ ନ ଗଣନ୍ତି ।

ତୁମ୍ଭଙ୍କୁ ଆଦିକରି ସେ ନ କରନ୍ତି ସେବା

ସେ ମୃଗସେନ ରାଜାକୁ ଦୁହିତାଏ ଦେବା ।

ବର୍ଣ୍ଣରେ ବ୍ରାହ୍ମଣ ସେହି ଅଟେ ଶ୍ରେଷ୍ଠ ଜାତି

ଦୁହିତା ଦେଇ ତାହାକୁ କରିବା ନୃପତି ।

ସେ ରାଜା ଆମ୍ଭ ସଙ୍ଗତେ ଥିଲେ ନାହିଁ ଭୀତି

ଯାଦବ ମାରି କରିବ ତୁମ୍ଭ ମନ ଶାନ୍ତି ।

ଜମାଗୋଷ୍ଠ ବୋଲି ରାଜା ଅଟଇ ଗରିଷ୍ଠ

କଣୟକଣ୍ଡର ରାଜା ଅତ୍ୟନ୍ତ ବଳିଷ୍ଠ ।

ଏମନ୍ତ ବର ତାହାକୁ ଶିବ ଯାଚି ଦିଏ

ଲିହି ପୋଛିଲେ ତାହାର ଶତ୍ରୁ ଯାଇ କ୍ଷୟେ ।

ସେ ରାଜାକୁ ସନ୍ତୋଷ କରିବା ଧନ ଦେଇ

ନୋହିଲେ ନାମ ଲେଖାଇ ପୋଛାଇବା ନେଇ ।

ଯାର ନାମ ଲେଖି ପୁଣି ପୋଛାଇଲେ କରେ

ସେହି ବ୍ୟକ୍ତି ନ ବର୍ତ୍ତଇ କାହାରି ଆଜ୍ଞାରେ ।

ଯେତେକ ରାଜାର ବଳ ପ୍ରାକର୍ମ ମହୀରେ

ସର୍ବ ନାମ ଗୁଣ କହି ଜରାର ଆଗରେ ।

ପୃଥୁ ନାମେ ନରପତି ଅର୍ଜିଛି ଧରଣୀ

ନବ ପୁତ୍ର ଜାତ ହେଲେ ସର୍ବେ ଗୁଣମଣି ।

ପୃଥ୍ଵୀ ଧାରଣ ଅଗସ୍ତି କପିଳ ଯେ କାନ୍ତ

ବିଜୟ ବୀରବାହୁ ସେ ବୈଶ୍ଵାନପୁତ୍ର ।

ବିଦକ୍ଷ ବୀର କେଦାର ଏ ନବ କୁମର

ପ୍ରତାପୀ ହୋଇ ଜନ୍ମିଲେ ଏକୁଁ ଏକ ଆର ।

ଏ ସମସ୍ତ ପୃଥୁରାଜ ପୁତ୍ର ମହାଜ୍ଞାନୀ

ନବଖଣ୍ଡ କରି ବାଣ୍ଟିନେଲେ ଏ ମେଦିନୀ ।

ସମଭାଗ କଲେ ନବଖଣ୍ଡ ଏ ପ୍ରମାଣ

ଭାଗକ ବାଣ୍ଟି ଏଗାର ସହସ୍ର ଯେ ଜନ ।

ନବ ପର୍ବତ ପକାଇ ସୀମାମାନ ବାଣ୍ଟି

ମହାବନ୍ଧ ପକାଇଲେ କିଳାମାନ କଣ୍ଟି ।

ସୀମାନ୍ତ ରାଜାଏ ସର୍ବେ ପର୍ବତରେ ରହି

ଗୋଳ ଦଳ କଳିଦ୍ଵନ୍ଦ୍ଵ ପାପ ପୁଣ୍ୟ ନାହିଁ ।

ହସ୍ତୀ ଘୋଡ଼ା ବ୍ୟାଘ୍ର ଭାଲୁ ଜନ ଆଦି କରି

ଯାହାକୁ ଦେଖନ୍ତି ତାକୁ ଗ୍ରାସ କଲେ ଧରି ।

ପାପ ପୁଣ୍ୟ ବିଚାର ନ ଥାଇ ଜାଣ ତଥି

ମୂର୍ଖ ଜନେ ଗଣା ବଣମନୁଷ୍ୟ ଯେ ଜାତି ।

ସେ ନବ ସହସ୍ର ବନ ପର୍ବତରେ ଥାନ୍ତି

ଏମାନେ ଜାଣ ତୁମ୍ଭଙ୍କୁ ସେବା ନ କରନ୍ତି ।

ନବ ପୁତ୍ର ମଧ୍ୟେ ଶ୍ରେଷ୍ଠ ଭରତ କୁମାର

ଈଷାନ ଭାଗ ଖଣ୍ଡି ଯେ ପଡ଼ିଲା ଏହାର ।

ଏଣୁ ଏହାକୁ ଭରତ ଖଣ୍ଡ ବୋଲି କହି

ଏଗାର ସସ୍ର ଯୋଜନ ଭାଗ ତାଙ୍କ ମହୀ ।

ଏହି ପ୍ରମାଣେ ସେ ନବ ପୁତ୍ର ବାଣ୍ଟି ନେଲେ

ଯେଝା ଭାଗ ସେ ଆପଣା ନାମଗୋଟି ଦେଲେ

ଏମନ୍ତେ ଏ ନବଖଣ୍ଡ ମେଦିନୀ ପ୍ରମାଣ

ଛୟାଣୋଇ ସସ୍ର ରାଜା ଅଛନ୍ତି ଏ ଜାଣ ।

ଏକାଣୋଇ ସସ୍ର ରାଜା ତୁମ୍ଭଙ୍କୁ ଖଟନ୍ତି

ଅମାନିଆ ଜାଣ ପଞ୍ଚ ସହସ୍ର ନୃପତି ।

ଜରାସନ୍ଧ ରାୟେ ବୋଲେ କାର୍ଯ୍ୟ ମୋ ପଡ଼ିଛି

ଏତେବେଳେ ଦୁଷ୍ଟପଣ ନ କରିବା କିଛି ।

ନାନାଦି ପ୍ରକାରେ ଶତ୍ରୁମାରି ଯେବେ ସାଧି

କାର୍ଯ୍ୟ ଶେଷ କରି ପାରି ସିନା ଆନ ବୁଦ୍ଧି ।

ଏତେବୋଲି ରାଜଦୂତେ ପେଷି ଦେଶେଦେଶେ

ଡଗର ଯାଇ ଜଣଶଇ ରାଜାଙ୍କର ପାଶେ ।

ଦିନ ଗଣି ଅଛନ୍ତି ଯେ ରାଜା ବାଟ ଚାହିଁ

ଯେଝା ଅଙ୍ଗବଳ ଘେନି ମଗଧକୁ ଯାଇ ।

ନୃପତିଙ୍କ ଚର୍ଚ୍ଚା ପାତ୍ର ଅମାତ୍ୟ ଯେ କରି

ଥାଟ ପୋଷଣ ସାମଗ୍ରୀ ଦ୍ୟନ୍ତି ଲେଖି ପଢ଼ି ।

ରାଜାମାନେ ବାର୍ତ୍ତାପାଇ ଅଇଲେ ତକ୍ଷଣ

ବସା ଖର୍ଚ୍ଚ ଗଣି ପାଇ ରହି ରାଜଗଣ ।

ଶାଲ୍ଵ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ନାରକା ଶମ୍ଵର ଆଦି ବଜ୍ରନାଭ ବାଣ ।

ଗାନ୍ଧାରସେନ ନୃପତି କାଳିଞ୍ଜନ ରାୟେ

ବିରାଟ କୀଚକ ଆଦି ନୃପତି ବିଜୟେ ।

ଦୂରନ୍ତକ ଦମଘୋଷ ରାଜା ଭଗଦତ୍ତ

ବୀରବାହୁ ଯେ ବିଜୟ ସେନ ଭାନୁମତ ।

କୌଶିକ ପଣ୍ଡ୍ରକ ହରିସେନ ବାସୁଦେବ

ଶିବଶ୍ରବା ସଉଭରି କାଳ ବାମଦେବ ।

ଶଶାଙ୍କ ଚୂଡ଼ଙ୍ଗ ସାହା ଶାନ୍ତିକ ଆବର

ନିଃଶଙ୍କ ନିର୍ଦ୍ଦୟ ନିରଞ୍ଜନ ନାଶକର ।

ରାଜୀବ ବଧକାରକ ସୁରଥ ନୃପତି

ଜୟସିଂହ ଜ୍ୟୋତିରଙ୍ଗ ରାଜା ଗଣପତି ।

କାଶୀଶ୍ଵର ନରପତି ରାଜା ଛତ୍ରମାଳୀ

ସମସ୍ତ ନୃପତି ଆସି ମଗଧରେ ମିଳି ।

କାର୍ଯ୍ୟବଶରୁ ତହିଁକି ଯେ ଆସି ନ ଥିଲେ

ଲେଖା ଦେଇଣ ଡଗରା ତାହାଙ୍କୁ ଆଣିଲେ ।

ସମସ୍ତ ନୃପତିମାନେ ଆସି ହେଲେ ରୁଣ୍ଡ

ଲୋକ ଗହଳ ଚହଳେ ପୂରିଲା ବ୍ରହ୍ମାଣ୍ଡ ।

ଇଦଂ ପ୍ରତିବାକ୍ୟ ଯେ ବଦନ୍ତି ଶୁକଯତି

ଶୁଣ ସାବଧାନେ ତୁହୋ ପଣ୍ଡୁ ପଣନାତି ।

ସରସ୍ଵତୀ ନଦୀ ତଟେ ରହି କୋଟି ଥାଟ

ସ୍ଵର୍ଗେ ଇନ୍ଦ୍ର ଦେବତାକୁ ଲାଗିଲା ଉଚ୍ଚାଟ ।

ତେତିଶ କୋଟି ଦେବତା ପାଇ ମନେ ଭୟ

ବୋଇଲେ ରୁଣ୍ଡ ହେଲେ ଏ ସବୁ ଦୁଷ୍ଟରାୟ ।

ମନ୍ତ୍ରୀକି ଚାହିଁ ସେ ଜରାସନ୍ଧ ରାଜା ପୁଚ୍ଛି

କେଉଁ ରାଜା ମୋ ଛାମୁରେ ଆସିଣ ନ ଅଛି ।

ଏହା ସଂକ୍ଷେପିଣ ମୋତେ କହ ବୁଦ୍ଧିମନ୍ତ

ନାନା ଉପାୟରେ ତାକୁ ଆଣିବି ତ୍ଵରିତ ।

ସକଳ ସଂକ୍ଷେପି କରି ମନ୍ତ୍ରୀଏ କହିଲେ

ଏଗାର ନୃପତି ଛାଡ଼ି ଅଇଲେ ସକଳେ ।

ସ୍ଵର୍ଗ ଇନ୍ଦ୍ର ନ ଆସିଲେ ପାତାଳୁ ବାସୁକି

ମଞ୍ଚୁ ନବ ନ ଆସିଲେ ମୂର୍ଦ୍ଧାଅଭିଷେକୀ ।

ଗୋସିଂହ କାଳଦମନ ମୃଗେସନ ବୀର

ଶିଶୁ ଯମକ ନୃପତି ମହୀନ୍ଦ୍ର ଠାକୁର ।

କିଷ୍କିନ୍ଧ୍ୟା ବାନରେଶ୍ଵର ବାଳୀରାଜା ନାତି

ସୁବେଳ ପର୍ବତୁ କୁହ ଭୂପାଳ ନୃପତି ।

ଲଙ୍କା ରାବଣ ଅନୁଜ ରାଜା ବିଭୀଷଣ

ସେ ନଇଲେ ଦୋଷ ଘେନି ଦୈତ୍ୟ କୁଳରାଣ

ବାରୁଣାପୁରର ରାଜା ପଣ୍ଡୁର କୁମର

ଧର୍ମବନ୍ତ ସତ୍ୟବନ୍ତ ରାଜା ଯୁଧିଷ୍ଠିର ।

ଉଗ୍ରସେନ ନ ଆସିଲେ ଶତ୍ରୁପକ୍ଷ ଭାଳି

ଆଉ ସକଳ ନୃପତି ଆସି ଏଥେ ମିଳି ।

ଜରାସନ୍ଧ ବୋଇଲା ଏ ଅକଳିତ ସୈନ୍ୟ

ଆସିଛନ୍ତି ପଦାତିକ ଘେନିଣ ରାଜନ ।

କେ କେଣେ ଅଛନ୍ତି ତାହା ତଦନ୍ତ ନ ଜାଣି

ଥୋକେ ରଖ ଥୋକେ ପଛେ ସଙ୍ଖୋଳିବା ପୁଣି ।

ଯେତେକ ରାଜା ଅଇଲେ ଘେନି ମୋର ସ୍ନେହ

ଆଗହୁଁ ବସା ଖରଚ ଲେଖିକରି ଦିଅ ।

ରାନ୍ଧଣା କରନ୍ତୁ ସକ୍ରଶାଳେ ଅନୁକ୍ଷଣ

ଚାରିଜାତି ଅଷ୍ଟାଦଶ କରିବେ ଭୋଜନ ।

ଯେବଣ ଲୋକ ମାନସ କରିବାକ ଯାହା

ମାଗନ୍ତେ ଦଣ୍ଡେ ବିଳମ୍ଵ ନ କରିବ ତାହା ।

ହାତୀ ଘୋଡ଼ା ଚରାଆଦି ନିଯୋଗ ଯେ ବିଧି

ଦିନେ ଦିନେ ବୁଝି ଦେବ ସଇନ୍ୟ ଅବଧି ।

ବଳଦ ପିଠି ଶଗଡ଼ମାନଙ୍କରେ ଲଦି

କୋଡ଼ି ଟୋକେଇ କଟୁରୀ ସଙ୍ଗେ ଥିବ ସାଧି ।

ଶାଢ଼ୀ ଘର ଟେରା ବାଡ଼ ଖଣ୍ଡୁଆ ସହିତେ

ଛତା ପାଣ୍ଢୋଇ ପକ୍ଷିଆ ଭିଆଇ ଏମନ୍ତେ ।

ଗୁରୁଜ ଶାବେଳୀ ଖଣ୍ଡା କାଣ୍ଡ ଶୂଳ ଯଷ୍ଟି

ଘୋଡ଼ା ହାତୀଙ୍କ ନିଗଢ଼ ଘୋଡ଼ା ବସ୍ତ୍ରଗୋଟି ।

ଖଣତା ଛୁରୀ କୋଦାଳ ଲୁହା ବାଡ଼ି ଭଲ୍ଲ

ଯମଦାଢ଼ ବାଙ୍କଛୁରୀ ଭୂଷିବାର ସଲ ।

ଲେନ୍ତି ପଥର ମାରିଣ କରିବାକ ପଦା

ଟାଙ୍ଗିଆ ଭୂଷଣ୍ଡୀ ମାଟିହଣା ତୀକ୍ଷ୍‌ଣ ବିନ୍ଧା ।

ତେଣ୍ଟା ପାଟବର୍ଚ୍ଛା ଏକମୁନା ଛିଟିକିଣୀ

ଏମନ୍ତ ଅଠର ଜାତି ଶସ୍ତ୍ର ପରିମାଣି ।

ଛତିଶ ଜାତିରେ ଲୁହା ନାନାବର୍ଣ୍ଣ କମ

କୋଠଭଣ୍ଡାର ନିଯୋଗମାନଙ୍କୁ ଘେନିମ ।

ଏସବୁ କଥାରେ ଅବଧାନ ହୋଇଥିବ

ଏତେ କଥାରୁ କିଛି ଅନ୍ତର ନ କରିବ ।

ଏସନକ ଆଜ୍ଞା ଦେଲା ଜରାସନ୍ଧ ବୀର

ଧନୁ ଶୁକୁଳ ପଞ୍ଚମୀ ତିଥି ଗୁରୁବାର ।

ଗର ନାମେ କରଣ ସେ ଆୟୁଷ୍ମାନ ଯୋଗ

କୁମ୍ଭର ପଞ୍ଚଚାଳିଶ ଦଣ୍ଡ ଚନ୍ଦ୍ର ଭୋଗ ।

ତାର ବାର ଗ୍ରହ ଆଦି ଶୁଭଯୋଗ ବେଳେ

ମେଷ ଲଗ୍ନ ଅନୁକୂଳ ଜରା ମହୀପାଳେ ।

ଦିଆଅ ଟମକ ସୈନ୍ୟ ହୁଅନ୍ତୁରେ ସଜ

ଥୋକେ ଦୂର ଯାଇ ଅନୁକୂଳ କର ଆଜ ।

ଏମନ୍ତ ଆଜ୍ଞା ଦେଲା ସେ ମଗଧ ନୃପତି

ଆପେ ବୀରବେଶ ହୋଇ କରେ ଶୀଘ୍ରଗତି ।

ହୃଦରେ ଭୂଷଣ ଗଳେ ସୁବର୍ଣ୍ଣର ହାର

ତାଡ଼ ତୋଡ଼ର ମୁକୁତା ଲମ୍ଵେ ଦିବ୍ୟମାଳ ।

ବିଦ ମୁଦ୍ରିକା କଙ୍କଣ ପଦକ ବାହୁଟି

ଓଢ଼ଣୀ ତୋଡ଼ର ବିରାଜଇ କୋଟି କୋଟି ।

ଶ୍ରୀକରେ ତୀର କମାଣ କନ୍ଧେ ତୂଣ ବାନ୍ଧି

ରଙ୍ଗ ପାଟ ପତନୀ କ୍ଷୀରୋଦ୍ରି ଯୋଡ଼ ପିନ୍ଧି ।

କପୋଳେ ସିନ୍ଦୂର ଚିତା ଯମଦାଢ଼ ଛୁରୀ

ଉପରେ ଅନେକ ଅସ୍ତ୍ର ଶସ୍ତ୍ର ବାନ୍ଧି ଡେରି ।

ବାଜେ ମହୁରୀ ସୁସ୍ଵର ଶଙ୍ଖ ବୀଣା ବାଣୀ

ଶ୍ଵେତ ପାରୁଆ ଉଭାରି ରାଜହଂସ ଶ୍ରେଣୀ ।

ବିପ୍ରେ ବେଦଧ୍ଵନି କରି ବାଞ୍ଛୁ ସର୍ବ ଶୁଭ

ଗୋରଚନା ଚିତା ପୁଣ ଅକ୍ଷତ ଯେ ଦୂବ ।

ଦଧି ମାଛ ପୂର୍ଣ୍ଣକୁମ୍ଭ ପରେ ଚୂତ ଡାଳ

ହୃଦୟରେ ଆଭରଣ ଗଳେ ଧଣ୍ଡାମାଳ ।

ବନ୍ଦୀ ଭାଟ କଏବାର ସ୍ତୁତି ପାଠପଢ଼ି

ନଟ ଗଣିକା ଛାମୁରେ ନୃତ୍ୟ ଗୀତ କରି ।

ଜଉତିଷେ ପାଞ୍ଜି ତୋଳି କହି ଦିନ ବାର

ପରିବାରୀମାନେ ଖଟିଛନ୍ତି ଯେ ଯାହାର ।

ଶ୍ଵେତ ଛତ୍ର ଶ୍ଵେତ ଦୂବ ଶ୍ଵେତ ପୁଷ୍ପ ତିନି

ଶ୍ଵେତ ରତ୍ନ ଶ୍ଵେତ ବସ୍ତ୍ର ରାଜା ଅଛି ଘେନି ।

ନିଃଶ୍ଵାସ ବାରି ଦକ୍ଷିଣ ପାଦ ଆଗ କରି

ରଥ ଆରୋହି ଦିଗ୍‌ବିଜେ କଲା ଦଣ୍ଡଧାରୀ ।

ଅଗ୍ନିକୋଣ ମାଡ଼ି ରାଜା ହୋଇଲେ ବାହାର

ସଙ୍ଗତେ ଗୋଡ଼ାଇଛନ୍ତି ବହୁ ନୃପବର ।

ରଥ ରଥୀ ଗଜ ଅଶ୍ଵ ପଦାତି ଅଗଣ

ବଜାନ୍ତି ଯେ କୋଟି କୋଟି ଟମକ ନିଷାଣ ।

ଢୋଲ ଦମାଲୁ ମର୍ଦ୍ଦଳ ଭେରୀ ବୀରତୂରେ

ମୃଦଙ୍ଗ ଚାଙ୍ଗୁ ତବଲା ଝିଞ୍ଜୀର ଝଙ୍କାରେ ।

କଡ଼ା କୁଣ୍ଡଳୀ ସିହାଣୀ ବଗଡ଼ ଢୋଲକ

ଦୋସରି ଅଳାବେଣୀ ଯେ ଡେମ୍ଫ ଯୋଡ଼ିଶଙ୍ଖ ।

ପଟା କୁଣ୍ଡଳୀ କାହାଳୀ ଗିନା ରାମତାଳି

ଡିବି ଡିବି ଡମ୍ଵରୁ ଯେ ପଡ଼େ ହୁଳହୁଳି ।

ନାରୀଏ ମଙ୍ଗଳ ଗୀତ ନାନା ବାଦ୍ୟ ଧ୍ଵନି

କମ୍ପଇ ବ୍ରହ୍ମାଣ୍ଡଖଣ୍ଡ କମ୍ପେ ପୁର ତିନି ।

ଛତିଶ ଆୟୁଧ ଧରି ରାଉତେ ଯେ ସଜ

ବାସ୍ତରି ଆୟୁଧ ଘେନି ସଜାଡ଼ିଲେ ଗଜ ।

ବେନିଶତ ଆୟୁଧରେ ସଜା ରଥ ରଥୀ

ପାଞ୍ଚ ପରାର୍ଦ୍ଧ ଆୟୁଧେ ସଜ ଯେ ପଦାତି ।

ଅକଳନା ବଳ ଘେନି ଗଲେ ଯେଝାମତେ

ସଂଗ୍ରାମକୁ ସଜ ହୋଇଯାନ୍ତେ ପଥେ ପଥେ ।

ଉଦ୍ଦଣ୍ଡ ଆଲମ୍ଵ ଏକ ଲକ୍ଷ ପନ୍ତି ପନ୍ତି

ବିବଧ ଶ୍ଵେତ ଚାମର ଦୂରୁ ଶୋଭା ପାନ୍ତି ।

ମେଘ ଡମ୍ଵରୁ ଆବର ବାଦ୍ୟ ଫିରି ଫିରି

ନିରନ୍ତର ସମୁଦ୍ରର ଉଠେ କି ଲହରୀ ।

ରଥମାନଙ୍କ ଘୋଷଣା ଗଜଙ୍କ ଧାଉଡ଼ି

ଅଶ୍ଵଙ୍କର ହ୍ରେଷାରବ କ୍ଷୁରାଘାତ ବଢ଼ି ।

ପଦାତିଙ୍କର ଗର୍ଜ୍ଜନ ଘଣ୍ଟାନାଦ ଶୁଣି

ଟଳମଳ ବସୁନ୍ଧରୀ କମ୍ପେ ସପ୍ତଫଣି ।

ରଥ ଉପରେ ପତାକା ଦିଶେ ବିତପନ

ଫରହର ମାଳ ମାଳ ଉଡ଼େ ନାନାବର୍ଣ୍ଣ ।

ଅଷ୍ଟ ରତ୍ନରେ ନିର୍ମାଣ ବିଚିତ୍ର ମଣ୍ଡଣି

ମଧ୍ୟାହ୍ନ ସମୟେ ଯେହ୍ନେ ଅସ୍ତ ଦିନମଣି ।

ଆଗ ପଛେ ବାମ ଡାହାଣରେ ଛନ୍ତି ବେଢ଼ି

କୋଶେ ଯାଇ ପଛକୁ ଚାହାନ୍ତି ଆଗବଢ଼ି ।

ଚୌରାଶି ଯୋଜନ ମାଡ଼ି ଚଳେ ସମଦଣ୍ଡ

ବାଦ୍ୟ ନାଦ ଶବ୍ଦେ କମ୍ପେ ଭୂମି ନବଖଣ୍ଡ ।

ମାର ମାର ଧର ଧର ଶବ୍ଦ ଘୋର ଡାକ

ଆକାଶ କମ୍ପି କମ୍ପିଲା ସ୍ଵର୍ଗ ଦେବଲୋକ ।

ଖାଲ ଡିଙ୍ଗର ପର୍ବତ ଭାଙ୍ଗି ହେଲା ବାଟ

ମଥୁରାକୁ କଟକାଇ କରି ସର୍ବ ଥାଟ ।

ଶୁଣ ପରୀକ୍ଷ ବଦନ୍ତି ଶୁକ ମହାଯତି

ଶ୍ରୀହରିବଂଶ ପୁରାଣ ପୁଣ୍ୟତମ କୀର୍ତ୍ତି ।

ଏ ପ୍ରକାରେ ଚଳଇ ସେ ମଗଧ ଈଶ୍ଵର

ଆପଣା ରାଜ୍ୟୁ ବାହାର ହେଲା ରାଜେଶ୍ଵର ।

ରାଜାଏ ଗୋଡ଼ାଇଛନ୍ତି ତାର ପଛେ ପଛେ

ରବି ଅସ୍ତେ ରହିଲେ ସେ ପଦ୍ମାବତୀ କାଛେ ।

ହରି କନ୍ଦର ବୋଲିଣ ଏକଇ ପର୍ବତ

ସୌରାଷ୍ଟ୍ର ଦେଶରୁ ଆସି ସେ ନଦୀ ସଙ୍ଗତ ।

ବିଶାଶଏ ଯୋଜନ ସେ ଗିରିର ବିସ୍ତାର

ପାର୍ବତୀଙ୍କି ଘେନି ତହିଁ ଥିଲେ ଦେବହର ।

ବିଶ୍ଵକର୍ମାର ଗଠନ ନବରେକ ତହିଁ

ସେ ନବରେ ପୂର୍ବେ ଥିଲେ ସେ ଈଶ୍ଵର ରହି ।

ସେ ନଦୀ ମାଡ଼ି ରହିଛି ଜରାସନ୍ଧ ରାୟ

ଶାଢ଼ୀଘର ଟାଣି ରହିଛନ୍ତି ସବୁରାୟ ।

ସେହି କ୍ରମରେ ରାଜାଙ୍କୁ ଦେଲେ ତହିଁ ଠାବ

ହସ୍ତୀ ଘୋଡ଼ାଙ୍କ ଚରଣି ଦେଇ ରାଜଦେବ ।

ପାଣି ଖାଦ୍ୟ ଖାଇ ସୁସ୍ଥ ହୋଇଲେ ସକଳ

ରାନ୍ଧି ଭୁଞ୍ଜି ଯେ ଯାହାରେ ନିଦ୍ରା ସର୍ବ ବଳ ।

ମଣୋହି କଲେ ଯୋଗାଡ଼ ପାଇ ରାଜଗଣ

ସୁସ୍ଥ ହୋଇଣ ରଜନୀ ବଞ୍ଚିଲେ ସେ ଦିନ ।

ଯଥା ଅନୁକ୍ରମେ ରାଜବିଧି ଯେ ଭିଆଣ

ରାତ୍ରକ ତହିଁ ବଞ୍ଚିଲେ ଚତୁରଙ୍ଗ ସୈନ୍ୟ ।

ଏସନ ବାରତା ଶୁଣି ନାରଦ ଯେ ମୁନି

ଶ୍ରୀକୃଷ୍ଣ ତହିଁ ମିଳିଲେ କରି ହରିଧ୍ଵନି ।

ଖଣ୍ଡେ ଦୂରକୁ ତପୀଙ୍କି ଦେଖି ଦେବ ହରି

ଆସନ ଛାଡ଼ି ଉଠିଣ ପ୍ରଣାମ ଯେ କରି ।

ଷଡ଼ ଅର୍ଘେ ପାଦଧୂଳି ଧୂପ ଦୀପ ଦେଇ

ଭୋ ମୁନି କି କାର୍ଯ୍ୟ ଏଥେ ପଚାରି ବିନୟି ।

ନାରଦ ବୋଇଲେ ତୁମ୍ଭେ ସର୍ବଜ୍ଞ ପୁରୁଷ

ଭୂତ ଭବିଷ୍ୟତ କଥାମାନ ହୁଏ ଦୃଶ୍ୟ ।

ଶାରଦା ବଲ୍ଲଭ ତୁମ୍ଭେ ଲକ୍ଷ୍ମୀଦେବୀ ନାହା

ମୁଁ କିସ କହିବି ତୁମ୍ଭେ ନ ଜାଣ ବା କାହା ।

ଏ ବିଶ୍ଵକଥା ତୁମ୍ଭଙ୍କୁ ଲାଗେ ସିନା ସବୁ

ଅସୁର ମାରି ଦେବଙ୍କୁ ସ୍ଵର୍ଗପୁର ଦେବୁ ।

ମଗଧ ଈଶ୍ଵର ଜରାସନ୍ଧ ନରପତି

ଗହଣରେ ଚାରିଊଣା ଲକ୍ଷେକ ନୃପତି ।

ନରପତିମାନଙ୍କର ଅଙ୍ଗବଳ ଯେତେ

ସଂକ୍ଷେପି କରିଣ ତାହା କହିବଇଁ କେତେ ।

ସବୁ ରାଜା ଆସିଛନ୍ତି ଯୁଦ୍ଧେ ପରିଘାଇ

ତୁମ୍ଭଙ୍କୁ ଧରିବେ ବୋଲି ମନେ କରି ସେହି ।

ହିନ୍ଦୁ ଆଦି କରି ଯେତେ ପାପିଷ୍ଠ ସଇନି

ସର୍ବେ ଏକରୁଣ୍ଡ ହୋଇ ଜରା ସଙ୍ଗେ ଘେନି ।

କାଲି ସାତ ଘଡ଼ିରେ ସେ ବେଢ଼ିବେ ତୋ ଗଡ଼

ଜୁଆଇଁ ନାତିର ଛଳେ ପ୍ରାଣ କରି ଗାଢ଼ ।

ତୁମ୍ଭର ବଳେ ଜରାକୁ ନୁହଇ ଯେ ମାରି

ବାଟ କାଟି ଗଡୁଁ ଏବେ ଯାଅ ଅପସରି ।

ଶିଶୁପାଳ ରୁକ୍ମଣ ଯେ ଶାଲ୍ୱ ଦନ୍ତବକ୍ର

ଏହାଙ୍କ ନାମ ଧଇଲେ କମ୍ପେ ଦେବ ଶକ୍ର ।

ବାଣାସୁର ବଜ୍ରନାଭ ନାରକା ଏ ତିନି

ନିମିଷେ ଜିଣି ପାରନ୍ତି ସକଳ ମେଦିନୀ ।

ସଙ୍ଗତେ ଆସି ଅଚନ୍ତି ଭାଇବନ୍ଧୁ ଗଣ

କାଶୀପତି ଭଗଦତ୍ତ ଆଦି ନୃପଗଣ ।

ଅଛନ୍ତି ସେ ସଦାଶିବଠାରୁ ବର ପାଇ

ଜଳସ୍ଥଳ ଅନଳରେ କାହିଁ ମୃତ୍ୟୁ ନାହିଁ ।

ଦୁର୍ବାର ନିଶାଚର ସେ ସଙ୍ଗେ ସୈନ୍ୟଗଣ

ଅବଶ୍ୟ ଉପ୍ରୋଧ ଛାଡ଼ି କରିବେ ସେ ରଣ ।

ହାନି ଲାଭ ବିଚାରିଣ କାର୍ଯ୍ୟ ଏବେ କର

ଜିଣି ନ ପାରିଲେ ହୁଅ ବେଳହୁଁ ଅନ୍ତର ।

ଶ୍ରୀକୃଷ୍ଣ ବୋଇଲେ ମୁନି ତୁମ୍ଭ ପ୍ରସାରୁ

କୋଟି କୋଟି ଜରାସନ୍ଧ ଯୁଦ୍ଧେ ଜିଣିପାରୁ ।

ଅନେକ ଦାନବ ହେଲେ ପୃଥ୍ଵୀରେ ପ୍ରକାଶ

ଦେବତା ଗୁରୁ ବ୍ରାହ୍ମଣ କରନ୍ତି ବିନାଶ ।

ଏମାନେ ନ ମଲେ ପୃଥ୍ଵୀଭାର ନୁହେ କ୍ଷୟ

ପୂର୍ବର ଭିଆଣ ଏହା ଦେବଙ୍କ ଉପାୟ ।

ଏକାବେଳେ ଏତେ ଲୋକ ପାଇ ଆମ୍ଭେ କାହିଁ

ଜରାସନ୍ଧ ସମସ୍ତଙ୍କୁ ଆଣୁଛି ରୁଣ୍ଡାଇ ।

ଦେବକାର୍ଯ୍ୟପାଇଁ ଏଥୁ ମାରି କିଛି କିଛି

ଶ୍ରୀକୃଷ୍ଣ ବାକ୍ୟେ ସନ୍ତୋଷ ହେଲେ ବ୍ରହ୍ମବତ୍ସି ।

କଳି ଧୂକୁଡ଼ି ମୁଣିରୁ ଧୂଳିମୁଠା କାଢ଼ି

ପକାଇ ଦେଇ ନାଚନ୍ତି ଲାଗୁ ଲାଗୁ ବୋଲି ।

ସେ ଦିନ ମଥୁରାପୁରେ ରହି ତପଶାଳୀ

ବୋଇଲେ ରାତ୍ର ପାହିଲେ ଦେଖିବା ନ କଳି ।

ଏଥୁ ଅନନ୍ତରେ ରାଜା ଉଗ୍ରସେନ ରାଇ

ନିଅବକାଶରେ ଆଜ୍ଞା ଦେଲେ ଲକ୍ଷ୍ମୀସାଇଁ ।

ବୋଇଲେ ମଥୁରାପୁରେ ପୁଣ ଜରା ଧାଡ଼ି

କାଲି ସାତଘଡ଼ି ବେଳେ ବସିବ ସେ ମାଡ଼ି ।

ଏହିକ୍ଷଣି କହିଲେ ନାରଦ ତପୋନିଷ୍ଠ

ଗନ୍ଧମାଦନକୁ ତୁମ୍ଭେ ଯାଅ ଘେନି ଥାଟ ।

ଧନ ଜନ ଗୋରୁ ଦ୍ରବ୍ୟ ସବୁ ଯିବ ଘେନି

ପର୍ବତ କନ୍ଦରେ ରହ ତୁମ୍ଭେ ଦିନା ତିନି ।

ବାଳ ବୃଦ୍ଧ ଯୁବାସ୍ତିରୀ ଯିବ ସର୍ବ ନେଇ

ଜରାସନ୍ଧ ବାହୁଡ଼ିଣ ଯାଉ ହେଳ ହୋଇ ।

ଏମନ୍ତ ଆଦେଶ ଯହୁଁ ଜଗନ୍ନାଥ ଦେଲେ

କୁଟୁମ୍ଵକୁ ଉଗ୍ରସେନ ଘେନି ଚଳିଗଲେ ।

ଯାଦବଙ୍କୁ ଆବୋରିଲେ ବଳଦେବ ସ୍ଵାମୀ

ଗଡ଼ ଭିତର ଆବୋରି ଦେବ ଅନ୍ତର୍ଯ୍ୟାମୀ ।

ଅର୍ଗଳି ପୋତି ପାଡ଼ିଲେ ଦ୍ଵାରକା କବାଟ

ଲୌହ ଦଣ୍ଡର ଧାରଣା ନିରୋଥିଲେ ବାଟ ।

ବିଶ୍ଵକର୍ମାର ନିର୍ମାଣ ଲକ୍ଷ୍ମୀର ପାଟଣା

ଚାରିପାଖ ନବତଳ ଗଭୀର ଯେ ଖଣା ।

ଚାଙ୍ଗୁମୁହାଁ ଫେରମୁହାଁ ବାଘମୁହାଁ ଘର

ଲଗାଇଛି ଛିଟିକିଣି ପିଢ଼ାର ଉପର ।

ଏରୂପେ ଅସ୍ତ୍ର ଭିତରେ ସଜାଡ଼ିଣ ରହି

ବାଣ୍ଟି ରଖିଲେ ଅଶ୍ଵଙ୍କୁ ମୁହଁରେ ରଖାଇ ।

ସାତବଂଶ ଯାଦବ ଚୌରାଶୀକୋଟି ବଳ

ଏକକୁ ଆରେକ ଯୋଦ୍ଧା ରଣେ ଅନର୍ଗଳ ।

ଜଗଦ୍‌ବନ୍ଦନ ନାଥଙ୍କ ସଙ୍ଗ ଆଶ୍ରାପାଇ

ଗନ୍ଧର୍ବ ଆଦି କାହାକୁ ମନେ ଶଙ୍କା ନାହିଁ ।

ଏଥୁ ଅନନ୍ତରେ ସେ ଯେ ଜରାସନ୍ଧ ରାୟେ

ରାତ୍ର ସାତଘଡ଼ି ମାନେ କଲାକ ବିଜୟେ ।

ମନର ସନ୍ତାପ ବାଧା ଲାଗିଛି ଉଚ୍ଚାଟ

ରାତ୍ରେ ଚଳାଇ ଅଛନ୍ତି ଭୟଙ୍କର ଥାଟ ।

ଟମକ ନିଶାଣ ବାଜେ ବୀରତୂର ଧ୍ଵନି

ପାଦଭରେ କମ୍ପୁଅଛି ସକଳ ମେଦିନୀ ।

ସମଦଣ୍ଡ ଚଳାଇଣ ଆସି ଅତିବେଗେ

ସାତଦଣ୍ଡ ମିଳି ଆସି ଯମୁନା ସଂଯୋଗେ ।

କାଳିନ୍ଦୀ ପାରି ହୋଇଣ ବନଗିରି ମାଡ଼ି

ସଂଭ୍ରମେ ଯାଇ ମଥୁରାପୁର ଗଡ଼ ବେଢ଼ି ।

ମଗଧେଶ ଆଜ୍ଞାଦେଲେ ରାଜାଗଣ ଚାହିଁ

ଏକମୁଖେ ଗଡ଼ଦ୍ଵାରେ ଲାଗତୁମ୍ଭେ ଯାଇଁ ।

ଚାରିଦ୍ଵାରେ ଥାଟ ବାଣ୍ଟି କଲେ ସେ ପ୍ରୟାଣ

ସିଂହଦ୍ଵାରେ ଆବୋରିଣ ରହେ ନୃପରାଣ ।

ସେ ଦ୍ୱାରେ ଚବିଶସସ୍ର ରାଜା ବଳଘେନି

ତେଇଶ କ୍ଷଉଣୀ ବଳ ଥାଟ ଯେ ପଲାଣି ।

ଏକ ଏକ ରାଜାଙ୍କର ଦଶ ବିଂଶକ୍ଷୌଣୀ

ଗଣନା ନ ଯାଇ ସିନ୍ଧୁ ଅକଳିତ ଜାଣି ।

ଏକୋଇଶ ରାଜା ୟାଙ୍କ ସଙ୍ଗରେ ମୁକୁଟ

ବିଂଶତ୍ରିଶକ୍ଷୌଣୀ ଏକ ରାଜାଙ୍କର ଥାଟ ।

ପଶ୍ଚିମ ଦ୍ୱାରକୁ ଆବୋରିଲେ ମହାବଳ

ପ୍ରଚଣ୍ଡ ଦାବାନଳ କି ତେଜ ବିକରାଳ ।

ତେଇଶି କ୍ଷଉଣୀ ଘେନି ରାଜା ଶିଶୁପାଳ

ସେନାପତିଏ ଆବୋରି ଦକ୍ଷିଣ ଯେ ଦ୍ଵାର ।

ରଥୀ ମହାରଥୀ ବୀର ଯୋଦ୍ଧା ଆଦିକରି

ଧାମନ୍ତି ଯେ ମୁଖ୍ୟମାନ କରେ ଅସ୍ତ୍ର ଧରି ।

ଅନ୍ତର୍ଯ୍ୟାମୀ ନାରାୟଣ ସ୍ଵାମୀ ଲକ୍ଷ୍ମୀସାଇଁ

ବଳରାମଙ୍କୁ ବୋଇଲେ ଉତ୍ତରକୁ ଯାଇ ।

ଆପେ ଜରାସନ୍ଧ ତହିଁ ଅଛି ପରିଘାଇ

ସମର ଅସଂଖ୍ୟ ହେଲେ ଯିବ ପିଠିଦେଇ ।

ସୁରଥକୁ ବୋଲେ ତୁହି ପୂର୍ବଦ୍ଵାରେ ରହ

ବାଇଶି ସହସ୍ର ଘେନି ବଇରାଷ୍ଟ୍ର ପୁଅ ।

ଜରାସନ୍ଧର ପୁତୁରା ଶିଶୁପାଳ ପିତା

ମହାରଥୀଙ୍କ ସଙ୍ଗେ ସେ ଅଟଇ ଗଣିତା ।

ସଂଗ୍ରାମେ ନ ପାରି ଯେବେ ଯିବ ଅପସରି

ନିଶ୍ଚେଁ ଯୁଦ୍ଧରେ ହାରିବେ ସେହୁ ଯେ ବଇରୀ ।

ଅନାଧୃଷ୍ଟ କୃତବର୍ମା ଅକ୍ରୂର ଏ ତିନି

ଏମାନେ ତୁମ୍ଭ ସଙ୍ଗରେ ଥିବେ ସୈନ୍ୟ ଘେନି ।

ଗୋବିନ୍ଦ ଜ୍ଞାନ ପ୍ରମାଣେ ସୁନାସ କୁମର

ବହୁସୈନ୍ୟ ଘେନି ଆବୋରିଲା ପୂର୍ବଦ୍ଵାର ।

ଉଦ୍ଧବ ସହସ୍ରାଜିତ ଆବର ବିଦୁର

ଏ ତିନିଙ୍କୁ ପଠାଇଲେ ପଶ୍ଚିମ ଦୁଆର ।

ଶାଲ୍ଵରାଜ ଦନ୍ତବକ୍ର ରୁକ୍ମଣ ସହିତେ

ଏକୋଇଶ ରାଜା ଘେନି ଅଛନ୍ତି ସଙ୍ଗତେ ।

ତୁମ୍ଭେ ଯା ସଂଗ୍ରାମ କର ଏହାଙ୍କର ତୁଲେ

ପିଠି ଦେଇଣ ଆସିବ ଯୁଦ୍ଧେ ନ ପାରିଲେ ।

ସାତ୍ୟକି ବୋଇଲେ ଦେବ ତୁମ୍ଭ ପ୍ରସାଦରୁ

ସହସ୍ରେ ଇନ୍ଦ୍ର ହେଲେ ତ ଆମ୍ଭେ ଜିଣିପାରୁ ।

ତୁମ୍ଭେ ଯେବେ ଅନୁଗ୍ରହ କର ଦେବରାୟେ

ଦେବାସୁରଙ୍କୁ ଆମ୍ଭର ନାହିଁ କିଛି ଭୟେ ।

ଶୁଣିଣ ପରମ ତୋଷ ହେଲେ ଦେବହରି

ଯାଦବ ସୈନ୍ୟ ବାଣ୍ଟିଲେ ଚାରିଭାଗ କରି ।

ଚୌରାଶୀ କୋଟି ଯାଦବ ସର୍ବେ ମହାରଥୀ

କ୍ଷଣେକେ ଜିଣି ପାରନ୍ତି ଚରାଚର ପୃଥ୍ଵୀ ।

ବାସ୍ତରି କୋଟି ଯାଦବ ତିନିଦ୍ଵାର ଗଲେ

ଠାବ ଠାବ ହୋଇଣ ସେ ବାଣ୍ଟିଣ ରହିଲେ ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତି

ବିଷ୍ଣୁର ପୁରାଣ ଏହୁ ଅଟେ ପୁଣ୍ୟକୀର୍ତ୍ତି ।

ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ

ଇଦଂ ଦଶମ ଅଧ୍ୟା ଯେ ସମାପତ ହୁଏ ।

ଏଥୁ ଅନନ୍ତରେ ଜରାସନ୍ଧର ସଇନି

ସଂଗ୍ରାମ କରନ୍ତି କରେ ନାନାଶସ୍ତ୍ର ଘେନି ।

ଦମଘୋଷ ନରପତି ପୂର୍ବଦ୍ଵାରେ ଥିଲେ

ରଥ ଆରୋହିଣ ଯୁବରାଜା ଯେ ମିଳିଲେ ।

ଅପୂର୍ବ ଧନୁ ଧରିଛି ସେ କୁମରମଣି

ରୂପେ ପଟାନ୍ତର କୋଟି କନ୍ଦର୍ପକୁ ଜିଣି ।

ଦ୍ଵିତୀଇନ୍ଦ୍ର ପ୍ରାୟେ ଦିଶେ ସୁନାସର ବତ୍ସ

ସମସ୍ତେ ଗୋଡ଼ାଇଛନ୍ତି ତାହାଙ୍କର ପଛ ।

ପ୍ରବେଶ ମାତ୍ରକେ ଆବୋରିଲା ସେହୁ ଦ୍ଵାର

ଦେଖିଣ ବସିଲା ଦମଘୋଷ ନୃପବର ।

ବୋଲେ ଉଗ୍ରସେନ ବଂଶ ତୁ ସୁନାସ ବଳା

ସପତାଙ୍ଗେ ନାଶଯିବୁ ବେଗେ ଏଠୁ ପଳା ।

ଏ ଯଦୁ ଭୋଜବଂଶକୁ ଅଟୁ ତୁ କାରେଣି

ଅକୂଳ ସମୁଦ୍ରେ ଭେଳା ବୁଡ଼ାଉଛୁ ଆଣି ।

ଦେଖୁ ଦେଖୁ ଜଳନ୍ତା ଅନଳେ ଝାସୁଅଛୁ

ସ୍ଵହସ୍ତେ କେମନ୍ତେ ପୁଣି ବିଷ ତୁ ଖାଉଛୁ ।

ନ ଜାଣୁ କି ଜରାସନ୍ଧ ରାଜା ବଳ ତୁହି

ଜାଣି ଶୁଣି ତୁ ମୋ ଆଗେ ଯୁଝି କିସପାଇଁ ।

ନବଦ୍ଵୀପ ସପ୍ତସିନ୍ଧୁ ଜିଣିଛି ସମରେ

ଛୟାଣୋଇ ସସ୍ର ରାଜା ବନ୍ଦୀ ଯାର ଘରେ ।

ବାଣାସୁର ବଜ୍ରନାଭ ନାରକା ଶମ୍ଵର

ଭାଇ ବନ୍ଧୁଗଣ ଛନ୍ତି ସଙ୍ଗତେ ଯାହାର ।

ଚାରିଊଣା ଲକ୍ଷେ ରାଜା ଯହିଁ ହୋଇ ମେଳି

ଏଥେ କି କାର୍ଯ୍ୟ କରିବୁ ସାନ ତୋହ ଭଳି ।

ପଶା ଶକଟା ନୁହଇ ନୁହେ ଦ୍ୟୁତଖେଳ

ଆସିଲେ କୃତାନ୍ତକ ଦେବ ଆସି ପୂରେ କାଳ ।

ପ୍ରତ୍ୟକ୍ଷରେ ଏହା ଦେଖି ନ କରୁ ତୁ ଭୟ

ତୋଠାରୁ ତୋହର ବଂଶ ହୋଇବଟି କ୍ଷୟ ।

ତୋ ପିତାର ଜ୍ୟେଷ୍ଠଭ୍ରାତା କଂସରାଜା ଥିଲା

ବିଶ୍ଵାସଘାତକେ କୃଷ୍ଣ ତାହାକୁ ମାଇଲା ।

ତହିଁ ନିମନ୍ତେ ଆସିଛି ଜରା ପରିଘାଇ

ଜାଣିପାରିଲେ ତୁମ୍ଭର କାର୍ଯ୍ୟ ଅଟେ ଏହି ।

ଏଥିର ନିମନ୍ତେ ତୋର କିପାଁରେ ଅମର୍ଷ

କୁଳ ଏଠାରୁ ବୁଡ଼ିବ ଯିବୁ ତୁହି ନାଶ ।

ତୁ କେହ୍ନେ ଜାଣିବୁ ଜଣା ସମର ଆର୍ଦ୍ଦୋଳି

ପିମ୍ପୁଡ଼ି ପରାକ୍ରମେ କି ପର୍ବତକୁ ଟାଳି ।

ତୁ ମୋହର ବନ୍ଧୁପଣି ଅଟୁ ପ୍ରାଣସରି

ମୋହର ହାତେ ତ ତୋତେ ନୁହଇ ରେ ମାରି

ତୁ ଆନଲୋକେ ଛାମୁରେ ଯେବେ ପଡ଼ିଥାନ୍ତୁ

ଏତେବେଳ ଯାକେ କିରେ ପ୍ରାଣ ପାଇଥାନ୍ତୁ ।

ଅକଳିତ ସାଗର ଏ ଜରାସନ୍ଧ ବଳ

ଛୟାଣୋଇସସ୍ର ରାଜା ହୋଇଛନ୍ତି ଠୁଳ ।

ଏକ ରାଜାଏ ଇନ୍ଦ୍ରକୁ କରିପାରେ ନାଶ

ବାଳୁତ ହୋଇ ତୋରରେ ଏଡ଼େକ ସାହସ ।

ମୁଢ଼ପ୍ରାୟ ମଣି କଲୁ ଏ ସାହସ କର୍ମ

ଜାଣୁ ଜାଣୁ ଆମ୍ଭେ କେହ୍ନେ କରିବୁ ଅଧର୍ମ ।

ତୋ ପିଉସୀ ଦଇବକୀ ନାମରେ କାମିନୀ

ଆମ୍ଭ ପାଟବଂଶୀ ଶିଶୁପାଳର ଜନନୀ ।

ତୋହର ଦୋଷମାନ ସେ ନ ଜାଣିଲେ କିଛି

ପଛେ ଶୁଣିଣ କହିବେ ଆମ୍ଭଙ୍କୁ ସେ ବାଛି ।

କିଛି ନ କହି ପଳା ଯା ଏଥୁ ପିଠିଦେଇ

ନୋହିଲେ ଜରାର ଆଗେ ସମର୍ପିବି ନେଇ ।

ରାମ କୃଷ୍ଣ ବଚନକୁ ଯାଉଛୁ ବିଶ୍ଵାସ

ନାନାଦି ପ୍ରକାରେ ତୋତେ କରିବେ ସେ ନାଶ ।

ତୁ ନାଶ ଗଲେ ତାଙ୍କର ଭୀତି ଯିବ ଛାଡ଼ି

ଅକଣ୍ଟକ ମଥୁରାକୁ ବସିବେ ମାଡ଼ି ।

ଏମନ୍ତ ବାକ୍ୟ ସେ ଦମଘୋଷ ମୁଖୁ ଶୁଣି

କୋପେ କାଳାନଳ ମୂର୍ତ୍ତି ହୋଇ ବୀରମଣି ।

ଲାଞ୍ଜମାଡ଼ୁ କାଳସର୍ପ ଯେସନେ ଗର୍ଜ୍ଜଇ

ତେସନେ ଗରଜି ଧନୁ ଧରି ଗୁଣଦେଇ ।

ବୋଲେ ମୋ ଛାମୁରେ କରୁ କିପାଁ ଏଡ଼େଦର୍ପ

ଅର୍ଜିଲୁ ତୁ ବିଷ୍ଣୁ ନିନ୍ଦା କରି ମହାପାପ ।

ଆପଣା ମହିମା ଆପେ ବଖାଣ କି କରୁ

ନିଶ୍ଚୟ ଜାଣିଲି ତୁରେ ଜୀଉ ଜୀଉ ମଲୁ ।

ତୁ କିସ ମୋତେ ଅଧିକ କହୁଅଛୁ ଆଜ

ଅଥଳ ସମୁଦ୍ରେ କାର୍ଯ୍ୟ କାଠ ପୋତି ଖୋଜ ।

ଏକା ସୂର୍ଯ୍ୟ ଘୋଟିଛନ୍ତି ଏ ବ୍ରହ୍ମାଣ୍ଡଯାକ

ସର୍ବ ସାଗର ମନ୍ଥିଲା ଏକା ମନ୍ଦରେକ ।

ଏକା ଗରୁଡ଼ ଯେ ପୁଣି ବିନତା ନନ୍ଦନ

ସ୍ଵର୍ଗ ମଞ୍ଚ ପାତାଳରେ ଧ୍ଵଂସି ନାଗଗଣ ।

ଏକା ଯାମିନୀ ସଂସାରଯାକ ଜାଣ ଘୋଟି

ସର୍ବଭୂତେ ବ୍ୟାପିଅଛି ଏକା ଆତ୍ମା ଗୋଟି ।

ଏକା ଦେଖ କାମଦେବ ଧନୁର୍ଦ୍ଧର ପଣେ

ଜିଣିଲା ସେ ଚାରିଖାନିଯାକ ପୁଷ୍ପବାଣେ ।

ଏକାକୀ ବାସୁକୀ ଅଛି ଧରିଛି ଶୟଳ

ଏକା ଇନ୍ଦ୍ର ବଜ୍ର ମାରି ଜିଣି ଗିରିମାଳ ।

ଏକା ମେରୁ ଆଶ୍ରେ ରହିଛନ୍ତି ସର୍ବ ଦେବା

ଏକା ଚନ୍ଦ୍ରକେ ସଂସାରଯାକ ଦିଶେ ଶୋଭା ।

ଏକା ସେ ନାଭିକମଳୁ ଜାତ ପରମେଷ୍ଠି

ଏକା ନିମିଷକେ ସର୍ଜି ଚରାଚର ସୃଷ୍ଟି ।

ଏକା ଅଗ୍ନି ଘୋଟିଅଛି ଦେଖ ସୃଷ୍ଟିଯାକ

ଏକା ରାମନାମେ ପାଇ ବଇକୁଣ୍ଠ ଲୋକ ।

ଏକା ଜଳକୁ ସକଳ ଜନ ଗ୍ରାସ କରି

ଏକା ପୃଥ୍ଵୀ ଚରାଚର ପ୍ରାଣୀ ଅଛି ଧରି ।

ଏକା ପବନ ସବୁରି ଅଙ୍ଗେ ଦେଖ ଲାଗି

ଏକା ବ୍ରହ୍ମଜ୍ଞାନ ସାଧି ଶିବ ମହାଯୋଗୀ ।

ଏକା ଆକାଶ ଦିଶଇ ଦେଖ ବିଶ୍ଵମୟ

ଏକା ବାସୁଦେବ ତେହ୍ନେ ସବୁ କରି କ୍ଷୟ ।

ଏକାକୀ ହୋଇ ଦେବକୀ ଗର୍ଭେ ଅବତରି

ଅବଶ୍ୟ ଦ୍ଵାପର ଭାର ହରିବେ ସେ ହରି ।

ସଜ୍ଜନ ପାଳି ଦୁର୍ଜ୍ଜନ କରିବେ ବିନାଶ

କୂଟ କପଟିଆ ହରି ସେହି ଜଗଦୀଶ ।

ତୁ ମୋର ବଚନ ଏବେ ଶୁଣ ଦମଘୋଷ

ପାଇବୁ କାରଣ ଯେବେ ଶରଣ ଯା ପଶ ।

ଲେଉଟାଇ ନିଅ ଯାଉ ଜରାସନ୍ଧ ତ୍ରାସି

ନୋହିଲେ ଶରଣ ପଶୁ ପାଦ ପଦ୍ମେ ଆସି ।

ଶୁଭାଶୁଭ କର୍ମ ଯେହୁ କରିପାରେ ଆନ

ବଇରୀ ହୋଇ ବଞ୍ଚିବ କହ କେତେ ଦିନ ।

କାଳସର୍ପ ମୁଖେ ହସ୍ତ ଭରି କିପାଁ ଚାଳ

କୃଷ୍ଣର ବଇରୀ ହେଲେ ପୂରିବଟି କାଳ ।

ଏବେ ବୋଲି ଧନୁ ଧରି ଟେକି ବାମକରେ

ତୀକ୍ଷ୍‌ଣ ମୁନା ବାଣ ଏକ ଧରି ରୋଷଭରେ ।

ମନ୍ତ୍ରିଣ ସେ ବାଣ ଗୋଟା କର୍ଣ୍ଣଯାଏ ଟାଣି

ହୁଂକାର ଶବଦ କରି ପେଷେ ଗୁଣମଣି ।

ପୁଣ ବେନିସସ୍ର ବାଣ ପୂରାଇ ବାବଲ

ଅଭିମନ୍ତ୍ରଣ କରିଣ ପେଷେ ମହାମଲ୍ଲ ।

କଙ୍କପକ୍ଷ ତୀକ୍ଷ୍‌ଣମୁନା ତିନିବାଣ ଧରି

ସଇନ୍ୟଙ୍କ ଉପରକୁ ପେଷି ରୋଷଭରି ।

ପୁଣି ଅଧାଚନ୍ଦ୍ର ବାଣ ପେଷଇ ସେ ରାଗେ

ମନ୍ତ୍ର ସୁମରି ପେଷଇ ଅସ୍ତ୍ର ବେଗେ ବେଗେ ।

ସମରେ ସୁନାସସୁତ ବୀର ଅନର୍ଗଳା

ପ୍ରତ୍ୟକ୍ଷେ ପାଇଅଛି ସେ ବିଷ୍ଣୁ ନିଜକଳା ।

ଚକ୍ଷୁ ପିଛଡ଼ା ମାତ୍ରକେ ମାରେ ସସ୍ରବାଣ

ଦକ୍ଷିଣ ଭାଗ ସୈନ୍ୟକୁ ପେଷିଲା ତକ୍ଷଣ ।

ପଞ୍ଚାଶ ସହସ୍ର ବାଣ ବାମଭାଗେ ପେଷି

ଦଶବିଂଶ ଯୋଦ୍ଧା ଏକା ବାଣକରେ ନାଶି ।

ବାଣ ପଡ଼ି ବଳ ରଥଗଜ ମହୀ ଲୋଟି

ଆବର ଯାଦବମାନେ ମାରି ଲକ୍ଷ ଲୋଟି ।

ଦମଘୋଷ ନୃପ ଦେଖି କାତର ହୋଇଲା

ଧନ୍ୟ ଯାଦବ ବୋଲିଣ ବହୁ ପ୍ରଶଂସିଲା ।

ମୋହର ସଙ୍ଗେ ସଂଗ୍ରାମେ ତୋର ପରିତାଳ

ଚମତ୍କାର ପଛକତି ମାରି ଶତେବଳ ।

ପ୍ରଥମରେ ଅଣ୍ଟାଅଣ୍ଟି କଲାଣି ତ ଆଣି

ଆବର ଏହାକୁ ମୁହିଁ ପାରିବି କି ଜିଣି ।

ଏତେ ବିଚାରି ଧଇଲା ଧନୁ ବାମ ଭୁଜେ

ଅଭିମନ୍ତ୍ରଣ କରିଣ ପେଷିଲା ନାରାଚେ ।

ସୁନାସ ପୁତ୍ର ତାହାକୁ ଦେଖି ଦୂରେ ଥାଇ

ବାବଲ ପଞ୍ଚଶରେ ତା ଦେଲାକ ଉଡ଼ାଇ ।

ପୁଣି ଦମଘୋଷ ରାଜା ଗୁଣ ଟଙ୍କାରିଲା

ବେଳକେ ତିନିସହସ୍ର ନାରାଚ ପେଷିଲା ।

ଆବର ଶାରଙ୍ଗ ଲୋହ ଶର ଲୋହ କାନ୍ତି

ପେଷିଲା ପାଞ୍ଚସହସ୍ର ଶର ନରପତି ।

ବାଣ ଆସନ୍ତେ କୁମର ଦେଲା ତହିଁ ଦୃଷ୍ଟି

ପାଶୁପତ ନାରାଚରେ ପକାଇଲା କାଟି ।

ଦେଖି ଦମଘୋଷ ରାଜା ହେଲା କୋପାନଳ

ମହାମେଘ ପରାୟେ ସେ ଗର୍ଜେ ଅନ୍ତରାଳ ।

ପର୍ବତ ଶର ପେଷିଲେ ସେ ଯେ ନୃପଶ୍ରେଷ୍ଠି

ବଜ୍ରଶରରେ ସୁନାସନନ୍ଦନ ତା କାଟି ।

କୁହୁକ ବାଣ ପେଷିଲେ ଦମଘୋଷ ରାୟେ

ଅନ୍ଧକାର ହେଲା ପୃଥ୍ଵୀ ଦିଶେ ଧୂମମୟେ ।

ଏକକୁ ଆରେକ ଦେଖା ନ ଗଲେ ଯେ କେହି

ଆପଣାକୁ ଉହାଡ଼ ଯେ ହେଲା ନିଜ ଦେହି ।

ସୂର୍ଯ୍ୟାବର୍ତ୍ତ ଶର ପେଷି ସୁନାସ କୁମର

ଫିଟିଲା ଅନ୍ଧପଟଳ ଦିଶେ ଦିବାକର ।

ଦେଖି ଦମଘୋଷ ରାଜା ବଳକ୍ଷୀଣ ହୋଇ

ପନ୍ନଗ ଅସ୍ତ୍ର ପେଷିଲେ ରଣେ ପରିଘାଇ ।

ଉଡ଼ନ୍ତି ସେ କାଳସର୍ପେ ଗଗନ ମଣ୍ଡଳେ

ଲହ ଲହ ଜିହ୍ଵା ବୁଲାବନ୍ତି ଅନ୍ତରାଳେ ।

ଫୁଫୁକାର ଗରଜିଣ ଉଭା କରି ଫଣା

ଜଳଧାରା ପରାୟେକ ଯାଆନ୍ତି ସେ ଜଣା ।

ନିକଟେ ଦେଖିଣ ତାହା ଇନ୍ଦୁମତୀ ନାତି

ଗରୁଡ଼ ଅସ୍ତ୍ରକୁ ଗୁଣେ ବସାଇ ତଡ଼ତି ।

ବାହାନାଦ କରି ବାଣ ବିନ୍ଧି ମନ୍ତ୍ର ପଢ଼ି

ଦେଖିକରି ସର୍ପମାନେ ଶୂନ୍ୟେ ଗଲେ ଉଡ଼ି ।

ପୁନରପି ଦମଘୋଷ ମେଘାସ୍ତ୍ରକୁ ବିନ୍ଧି

ସୁନାସନନ୍ଦନ ବରୁଣାସ୍ତ୍ରେ ତାହା ଛେଦି ।

ବେଳକୁ ବେଳ ସମର ବଢ଼େ ମହାବଳୀ

ଦେଖି ଦମଘୋଷ ରାଜା କୋପେ ପରଜ୍ଵଳି ।

ମହାମେଘ ପରକାର ଗର୍ଜ୍ଜେ ରୋଷଭରେ

ଧନୁ ଛାଡ଼ି ବ୍ରହ୍ମଶକ୍ତି ଧରି ନିଜ କରେ ।

ଜାଜ୍ଵଲ୍ୟ ଜ୍ୟୋତି ଯେସନେ ବହ୍ନି ଶିଖା ଦିଶି

ବିଜୁଳି ତେଜ ପରାୟେ ଦୂରକୁ ବିକାଶି ।

ଦକ୍ଷିଣ ହସ୍ତରେ ଶକ୍ତି ଧରି ଊର୍ଦ୍ଧ୍ଵ ମାର୍ଗେ

ସମ୍ଭାଳ ସୁରଥ ବୋଲି ମାଇଲାକ ରାଗେ ।

ଶିବ ସେବି ପାଇଥିଲା ଦମଘୋଷ ରାୟେ

ଗଣ ଗନ୍ଧର୍ବ ଦେବତା କଲେ ଦେଖି ଭୟେ ।

ହସ୍ତରୁ ଫିଟନ୍ତେ ଧରି ଲକ୍ଷେକ ମୁରତି

ଦକ୍ଷ ପ୍ରଜାପତି ଯଜ୍ଞୁ ସେ ଶକ୍ତି ଉତ୍ପତ୍ତି ।

ଅନେକ ଦିନୁ ସେ ଶର ଯତ୍ନେ ରଖିଥିଲେ

ତପେ ତୋଷେ ହୋଇ ଦମଘୋଷ କରେ ଦେଲେ ।

ଦମଘୋଷ ସୁରଥକୁ ନ ପାରନ୍ତେ ଜିଣି

ଅମୋଘ ବ୍ରହ୍ମଶକତି ପ୍ରହାରିଲା ଆଣି ।

ନିଃଶ୍ଵାସ ମାତ୍ରକେ ଶର ଶୂନ୍ୟେ ଗଲା ଘୋଟି

ଏକୁ ଆନେକ ପ୍ରକାରେ ରୂପ ଧରି କୋଟି ।

ଦେଖିକରି ସୁରଥ ଯେ ହେଲା କୋପଭର

ନାରାୟଣ ଶର କାଢ଼ି ଧଇଲାକ କର ।

ଧନୁର୍ବେଦ ପଢ଼ି ଗୁଣେ ବସାଇଲେ ଆଣି

ତକ୍ଷଣେ ପେଷିଲେ ତାହା କର୍ଣ୍ଣଯାଏ ଟାଣି ।

ଦମଘୋଷ ଶକ୍ତି ଅନ୍ତରୀକ୍ଷେ ଆସୁଥିଲା

ସୁରଥ ଶର ଯାଇଣ ତାହାକୁ ଭେଟିଲା ।

ବାଣେ ବାଣେ ଆକାଶରେ ହେଲେ ପରିତାଳ

ଘୋଟିଲା କି କାଳାନଳ ବହ୍ନି ଅନ୍ତରାଳ ।

ଦୁର୍ଜ୍ଜୟ ଶକତି ଯେହ୍ନେ ନିର୍ଘାତରେ ଉଡ଼ି

ଉଲକାପାତ ପରାୟେକ ହେଲା ଘଡ଼ଘଡ଼ି ।

ଦେଖିଣ ଶଙ୍କା ପାଇଲେ ସର୍ବ ନୃପମଣି

ବୋଇଲେ କିଂଭୂତ ଅଟେ ଆକାଶର ବାଣୀ ।

ଶୁଣ ହୋ ପରୀକ୍ଷ ରାଜା କହି ଶୁକଯତି

ଦେଖି ଦମଘୋଷ ଲଜ୍ଜା ପାଇଲାକ ଅତି ।

ବାଆଷଠି ଭାର ଗଦା ଘେନି ନିଜ କରେ

ରଥର ଉପରୁ ଡେଇଁପଡ଼େ ଧାତିକାରେ ।

ଉଡ଼ନ୍ତା ପର୍ବତ ଜାଣି ଦିଶେ ତାର କାୟେ

ରୋଷରେ ଗର୍ଜି ଧାମଇ କେଶରୀ ପରାୟେ ।

ଦେଖିକରି ସୁରଥ ଯେ ହାବୋଡ଼ାସ୍ତ୍ର ମାରି

ଉତ୍ତାନେ ପଡ଼ିଲା ଦମଘୋଷ ଦଣ୍ଡଧାରୀ ।

ଅର୍ଦ୍ଧଘଡ଼ି ପରିଯନ୍ତେ ମୂର୍ଚ୍ଛିତ ସେ ହୋଇ

ସୈନ୍ୟମାନେ ଦେଖି ହସିଲେକ ତାଳିଦେଇ ।

ଦମଘୋଷ ଲଜ୍ଜାପାଇ ପାଦଗତି ହୋଇ

ସୈନ୍ୟ ଭିତରେ ପଶିଲା ମୁହଁକୁ ଲୁଚାଇ ।

ବାଇଶି ସହସ୍ର ରାଜା ଆତଙ୍କ ହୋଇଲେ

ସେନାପତି ହାରିଯାନ୍ତେ ସର୍ବେ ଭୟ କଲେ ।

ଛିନ୍ନଛତ୍ର ହୋଇକରି ଗଲେ ସେ ସକଳ

ଗୋଡ଼ାଇ ଯାଦବେ ବିନାଶିଲେ ବହୁବଳ ।

ଏଥୁ ଅନନ୍ତରେ ପୁଣି ଶୁକମୁନି ଭଣି

ଶୁଣ ପରୀକ୍ଷ ନୃପତି ସୁଧାରସ ବାଣୀ ।

ରୁକ୍ମଣ ଦନ୍ତବକ୍ର ଯେ ଶାଲ୍ଵରାଜା ତିନି

ପଶ୍ଚିମଦ୍ଵାରେ ଲାଗିଲେ ବହୁସୈନ୍ୟ ଘେନି ।

ଏକୋଇଶସସ୍ର ରାଜା ସମରେ ମୁରାଟ

ଦଶବିଂଶ ପଚିଶ ଯେ ଭୟଙ୍କର ଥାଟ ।

ଏକ ମୁଖରେ ସମସ୍ତେ ଗଡ଼ଦ୍ଵାରେ ଯାଇ

କବାଟ ଭାଙ୍ଗି ଭିତରେ ପଶିଲେ ଝସାଇ ।

ସାତ୍ୟକି ସହସ୍ରାଜିତ ପ୍ରଶ୍ନାଜିତ ବୀର

ଅନେକ ଯାଦବେ ଛନ୍ତି ଏହାଙ୍କ ସଙ୍ଗର ।

ଜରାସନ୍ଧ ରାଜା ଥାଟ ପେଲି ଆସୁଥିଲେ

ତିନି ମହାରଥୀ ଯାଇ ତାଙ୍କୁ ଓଗାଳିଲେ ।

ବନ୍ଧ ବାନ୍ଧିଲେ ଯେସନେ ରହେ ମହାଜଳ

ତେସନ ହୋଇ ରହିଲେ ସେ ଦଣ୍ଡ ସକଳ ।

ଶାଲ୍ଵରାଜ ଅଗ୍ରେ ଯାଇ ସସ୍ରାଜିତ ମିଳି

ପ୍ରସନ୍ନାଜିତ ରୁକ୍ମଣ ରାଜାକୁ ଓଗାଳି ।

ସାତ୍ୟକି ଦନ୍ତବକ୍ର ଏ ହେଲେ ଭେଟାଭେଟି

ଆଧାନ ସନ୍ଧାନ ଧନୁ କରି ଗୁଣମୁଷ୍ଟି ।

ଏକୋଇଶ ସସ୍ର ରାଜା ୟାଙ୍କ ସଙ୍ଗେ ଥିଲେ

‘ଯେଝା ଅନୁକ୍ରମେ ବେଢ଼ି ସମର କରିଲେ ।

ରଥୀମାନେ ରଥ ଆବୋରିଲେ ରଣରଙ୍ଗେ

ଗଜେ ଚଉଦନ୍ତ କଲେ ଗଜଙ୍କର ସଙ୍ଗେ ।

ଅଶ୍ଵେ ଅଶ୍ଵଙ୍କ ସଙ୍ଗରେ ହେଲେ ଭେଟାଭେଟି

ଭୂଭାଗେ ପଦାତି ରହିଲେକ ଦଶକୋଟି ।

କୋଦଣ୍ଡ କାଣ୍ଡ ଖଣ୍ଡା ଯେ ଶରେ ପରିତାଳ

ଦେହେ ଦେହ ଲାଗି ବାଜିଲାକ ମହାଗୋଳ ।

ଛେଲ ଚକ୍ର ନାରାଚ ଛିଟିକିଣି ବର୍କନା

ଲୋହ ଲାଙ୍କିଆ କୁନ୍ତ ଯେ ଶକ୍ତି ଯଷ୍ଟିନାନା ।

ଅନେକ ପ୍ରକାରେ ଶସ୍ତ୍ର ଚଳେ କୋଟି କୋଟି

ଘୁମାଇ ପଡ଼ିଲେ ବୀରେ ମହୀପୃଷ୍ଠେ ଲୋଟି ।

କାହାର ଚରଣ ଛିଣ୍ଡେ କାର ଛିଣ୍ଡେ ମୁଣ୍ଡ

ଆଣ୍ଠୁଠାରୁ କାହାର ଯେ ହେଲା ବେନି ଖଣ୍ଡ ।

କାହାର ମୂର୍ଦ୍ଧନା ଫାଟେ କାର ଛାଡ଼େ ପ୍ରାଣ

ଲକ୍ଷେ କୋଟି ମଡ଼ା ଗଦା ପର୍ବତ ସମାନ ।

ବହିଲା ଶୋଣିତ ନଦୀ ଯେ ରଣ ମଣ୍ଡଳେ

ଶ୍ମଶାନବାସିନୀ କ୍ରୀଡ଼ା କଲେ କୁତୁହଳେ ।

ଚୌରାଶୀକୋଟି ଯାଦବେ ସକଳେ ଅକ୍ଷୟେ

ଆପଣା ତେଜେ ଦିଶନ୍ତି ଦେବତା ପରାୟେ ।

ଏଥୁଅନ୍ତେ ଯାଇ ଶାଲ୍ଵରାଜାର ଛାମୁରେ

ସହସ୍ରାଜିତ ମିଳିଲା ଅତି ରୋଷଭରେ ।

ପଚାଶ ସହସ୍ର ବଳ ଧନୁ ଧରି କରେ

ତିନିସସ୍ର ବାଣ ବିନ୍ଧିଲାକ କୋପଭରେ ।

ଦୂରେ ଥାଇ ଶାଲ୍ଵ ଦେଖିଲାକ ବାଣ ଆସୁଁ

ଧାତିକାରେ ପେଷିଲା ସେ ଶର ତୀକ୍ଷ୍‌ଣ ପର୍ଶୁ ।

ଅଧବାଟେ ଦୁଇବାଣ ହେଲେ ଭେଟାଭେଟି

ସସ୍ରାଜିତ ବାଣସବୁ ପକାଇଲା କାଟି ।

ଦେଖି ସସ୍ରାଜିତ ଶେଷେ ସସ୍ରବାଣ ଘେନି

ତା ପଛେ ପୁଣି ପେଷଇ ପ୍ରଚଣ୍ଡ ବହନି ।

ପୁଣି ସସ୍ରେବାଣ ପେଷିଲାକ ତୀକ୍ଷ୍‌ଣ ମୁନା

ସେ ବାଣେ କାଟିଲେ ପଡ଼ି ଶାଲ୍ଵରାଜା ସେହ୍ନା

କତୁରୀ ପଞ୍ଚାଶସସ୍ର ପେଷିଲାକ ପୁଣି

ଶାଲ୍ଵରାଜା ହସ୍ତୁଁ ଧନୁ ପକାଇଲେ ହାଣି ।

ପୁଣି ସସ୍ରେବାଣ ପେଷିଲାକ ମନଭେଦୀ

ସାରଥି ଅଶ୍ଵଙ୍କ ଶିର ପକାଇଲା ଛେଦି ।

ବିରଥୀ ହୋଇଲା ଯହୁଁ ଶାଲ୍ଵ ମହାବୀର

ବାହାସ୍ଫୋଟ ମାରି ଗଦା ଘେନେ ବାମକର ।

ରଥ ଉପରୁ ଡେଇଁଣ ପଡ଼େ ଧାତିକାରେ

ଊର୍ଦ୍ଧ୍ଵେ ରହି ଗଦା ମାଇଲାକ ରୋଷଭରେ ।

ଦେଖିକରି ସସ୍ରାଜିତ ପରିଘେକ ଧରି

ଛେଦି ପକାଇଲା ଗଦା ବେନିଖଣ୍ଡ କରି ।

ସଂଗ୍ରାମରେ ଅଜେୟ ଯେ ସସ୍ରାଜିତ ବୀର

ଇନ୍ଦ୍ରଦେବ ପରାୟେକ ଅଟେ ଧନୁର୍ଦ୍ଧର ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ ହେଲେ ପାରେ ଜିଣି

ପ୍ରସନ୍ନେ ବର ତାହାକୁ ଦେଲେ ଦିନମଣି ।

ହାବୋଡ଼ା ସହସ୍ରେ ବାଣ ପୁଣି ବେନି କରେ

ବାହାଦଣ୍ଡ ପରିଯନ୍ତେ ଓଟାରି ରୋଷରେ ।

ପେଷନ୍ତେ ଶାଲ୍ଵର ବକ୍ଷେ ଯାଇ ବାଣ ପଡ଼ି

ମୁର୍ଚ୍ଛାଗତ ହୋଇ ରାଜା ପଡ଼େ ମୁହଁ ମାଡ଼ି ।

ଉହାଡ଼ରେ ଦେଖୁଥିଲେ ସର୍ବ ରାଜାମାନେ

ଅବଶେଷେ ଆବୋରିଲେ ରଣ ତତକ୍ଷଣେ ।

ଶୁକବ୍ରହ୍ମା ବୋଇଲେକ ଶୁଣ ଦଣ୍ଡଧର

ରୁକ୍ମଣ ପ୍ରସନ୍ନାଜିତ ରଣ ମହାଘୋର ।

ଦୁହେଁ ମହାରଥୀ ସଂଗ୍ରାମରେ ଅନର୍ଗଳ

ଐରାବତ ଭେଟିଲା କି ମନ୍ଦର ଅଚଳ ।

ପ୍ରସନ୍ନାଜିତକୁ ଚାହିଁ ରୁକ୍ମଣ ବୋଇଲା

ଆରେ କାଳ ଆସି ତୋତେ ନିଶ୍ଚୟ ଘୋଟିଲା ।

ନ ଜାଣୁ କି ଜରାସନ୍ଧ ରାଜା ବୀରପଣ

ତାହାର ଛାମୁରେ କିସ କରିବୁ ତୁ ରଣ ।

ଆପଣା ଗଳେ ଲଗାଉ ଆଣି କାଳପାଶି

ସଗୋତ୍ର ସହିତେ ତୋତେ ପକାଇବୁ ନାଶି ।

ଏତେ ବୋଲି ଧନୁ ଧଇଲାକ ବାମକରେ

ଧନୁର୍ବେଦ ସ୍ମରି ବାଣ ଛାଡ଼ିଲା ରୋଷରେ ।

ଉଡ଼ି ଶରମାନେ ଘୋଟିଲେକ ଶୂନ୍ୟମାର୍ଗେ

ଦେବତାଏ କମ୍ପିଲେକ ଥାଇଣ ସ୍ଵରଗେ ।

ବାଣ ଆସନ୍ତେ ନୟନେ ପ୍ରସ୍ନାଜିତ ଦେଖି

ଲୁହା ନାରାଚ ଶତେକ ବିଜେ କଙ୍କପକ୍ଷୀ ।

ଶୂନ୍ୟ ମଣ୍ଡଳରେ ବାଣ ଆସୁଥିଲେ ଘୋଟି

ବେନିଖଣ୍ଡ କରି ସବୁ ପକାଇଲା କାଟି ।

ପୁନରପି ବାଣମାନ ପେଷେ ଧରି କରେ

ରଥୀକୁ ଷାଠିଏ ଅଶୀ ରଥର ଉପରେ ।

ଚକକୁ କୋଡ଼ିଏ ପୁଣି ଅଖକୁ ପନ୍ଦର

ସେନାକୁ ପଞ୍ଚାଶ ଶର ବିନ୍ଧେ ମହାବୀର ।

ପୁନରପି ପଞ୍ଚବାଣ ଧରି ନିଜ କରେ

ରୋଷଭରେ ପେଷଇ ସେ ସୈନ୍ୟଙ୍କ ଉପରେ ।

ପଡ଼ିଲେକ ସୈନ୍ୟବଳ ସର୍ବେ ମହୀ ଲୋଟି

ଏକବାଣେ ଦଶବିଂଶ ପକାଇଲା କାଟି ।

ଘାଏଣ ରୁକ୍ମଣ ବୀର ହୋଇଲା ବିରଥୀ

ପ୍ରାଣ ବିକଳେ ପଳାଏ ପାଇ ଲଜ୍ଜା ଅତି ।

ସେ ସମୟେ ଦନ୍ତବକ୍ର ଦେଖିଣ ତାହାକୁ

ହାତ ଧରି ଟେକିଦେଲା ରଥ ଉପରକୁ ।

ଭୟ ପାଇ ଦୁଇବୀରେ ରଣେ ପିଠିଦେଇ

ନିଜ ସୈନ୍ୟ ମଧ୍ୟେ ଗଲେ ରଥ ଲେଉଟାଇ ।

ଦେଖିଣ ସାତ୍ୟକି ଧନୁ ଥୋଇ ରଥେ ବସି

ଭାଳିଲେ ଏହାକୁ ବଧ କଲେ ହେବା ଦୋଷୀ ।

ସଂଗ୍ରାମ କରନ୍ତେ ଯାର ଧନୁଗୁଣ ଛିଡ଼ି

ତାହାକୁ ମାରିଲେ କ୍ଷତ୍ରୀ ନରକରେ ପଡ଼ି ।

ସଂଗ୍ରାମ କରନ୍ତେ ଯାର ରଥ ହୁଏ ଭଗ୍ନ

ତାକୁ ବଧ କଲେ ନାଶଯାଏ ସର୍ବ ଧର୍ମ ।

ସଂଗ୍ରାମେ ଯାହାର କେଶବାସ ଯାଏ ଫିଟି

ତାକୁ ନାଶ କଲେ ନିଶ୍ଚେଁ ଆୟୁ ଯାଏ ତୁଟି ।

ସଂଗ୍ରାମ ସମୟେ ଯାର ନ ଥାଇଟି ଜ୍ଞାନ

ତାକୁ ବଧ କଲେ ହୁଏ ପାପ ବର୍ଦ୍ଧମାନ ।

ସଂଗ୍ରାମରୁ ପିଠିଦେଇ ପଳାଏ ଯେ ଲୋକ

ତାକୁ ଯେ ମାରଇ ସେହୁ ଭୁଞ୍ଜଇ ନରକ ।

ଏତେ ବିଚାରି ସାତ୍ୟକି ଛାଡ଼ିଲେ ସମର

ଶୁକମୁନି ବୋଲନ୍ତି ଯେ ଶୁଣ ନୃପବର ।

ଏଥୁ ଅନନ୍ତରେ ତହିଁ ଜଗନ୍ନାଥ ସ୍ଵାମୀ

ଦକ୍ଷିଣ ଦ୍ଵାର ଆବୋରି ଥିଲେ ଅନ୍ତର୍ଯ୍ୟାମୀ ।

ଗଡ଼ଦ୍ଵାର ଆବୋରିଛି ଶିଶୁପାଳ ବୀର

ଦୁର୍ଯ୍ୟୋଧନ ଆଦିକରି ଥୋକେ ନୃପବର ।

ବାଣାସୁର ବଜ୍ରନାଭ ଶମ୍ଵର ନାରକା

ଭାଇବନ୍ଧୁ ଆଦି ଯେତେ ଜରାସନ୍ଧ ସଖା ।

କର୍ଣ୍ଣ ଅଶ୍ଵତ୍‌ଥାମା ଭୂରିଶ୍ରବା ଆଦିକରି

ରଥୀ ମହାରଥୀ ଛନ୍ତି ଅସ୍ତ୍ର ଶସ୍ତ୍ର ଧରି ।

ତା ଦେଖି ଅର୍ଜ୍ଜୁନ ଭୁଜ ଧରି ଦେବରାୟ

ଗଡ଼ଦ୍ଵାର ଅଟ୍ଟାଳିରେ କଲେକ ବିଜୟ ।

ଏକାଳେ ମିଳିଲା ତହିଁ ଆସି ଜରାସନ୍ଧ

ଦେଖି କୃଷ୍ଣାର୍ଜ୍ଜୁନ ଦୁହେଁ ହୋଇଲେ ଆନନ୍ଦ ।

ଶିଶୁପାଳ ପୁତ୍ର ତାର ଅଟେ ସେନାପତି

ପଛରେ ଗୋଡ଼ାଇଛନ୍ତି ଅନେକ ନୃପତି ।

ତେଇଶ କ୍ଷଉଣୀ ଥାଟ ଅଙ୍ଗବଳ ଯେତେ

ଏକ ଏକ କରି ତାହା କହିବଇଁ କେତେ ।

ଉଦ୍ଦଣ୍‌ହ ଧବଳ ଛତ୍ର ଲକ୍ଷେକ ଚାମର

ରଥଧ୍ଵଜେ ବୀରବାନା ଉଡ଼େ ଫରଫର ।

ବାଜଇ ବିବିଧ ବାଜାଶବ୍ଦ ଗରୁଟାଣ

ପୃଥ୍ଵୀଦେବୀ କମ୍ପଇ ସେ ଟଙ୍କାରନ୍ତେ ଗୁଣ ।

ଏସନ ସଞ୍ଜାତେ ଆସି ମିଳେ ବହି ରୋଷ

ସକଳଙ୍କୁ ଆଜ୍ଞାଦେଲେ ଦ୍ଵାର ଭାଙ୍ଗିପଶ ।

ରାଜା ଆଜ୍ଞା ପାଇ ଥାଟ ପଶିଲେ ଝସାଇ

ଦୁଆର ଭାଙ୍ଗି ଭିତରେ ପ୍ରବେଶିଲେ ଯାଇ ।

ଗଜଦନ୍ତ ଲଗାଇଣ ଉପାଡ଼ିଲେ କାଠ

ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଲା କବାଟ ।

ପିମ୍ପୁଡ଼ି ଧାଡ଼ି ପରାୟେ ଦିଶି ସୈନ୍ୟବଳ

ପଶିଲେ ପ୍ରଳୟକାଳେ ଯେହ୍ନେ ସିନ୍ଧୁଜଳ ।

ଦେଖିଣ ଯାଦବ ବୀରେ ମହାଭୟ କରି

ଦ୍ଵାର ଛାଡ଼ି ପଳାଇଣ ଗଲେ ଅପସରି ।

କେଉଁମାନେ ଶ୍ରୀକୃଷ୍ଣଙ୍କୁ ଆଶ୍ରା କଲେ ଯାଇ

ଥୋକାଏ ବଣ୍ଟା ଆବୋରି ରହିଛନ୍ତି ତହିଁ ।

ଅପୂର୍ବ ରଥରେ ବସି ଶିଶୁପାଳ ବୀର

ଦ୍ଵିତୀଯମ ପ୍ରାୟ ଦିଶେ ମହାଭୟଙ୍କର ।

ପଞ୍ଚାଶ ସହସ୍ର ବଳ ଧନୁ ଧରି କରେ

ଦଶସସ୍ର ବାଣ ସନ୍ଧି ରଖିଛି ତହିଁରେ ।

ରଥୀ ମହାରଥୀ ହସ୍ତୀ ଅଶ୍ଵଆଦି କରି

ଅନେକ ରାଜା ଅଛନ୍ତି ଚଉପାଶେ ଘେରି ।

ଦେବ ଦୈତ୍ୟ ହେଉ ତାର ଭୟ ନାହିଁ କିଛି

ଈଶ୍ଵରଙ୍କୁ ସେବାକରି ବର ପାଇଅଛି ।

କୋଟିଏ ସିଂହର ବଳ ବହିଅଛି ଅଙ୍ଗେ

ସମଗ୍ର ପୃଥିବୀ ଜିଣିପାରେ ରଣରଙ୍ଗେ ।

ଥାଟ ଘେନି ଭିତରକୁ ପଶିଲା ଧସାଇ

ଜଗନ୍ନାଥେ ଦେଖୁଛନ୍ତି ଅଟ୍ଟାଳିରେ ଥାଇ ।

ଅଶେଷ କୋଟି ଜଗତ ପ୍ରାଣୀଙ୍କର ବନ୍ଧୁ

ଅପାର ମହିମା ନାଥ କୃପାଜଳ ସିନ୍ଧୁ ।

ଜୀବେ ଅଜୀବେ ସେ ସବୁଠାରେ ଅଛି ପୂରି

ଏକରୁ ଅନେକ ରୂପେ ବ୍ରହ୍ମାଣ୍ଡ ଆବୋରି ।

ଅର୍ଜ୍ଜୁନ କରକୁ କରେ ଧରି ଅନ୍ତର୍ଯ୍ୟାମୀ

ଅଟାଳି ଉପରେ ସୈନ୍ୟ ଦେଖୁଛନ୍ତି ସ୍ଵାମୀ ।

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତି

ଏଥୁଅନନ୍ତରେ କଥା ହେଲା ଯେଉଁ ରୀତି ।

ସୁଧର୍ମା ସଭାରେ ବସି ଦେବଗଣ ସଙ୍ଗେ

ବୃହସ୍ପତି ଜଣାଇଲେ ଇନ୍ଦ୍ରଙ୍କର ଆଗେ ।

ସାବଧାନ ହୋଇ ତୁମ୍ଭେ ଶୁଣ ଶଚୀସାଇଁ

ସମଦଣ୍ଡ ଘେନି ଜରାସନ୍ଧ ଅଛି ବାହି ।

ଛୟାଣୋଇ ସସ୍ର ରାଜା ତା ସଙ୍ଗେ ଅଛନ୍ତି

ଲକ୍ଷେପୁର କରି ମଥୁରାକୁ ବେଢ଼ିଛନ୍ତି ।

ରଥ ରଥୀ ଅଶ୍ଵ ଗଜ ପଦାତି ବଳରେ

ଚାରିଦ୍ଵାରେ ଲାଗିଛନ୍ତି ଅତି ନିଘଞ୍ଚରେ ।

କେତେ ସୈନ୍ୟ ମଲେ ତାହା ନ ଯାଏ ଗଣିତା

ପାଞ୍ଚତାଳମାନେ ଖାତ ହୋଇଲାଣି ପୋତା ।

ଶିଶୁପାଳ ଲାଗିଅଛି ପଶ୍ଚିମ ଦୁଆରେ

କୃଷ୍ଣାର୍ଜ୍ଜୁନ ବିଜେ କରିଛନ୍ତି ସେହିଠାରେ ।

ନର ନାରାୟଣରୂପୀ ଅଟନ୍ତି ସେ ବେନି

ଭାରା ନିବାରିବେ କୃଷ୍ଣ ଅର୍ଜ୍ଜୁନଙ୍କୁ ଘେନି ।

ରଥ ଚଢ଼ି ଯୁଝୁଛନ୍ତି ସକଳ ନୃପତି

କୃଷ୍ଣାର୍ଜ୍ଜୁନ ଦୁହେଁ ହୋଇଛନ୍ତି ପାଦଗତି ।

ଶଙ୍ଖ ଚକ୍ର ଗଦା ପଦ୍ମ ନନ୍ଦିଘୋଷ ରଥ

ତାଳଧ୍ଵଜ ଆଦି ତାଙ୍କ ଆୟୁଧ ସମସ୍ତ ।

ଆବର ହିଁ ଦେବଶସ୍ତ୍ର ଅଛି ଯେତେ ଯେତେ

ଶାର୍ଙ୍ଗଧନୁ ଗଦା ହଳ ମୂଷଳ ସହିତେ ।

ଚିତ୍ରସେନ ଏହା ନେଇ ବେଗ ହୋଇ ଯାଉ

ବିନତା ସୁତ ଗରୁଡ଼ ବା ସଙ୍ଗତେ ଥାଉ ।

ଯେତେବେଳେ ଲୋଡ଼ୁଥିବେ କୃଷ୍ଣ ଯେଉଁଦ୍ରବ୍ୟ

ଦେବ ଭଣ୍ଡାରରୁ ନେଇଣ ଯୋଗାଇବେ ସର୍ବ ।

ବୃହସ୍ପତି ବାକ୍ୟ ଶୁଣି ଇନ୍ଦ୍ର ତୋଷ ହୋଇ

ଚିତ୍ରସେନ ଗନ୍ଧର୍ବକୁ ଆଣିଲେ ଡକାଇ ।

ସବୁକଥା ବୁଝାଇଣ ତାକୁ ସୁରନାଥ

ସମର୍ପଣ କଲେ ଆଣି ନନ୍ଦିଘୋଷ ରଥ ।

ତାଳଧ୍ଵଜ ରଥଆଦି ଆୟୁଧ ଯେତେକ

ଶଙ୍ଖ ଚକ୍ର ଗଦା ହଳ ମୁଷଳ କାର୍ମୁକ ।

ଜଗତ ମୋହନ ମଣି ଅଭେଦ୍ୟ କବଚ

ଯମଦାଢ଼ ନାମେ ଛୁରୀ ଅମୋଘ ନାରାଚ ।

ଦେବଙ୍କ ଆୟୁଧମାନ ସ୍ଵର୍ଗେ ଥିଲା ଯେତେ

ଇନ୍ଦ୍ର ଆଜ୍ଞା ପରମାଣେ ଆସିଲେ ସମସ୍ତେ ।

ମହାତ୍ମା ଗରୁଡ଼ ଯତି ଅଛି ସଙ୍ଗତରେ

ସବୁଦ୍ରବ୍ୟ ରଖାଇଲେ ନନ୍ଦିଘୋଷର ପରେ ।

ଆବର ଅର୍ଜ୍ଜୁନ ପାଇଁ ବହୁଦ୍ରବ୍ୟ ଦ୍ୟନ୍ତି

ଜଗମୋହନ ମୁକୁଟ ଦେଲେ ଚନ୍ଦ୍ରକାନ୍ତି ।

ଦେବ ଭଣ୍ଡାରରୁ ଦେଲେ ଅକ୍ଷୟ ତୂଣୀର

ନୀଳବାଣ ଭୂଜବାଣ ଆର୍ଦ୍ରାବଳି ଶର ।

ମନଭେଦୀ ନାରାଚ ଯେ ଅମୃତ କୁଣ୍ଡଳ

ସେ କୁଣ୍ଡଳ କର୍ଣ୍ଣେ ଥିଲେ ନ ପୂରଇ କାଳ ।

ଅମ୍ଲାନ ବସନ ଦେବ ଭଣ୍ଡାରୁ ଅଣାଇ

ଆଜ୍ଞାଦେଲେ ସୁରପତି ମାତଳିକୁ ରାଇ ।

ଚିତ୍ରସେନ ସହିତରେ ରଥ ଘେନି ଯାଅ

ହରି ଅର୍ଜ୍ଜୁନ ଛାମୁରେ ଏହା ନେଇ ଦିଅ ।

ଗାଣ୍ଡିବ ଧନୁ ଯେ ନନ୍ଦିଘୋଷ ରଥେ ଅଛି

ଆଜିଠାରୁ ସେ ଧନୁକୁ ଧରୁ ସବ୍ୟସାଚୀ ।

ବ୍ରହ୍ମାଙ୍କ ଯଜ୍ଞରୁ ଯେଉଁ ବାଉଁଶ ଜନ୍ମିଲା

ତାହା ଆଣି ବିଶ୍ଵକର୍ମା ଷଡ଼ଧନୁ କଲା ।

ପରିଶେଷେ ଉବୁରିଣ ଥିଲା ଯେଉଁଖଣ୍ଡ

ଶ୍ରୀକୃଷ୍ଣର ବଂଶୀ ହେଲା ବ୍ରହ୍ମାଙ୍କର ଦଣ୍ଡ ।

ରୁଦ୍ରଙ୍କ ଲଉଡ଼ି ହେଲା ଇନ୍ଦ୍ରଙ୍କର ଯଷ୍ଟି

ଦେବ ଭଣ୍ଡାରରେ ହେଲା ଖଣ୍ଡେ ନଳକାଠି ।

ତଳ ତିନିଖଣ୍ଡ କାଟି ଦୁଇଫାଳ କଲା

ଆପେ ବିଶ୍ଵକର୍ମା ଷଡ଼ଧନୁ ନିର୍ମାଣିଲା ।

ଅଜଗବ ପିନାକ ଯେ ଶାରଙ୍ଗ କୋଦଣ୍ଡ

ଗାଣ୍ଡୀବ ଯେ ଆର୍ଦ୍ରାବଳି ହେଲା ଏକଖଣ୍ଡ ।

ଏ ଧନୁ ଅର୍ଜ୍ଜୁନେ ଦେଇ କହିବ ମଣାଇ

ଶ୍ରୀକୃଷ୍ଣଙ୍କ ପ୍ରସାଦରୁ କିଛି ଭୟ ନାହିଁ ।

ଚିତ୍ରସେନ ସଙ୍ଗେ ମିଶି ଗଲେ ଶୂନ୍ୟମାର୍ଗେ

ଇନ୍ଦ୍ର ବଚନେ ମାତଳି ରଥ ଚାଳି ବେଗେ ।

ପୃଥ୍ଵୀର ଗଡ଼ ନିକଟେ ଗଗନରୁ ଆସି

ଦିଶିଲେ ଯେସନେ ସୂର୍ଯ୍ୟ ତଳେ ପଡ଼େ ଖସି ।

ଜାଜ୍ଵଲ୍ୟମାନ ଜ୍ୟୋତି ଯେ ପ୍ରକାଶ ହୋଇଲା

ଆକାଶ ମଣ୍ଡଳୁ ରଥ ଖସିଣ ପଡ଼ିଲା ।

ଜରାସନ୍ଧ ସୈନ୍ୟ ଦେଖି ଚମତ୍କାର ମଣି

କିମ୍ଭୁତ ଏ ମାୟା ବୋଲି ନ ପାରିଲେ ଜାଣି ।

ଚନ୍ଦ୍ରମା ମଣ୍ଡଳ କିବା ବିରଞ୍ଚି ବିମାନ

ସ୍ଵର୍ଗରୁ ଅଇଲା କିବା ଇନ୍ଦ୍ର ସିଂହାସନ ।

ଏସନ ସଞ୍ଜାତ ପୂର୍ବେ ଦେଖିଲା ତ ନାହିଁ

ନିର୍ମଳ ଜ୍ୟୋତିରେ ଦିଗ ବିରାଜି ଉଠଇ ।

ଥୋକାଏ ନୃପତି ଦେଖି ହୋଇଲେ ତରସ୍ତ

ଶ୍ରୀକୃଷ୍ଣ ଛାମୁରେ ମିଳେ ନନ୍ଦିଘୋଷ ରଥ ।

ବଳରାମ ସନ୍ନିଧିରେ ତାଳଧ୍ଵଜ ମିଳି

ଦେଖିଣ ଆନନ୍ଦ ହେଲେ ହଳୀ ବନମାଳୀ ।

ଶୁଣ ହେ ପରୀକ୍ଷ ରାଜା କହେ ଶୁକମୁନି

ଶ୍ରୀହରିବଂଶ ପୁରାଣ ପୁର୍ୟମୟ ଧ୍ଵନି ।

ସେ ରାମକୃଷ୍ଣ ଚରଣେ ସଦା ମୋର ସେବା

ଅଚ୍ୟୁତ ଦାସ କବିକି ଗତିମୁକ୍ତି ଦେବା ।

 

ଶ୍ରୀକୃଷ୍ଣଙ୍କ ଯୁଦ୍ଧେ ଶିଶୁପାଳର ପରାଜୟ ଓ ନନ୍ଦିଘୋଷ ରଥେ ବନ୍ଧନ

ନନ୍ଦିଘୋଷ ରଥ ଦେଖି ପ୍ରଭୁ ଜଗନ୍ନାଥ

ପ୍ରଦକ୍ଷିଣ କରି ଆରୋହିଲେ ଯେ ତୁରିତ ।

ସାରଥି ପଣେ ଅର୍ଜ୍ଜୁନ ବସାଇଲେ କତି

ସିଂହାସନ ମାଡ଼ିଯାଇ ବସିଲେ ଶ୍ରୀପତି ।

ଚାରି ଅଶ୍ଵଙ୍କର ବାଗ ଧରି ଧନଞ୍ଜୟେ

ସାରଥିପଣେ ବସିଲେ ଯାଇ ପଣ୍ଡୁପୋଏ ।

ଶ୍ରୀକରେ ଶାରଙ୍ଗ ଧନୁ ଧରି ନାରାୟଣ

ସର୍ବାଙ୍ଗରେ ଅଳଙ୍କାର ହୋଇଲେ ଭୂଷଣ ।

ଗଣ ଗନ୍ଧର୍ବ ଦେବତା କଲେ ଜୟଧ୍ଵନି

ବୃହତ ସାମ ଗାୟନ କଲେ ସିଦ୍ଧମୁନି ।

ଶାନ୍ତଶୀଳ ରାଜାମାନେ ଦେଖି ହେଲେ ଶାନ୍ତି

ବୋଇଲେ ଜନ୍ମ ମରଣ ଖଣ୍ଡିଲୁ ଏ ଘାନ୍ତି ।

ପରମାତ୍ମାଙ୍କୁ ଦେଖିଲୁ ଏବେ ଚର୍ମଡୋଳେ

ମନର ଭ୍ରାନ୍ତି ସକଳ ଫିଟିଲା ଏକାଳେ ।

ଅସୁରାଦି ରାଜାମାନେ ମହାଭୟ କଲେ

ଥକା ହୋଇଣ ସଂଗ୍ରାମ ଛାଡ଼ିଣ ରହିଲେ ।

 

ଭୀଷ୍ମ ଦ୍ରୋଣ ଦୁହେଁ ଦେଖି ହେଲେ ଠରାଠରି

ବୋଇଲେ ଏ ଜଗବନ୍ଧୁ ନାଥ ଦେବହରି ।

ପୃଥିବୀର ଭାରାଭର ନିବାରିବା ପାଇଁ

କୌତୁକେ ଜନମିଛନ୍ତି ନରଦେହ ବହି ।

କୂଟକପଟୀ ମାୟାବୀ ପ୍ରଭୁ ବିଶ୍ଵମୟେ

ଅଶେଷ କୋଟି ବ୍ରହ୍ମାଣ୍ଡ ଯା ଅଙ୍ଗୁ ଉଦୟେ ।

ଆବର ଅପୂର୍ବ ଯାହା ଦେଖିଲୁ ନୟନ

ଜଗନ୍ନାଥଙ୍କ ରଥରେ ସାରଥି ଅର୍ଜ୍ଜୁନ ।

ଦ୍ରୋଣ ବୋଇଲେ ଅର୍ଜ୍ଜୁନ ସାରଥି ସେ ରଥି

କୂଟକରି ଜରାସୈନ୍ୟ ପକାଇବ ମନ୍ଥି ।

ଭୀଷ୍ମ ବୋଇଲେ ସେ ଦୁହେଁ ନୁହନ୍ତି ଯେ ପର

ମାଉସୀ ପୁଅ ବନ୍ଧୁତା ଅଛଇ ଆବର ।

ତେଣୁକରି ସୁହୃଦ ଯେ ଅଟଇ ଫାଲ୍‌ଗୁନି

ଭାରାଭାର ନିବାରିବେ ୟାକୁ ସଙ୍ଗେ ଘେନି ।

ଦ୍ରୋଣେ ବୋଇଲେ ପାଣ୍ଡବେ ହରିଙ୍କ ବିଶ୍ଵାସ

ନିଶ୍ଚୟ କୌରବ ବଂଶ ଆଝୁଁ ଗଲେ ନାଶ ।

ନ ଜାଣିଣ ଆବୋରିଲୁ ତାଙ୍କୁ ମୁଢ଼ପଣେ

ବିଷ୍ଣୁ ସଙ୍ଗରେ ବିବାଦୀ ହେଲୁ ଅକାରଣେ ।

ଅନ୍ଧରାଜା ପୁଅଗୋଟି ହୋଇବ ନିର୍ମାକ୍ଷୀ

ଦୁର୍ଯ୍ୟୋଧନ କେତେବେଳେ ନ ପାରିବା ରଖି ।

ଏମନ୍ତ ବିଚାର କରି ଭୀଷ୍ମ ଦ୍ରୋଣ ବେନି

ଫେଡ଼ି ନ କହି କାହାକୁ ହୋଇଲେକ ତୁନି ।

ଏଥୁ ଅନନ୍ତରେ ଦମଘୋଷର କୁମର

ଦ୍ଵିତୀୟ ଦ୍ଵାରରେ ରଥ ଟେକେ ଧାତିକାର ।

ବହୁତ ମୁକୁଟବନ୍ଧା ଯୋଦ୍ଧା ମହାରଥୀ

ଗୋଡ଼ାନ୍ତି ସକଳେ ଶିଶୁପାଳ ପଛକତି ।

ଛେଲ ଚକ୍ର ନାରାଚ ଯେ ମୃଦୁଗର ଯଷ୍ଟି

ରୋଷେ ନାନାଶସ୍ତ୍ର ମାରୁଛନ୍ତି କୋଟି କୋଟି ।

କାଙ୍କ କୁରାଢ଼ି ଲଗାଇ ପକଆନ୍ତି ତାଡ଼ି

ମାରନ୍ତି ସେ ବାହାସ୍ଫୋଟ ଛାଡ଼ି ସିଂହରଡ଼ି ।

ଅର୍ଜ୍ଜୁନକୁ ଚାହିଁ ଆଜ୍ଞାଦେଲେ ଦେବହରି

ଶିଶୁପାଳ ପାଶେ ରଥ ବାହା ଶୀଘ୍ରକରି ।

ଜଗନ୍ନାଥଙ୍କର ଆଜ୍ଞା ଧନଞ୍ଜୟ ଶୁଣି

ଶିଶୁପାଳ ଆଗେ ରଥ ଉଭାରିଲା ଆଣି ।

ସର୍ବଜ୍ଞପୁରୁଷ ନାଥ କୋଟି ବିଶ୍ଵମୂର୍ତ୍ତି

ସର୍ବ ଯାଦବେ ଆବୋରିଛନ୍ତି ଚଉକତି ।

ନାରୀଗଣ ମଧ୍ୟେ ଯେହ୍ନେ ଚନ୍ଦ୍ର ଦିଶେ ଶୋଭା

ପଦ୍ମବନ ମଧ୍ୟେ ଯେହ୍ନେ ରାଜହଂସ ପ୍ରଭା ।

ଗଜଯୂଥ ମଧ୍ୟେ ଯେହ୍ନେ ବିକ୍ରମ କେଶରୀ

ଯାଦବଗଣ ମଧ୍ୟରେ ତେହ୍ନେ ନରହରି ।

ଅହୋବଳ ସୈନ୍ୟଦେଖି ସର୍ବେହେଲେ ମୋହି

ଚିହ୍ନିଲା ଲୋକେ ବୋଇଲେ ଜଗନ୍ନାଥ ଏହି ।

ଏହି ଭିଆଇଲେ ସିନା ସକଳ ମେଦିନୀ

ନିରଞ୍ଜନ ପୁରୁଷ ଏ ଦେବ ଶିରୋମଣି ।

ଯେତକ ଦୁଷ୍ଟ ପାପିଷ୍ଠ ଜାତି ଅସୁରାଧି

ବୋଲନ୍ତି ନିନ୍ଦା ବଚନ ଅଜ୍ଞ ମୂଢ଼ବୁଦ୍ଧି ।

ବାଣାସୁର ବଜ୍ରନାଭ ନାରକା ଶମ୍ବର

ଦୁର୍ଯ୍ୟୋଧନ ଭଗଦତ୍ତ ଆଦି ଦଣ୍ଡଧର ।

କଳିଙ୍ଗସେନ ଆବର କାଶୀ ନରପତି

ଏହିପରି ରାଜାମାନେ ରଥୀ ମହାରଥୀ ।

ଶିଶୁପାଳ କୁମର ଯେ ଚାଲଇ ଅଗ୍ରତେ

ପଞ୍ଚଶତ ବଳ ଧନୁ ଧରିଅଛି ହସ୍ତେ ।

ଦ୍ଵିତୀୟ ଇନ୍ଦ୍ର ପରାୟେ ଦିଶେ ଶୋଭାବନ

ଜଗନ୍ନାଥ ମୁଖ ଚାହିଁ ବୋଲନ୍ତି ବଚନ ।

ଆରେ ଆରେ ଗଉଡ଼ ତୋ ପୂରିଲା ଯେ କାଳ

ସଗୋତ୍ର ସହିତେ ଘେନିଯିବୁ ଯମଆଳ ।

ଜରାସନ୍ଧ ମହିମା କି ଶୁଣିଲା ତୋ ନାହିଁ

ପ୍ରତିଘାନ୍ତି ଏହିମତେ ଯାଉ ତୁ ଫେଡ଼ାଇ ।

ମୋହର ଛାମୁରେ ତୁ ଯେ ବେଳେ ପଡ଼ି ନାହୁଁ

ପଡ଼ିଥିଲେ ଏତେଦିନ ବର୍ତ୍ତିଥନ୍ତୁ କାହୁଁ ।

ଆଜି ଯେ ଜାଣିବା ତୋର ବଳବନ୍ତପଣ

ତିଳ ପ୍ରମାଣେ ମାଂସ ତୋ କାଟିବି ପ୍ରମାଣ ।

ମିଛେ ମିଛେ ନାରାୟଣ ବୋଲାଉ ତୁ ପୁଣି

ଗଉଡ଼ ହାଉଡ଼ ଜାତିଗୋତ୍ର ତୋ ନ ଜାଣି ।

ଗୋହତ୍ୟା ବ୍ରହ୍ମହତ୍ୟା ଯେ ସ୍ତିରୀହତ୍ୟା କଲୁ

ଗଉଡ଼ଙ୍କ ସଙ୍ଗେ ଥାଇ ଅଭକ୍ଷ୍ୟ ଭକ୍ଷିଲୁ ।

ମାଉସୀ ପିଉସୀ ଜେଠୀ ଖୁଡ଼ୀ ମଉଳାଣୀ

ସମସ୍ତଙ୍କ ଜାତି ନେଲୁ କୁଞ୍ଜବନେ ଆଣି ।

ହୋଇଲୁ ବର୍ଣ୍ଣସଙ୍କର ତେଜି ସର୍ବଧର୍ମ

କୁସଙ୍ଗେ ବଢ଼ିଲ ଆରେ ଥିଲା ତୁମ୍ଭ କର୍ମ ।

ବସୁଦେବ ପୁତ୍ରବୋଲି ତୁ କହୁ କେମନ୍ତେ

ନନ୍ଦ ଗଉଡ଼ର ପୁତ୍ର ବୋଲନ୍ତି ସମସ୍ତେ ।

ଅଧମ ଅପାତ୍ର ଅବିଦ୍ୟା ଯେ ବାଇବୁଦ୍ଧି

ନଟୀ ନଟକାରଣପଣେ ଜୀବିକାକୁ ସାଧି ।

ଜରାସନ୍ଧ ରାଜାଙ୍କର ନ ଜାଣିବା ପଣ

ମଶକ ସଙ୍ଗରେ ମତ୍ତହସ୍ତୀର ପଲାଣ ।

ଚାରିଊଣା ଲକ୍ଷେରାଜା ସର୍ବେ ଦଣ୍ଡ ବାହି

ଏ ଛାର କଥାକୁ ଏଡ଼େ ଶ୍ରମ କାହିଁପାଇଁ ।

ଏତେ ବୋଲିଣ ଧନୁକୁ ଟଙ୍କାର ସେ କଲା

ରାଜାଗୁରୁ ନାମ ଧରି ଶିରେ ଲଗାଇଲା ।

ଭୂମିକୁ ନାରାଚମାନ ବିନ୍ଧି ଧୀରକରି

ଗୁଣ ଆମଞ୍ଚନ କଲା ଧନୁର୍ବେଦ ସ୍ମରି ।

ପୁଣି ତୂଣୀରୁ କାଢ଼ିଲା ସସ୍ରେ ବାଣ ଗଣି

ଅଭିମନ୍ତ୍ର କରି ଗୁଣେ ବସାଇଲା ଆଣି ।

ଅର୍ଦ୍ଧଚନ୍ଦ୍ର ତୀକ୍ଷ୍‌ଣମୁନା ଶାରଙ୍ଗ ଯେ ପକ୍ଷୀ

ମନ୍ତ୍ରି ଗୁଣରେ ବସାଇ ଆଠସସ୍ର ବାଛି ।

ଆକର୍ଣ୍ଣ ଯାଏ ଓଟାରି କଲା ଶରବୃଷ୍ଟି

ହୁଂକାର ଘୋର ଶବଦେ ପୂରେ ନବସୃଷ୍ଟି ।

ଚଳିଲେ ବାଣମାନେ ଯେ ଅନ୍ତରୀକ୍ଷ ମାର୍ଗେ

ଜୁଳୁଜୁଳୁ ପୋକ ପ୍ରାୟେ ଦିଶି ମଧ୍ୟସ୍ଵର୍ଗେ ।

ଗର୍ଜିଣ ବାଣ ଆସନ୍ତେ ଦେଖି ଦେବହରି

କତୁରୀ ଶତେ ନାରାଚ ବିନ୍ଧି ହସ୍ତେ ଧରି ।

ଶିଶୁପାଳ ବାଣ ସ୍ଵର୍ଗେ ଅଧବାଟେ ଭେଟି

ସାତ ସାତ ଖଣ୍ଡକରି ପକାଇଲେ କାଟି ।

ଦେଖିକରି ବଳକ୍ଷୀଣ ହେଲା ଶିଶୁପାଳ

କାଳସର୍ପ ପରାୟେକ ଗର୍ଜେ ଅନ୍ତରାଳ ।

ଛୁରୀ କାତି କଙ୍କ ନାରାଚକୁ ବେଗେ ବାଛି

ଚାହୁଁ ଚାହୁଁ ବିନ୍ଧିଲା ସେ ଦମଘୋଷ ବତ୍ସି ।

ବାବଲ କୋଟିଏ ବାଣ ପେଷ ଦେବରାୟେ

ଶିଶୁପାଳ ବାଣ ଉଡ଼ିଗଲେ ତୃଣ ପ୍ରାୟେ ।

ପୁଣି ବେନିସସ୍ର ବାର ବାଛି ତୀକ୍ଷ୍‌ଣମୁନା

ମନ୍ତ୍ର ସୁମରିଣ ପେଷେ ବୀର ବଜ୍ରସେହ୍ନା ।

ଅର୍ଦ୍ଧ ନିଃଶ୍ଵାସ ମାତ୍ରକେ ପେଷେ ବୀରବର

ଚଳିଲେ ବାଣମାନେ ଯେ ହୋଇ ଭୟଙ୍କର ।

ବାଣରେ ଆଚ୍ଛାଦି ଦେଲା ସେ ଯେ ଚରାଚର

ଦିବସେ ସଂସାରଯାକ ଦିଶେ ଅନ୍ଧକାର ।

ମେଘ ଆଚ୍ଛାଦିଲେ ଯେହ୍ନେ ପରବତ ଲୁଚି

ନନ୍ଦିଘୋଷ ରଥ ତେହ୍ନେ ନ ଦିଶିଲା କିଛି ।

ଲୁହାରେ ଶର ବାଜିଣ ଶବ୍ଦ ବିକରାଳି

ଗଗନ ମଣ୍ଡଳୁଁ ଯେହ୍ନେ ଖସଇ ବିଜୁଳି ।

ଶସ୍ତ୍ର ଆସେନ୍ତେ ପାଶକୁ ଦେଖି ନାରାୟଣ

ମନ୍ତ୍ରିଣ ପେଷିଲେ ସ୍ଵାମୀ ମନଭେଦୀ ବାଣ ।

ଶିଶୁପାଳ ବାଣ ଯେତେ ଆସୁଥିଲା ମାଡ଼ି

ସାତଖଣ୍ଡ ହୋଇ ମଧ୍ୟୁ ପଡ଼ିଲାକ ଝଡ଼ି ।

ଦେଖି ଦମଘୋଷ ସୁତ ମନେ ପାଇ ବ୍ୟଥା

ପର୍ବତାଶର ଧରିଣ ପେଷେ ମହାରଥା ।

ଗିରି କନ୍ଦର ଭେଦିଣ ଉଡ଼ଇ ଗଗନେ

ମର୍ତ୍ତ୍ୟପୁର ଭାଙ୍ଗିବ କି ଆଘାତ ପବନେ ।

ଧାତିକାରେ ଧାଇଁଲା ସେ ମହାଧ୍ଵନି କରି

ସାଧୁ ସାଧୁ ଶିଶୁପାଳ ବୋଲନ୍ତି ଶ୍ରୀହରି ।

ବଜ୍ରବାଣ ପୂରାଇଲେ ଶାରଙ୍ଗ ଧନୁରେ

ଅଧର ପୁଷ୍ଟ କରାଣ ବିନ୍ଧିଲେ ସତ୍ଵରେ ।

ଶିଶୁପାଳ ପର୍ବତାସ୍ତ୍ର ଆସୁଥିଲେ ମାଡ଼ି

ମସିଗୁଣ୍ଡା ହୋଇ ଭାଜି ଅନ୍ତରୀକ୍ଷେ ଉଡ଼ି ।

ଦେଖି କୋପିଲା ଯେ ଦମଘୋଷର କୁମର

କାଳାନ୍ତକ ଶକ୍ତି ପୁଣି ଘେନେ ନିଜ କର ।

ଅଭିମନ୍ତ୍ରି ବାଣଗୋଟି ଧନୁରେ ବସାଇ

ଶ୍ରୀକୃଷ୍ଣଙ୍କ ଉପରକୁ ମାରେ ରୋଷ ବହି ।

ଶବଦେ କମ୍ପିଲେ ଦେବ ତ୍ରୟତ୍ରିଂଶ କୋଟି

ଚାହୁଁ ଚାହୁଁ ବାଣ ଆସେ ସ୍ଵର୍ଗ ମଞ୍ଚ ଘୋଟି ।

ଦେଖିକରି ଜଗନ୍ନାଥେ ବାରୁଣାସ୍ତ୍ର ପେଷି

କାଳାନ୍ତକ ଶକତିକୁ ପକାଇଲେ ନାଶି ।

ଶକତି ବିଫଳ ହେବା ଦେଖି ଶିଶୁପାଳ

ପାଶୁପତ ନାରାଚକୁ ପେଷେ ମହାବଳ ।

ଧନୁରେ ବସାଇ କର୍ଣ୍ଣମୂଳ ଯାଏ ଟାଣି

ଅଣବାହୁଡ଼ା ଶରକୁ ପେଷେ ବୀରମଣି ।

କୋଟି ଭଇରବ ରୂପ ଧରି ବାଣ ଚଳି

ନନ୍ଦିଘୋଷ ନିକଟରେ ଯାଇ ବେଗେ ମିଳି ।

ଜଗନ୍ନାଥେ ପେଷିଲେ ଯେ ପୁଣି ତୀକ୍ଷ୍‌ଣ ଶର

ତିଳ ପ୍ରମାଣରେ ଝଡ଼ି ପଡ଼ିଲା ଭୂମିର ।

ଦେଖି ଶିଶୁପାଳ ବୁଦ୍ଧି ନ ସ୍ଫୁରଇ କିଛି

କୋପେ କୋପାନଳ ହୁଏ ଦମଘୋଷ ବତ୍ସି ।

ଅଗ୍ନି ତହୁଁ ବୈଶ୍ଵାନର ଅସ୍ତ୍ର ପାଇଥିଲା

ଅଭିମନ୍ତ୍ର କରି ତାହା ଗୁଣେ ବସାଇଲା ।

କର୍ଣ୍ଣମୂଳ ପରିଯନ୍ତେ ଓଟାରିଣ ରାଗେ

ଶ୍ରାକୃଷ୍ଣଙ୍କ ଉପରକୁ ପେଷିଲେ ତା ବେଗେ ।

ଘୋଟିଲା ଅନଳ ଶିଖା ଜ୍ୟୋତି ଭୟଙ୍କର

ତେଜରେ ବିଦହ୍ୟମାନ ହେବ ଏ ସଂସାର ।

ଭୂମିଠାରୁ ଘୋଟିଅଛି ଶୂନ୍ୟପୁର ଯାଏ

ତରସ୍ତ ହୋଇଲେ ଦେଖି ସବୁ ପ୍ରାଣୀ ଭୟେ ।

ଗୋବିନ୍ଦ ପେଷିଲେ ଜଳଧାରା ବାଣ ଘେନି

ତତକ୍ଷଣେ ବୃଷ୍ଟି ହୋଇ ଲିଭିଲା ବହନି ।

ଦେଖି ଶିଶୁପାଳର ଯେ ଭାଙ୍ଗିଗଲା ଦର୍ପ

ଗରଳହୀନେ ନିସ୍ତେଜ ହୁଏ ଯେହ୍ନେ ସର୍ପ ।

ଅନ୍ତର୍ଗତେ ବିଚାରଇ କରିବି କି ବୁଦ୍ଧି

କେବଣ ପ୍ରକାରେ କାର୍ଯ୍ୟ ନୋହିଲା ତ ସିଦ୍ଧି ।

ପିଠି ଦେଇ ଯେବେ ରଣ କରିବି ମୁଁ ତେଜ୍ୟା

ଜନମୁଖେ ଅପଖ୍ୟାତି ପାଇବଇଁ ଲଜ୍ଜା ।

ସେନାପତି ପଣେ ଅଇଲଇଁ ପରିଘାରି

ଏଥୁଁ ପଳାଇଲେ ଆଉ ବର୍ତ୍ତିବି କି ମୁହିଁ ।

ହାରିବା ଜିଣିବା ଅଟେ କ୍ଷତ୍ରିଙ୍କ ବେଭାର

ଏତେ ଭାଳି କରେ ଧନୁ ଧରି ମହାବୀର ।

ବାୟବ୍ୟ ଅସ୍ତ୍ରକୁ ବୀର କାଢ଼ିଲା ବହନ

ବହିଲାକ ଅଣଚାଶ ପ୍ରବଳ ପବନ ।

କୁହୁକ ବାଣକୁ ପୁଣି ମୁହୂର୍ତ୍ତକେ ପେଷି

ଜ୍ୱାଳାବଳି ଅନ୍ଧକାର ପେଷେ ମୋହପାଶି ।

ଲକ୍ଷେକୋଟି ବାଣମାନ ସନ୍ଧେ ପୁଣି ପୁଣି

ଦେଖିଣ ଆଶ୍ଚର୍ଯ୍ୟ ହ୍ଵନ୍ତି ସକଳ ସଇନି ।

ଶିଶୁପାଳ ବାସୁଦେବ ଯୁଦ୍ଧ ଗୁରୁତର

ବୋଲନ୍ତି ଯେ ଶୁକମୁନି ଶୁଣ ନୃପବର ।

ଏଥୁଅନନ୍ତରେ ତହୁଁ ଜଗନ୍ନାଥ ସ୍ଵାମୀ

ଶିଶୁପାଳ ବାଣମାନ ଦେଖି ଅନ୍ତର୍ଯ୍ୟାମୀ ।

ପ୍ରଚଣ୍ଡ ଅନଳ ଶୂନ୍ୟେ ଆସୁଅଛି ଘୋଟି

ଦିଗ ନ ଦିଶଇ ବାଣ ଆକାଶକୁ ଘୋଟି ।

ଏସନ ରୂପେ ଆସନ୍ତେ ଦେଖି ନାରାୟଣ

ଶାରଙ୍ଗରେ ବସାଇଲେ ମନଭେଦୀ ବାଣ ।

ପୁନରପି ସସ୍ର ବାଣ ଅଭିମନ୍ତ୍ର କରି

ସାରଙ୍ଗ ଧନୁରେ ଯୋଚିଲେକ ଦେବହରି ।

ଚାରି ଅଶ୍ୱଙ୍କୁ ଯେ ଆଠ ସାରଥିକି ତିନି

ଚକକୁ ଯେ ଚାରିବାଣ ଅଖକୁ ଯେ ବେନି ।

ଖମ୍ବକୁ ଅଷ୍ଟ ନାରାଚ ବିନ୍ଧିଲେ ବିଚାରି

ପୀଢ଼କୁ ଯେ ପୁଣି ମାଇଲେକ ଚାରି ଚାରି ।

ଚାରି ପାଖରେ ଯେ ବାଣ ମାରି ମନ୍ତ୍ରି ସାତ

ରଥ ଚକଡ଼ାକୁ ଶର ମାରି ଜଗନ୍ନାଥ ।

ଧନୁକୁ ପଞ୍ଚ ନାରାଚ ଗୁଣକୁ ଯେ ଚାରି

ତୂଣୀରକୁ ବିଂଶ ବାଣ ପେଷିଲେ ଶ୍ରୀହରି ।

ସେହ୍ନାକୁ ଚୌବିଂଶ ହସ୍ତୀ ଅଶ୍ୱକୁ ଯେ ଆଠ

ଏ ଅନୁକ୍ରମେ ନାରାଚ ପେଷି ନନ୍ଦଚାଟ ।

ହସ୍ତରୁ ଫିଟନ୍ତେ ଚଳିଯାନ୍ତେ ବାଣମାନେ

ସକଳ ଭେଦିଲେ ଯାଇ ଯେ ଯାହାର ସ୍ଥାନେ ।

ପ୍ରଥମେ ଅଖରୁ ଚକ ଛିଡ଼ିଣ ପଡ଼ିଲା

ଦ୍ଵିତୀୟେ ଭୂମି ଉପରେ ଅଖ ନିକିଳିଲା ।

ତଦପରେ ଧଉଡ଼ିକୁ ପକାଇଲା କାଟି

ତାହାପରେ ଚାରି ଅଶ୍ଵ ଭୂମିପରେ ଲୋଟି ।

ଶିଶୁପାଳ ଉପରକୁ ବାଣ ଗଲା ଚଳି

ଅଚେଷ୍ଟ ହୋଇଲା ତେଡ଼େବଡ଼ ମହାବଳୀ ।

ବାଗ ଦଉଡ଼ି ହସ୍ତରୁ ପଡ଼ିଲାକ ଝଡ଼ି

ଭାଙ୍ଗ ପଡ଼େ ରଥଗୋଟା ଶିଶୁପାଳେ ମାଡ଼ି ।

ଘାଏ ଘୁମାଇଲା ତହୁଁ ଦମଘୋଷେ ସୁତ

ପଡ଼ିଲାକ ମୁହଁମାଡ଼ି ଗଲା ମୂର୍ଚ୍ଛାଗତ ।

ଗୋବିନ୍ଦ ଆଜ୍ଞା ଦେଲେକ ଅର୍ଜ୍ଜୁନକୁ ଚାହିଁ

ଶିଶୁପାଳ କେଶ ଧରି ଘେନି ଆସ ଯାଇ ।

ପାଦେ ଶାଙ୍କୁଳି ଦେଇଣ ରଥ ଖମ୍ବେ ବାନ୍ଧ

ଅପମାନ ପାଇ ଯାଉ ରାଜା ଜରାସନ୍ଧ ।

ଆଜ୍ଞା ପାଇଣ ରଥରୁ ଡେଇଁ ଅରଜୁନ

ଶିଶୁପାଳ କେଶ ଧରି ଆଣିଲେ ବହନ ।

ପାଶେ ରହି ଦେଖୁଥିଲା ବାଣା ଦଣ୍ଡଧାରୀ

ରେରେକାର କରି ମିଳେ ଆସି ଆଗକରି ।

ଅର୍ପୂବ ରଥଗୋଟି ଯେ ସୁବର୍ଣ୍ଣରେ କମ

ଆଦିତ୍ୟ ରଥ ପରାୟେ ରାଜେ ଶୁଦ୍ଧ ହେମ ।

ଶତେ ନଳ ଆୟତନ ରଥ ଦୀର୍ଘ ପ୍ରତି

ସହସ୍ର ଶାର୍ଦ୍ଦୁଳ ଯୋଚି ଅଛି ଚଉକତି ।

ଦେବଗଣଙ୍କର ଲକ୍ଷେ କୋଟିଏ ଆୟୁଧ

ଛେଲ ଚକ୍ର ଗଦାମାନ ଡେରିଅଛି ମଧ୍ୟ ।

କର୍ଣ୍ଣାଞ୍ଚଳ ମୁକୁଟ ଯେ ସୀମନ୍ତିନୀ ବଳା

ନବ ରତନରେ ଶୋଭା ବଳୀରାଜା ବଳା ।

କଳେବର ଭୟଙ୍କର ପୃଥୁଳ ମୂରତି

କୃତାନ୍ତକ ଦେବତାର ପ୍ରାୟେ ଦିବ୍ୟଜ୍ୟୋତି ।

ପ୍ରତାପୀ ବୀରାଧିବୀରବର ଶିରୋମଣି

ସ୍ଵର୍ଗମଞ୍ଚ ପାତାଳ ସେ ହେଳେ ପାରେ ଜିଣି ।

ସୁପ୍ରସନ୍ନେ ସଦାଶିବ ଦେଇଛନ୍ତି ବର

ପ୍ରହ୍ଲାଦର ନାତି ସେ ଯେ ଅଟଇ ଅମର ।

ଏକା ଶରୀରରେ ତାର ସହସ୍ରେକ ଭୁଜ

ଆଠ କୋଟି ସିଂହର ଯେ ବହିଥାଏ ଓଜ ।

ବାମ ଭୂଜେ ପାଞ୍ଚଶତ ଶ୍ରେଷ୍ଠ ଧନୁ ଧରି

ଦକ୍ଷିଣ ପଞ୍ଚାଶ ଭୁଜେ ବିନ୍ଧଇ ଓଟାରି ।

ଗଦା ମୁଦୁଗର ଶକ୍ତି ଧରି ଅସିବର

ଦକ୍ଷିଣ ଭୁଜେ ଭୂଷଣ୍ଡ ରହିଅଛି ତାର ।

ଛେଲ ଚକ୍ର ଶର ଧରିଅଛି କେଉଁ କରେ

ମୂଷଳ ଧରି ଅଛଇ କେବଣ କରରେ ।

କେବଣ ହସ୍ତେ ଡମ୍ବରୁ ତ୍ରିଶୂଳ ଯେ କାତି

ଛୁରୀ ଯମଦାଢ଼ ତ୍ରୟତ୍ରିଂଶ ଶର ଜାତି ।

ସର୍ବାଙ୍ଗେ ମାଣିକ୍ୟ ରଙ୍ଗ ପତନିକି ପିନ୍ଧି

ଶ୍ରୀଅଙ୍ଗେ ଚନ୍ଦନ ମାଥେ ସେବତୀକି ବାନ୍ଧି ।

ରଙ୍ଗମିଶା ଅଞ୍ଚଳ ଯେ ଅତି ଶୋଭାକର

ଶ୍ରୀକୃଷ୍ଣ ଛାମୁରେ ମିଳି ହେଲା ଆଗଭର ।

ସହସ୍ର ଭୁଜେ ଆୟୁଧ ଧରିଛି ପୂରାଇ

ରହ ରହ ଗୌଡ଼ ବୋଲି ଓଗାଳିଲା ଯାଇ ।

ମୋହର ଛାମୁରେ ତୋର ଏଡ଼େକ ଭରସା

ଶୋଇଲା ସିଂହକୁ ଯେହ୍ନେ ନାତ ମାରେ ଶଶା ।

ଦମଘୋଷ ସୁତକୁ ମୋ ଆଗୁ ଧରି ନେଉ

ଗଉଡ଼ ହୋଇଣ ତୁରେ ଏଡ଼େ ଗର୍ବ ବହୁ ।

ଲକ୍ଷେ ରାଜା ଉପରେ ସେ ଅଟେ ଅଧିକାରୀ

ସେନାପତି ପଣେ ଶାଢ଼ୀ ବାନ୍ଧିଛନ୍ତି ବରି ।

ଏଡ଼େବଡ଼ ବୀରଟାକୁ ବାନ୍ଧିକରି ନେବୁ

ତୁ ସୈନ୍ୟ ମଧ୍ୟେ କେମନ୍ତେ ଜୀବନ ପାଇବୁ ।

ଏତେ ବୋଲିଣ ରଥକୁ ଧୂଆଁଏ ସେ ବେଗେ

ତକ୍ଷଣେ ମିଳିଲା ଯାଇ ନନ୍ଦିଘୋଷ ଆଗେ ।

ପୁଣ ନିଜ ଭୁଜେ ଶର ଧରି ଆଣ୍ଟ କରି

ଗୋବିନ୍ଦଙ୍କ ଉପରକୁ ବିନ୍ଦେ ରୋଷ ଭରି ।

ଧନୁରେ ପାଞ୍ଚସହସ୍ର ବାଣକୁ ପୂରାଇ

ମନ୍ତ୍ର ସୁମରିଣ ବିନ୍ଧେ ମହାରୋଷ ବହି ।

ଛେଲ ଚକ୍ର ଭୂଷଣ୍ଡି ଯେ ଆଉ ତୀକ୍ଷ୍‌ଣମୁନା

ମନ୍ତ୍ର ସୁମରିଣ ବାଣ ପେଷେ ମହାମନା ।

ଶୁଣ ପରୀକ୍ଷେ ବଦନ୍ତି ଶୁକ ମହାମୁନି

ଇତି ଶିରୀ ହରିବଂଶ ପୁଣ୍ୟମୟ ଧ୍ଵନି ।

ଏସନ ବିନ୍ଧନ୍ତେ ବାଣ ବଳିର ତନୟ

କମ୍ପିଲେ ଅମରଗଣେ ପାଇ ମନେ ଭୟ ।

ଚଳିଗଲେ ବାଣମାନେ ଶୂନ୍ୟପୁର ଘୋଟି

ଶ୍ୟେନ ପକ୍ଷୀ ପ୍ରାୟେ ଶବ୍ଦ ଆସନ୍ତେ ଚହଟି ।

ଖଣ୍ଡା ସାବେଳି ପ୍ରଭୃତି ତୀକ୍ଷ୍‌ଣ ଲୋହ ଝଳି

ଶୂନ୍ୟମଣ୍ଡଳରୁ ଯେହ୍ନେ ପଡ଼ଇ ବିଜୁଳି ।

ରଣଝଣ ଭୟଙ୍କର ଶବ୍ଦ ଶୂନ୍ୟେ ଘୋଟି

ଦଲଦଲ ବସୁମତୀ କମ୍ପେ ନବସୃଷ୍ଠି ।

ଉଲୁକାପାତ ପୃଥିବୀ ଯୁଗାନ୍ତକ ଜାଣି

ଗଗନ ଅନ୍ଧାର ଦୃଶ୍ୟ ହୁଏ ଦିନମଣି ।

ବାଣମାନେ ଆସନ୍ତେଣ ଦେଖି ଅନ୍ତର୍ଯ୍ୟାମୀ

ଶାରଙ୍ଗ ଧନୁକୁ କରେ ଧଇଲେକ ସ୍ଵାମୀ ।

ଅର୍ଦ୍ଧଚନ୍ଦ୍ର ତୀକ୍ଷ୍‌ଣ ମୁନା ଗୁଣରେ ସେ ଦେଲେ

ସହସ୍ରେ ଗୁଣରେ ଅଭିମନ୍ତ୍ରିଣ ପେଷିଲେ ।

ସାନ୍ଦୀପନି ଶିକ୍ଷା ଦେଇଛନ୍ତି ଯେ ମନ୍ତ୍ରଟି

ଏକା ନାରାଚକେ ଜାତହେଲା କୋଟିକୋଟି ।

ଏମନ୍ତେ ପାଞ୍ଚସହସ୍ର ଶରମାନ ସନ୍ଧି

ବାଣାସୁର ବାଣକୁ ସେ ଶର ଦେଲେ ଛନ୍ଦି ।

ଶରେ ଶର ଛନ୍ଦାଛନ୍ଦି ମହାଜ୍ଜ୍ଵାଳା ହୋନ୍ତେ

ଘୋଟିଲା ଅତୁଳଶିଖା ଗଗନର ପଥେ ।

ନିରନ୍ତରେ ଶରେ ଶର ହେଲା ମହାସନ୍ଧି

ଶର ଗତାୟତେ ସୂର୍ଯ୍ୟକିରଣ ଆଚ୍ଛାଦି ।

ଆଡ଼େ ଜଗନ୍ନାଥ ଅନ୍ୟ ଆଡ଼େ ବାଣାସୁର

ଶରବନ୍ଧ ପଡ଼ିଲା ସେ ଦୁହିଁଙ୍କ ଭିତର ।

ଅଗ୍ନିଶର ପେଷିଲାକ ବାଣ ମହାବଳି

ସବୁ ଶର ଅଗ୍ନିତେଜେ କ୍ଷଣକରେ ଜଳି ।

ବାଣାସୁର ଦାନବ ଯେ ବହୁଶର ଧରି

ଅନର୍ଯ୍ୟାପ୍ତ ବାଣ ବିନ୍ଧେ କୋଟ୍ୟୁର୍ବୁଦ କରି ।

ଶ୍ରାବଣ ମାସରେ ଯେହ୍ନେ ମେଘ ବରଷଇ

ତେସନ ଶର ଗଗନ ପଥରୁ ଖସଇ ।

ମହାଭୟଙ୍କର ଶବ୍ଦ ଟଙ୍କାରର ଧ୍ଵନି

ଶବଦରେ କମ୍ପୁଅଛି ସକଳ ମେଦିନୀ ।

କୋଟିଏ ଶାର୍ଦ୍ଦଳ ତାଳ ରଥେ ଯୋଚାହୋଇ

ଯହିଁ ମନ କରଇ ସେ ତହିଁ ନ୍ୟନ୍ତି ବହି ।

ରଥରେ ବସି ସାରଥି ବାହେ ରହୁବର

ଜଗନ୍ନାଥଙ୍କ ଛାମୁରେ ଯୁଝେ ବାଣାସୁର ।

ନନ୍ଦିଘୋଷେ ବିଜେ କରିଛନ୍ତି ଦେବରାୟେ

ସାରଥି ପଣରେ ବସିଛନ୍ତି ଧନଞ୍ଜୟେ ।

ରଥ ଗଜ ପଦାତିକ ଅଶ୍ଵ ଯେ ଯାହାର

ଏକ ଆରଣିରେ ଲାଗି ଯୁଦ୍ଧ ମହାଘୋର ।

ଉଠନ୍ତି ପଡ଼ନ୍ତି କେହୁ ଲୋଟନ୍ତି ଧରଣୀ

ମେଦମେଦା ମାଂସ ଖାନ୍ତି ପିଶାଚୀ ଡାକିନୀ ।

ଶ୍ରୀକୃଷ୍ଣ ରଥ ପଛରେ ଯାଇର ଯାଦବେ

ଏକେ ଏକେ ପରିଘାଇ ଯୁଝନ୍ତି ସରବେ ।

ଗୋବିନ୍ଦ ରୂପ ଯାଦବଗଣେ ଛନ୍ତି ଘେନି

ଜଣକେ ଆବୋରିଛନ୍ତି ଅର୍ବୁଦେ ସଇନି ।

ଲାଗିଲା ଘୋର ସମର ଆରେଣି ଅପାର

ଏକା ବାଣକେ କୋଟିଏ ଯାନ୍ତି ଯମପୁର ।

ନାରାଚ ଖଡ଼ଗଘାତେ ଛିଡ଼ିଯାନ୍ତେ କନ୍ଧ

ଭୟଙ୍କର ମୂର୍ତ୍ତ ଧରି ନାଚିଲେ କବନ୍ଧ ।

ବହିଲା ରକତ ନଦୀ ବେନି ତାଳ ଉଚ୍ଚ

ଗମିଯାନ୍ତି ମଡ଼ାମାନେ ହୋଇର ନିଘଞ୍ଚ ।

ଆନନ୍ଦେ ନାଚନ୍ତି ମିଳି ଶ୍ମଶାନ ବାସିନୀ

କିଳିକିଳା କୁହୁ କୁହୁ ଭୟଙ୍କର ଧ୍ଵନି ।

କଙ୍କାଳୀ ବେତାଳୀ ଚଣ୍ଡୀ ଚାମୁଣ୍ଡା ସହିତେ

ଊର୍ଦ୍ଧ୍ୱକେଶୀ ଭଇରବୀ ପିଶାଚୁଣୀ ଯେତେ ।

ମେଦମେଦା ଖାଇ ସୁଖେ ରକ୍ତ କରି ପାନ

ହୁଳୁହୁଳି ଦେଇ ରଣେ କରନ୍ତି ନର୍ତ୍ତନ ।

ଅତି ଉଚ୍ଚେ ରାବ ଦ୍ୟନ୍ତି ଶ୍ଵାନ ଗୃଧ କାକେ

ବ୍ରହ୍ମାଣ୍ଡ ଉଛୁଳି ପଡ଼େ ରେରେକାର ଡାକେ ।

ଦୀର୍ଘ ପ୍ରତି ଆୟତନେ ବେନିଯୂଣ ଯାଏ

ନିରନ୍ତରେ ଦିଶୁଅଛି ଗୁଣ୍ଡିମୁଣ୍ଡ ମୟେ ।

ଶୁଣ ପରୀକ୍ଷିତ ରାୟେ ଶୁକମୁନି କହି

ଅତି ଭାଗ୍ୟେ ଭାଗବତ ପୁରାଣ ଯେ ଏହି ।

ଏସନେକ ମହାଘୋର ଲାଗିଲା ସମର

ପୁଣି ପୁଣି ବାଣାସୁର ବିନ୍ଧେ କୋଟି ଶର ।

ଉଲ୍‌କାପାତ ପରାୟେ ଦିଶେ ମହୀସ୍ଥଳୀ

ଦଶଦିଶ ଯାକସବୁ ଶରରେ ମଣ୍ଡଳୀ ।

ଭୂମଣ୍ଡଳଠାରୁ ସ୍ଵର୍ଗପୁର ପରିଯନ୍ତେ

ସମସ୍ତ ପୂରିଅଛଇ ମହା ଅସ୍ତ୍ର ଶସ୍ତ୍ରେ ।

ଗର୍ଜିଣ ଧାମନ୍ତି ବାଣ ଝଲ ମଲ ଜ୍ୟୋତି

ବଜ୍ରସୂଚି ପରାୟେକ ଧରି ବିଶ୍ଵମୂର୍ତ୍ତି ।

ଅର୍ଜ୍ଜୁନ ବୋଇଲେ ତୁମ୍ଭେ ଶୁଣ ନାରାୟଣ

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ଘୋଯେ ଦୈତ୍ୟବାଣ

ପଞ୍ଚାଶତ ଭୁଜେ ଧନୁ ଧରି ବଜ୍ର ଯଷ୍ଟି

ଏକା ବାଣକେ ଜନମ ହୁଏ କୋଟି କୋଟି ।

ନିଃଶ୍ଵାସକେ ଶତେ ବେଳ ଆମଞ୍ଚଇ ଗୁଣ

ବାଣର ଉପରେ ବାଣେ ବିନ୍ଧେ ଗୁରୁ ଟାଣ ।

ପବନର୍ହୁ ବେଗେ ବାଣ ଆସୁଅଛି ମାଡ଼ି

ଅବଶ୍ୟ ପ୍ରମାଦ ଦେବ ନନ୍ଦିଘୋଷେ ପଡ଼ି ।

ଏମାନଙ୍କୁ ପ୍ରତିକାର କର ନରହରି

ତା ନୋହିଲେ ମୋତେ ବୋଲଦେବି ମୁଁ ସଂହାରି ।

ଅର୍ଜ୍ଜୁନ ବାକ୍ୟେ ବୋଲନ୍ତି ଲକ୍ଷ୍ମୀଦେବୀ ସାଇଁ

ଏ ବାଣାସୁର ଯୋଗରେ ବହୁ କାର୍ଯ୍ୟ ହୋଇ ।

ରାଜୁସୀ ଯାଗ କରିବେ ଯୁଧିଷ୍ଠି ରାଜନ

ଲକ୍ଷେ ନରପତି ତହିଁ ହୋଇବେ ବରଣ ।

ଅପମାନ ପାଇଛନ୍ତି ପଣ୍ଡୁ ନରପତି

ତେଣୁକରି ରାଜାମାନେ ମିଳିବା ଯୁକତି ।

ଆବର ଅଶେଷ ପୂର୍ବୁ ଅଛି ବର ପାଇ

ନାତିର ହସ୍ତେ ମରିବ ଶିବ ଛନ୍ତି କହି ।

ସମୟ ଅନ୍ତରେ ଏହି ନନ୍ଦିଘୋଷ ରଥେ

ମୂର୍ତ୍ତିମନ୍ତ ହୋଇ ଆମ୍ଭେ ବିଜେ କରି ଏଥେ ।

ଶୋଣିତ କଟକେ ହେବ ତୁମୂଳ ସମର

ସେହିଠାରେ ବାଣାସୁର ଯିବ ଯମପୁର ।

ଏତେ ପରିଶ୍ରମ କରିବାଟି ଅନିମିତ୍ତେ

ଏ ବାଣା ବଧ ନୋହିବ ଜାଣ ଆମ୍ଭ ହସ୍ତେ ।

ତୁହି ହୋ ଅର୍ଜ୍ଜୁନ ଏବେ କର ଆମ୍ଭ ବୋଲ

ଲେଉଟାଇ ରଥ ବାହା ଯିବା ଏଥୁ ଚାଲ ।

ଅରଜୁନ ବୋଇଲେ ହେ ଶୁଣ ବନମାଳି

କିପାଁ ବଦନ ଲୁଚଇ ଯିବା ଏଥୁ ଚଳି ।

ତୁମ୍ଭେ ସ୍ଵାମୀ ବିଜ୍ଞବନ୍ତ ଅଟ ଗୁଣମଣି

ଜାଣି ଏ କଥା କେମନ୍ତେ କହ ଚକ୍ରପାଣି ।

ସଂଗ୍ରାମେ ଅପସରିଲେ ଯିବ ସବୁ ଧର୍ମ

ଜନମୁଖେ ନିର୍ବାସିତ ହେବ ପାପକର୍ମ ।

ଯୁଗେ ଯୁଗେ ଅଜ୍ରାମର ନୋହେ କାର ଦେହୀ

ମାୟାମୟ ସଂସାର ଏ ଶୁଭାଶୁଭ ଭୂଇଁ ।

ଅର୍ଜ୍ଜୁନ ବଚନ ଶୁଣି ହସି ଜଗନ୍ନାଥ

ବୋଇଲେ ସାଧୁ ତୁମ୍ଭର ଜୀବନ ହିଁ ପାର୍ଥ ।

ବାଳୁତ ହୋଇ ତୁମ୍ଭର ଧର୍ମପଣ ଏତେ

ଲକ୍ଷ୍ମୀ ନ ଛାଡ଼ିବେ ତୁମ୍ଭ ବନ୍ଧୁ କଦାଚିତେ ।

ଏ ରୂପରେ ଉଚ୍ଚବାଚ ହ୍ଵନ୍ତେ ତହିଁ ବେନି

ଅଦ୍ଭୁତେ ଆକାଶୁଁ ଶୁଭେ ଚମତ୍କାର ଧ୍ଵନି ।

ଆହେ ପାର୍ଥ ଜଗନ୍ନାଥ ଏହି ବୋଲ କର

ଶୀଘ୍ର ଲେଉଟାଅ ନନ୍ଦିଘୋଷ ରହୁବର ।

ନୋହିଲେତ ଦେବକାର୍ଯ୍ୟ ନୋହେଜାଣ ସିଦ୍ଧ

ଆଗପଛ ବିଚାରିଣ ଶତ୍ରୁ କର ବଧ ।

ଶ୍ରୀମୁଖରେ ଆଜ୍ଞା ଦେଲେ ଯାହା ଜମ୍ଭଭେଦୀ

ନିଶ୍ଚେଁ ନିଶ୍ଚେଁ ସେହିକାର୍ଯ୍ୟ ହୋଇବଟି ସିଦ୍ଧି ।

ଏହାଶୁଣି ସବ୍ୟସାଚୀ ଅଶ୍ଵ ଚଳାଇଲେ

ନନ୍ଦିଘୋଷ ରଥ ତହୁଁ ଲେଉଟାଇ ନେଲେ ।

ନିଃଶ୍ଵାସକେ ଯାଇ ରଥ ଉଠେ ଶୂନ୍ୟମାର୍ଗେ

ବାଣାସୁର ବାଣମାନ ଆସୁଛନ୍ତି ବେଗେ ।

ଗରୁଡ଼କୁ ଆଜ୍ଞାଦେଲେ ଦେବ ଭଗବାନ

ଡେଣା ବିସ୍ତାରିଲେ ଆସି ବିନତା ନନ୍ଦନ ।

ବାଣାସୁର ପରେ ଗରୁଡ଼ର ଡେଣା ବାଜି

ଥୋକେ ଉପୁଡ଼ି ପଡ଼ିଲେ ଥୋକେ ଗଲେ ଭାଜି ।

ଖଗେଶ୍ଵର ହଲାଇଣ ଦେଲା ଯହୁଁ ଡେଣା

ବହିଲା ଯେ ଅଣଚାଶ ବାୟୁ ଶତେ ଗୁଣା ।

ବାଣାସୁର ସୈନ୍ୟମାନେ ଅନ୍ତରୀକ୍ଷେ ଉଡ଼ି

ପ୍ରାଣତ୍ୟାଗ କଲେ ବନଗିରି ତଳେ ପଡ଼ି ।

ରଥ ଗଜ ଅଶ୍ଵ ରଥୀ ମାହୁନ୍ତ ବହୁତ

ଅନେକ ଦୂରେ ପଡ଼ିଣ ହେଲେ ପ୍ରାଣେ ହତ ।

ନନ୍ଦିଘୋଷ ରହୁବର ଆକାଶରେ ଥାଇ

ଶୁଣ ପରୀକ୍ଷିତ ରାଜା ଶୁକମୁନି କହି ।

ଏଥୁ ଅନନ୍ତରେ ଜରାସନ୍ଧ ନରପତି

ବଳରାମ ଶ୍ରୀଛାମୁରେ ମିଳିଲା ତଡ଼ତି ।

ଚଉପାଶେ ବେଢ଼ିଛନ୍ତି ନରପତି ଗଣ

ଚତୁରଙ୍ଗ ସୈନ୍ୟ ତାର ଅଟେ ଅପ୍ରମାଣ ।

କାଙ୍କ କୁରାଢ଼ି ଦନୁଜେ ଅଛନ୍ତି ସଜାଡ଼ି

ଶାବଳେ ସେ ପୁରମାନ ପକାଇଲେ ତାଡ଼ି ।

ଦ୍ଵାରେ ଜିଣି ଭିତରେ ସେ ପଶିଲେ ଝସାଇ

ଦେଖି ଯାଦବେ ପଳାଇଗଲେ ଭୟ ପାଇ ।

ବଳରାମଙ୍କ ପଛରେ ରହିଲେ ସକଳ

ରହ ରହ ବୋଲି ଓଗାଳିରେ କାମପାଳ ।

ତାଳଧ୍ଵଜ ଆରୋହିଣ ରୋହିଣୀର ବଳା

ଶ୍ରୀକରେ ହଳ ମୁଷଳ ଧରି ଅନର୍ଗଳ। ।

ଜରାସନ୍ଧ ଆଗେ ରଥ ଟେକିଲେକ ଆଣି

ଦେଖିକରି କୋପକଲା ମଗଧ ନୃମଣି ।

ନୟନ ବୁଲାଇ ଜରା ଓଷ୍ଠ କଲା ପୁଷ୍ଟ

ହସି ବୋଲଇ ଗଉଡ଼ ତୁରେ ଏଡ଼େ ଦୁଷ୍ଟ ।

ମୋର ଶତ୍ରୁ ଅଟ ଏକା ତୁମ୍ଭେ ଭାଇ ବେନି

ତୁମ୍ଭ ଲାଗି ଆସିଅଛି ଏତେ ସୈନ୍ୟ ଘେନି ।

ବେଳେବେଳେ ମୋ ଛାମୁରୁ ଚୋରପରା ହୋଇ

ଚାହୁଁ ଚାହୁଁ ଯାଉଅଛ କପଟେ ଭୁଲାଇ ।

ଏବେରେ ନିଶ୍ଚୟେ ପଡ଼ିଲଟି ମୋର ଆଗେ

ଏତେ ବୋଲି ଧନୁ ଜରା ଧଇଲାକ ବେଗେ ।

ତୀକ୍ଷ୍‌ଣ ମୁନା ସସ୍ର ମୁନା ଧନୁରେ ପୂରାଇ

ବଳରାମଙ୍କ ଉପରେ ବିନ୍ଧଇ ନିଠାଇ ।

ପୂର୍ବ ପଞ୍ଚାଶ ସହସ୍ର ବାଣ କରେ ଘେନି

କହିଲା ମାତ୍ରକେ ପେଷେ ମନେ କ୍ରୋଧ ଘେନି ।

ବାବଲ ଶତେ ନାରାଚ ପୁନରପି ବାଛି

ମନ୍ତ୍ର ସୁମରି ବିନ୍ଧଇ ସଙ୍କୋଚନ ବତ୍ସି ।

ଲୋହ ଶର ଗଦା ସହ ସହସ୍ରେକ ବାଣ

କର୍ଣ୍ଣଯାଏ ଓଟାରିଣ ବିନ୍ଧେ ତତକ୍ଷଣ ।

ଚକ୍ଷୁ ପିଛଡ଼ା ମାତ୍ରକେ ପୁଣି ଶର ମାରି

ଲକ୍ଷେକୋଟି ଶର ପେଷେ ମହାରୋଷ ଭରି ।

ତାଳଧ୍ଵଜ ରଥେ ଥାଇ ବଳଦେବ ସ୍ୱାମୀ

ବାଣ ଆସନ୍ତେ ଦେଖିଣ ଦେବ ଅନ୍ତର୍ଯ୍ୟାମୀ ।

ରଥର ଉପରେ ଥାଇ ପାତିଲେ ବାମାଙ୍ଗ

ନାରାଚ ମାରନ୍ତେ ପଡ଼ି ହେଲା ସବୁ ଭଙ୍ଗ ।

ଧବଳ ପର୍ବତ ପରେ ଯେହ୍ନେ ପୁଷ୍ପ ବିଞ୍ଚି

ଶମ୍ଭୁଲିଙ୍ଗ ଉପରେ କି ସୁଧା ପାଣି ସିଞ୍ଚି ।

ସେହିପରି ଜରା ବାଣ ହଳୀ ଅଙ୍ଗେ ପଡ଼ି

ଥୋକେ ଭାଙ୍ଗିଲେକ ଥୋକେ ପଡ଼ିଲେ ଉପୁଡ଼ି ।

ଦେଖି ମନେ ଲଜ୍ଜା ପାଇ ମଗଧ ଈଶ୍ଵର

ପୁଣି ଆକ୍ରୋଶି ସେ ଧନୁ ଧରେ ବାମ କର ।

ପଞ୍ଚାଶ ସହସ୍ର ବାଣ ଅଭିମନ୍ତ୍ର କରି

କର୍ଣ୍ଣମୂଳ ପରିଯନ୍ତେ ଆଣିଲା ଓଟାରି ।

କଥା କହିବା ମାତ୍ରକେ ଷାଠିସସ୍ର ଶର

ରେରେକାର କରିଣ ସେ ପେଷେ ଧାତିକାର ।

ବାବଲ ଛେଲ ମୁଦ୍‌ଗର କୁନ୍ତମୁନା ଯଷ୍ଟି

ଗୁଣ ପୁଷ୍ଟକରି ବାଣ ବିନ୍ଧେ କୋଟି କୋଟି ।

ପୃଥ୍ଵୀଯାକ ଦିଶିଲାକ ଉଲ୍‌କାପାତ ପ୍ରାୟେ

ଅବନୀରୁ ଲାଗେ ବାଣ ବଇକୁଣ୍ଠ ଯାଏ ।

ଜରାସନ୍ଧ ଯୁଦ୍ଧ ଦେଖି ସର୍ବ ରାଜାଗଣ

ଯାଦବଙ୍କ ସମ୍ମୁଖରେ କଲେ ମହାରଣ ।

ଯେଝାରେ ସୈନ୍ୟ ଆବୋରି ସର୍ବେ ଛନ୍ତି ରହି

ନାନା ଶସ୍ତ୍ରମାନ ଘେନି ମାରନ୍ତି ତୁହାଇ ।

ଫିରିଫିରା ନାରାଚ ଯେ ବଜ୍ରସୂଚି ବାଣ

ପର୍ଶୁ ଆତପତ୍ର ଘୃତ ପାଷାଣ ଲବଣ ।

ଯାଦବଗଣଙ୍କୁ କେହି ନ କରନ୍ତି ଶଙ୍କା

ମଡ଼ାପରେ ଉଠି ଯୁଝୁଛନ୍ତି ରଣରଙ୍କା ।

ପାଞ୍ଜତାଳ ଗଣା କ୍ଷଣକରେ ଦେଲେ ପୋତି

ଅନେକ ଯୋଦ୍ଧା ପଡ଼ିଲେ ତହିଁ ନାନାଜାତି ।

ଥୋକାଏ ଉଶ୍ଵାସ ହୋଇଗଲା ବସୁନ୍ଧରୀ

ଅନେକ ଦୁଷ୍ଟଙ୍କୁ ନାଶ କଲେ ଦଇତ୍ୟାରି ।

ଶୁଣ ହୋ ପରୀକ୍ଷ ବଦୟନ୍ତି ଶୁକଯତି

ଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।

ଅତିଭାଗ୍ୟେ ଭାଗବତ ଗ୍ରନ୍ଥ ଶୁଣାଯାଇ

ସପ୍ତ ସମୁଦ୍ର କେ ପାର କରରେ ଶୁଖାଇ ।

କୋଟିମୁଖ ବ୍ରହ୍ମାଙ୍କୁ ଯେ ଅଗୋଚର ଗ୍ରନ୍ଥ

ସଂକ୍ଷେପ କରି କହିବ କେହୁ ପୁଣ୍ୟବନ୍ତ ।

ନ ଜାଣନ୍ତି ଶଙ୍କର ଯା ନ ଜାଣନ୍ତି ଉମା

ଦେବାସୁରେ ଅଗୋଚର ଯେ ହରି ମହିମା ।

ଜଣ ଜଣକେ ଅସଂଖ୍ୟ ରଣ ହେଲା ତହିଁ

ଅଗୋଚର ମହିମା ତ ଗୋଚର ନୁହଇ ।

ଛୟାଣୋଇ ସସ୍ର ରାଜା ଚତୁରଙ୍ଗ ବଳ

ଅସଂଖ୍ୟକ ଅସମ୍ଭବ ଯେହ୍ନେ ସିନ୍ଧୁଜଳ ।

ଏକ ଏକ ରାଜାଙ୍କର ଦଶ ବିଂଶ କ୍ଷୌଣୀ

ବଚନେ କହି ନୁହଇ ପାରିବ କେ ଗଣି ।

କ୍ଷଣକେ ଭାଙ୍ଗନ୍ତି କ୍ଷଣେ ଲାଗନ୍ତି ଯେ ଉଠି

କ୍ଷଣକେ କବନ୍ଧ ନୃତ୍ୟ କରି କୋଟି କୋଟି ।

ଏସନକ ମାୟା କରିଛନ୍ତି ଦେବରାୟେ

ଯାଦବମାନଙ୍କ ମଧ୍ୟେ ଜଣେ ନୁହେ କ୍ଷୟେ ।

ଲକ୍ଷେକୋଟି ବଳ ଛନ୍ତି ଆବୋରିଣ ରଣେ

ବିଷ୍ଣୁତେଜ କଳା ବହିଛନ୍ତି ଜଣେ ଜଣେ ।

ଯାଦବ ରୂପରେ ସ୍ଵର୍ଗୁ ଆସି ଦେବଗଣ

ଗୁପତେ ଶସ୍ତ୍ର ଧରି କି କରୁଛନ୍ତି ରଣ ।

ବାଣଙ୍କର ମୂଳେ ବିଜେକରି ମହାଚଣ୍ଡୀ

କିଳିକିଳା ରାବଦେଇ ଭକ୍ଷି ମୁଣ୍ଡଗଣ୍ଡି ।

ଏହିପରି ସମରେ ସେ ହୋଇଲା ଦୁସ୍ତର

ହଳୀଙ୍କ ଛାମୁରେ ମିଳେ ଜରା ନୃପବର ।

ଶରଦ ମେଘ ପରାୟେ ଗର୍ଜ୍ଜେ ରୋଷଭରେ

ଗଜଦନ୍ତ ମାଇଲା କି ମାଲ୍ୟବନ୍ତ ପରେ ।

ପୁନରପି ବହୁଶର ମାରେ ରୋଷ ଭରି

ଇନ୍ଦ୍ର ବଜ୍ର ମାଇଲା କି ହେମବନ୍ତ ଗିରି ।

ରଥୁ ଡେଇଁପଡ଼ି ହଳୀ ମୂଷଳ ବୁଲାଇ

ରୋଷଭରେ ଗର୍ଜ୍ଜନ୍ତି ସେ ସପ୍ତଫଣା ବହି ।

ବିଚିତ୍ର ପାଦଗତିରେ କରି ଘୋର ରଡ଼ି

ଆସନ୍ତି ପର୍ବତ ଯେହ୍ନେ ପଡ଼ୁଥାଏ ମାଡ଼ି ।

ସମୁଦ୍ର ଭିତରୁ ଯେହ୍ନେ ଚନ୍ଦ୍ରମା ଉଦୟେ

ଶୁକ୍ଳାବର ରୂପ ତେହ୍ନେ ଦିଶେ ତୋଜୋମୟେ ।

ହଳ ମୂଷଳ ବୁଲାଇ ଦେବ ଅନ୍ତର୍ଯ୍ୟାମୀ

ଜରାସନ୍ଧ ପରେ ରୋଷେ ପିଟିଲେକ ସ୍ଵାମୀ ।

ଭାଜିଲା ରହୁବର ସେ ଆଘାତକୁ ପାଇ

ଉଡ଼ିଲା ଗଗନ ମାର୍ଗେ ମସିଗୁଣ୍ଡା ହୋଇ ।

ସାରଥି ସହିତେ ଚାରିଅଶ୍ଵ ତହିଁ ମଲେ

ବିରଥୀ ହୋଇଲେ ଜରା ସମର ତୁମୁଳେ ।

ବାଆସ୍ତରି ଭାର ଗଦା ଘେନି ବାମକରେ

ବଳରାମଙ୍କ ଉପରେ ପିଟେ କୋପଭରେ ।

ଦେଖି କାମପାଳ ଦେଲେ ଲଙ୍ଗଳକୁ ଆଡ଼ି

ଶତଖଣ୍ଡ ହେଲା ଗଦା ଲଙ୍ଗଳରେ ପଡ଼ି ।

ନିସ୍ତବ୍‌ଧେ ରହିଲା ତହୁଁ ମଗଧ ନୃପତି

ବାହାସ୍ଫୋଟ ମାରି କଲା ମାଲବିଦ୍ୟା ଗତି ।

ଭୂମି ଉପରେ ଲୋଟିଣ ମାରି ଶୂନ୍ୟଚିରା

ମୁଷ୍ଟି ଉଞ୍ଚାଇ ଉନ୍ମତ୍ତ ହୋଇ ମହାବୀରା ।

ଦେଖି କାମପାଳ ବାମ ଭୁଜୁକୁ ପ୍ରସାରି

ଲଙ୍ଗଳ ବେକରେ ଦେଇ ଆଣିଲେ ଓଟାରି ।

ଘାଏ ଅସାଷ୍ଟମ ହେଲା ସଂକୋଚନ ବତ୍ସା

ଘଡ଼ିଏ ପର୍ଯ୍ୟନ୍ତେ ତଳେ ପଡ଼ିଗଲା ମୂର୍ଚ୍ଛା ।

ଦକ୍ଷିଣ କରରେ ଧରି ମୁଷଳକୁ ହଳୀ

ଜରାସନ୍ଧ ପରେ ନେଇ ପିଟନ୍ତଣେ ତୋଳି ।

ଏସନ ସମୟେ ସ୍ଵର୍ଗୁ ହେଲା ଦେବବାଣୀ

ଜରାସନ୍ଧଠାରୁ କୋପ ସଂହର ଭୋ ସ୍ଵାମୀ ।

ଏହାରେ ଅନେକ କାର୍ଯ୍ୟ ହୋଇବ ଯୁକତେ

ପ୍ରାଣଦାନ ଦେଇ ୟାକୁ ଛାଡ଼ ଶୂଳହସ୍ତେ ।

ସମୟେକ ରହିଥାଉ ଏହି ଦୁଷ୍ଟବୁଦ୍ଧି

ତେବେ ଜାଣ ଦେବକାର୍ଯ୍ୟ ହୋଇବାକ ସିଦ୍ଧି ।

ଆକାଶ ବାଣୀ ଶୁଣିଣ ରେବତୀର ସାଇଁ

ବାହୁଡ଼ି ରଥ ଉପରେ ବିଜେ କଲେ ଯାଇ ।

ଅହୋବଳ ସୈନ୍ୟ ମଧ୍ୟେ ବଳରାମ ଧନ୍ୟ

ବୋଲି ଜୟ ଉଚ୍ଚାରିଲେ ସ୍ଵର୍ଗେ ଦେବଗଣ ।

ଏଥୁଅନ୍ତେ ଜରାସନ୍ଧ ନୃପତିକୁ ଜିଣି

କୃଷ୍ଣଙ୍କ ପାଶେ ପ୍ରବେଶ  ହେଲେ ହଳପାଣି ।

ଦେଖିଲେ ନନ୍ଦିଘୋଷରେ ବିଜେ ବ୍ରହ୍ମରାଶି

ଛାମୁରେ ପାର୍ଥ ସାରଥିପଣେ ରଥେ ବସି ।

ତଦନ୍ତେ ଦେଖିଲେ ଦମଘୋଷର ଦୁଲାଳ

କର ଚରଣ ବନ୍ଧନେ ଅଛି ଶିଶୁପାଳ ।

ବଳରାମ ହସିଲେକ ବିଷ୍ଣୁମୁଖ ଚାହିଁ

ଶିଶୁପାଳେ ଏହି ଦୁଃଖ ଦେଲ କାହିଁପାଇଁ ।

ଏ ପରା ଆମ୍ଭ ମାଉସୀ ପୁଅ ସହୋଦର

ଦେବକୀ ଦୈବକୀ କୁନ୍ତୀ ଏ ନୁହନ୍ତି ପର ।

ଏବେ ନ ଜାଣିବାପଣେ କଲା ଆମ୍ଭ ଦୋଷ

ଆମ୍ଭେ ନ ସହିଲେ ଧର୍ମ ନିଶ୍ଚେଁ ଯିବ ନାଶ ।

ଏ ମଲେ ଆମ୍ଭ ମାଉସୀ ହୋଇବ ବିକଳ

ସପତାଙ୍ଗେ ନାଶଯିବ ଦମଘୋଷ କୁଳ ।

ଶ୍ରୀକୃଷ୍ଣ ବୋଇଲେ ଏହି ମୂଢ଼ ବଡ଼ ମନ୍ଦ

ଆମ୍ଭ ସଙ୍ଗତେ କିପାଇଁ କଲା ବୃଥା ଦ୍ଵନ୍ଦ୍ଵ ।

ଏହାର ବଚନ ଭାଙ୍ଗେ ନାହିଁ ଜରାସନ୍ଧ

ଯାହା ବୋଲିବ ତାହାର ଅଟେ ଦୃଢ଼ବନ୍ଧ ।

ସଙ୍ଗତେ ଅଛନ୍ତି ୟାର ଅନେକ ସଇନି

ସେନାପତିପଣେ ଆସିଆଛି ଶାଢ଼ୀ ଘେନି ।

ବାଣା ବଜ୍ରନାଭ ଆଉ ସମ୍ବର ନାରକା

ରଥୀ ମହାରଥୀ କେତେ ଛନ୍ତି ୟାର ସଖା ।

ସେ ସମସ୍ତେ ଥାଉଁ ଯେ ହେଲା ଆଗଭର

ମାଉସୀ ଉପ୍ରୋଧ ଦୋଷ ସହିବା ଏହାର ।

ଶତେବାର ପରିଯନ୍ତେ ସମ୍ଭାଳି ରହିବା

ତହିଁରୁ ବଳିଲେ ନିଶ୍ଚେଁ ପରାଣେ ବଧିବା ।

ଆଜହୁଁ ତ ଅପରାଧୀ ହୋଇଲାଣି ଏତେ

ନିଶ୍ଚେ ଜଣାଯାଏ ପ୍ରାଣ ଦେବ ଆମ୍ଭ ହସ୍ତେ ।

ମାତାର ଉପ୍ରୋଧେ ୟାକୁ ବେଳେଦେବା ଛାଡ଼ି

ଏତେ ବୋଲି ବଳରାମ ବନ୍ଧନରୁ ଫେଡ଼ି ।

ବହୁ ତିଆରି ତାକୁ ପ୍ରଭୁ ହଳପାଣି

ବୋଇଲେ ରାଜ୍ୟକୁ ତୋର ଯାଅ ଏହିକ୍ଷଣି ।

ଏ ଜରାସନ୍ଧ ରାଜାର ସଙ୍ଗେ ଯେବେ ଥିବୁ

କୃଷ୍ଣ କୋପ କଲେ ଆମ୍ଭେ ରଖି ନ ପାରିବୁ ।

ଏହାଶୁଣି ଶିଶୁପାଳ ପାଇ ମନେ ଭୀତି

ସମର ଛାଡ଼ିଣ ବେଗେ ଗଲା ପାଦଗତି ।

ଆପଣା ରାଜ୍ୟରେ ଯାଇ ପ୍ରବେଶ ହୋଇଲା

ନିଜ ମାତା ଆଗେ ସବୁ ବୃତ୍ତନ୍ତ କହିଲା ।

ଦୟାମୟ ରାମକୃଷ୍ଣ ଜଗତ ସୋଦର

ନାହିଁ ତାଙ୍କ ଶତ୍ରୁ ମିତ୍ର ନାହିଁ ପରାପର ।

 

 

ସେ ପ୍ରଭୁଙ୍କ ପାଦପଦ୍ମ ରେଣୁକୁ ମୋ ଆଶ

ଅଚ୍ୟୁତ ଦାସକୁ ଗତି ଦିଅ ପୀତବାସ ।

 

ହରିବଂଶ ପଞ୍ଚମ ଖଣ୍ଡ

ଜରାସନ୍ଧର ନବମ ବାର ଧାଡ଼ି

ଏଥୁଅନ୍ତେ ବାର୍ତ୍ତା ନେଇ ଜରାସନ୍ଧ ଆଗେ

ଦେଶାଉର ଜଣାଇଲା ମିଳି ଅତିବେଗେ ।

ଭୋ ଦେବ ସାବଧାନରେ ଶୁଣ ନୃପମଣି

ସଂଗ୍ରାମ ବାରତା ଦେବ ଅଇଲି ଯା ଶୁଣି ।

ଦକ୍ଷିଣ ଦ୍ୱାରରେ ଥିଲା ଶିଶୁପାଳ ବୀର

ରାମକୃଷ୍ଣ ସଙ୍ଗେ କଲା ଭୀଷଣ ସମର ।

ତାହାଙ୍କ ସଙ୍ଗତେ ଯୁଦ୍ଧେ ନ ପାରିଲା ଜିଣି

ଦେବଶରମାନ ସବୁ ପ୍ରହାରିଲା ଆଣି ।

କୌଣସି ଶସ୍ତ୍ର ନ କାଟେ ହରିଙ୍କ ଅଙ୍ଗକୁ ।

ଏକଶରେ ଶର କାଟି ମୋହ କଲେ ତାକୁ ।

ରଥର ଉପରୁ ଶିଶୁପାଳେ ବାନ୍ଧି ନେଇ

ଦେଖି ବାଣାସୁର ଯୁଝେ ଆସି ପରିଘାଇ ।

ସହସ୍ର ଭୁଜରେ ବାଣ ସନ୍ଧାନ ସେ କଲା

ତା ଛାମୁରେ ରହି କୃଷ୍ଣ ଯୁଝି ନ ପାରିଲା ।

ଯୁଧିଷ୍ଠି ରାଜାର ଭାଇ ବୀରବର ପାର୍ଥ

ସାରଥିପଣେ ବାହଇ ନନ୍ଦିଘୋଷ ରଥ ।

ମେରୁ ମନ୍ଦର ପରାୟେ ଆଗେ ମିଳିଥିଲା

କେହି ନ ଦେଖିଲେ କେଣେ ମାୟା କରିଗଲା ।

ଆରେକ ଡଗର ଆସି କହିଲା ବାରତା

ଭୋ ଦେବ ସାବଧାନରେ ଶୁଣ ତାଙ୍କ କଥା ।

ବାଣାସୁର ଆଗୁ ଜଗନ୍ନାଥ ଯେ ପଳାଇ

ଅର୍ଦ୍ଧ ଆକାଶରେ ରଥ ରଖିଥିଲା ନେଇ ।

ଶିଶୁପାଳକୁ ବାନ୍ଧିଣ ଥୋକେ ଦୂର ଯାନ୍ତେ

ରୋହିଣୀସୁତ ଭେଟିଲେ ଯାଇ ତାଙ୍କୁ ପଥେ ।

ଶିଶୁପାଳେ ଛାଡ଼ିଦେଲେ ସହୋଦର ପଣେ

ପାଦଗାମୀ ହୋଇ ସେହୁ ପଳାଇଲେ କେଣେ ।

ତୁଙ୍ଗଭଦ୍ରା ତୀରେ ମଣିଭଦ୍ର ପରବତ

ସେ ପର୍ବତ ତଳେ ରହିଛନ୍ତି ବେନିଭ୍ରାତ ।

ନନ୍ଦିଘୋଷ ତାଳଧ୍ଵଜ ରଥରେ ଆରୋହି

ତାଙ୍କ ସଙ୍ଗେ ପଣ୍ଡୁସୁତ ପାର୍ଥ ଅଛି ରହି ।

ରଥ ଗଜ ଅଶ୍ଵ ନାହିଁ ପଦାତିକ ବଳ

ଦୁଇ ଭାଇ ରହିଛନ୍ତି ସେ ପର୍ବତ ତଳ ।

ଶୁଣିକରି ଜରାସନ୍ଧ ସନ୍ତୋଷ ହୋଇଲା

ଶାଢ଼ୀ ସୁନାବଳା ଭଣ୍ଡାରରୁ ଆଣିଦେଲା ।

କେବଣଠାରେ ଅଛନ୍ତି କହ ତଥ୍ୟ କରି

ଦୂତ ବୋଇଲା ପର୍ବତ ତଳେ ବିଜେ ହରି ।

ଏହି ମଣିଭଦ୍ର ଗିରି ଅତ୍ୟନ୍ତ ସୁସଞ୍ଚ

ଚବିଶ ଯୋଜନ ଦୀର୍ଘ ତିନି ଯୂଣ ଉଚ୍ଚ ।

ଏ ଗିରି ଦକ୍ଷିଣ ଭାଗେ ତୁଙ୍ଗ ଭଦ୍ରା ନଦୀ

ସ୍ଵର୍ଗ ଗଙ୍ଗାରୁ ହୋଇଛି ସେ ଉତ୍ତର ଭେଦୀ ।

ସେ ନଦୀତୀରେ ନିର୍ମଳ ନାମେ ଅଛି ବଟ

ସଙ୍କେତ ନାମରେ ଗୁମ୍ଫା ଅଛି ତା ନିକଟ ।

ଅମରେଶ୍ଵର ବୋଲିଣ ଲିଙ୍ଗ ଅଛି ତହିଁ

ଦ୍ଵାଦଶ ବର୍ଷ ପର୍ଯ୍ୟନ୍ତ ଦୁର୍ବାସା ଯେ ରହି ।

ସେ ଗୁମ୍ଫା ଭିତରେ ନିଦ୍ରାଗଲେ ଭାଇ ବେନି

ଦ୍ଵାରେ ଉଭା ହୋଇଅଛି ବୀର ଫାଲ୍ଗୁନି ।

ଜରାସନ୍ଧ ବୋଲେ ତହିଁ ପଥ ହେବ କେତେ

କେଉଁଦିଗେ ଅଛନ୍ତି ସେ କହ ମୋ ଅଗ୍ରତେ ।

ଡଗରା ବୋଇଲା ଦେବ ସାବଧାନେ ଶୁଣ

ଏଥକୁ ସେ ମଣିଭଦ୍ର ଚଉବିଂଶ ଯୂଣ।

ତୁଙ୍ଗଭଦ୍ରା ନଦୀ ଅଛି ତା ଦକ୍ଷିଣ ଭାଗେ

ଶଙ୍କେତ ନାମରେ ଗୁମ୍ଫା ଅଛି ତହିଁ ଲାଗେ ।

ଯେବଣଠାରେ ନିର୍ମଳ ନାମେ ଅଛି ବଟ

ଏଠାକୁ ହେବ ଦ୍ଵାତ୍ରିଂଶ ଯୋଜନ ଯେ ବାଟ ।

ଏହା କହିଣ ଡଗରା ବଢ଼ାଇଲା ହାତ

ଏ ସ୍ଥାନେ ବୋଲି ଦେଖାଇ ଦେଲା ସେ ପର୍ବତ ।

ଜରାସନ୍ଧ ଯେ ପ୍ରତିଜ୍ଞା କରି ତହୁଁ ଉଠି

ରଥର ଉପରେ ବିଜେ କଲାକ ଲେଉଟି ।

ବାଆସ୍ତରି ଭାର ଗଦା ବୁଲାଇଣ କରେ

ବାତ ଚକ୍ର ପରାୟେକ ଧାମେ ରୋଷଭରେ ।

ଊର୍ଦ୍ଧ୍ୱବାହୁ ହୋଇ ସେହି ହେଲା କୋପାନଳ

ଗଦାକୁ କାନ୍ଧେ ପକାଇ ଧାମେ ଅନ୍ତରାଳ ।

ହୁଂକାର ଘୋର ଶବଦ ଭୟଙ୍କର ଧ୍ଵନି

ଶବଦରେ କମ୍ପମାନ ହୁଏ ପୁର ତିନି ।

ଅଣଚାଶ ପବନ ଯେ ବହେ ଘନ ଘନ

ପବନ ଆଘାତେ ମେରୁ ହୁଏ କମ୍ପମାନ ।

ବୁଲାଇ ଗଦାବରକୁ ଫିଙ୍ଗନ୍ତେ ସରୋଷେ

ଭୟ ପାଇ କମ୍ପିଲେକ ସକଳ ତ୍ରିଦଶେ ।

ବତିଶ ବାର ପର୍ଯ୍ୟନ୍ତେ ଦୃଢ଼ କରି ଗଣି

ଗଣନ୍ତେ ବାରେକ ଭ୍ରମ କଲା ନୃପମଣି ।

ଏସନକ ବର ତାକୁ ଦେଇଛନ୍ତି ବେଧା

ଏକ ବେଳେ ବୁଲାଇଲେ ଯୂଣେ ହୋ ଏ ଗଦା ।

କୋପେ ଜରାସନ୍ଧ ଗଦା ବୁଲାଇଲା ବେଳେ

ଏକବାର ଭ୍ରମ ଯେଣୁ ହୋଇଲା ସେ କାଳେ ।

ଆକାଶ ମାର୍ଗରେ ଗଦା ଗଲା ବେଗେ ଉଡ଼ି

ଶବଦ ଶୁଭଇ ଯେହ୍ନେ ମେଘ ଘଡ଼ ଘଡ଼ି ।

ଅଣଚାଶ ବାୟୁ ଜାଣି କ୍ଷେପେ ଶୂନ୍ୟ ଗତି

ବିଜୁଳି ପରାୟେ ଦିଶେ ଚହଟି ତା ଜ୍ୟୋତି ।

ଆକାଶୁ ସୁର୍ଯ୍ୟମଣ୍ଡଳ ପଡ଼େ ଯେହ୍ନେ ଖସି

ତେସନ ସଞ୍ଜାତେ ଗଦା ଆସନ୍ତେଣ ଦିଶି ।

ରାମକୃଷ୍ଣ ଦୁହେଁ ଥିଲେ ଯେବଣ ଠାବରେ

ପଡ଼ିଲା ସେ ଗଦା ତାଙ୍କୁ ଯୋଜନ ଅନ୍ତରେ ।

ବରୁଣ ନାମେ ପର୍ବତ ସୁସଞ୍ଜିତ ଅତି

ଉଚ୍ଚରେ ସେ ପାଞ୍ଚଯୂଣ ତିନିଯୂଣ ପ୍ରତି ।

ସେ ଗିରି ଉପରେ ଗଦା ପଡ଼ିଲାକ ଆସି

ଶତେ ତାଳଯାଏ ଗିରି ତଳେ ଗଲା ପଶି ।

ବଜ୍ରାଘାତେ ପ୍ରାୟେ ଶବ୍ଦ ଶୁଭିଲା ପ୍ରଚଣ୍ଡ

ବନଗିରି ସହିତରେ କମ୍ପିଲା ବ୍ରହ୍ମାଣ୍ଡ ।

ଭୟେ ଚରାଚର ପ୍ରାଣୀ ହୋଇଲେ କାତର

ଶ୍ରୀକୃଷ୍ଣ ମୁଖକୁ ଚାହିଁ ପ୍ରଭୁ ନୀଳାମ୍ବର ।

ବୋଇଲେ କିମ୍ଭୁତ ଶବ୍ଦ ହୋଇଲା ଏ ଜାତ

ଜାଣି ନ ପାରିଲୁ ଆମ୍ଭେ ଏଥିର ତଦନ୍ତ ।

ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ହଳପାଣି

ଗଦା ଫିଙ୍ଗି ଦେଲା ଜରାସନ୍ଧ ନୃପମଣି ।

ଗଣନ୍ତେ ବିଭ୍ରମ ତାର ହେଲା ଯେହୁଁ ବାରେ

ତେଣୁ ଗଦା ପଡ଼ିଲାକ ଯୋଜନ ଅନ୍ତରେ ।

ଆଉବାରେ ବୁଲାଇ ସେ ଯେବେ ଫିଙ୍ଗିଥାନ୍ତା

ନିଶ୍ଚେ ଗଦା ଆସି ଆମ୍ଭ ଉପରେ ପଡ଼ନ୍ତା ।

ଭଲ ହୋଇଲା ଯେ ଧର୍ମଦେବ ରକ୍ଷା କଲା

ମେଣ୍ଟିଲା ମହା ଅରିଷ୍ଟି ବିପତ୍ତି ଖଣ୍ଡିଲା ।

ଏତେ ବୋଲି ନନ୍ଦିଘୋଷ ଆରୋହି ଶ୍ରୀହରି

ତାଳଧ୍ଵଜ ରଥେ ସଙ୍ଗର୍ଷଣ ବିଜେ କରି ।

ଆଦିତ୍ୟ ଅସ୍ତମାନରେ ଚଳିଲେ ଦୁଃଖରେ

ରାତ୍ରରେ ମିଳିଲେ ଯାଇ ଉତ୍ତର ବନରେ ।

ବୋଧପୁର ବୋଲିଣ ଯେ ପାଟଣାଏ ତହିଁ

ପୁରୁରବା ଚକ୍ରବର୍ତ୍ତୀ ତହିଁ ଥିଲା ହୋଇ ।

ଦ୍ଵାଦଶ ଯୋଜନ ପାଟଣାର ଦୀର୍ଘ ପ୍ରତି

ବସିଅଛି ଗୃହ ତହିଁ ଷଟତ୍ରିଂଶ ଜାତି ।

ମେଢ଼ ମଣ୍ଡପ ଦେଉଳ ଜଗତୀ ଅଟ୍ଟାଳୀ

ସରସ୍ଵତୀ ନଦୀତୀରେ କଟକି ଉଗୁଳି ।

ବଳରାମ ଜଗନ୍ନାଥ ଅର୍ଜ୍ଜୁନକୁ ଘେନି

ସେ ନଗ୍ରେ ମିଳିଲେ ଯାଇ ହୋଇଛି ରଜନୀ ।

ରାତ୍ରେ ନଗର ଭିତରେ ଗୁପତରେ ରହି

ସଙ୍ଗରେ ଅନ୍ନପୂର୍ଣ୍ଣା ଯେ ଅଛନ୍ତି ଗୋଡ଼ାଇ ।

କୋଟି କାମଧେନୁ ବତ୍ସା ଗର୍ଭ ମଧ୍ୟେ ଭରି

ଜଗବନ୍ଧୁ ସଙ୍ଗେ ଛନ୍ତି ସେ କପିଳା ନାରୀ ।

ଯେତେବେଳେ ଯା ଲୋଡ଼ନ୍ତି ହଳୀ ଚକ୍ରପାଣି

ସହସ୍ର ଗୁଣେ ଯେ ଗାଇ ଦିଅନ୍ତି ସେ ଆଣି ।

ଶୁକ ବୋଇଲେ ଯେ ଶୁଣ ପରୀକ୍ଷ ନୃପତି

ବୋଧପୁର ପାଟଣାରେ ରହିଲେ ଶ୍ରୀପତି ।

ନିତ୍ୟକର୍ମ ଶେଷ କରି ଭୋଜନ ସାରିଲେ

ବିଚିତ୍ର ଗୃହେ ଅଚିନ୍ତା ଭାବେ ନିଦ୍ରାଗଲେ ।

ଅର୍ଜ୍ଜୁନ ମଞ୍ଚାଳେ ଜଗନ୍ନାଥଙ୍କ ଚରଣ

ସୁପାତି ଶେଯରେ ଶଯ୍ୟା କଲେ ନାରାୟଣ ।

ଇତି ଶିରୀ ହରିବଂଶ କଥା ପୁଣ୍ୟମୟେ

ଇଦଂ ଏକାଦଶ ଅଧ୍ୟା ସମାପତ ହୋୟେ ।

ଏଥୁ ଅନନ୍ତରେ ଜରାସନ୍ଧ ନୃପସାଇଁ

ପରମ ସାନନ୍ଦ ହେଲା ଗଦା ଫୋପଡ଼ାଇ ।

ଆପଣା ହୃଦେ ବିଚାର କରେ ଶୁଦ୍ଧିବୁଦ୍ଧି

ଏବେ କାର୍ଯ୍ୟଗୋଟା ମୋର ହୋଇଲାକ ସିଦ୍ଧି

ଆଗହୁଁ ଏ ବୁଦ୍ଧି ଯେବେ ସ୍ଫୁରିଥାଆନ୍ତା ମୋତେ

ଅନିମିତ୍ତେ ସୈନ୍ୟ ମୋର ମରନ୍ତେ କିମର୍ଥେ ।

ଜୀବନ୍ତା ଧରିବି ବୋଲି କଲି ମୁଁ ସାହାସ

ପାଇଲି ଅନେକ ଲଜ୍ଜା ହେଲା କାର୍ଯ୍ୟନାଶ ।

ଯାଦବଙ୍କ ସଙ୍ଗେ କିପାଁ କରିଲି ମୁଁ କଳି

ବଇରୀ ଅଟନ୍ତି ମୋର ହଳୀ ବନମାଳୀ ।

ତାହାଙ୍କ ସକାଶେ ମୋତେ ହେଲା ଏତେ ଲାଜ

କର୍ମବଳେ ରକ୍ଷା ହେଲି ପ୍ରାଣ ଘେନି ଆଜ ।

ସବୁ ରାଜାମାନେ ତୁମ୍ଭେ ଶୁଣ ମୋର ବୋଲ

ରାମକୃଷ୍ଣ ମରିଛନ୍ତି ଦେଖିବା ହେ ଚାଲ ।

ଶୁଣି ସେ ନୃପତିମାନେ ହୋଇଲେ ସନ୍ତୋଷ

ବୋଲନ୍ତି ସୁବୁଦ୍ଧି ତୁମ୍ଭେ ଶ୍ରୀମନ୍ତ ପୁରୁଷ ।

ଏ ମଞ୍ଚ ମଣ୍ଡଳ ମଧ୍ୟେ ଏକ ଦଣ୍ଡଧାରୀ

ଚାରିଊଣା ଲକ୍ଷେ ରାଜା ତୋତେ ଆଶ୍ରାକରି ।

ରାମ ଜଗନ୍ନାଥ ସଙ୍ଗେ ହାରିଥିଲେ ରଣେ

ଯେ ତୋହର କାର୍ଯ୍ୟ ଦେବ କଲୁ ତୁ ଆପଣେ ।

ଏମନ୍ତ ବୋଲି ସମସ୍ତେ କଲେ ନିଉଛାଳି

ଲେଉଟି ଧମକ ଦେଇ ଚଳେ ମହାବଳୀ ।

ମଥୁରା ଗଡ଼କୁ ବେଢ଼ି ସୈନ୍ୟ ରହିଥିଲେ

ଜରାସନ୍ଧ ଯାନ୍ତେ ତାର ପଛେ ଗୋଡ଼ାଇଲେ ।

ଡଗରା ଆଗରେ ଯାଇ ବାଟ କଢ଼ାଉଛି

ସଇନ୍ୟକୁ ଚାହିଁ ଭାଳେ ସଙ୍କୋଚନ ବତ୍ସି ।

କେତେ ଶ୍ରମ ପାଇଲେଣି ଯୁଦ୍ଧେ ମୋର ଲୋକ

ରାତ୍ରେ ନିଦ୍ରା ନାହିଁ ଦିଶେ ନ ହୁଅଇ ଭୋକ ।

ଏତେ ବିଚାରିଣ ବୀର ଚଳାଏ ସଇନି

ଗିରି ନିକଟେ ମିଳିଲେ ରାତ୍ର ଦଣ୍ଡ ତିନି ।

ଦେଖିଲେ ପର୍ବତ ପଶି ଯାଇଛି ତଳକୁ

ଶତେ ତାଳ ଗଭୀର ଯେ ଦିଶଇ ନିମ୍ନକୁ ।

ଅଶିବାରଣ ବୋଲିଣ ନଗ୍ର ଏକ ଥିଲା

ଜରାସନ୍ଧ ଗଦାଘାତେ ସବୁ ନାଶ ଗଲା ।

ଡଗରା ମୁଖକୁ ଚାହିଁ ଜରାସନ୍ଧ ପୁଚ୍ଛି

ରାମକୃଷ୍ଣ ଥିବା ସ୍ଥାନ କେତେ ଦୂର ଅଛି ।

ଡଗରା ବୋଇଲା ଦେବ ହୋଇଲା ନିକଟ

ଏଠାରୁ ଯେ ଗୁମ୍ଫା ହେବ ଏକଯୁଣ ବାଟ ।

ଜରାସନ୍ଧ ବୋଲେ କାର୍ଯ୍ୟ ନୋହିଲା ତ କିଛି

ଏଠାରେ ଗଦା ପଡ଼ିବା ସଙ୍କେତ ଦିଶୁଛି ।

ଏତେ ବୋଲି ଧାତିକାରେ ସଇନ ଚଳାଇ

ମଣିଭଦ୍ରା ପର୍ବତରେ ପହଞ୍ଚିଲା ଯାଇ ।

ଦେଖିଲା ନିର୍ମଳ ବଟ ସମୂଳରେ ଅଛି

ସ୍ତମ୍ଭୀଭୂତ ହେଲା ରାଜା ନ ସ୍ଫୁରଇ କିଛି ।

ଦମଘୋଷ ମୁଖ ଚାହିଁ ଏମନ୍ତ ବୋଇଲା

ଏତେମତେ କାର୍ଯ୍ୟ କଲି ନିଷ୍ଫଳ ହୋଇଲା ।

ଅଧର୍ମରେ ଯୁଦ୍ଧ କଲେ ସେହି ମୂଢ଼ମତି

ଗଦା ବାଜିଥିଲେ ଯାଇ ନ ପାରନ୍ତି ବର୍ତ୍ତି ।

ବତିଶ ବେଳ ପର୍ଯ୍ୟନ୍ତେ ଗଦାକୁ ବୁଲାଇ

ବିଧିଯୋଗେ ଏକବେଳ ପାସୋରିଲି ମୁହିଁ ।

ତେଣୁ କରି ଏ ସ୍ଥାନକୁ ନ ଆସିଣ ଗଦା

ଯୋଜନ ଛଡ଼ାରେ ପଡ଼ି ଗ୍ରାମ କଲା ପଦା ।

ଆଉବେଳେ ବୁଲାଇଣ ଫିଙ୍ଗିଥାନ୍ତି ଯେବେ

ତେବେ ମୋର କାର୍ଯ୍ୟସିଦ୍ଧି ହୋଇଥାନ୍ତା ଭବେ ।

ଏମନ୍ତ ବୋଲିଣ ଆଜ୍ଞାଦେଲା ଜରାସନ୍ଧ

ଏଠାରେ ରହିବା ସର୍ବେ ଶାଢ଼ୀଘର ବାନ୍ଧ ।

ଶୁଣି ସକଳ ସଇନି ସନ୍ତୋଷ ହୋଇଲେ

ଯେଝା ଅନୁରୂପେ ରାନ୍ଧି ବାଢ଼ିଣ ଭୁଞ୍ଜିଲେ ।

ରାତ୍ରେ ନିଦ୍ରାଗଲେ ସର୍ବେ ସନ୍ତପନ୍ତ ହୋଇ

ରାତ୍ର ପ୍ରହରେକ ଥାଉଁ ଉଠନ୍ତି ଚିଆଇଁ ।

ଦୁଃଖିତେ କହଇ ରାଜା ସୈନ୍ୟଙ୍କୁ ଅନାଇ

ଚୋର ପରାୟେ ପଳାନ୍ତି ଭୟେ ବେନି ଭାଇ ।

ଆଗେ ଦେଖାଦେଇ ମୋତେ ଯାଉଛନ୍ତି ଭଣ୍ଡି

ଯେତେ ଉପାୟ କରିଲେ ସବୁଯାଏ ଖଣ୍ଡି ।

ଆଦ୍ୟୁଁ ଆଠବେଳ ଯୁଦ୍ଧ କଲେ ମୋର ସଙ୍ଗେ

ଧରା ନ ପଡ଼ିଲେ ସେହୁ କଉଣସି ବାଗେ ।

ଜମ୍ବୁଦ୍ଵୀପ ନବଖଣ୍ଡେ ଯେତେ ଦଣ୍ଡଧର

ମୋର ପାଇଁ କଷ୍ଟ ସିନା ପାଇଲେ ଅପାର ।

ଜଣ ଜଣକରେ ଦଶଇନ୍ଦ୍ର ଜିଣି ପାର

ରାମକୃଷ୍ଣ ସାଧ୍ୟ ନୋହିଲେ ତ ତୁମ୍ଭ କର ।

ଜନମୁଖେ ଅପକୀର୍ତ୍ତି ହୋଇବ ନା ଲାଜ

ଏମନ୍ତ ହୋଇବାର ତ ଅଛି କିସ କାର୍ଯ୍ୟ ।

ଯେବଣ ଗଦା ଫିଙ୍ଗିଲି ମୁହିଁ ମନ୍ତ୍ରବଳେ

ଯୋଜନେ ପର୍ଯ୍ୟନ୍ତେ ସେହୁ ଭେଦିଲା ପାତାଳେ ।

ସେ ଯେବେ ପଡ଼ିଥାଆନ୍ତା ରାମକୃଷ୍ଣ ପରେ

ଜୀବନ କି ରହିଥାନ୍ତା ତାଙ୍କର ଶରୀରେ ।

ଏଡ଼େବଡ଼ ଉଦ୍‌ଯୋଗ ମୋ ହେଲା ଅକାରଣ

ଆଉ କିସ ବୁଦ୍ଧି ଅଛି କହ ବିଚାରିଣ ।

କ୍ରୋଟରାଗ୍ନି ପ୍ରାୟେ ହୃଦ ଦହୁଅଛି ମୋର

କେସନେ ଶାନ୍ତି ଲଭିବି ଏ କଥା ବିଚାର ।

ଦନ୍ତବକ୍ର ବୋଲେ ତୁମ୍ଭେ ବୁଦ୍ଧିମନ୍ତ ହୋଇ

ଅନିମିତ୍ତେ ଏତେ ଚିନ୍ତା କର କାହିଁପାଇଁ ।

ହାରିବା ଜିଣିବା ସିନା କ୍ଷତ୍ରୀଙ୍କ ବେଭାର

ଧଇର୍ଯ୍ୟପଣ ଧରିଣ ମତି କର ସ୍ଥିର ।

ଆପଣେ ଜୀଇଥିଲେ ତୁ ସବୁ ଅର୍ଜିପାରି

ଧନ ଜୀବନ ସମ୍ପଦ ନୁହଇ କାହାରି ।

ତୁମ୍ଭେ ଯେ ବୋଇଲ ମୋର ସୈନ୍ୟ ଗଲେ ନାଶ

ସେ କଥା ଶୋଚନା କଲେ ହେବ ଆଉ କିସ ।

ଯୁଆ ଖେଳ ଯୁଦ୍ଧ ଦୁଇ ଅଟେ ସମସରି

ଜଣେ ଜିଣଇ ଜଣେ ତ ନିଶ୍ଚେ ଯାଏ ହାରି ।

ସବୁକାଳେ ପ୍ରାଣୀର ତ ଜୟକଥା ନାହିଁ

ଲାଭ ହାନି ବୋଲି ପୂର୍ବୁମୁନି ଛନ୍ତି କହି ।

ଏ ଛାର କଥାକୁ କିପାଁ କର ଏଡ଼େ ଭୟ

ଏବେ ଭିଆଇବା ଆମ୍ଭେ ଅନେକ ଉପାୟ ।

ତରକିଲା କାକ ଯେହ୍ନେ ଶୂନ୍ୟେ ଯାଏ ଉଡ଼ି

ସୁପକ୍ୱ ଦ୍ରବ୍ୟ ହସ୍ତରୁ ପଡ଼ଇ ଉଛୁଡ଼ି ।

କାୟେ କାଣ୍ଡେ ଭେଟ ପୁଣ ନ ଯାଏ ଯାହାକୁ

ବଳବନ୍ତପଣେ ଆଉ ନ ଗଣ ତାହାକୁ ।

ରାମକୃଷ୍ଣଙ୍କର କଥା ତେମନ୍ତ ହୋଇଲା

ଜରାସନ୍ଧ ଆଗେ ଦନ୍ତବକ୍ର ଯେ କହିଲା ।

ଅଷ୍ଟବାର ବଞ୍ଚିଗଲେ ସୁପୁଣ୍ୟ ବଳରେ

ନିଶ୍ଚୟ ବିନାଶ ହେବେ ନବମ ଧାଡ଼ିରେ ।

କାଲି ସମରେ ସଇନି ପାଇଛନ୍ତି ଦୁଃଖ

ଆଜି ଏଠାରେ ରହିବା ସର୍ବେ ପାନ୍ତୁ ସୁଖ ।

ଏମନ୍ତ ଭାଳୁ ଭାଳୁ ଯେ ପାହିଲା ରଜନୀ

ଗଗନେ ଉଦୟ ହେଲେ ପ୍ରଭୁ ଦିନମଣି ।

ରାଜାଙ୍କୁ ଘେନିଣ ଜରାସନ୍ଧ ମହୀପାଳ

ସମଦଣ୍ଡ ଘେନି ରହେ ସରସ୍ଵତୀ କୂଳ ।

 

ହରିବଂଶ ପଞ୍ଚମ ଖଣ୍ଡ

ପର୍ଶୁରାମଙ୍କ ସହିତ ରାମକୃଷ୍ଣଙ୍କ ସାକ୍ଷାତ

ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି

ବୋଧପୁର ନଗ୍ରୁ ରାମକୃଷ୍ଣ ଫାଲଗୁନି ।

ରାତ୍ର ଘଡ଼ିଏକ ଥାଉଁ ହୋଇଲେ ବାହାର

ଅସ୍ତ୍ର ଶସ୍ତ୍ର ନାହିଁ ହୋଇଛନ୍ତି ଶୂନ୍ୟକର ।

ଆଗରେ ବଳଭଦ୍ର ଯେ ମଧ୍ୟେ ବୀର ପାର୍ଥ

ପଛେ ବିଜେ କରିଛନ୍ତି ପ୍ରଭୁ ଜଗନ୍ନାଥ ।

ଗ୍ରାମରୁ ବାହାର ହୋଇ ଥୋକେଦୂର ଗଲେ

ବୁଧଗିରିରେ ଯାଇଣ ପ୍ରବେଶ ହୋଇଲେ ।

ସେ ପର୍ବତ ତଳେ ବହେ ଚିତ୍ରୋତ୍ପଳା ନଦୀ

ପର୍ବତ ତଳକୁ ହୋଇଅଛି କୋଟିଭେଦୀ ।

ସେ ନଦୀରେ ନିତ୍ୟକର୍ମ ସାରି ତିନିଜଣ

ଭୋଜନ ସାରିଣ କ୍ଷୁଧା କଲେ ନିବାରଣ ।

ଦକ୍ଷିଣ ମୁଖେ ଚଳିଲେ ତହୁଁ ଦୁଇଭାଇ

ଦେଖିଲେ ସେ ସ୍ଥାନଗୋଟି ଗହନ ଅଟଇ ।

ଥୋକେ ଦୂରେ ପ୍ରବେଶିଲେ ଗଣ୍ଡୁକୀ ପାଶରେ

ତଦନ୍ତେ ମିଳିଲେ କୋଳାହଳ କାନନରେ ।

 

 

ଖଣ୍ଡଗିରି ନାମେ ପରବତ ଅଛି ସଞ୍ଚ

ଏଗାର ଯୋଜନ ଦୀର୍ଘ ତ୍ରିଯୋଜନ ଉଚ୍ଚ ।

ସେ ପର୍ବତୁ ଜାତ ଶୁଦ୍ଧ ଶାଳଗ୍ରାମ ଶିଳା

ଅଛନ୍ତି ଛତିଶ ଜାତି ତହିଁ ବିଷ୍ଣୁକଳା ।

ସେ ଗିରି ପଶ୍ଚିମେ ତ୍ରିହେମର ଦକ୍ଷଭାଗେ

ଦେଖିଲେ ସେ ପର୍ଶୁରାମ ଆସୁଛନ୍ତି ଆଗେ ।

ଦକ୍ଷିଣ ପର୍ଶୁକୁଠାରେ କନ୍ଧେ ଛନ୍ତି ଭିଡ଼ି

ବାମରେ କଣ୍ଟା ବାଉଁଶ ଧାମ୍‌ଣା ଧନୁ ପଡ଼ି ।

କାଖେ ବେଦପୋଥି କୁଶବଟୁ ଅଙ୍ଗୁଳିରେ

କପିଳା ମଳ ବିଭୂତି ଚହଟେ ଅଙ୍ଗରେ ।

ଶିରେ ଦିବ୍ୟଜଟା କୃଷ୍ଣ ପିଙ୍ଗଳ ବଚନ

ତୁଳସୀମାଳ ରୁଦ୍ରାକ୍ଷ କଣ୍ଠେ ଆଭରଣ ।

ଯଜ୍ଞ ଉପବୀତ କନ୍ଧେ ଜାଜ୍ଜ୍ଵଲ୍ୟ ଯେ ଅତି

ରସାଣିତ ତମ୍ବାପ୍ରାୟ ଦେହର ଆକୃତି ।

ରେଣୁକା ନନ୍ଦନ ଯମଦଗ୍ନି ଋଷିବଳା

ଅବତାର ନାରାୟଣ ବିଷ୍ଣୁ ନିଜକଳା ।

ଅକ୍ଷୟ ଅଜରାମର ପୁଂସ ପୁଣ୍ୟମୟେ

ପୃଥ୍ଵୀ ନକ୍ଷତ୍ର ଯେ କଲେ ବହୁବାର ଯାଏ ।

ଯଜନ ଯାଜନ ଧ୍ୟାନ ଆଧ୍ୟାନ ସମଷ୍ଟି

ପିତାଙ୍କର ଆଜ୍ଞାମାତ୍ରେ ମାତାମୁଣ୍ଡ କାଟି ।

ସେ ପର୍ଶୁରାମ ଚରଣେ ଶରଣ ନମାମି

ଅଚ୍ୟୁତ ଦାସ କବିକୁ ଉଦ୍ଧର ଭୋ ସ୍ଵାମୀ ।

ଏପରି ବେଶେ ଆସନ୍ତେ ଯମଦଗ୍ନି ଶିଷ୍ୟ

ଖଣ୍ଡେ ଦୂରରୁ ଦେଖିଲେ ପ୍ରଭୁ ପୀତବାସ ।

ବଳରାମ ମୁଖ ଚାହିଁ ବଚନ ପ୍ରକାଶି

ଏ ଅଟନ୍ତି ପର୍ଶୁରାମ ଯମଦଗ୍ନି ଶିଷି ।

ଅଙ୍ଗରେ ଏ ବିଷ୍ଣୁତେଜ ଅଛନ୍ତି ସେ ବହି

ଅକ୍ଷୟ ଅଜରାମର ପୁଂସ ପୁଣ୍ୟଦେହୀ ।

ଏମନ୍ତ ବିଚାରି ମୁନି ସନ୍ନିଧିରେ ଯାଇ

ସାଷ୍ଟାଙ୍ଗରେ ଶୁତିଲେକ ଲକ୍ଷ୍ମୀଦେବୀ ସାଇଁ ।

ବଳଦେବ କୃଷ୍ଣାର୍ଜ୍ଜୁନ ନମିଲେ ମୁନିଙ୍କି

ପର୍ଶୁରାମ ସୁକଲ୍ୟାଣ କଲେ ସେ ତିନିଙ୍କି ।

କୁଶଳ ବାରତା ପର୍ଶୁରାମ ଯେ ପଚାରି

ସବୁ ବୃତ୍ତାନ୍ତ କହିଲେ ରାମ ଦଇତ୍ୟାରି ।

ଜରାସନ୍ଧ ନୃପତିର ଆଠଧାଡ଼ି ଯାକେ

ସଂକ୍ଷେପି କହିଲେ ସବିଶେଷ ଏକେ ଏକେ ।

ପର୍ଶୁରାମ ବୋଇଲେକ ତୁମ୍ଭେ ବିଶ୍ଵବାସୀ

ତୁମ୍ଭ ନାମକୁ ଧରିଣ ସର୍ବଭୟ ନାଶି ।

ସର୍ବଭୂତ ଆତ୍ମା ତୁମ୍ଭେ ପୁରାଣ ପୁରୁଷ

କୋଟି ଜରାସନ୍ଧ ହେଲେ କରିପାରେ କିସ ।

ତୁମ୍ଭେ ଯେ କରମକର୍ତ୍ତା ସୃଷ୍ଟି ଜାତ କର

ମହାପ୍ରଳୟ କାଳରେ ଗର୍ଭରେ ସଂହର ।

ତୁମ୍ଭେ ଗଙ୍ଗାଧର ବିଷ୍ଣୁ ତୁମ୍ଭେ ପଦ୍ମଯୋନି

ବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହାନି ।

ଏ ଦ୍ଵାପର ମହାଭାରା ନିବାରିବା ପାଇଁ

କୌତୁକେ ଜାତ ହୋଇଲେ ନର ଦେହ ବହି ।

ରାମାବତାରେ ପାଇଛ ବହୁତର କୃଷ୍ଣ

ପିତାସତ୍ୟ ବୟସରେ ହେଲ ରାଜ୍ୟଭ୍ରଷ୍ଟ ।

ପିତାସତ୍ୟ ପାଳି ତୁମ୍ଭେ ହେଲ ବନଚାରୀ

ଦଣ୍ଡକାରଣେ ରାବଣ ସୀତା ନେଲା ହରି ।

ଏ ରାମ ସେ ଯୁଗ ସଉମିତ୍ରୀ ହୋଇଥିଲେ

ଅନେକ ଦୁଃଖେ ତୁମ୍ଭର ସେବା ଧର୍ମ କଲେ ।

ଯେତେବେଳେ ସୀତା ଘେନି ଆସିଲ ଗୋସାଇଁ

ବୀରବାଦ୍ୟ ଶୁଣିଣ ମୁଁ ଓଗାଳିଲି ଯାଇଁ ।

ଅଜଗବ ଧନୁ ଭଗ୍ନ କଲ ଭୁଜବଳେ

ନିରାକାର ବିଷ୍ଣୁ ବୋଲି ଜାଣିଲି ସେ କାଳେ ।

ସେ ଦିନୁ ବୀରବେଶ ମୁଁ ଛାଡ଼ିଲି ହେ ହରି

ଭଗବନ୍ତ ଦୀକ୍ଷା ଘେନି ହେଲି ବ୍ରହ୍ମଚାରୀ ।

ତୁମ୍ଭଙ୍କୁ ଦେଖିଣ ମୋର ଉପୁଜିଲା ଶ୍ରଦ୍ଧା

ଆଜହୁଁ ଖଣ୍ଡିଲି ମୋର ଜନ୍ମମୃତ୍ୟୁ ବାଧା ।

ଯୋଗୀଜନେ କରୁଥାନ୍ତି ତୁମ୍ଭଙ୍କୁ ଯେ ଲୟେ

ନୟନେ ଦେଖିଲି ତୁମ୍ଭ ରୂପ ଜ୍ୟୋତିର୍ମୟେ ।

ଆବର ବଚନ ମୋର ଶୁଣ ଭାବଗ୍ରାହୀ

ଦଣ୍ଡେକ ବିଶ୍ରାମ ଏଥେ କରିବା ମଣୋହି ।

ଶ୍ରୀକୃଷ୍ଣ ବୋଇଲେ ଏହି ଅରଣ୍ୟ ଯେ ଘୋର

ଏଠାରେ ମିଳିବ କାହୁଁ ଅପୂର୍ବ ଆହାର ।

ପର୍ଶୁରାମ ବୋଇଲେକ ଶୁଣ ଚକ୍ରପାଣି

କାମଧେନୁ ପ୍ରସାଦରେ ସବୁ ପାରେ ଆଣି ।

ପର୍ଶୁରାମ ଆଜ୍ଞାଦେଲେ କାମଧେନୁ ରାଇ

ମାଗୋ ଶ୍ରୀହରି ଭୋଜନ ଭିଆଅ ତୁ ଯାଇ ।

ଶୁଣିଣ କପିଳା ମାତା ଭିଆଣ ତକ୍ଷଣ

କହିଲା ମାତ୍ରକେ ସଞ୍ଚା କରିଲେ ନିର୍ମାଣ ।

ଚୌରାଶୀ ପ୍ରକାରେ ଦିବ୍ୟ ଭୋଗମାନ ସଞ୍ଚ

ପଟାନ୍ତର ଦେବାକୁ ଯେ ନାହିଁ ସ୍ଵର୍ଗ ମଞ୍ଚ ।

ମେଢ଼ ମଣ୍ଡପ ଅଟ୍ଟାଳି ଦିବ୍ୟ ରମ୍ୟ ଘର

ନିଅବକାଶେ ଶୋଭଇ ଚନ୍ଦ୍ରଶାଳା ପୁର ।

ସୁପକ୍ଵ ଅନ୍ନ ବ୍ୟଞ୍ଜନ ଷଡ଼ରସ ବିଧି

କାମଧେନୁର ପ୍ରସାଦେ ହେଲା ସର୍ବସିଦ୍ଧି ।

ଗୌର ଶୌରୀ ନଳବିଧି ରାନ୍ଧଣା ବହୁତ

ଇକ୍ଷୁଦଣ୍ଡ ଗଜା ଆଦି ଗୋରସ ସହିତ ।

ପଇଡ଼ ଅମୃତପାଣି କଦଳୀ ପଣସ

ଦେବ ରାନ୍ଧଣା ନିର୍ମାଣ ଚନ୍ଦ୍ରଶାଳା ବାସ ।

ସୁସ୍ଵାଦୁ ସୁପକ୍ଵ ଆଦି ସୁବାସ ଦରବ

ଚକ୍ଷୁ ପିଛଡ଼ା ମାତ୍ରକେ ମିଳେ ଆସି ସର୍ବ ।

ହରି ବଳରାମ ପାର୍ଥ ନିତ୍ୟକର୍ମ ସାରି

ମଣୋହିରେ ବିଜେ କଲେ ତହୁଁ ଜାଇ କରି ।

ସ୍ୱର୍ଣ୍ଣ ପଲମରେ ଅନ୍ନ ପର୍ଶେ ସୂପକାର

ଚଉରାଶୀ ମଢ଼ଫୁଲ ବିଧି ଉପଚାର ।

ପର୍ଶୁରାମ ମୁନି ନିଜେ ଫଳ ମୂଳ ସାରି

ଭୁଞ୍ଜିଣ କଷାୟ ଫଳ ଆଚମନ କରି ।

ସୁବର୍ଣ୍ଣ ଆସନେ ରାମ କୃଷ୍ଣ ଧନଞ୍ଜୟ

କୃଷ୍ଣାଜିନେ ବିଜେ କଲେ ରେଣୁକା ତନୟ ।

କଥାବାର୍ତ୍ତା ହୋଇ ସୁଖେ ରଜନୀ ବଞ୍ଚିଲେ

ଶୁଣ ହୋ ପରୀକ୍ଷ ରାଜା ଶୁକମୁନି ବୋଲେ ।

ଶ୍ରୀକୃଷ୍ଣଙ୍କୁ ଏକାନ୍ତରେ ଡାକି ପର୍ଶୁଧାରୀ ।

ବୋଇଲେ ଆମ୍ଭର ବାକ୍ୟ ଶୁଣ ତୁମ୍ଭେ ହରି ।

ଜରାସନ୍ଧ ଏ ସ୍ଥାନକୁ ଆସୁଥିବ ବାହି

ଆମ୍ଭେ ଏଥି ରହିବାର ପ୍ରୟୋଜନ ନାହିଁ ।

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ କ୍ଷତ୍ରି ଚୂଡ଼ାମଣି

ଏକ ବାଣକରେ ପାର ତିନିପୁର ଜିଣି ।

ସେ ଛାର ସରାସନ୍ଧକୁ ତୁମ୍ଭର ଏ ଭୀତି

କପଟ କରିଣ କିପାଁ କହୁଛ ହେ ଯତି ।

ପର୍ଶୁରାମ ବୋଇଲେ ମୁଁ ଛାଡ଼ି କ୍ଷତ୍ରି ଧର୍ମ

ସନ୍ନ୍ୟାସ ଦୀକ୍ଷାକୁ ନେଲି ଆଚରି କରମ ।

ତେଜିଲି ମଦ ମତ୍ସର ଅହଙ୍କାର କୋପ

ଧଇଲି ଏଣେ ମୁହିଁ ସନ୍ନ୍ୟାସୀ ସ୍ଵରୂପ ।

ଆମ୍ଭ ଭଳି ଲୋକଙ୍କୁ ଯେ ନ ସାଜଇ ଏହା

ଶରୀରରେ ପ୍ରାଣ ଥିଲେ ଲଙ୍ଘଇ କେ ତାହା ।

ସଂଗ୍ରାମ ପଡ଼ିଲେ ଗୋରୁ ଦ୍ଵିଜ ହେଲେ ମାରି

ହତ୍ୟା ବିବାଦ ପାତକ ନୋହେ କେବେ ପାରି ।

ଆମ୍ଭେ ଜାଣୁ ଜାଣୁ କେହ୍ନେ କରିବୁ ଏ କର୍ମ

ଯଶ ବିନାଶ ହୋଇବ ନାଶ ଯିବ ଧର୍ମ ।

ଶ୍ରୀହରି ବୋଇଲେ ସ୍ଵାମୀ ଆଜି ଏଥି ଥିବା

ଦୂରରୁ ସୈନ୍ୟଙ୍କୁ ଦେଖି ପଳାଇଣ ଯିବା ।

ପର୍ବତେ ଉଠିଣ ବାଟ ଚାହିଁ ଥିବା ବସି

ନିକଟକୁ ଅଇଲେ ସେ ଯାଇ କିନା ଖସି ।

ପର୍ଶୁରାମ ସନ୍ତୋଷ ଯେ ଶ୍ରୀହରି ବଚନେ

ବୋଇଲେ ଆଉ କଥାଏ ଶୁଣ ଭଗବାନେ ।

ଅଷ୍ଟାଦଶ ବାର ଦେବ ଜରାସନ୍ଧ ଧାଡ଼ି

ସଂଗ୍ରାମେ ଅନେକ ହେବ ମହାଭାରା ପଡ଼ି ।

ଭୋ ଦେବ ୟା ଭୟେ ମଥୁରାକୁ ତେଜି ଯିବ

କୁଶସ୍ଥଳୀ ନିକଟରେ ଯାଇଣ ରହିବ ।

ଅଷ୍ଟ ପାଟବଂଶୀ ସହ ବହୁ ନରୀଗଣ

ପୁତ୍ର ନାତି ବଢ଼ିବେ ଯେ ହୋଇ ଅପ୍ରମାଣ ।

ପଦ୍ମବନ ପରାୟେକ ବଂଶ ଯେ ବଢ଼ିବେ

କୂଟେ ସକଳ ବିନାଶ ଅକ୍ଳେଶେ ହୋଇବେ ।

ଯୋଗବଳେ ଜାଣୁ ଆମ୍ଭେ ଭବିଷ୍ୟ ପୁରାଣ

ଆପଣ ସକଳ କଥା ଜାଣ ନାରାୟଣ ।

ଏତେ ବୋଲିଣ କହିଲେ ରେଣୁକାର ବତ୍ସି

କିଛିବିଦ୍ୟା ଦେବା ଆମ୍ଭେ ଘେନ ତୁମ୍ଭେ ବାଛି ।

କାଳାନ୍ତକ ଯୁଗାନ୍ତକ ପ୍ରଳୟ ସେ ଶର

ଏହା ଦେଲେ ନେଇ ଜଗନ୍ନାଥଙ୍କ ଛାମୁର ।

ଏ ବାଣ ଯତ୍ନେ ସାଇତି ରଖ ଚକ୍ରଧର

ବଳରାମେ ସମର୍ପିଲେ ଭଇରବି ଶର ।

ଏ ବାଣ ଥିଲେ ଜିଣନ୍ତା ନୋହିବେ ସଂସାର

ଗନ୍ଧରବ ଆଦିକରି ଆଉ ବୈଶ୍ଵାନର ।

ହେ ଯୋଗାରୁଢ଼ ପୁରୁଷ ତିନି କାଳଜ୍ଞାତା

ତୁମ୍ଭେ ଜାଣ ଏହି ବାଣମାନଙ୍କର କଥା ।

ମଧୂ କଇଟଭ ବଧ କାଳେ ନାରାୟଣ

ଏ ବାଣକୁ କରିଥିଲେ ଆପେ ନିରିମାଣ । ।

ବହୁ ଯୁଗ ପର୍ଯ୍ୟନ୍ତେ ଏ ସ୍ଵର୍ଗପୁରେ ଥିଲା

ଦିଗ୍‌ବିଜୟ କାଳେ ମଞ୍ଚେ ରାବଣ ଆଣିଲା ।

ଜମଦଗ୍ନି ସଙ୍ଗେ ମୁହିଁ ବିଶ୍ରାମ କୁଟୀରେ

ପ୍ରବେଶି ଦେଖିଲି ଶର ଅଛଇ ସେଠାରେ ।

ବିନୟଭାବେ ତାଙ୍କଠୁଁ ଘେନିଲଇଁ ଏହା

ନିଅ ବୋଲିଣ ସନ୍ତୋଷେ ଦେଲେ ମୁନିନାହା ।

ସଚରାଚର ସାଧ୍ୟ ମୁଁ କଲି ଏହି ଶରେ

ବଇରୀ ନିଶ୍ଟୟ ଏଥେ ଯିବ ଯମପୁରେ ।

ଏ ସଞ୍ଜୀବନୀ ନାରାଚ ଘେନ ଦାମୋଦର

ଅଭଦ୍ୟେ ବଜ୍ର କବଚ ବଜ୍ର ସେହ୍ନାଶର ।

ଆଜଯାଏ ସାଇତି ମୁଁ ଯତ୍ନେ ରଖିଥିଲି

ପୃଥ୍ଵୀଭାରା ନାଶିବାକୁ ତୁମ୍ଭ ହସ୍ତେ ଦେଲି ।

ଏ ଶସ୍ତ୍ର ହାତରେ ଥିଲେ ବେରୀ ଯିବ ହଟି

ଆବର ବହୁତ ଗୁଣ ଏଥିରେ ଅଛିଟି ।

ମରିବା ଲୋକ ଜୀଅଇ ଏହାର ପ୍ରସାଦେ

ପ୍ରତ୍ୟକ୍ଷେ ଏ ରୁଦ୍ରରୂପୀ ଜାଣ ନିଶ୍ଚେଁ ହାଦେ ।

କହନ୍ତେ ନ ସରଇ ଏ ବାଣର ମହିମା

କୁମ୍ଭ ଦୈତ୍ୟ ବଧକାଳେ ଧରିଥିଲେ ଉମା ।

ଏକୋଇଶ ବାର ମୁହିଁ ନିକ୍ଷତ୍ରିୟ କଲି

ଏହାର ପ୍ରସାଦେ ମୁହିଁ ଜଗଜ୍ଜୟୀ ହେଲି ।

କୁଠାରୀ ଦେବୀ ମୋ ଠାରେ ପ୍ରସନ୍ନ ହୋଇଲେ

ସନ୍ତୋଷରେ ଯାଚିଣ ସେ ନାରାଚକୁ ଦେଲେ ।

ହିମବନ୍ତନନ୍ଦିନୀ ସେ ଦେବୀ ମାହେଶ୍ଵରୀ

କୁଠାର ସ୍ଵରୂପେ ମୋର ଗୃହେ ବିଜେ କରି ।

ଯତନେ ଏ ଶସ୍ତ୍ର ତୁମ୍ଭେ ନିଅ ଧନଞ୍ଜୟ

ଏ ଶସ୍ତ୍ରଥିଲେ ହସ୍ତରେ ନାହିଁ କିଛି ଭୟ ।

ଏହିରୂପେ କଥା କହୁଁ ପ୍ରବେଶ ରଜନୀ

ଅସ୍ତାଚଳକୁ ଚଳିଲେ ପ୍ରଭୁ ଦିନମଣି ।

ଯଜନ ଯାଜନ ଜପ ସନ୍ଧ୍ୟା ଆଦିକରି

ମୁନି ସଙ୍ଗେ ବଢ଼ାଇଲେ ରାମ ପାର୍ଥ ହରି ।

ସୁପକ୍ଵ ଅନ୍ନ ଭୁଞ୍ଜିଣ ଆଚମନ କଲେ

କୁଶାସନେ ନିଦ୍ରା କରି ରଜନୀ ବଞ୍ଚିଲେ ।

ପ୍ରଭାତରୁ ସ୍ନାନ ସାରି ଗିରି ଶିଖେ ଉଠି

ଜରାସନ୍ଧ ଆସିବାକୁ ଦେଲେ ଏକ ଦୃଷ୍ଟି ।

ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି

ଇତି ଶ୍ରୀ ପୂଣ୍ୟପୁରାଣେ ହରିବଂଶ ଧ୍ୱନି ।

ରାମ କୃଷ୍ଣ ପର୍ଶୁରାମ ପାଦେ ମୋର ସେବା

ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।

 

ଜରାସନ୍ଧର ଦଶମ ବାର ଧାଡ଼ି

ସ୍ଵରସ୍ଵତୀ ନଦୀତୀରେ ଜରାସନ୍ଧ ରହି

ଦେଶାଉର ଆସି କହେ ଶିରେ କରଦେଇ ।

ଭୋ ଦେବ ତୁ ସାବଧାନେ ଶୁଣ ନୃପମଣି

ଦେଶାଉର ବାର୍ତ୍ତା ଆମ୍ଭେ ଆସିଅଛୁ ଶୁଣି ।

ଭୟରେ ଗୁମ୍ଫାରୁ ରାମ କୃଷ୍ଣ ପଳାଇଲେ

ବାଟେ ଯାଉ ଯାଉ ପର୍ଶୁରାମକୁ ଭେଟିଲେ ।

ଅର୍ଜ୍ଜୁନ ପରଶୁରାମ ସଙ୍ଗେ ବେନି ଭାଇ

ଖଣ୍ଡଗିରି ପରବତେ ଏବେ ଛନ୍ତି ରହି ।

ଯାନ ବାହନ ଆୟୁଧ ଆଦି ନାହିଁ କିଛି

କିରାତ ପରାଏ ବନେ ବସିଛନ୍ତି ଲୁଚି ।

ଏହାଶୁଣି ହସିଲା ଯେ ଶାଲ୍ଵ ନରପତି

ବୋଇଲା ଗଉଡ଼ ମାତ୍ର ଜାଣେ କିସ ରୀତି ।

ତୁମ୍ଭର ଭୟରେ କାହିଁ ନ ପାରିଲେ ରହି

କେତେ ଦୁଃଖ ପାଇଲେଣି ପଳାଇ ପଳାଇ ।

ଶୁଣି ଡଗରାକୁ ରାଜା ପୁଚ୍ଛେ ସାବଧାନେ

ଆଉବେଳେ କହ ସର୍ବେ ଶୁଣନ୍ତୁ ନା କର୍ଣ୍ଣେ ।

 

ଡଗରା ବୋଇଲା ମୁହିଁ ଗୁପତରେ ଥିଲି

ଭୟରେ ସେ ବସିଛନ୍ତି ନିରୋପି ଦେଖିଲି ।

ଜରାସନ୍ଧ ବୋଲେ ଆଉ ବିଳମ୍ବ ନ କର

ଯେ ଯାହାର ସଜ ହୁଅ ଯିବା ଧାତିକାର ।

ଯହିଁର ନିମନ୍ତେ ସର୍ବେ ପାଉଅଛ ଦୁଃଖ

ସେ କାର୍ଯ୍ୟ ସାଧିଲେ ସିନା ହେବ ଆମ୍ଭ ସୁଖ ।

ଦୁଇଗୋଟା ଗଉଡ଼କୁ ନ ପାରିଲେ ଜିଣି

ଜଗତେ ହସିବେ ସବୁ ଲୋକ ଏହା ଶୁଣି ।

ବୀର ମହାବୀର ରଥୀ ସର୍ବେ ମିଳିଅଛ

ଜଣ ଜଣକରେ ହେବ ଇନ୍ଦ୍ର ସମକଚ୍ଛ ।

ପାଇଲେ ଶତ୍ରୁକୁ ସର୍ବେ ଉପାୟରେ ମାର

ନୋହିଲେ ସବୁଙ୍କୁ ମାରିବଟି ଦାମୋଦର ।

ଆଜହୁଁ ବିକ୍ରମ ତାର ହୋଇଲାଣି ଏତେ

କ୍ଷତ୍ରୀ ହୋଇ ଆମ୍ଭେ ତାହା ସହିବା କେମନ୍ତେ ।

ଏଥିପାଇଁ ପଛେ ଧନ ଜୀବନ ଛାଡ଼ିବା

ରାମକୃଷ୍ଣ ନ ମାଇଲେ ବାହୁଡ଼ି ନ ଯିବା ।

କ୍ଷତ୍ରୀଙ୍କ ବଚନ ଅଟେ ପାଷାଣରେ ଗାର

ଯେ ଯାହା ପ୍ରତିଜ୍ଞା ପାଳି ଉଠି ଧାତିକାର ।

ଏହା ଶୁଣି ରାଜାମାନେ କୋପେ ଗରଜିଲେ

ସାଜରେ ସଇନ୍ୟ ବୋଲି ଉଠି ଆଜ୍ଞାଦେଲେ ।

ଆଜ୍ଞା ପରମାଣେ ସମଦଣ୍ଡ ହେଲେ ସଜ

ଚାରିଊଣା ଲକ୍ଷେ ରାଜା ସୈନ୍ୟ ଅଶ୍ଵ ଗଜ ।

ବଜ୍ରନାଭ ଉଠି ବୋଲେ ଜରାସନ୍ଧ ଆଗେ

ବହୁତ ସୈନ୍ୟ ଦେଖିଲେ ପଳାନ୍ତି ସେବାଗେ ।

ଉପାୟ ନ କରି ତୁମ୍ଭେ ବିକ୍ରମ ଦେଖାଅ

ଜିଣି ନ ପାରିଣ ତେଣୁ କାର୍ଯ୍ୟ ହାନି ପାଅ ।

ମୂଷା ମାରିବାକୁ ଗଜଦନ୍ତ ସାଜି ଆଣି

ଅନିମିତ୍ତେ ଭ୍ରମିହୁଅ କାରଣ ନ ଜାଣି ।

ନାନା ନଟକୂଟ ମାୟା ଜାଣଇ ସେ ହରି

ମାୟାଯୁଦ୍ଧ କଲେ ସିନା ତାକୁ ଜିଣିପାରି ।

ଅଙ୍ଗଭର ହୋଇ କଥା ଲାଗିଲାକ ମୋତେ

ମାରିବି ତୁମ୍ଭର ଶତ୍ରୁ କହୁଛି ନିଶ୍ଚିତେ ।

ଏଠାରେ ନିଶ୍ଚିନ୍ତ ହୋଇ ଥାଅ ତୁମ୍ଭେ ରହି

ଥୋକେ ସୈନ୍ୟ ସଙ୍ଗେ ଘେନି ଯାଉଅଛି ମୁହିଁ ।

ଠିକଣା ସ୍ଥାନରେ ନେଇ ଭେଟାଇବ ଚାର

ଦେଖିଲା ମାତ୍ରକେ ପ୍ରାଣ ଘେନିବି ତାହାର ।

କାର୍ଯ୍ୟ ସିଦ୍ଧି ହେଲେ ବାର୍ତ୍ତା ଦେବି ମୁଁ ପଠାଇ

କ୍ଷଣେ ନ ରହିଣ ତୁମ୍ଭେ ଯିବ ବେଗହୋଇ ।

ଜରାସନ୍ଧ ବୋଇଲା ମୁଁ ପଛେ ପଛେ ଥିବି

ଭାଗୁଡ଼ି ପଡ଼ିଲେ ଧାତିକାରେ ଓଗାଳିବି ।

ଏତେ ବିଚାରି ସଇନି ରୁହାଇ ସକଳ

ଥୋକାଏ ବାଛି ସଙ୍ଗତେ ଘେନି ଶ୍ରେଷ୍ଠ ବଳ ।

ନିଜ ଶସ୍ତ୍ର ଧରି ବଜ୍ରନାଭ ନରପତି

ଆଗୁଆଣି ଥାଟରେ ସେ ନେଇ ସେନାପତି ।

ପଛେ ଚଳେ ଜରାସନ୍ଧ ଛାଡ଼ି ଏକଯୂଣ

ପାରୁଶରେ ଖଟିଛନ୍ତି ନରପତିଗଣ ।

ଶ୍ଵେତଛତ୍ର ଚାମର ଯେ ପୁଷ୍ପଧୂପକାଠି

ବାସ୍ତରି ନିଯୋଗ ମୂଳେ ସୈନ୍ୟ ଲକ୍ଷକୋଟି ।

ଏସନ ସମ୍ଭାରେ ବିଜେ ମଗଧ ନୃମଣି

ପାଦଭରେ ଦଲ ଦଲ କମ୍ପଇ ଧରଣୀ ।

ଡଗର କଢ଼ାଏ ବାଟ ଚାଲି ଆଗେ ଆଗେ

ସମଦଣ୍ଡ ଘେନି ବଜ୍ରନାଭ ଚଳେ ବେଗେ ।

ନୃପତିମାନଙ୍କୁ ଘେନି ସଙ୍କୋଚନ ବତ୍ସି

ଯୋଜନ ଛଡ଼ାରେ ପଛେ ଥାଟେ ରହିଅଛି ।

ଏଥୁଅନ୍ତରେ ପର୍ବତ ଶିଖେ ଉଭାହୋଇ

ଦେଖିଲେ ପରଶୁରାମ ଦିବ୍ୟ ଦୃଷ୍ଟି ଦେଇ ।

ଦେଖିଲେ ସିନ୍ଧୁ ଲହରୀ ପରାୟେକ ଥାଟ

ଖାଲ ଡିଙ୍ଗର ପର୍ବତ କାହିଁ ନାହିଁ ବାଟ ।

ଘାଇ ଭାଙ୍ଗିଲେ ଯେସନେ ମାଡ଼ିଆସେ ଜଳ

ଭୟଙ୍କର ରୂପେ ତେହ୍ନେ ଆସନ୍ତି ଯେ ବଳ ।

ବ୍ୟାଘ୍ର ଭାଲୁ ଓଟ ଗଧ ମୈଂଷି ପରେ ଚଢ଼ି

ବିକରାଳ ରୂପ ଧରି ଆସୁଛନ୍ତି ମାଡ଼ି ।

ପର୍ଶୁରାମ ବୋଇଲେକ ଶୁଣ ବନମାଳୀ

ବଜ୍ରନାଭ ଆଗୁଆଣି ସୈନ୍ୟ ଆଗେ ଚଳି ।

ବହୁ ପ୍ରତିଜ୍ଞା କରନ୍ତି ଯୁଦ୍ଧେ ପରିଘାଇ

ମନ କରନ୍ତି ତୁମ୍ଭଙ୍କୁ ଜିଣିବାର ପାଇଁ ।

ବଡ଼ାଇ ଦୁର୍ଭର ସେହୁ ବଳବନ୍ତ ଦୈତ୍ୟେ

ମୃତ୍ୟୁ ନାହିଁ ତାହାଙ୍କର ଦେବାସୁର ହସ୍ତେ ।

ଇନ୍ଦ୍ର ବଜ୍ର ନ କାଟଇ ତାହାଙ୍କର ଅଙ୍ଗେ

ବହୁ କପଟ ଜାଣିଛି ସେହୁ ରଣରଙ୍ଗେ ।

କଶ୍ୟପଙ୍କ ଅଂଶେ ଜାତ ଦୁଷ୍ଟ ଅସୁରାଧି

କୁବେର ପରି ଅଚଳାଚଳ ତା ସମୃଦ୍ଧି ।

ଈଶ୍ଵରଙ୍କ ସେବା କରି ପାଇଅଛି ବର

କଦାପି ତୁମ୍ଭ ହସ୍ତରେ ନ ମରେ ଅସୁର ।

ତୁମ୍ଭେ କି ନ ଜାଣ ଅବା କହିବି ବିଶେଷ

ସର୍ବଜ୍ଞ ଅନ୍ତର୍ଯ୍ୟାମୀ ତ ସୁଜାଣ ପୁରୁଷ ।

ଗୋମାତା ଶାପ ତୁମ୍ଭଙ୍କୁ ଅଛି ପୂର୍ବକାଳେ

ଅବଶ୍ୟ ତ ପଳାଇବ ଅଷ୍ଟ ଦଶବାରେ ।

ଜରା ଯେତେ ସୈନ୍ୟ ରୁଣ୍ଡ କରିଅଛି ଆଣି

ଏକା ବାଣକେ ସବୁଙ୍କୁ ପକାନ୍ତି ମୁଁ ହାଣି ।

ଦେବକାର୍ଯ୍ୟ ନିମିତ୍ତରେ ଅବହେଳା କରି

ଅବହେଳେ ଜିଣିପାର ତୁମ୍ଭେ ନରହରି ।

କୌତୁକ ପୁରୁଷ ତୁମ୍ଭେ ଅଟ ବିଶ୍ଵବାସୀ

ଓଁକାର ମୂଳମନ୍ତ୍ର ଯେ ପରଂବ୍ରହ୍ମ ରାଶି ।

ତୁମ୍ଭେ ତ ସକଳ ଜାଣ କହିବି ମୁଁ କିସ

ନିକଟରେ ବଜ୍ରନାଭ ହୋଇଲା ପ୍ରବେଶ ।

ମଗଧେଶ୍ଵର ନୃପତି ତାର ପଛକତି

ଚାରିଊଣା ଲକ୍ଷେ ରାଜା ସଙ୍ଗରେ ଅଛନ୍ତି ।

ପର୍ବତ ତଳକୁ ଦେବ ଦିଅ କିନା ଦୃଷ୍ଟି

ଜଳତରଙ୍ଗ ପରାୟ ଆସୁଛନ୍ତି ଘୋଟି ।

ନିଃଶ୍ଵାସ ମାତ୍ରକେ ଏହି ପର୍ବତ ବେଢ଼ିବେ

ଗଣ୍ଠି ପଡ଼ିଲେ ଅବଶ୍ୟ ସମର କରିବେ ।

ଏତେ ବୋଲି ପର୍ଶୁରାମ କଲ୍ୟାଣ ବାଞ୍ଛିଲେ

ଏକମନା ହୋଇ ମହାମନ୍ତ୍ର ସୁମରିଲେ ।

ଡଗରା ଯେ ଆଗୁଆଣି ଥାଟେ ରହିଥିଲା

ଏହି ଦେଖ ବୋଲି ଅଙ୍ଗୁଷ୍ଠିରେ ଦେଖାଇଲା ।

ପର୍ବତ ତଳକୁ ସର୍ବେ ଗଲେ ତହୁଁ ଧାଇଁ

ଦେଖିଲେ ବସିଅଛନ୍ତି ରାମ ହରି ତହିଁ ।

ବଜ୍ରନାଭ ବୀର ତହୁଁ ମହାକୋପ କଲା

ଏଘାନ୍ତି କେଣେ ଯିବରେ ବୋଲିଣ ବୋଇଲା ।

ନିଶ୍ଚେ ଯମ ପୋଛିଲା ତ ତୁମ୍ଭର ଯେ ପାଞ୍ଜି

ତୂଳା ପରମାଣେ ମାଂସ ପକାଇବି ପିଞ୍ଜି ।

ଏତେ ବୋଲି ଗିରିଯାକ ଶତେପୁର କରି

ବେଢ଼ିଲେ ମହାକୋପରେ ସର୍ବେ ଅମରାରି ।

ତିନିଙ୍କି ଧରିଣ ନେଲେ ରିଷ୍ଟ ଶାନ୍ତ ହେବ

ଜରାସନ୍ଧ ହୃଦୟରୁ ଦକା ଯେ ଛାଡ଼ିବ ।

ଡଗରା ବୋଇଲା ଦେବ ସାବଧାନେ ଶୁଣ

ଏ ଖଣ୍ଡଗିରି ପର୍ବତ ବତିଶ ଯୋଜନ ।

ଗଣ୍ଡୁକୀ ନଦୀର ଠାରୁ କୋଳାହଳ ଯାଏ

ପାଞ୍ଚଶ ଯୋଜନ ଜଳ ଅକାତ ଯେ ଥାଏ ।

ତେଣୁକରି ପର୍ବତରେ ଦ୍ରୁମ ଅତି ଗାଢ଼

ତିନି ଯୋଜନ ପର୍ଯ୍ୟନ୍ତେ ଲାଗିଅଛି ବେଢ଼ ।

ବଜ୍ରନାଭ ବୋଲେ ସର୍ବେ ପର୍ବତକୁ ଉଠ

କାତି କୁରାଢ଼ି ଘେନିଣ ବନସ୍ତକୁ କାଟ ।

ଆଜ୍ଞା ପାଇ ସଇନି ଯେ ଚଳିଲେ ସତ୍ୱରେ

କାତି କୁରାଢ଼ି ଘେନିଣ କାଟିଲେ ଯେଝାରେ ।

ବଜ୍ରନାଭ ସେନାପତି ଦେଇଅଛି ଧାଡ଼ି

ସମୁଦ୍ର ପରାୟେ ସୈନ୍ୟ ପଡ଼ୁଛନ୍ତି ମାଡ଼ି ।

ହରି ବଳରାମ ପାର୍ଥ ବୃକ୍ଷତଳେ ଥିଲେ

ତିନିହେଁ ଶୂନ୍ୟହସ୍ତରେ ଆସନ ଛାଡ଼ିଲେ ।

ଖଣ୍ଡଗିରିଠାରୁ ନଇର୍ଋତ ମୁଖ ହୋଇ

ସମସ୍ତଙ୍କୁ ଦେଖୁ ଦେଖୁ ଗଲେ ପିଠିଦେଇ ।

ଖାଲ ଡିଙ୍ଗର ଖଣା ସେ ନ ପାରନ୍ତି ବାରି

ବନ କିରାତ ପରାୟେ ଯାନ୍ତି ଅପସରି ।

ଥୋକେ ଦୂରରେ କଙ୍କଣ ପର୍ବତରେ ଉଠି

ପଶ୍ଚିମମୁଖେ ସେଠାରୁ ଚଳନ୍ତି ଲେଉଟି ।

ବଜ୍ରନାଭ ନୃପତିକି ବେନି କୋଶ ଛଡ଼ା

ମନ୍ତ୍ରବଳେ ତିନିଙ୍କ ଯେ ହେଲା ଏକ ଭେଡ଼ା ।

ବଜ୍ରନାଭ ରାଜା ଲୋକେ ଗୋଡ଼ାନ୍ତି ଦରାଣ୍ଡି

ବୋଲନ୍ତି ଅଦ୍ଭୁତେ ଗଲେ ଦେଖୁଁ ଦେଖୁଁ ଭଣ୍ଡି ।

ଥୋକାଏ ବୋଲନ୍ତି ଉହାଡ଼ରେ ଥିବେ ପଶି

ଯତନେ ନିର୍ବନ୍ଧ କରି ଖୋଜ ସର୍ବେ ଆସି ।

ଥୋକାଏ ବୋଲନ୍ତି ଆଜ ପଳାଇଲେ ଭଲା

ସୁଭାଗ୍ୟ ଦଶା ତାଙ୍କର ନିଶ୍ଚୟ ହୋଇଲା ।

ପଟୁଆରେ ରହି ଯେବେ କରିଥାନ୍ତେ ରଣ

ତେବେ ଜଣାଯାନ୍ତା ସିନା ତାଙ୍କ ବଡ଼ପଣ ।

ଥୋକାଏ ବୋଲନ୍ତି ଆମ୍ଭେ ଜାଣୁଁ ନା ସକଳ

ଏହିପରି ଭଣ୍ଡାଇଣ ଗଲେ ବହୁ ବେଳ ।

ଫାଶ ପାତିଲେ ନିଶ୍ଚଳ ହୁଏ କି ପବନ

ବାଲି ପକାଇଲେ ସିନ୍ଧୁ ହୁଏ କି ବନ୍ଧନ ।

ହାତ ବଢ଼ାଇଲେ ଚନ୍ଦ୍ର କିଏ ଧରି ପାରି

ଆକାଶ କି ମାପିହୁଏ ବୁଦ୍ଧିରେ କାହାରି ।

କେ ଅବା ଜାଣନ୍ତି ଯେ ରାମ କୃଷ୍ଣସମ

ପ୍ରତ୍ୟକ୍ଷେ ନାରାୟଣ ମାନବ ରୂପେ ଜନ୍ମ ।

ତାହାଙ୍କୁ ଜିଣିବା ପାଇଁ କାର ଶକ୍ତି ନାହିଁ

କାର୍ଯ୍ୟ ନୋହିବା ମରିବା ସିନା ଦୁଃଖ ପାଇ ।

ଏସନରୂପେ ବିଚାର କରେନ୍ତେଣ ଖର

ଜରାସନ୍ଧ ନରପତି ମିଳିଲା ସେଠାରେ ।

ବଜ୍ରନାଭ ନରପତି କହେ ସବୁ ବାଣୀ

ସ୍ତମ୍ଭୀଭୂତ ହେଲା ଶୁଣି ମଗଧ ନୃମଣି ।

ବୋଲେ ତାହାଙ୍କର ମାୟା ଜାଣିଲି ସକଳ

ଏହିମତି ଭଣ୍ଡାଇଣ ଗଲେ ବହୁବେଳ ।

ଅନେକ ପ୍ରକାରେ ମୁହିଁ କରିଲଇଁ ବୁଦ୍ଧି ।

କଉଣସି ପରକାରେ ନୁହେଁ କାର୍ଯ୍ୟ ସିଦ୍ଧି ।

ସମସ୍ତ ଜିଣିଲି ଗୋପାଳଙ୍କୁ ବୁଦ୍ଧି ନାହିଁ

ଗଞ୍ଜି ହେଲି ବହୁବାର ଲଜ୍ଜା ପାଇଲଇଁ ।

ଏହିଠାରେ ରହିବା ଯେ ସୁସ୍ଥ ହୋଇ ସର୍ବେ

ଯହିଁ ଅଛନ୍ତି ବାରତା ପାଇବଟି ଜବେ ।

 

 

ଏତେ ବୋଲିଣ ସଇନି ରହିଲେ ସେଠାରେ

ଅଚ୍ୟୁତ ଦାସ ଭଜଇ ହରି ନିରନ୍ତରେ ।

 

ହରିବଂଶ ପଞ୍ଚମ ଖଣ୍ଡ

କ୍ରମାନ୍ଵୟେ ଜରାସନ୍ଧର ଏକାଦଶ ଠାରୁ ପଞ୍ଚଦଶ ବାର ଯାଏ ଧାଡ଼ି

ଏଥୁ ଅନନ୍ତରେ ରାମକୃଷ୍ଣ ଫାଲଗୁନି

ଅଗମ୍ୟ ବନେ ଗମନ୍ତି ସଙ୍ଗ ହୋଇ ତିନି ।

କଞ୍ଚନ ପର୍ବତ ଜିଣି ଥୋକେଦୂର ଗଲେ

ଗୋମତୀ ନଦୀ ତୀରରେ ବ୍ୟାସଙ୍କୁ ଭେଟିଲେ ।

ହସ୍ତେ ଦଣ୍ଡ କମଣ୍ଡଳୁ କାଖେ କୁଶବିଡ଼ି

ଧୋତି ଉତ୍ତରୀ ପ୍ରୋକ୍ଷଣି ଆଉ ବେଦକାଣ୍ଡି ।

ତମ୍ଭା ପ୍ରୋକ୍ଷଣି ଖଡ଼ଗ କୁଶବଟୁ ଗୋଟି

କପିଳାମଳ ବିଭୂତି ଅଙ୍ଗରେ ଚହଟି ।

ମାଥେ ଦିବ୍ୟଜଟା ବେନି କର୍ଣ୍ଣରେ କୁଣ୍ଡଳ

କାଖେ କୃଷ୍ଣାଜିନ ବାମହାତେ କମଣ୍ଡଳ ।

ଶଙ୍ଖ ଗୋକ୍ଷୀର ପରାୟେ ରାଜେ ଦିବ୍ୟତନୁ

ନିର୍ମଳ ମେଘ ଯେସନେ ଉଦେ ହୁଏ ଭାନୁ ।

ଅଠାଶୀ ସହସ୍ର ଶିଷ୍ୟ ସଙ୍ଗେ ମହାଜ୍ଞାତା

ରାମହରି ଆଗେ ମିଳିଗଲେ ବ୍ରହ୍ମବେତ୍ତା ।

ଦେଖିଣ ସାନନ୍ଦ ହେଲେ ହଳୀ ବନମାଳୀ

ସାଷ୍ଟାଙ୍ଗ ହୋଇ ଛାମୁରେ କଲେ ନିଉଛାଳି ।

 

ଅର୍ଜ୍ଜୁନ ସହିତେ ମୁନି ପାଦତଳେ ନମି

ଆମ୍ଭଙ୍କୁ ସୁଦୟା କର ଆହେ ତପିମଣି ।

ବହୁରୂପେ ସ୍ତୁତି କଲେ ଶିରେ ଦେଇ କର

ଉଭୟ କୁଶଳ ବାର୍ତ୍ତା ପୁଚ୍ଛି ମୁନିବର ।

ଭଲେ ଅଛନ୍ତି ନା ବନ୍ଧୁ କୁଟୁମ୍ବ ସୋଦର

ସମସ୍ତ କୁଶଳ ବୋଲି ଭଣି ଦାମୋଦର ।

ଆସନ ପାଦାସନରେ ମୁନିଙ୍କୁ ପୂଜିଲେ

ପବିତ୍ର ଗଙ୍ଗାଜଳରେ ପାଦ ପଖାଳିଲେ ।

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ମୁନିବର

ପ୍ରତ୍ୟକ୍ଷେ ବ୍ରହ୍ମମୂରତି ମଞ୍ଚେ ଅବତାର ।

ତୁମ୍ଭର ଯେ ପଣନାତି ପଣ୍ଡୁ ନରପତି

ଅମଳାନ ସୋମବଂଶୀ ଶୁଦ୍ଧପୂତ ଜାତି ।

ଯୁଧିଷ୍ଠି ଭୀମାର୍ଜ୍ଜୁନ ନକୁଳ ସହଦେବ

ପଣ୍ଡୁନନ୍ଦନ ଏ ପାଞ୍ଚ ପାଣ୍ଡବ ଜାଣିବ ।

ଆମ୍ଭର ମାଉସୀ କୁନ୍ତଭୋଜର ନନ୍ଦିନୀ

କୁନ୍ତୀର ନନ୍ଦନ ଏହି ବୀର ଫାଲ୍ଗୁନି ।

ଭୋ ମୁନି ଭୂତ ଭବିଷ୍ୟ ସବୁକଥା ଜାଣ

ବେଦଶାସ୍ତ୍ରଜ୍ଞାତା ତୁମ୍ଭେ ଅଟ ନାରାୟଣ ।

ବହୁକାଳୁଁ ବୁଲୁଅଛୁ ଜରାସନ୍ଧ ଡରେ

ରାଜ୍ୟ ତେଜି ବୁଲେ ପାର୍ଥ ଆମ୍ଭ ସଙ୍ଗତରେ ।

ଭୋ ମହାତମା ଅର୍ଜ୍ଜୁନେ ସଙ୍ଗତରେ ନିଅ

ଯୁଧିଷ୍ଠି ଆଗରେ କହି କୁଇନ୍ତାକୁ ଦିଅ ।

ଏତେ ବୋଲିଣ ବ୍ୟାସଙ୍କ କରେ ସମର୍ପିଲେ

ପଶ୍ଚିମ ମୁଖରେ ତହୁଁ ଦୁହେଁ ଚଳିଗଲେ ।

ମାଳତୀ ନାମରେ ନଦୀ ବହେ ପୁଣ୍ୟଜଳ

ମତ୍ସ୍ୟଦେଶ ପାଟଣାର ସେ ଦକ୍ଷିଣ କୂଳ ।

ପୂର୍ବେ ଜଇମିନିଙ୍କର ଆଶ୍ରମ ଯେ ଥିଲା

ତହିଁ ପ୍ରବେଶ ହୋଇଲେ ଯାଇ ନନ୍ଦବଳା ।

ସେଠାରେ ଦେଉଳ ଏକ ଅତି ପରିମଳ

ମତ୍ସ୍ୟ ମାଧବ ନାମରେ ଦେବ ତହିଁ ଠୁଳ ।

ରାତ୍ରିକାଳେ ସେ ମଣ୍ଡପେ ରହି ନନ୍ଦବତ୍ସି

ସ୍ତୁତି ଆରମ୍ଭ କରିଲେ ନିଜ ଶୁଭବାଞ୍ଛି ।

ସେ ସ୍ତୁତିରେ ଦେବଙ୍କର କମ୍ପିଲା ଆସନ

ପ୍ରବେଶ ହୋଇଲେ ରାମକୃଷ୍ଣ ସନ୍ନିଧାନ ।

ସୁପକ୍ଵ ଦ୍ରବ୍ୟନ୍ତ ଯୋଗାଇଲେ ସେ ସକଳ

ସାନନ୍ଦେ ମଣୋହି କଲେ କୃଷ୍ଣ କାମପାଳ ।

ଆଚମନ ଅବଶେଷ ତାମ୍ବୁଳ ଭୁଞ୍ଜିଲେ

ପଥଶ୍ରାନ୍ତ ପାଇକରି ସେଠାରେ ଶୋଇଲେ ।

ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି

ବେଦବ୍ୟାସ ଅର୍ଜ୍ଜୁନକୁ ସଙ୍ଗତରେ ଘେନି ।

ମନପବନ ଦଣ୍ଡକୁ ଆରୋହିଣ ମୁନି

ବାରୁଣାବନ୍ତ କଟକେ ମିଳିଲେ ସେ କ୍ଷଣି ।

କୁନ୍ତୀ ସହିତେ ପାଣ୍ଡବମାନେ ଛନ୍ତି ତହିଁ

ଅର୍ଜ୍ଜୁନେ ଘେନି ମିଳିଲେ ବେଦବ୍ୟାସ ଯାଇ ।

ଦେଖିଣ ସର୍ବେ ଉଠିଲେ ଆସନକୁ ଛାଡ଼ି

ଶତେସସ୍ର ଦଣ୍ଡବତ ପାଦପଦ୍ମେ ପଡ଼ି ।

ତା ଦେଖିଣ ବ୍ରହ୍ମବେତ୍ତା ସନ୍ତୋଷ ହୋଇଲେ

ଜଣେ ଜଣେ ସମସ୍ତଙ୍କୁ କଲ୍ୟାଣ ବାଞ୍ଚିଲେ ।

କୁନ୍ତୀଙ୍କୁ ଚାହିଁଣ ମୁନି କହିଲେକ ବାଣୀ

ତୁମ୍ଭେ ମୋର କୁଳବଧୂ ସତୀ ଶିରୋମଣି ।

ପଞ୍ଚ ଦିଗପାଳ ଆଦି ତୁମ୍ଭ ପୁଣ୍ୟବଳେ

ପ୍ରତ୍ୟକ୍ଷେ ପଞ୍ଚ ଦେବତା ଜାତ ମହୀତଳେ ।

ଏ ତୁମ୍ଭ କଷ୍ଟ ଫେଡ଼ିବ ନିବାରିବ ଶଙ୍କା

ମାନ ଉଦ୍ଧରିବ ଏହୁ କୁଳଦୀପ ଏକା ।

ଏ ପୁତ୍ର ପ୍ରସାଦେ ନାହିଁ କାହାକୁହିଁ ଭ୍ରାନ୍ତି

ଅଚଳାଚଳ ସମ୍ପଦ ମିଳିବ ଏ ଘାନ୍ତି ।

ଆବର ପ୍ରତ୍ୟକ୍ଷେ ଯାହା ଦେଖିଲି ନୟନ

ଜଗନ୍ନାଥ ଆତ୍ମା ଜାଣ ଅଟନ୍ତି ଅର୍ଜ୍ଜୁନ ।

ଜଗନ୍ନାଥ ବନ୍ଧୁୟାଙ୍କୁ ସହାୟ ଅଛନ୍ତି

ତାଙ୍କ ପାଶେ ଥିଲେ ନାହିଁ ଉପଦ୍ରବ ଭୀତି ।

କେତେ ଜନ୍ମେ ଯେବେ ବହୁପୁଣ୍ୟ କରିଥାଇ

କୁଳ ବିଖ୍ୟାତ ତନୟ ସେହୁ ନିଶ୍ଚେଁ ପାଇ ।

କୁନ୍ତୀ ବୋଇଲେ ଭୋ ମୁନି ତୁମ୍ଭହେତୁ ସିନା

ଛେଉଣ୍ଡ ପୁତ୍ରଙ୍କୁ ମୋର ଦିଅ ବଜ୍ରସେହ୍ନା ।

କୌରବ ଏହାଙ୍କଠାରେ ଶତ୍ରୁଭାବ ବହି

ନିରନ୍ତର ଛିଦ୍ର ପାଞ୍ଚି ରହିଛନ୍ତି ଚାହିଁ ।

ଭୀଷ୍ମ ଦ୍ରୋଣ ଭୂରିଶ୍ରବା ଅଶ୍ଵତ୍‌ଥାମା କର୍ଣ୍ଣ

ଚିରଦିନୁ ଖାଇଛନ୍ତି କୌରବଙ୍କ ଅନ୍ନ ।

ପହିଜ କରନ୍ତି ତେଣୁ ସେ ତାଙ୍କର ପାଇଁ

ମୋ ପୁତ୍ରଙ୍କୁ ସାହା ହୋଇ ଜଣେ କେହି ନାହିଁ

ବଡ଼ ପୁଣ୍ୟବତୀ ସ୍ତିରୀ ଅଟନ୍ତି ଗାନ୍ଧାରୀ

କୋଟିଲକ୍ଷ୍ମୀ ଭୋଗ କରେ ଧୃତରାଷ୍ଟ୍ର ବରି ।

ଆପଣା ଗର୍ଭରୁ ଶତେ ପୁତ୍ର କଲେ ଜାତ

ସେ କୁମରେ ସର୍ବଗୁଣେ ତ୍ରୈଲୋକ୍ୟ ବିଖ୍ୟାତ

ମୁହିଁ ମନ୍ଦଭାଗୀ କେଉଁ ପାପ କଲି ଅବା

ସ୍ଵାମୀ ଯମପୁରେ ଗଲେ ହୋଇଲି ବିଧବା ।

ଛେଉଣ୍ଡ ହୋଇଲେ ମୋର ପାଞ୍ଚଗୋଟି ପୁତ୍ର

ଜନ୍ମକାଳୁଁ ଦୁଃଖିନୀ ମୁଁ ଦୈବ ଘଟସୂତ୍ର ।

ବ୍ୟାସ ବୋଇଲେ ମାତ ଗୋ ନ କର ତୁ ଚିନ୍ତା

ତୋହର ସମାନେ କେହି ନାହିଁ ପୁଣ୍ୟବନ୍ତା ।

ପ୍ରତ୍ୟକ୍ଷରେ ପଞ୍ଚଦେବ ଗର୍ଭୁ କଲୁ ଜନ୍ମ

ଖଣ୍ଡିଲୁ ଦୁର୍ଗତିମାନ ଛେଦି ପାପକର୍ମ ।

ଆଉ ଅଳ୍ପଦିନେ ମାଗୋ ଦେଖିବୁ ପ୍ରତ୍ୟକ୍ଷ

ତ୍ରୈଲୋକ୍ୟ ଭିତରେ ତୋର ପୁତ୍ରେହେବେ ଦକ୍ଷ

ଏସନ କହିଣ ମୁନି ଅନ୍ତର୍ଦ୍ଧାନ ହେଲେ

ଶୁଣ ପରୀକ୍ଷିତ ଶୁକମୁନି ଯେ ବୋଇଲେ ।

ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରୀତି

ମର୍ତ୍ତ୍ୟପୁରେ ରହିଥିଲେ ହଳୀ ଲକ୍ଷ୍ମୀପତି ।

ଡଗରା କହିଲା ଜରାସନ୍ଧ ଆଗେ ଯାଇ

ପୁଣି ସମଦଣ୍ଡ ଘେନି ଅଇଲା ସେ ବାହି ।

ଚାରିଊଣା ଲକ୍ଷେ ରାଜା ଜରାସନ୍ଧ ଘେନି

ରାତ୍ରେ ମତ୍ସ୍ୟଦେଶେ ଆସି ବେଢ଼ିଲେ ସଇନି ।

ଜାଣିଲେ ତା ଜଗତ୍‌କର୍ତ୍ତା ଲକ୍ଷ୍ମୀଦେବୀ ସାଇଁ

ତରତରେ ପଳାଇଲେ ଭୟେ ବେନି ଭାଇ ।

ଅଶ୍ଵେକ ଆରୋହି ଜରାସନ୍ଧ ନରପତି

ଶତେ ଯୋଜନ ପର୍ଯ୍ୟନ୍ତ ଧାଏଁ ପଛକତି ।

ପୁଣି କେତେଦୂରେ ପ୍ରଭୁ ଅଦୃଶ୍ୟ ହୋଇଲେ

ପୁନରପି ଖଣ୍ଡେଦୂରେ ଲଗାଲଗି ହେଲେ ।

ଧରୁ ଧରୁ ପେଲି ଦେଇ ସ୍ଵାମୀ ଚାଲିଯାନ୍ତି

ଅନ୍ଧ ଆଗେ ନିଧିପରି ଅଦୃଶ୍ୟ ହୁଅନ୍ତି ।

କପିଳ ପର୍ବତ ତଳେ କୁଶନାମେଦେଶ

ଶଶୀଭୂଷଣ ରାଜାର ତହିଁ ରତ୍ନକୋଷ ।

ଶତେ ଯୋଜନ ଆୟତ ସେହୁ ଦୀର୍ଘପ୍ରତି

ପଞ୍ଚାଶ ଅର୍ବୁଦ ଘର ତହିଁ ନାନାଜାତି ।

ଦେବୀ ନଦୀକୂଳେ ସେହି କଟକ ଶୋଭଇ

ତହିଁ ବିଶ୍ରାମ କରିଲେ ରାମହରି ଯାଇ ।

ପୁନରପି ଜରାସନ୍ଧ ଆସେ ଦଣ୍ଡବାହି

କାହିଁ ଗଲେ ରାମ ହରି ବୋଲିଣ ଖୋଜଇ ।

ଅନ୍ତର୍ଯ୍ୟାମୀ ନାରାୟଣ ତାହା ଜାଣିପାରି

ନିକଟେ ଥାଟ ଦେଖିଣ ଗଲେ ଅପସରି ।

ଚୌରାଶୀ ଯୋଜନଯାଏ ଜରା ଗୋଡ଼ାଇଲା

କୌଣସି ପ୍ରକାରେ ତାଙ୍କୁ ନ ଧରି ନ ପାରିଲା

ପୁଣି କେତେ ଦୂର ଯାଇ ହୋଇଲେ ଗୁପତ

ଚତୁର୍ଦ୍ଦଶ ଧାଡ଼ି ଏଥେଁ ହେଲା ସମାପତ ।

କାଳିଞ୍ଜନ ଗିରି ତଳେ କୁନ୍ତ ନାମେ ନଦୀ

ମହେନ୍ଦ୍ର ପର୍ବତୁ ଯାଏ ଈଶାନକୁ ଭେଦି ।

ତହିଁ ନିତ୍ୟକର୍ମ ସାରି କୃଷ୍ଣ କାମପାଳ

ପଦ୍ମବନ ଦେଶେ ଗଲେ ବେନି ଘଡ଼ି ବେଳ ।

ପଦ୍ମକେଶରୀ ବୋଲିଣ ତହିଁର ନୃପତି

ବଡ଼ଇ ଧାର୍ମିକ ସେ ଯେ ଅଟେ ଶୁଦ୍ଧ ଜାତି ।

ଜରାସନ୍ଧ ସଙ୍ଗେ ସୈନ୍ୟ ଘେନି ସେ ଯାଇଛି

ଥାଟ ସୈନ୍ୟ ନାହିଁ ଦେଶ ତୁଚ୍ଛା ହୋଇଅଛି ।

ବୀରବାହୁ ନାମେ ତାର ପୁତ୍ର ଅଗ୍ରଲେଖା

କଟକ ରକ୍ଷା କରିଣ ରହିଛି ସେ ଏକା ।

ବେନି ଭାଇ ପ୍ରବେଶିଲେ ତା ନଗରେ ଯାଇ

ବାଟକୁ ପାଛୋଟି ଆସେ ପୁତ୍ର ବାର୍ତ୍ତା ପାଇ ।

ରାମକୃଷ୍ଣଙ୍କୁ ଭକ୍ତିରେ ଆସି ଘେନିଗଲା

ଆପଣା ନବରେ ଯାଇ ପ୍ରବେଶ ହୋଇଲା ।

ଅଷ୍ଟରତ୍ନ ସିଂହାସନେ ବସାଇଲା ନେଇ

ନିଜେ ତଳେ ଉଭା ହେଲା କାଖେ କରଦେଇ ।

କର ଯୋଡ଼ିଣ ଛାମୁରେ କଲା ବହୁ ସ୍ତୁତି

ଜୟ ହରି ବଳରାମ ଜୟ ବିଶ୍ଵମୂର୍ତ୍ତି ।

ସ୍ଵାମୀ ସ୍ଥାବର ଜଙ୍ଗମ ଆଦି ଚାରିଖାନି

ତୁମ୍ଭ ଅଙ୍ଗୁଆଣି ଧାତା ନିର୍ମାଣିଲା ପୁଣି ।

ସର୍ବଦେବ ପରେ ଶ୍ରେଷ୍ଠ ତୁମ୍ଭେ ଅନ୍ତର୍ଯ୍ୟାମୀ

ଅନୁଗ୍ରହ କର ନାଥ ଚରଣେ ନମାମି ।

ତୁମ୍ଭେ ସୃଷ୍ଟି କର୍ତ୍ତା ତୁମ୍ଭଙ୍କୁ ତ ସବୁ ଜଣା

ନ ଜାଣିଣ ଯୋଗିମାନେ ହେଉଛନ୍ତି ବଣା ।

ଅଶେଷ କୋଟି ବ୍ରହ୍ମାଣ୍ଡ ଯା ଆଜ୍ଞାରେ ଜାତ

ଲିଙ୍ଗଭୂତ ଆତ୍ମା ତୁମ୍ଭେ ପୁରୁଷ ମହତ ।

ଶରଣପଞ୍ଜର ନାଥ ଦୁଃଖିଜନ ବନ୍ଧୁ

ଅପାର ମହିମା ତବ ପାଦପଦ୍ମେ ବନ୍ଧୁ ।

ଦେବତାଙ୍କ ପରେ ତୁମ୍ଭେ ଅଟ ଶିରୋମଣି

ପୃଥିବୀ ରକ୍ଷଣ କରେ ସର୍ବ କର୍ମ ଜାଣି ।

ଅଜ୍ଞାନୀ ପାମର ଛାର ଜରା ମନ୍ଦବୁଦ୍ଧି

ସପ୍ତାଙ୍ଗରେ ନାଶଯିବ ହୋଇ ତବ ବାଦୀ ।

ଏହିପରି ସ୍ତୁତି କଲା ସେ କୁମରମଣି

ସାନନ୍ଦ ହୋଇଲେ ହଳୀ କୃଷ୍ଣ ତାହା ଶୁଣି ।

ହରି ବୋଇଲେ ତୁହି ତ ବାଳୁତ କୁମର

ଆଜହୁଁ ଏଡ଼େ ଧାର୍ମିକ ଧନ୍ୟ ଜନ୍ମ ତୋର ।

ଏଥୁଅନ୍ତେ ସୂପକାର ଜଣାଇଲା ଯାଇ

ପାକ ସିଦ୍ଧ ହେଲା ସ୍ଵାମୀ କରିବା ମଣୋହି ।

ତତକ୍ଷଣେ ଦୁଇଭାଇ ଭୋଜନେ ବସିଲେ

ସୁପକ୍ଵ ବ୍ୟଞ୍ଜନ ସୂପକାର ପରଷିଲେ ।

ଚୌରାଶୀ ବ୍ୟଞ୍ଜନ ଭୁଞ୍ଜି ରାମ ହୃଷୀକେଶ

ବିଡ଼ିଆ ଲାଗି ହୋଇର ଲଭିଲେ ସନ୍ତୋଷ ।

ଏଥୁ ଅନନ୍ତରେ ଜରାସନ୍ଧର ଆଗର

ଦେଶାଉର ବାରତାକୁ ଜଣାଏ ସତ୍ଵର ।

ଭୋ ଦେବ ସାବଧାନେ ହେ ଶୁଣ ନୃପମଣି

ନିର୍ଣ୍ଣୟ ବାରତା ଆମ୍ଭେ ଅଇଲୁଟି ଶୁଣି ।

ପଦ୍ମକେଶରୀ ଦେଶରେ ଯାଇ ରାମ ହରି

ଲୁଚିଣ ଅଛନ୍ତି ତୁମ୍ଭ ଭୟେ ଯାଇ କରି ।

ଶୁଣି ଜରାସନ୍ଧ ରାଜା ଆନନ୍ଦ ହୋଇଲା

ପଦ୍ମକେଶରୀ ରାଜାଙ୍କୁ ପାଶେ ଡକାଇଲା ।

ଶୀଘ୍ର ଆଣିଦେବୁ ବସୁଦେବର କୁମର

ଆହୋ ପଦ୍ମକେଶରୀ ତୁ ଚଳ ଧାତିକାର ।

ତୁମ୍ଭ ରାଜ୍ୟରେ ଅଛନ୍ତି କୃଷ୍ଣ କାମପାଳ

କପଟ ପ୍ରୀତି କରିବୁ ବାବୁ କ୍ଷଣକାଳ ।

ମୁହିଁ ଯାଇ ଶୀଘ୍ର ତହିଁ ପ୍ରବେଶ ହୋଇବି

ଧାତିକାରେ ରାମକୃଷ୍ଣ ଯାଇଣ ବାନ୍ଧିବି ।

ଶୁଣି ପଦ୍ମକେଶରୀ ଯେ ଗଲା ଶୀଘ୍ରହୋଇ

ସାତଦିନେ ନିଜ ରାଜ୍ୟେ ପ୍ରବେଶିଲା ଯାଇ ।

ନବରେ ପ୍ରବେଶ ଯାଇ ହେଲା ମହୀପାଳ

ସାଷ୍ଟାଙ୍ଗରେ ପଡ଼େ ରାମକୃଷ୍ଣ ପାଦତଳ ।

କରପତ୍ର ଯୋଡ଼ି ରାଜା ବହୁ ସ୍ତୁତି କଲା

ବୋଲେ ମୋ ନବରେ ସ୍ଵାମୀ ଚରଣ ପଡ଼ିଲା ।

ଯେ ପାଦକୁ ସନକାଦି କରୁଥାନ୍ତି ଲୟେ

ସେ ପାଦପଦ୍ମକୁ ଦେଖି ଖଣ୍ଡିଲି ମୁଁ ଭୟେ ।

ତୁମ୍ଭେ ଦେବ ଆଦି ତୁମ୍ଭେ ଦେବ ଯେ ଅନାଦି

ତୁମ୍ଭେ ଦେବ ଜଳ ସ୍ଥଳ ତୁମ୍ଭେ ଶୂନ୍ୟଭେଦୀ ।

ତୁମ୍ଭେ ସୃଜିଅଛ ଏହି ଚରାଚର ମହୀ

ନମସ୍ତେ ହେ ଜଗନ୍ନାଥ ପ୍ରଭୁ ଭାବଗ୍ରାହୀ ।

ଭୁଲୋକ ଯେ ଭୁବଲୋକ ସ୍ଵର୍ଗ ଲୋକ ଆଦି

ଏ ତୁମ୍ଭର ବିଶ୍ଵକାୟା ଘୋଟିଛି ଅନାଦି ।

ନିହନ୍ତା ବିହନ୍ତା ନାଥ ତୁମ୍ଭେ ମୋକ୍ଷପାନ

ଶୁଭାଶୁଭକର୍ତ୍ତା ତୁମ୍ଭଠାରୁ ନାହିଁ ଆନ ।

ସ୍ଵାମୀ ଅଜ୍ଞାନ ପାମର ଜରାସନ୍ଧ ଛାର

ନ ଜାଣି ତୁମ୍ଭ ସଙ୍ଗରେ କରଇ ସମର ।

କୃପାସିନ୍ଧୁ ନାଥ ତୁମ୍ଭେ ଶରଣପଞ୍ଜର

କାର୍ଯ୍ୟ ନିମନ୍ତେ ସହୁଛ ଅସୁର ଦୁର୍ଭାର ।

ନିହନ୍ତା ବିହନ୍ତା ନାଥ ହେ ଧର୍ମ ପୁରୁଷ

ତୁମ୍ଭେ ଇଚ୍ଛା କଲେ ଜରାସନ୍ଧ ଯିବ ନାଶ ।

ତୁମ୍ଭେ ଅନୁଗ୍ରହ କରି ଅଇଲ ମୋ ପୁରେ

ଡଗରା ବାର୍ତ୍ତା କହିଲା ରାଜାର ଆଗରେ ।

ତହିଁ ନିମନ୍ତେ ପେଷିଲା ମୋତେ ଆଗକରି

ବୋଇଲା ତୁ ରାମକୃଷ୍ଣ ଦିଅ ଆଣି ଧରି ।

ଦଣ୍ଡେ ବିଶ୍ରାମ ନ କରି ପେଷିଲାକ ବେଗେ

ସଇନି ଘେନିଣ ପଛେ ଆସୁଛି ବୈରାଗେ ।

ଶ୍ରୀକୃଷ୍ଣ ବୋଇଲେ ପଦ୍ମକେଶରୀ କି ଚାହିଁ

ଲକ୍ଷେ ଜରାସନ୍ଧ ହେଲେ ମୋର ଭୟ ନାହିଁ ।

ସବୁ ରାଜାଙ୍କର ସୈନ୍ୟ ପରାଇ ମୁଁ ମାରି

ଦେବକାର୍ଯ୍ୟ ପାଇଁ ମାତ୍ର ଅଛି ଅପସରି ।

ଏସନକ ବିଚାର ସେ କରନ୍ତେଣ ବସି

ଡଗରା ପୁଣି ବାରତା କହିଲାକ ଆସି ।

ଭୋ ଦେବ ସାବଧାନରେ ଶୁଣିମା ଗୋସାଇଁ

ସମଦଣ୍ଡ ଘେନି ଜରା ଆସୁଅଛି ବାହି ।

ଚାରି ଊଣା ଲକ୍ଷେ ନରପତିଙ୍କ ସଇନି

ପାଦଭରେ କମ୍ପମାନ ସକଳ ମେଦିନୀ ।

ଷାଠିଏ ଯୋଜନ ମାଡ଼ି ଆସୁଅଛି ଥାଟ

ଖାଲ ଡିଙ୍ଗର ଭାଙ୍ଗିଣ ସବୁ ହେଲା ବାଟ ।

ଏହିକ୍ଷଣି କଟକକୁ ବେଢ଼ିବେ ଭୋ ଦେବ

ଜଗନ୍ନାଥ ବୋଇଲେକ ତହୁଁ କି ମିଳିବ ।

ଅନିମିତ୍ତେ ଦ୍ଵନ୍ଦ୍ଵ କରିବାଟି କିସ ଅର୍ଥେ

ଏହା କହି ବାହାରିଲେ ହଳୀ ଜଗନ୍ନାଥେ ।

ପଦ୍ମକେଶରୀ ରାଜା ତା ସୁକୁଟୁମ୍ବ ଘେନି

ରାମକୃଷ୍ଣ ପାଦେ ପଡ଼ି ହୋଇଲା ଦଇନୀ ।

ତାହାକୁ ରୁହାଇ ତହିଁ ହଳୀ ବନମାଳୀ

ରାଜ୍ୟରୁ ବାହାର ନଇର୍ଋତ କୋଣେ ଚଳି ।

ଜରାସନ୍ଧ ରାଜା ଦଣ୍ଡ ଘେନି ଆସୁଥିଲା

ମାଲ୍ୟବନ୍ତ ପର୍ବତରେ ଦୂତ ଜଣାଇଲା ।

ଭୋ ଦେବ ସାବଧାନରେ ଶୁଣ ନୃପସାଇଁ

ଯହିଁ ନିମନ୍ତେ ଆସୁଛ ତୁମ୍ଭେ ସୈନ୍ୟ ବାହି ।

ପଦ୍ମକେଶରୀ ରାଜ୍ୟରେ ରାମକୃଷ୍ଣ ଥିଲେ

ତୁମ୍ଭର ଯିବାର ସେହୁ ବାରତା ପାଇଲେ ।

ଏହିକ୍ଷଣି ବାହାରିଣ ଗଲେ ଦେବ ତହୁଁ

ଏ ମାଲ୍ୟବନ୍ତ ପର୍ବତେ ଲୁଚି କହୁଁ କହୁଁ ।

ମଗଧେଶ୍ଵର ବୋଇଲା ମୋର ଏଡ଼େଭାଗ୍ୟ

ସତେ କିବା ରାମକୃଷ୍ଣ ପଡ଼ିବେ ମୋ ଆଗ ।

ଡଗରା ବୋଇଲା ଆମ୍ଭେ ପଦ୍ମଦଳେ ଥିଲୁ

ରାମକୃଷ୍ଣ ପଳାଇବା ନୟନେ ଦେଖିଲୁ ।

ଯେ ଯାହା ପାଖରେ ତୁମ୍ଭେ ଜଗିଥାଅ ଗାଢ଼

ଶତେ ପୁର କରି ମାଲ୍ୟବନ୍ତ ଗିରି ବେଢ଼ ।

ରାଜାର ଆଜ୍ଞାରେ ସୈନ୍ୟ ପର୍ବତ ବେଢ଼ିଲେ

ଆଡ଼ତିଆ ଅନୁସରି ଚୌପାଶେ ଲୋଡ଼ିଲେ ।

ଗିରି ଖୋଲ ଖଣା ଚାରିପାଶ ଅନୁସରି

ଅନେକ ଯତ୍ନେ ଲୋଡ଼ନ୍ତି ତହିଁ ରାମ ହରି ।

ରାମକୃଷ୍ଣ ସନ୍ଦେଶ ନ ପାଇଲେକ ଲୋଡ଼ି

ଜରାସନ୍ଧ ଅଗ୍ରତରେ କହିଲେ ବାହୁଡ଼ି ।

ଶୁଣି ମଗଧ ଈଶ୍ଵର ହେଲା ମହାରୋଷ

ପରିତାପେ ବୋଇଲେ ସେ ଚାହିଁ ଦମଘୋଷ ।

ଆମ୍ଭେ ଅନେକ ପ୍ରକାରେ କଲୁ ନାନା ବୁଦ୍ଧି

କୌଣସି ପ୍ରକାରେ ନୋହିଲା ତ କାର୍ଯ୍ୟ ସିଦ୍ଧି ।

ବଡ଼ଇ ମାୟାଧର ସେ ରାମ ବନମାଳୀ

ଧରି ନ ପାରିଲା ତାଙ୍କୁ ଆସୁ ମୋହ ଭଳି ।

ଚାରି ଊଣା ଲକ୍ଷେ ରାଜା ଚତୁରଙ୍ଗ ବଳ

ମୋହର ନିମନ୍ତେ ସର୍ବେ କଲେ ଅଙ୍ଗଛଳ ।

ରଥୀ ମହାରଥୀ ସୈନ୍ୟ ପଦାତି ସହିତେ

ଅମନାତ୍ୟବୃନ୍ଦ ମୋର ରହିଛନ୍ତି କେତେ ।

ଜନମୁଖେ ଅପକୀର୍ତ୍ତି ହେଲା ମୋତେ ଲାଜ

ଶ୍ରମ ମାତ୍ର ପାଇଲଇଁ ନୋହିଲା ତ କାର୍ଯ୍ୟ ।

ଆବର ରାଜପଣରେ ନାହିଁ ମୋର ଇଚ୍ଛା

କରିବଇଁ ଦେଶାନ୍ତର ବହି ଋଷି ଦୀକ୍ଷା ।

ଅନେକ ବଧୂ ମୋହର ହୋଇଲେ ବିଧବା

ରାଜ୍ୟକୁ ଗଲେ ମୋତେକି ବୋଲିବେ ସେ ଅବା

ସରିଲାକ ପୁରୁଷାର୍ଥ ହେଲେ ମହାପାପୀ

ଏ ରାଜାଗଣେ ମୋତେ ନ ମାନିବେ କଦାପି ।

ଜରାସନ୍ଧ ମୁଖୁଁ ଏହି ବଚନକୁ ଶୁଣି

କରଯୋଡ଼ି କହେ ଦମଘୋଷ ନୃପମଣି ।

ତୁ ରାଜାଧିରାଜେଶ୍ଵର ଅଟୁ ମହାବୀର

ପରମ ପଣ୍ଡିତ ତୁମ୍ଭେ ଅତ୍ୟନ୍ତ ଚତୁର ।

ତୁମ୍ଭେ ତ ଆପଣେ ଜାଣ ଏହା ନୃପଶ୍ରେଷ୍ଠୀ

ହାରିବା ଜିଣିବା କ୍ଷତ୍ରୀଙ୍କର ବେଭାରଟି ।

ଦଣ୍ଡ ଭେଦି ସାମ ଆମ୍ଭେ ବିଚାରିବା ପୁଣି

ଉପାୟ ବଳରେ ସିନା ଶତ୍ରୁ ହୋଏ ଜିଣି ।

ଯେଉଁ ଶତ୍ରୁକୁ ନ ପାରି ପରାକ୍ରମ କରି

ସମୟେ କୌଶଳେ ତାକୁ ଯତ୍ନେ ସାଧ୍ୟକରି ।

ସାମାନ୍ୟ ଶତ୍ରୁ ତୋହର ନୋହେ ଯଦୁନାହା

ଜାଣୁ ନା କି କେତେ କର୍ମ କରିଅଛି ଯାହା ।

ଅତି ବଳବନ୍ତ ଅଟେ ମହାରାଜା କଂସ

ଅଷ୍ଟମଲ୍ଲ ସହିତରେ କଲା ତାକୁ ନାଶ ।

ସାନ୍ଦୀପନି ଘରକୁ ସେ ପାଠ ପଢ଼ିଗଲେ

ଚତୁର୍ଦ୍ଦଶ ଦିବସରେ ସକଳ ଶିଖିଲେ ।

ଷଡ଼ପୁତ୍ର ମରିଥିଲେ ସାନ୍ଦୀପନିଙ୍କର

ଯମପୁରୁ ଆଣି ତାକୁ ଦେଲେ ପୁନର୍ବାର ।

ରୁକ୍ମିଣୀ ହରଣ କାଳେ କି କଥା ନ କଲେ

ଲକ୍ଷେ ରାଜାଙ୍କ ମୁଖରେ କାଳି ଲଗାଇଲେ ।

ତର୍କ ତାର୍କରେ ତାହାଙ୍କୁ ଧରି ଅବା ପାରି

ନୋହିଲେ ସାଧ୍ୟ ନୁହନ୍ତି କେବେ ରାମ ହରି ।

ପଞ୍ଚଦଶ ବାର ଏବେ ହେଲା ଆମ୍ଭ ଧାଡ଼ି

କଉଣସିମତେ ସେହୁ ଧରା ତ ନ ପଡ଼ି ।

ଏ ମୋହର ବଚନକୁ ମାନ ମହାରାୟେ

ସମୟେକ କୋପ ଶାନ୍ତି କରିବା ଉପାୟେ ।

ଲେଉଟି ସମରାଜ୍ୟକୁ ଚାଲ ବେଗେ ଯିବା

ଚତୁର୍ମାସ୍ୟା ସାରି ପୁଣି ବାହୁଡ଼ି ଆସିବା ।

ସାତମାସ ହେଲା ଆମ୍ଭେ ହେଲୁଣି ନିର୍ବଳ

ଚରଣା ନ ପାଇ ଘୋଡ଼ା ହସ୍ତୀଏ ଦୁର୍ବଳ ।

ଦେଖ ଏବେ ଚତୁର୍ମାସ୍ୟା ହେଉଛି ପ୍ରବେଶ

ସର୍ବ ରାଜାମାନେ ଯାନ୍ତୁ ଯେ ଯାହାର ଦେଶ ।

ସମରରେ ପଡ଼ିଛନ୍ତି ଅପ୍ରମିତ ବଳ

ପୁଣି ଭିଆଇବେ ନୃପେ ଗଲେ ତା ସକଳ ।

ଶୁଣିଣ ମଗଧେଶ୍ଵର ସନମତ କଲେ

ସମସ୍ତ ରାଜାଏ ତାମ୍ବୁଳାଦି ଲାଗି ହେଲେ ।

ଅନେକ ପ୍ରକାରେ ରାଜା କହେ କରଯୋଡ଼ି

ଚତୁର୍ମାସ୍ୟା ଶେଷେ ତୁମ୍ଭେ ଆସିବ ବାହୁଡ଼ି ।

ରାମ କୃଷ୍ଣଙ୍କର ଯୋଗୁ ପାଇଲଇଁ ଲାଜ

ସମସ୍ତଙ୍କୁ ଲାଗେ ସିନା ଅପମାନ ବୋଝ ।

ଜରାସନ୍ଧଠାରୁ ରାଜାଗଣେ ଆଜ୍ଞାପାଇ

ଯେ ଯାହାର ରାଜ୍ୟକୁ ସେ ଗଲେ ବିଦାହୋଇ ।

ଅଙ୍ଗବଳ ସୈନ୍ୟ ଘେନି ଜରାସନ୍ଧ ରାୟେ

ମଗଧ ଦେଶରେ ଯାଇ ପରବେଶ ହୁଏ ।

ଇତି ଶ୍ରୀହରିବଂଶ ଏ ଧାଡ଼ି ଖଣ୍ଡ ପର୍ବ

ପଞ୍ଚଦଶ ଧାଡ଼ି ଜରାସନ୍ଧ ଉପଦ୍ରବ ।

ପବିତ୍ର ଶ୍ରୀଭାଗବତ ଗ୍ରନ୍ଥ ପୁଣ୍ୟମୟେ

ଇଦଂ ଦ୍ଵାଦଶ ଅଧ୍ୟାୟ ସମାପତ ହୋଏ ।

ଅଜ୍ଞାନ ମୁରୁଖ ଦୀନ ମୁଁ ଅଚ୍ୟୁତଦାସ

କେବଳ ଶ୍ରୀହରି ପଦ୍ମପାଦେ ମୋର ଆଶ ।

 

ଗୋପପୁରରୁ ଉଦ୍ଧବର ପ୍ରତ୍ୟାବର୍ତ୍ତନ

ଏଥୁଅନନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକମୁନି ଚରଣରେ କରି ଦିବ୍ୟପୂଜା ।

ବୋଇଲେ ଭୋ ମୁନି ତୁମ୍ଭ ଯୋଗେ ହରିବଂଶ

ଶୁଣି କୋଟି ଜନ୍ମ ପାପ ହେଲା ମୋର ଧ୍ଵଂସ ।

ଜରାସନ୍ଧ ପଞ୍ଚଦଶ ବାର ଧାଡ଼ି ଦେଲା

ଛୟାଣୋଇ ସସ୍ର ରାଜା ଘେନି ସେ ବାହିଲା ।

ବାଣା ବଜ୍ରନାଭ ଆଉ ଶମ୍ବର ନାରକା

ଭୀଷ୍ମ ଦ୍ରୋଣ ଅଶ୍ଵତ୍‌ଥାମା ସମସ୍ତେ ହିଁ ସଖା ।

ରଥୀ ମହାରଥୀ ସର୍ବେ ଯୁଝିଲେ ଝସାଇ

ଜିଣି ନ ପାରିଣ ଗଲେ ଅପମାନ ପାଇ ।

ରାମକୃଷ୍ଣ ମାଲ୍ୟବନ୍ତ ଗିରିରେ ଲୁଚିଲେ

ତଦନ୍ତେ ବାହୁଡ଼ିଣ ସେ କେଉଁ କୃତ୍ୟକଲେ ।

ଏକଥା ସଂକ୍ଷେପି ମୋତେ କହ ମୁନିବର

ପାଇବି ପରମ ଗତି ଶୁଣି ତୁମ୍ଭ ଗିର ।

ଏତେ ବୋଲି ମୁନିଙ୍କର ଚରଣେ ବନ୍ଦିଲେ

ଧୂପ ଦୀପ ନଇବେଦ୍ୟ ଗନ୍ଧ ପୁଷ୍ପ ଦେଲେ ।

 

ରାଜା ଭକ୍ତି ଭାବ ଦେଖି ଗ୍ରନ୍ଥକୁ ସେ ବାଛି

ସନ୍ତୋଷ ହୋଇ ପୁସ୍ତକ ଫେଡ଼ି ବ୍ୟାସବତ୍ସି ।

ଶୁଣ ପରୀକ୍ଷ ବଦନ୍ତି ମୁନି ବ୍ରହ୍ମବେତ୍ତା

ଜରା ପଞ୍ଚଦଶ ଧାଡ଼ି ଅନ୍ତେ ଯେଉଁ କଥା ।

ଚାରି ଊଣା ଲକ୍ଷେ ରାଜା ସମଦଣ୍ଡେ ଥିଲେ

ମଗଧେଶ୍ଵର ଆଜ୍ଞାରେ ଯେଝା ରାଜ୍ୟେ ଗଲେ ।

ମାଲ୍ୟବନ୍ତେ ରାମକୃଷ୍ଣ ଦୁହେଁ ଥିଲେ ଲୁଚି

ଦେଖିଲେ ସେ ଜରାସନ୍ଧ ପଳାଇଲା ଘୁଞ୍ଚି ।

ତହୁଁ ବାହାର ହୋଇଲେ ରାମ ବନମାଳୀ

ଏକାଦିନେକ ମଥୁରା କଟକରେ ମିଳି ।

ଦେଖିଲେ ରାଜ୍ୟ ପକାଇଅଛି ସେ ଉଜାଡ଼ି

ବେଶ ଗୃହ ଗଡ଼ ଆଦି ଯାଇଅଛି ପୋଡ଼ି ।

ପ୍ରଜାଙ୍କ ବିପୁଳ ଲକ୍ଷ୍ମୀ ସୁନା ଧନଧାନ୍ୟ

ମେଢ଼ ମଣ୍ଡପ ଅଟ୍ଟାଳୀ ହୋଇଅଛି ଭଗ୍ନ ।

ତପୀ ଭଗବାନ ସାଧୁ ଜ୍ଞାନୀଜନ ପ୍ରଜା

ପାତ୍ର ମନ୍ତ୍ରୀ ଆଦି କରି ଉଗ୍ରସେନ ରାଜା ।

ଜରାସନ୍ଧ ଭୟେ ଛାଡ଼ି ପଳାଇଣ ଥିଲେ

ବାର୍ତ୍ତା ପାଇ ମଥୁରାରେ ଆସି ଠୁଳ ହେଲେ ।

ଚୌରାଶୀକୋଟି ଯାଦବ କୁଟୁମ୍ବ ସହିତେ

ନିଜ ସ୍ଥାନ ଆବୋରିଣ ରହି ଯେଝାମତେ ।

ହାଟୁଆ ବାଟୁଆ ଆଦି ବଣିକ ସକଳ

କ୍ରମେ କ୍ରମେ ଆସି ସର୍ବେ ହୋଇଲେକ ଠୁଳ ।

ଶାଢ଼ୀ ମଣ୍ଡପ ଚାନ୍ଦୁଆ ଲୁଗାମାନ ଟାଣି

ଯେଝା ସ୍ଥାନରେ ରହିଲେ ସକଳ ପରାଣୀ ।

ଉଗ୍ରସେନ ବସୁଦେବ ପୁତ୍ରକୁ ଦେଖିଲେ

କୁଳଧର୍ମ ଯେଝା ମାନ୍ୟ ବିଚାରି ସେ କଲେ ।

ଦେଖନ୍ତି ସେ ଭଗ୍ନରଥ ହୋଇ ଯୋଡ଼ାଯୋଡ଼ା

ପର୍ବତ ସମାନ ପଡ଼ିଛନ୍ତି ପାଶେ ମଡ଼ା ।

ଛତିଶ କୁଳ ପାଟକ ଅଷ୍ଟାଦଶ ଜାତି

ହସ୍ତୀଘୋଡ଼ା ନରମୁଣ୍ଡେ ପୂରିଅଛି କ୍ଷିତି ।

ଗଡ଼ ଦୁଆର କବାଟ ହୋଇଅଛି ଭଗ୍ନ

ପୂଜାପୀଠ ମଣ୍ଡପାଦି ପଡ଼ି ଛିନ୍ନଭିନ୍ନ ।

ଲୋକଙ୍କ ଉଚ୍ଛନ୍ନ ଦେଖି ଶ୍ରୀରାମ କହ୍ନାଇ

ଏକାନ୍ତରେ ଆଜ୍ଞା ଦେଲେ ବିଶ୍ଵକର୍ମା ରାଇ ।

ନାରାୟଣ ବୋଲନ୍ତି ହେ ବିଶ୍ଵକର୍ମା ଶୁଣ

ମଥୁରା କଟକ ଗୋଟି ଏକ୍ଷଣି ନିର୍ମାଣ ।

ଯେମନ୍ତେ ଗଡ଼ ପାତନା ହୋଇଥିଲା ପୂର୍ବେ

ତହୁଁ ଶତେକ ଗୁଣରେ ନିରିମାଣ ଏବେ ।

ବିଶ୍ଵକର୍ମା ବୋଲେ ତୁମ୍ଭେ ଅଟ ଅନ୍ତର୍ଯ୍ୟାମୀ

ତୁମ୍ଭର ଆଜ୍ଞାରେ ଗଡ଼ ଭିଆଇବି ପୁଣି ।

ଅପୂର୍ବ ଗଡ଼ ହୋଇବ ଇନ୍ଦ୍ରପୁର ଜିଣି

ନିରିମାଣି ଦେବି ଶତେ ଗୁଣେ ଚକ୍ରପାଣି ।

ବିଚାର କରୁ କରୁ ସେ ସୂର୍ଯ୍ୟହେଲେ ଶେଷ

ଅନ୍ନ ବ୍ୟଞ୍ଜନ ଭୁଞ୍ଜିଣ ସର୍ବେ ହେଲେ ତୋଷ ।

ଭଗ୍ନ ଗଡ଼ ଭିତରେ ସେ ସୁଖେ ନିଦ୍ରା ଗଲେ

ଶୁଣ ପରୀକ୍ଷ ନୃପତି ଶ୍ରୀ ଶୁକ କହିଲେ ।

ଏଥୁଅନନ୍ତରେ ସାତଘଡ଼ି ଯେ ରଜନୀ

ବିଶ୍ଵକର୍ମା ମିଳେ ନିଜ ଶସ୍ତ୍ର କରେ ଘେନି ।

କୋଟିଏ ରୂପ ବହିଲେ ଆଜ୍ଞାରେ ଆପଣେ

ନିଃଶ୍ଵାସ ମାତ୍ରକେ ପୁର ସୃଜିଲେ ତକ୍ଷଣେ ।

ମେଢ଼ ମଣ୍ଡପ ଅଟ୍ଟାଳି ଜଗତୀ ଦେଉଳ

ହାଟ ବାଟ ପେଣ୍ଠ ଅଶ୍ଵଘର ଗଜଶାଳ ।

ମେଘନାଦ ପାଚେରୀ ଯେ ଅଙ୍କିତ ପାତନା

ପୂର୍ବ ଅଧିକ ସୁନ୍ଦର ହୋଇଲା ଘଟନା ।

କେତେହେଁକେ ବଳେ ଯହୁଁ ଫିଟିଲା ତିମିରୀ

ନିଦ୍ରା ଭାଙ୍ଗନ୍ତେ ଯାଦବେ ଉଠିଲେ ଉଭାରି ।

ଦେଖିଲେକ ଗୃହମାନ ହୋଇଅଛି ସଞ୍ଚ

ନାହିଁ ପଟାନ୍ତର ସ୍ଵର୍ଗ ପାତାଳ ଯେ ମଞ୍ଚ ।

ଭଙ୍ଗା କାନ୍ଥ ବାଡ଼ ଶୋଭା ଅତ୍ୟନ୍ତ ଦିଶିଲା

ଅମର ପୁର ପରାୟେ ଜ୍ୟୋତି ପ୍ରକାଶିଲା ।

ଘରେ ଘରେ ପୂରିତ ଯେ ସ୍ଵର୍ଣ୍ଣ ବିପତନ

ନେତ ସିନ୍ଧୁଆ ପତନି ଚିରାଳ ଶୋଭନ ।

କୁବେର ଅଳକା କିବା ରତ୍ନାକର ପୁର

କି ଅବା ବିଷ୍ଣୁ ମନ୍ଦିର କିବା ଶିବାଗାର ।

ଦେଖିଣ ଯାଦବେ ମନେ ଆଶ୍ଚର୍ଯ୍ୟ ବିଚାରି

ବୋଇଲେ କିମ୍ଭୁତ ମାୟା ଜାଣିତ ନ ପାରି ।

ପ୍ରତ୍ୟକ୍ଷେ ଦେଖିଲୁ ଜରାସନ୍ଧ ଗଲା ପୋଡ଼ି

ଅଦଭୂତେ ଦ୍ରବ୍ୟ କାହୁଁ ଅଇଲା ବାହୁଡ଼ି ।

କେହୁ ବୋଲନ୍ତି ଏ ଅଟେ ଜଳନ୍ଧର ମାୟା

କେ ବୋଲେ ବିଧାତା ଅବା କରିଲା ସୁଦୟା ।

ସବୁକାଳେ ପ୍ରାଣୀମାନେ ନୁହନ୍ତି ତ ଦୁଃଖୀ

ସମୟେ ଲଭନ୍ତି ଦୁଃଖ ସମୟରେ ସୁଖୀ ।

ଅନିତ୍ୟ ସଂସାର କେହି କାହାର ନୁହଇ

ତାଳ ଛାଇପରି ଯୁଗଗୋଟି ବହିଯାଇ ।

ନ ଜାଣିଣ ଜରାସନ୍ଧ ଅର୍ଜ୍ଜୁଅଛି ଦ୍ଵନ୍ଦ୍ଵ

ଥୋକାଏ ଦିନରେ ନିଶ୍ଚେଁ ହେବ ପ୍ରାଣେବଧ ।

ଚକ୍ରକୂଟ ମାୟାଧର ଅଚନ୍ତି ଶ୍ରୀହରି

କଲାକର୍ମମାନ ଯେହୁ ପାରେ ଆନକରି ।

ରାମକୃଷ୍ଣ ଆହ୍ଲାଦରେ ଆପଦ ଯେ ନାହିଁ

ସର୍ବେଶ୍ୱର ନାଥ ଯେଣୁ ଅନ୍ତର୍ଯ୍ୟାମୀ କହି ।

ପୃଥିବୀର ଭାରାଭାର ନିବାରିବା ପାଇଁ ।

ଏହି ପ୍ରଭୁ ସୃଜିଛନ୍ତି ଚରାଚର ମହୀ ।

ଏ ସେ ଅପାର ମହିମା ଦେଖାଇଲେ ଆଣି

ଏହାଙ୍କ ଯୋଗରୁ ଆମ୍ଭେ ଦୁଃଖକୁ ନ ଗଣି ।

ଯୁକତେ ଯାଦବମାନେ ଦେବ ଅବତାର

ଜଣ ଜଣକେ ନିର୍ମାଣି ପାରନ୍ତି ସଂସାର ।

ଜାତି କୁଳ ପୌରୁଷ ମହତ ଗୁଣଶୀଳ

ତିନିପୁରେ ଶୁଭିଲାକ ଯାଦବ ଚହଳ ।

ମହତ୍ତ୍ଵ ମର୍ଯ୍ୟାଦାବନ୍ତ ସକଳେ ଆଚାରୀ

ଯେ ବଂଶେ ଜନମିଛନ୍ତି ପ୍ରଭୁ ନରହରି ।

କହିଲେ ଯେ ନ ସରଇ ଯାଦବ ମହିମା

ପାଞ୍ଚ ଯୋଜନ ଅଟଇ ମଥୁରାର ସୀମା ।

ଯେତେକ ରହିଅଛନ୍ତି ତହିଁ ନରନାରୀ

ଲକ୍ଷ୍ମୀଙ୍କ ପ୍ରସାଦେ ସର୍ବେ ଭଣ୍ଡାରାଧିକାରୀ ।

ଜରାସୈନ୍ୟ ଯେଉଁ ରାଜ୍ୟ ଭାଙ୍ଗି ପକାଇଲେ

ପୁନରପି ସେ ସମ୍ପଦ କ୍ଷଣକେ ପାଇଲେ ।

ଯେଝା ଆଶ୍ରମରେ ଆସି ମିଳି ଜନପ୍ରଜା

ନବରେ ବିଜୟ କଲେ ଉଗ୍ରସେନ ରାଜା ।

ସାତ୍ୟକି ଅକ୍ରୂର ଅନାଧୃଷ୍ଟ ସସ୍ରାଜିତ

ଯେଝାର ପୁରେ ରହିଲେ ଯାଦବ ସମସ୍ତ ।

ବସୁଦେବ ଅଗ୍ରେ ମିଳି ରାମ ବନମାଳୀ

ତୋଷେ ଦେବକୀ ବନ୍ଦାଣ କଲେ ଅର୍ଘ୍ୟଥାଳି ।

ପିତାମାତାଙ୍କୁ ପ୍ରଣାମ କରି ଦେବରାୟେ

ମହାସୁଖରେ ରହିଲେ ତହିଁ ବିଶ୍ଵକାୟେ ।

ଏଥୁଅନନ୍ତରେ ଗ୍ରୀଷ୍ମଋତୁ ହେଲା ଶେଷ

ବରଷା ଋତୁ ଆସିଣ ହୋଇଲା ପ୍ରବେଶ ।

ଆଷାଢ଼ ପୌର୍ଣ୍ଣମୀ ତିଥି ଶୁକ୍ଳ ଚନ୍ଦ୍ରବାର

ପୂର୍ବାଷାଢ଼ା ନକ୍ଷତ୍ର ଯେ ଭୋଗ ସେ ଦିନର ।

ନବତନ ମେଘ ଆସି ହୋଇଲା ଉଦୟ

ମେଦିନୀ ଦିଶିଲା ସବୁ ଅନ୍ଧକାର ମୟ ।

ଦୁସ୍ତର ମେଘ ଉଠିଣ ବରଷଇ ଜଳ

ଧରଣୀର ତୃଣପୂର୍ଣ୍ଣ ପଲ୍ଲବିଲେ ଡାଳ ।

ମେଘ ଘଡ଼ଘଡ଼ି ଗରଜନ ଘୋର ରଡ଼ି

ଉଛୁଳେ ଯମୁନା ଉଠେ ତରଙ୍ଗ ଲହରୀ ।

ଏପରି ବରଷାକାଳେ ରାତ୍ର ଘଡ଼ିମାନେ

ଉଦ୍ଧବେ ଚିନ୍ତିଲେ ବଳରାମ ଭଗବାନେ ।

ବୋଇଲେ ବରଷେ ହେଲା ଗୋପନଗ୍ରେ ଗଲା

ବାରତାଘେନି ଲେଉଟି ସେହୁ ତ ନଇଲା ।

ଏତେ ଭାଳି ସୁମରଣା କଲେ ନନ୍ଦଚାଟ

ତତକ୍ଷଣେ ଉଦ୍ଧବଙ୍କୁ ଲାଗିଲା ଉଚ୍ଚାଟ ।

ଖୁଡ଼ ମହାଖୁଡ଼ ଆଦି ଗୋପାଳ ସକଳ

ଚନ୍ଦ୍ରସେଣା ଆଦିକରି ଯେତେକ ଗୋପାଳ ।

ଯଶୋଦା ନାରୀ ଆବର ରାଧିକା ସୁନ୍ଦରୀ

ସମସ୍ତଙ୍କୁ ଉଦ୍ଧବ ଯେ ମାନ୍ୟବିଧି କରି ।

ବୋଇଲା ଯହିଁ ନିମନ୍ତେ ପେଷିଥିଲେ ହରି

ମୁହିଁ ସେହି କଥା ଜାଣିଅଛି ତଥ୍ୟକରି ।

ଏବେ ମୁହିଁ ମଥୁରାକୁ ଯାଉଛି ଫେରିଣ

କହିବଇଁ ତୁମ୍ଭ କଥା ରାମ କୃଷ୍ଣେ ଜାଣ ।

ୟା ଶୁଣି ଗୋପାଳମାନେ ଆଶ୍ଚର୍ଯ୍ୟ ହୋଇଲେ

ଆଉ ଦିନାକେତେ ଥାଅ ବୋଲିଣ କହିଲେ ।

ଉଦ୍ଧବ ବୋଇଲେ ମୁହିଁ ଧାତିକାରେ ଯିବି

ରାମ କୃଷ୍ଣଙ୍କୁ ଘେନିଣ ଦ୍ଵିଦିନେ ଆସିବି ।

ନନ୍ଦ ଯଶୋଦା ବୋଇଲେ ଉଦ୍ଧବଙ୍କୁ ଚାହିଁ

ତୁମ୍ଭର ଆସିବା ବାଟ ଥିବୁଟି ଅନାଇ ।

ଅନେକ ବିନୟୀ ହୋଇ ତାଙ୍କୁ ଘେନି ଆସ

ଚନ୍ଦ୍ରମା ବଦନ ଦେଖି ହେବୁ ମହାତୋଷ ।

ଉଦ୍ଧବ ବୋଇଲା ଏଥେ ମିଥ୍ୟା କେବେ ନାହିଁ

ନିଶ୍ଚୟ ପୁଅଙ୍କୁ ତବ ଆଣିବି କଢ଼ାଇ ।

ଯାହା ମୁହିଁ ଆସି ଏଥେ ତୁମ୍ଭଙ୍କୁ ଦେଖିଲି

କୋଟି ଜନମ ପାତକ ସକଳ ନାଶିଲି ।

ଗୋପନଗ୍ରେ ଯେତେ ତୁମ୍ଭେ ସାମାନ୍ୟତ ନୁହ

ନିଶ୍ଚୟ ଜାଣିଲି ସର୍ବେ ଶ୍ରୀକୃଷ୍ଣର ଦେହ ।

ବାଳଲୀଳା ସମୟରୁ କୃଷ୍ଣେ କଲ ସେବା

ପୁଣ୍ୟବନ୍ତ ଦେହୀ ତୁମ୍ଭେ କି ତୁଳନା ଦେବା ।

ଧନ୍ୟ ଏ କାଳିନ୍ଦୀ ନଦୀ ଧନ୍ୟ କୁଞ୍ଜବନ

ଧନ୍ୟ ଏ ଗୋପ ନଗରୀ ଧନ୍ୟ ସର୍ବଜନ ।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଯାକୁ କରି ଲୟେ

ଦେଖିଲେ ଯେ ବିଶ୍ଵରୂପୀ ଦେବଜ୍ୟୋତିର୍ମୟେ ।

ଏତେ ବୋଲି ଗୋପାଳଙ୍କୁ ବହୁ ପ୍ରଶଂସିଲେ

ରାମ କୃଷ୍ଣ ଆଣିବଇଁ ପ୍ରବୋଧ କହିଲେ ।

ଉଦ୍ଧବଙ୍କୁ ନନ୍ଦ ଆଣି ବହୁଧନ ଦେଲେ

ଗୁପତ ବାରତା ତାଙ୍କୁ ଏକାନ୍ତେ କହିଲେ ।

ଯଶୋଦା ବୋଇଲେ ଚାହିଁ ଉଦ୍ଧବଙ୍କୁ ପୁଣି

ନ ଆଣିଲେ କୃଷ୍ଣ ହେବ ହତ୍ୟାର କାରେଣି ।

ନନ୍ଦ ବୋଇଲେ ବିଳମ୍ବ ହେଲେ ମୁହିଁ ଯିବି

ଦୁହିଁଙ୍କର ଭୂଜ ଧରି ଓଟାରି ଆଣିବି ।

ଛଦ୍ମ ଭାବରେ ଭଣ୍ଡିଲେ ରାମ ଭଗବାନ

ଦିନେକ ଆସିବୁ ବୋଲି ଗଲା ଏତେ ଦିନ ।

ଗୋପୀମାନେ ବୋଇଲେ ଯେ ଉଦ୍ଧବଙ୍କୁ ଚାହିଁ

ଜଣ ଜଣକେ ସମସ୍ତେ ଅଟୁ ତାଙ୍କ ଦେହୀ ।

ସେ ଅବା ଆମ୍ଭ ଉପରୁ ଛାଡ଼ିଦେଲେ ସ୍ନେହ

ଦିନେ ଓଳିକ ଅନ୍ତରେ ଉଠେ ଆମ୍ଭ କୋହ ।

ରଖୁଆଳ ବାଳଯାଏ ଆସି ଆଗଭରି

ଜଣ ଜଣକେ ସନ୍ଦେଶ କହିଲେ ଯେଝାରି ।

ସମସ୍ତଙ୍କୁ ଉଦ୍ଧବ ଯେ ପ୍ରବୋଧି ଏମନ୍ତ

ଅବଶ୍ୟ ଘେନି ଆସିବି ନ ହୁଅ ଚିନ୍ତିତ ।

ଏହିପରି ଉଚ୍ଚବାଚେ ପାହିଲା ରଜନୀ

ଦେବତାଙ୍କ ଆଳୟରେ ଶୁଭେ ଶଙ୍ଖଧ୍ଵନି ।

କାକ କୁମ୍ଭାଟୁଆ ରାବଦେଲେ କୋଳାହଳ

ସ୍ଵଭାବରେ ପୂର୍ବଦିଗ ଦିଶିଲା ଉଜ୍ଜ୍ଵଳ ।

ଉଦ୍ଧବ ଏକାଳେ ନନ୍ଦଠାରୁ ବିଦା ହୋଇ

ନିତ୍ୟକର୍ମ ସାରି ରଥେ ଆରୋହିଲେ ଯାଇ ।

ରଜନୀ ପାହିଲେ ଆସି ହେବ ଗୁରୁବାର

ଶ୍ରୀହରି ସ୍ମରି ଉଦ୍ଧବ ହୋଇଲେ ବାହାର ।

ରଥ ଚଳାଇଣ ତହୁଁ ଯାଇ ଅତିବେଗେ

ପାଞ୍ଚଦଣ୍ଡେ ପହଞ୍ଚିଲେ ମଥୁରାର ରାଜ୍ୟେ ।

ଦେଖିଲେ ମଥୁରା ଗଡ଼ ନୂତନ ଘଟଣା

ପାଞ୍ଚତାଳ ଗଭୀରରେ ଚଉପାଶେ ଖଣା ।

ଅଳକା ଭୁବନ ପ୍ରାୟେ ଦିଶେ ଶୋଭାବନ

ମୁକତି ମନ୍ଦିରେ ଯେହ୍ନେ ପୁଣ୍ୟବନ୍ତ ଜନ ।

ଯାଦବେ ତେସନେ ତହିଁ କରନ୍ତି ବିହାର

ରାମ କୃଷ୍ଣ ଆହ୍ଲାଦରେ ନାହିଁ ତାଙ୍କୁ ଡର ।

ଦେଖିଣ ଉଦ୍ଧବ ନିଜ ମନରେ ବିଚାରେ

ଜରାସନ୍ଧ ଭାଙ୍ଗିଥିଲା ଏ ଗଡ଼ କ୍ରୋଧରେ ।

ଗତୁଁ ଶତେଗୁଣ ଏବେ ହୋଇଲା କେମନ୍ତେ

ଆଶ୍ଚର୍ଯ୍ୟ ପରାୟେ ଏହା ଲାଗୁଅଛି ମୋତେ ।

ପୁଣି ବିଚାରଇ ଯହିଁ ବିଜେ ବ୍ରହ୍ମରାଶି

କ୍ଷଣକରେ କୋଟିଲକ୍ଷ୍ମୀ ମିଳିପାରେ ଆସି ।

ଏତେ ବିଚାରିଣ ତହିଁ ଗମେ ଶୀଘ୍ର ହୋଇ

ବାସୁଦେବ ମନ୍ଦିରରେ ପ୍ରବେଶିଲେ ଯାଇ ।

ଦ୍ଵାରରେ ରଥ ରୁହାଇ ଭିତରରେ ପଶି

ଚନ୍ଦ୍ରଶାଳା ପୁରେ ଭେଟିଲାକ ବ୍ରହ୍ମରାଶି ।

ଇନ୍ଦ୍ର ଦେଇଛନ୍ତି ଦଶସହସ୍ର ନାୟିକା

ବିହାର କରନ୍ତି ସ୍ଵାମୀ ଘେନିଣ ଯେ ଏକା ।

ନିଅବକାଶେ ବିଜୟ ଲକ୍ଷ୍ମୀଦେବୀ ସାଇଁ

ଭୁଟିଭାଟି ହୋଇକରି ଉଦ୍ଧବ ଚଳଇ ।

ଦୂରରୁ ତୁଣ୍ଡ ଶୁଣାଇ ଭିତରକୁ ଗଲେ

ନିଉଛାଳି କରି ପାଦପଦ୍ମରେ ପଡ଼ିଲେ ।

ଉଠ ଉଠ ବୋଲି ଆଜ୍ଞାଦେଲେ ଦେବହରି

ଗୋପନଗରରେ ଶୁଭ କହ ତ ବିଚାରି ।

ଉଦ୍ଧବ ବୋଲଇ ଗୋପ ନଗର ବୃତ୍ତାନ୍ତ

ମନ ଦେଇକରି ତୁମ୍ଭେ ଶୁଣ ଲକ୍ଷ୍ମୀକାନ୍ତ ।

ଜଣ ଜଣକେ ତୁମ୍ଭର କୁଶଳ ପୁଚ୍ଛିଲେ

ନନ୍ଦ ଯଶୋଦା ତୁମ୍ଭଙ୍କୁ ଯିବାକୁ କହିଲେ ।

ଶୁଣିକରି ସନ୍ତୋଷ ଯେ ଲକ୍ଷ୍ମୀଦେବୀ କାନ୍ତ

ବୋଇଲେ ଯିବାକୁ ଅଛି ଆମ୍ଭ ମନୋରଥ ।

କିଛି ଦିନରେ ଅବଶ୍ୟ ଆମ୍ଭେ ଗୋପେ ଯିବୁ

ପ୍ରିୟଜନ ପିତାମାତା ବନ୍ଧୁଙ୍କୁ ଦେଖିବୁଁ ।

ଉଦ୍ଧବ ବୋଇଲେ ତୁମ୍ଭେ ସଂସାରର ନାହା

ମୁଁ କିସ କହିବି ତୁମ୍ଭେ ନ ଜାଣ ବା କାହା ।

ଯାହାର ଶରୀରେ ବିଶ୍ଵ ବ୍ରହ୍ମାଣ୍ଡ ପୂରିଛି

ସଂସାରେ ଉବାର ତାଙ୍କୁ ନାହିଁ ପୁଣି କିଛି ।

ଗୋପନଗ୍ରେ ଲୋକେ ତୁମ୍ଭନାମ ଜପୁଛନ୍ତି

କ୍ଷଣେ କ୍ଷଣେ ସୁମରିଣ ମୂର୍ଚ୍ଛିତ ହୁଅନ୍ତି ।

ଏସନକ ବିଚାରନ୍ତେ ସାତଘଡ଼ି ବେଳ

ମଣୋହିକି ବିଜେ କଲେ କୃଷ୍ଣ କାମପାଳ ।

ଉଦ୍ଧବକୁ ସଙ୍ଗେ ଘେନି ମଣୋହିକୁ ଗଲେ

ସବୁଙ୍କୁ ଦେବକୀ ଆଣି ଅନ୍ନ ପରଷିଲେ ।

ଆଚମନ ସାରି କଲେ ତାମ୍ବୁଳ ଭୋଜନ

ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ରାଜନ ।

ଅଚିନ୍ତେ ଯାଦବମାନେ ରହି ନିଜ ପୁରେ

ନିତ୍ୟକର୍ମ ବିଧାନରେ ଲାଗିଲେ ଯେଝାରେ ।

ରାଜ୍ୟ ଅଧିକାର କରି ଉଗ୍ରସେନ ରାଜା

ଉପଦ୍ରବ ବାଧା ନାହିଁ ପାଳନ୍ତି ପରଜା ।

ପାଖଲୋକେ ନିଯୋଗରେ ହୋଇଥାନ୍ତି ମେଣ୍ଟ

ଅଚିନ୍ତେ ପ୍ରଜାପାଳନ୍ତି ହୋଇ ସମରାଷ୍ଟ୍ର ।

ଜୟ ଜୟ ଜଗନ୍ନାଥ ପ୍ରଭୁ ବିଶ୍ଵମୟ

ଅଲେଖ ଅଚିନ୍ତ୍ୟ ଶୁଦ୍ଧ ଅଟେ ଯାର କାୟ ।

ନୟନ କମଳ ତୁଲ୍ୟ ସୁଧା ଯାର ବାଣୀ

ସପତ ବ୍ରହ୍ମାଣ୍ଡ ଗର୍ଭେ ଅଛି ଯାର ପୁଣି ।

ପକ୍ଵ ବିମ୍ବଫଳ ପ୍ରାୟ ସୁରଙ୍ଗ ଅଧର

ଆଜାନୁଲମ୍ବିତ ବାହୁ ଅତି ମନୋହର ।

ସୁବିଶାଳ ବକ୍ଷସ୍ଥଳେ ବନମାଳ ଲୋଟି

ହର ଡମ୍ବରକୁ ଜିଣି ଶୋଭାପାଏ କଟି ।

ହୀରା ନୀଳା ବଇଡୁର୍ଯ୍ୟ ପ୍ରବାଳ ମୁକୁତା

ଯେଉଁ ଶ୍ରୀଅଙ୍ଗରେ ଥାଇ ଦିଶନ୍ତି ଶୋଭିତା ।

ଜାତୀ ଯୂଥୀ ପାରିଜାତ ସେବତୀ ବକୁଳ

ଦୟଣା ସହିତେ ଶୋହେ ତୁଳସୀର ମାଳ ।

ସିନ୍ଧୁତଟ ବଟବୃକ୍ଷ ନିକଟରେ ବିଜେ

ଅଷ୍ଟରତ୍ନ ସିଂହାସନେ ପ୍ରଭୁ ଦେବରାଜେ ।

ଚତୁର୍ଦ୍ଧା ମୂରତି ଧରି ଭକ୍ତ ଜନ ହିତେ

କଳିଯୁଗେ ଅବତାର ଆପେ ଜଗନ୍ନାଥେ ।

ଛାମୁରେ ବିନତାସୁତ ଅଛି ଖଗେଶ୍ଵର

ଅନ୍ନ ବ୍ୟଞ୍ଜନାଦି ଭୋଗ ଅନେକ ପ୍ରକାର ।

ତେତିଶ କୋଟି ଦେବଙ୍କୁ ଘେନିଣ ସଙ୍ଗତେ

କଳ୍ପତରୁ ସିଂହାସନେ ବିଜେ ଜଗନ୍ନାଥେ ।

ଏକବାର ଦରଶନେ ସର୍ବପାପ ଖଣ୍ଡି

ନାମ ସୁମରନ୍ତେ ଯମ ନ ପାରଇ ଦଣ୍ଡି ।

ନିର୍ମାଲ୍ୟ ତୁଳସୀ ସେବା କରେ ଯେଉଁ ପ୍ରାଣୀ

ବିଷ୍ଣୁଲୋକେ ବସଇ ସେ କର୍ମବନ୍ଧ ଜିଣି ।

ବୃକ୍ଷରାଜ ପକ୍ଷୀରାଜ ତୀର୍ଥରାଜ ମୂଳେ

ଦେବରାଜ ସହିତରେ ସେବି ପାଦତଳେ ।

ଜଗନ୍ନାଥ ଶ୍ରୀଚରରେ ସଦା ମୋ ଭକତି

ଅଚ୍ୟୁତ ଦାସ କବିକୁ ଦିଅ ସଦଗତି ।

 

ଜରାସନ୍ଧର ଷୋଡ଼ଶ ଏବଂ ସପ୍ତଦଶ ବାର ଧାଡ଼ି

ଏଥୁ ଅନନ୍ତରେ ପୁଣି ପରୀକ୍ଷ ରାଜନ

କରଯୋଡ଼ି ବୋଲେ ଆହେ ଶୁକ ତପୋଧନ ।

ତବ ସୁଦୟାରୁ ଶୁଣି ଶ୍ରୀହରି ଚରିତ

ଖଣ୍ଡିଲି ସକଳ ପାପ ଶୁଦ୍ଧ ହେଲା ଚିତ୍ତ ।

ଆବର ସଂକ୍ଷେପି ମୋତେ କହ ମୁନିବର

ତହିଁପରେ କିସ କଲେ ରାମ ଦାମୋଦର ।

ରାଜାର ବଚନ ଶୁଣି ବ୍ୟାସଙ୍କ ତନୟ

ବୋଲନ୍ତି କହିବା ତାହା ଶୁଣ ନରରାୟ ।

ଉଦ୍ଧବ ଗୋପରୁ ଆସି ବାର୍ତ୍ତା ଜଣାଇଲେ

ଶୁଣି ରାମକୃଷ୍ଣ ଦୁହେଁ ଆନନ୍ଦ ହୋଇଲେ ।

ଏଥୁ ଅନନ୍ତରେ ତହୁଁ କେତେଦିନ ଗଲା

ବସନ୍ତ ଋତୁ ଆସିଣ ପ୍ରବେଶ ହୋଇଲା ।

କୁମ୍ଭମାସ ଶୁକ୍ଳପକ୍ଷ ତିଥି ଗୁରୁବାର

ରେବତୀ ନାମେ ନକ୍ଷତ୍ର ଅଟେ ସେ ଦିନର ।

ବେଳ ପାଞ୍ଚଘଡ଼ିମାନେ ମଗଧ ନୃପତି

ଆସ୍ଥାନେ ବିଜୟ କଲା ହୋଇ ଶୁଦ୍ଧମତି ।

 

ସକଳ ରାଜାମାନଙ୍କୁ ଦୂତ ବରଗାଇ

ଶ୍ରୀକରେ ପତ୍ର ଲେଖଇ ଅତି ମୋହ ହୋଇ ।

ଲେଙ୍କା ଲମ୍ବହତା ଜେନା ଆଉ ପଡ଼ିହାରୀ

ଏମାନଙ୍କ ନିକଟକୁ ଲେଖେ ଦଣ୍ଡଧାରୀ ।

ଆଜ୍ଞାପତ୍ର ଦୂତମାନେ ଘେନିଣ ଚଳିଲେ

ଆଠଦିନେ ସମସ୍ତଙ୍କୁ ନିମନ୍ତ୍ରଣ ଦେଲେ ।

ସକଳ ଭୂପତିମାନେ ବରଣକୁ ପାଇ

ମଘଦେଶେ ପ୍ରବେଶିଲେ ସମଦଣ୍ଡବାହି ।

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମର କତି

ସମ୍ଭର୍ବେ ଆସି ପ୍ରବେଶ ସକଳ ନୃପତି ।

ଜରାସନ୍ଧ ରାଜ୍ୟେ ଯାଇ ସର୍ବେ ହେଲେ ରୁଣ୍ଡ

ପାଦଭରେ କମ୍ପୁଅଛି ପୃଥ୍ଵୀ ନବଖଣ୍ଡ ।

ହାତୀ ରଥୀ ଅଶ୍ଵ ଗଜ ପଦାତି ବହୁତ

ମରଦଳ ବଡ଼କାଠ ଗୋମୁଖା ସହିତ ।

ଭେରୀ କାହାଳି ଶଙ୍ଖ ଯେ ମର୍ଦ୍ଦଳ ଘୁମୁରା

ଉପାଙ୍ଗ ଅଧାଟି ବାଜେ ହୋଇ ଅତିତୋରା ।

ଦାଉଣ୍ଡି ବୀରତୁର ଯେ ବିଜିଘୋଷ ଗୁଣା

ପଞ୍ଚସ୍ଵର ସପ୍ତସ୍ଵର ଆବର ଯେ ବୀଣା ।

ପଟ୍ଟହ ଝାଞ୍ଜ ମହୁରୀ କଂସାଳ କନ୍ୟାଳ

ବଇଁଶୀ ଆଦିକରି ଏ ବାଇଦ ସକଳ ।

ବାଜେ ତହିଁ ଉଚ୍ଚସ୍ଵରେ ହୋଇ ଘନ ଘନ

ଫିରିଫିରା ଢାଉଁଢାଉଁ ବାଜେ ଅପ୍ରମାଣ ।

ହସ୍ତୀ ଘଣ୍ଟି ଘାଗୁଡ଼ି ଯେ ଅଶ୍ଵଙ୍କର ଘଣ୍ଟ

ରଥଙ୍କର ଘୋର ଭାବେ ପୂରେ ସମରାଷ୍ଟ୍ର ।

ଫରିକାର ଧନୁ ଧରିସେନା ପଏଦାର

ଭୟଙ୍କର ରୂପ ବହି ଧାମନ୍ତି ଅସୁର ।

କରରେ କାଣ୍ଡ ଖଣ୍ଡା ଯେ କଟିରେ ଘାଗୁଡ଼ି

ନେତ ପତନୀ ସିନ୍ଧୁଆ ଅଣ୍ଟାରେ ସେ ଭିଡ଼ି ।

ଆଗଭର ହୋଇ କେହୁ ଧାମେ ଅଶ୍ଵପରେ

ରେରେକାର ଗଦାଗୋଟି ବୁଲାଏ କେ କରେ ।

ରାଜାଏ ଆସିବେ ବୋଲି ଜରାସନ୍ଧ ବୀର

ତାହାଙ୍କ ପାଇଁ ଆଗରୁ ତୋଳିଅଛି ଘର ।

ଅଶ୍ଵ ଗଜାଶାଳ ପାତ୍ରଙ୍କର ଯେଉଁ ବିଧି

ଛତିଶ ନିଯୋଗମାନ କରାଇଣ ସିଦ୍ଧି ।

ଖୁଣ୍ଟିଆ ଲମ୍ବହତା ଯେ ଲେଙ୍କା ପଡ଼ିହାରୀ

ଅନୁକ୍ରମେ ବସାମାନ ରହିଲେ ଆବୋରି ।

ଗୁଣଭୁଷଣ ମନ୍ତ୍ରୀ ଯେ ଥାଇଣ ଆପଣେ

ସମସ୍ତ ଚରଚାମାନ କରେ ଜଣେ ଜଣେ ।

ଯଥାକ୍ରମରେ ସମ୍ଭାର ଯାକୁ ଯେତେ ଲାଗି

ତତକ୍ଷଣେ ଆଣି ସବୁ ଦିଅନ୍ତି ସେ ବେଗି ।

ଏହିରୂପେ ସର୍ବସୈନ୍ୟ ରୁଣ୍ଡ ହେଲେ ଆସି

ଅଲଙ୍ଘିତ ନିୟମକୁ କଲେ ତହିଁ ବସି ।

ସକଳେ ବୋଲନ୍ତି ରାମ କୃଷ୍ଣଙ୍କୁ ମାରିବା

ଧ୍ଵଂସିଣ ମଥୁରାଗଡ଼ ଉଜାଡ଼ିଣ ଦେବା ।

ଯେବେ କି ଇନ୍ଦ୍ର ଦେବତା ଆସେ ପରିଘାଇ

ନିଶ୍ଚୟ ବିନାଶ ତାକୁ କରିବାଟି ଯାଇ ।

ଏଥିରୁ ବଳି ଆମ୍ଭର ନାହିଁ ଆଉ ଲଜ୍ଜା

ହରାଇଲେ ଗୌଡ଼ପିଲା ଦୂର ଏଡ଼େ ରାଜା ।

ଏତେ ବୋଲିଣ ଛୁଇଁଲେ ଖଣ୍ଡା ତରବାରୀ

ଧାନ ସୁନା ତା ଉପରେ କଅଁଳା ବାଛୁରୀ ।

ବୃଷଭ ବଳଦ ଛୁଇଁ ସର୍ବେ ସତ୍ୟ କଲେ

ମାରିବୁ ମାରିବୁ ବୋଲି ଦୀକ୍ଷା ସେ ବାନ୍ଧିଲେ ।

ଏଡ଼େ ପ୍ରତିଜ୍ଞା ଦେଖିଣ ଜରା ମହୀପାଳ

କରପତ୍ର ଯୋଡ଼ି ଭଭା ଆସ୍ଥାନର ତଳ ।

ବହୁସ୍ତୁତି କଲା ନରପତିଗଣେ ଚାହିଁ

ଏ ମୋହର ମାନ ସର୍ବେ ରଖ ସଙ୍ଗ ହୋଇ ।

ନାନା ଉପାୟ କରିଣ ଯେବେ ଜିଣିପାର

ତେବେ ଶୋକସାଗରରୁ ମୁଁ ହୋଇବି ଉଦ୍ଧାର

ତାହାଙ୍କୁ ଜିଣିବା ପାଇଁ ଭରସା ମୋ ନାହିଁ

ପନ୍ଦର ବାର ଆସିଲ ମହାଲଜ୍ଜା ପାଇ ।

ବଡ଼ଇ ମାୟାବୀ ସେହି ଗଉଡ଼େ ଅଟନ୍ତି

ହାତେ ଧରୁ ଧରୁ ତର୍କେ ପଳାଇ ଯାଆନ୍ତି ।

କୌଣସି ପ୍ରକାରେ ମୋର ତାଙ୍କୁ ନାହିଁ ବୁଦ୍ଧି

ଏହା କହି କରପତ୍ର ଯୋଡ଼େ ନୃପନିଧି ।

ରାଜାମାନେ ବୋଇଲେ ଏ ଆମ୍ଭ ଦୃଢ଼ବ୍ରତ

ତୁମ୍ଭ କାର୍ଯ୍ୟ କରୁ କରୁ ହେଉଁ ପଛେ ହତ ।

ଆମ୍ଭେ ଅଟୁ ଚାରିଊଣା ଲକ୍ଷେ ନୃପବର

ଦଶବିଂଶ କ୍ଷୌଣୀବଳ ଏକ ଏକଙ୍କର ।

ତୁମ୍ଭର ନିମନ୍ତେ ଆମ୍ଭେ ଯୁଝିବୁ ଝସାଇ

ମଙ୍ଗଳ ମହୁରୀ ଯୋଡ଼ାଶଙ୍ଖକୁ ବଜାଇ ।

ଦିଗବିଜେ ଅନୁକୂଳ କଲେ ଦଣ୍ଡଧାରୀ

ଆପଣା ସଇନି ସଜ ହେଲେ ଯେ ଯାହାରି ।

କୁମ୍ଭ ଶୁକଳ ଅଷ୍ଟମୀ ତିଥି ବୁଧବାର

ମୃଗଶିରା ନକ୍ଷତ୍ର ଯେ ଅଟେ ସେ ଦିନର ।

ବାଳବ ନାମେ କରଣ ଇନ୍ଦ୍ର ନାମେ ଯୋଗ

କୁମ୍ଭ ସଂକ୍ରାନ୍ତିରୁ ଚଉବିଂଶ ଦିନ ଭୋଗ ।

ବେଳ ବାଇଶି ଦଣ୍ଡରେ ଲଗ୍ନମାନ ଘେନି

ଅନୁକୂଳ କଲେ ନୃପେ ଚଳାଇ ସଇନି ।

ଥୋକେ ଦୂର ଯାଇ ସରସ୍ଵତୀ ନଦୀତୀରେ

ଅରବିନ୍ଦ ପଦା ମଧ୍ୟେ ରହିଲେ ସନ୍ଧ୍ୟାରେ ।

ରାତ୍ର ପ୍ରହରେକ ଥାଉଁ ଚଳାଇଲେ ତହୁଁ

ପବନ ବେଗରେ ମାଡ଼ିଯାନ୍ତି ଚାହୁଁ ଚାହୁଁ ।

ସୁବର୍ଣ୍ଣପ୍ରଭା ନାମରେ ପର୍ବତେ ବିସ୍ତାର

ସେଠାରୁ ଗୋମତୀନଦୀ ବହେ ତିନିଧାର ।

ସେ ଦିନ ସେ ନଦୀକୂଳେ ସମଦଣ୍ଡ ରହି

ଉଷାଲାଗ୍ନେ ଉଠି ତହୁଁ ଗଲେ ପଥ ବାହି ।

ଚୌରାଶୀ ଯୋଜନ ମାଡ଼ି ଚଳେ ମହାଥାଟ

ଖାଲ ଡିଙ୍ଗର ଭାଙ୍ଗିଣ ହେଲା ସମବାଟ ।

ଅନେକ ହାଟ ବାଟ ଯେ ହୋଇଲା ଉଜାଡ଼

ଛିନ୍ନ ଛତ୍ର ହୋଇଗଲା ଭାଙ୍ଗି କେତେ ଗଡ଼ ।

ଦିନକୁ ଦିନ ସେ ଥାଟ ଗହଣେ ଚଳିଲେ

କଟକୁଁ ଦଶଯୋଜନ ଯାଇଁଣ ମିଳିଲେ ।

ଯମୁନା ନଦୀକୂଳରେ ବସ୍ତ୍ର ଘର ଟାଣି

ଚତୁରଙ୍ଗ ବଳ ତହିଁ ରହିଲେକ ପୁଣି ।

ରଣରଖା ସଜମାନ ଘେନିଛନ୍ତି କରେ

ଗଡ଼ ବେଢ଼ିବା ବୋଲିଣ କେହୁ ବା ବିଚାରେ ।

ରନ୍ଧନ ଭୋଜନ କରି ତାମ୍ବୁଳାଦି ସାରି

କଟୁଆଳଙ୍କୁ ଜଗାଇ ନିଦ୍ରା ନେତ୍ରେ ଘାରି ।

ଏଥୁଅନନ୍ତରେ ଶୁଣ ଶୁକମୁନି ଭଣି

ଶୁଣ ପରୀକ୍ଷିତ ରାଜା ଅତି ପୁଣ୍ୟବାଣୀ ।

ଏହି ବାରତା ଘେନିଣ ଚଳିଲେ ଡଗର

ମଥୁରା କଟକରେ ସେ ମିଳି ଧାତିକାର ।

ରାଜା ଉଗ୍ରସେନ ଆଗେ ପ୍ରବେଶିଲେ ଯାଇ

ଛପନକୋଟି ଯାଦବେ ରହିଛନ୍ତି ଯହିଁ ।

ରାମକୃଷ୍ଣ ବସୁଦେବ ସାତ୍ୟକି ଅକ୍ରୂର

ଅନାଧୃଷ୍ଟ ଉଦ୍ଧବ ସେ ଶକ୍ରାଜିତ ବୀର ।

କଞ୍ଚନ ଶ୍ରୀକୃପବ୍ରହ୍ମା ଆଉ ଶତଧନୁ

ବୃହଦ୍ଧ୍ଵଜ ବୃଷଶ୍ରବା ପ୍ରଶ୍ନାଜିତ ଭାନୁ ।

ରବିଜିତ କେତନ ଯେ ଆଉ କଳିନାଗ

କୁନ୍ଦ ମାମୋଦି ବିରାଜ ବିକର୍ଣ୍ଣ ଉଡ଼ଙ୍ଗ ।

ବସୁଦେବ ଷଡ଼ପୁତ୍ର ସୁରଥ ସହିତେ

କେତନ କାନ୍ତିମାଳା ଯେ ମହୀଧ୍ର ସମେତ ।

ଏପରି ସର୍ବ ଯାଦବେ ଛନ୍ତି ରୁଣ୍ଡ ହୋଇ

ଦେଶାଉର ବାରତାକୁ କହେ ଶବଦାଇ ।

ଭୋଦେବ ସାବଧାନରେ ଶୁଣ ନୃପମଣି

ଜରାସନ୍ଧ ରାଜା ପୁଣି ସଇନ୍ୟଙ୍କୁ ଘେନି ।

ସନ୍ଧ୍ୟା ସମୟରେ ଆଜି କଟକେ ମିଳିଲେ

ସମ୍ଭର୍ବେ ଅଛନ୍ତି ଦେବାର୍ଚ୍ଚନା ଗିରିତଳେ ।

ଅଗୋଚର ସଇନି ଯେ ନାହିଁ ଥଳ କୁଳ

ଯେସନେ ମାଡ଼ି ଆସଇ ସମୁଦ୍ରର ଜଳ ।

ରାତ୍ର ପାହିଲେ ଦେବେ ସେ ମଥୁରାକୁ ଧାଡ଼ି

ଲକ୍ଷେପୁର କରି ଗଡ଼ ବସିବେକ ମାଡ଼ି ।

କେଉଁ ଉପାୟ କରିବା ଏବେ ଦଣ୍ଡଧାରି

ବେଳ ଥାଉଁ ଥାଉଁ ଆଗୁ ଯିବ ଅପସରି ।

ଚାରିଊଣା ଲକ୍ଷେ ରାଜା ପ୍ରତିଜ୍ଞା କରନ୍ତି

ରାମକୃଷ୍ଣେ ବିନାଶିବୁ ନିଶ୍ଚୟେ ଏ ଘାନ୍ତି ।

ତାଙ୍କ ଛାମୁରେ ରହି କେ କରିବ ସମର

ରଥୀ ମହାରଥୀ ଛନ୍ତି ଅପାରୁ ଅପାର ।

ସ୍ଵର୍ଗ ମଞ୍ଚ ପାତାଳକୁ ପାରନ୍ତି ସେ ଜିଣି

ଶୁଣି ଶଙ୍କାପାଏ ଉଗ୍ରସେନ ନୃପମଣି ।

ଅନେକ ଶୋକ କଲା ସେ ରାମକୃଷ୍ଣ ଆଗେ

ବୋଇଲା ପ୍ରମାଦେ ଆସି ପଡ଼ିଲାକ ବେଗେ ।

ଚାରିଊଣା ଲକ୍ଷେ ରାଜା ବନ୍ଧନ ଯା ଘରେ

ତାର ବୈରୀ ହୋଇ ଯାଇ ରହିବା କାହିଁରେ ।

କହୁଁ କହୁଁ ଆସି ସୈନ୍ୟ ମିଳିଲେ ନିକଟେ

କି ଉପାୟ କରି ଆମ୍ଭେ ଯିବା କେଉଁବାଟେ ।

କୁଟୁମ୍ବ ଭାଇ ଭାରିଯା ପୁତ୍ର ଧନଧାନ୍ୟ

ଶରୀରରେ ପ୍ରାଣଥିଲେ ଛାଡ଼ିବା କେସନ ।

ମଥୁରା ଆମ୍ଭର ପିତୃ ପିତାମହ ବୃତ୍ତି

ଏତେକାଳ ଧାତା କଲା ଏସନକ ରୀତି ।

କର୍ମନିପାକ କାଳକୁ ଲକ୍ଷ୍ମୀ ଛାଡ଼ିଯାଇ

ନିଶ୍ଚୟେ ଜାଣିଲୁ ନାଶ ଯିବା ଏହିଠାଇଁ ।

ଯାଦବେ ବୋଇଲେ ଆମ୍ଭେ କଲୁ କେଉଁଦୋଷ

ଅନିମିତ୍ତେ ଜରା କିପାଁ କରିଅଛି ରୋଷ ।

ସେ ଆମ୍ଭର ବାନ୍ଧବ ତ ଅଟଇ ଯୁକତେ

ନ ଜାଣିଣ ଏଡ଼େ କୋପ କରେ ଅନିମିତ୍ତେ ।

ଥୋକାଏ ବୋଲନ୍ତି ରାମ କୃଷ୍ଣ ବଡ଼ ମନ୍ଦ

ଏହାଙ୍କ ଯୋଗୁ ଆମ୍ଭରେ କୋପେ ଜରାସନ୍ଧ ।

ଏ ଯେବେ କଂସକୁ କରି ନ ଥାନ୍ତେ ବିନାଶ

ମଥୁରା ଲୋକେ କିପାଇଁ ପାନ୍ତେ ଏଡ଼େ ପ୍ରାସ ।

କଂସକୁ ଏ ଜରାସନ୍ଧ ହାରିବାରୁ ରଣେ

ଡରେ ଦୁହିତାକୁ ଦେଲା ପଶିଣ ଶରଣେ ।

ସେ ମହାବଳିଷ୍ଠ କଂସେ ନାଶି ଚକ୍ରପାଣି

ତେଣୁ ଉପଦ୍ରବ ଜରା କରୁଅଛି ଜାଣି ।

ଥୋକାଏ ବୋଲନ୍ତି ଆଉ ଉପାୟ ତ ନାହିଁ

ବହୁଲୋକ ନାଶଯିବା ଏକା ଜଣ ପାଇଁ ।

ସକଳ ଯାଦବେ ବସି ବିଚାର ସୁମନେ

ଏ ରାମକୃଷ୍ଣଙ୍କୁ ଦେବା ଜରା ସନ୍ନିଧାନେ ।

ଆଗହୁଁ ତ ଜରାସନ୍ଧ ନିୟମ କରିଛି

ରାମ ହରି ପାଇଲେ ସେ ନ କରିବ କିଛି ।

ଥୋକାଏ ବୋଲନ୍ତି କିଛି ନ ଜାଣ ବ୍ୟବସ୍ଥା

ରାମ କୃଷ୍ଣ ଆୟତ୍ତ ତ ନୁହନ୍ତି ସର୍ବଥା ।

ଚଉଦ ବ୍ରହ୍ମାଣ୍ଡେ ପ୍ରଭୁ ଯେଉଁ ଦେବରାୟେ

ତା ପାଶେ ଥିଲେ ଆମ୍ଭର ନାହିଁ କିଛି ଭୟେ ।

ଭାରାଭର ଅର୍ଥେ ଜାତ ଯେଉଁ ଭଗବାନ

କପଟରେ ଜଳନ୍ଧର ମାୟାର ସେ ସ୍ଥାନ ।

ଅବହେଳା ସମରେ ଯେ କଂସ କଲେ ନାଶ

ତାଙ୍କ ମନ ହେଲା ଜରା କରିପାରେ କିସ ।

ଥୋକେ ଯାଦବେ ବୋଇଲେ ଗତପରି ହୋଇ

ଶୀଘ୍ର କୁଟୁମ୍ବକୁ ଘେନି ଯିବାକୁ ପଳାଇ ।

ଥୋକେ ଯାଦବେ ବୋଲନ୍ତି ନଗ୍ରେ ରହିଥିବା

ରାମକୃଷ୍ଣଙ୍କୁ ପଚାରି ସମର କରିବା ।

ଅନେକ ସମର ହେଲା ଦେଖି ଏହିମତେ

ବେଳୁବେଳ ଜରା ସୈନ୍ୟ ମାରନ୍ତି ଅଚ୍ୟୁତେ

ରାଜାମାନଙ୍କର ଯେତେ ଚତୁରଙ୍ଗ ବଳ

ରଥୀ ମହାରଥୀ ନାଶ ଗଲେଣି ସକଳ ।

ଏତେମତେ ଜରାସନ୍ଧ ମନେ ଶଙ୍କା ନାହିଁ

ପୁଣି ନିର୍ଲଜ୍ଜ ପଣରେ ଆସିଅଛି ବାହି ।

ଏସବୁ ମାରିଣ ଆମ୍ଭେ ରୁହାଇବା କୀର୍ତ୍ତି

କେହି ଜଣେ ରଣମଧ୍ୟୁ ନ ଯିବେଟି ବର୍ତ୍ତି ।

ଏସନକ ଉଚ୍ଚବାଚ ହ୍ଵନ୍ତି ସର୍ବ ବୀରେ

ବୃହଦ୍ଧ୍ଵଜ କହେ ତହୁଁ ବଚନ ସଧୀରେ ।

ତୁମ୍ଭେମାନେ ସମସ୍ତେ ହେଁ ଶୁଣ ମୋର ବୋଲ

ପଣ୍ଡିତ ବିଚାରେ ଏହା ନୁହଁଇଟି ଭଲ ।

ରାମକୃଷ୍ଣଙ୍କୁ ଯେ ପୁରୁ ଦୂର କରି ଦେବା

ଯୁଦ୍ଧ ନ କରି ଜରାକୁ କରିବାଟି ସେବା ।

ଗଳାରେ କୁଠାର ଦନ୍ତେ ତିନିରଣକୁ ଘେନି

ବାଟରେ ପାଛୋଟି ଯାଇ କରିବା ଦଇନୀ ।

ଥୋକେ ଯାଦବେ ବୋଲନ୍ତି ଏତ ସୁବିଚାର

ବିଳମ୍ବ ନ କରି ଏହା କର ଧାତିକାର ।

ଉଗ୍ରସେନ ବୋଲୁଛନ୍ତି ଦେହେ ପ୍ରାଣ ଥାନ୍ତେ

ଏସନ ଦୁବୁର୍ଦ୍ଧ କଥା କରିବା କେମନ୍ତେ ।

ରାମକୃଷ୍ଣ ହେତୁ ସିନା ଆମ୍ଭର ବିଭୂତି

ପଞ୍ଚଭୂତ ଆତ୍ମା ଜାଣ ଅଟନ୍ତି ଶ୍ରୀପତି ।

ତାଙ୍କୁ ଉପେକ୍ଷି କେମନ୍ତେ ଧରିବା ଜୀବନ

ଅନ୍ଧର ଲଉଡ଼ି ସେହି କାହ୍ନୁ ସଙ୍କର୍ଷଣ ।

ଏ ମଥୁରାପୁର ପଛେ ଶ୍ମଶାନ ହୋଇବ

ଏଥୁଁ ରାମକୃଷ୍ଣ ଗଲେ ଜୀବନ ନ ଥିବ ।

ଶତେବାର ପଛେ ଜରାସନ୍ଧ ଧାଡ଼ିଦେଉ

ମଥୁରା ସମ୍ପଦ ପଛେ ସବୁ ବହିନେଉ ।

ଧନ ଧାନ୍ୟ ରତ୍ନ ଆଦି ସମସ୍ତେ ହେଁ ଗଲେ

ରାମକୃଷ୍ଣଙ୍କୁ ମୁରୁଛି ନ ପାଇବି ଭଲେ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି

ଏପରି ସର୍ବ ଯାଦବେ କୁହାକୁହି ହ୍ୱନ୍ତି ।

ଯାଦବେ ଆକୁଳ ହେବା ଜାଣି ଦେବରାୟେ

ବୋଲନ୍ତି ନ କର ତୁମ୍ଭେ ମନେ କିଛି ଭୟେ ।

ଆମ୍ଭେ ନିବାରିବା ସିନା ସବୁ ଉପଦର୍ପ

ପୃଥ୍ଵୀଭାରା ନିବାରିବା ପାଇଁକି ଏ ରୂପ ।

ଅସୁର ନିବାରି ମହୀ କରିବା ଉଶ୍ଵାସ

ତେଣୁ ମର୍ତ୍ତ୍ୟରେ ଜନ୍ମିଣ ବିନାଶିଲୁ କଂସ ।

ଯାଦବେ ବୋଇଲେ ଆମ୍ଭେ ଜାଣୁ ସବୁ ଏହା

ତୁମ୍ଭେ ତ ଦେବାଧିଦେବ ଲକ୍ଷ୍ମୀଦେବୀ ନାହା ।

ତୁମ୍ଭ ଯୋଗୁଁ ସିନା ଚର ଅଚର ମେଦିନୀ

ଆରତଭଞ୍ଜନ ନାଥ ଦେବ ଚିନ୍ତାମଣି ।

ତୁମ୍ଭେ ସର୍ବଜ୍ଞ ପୁରୁଷ ଶୁଭାଶୁଭ କର୍ତ୍ତା

ତୁମ୍ଭଙ୍କୁ ଅଗୋଚର ତ ନାହିଁ କେଉଁ କଥା ।

ବୃହଦ୍ଧ୍ଵଜ ବୋଇଲା ଯେ ରାମକୃଷ୍ଣେ ଚାହିଁ

ଅନେକ ଦୁଃଖ ପାଇଲୁ ପଳାଇ ପଳାଇ ।

ଏବେ ଆସି ପଡ଼ିଅଛି ପୁଣି ସେ ବିପତ୍ତି

କେଣିକି ଯିବୁ ହେଲାଣି ଆସି ଅଧରାତି ।

ପ୍ରଭାତ ହୋଇଲେ ଗଡ଼ ବସିବ ସେ ମାଡ଼ି

ଏହିକ୍ଷଣି ଉଠି ସର୍ବେ ପଳାଇବା ଛାଡ଼ି ।

ଲକ୍ଷେ ରାଜା ଉପରେ ସେ ଅଟେ ଶିରୋମଣି

ଭୀଷ୍ମ ଦ୍ରୋଣ ଆଦି ରଥୀ ସଙ୍ଗେ ଅଛି ଆଣି ।

କେ ତାଙ୍କ ଆଗରେ ରହି କରିବ ସମର

ମନ କଲେ କ୍ଷଣକରେ ଜିଣିବ ତ୍ରିପୁର ।

ଛୟାଣୋଇ ସସ୍ର ରାଜା ଭୂୟାଁ ଭୂମିପାଳ

ଜଣେ ଜଣେ ପାରନ୍ତି ସେ ଜିଣି ଦିଗପାଳ ।

ଆବର ସେ ନୃପଙ୍କର ଅଙ୍ଗବଳ ଯେତେ

ଏକ ଏକ କରି ତାହା କହବିଇଁ କେତେ ।

ଏକମୁଖ ହୋଇ ସର୍ବେ ଯୁଝିବାର ପାଇଁ

ତିନିବାର ସତ୍ୟକରି ଆସିଛନ୍ତି ବାହି ।

ସୈନ୍ୟଘେନି ଆମ୍ଭେ ଯୁଦ୍ଧ କଲେ ତାଙ୍କ ସଙ୍ଗେ

ଜିଣି ନ ପାରିଣ ନାଶଯିବ ସପତାଙ୍ଗେ ।

ମୁଁ ତୁମ୍ଭର କୁଳବୃଦ୍ଧ ମୋର ବୋଲ କର

ଜରାର ଛାମୁକୁ ମୋତେ ପେଷ ଧାତିକାର ।

ମୁଁ ଯାଇ ସକଳ କଥା କରିପାରେ ଭଲ

ପୂର୍ବପ୍ରୀତି ରହି ଯାଉ ମଥୁରାରୁ ସଲ ।

ସବୁ ଯାଦବେ ବୋଇଲେ ଏହି କଥା କର

ରାମକୃଷ୍ଣ ବୋଇଲେକ ସମ୍ମତ ଆମ୍ଭର ।

ତୀର୍ଥଯାତ୍ରା ବିବାଦରେ ବୃଦ୍ଧଲୋକ ଲୋଡ଼ି

ବୃଦ୍ଧଲୋକ ବୋଲେ ସବୁ ମାନ ଯାଏ ଫେଡ଼ି ।

ତୁମ୍ଭ ପାଶୁଁ ଆମ୍ଭେ ଯାଉଁ ବାହାର ଯେ ହୋଇ

ଜରାସନ୍ଧ ଆଗେ କହ ଏହିକଥା ଯାଇ ।

ଏହା ବୋଲୁ ହେଲା ରାତ୍ର ନବଘଡ଼ି ଆସି

ମଥୁରାଗଡ଼ୁ ବାହାର ରାମ ହୃଷୀକେଶୀ ।

ହସ୍ତେ ଅସ୍ତ୍ର ଶସ୍ତ୍ର ନାହିଁ ପାଦରେ ଗମନ୍ତି

ଚାଲିଯାନ୍ତେ ଶୋଭାବନ ଦିଶେ ବସୁମତୀ ।

ବୃହଦ୍ଧ୍ଵଜ ଯାଦବ ଯେ ରଥେକ ଆରୋହି

ଜରାସନ୍ଧ ଆଗେ ଯାଏ ସମାଧାନ ପାଇଁ ।

ହରି ବଳରାମ ଚଳିଗଲେ ସେହି ମାର୍ଗେ

ଦେଖିଣ ରଥ ଚଢ଼ିଣ ଜରା ଆସେ ବ୍ୟଗ୍ରେ ।

ରାତ୍ର ଘଡ଼ିଏକ ଥାଉଁ ବେଢ଼ିବାର ପାଇଁ

ସମୁଦ୍ର ଲହରୀ ପ୍ରାୟେ ଅଛନ୍ତି ସେ ଧାଇଁ ।

ଯେଉଁ ମାର୍ଗେ ରାମକୃଷ୍ଣ ଯାଆନ୍ତି ପଳାଇ

ଯୋଗେ ଜରା ସେହି ପଥେ ଆସେ ସୈନ୍ୟବାହି

ରାତ୍ର ପାହାନ୍ତା ହୋଇଛି ଅନ୍ଧାର ରଜନୀ

ଅଯୋଗରେ ଭେଟ ପଡ଼ିଗଲେ ଭାଇ ବେନି ।

ଆଗୁଆଣି ଥାଟେ ଯାଇ ହେଲେ ଭେଟାଭେଟି

ଅକୁଳ ସାଗରେ ଯେହ୍ନେ କ୍ଷୁଦ୍ର ନଦୀ ଯୁଟି ।

ଥାଟର ଭିତରେ ପଶିଗଲେ ଭାଇ ବେନି

ଚିହ୍ନି ନ ପାରିଲେ ସୈନ୍ୟ ଥାଆନ୍ତେ ରଜନୀ ।

ପଛଥାଟେ ପଶିକରି ଯାନ୍ତେ ଦେବରାୟେ

ହସ୍ତେ ଶସ୍ତ୍ର ନାହିଁ ପୁଣି ଗମନ୍ତି ନିର୍ଭୟେ ।

କେତେହେଁକ ବେଳେ ଆସି ପାହିଲା ରଜନୀ

ଅନ୍ଧକାର ଗଲା ଉଦେ ହ୍ଵନ୍ତେ ଦିନମଣି ।

ମୁହଁକୁ ମୁହଁ ଦିଶନ୍ତେ ଚିହ୍ନି ତଥ୍ୟକରି

ନୁହନ୍ତି ଅବା ସେ ବଳଦେବ ଚକ୍ରଧାରୀ ।

କେହୁ ବୋଲଇ ଅପୂର୍ବ ଅଟଇ ଏ କଥା

କେହୁ ରାଜା ବୋଲନ୍ତି ୟା ନୁହଇ ସର୍ବଥା ।

ଜାଣି ତ ନ ପାରୁ ଏହା ବିଧାତାର କୂଟ

ଛେଳି କଟୁରୀ ଆସିଣ ହେଲା ଏବେ ଭେଟ ।

ଜରାସନ୍ଧ ରାଜାର ତ କାର୍ଯ୍ୟ ହେଲା ସିଦ୍ଧି

କେ ବୋଲଇ ଧର ବେଢ଼ିକରି ହାଦେବୁଦ୍ଧି ।

ଏହା କହିଣ ଥୋକାଏ ହସ୍ତକୁ ବଢ଼ାନ୍ତି

ଭରସି ନ ପାରି ପୁଣ ଅପସରି ଯାନ୍ତି ।

ଥାଟ ଭିତରେ ପଶିଣ ଯାନ୍ତି ଦେବରାୟେ

ସର୍ବେ ଦେଖନ୍ତି ଦେଖଣାହାରୀଙ୍କ ପରାୟେ ।

ସମସ୍ତଙ୍କ ମନ ହରି ଯାଉଛନ୍ତି ହରି

ହସ୍ତକୁ ବଢ଼ାଇ କେହି ନ ପାରନ୍ତି ଧରି ।

ଗଜଯୂଥେ ମଧ୍ୟେ ଯେହ୍ନେ ବିକ୍ରମ କେଶରୀ

ସେପରି ଗମନ୍ତି ସୈନ୍ୟ ମଧ୍ୟେ ରାମହରି ।

ପଦ୍ମଦଳ ମଧ୍ୟେ ଯେହ୍ନେ ରାଜହଂସ ଯାଏ

ଅଜାଯୂଥ ମଧ୍ୟେ କିବା ବ୍ୟାଘ୍ରର ପରାୟେ ।

ସେହିପରି ଜରା ସୈନ୍ୟ ମଧ୍ୟେ ଯାନ୍ତି ପଶି

ନିଃଶଙ୍କେ ଗମନ୍ତି ବଳରାମ ବିଶ୍ଵବାସୀ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି

ଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।

 

ହରିବଂଶ ପଞ୍ଚମ ଖଣ୍ଡ

ଜରାସନ୍ଧ କର୍ତ୍ତୃକ ଗୋମତ ପର୍ବତ ଦହନ

ଏଥୁ ଅନନ୍ତରେ କଥା ଶୁଣ ମହାରାଜ

ରଥରେ ଆରୋହି ତେଣେ ଗଲା ବୃହଦ୍ଧ୍ଵଜ ।

ଜରାସନ୍ଧ ନୃପତିର ସମୀପରେ ମିଳି

ନାନା ଉପହାର ଦେଇ କଲା ନିଉଛାଳି ।

ରତ୍ନବସ୍ତ୍ର ଅଳଙ୍କାର ପାଦତଳେ ଥୋଇ

ବିନୟୀ ହୋଇଲା ନାନା ଚାଟୁବାକ୍ୟ କହି ।

ଜରା ଆଜ୍ଞାଦେଲା ମୋତେ ରାମକୃଷ୍ଣ ଦିଅ

ସମସ୍ତ ଯାଦବ ତୁମ୍ଭେ ନିଶ୍ଚିନ୍ତରେ ଥାଅ ।

ସେ ଦୁଇ ଭାଇଙ୍କ ଯୋଗୁଁ ପାଇଅଛୁ ଲାଜ

ତାଙ୍କୁ ନ ମାଇଲେ ଫେରିଯିବୁ ନାହିଁ ଆଜ ।

ବୃହଦ୍ଧ୍ଵଜ ବୋଲେ ନଗ୍ରୁ ଦେଲୁ ଦୂରକରି

ଏକ୍ଷଣି ଥାଟେ ପଶିଲେ ପଡ଼ୁଥିଲା ହୁରି ।

ଅକଳିତ ସୈନ୍ୟ ସଙ୍ଗେ ଆୁସଛନ୍ତି ବାହି

କେଣେ ସେ ଲୁଚିଲେ ତାଙ୍କୁ ଜାଣନ୍ତା କେ ନାହିଁ ।

ଆମ୍ଭେ ତ ତୁମ୍ଭ ରାଜାର ନୋହୁ ନା ବଇରୀ

ସମୟେ ଜୀବନ ଦେଇ ରଖ ତୋର କରି ।

 

ରାଜାଧିରାଜା ତୁମ୍ଭେ ତ କକ୍ଷା ଜଗଜ୍ଜେଠି

ଅଙ୍ଗୁଳି ଦୋଷରେ ଜାନୁଯାକହିଁ ନ କାଟି ।

ଏହି ସମୟେ କହିଲା ଆସିଣ ଡଗର

ଭୋ ଦେବ ସାବଧାନେ ହେ ଶୁଣ ନୃପବର ।

ଯେ ନିମନ୍ତେ ତୁମ୍ଭେ ସମଦଣ୍ଡ ଅଛ ବାହି

ସେ ତୋର ଥାଟ ଭିତରେ ପଶିଛି ଗୋସାଇଁ ।

ହାତେ ଶସ୍ତ୍ର ନାହିଁ ଦୁହେଁ ଯାଉଛନ୍ତି ଏକା

ଜରା ଶୁଣି ଆଜ୍ଞାଦେଲା ବେଗେ ବାନ୍ଧି ପକା ।

ବୃହଦ୍ଧ୍ଵଜକୁ ଅନେକ ପଉରୁଷ କଲା

ତୁମ୍ଭେ ଯାହା କହିଥିଲ ପ୍ରତ୍ୟକ୍ଷେ ଘଟିଲା ।

ଯାଦବ ସମସ୍ତେ ତୁମ୍ଭେ ଶତ୍ରୁ ମୋର ନୁହ

ରାମକୃଷ୍ଣ ହେତୁ ସିନା ତୁମ୍ଭଠାରେ କୋହ ।

ଦଇବେ ସନ୍ଧାନ ଘେନି ଅଇଲୁ ମୋ ପାଶ

ତାହାଙ୍କୁ ପାଇଲେ ତୁମ୍ଭଠାରୁ ଯିବ ରୋଷ ।

ଏମନ୍ତ ବିଚାର କରୁ କରୁ ମହାରଥା

ଧାଉଡ଼ିଆ ଡଗରା ଯେ କହିଲା ବାରତା ।

ଭୋ ଦେବ ଦ୍ଵିଭାଇ ଆସି ପଶିଛନ୍ତି ଥାଟେ

ଛାମୁକୁ ଧସାଇ ଆସୁଛନ୍ତି ଏହି ବାଟେ ।

ସାବଧାନେ କରେ ଅସ୍ତ୍ର ଧରିବା ଗୋସାଇଁ

ଜରାସନ୍ଧ ବୋଲେ କାହିଁଛନ୍ତି ଦେଖା ନେଇ ।

ଶୁଣିଣ ଡଗରା ବାଟ କଢ଼ାଇଣ ନେଲେ

ଯେଝା ଶସ୍ତ୍ର ଧର ବୋଲି ସଇନିଙ୍କୁ ବୋଲେ ।

ଜରା ଆଜ୍ଞାରେ ଧାମନ୍ତି ସକଳ ସଇନି

ତର୍ଜ୍ଜନ୍ତି ଗର୍ଜ୍ଜନ୍ତି ବୀରେ କରେ ଶସ୍ତ୍ର ଘେନି ।

ଯେଉଁ ମାର୍ଗେ ଆସୁଥିଲେ ହରି କାମପାଳ

ମାଡ଼ି ପଡ଼ିଲେ ସଇନି ହୋଇ କୋପାନଳ ।

ମତ୍ତହସ୍ତୀ ଧୂଆଁଇଲେ କରେ କୋନ୍ତ ଧରି

ଅସିପୁତ୍ର ବୁଲାବନ୍ତି ହୋଇ ଅସୁମାରି ।

ରଥନ୍ତ ଆରୋହି ରଥୀ କ୍ଷେପନ୍ତି ତଡ଼୍‌ବଡ଼ି

କୋଦଣ୍ଡେ କାଣ୍ଡ ପୂରାଇ ପଡ଼ନ୍ତି କେ ମାଡ଼ି ।

ମାରିବା ଧରିବା ବୋଲି ମନେ ମନେ ଭାଳି

ସେ କଥା ଜାଣିଲେ ବଳରାମ ବନମାଳୀ ।

ବଳରାମଙ୍କୁ ଚାହିଁଣ ଭଣି ପୀତବାସ

ଭୋଦେବ ପିଠି ଦେଇଣ ଯିବା ବେଗେ ଆସ ।

ରାମ ବୋଇଲେ ସଂଗ୍ରାମ କରିବା ହେ ରହି

ହରି ବୋଇଲେ ଆମ୍ଭର ହସ୍ତେ ଶସ୍ତ୍ର ନାହିଁ ।

ନାନା ଉପାୟ କରିଣ ଏହିଠାରୁ ଯିବା

ସମୟେ ଜରାସନ୍ଧକୁ ବିନାଶ କରିବା ।

ତେବେ ସେ ଛାଡ଼ିବ ସିନା ଯାଦବଙ୍କ ଭୟେ

ଏତେ ବୋଲିଣ ଭୁଲାଇ ଦେଇ ଦେବରାୟେ ।

ବିଶ୍ଵକୂଟ ମାୟାଧର ଯେଉଁ ଚକ୍ରପାଣି

ମହାମାୟା କଲେ ଜଳନ୍ଧର ମାୟା ଜାଣି ।

କହୁଁ କହୁଁ ଚାଲିଗଲେ ଭୁଲାଇଣ ବେଗେ

ଥୋକେ ବୋଲନ୍ତି ଏକ୍ଷଣି ଥିଲେ ଆମ୍ଭ ଆଗେ ।

ଗଲା ଗଲା ବୋଲିକରି ଶୁଭେ ଉଚ୍ଚ ବାଣୀ

କେଣେ ଗଲେ କ୍ଷଣକେ ନ ପାରିଲେ ଜାଣି ।

ଥୋକାଏ ଦୂର ଯାଇଣ ଦିଶିଲେ ଶ୍ରୀହରି

ସେଠାବକୁ ବୋଲି ସର୍ବେ ଗଲେ ବେଗକରି ।

ସମସ୍ତେ ଯେ ଏକମୁଖ ଗଲେ ଶୀଘ୍ର ହୋଇ

ପ୍ରବେଶ ମାତ୍ରେ ଅଦୃଶ୍ୟ ହୋଇଲେ ମାଧୋଇ ।

ପୁଣିହିଁ ସେ ଖଣ୍ଡେଦୂରେ ଯାଇ ଦେଖାଦେଲେ

ପୁନରପି ସଇନଙ୍କୁ ଅଦୃଶ୍ୟ ହୋଇଲେ ।

ପୁଣି ଏକମନେ ଧୁଆଁଇଲେ ସର୍ବଥାଟ

ପୁଣିହିଁ ଖଣ୍ଡେ ଦୂରରେ ଦିଶି ନନ୍ଦଚାଟ ।

ଏରୂପେ ଲାଗନ୍ତେ ହସ୍ତୁ ପଳାନ୍ତି ସେ ବେନି

ଏକମୁଖେ ଗୋଡ଼ାବନ୍ତି ସକଳ ସଇନି ।

ଅନେକ ଦୂର ପର୍ଯ୍ୟନ୍ତେ ଗଲେ ଏହିମତେ

ଦୁଇଭାଇ ଉଠିଲେକ ଗୋମତ ପର୍ବତେ ।

ସରସ୍ଵତୀ ନଦୀତୀରେ ବିସ୍ତାର ସେ ଗିରି

ଦ୍ଵାଦଶ ଯୋଜନ ଦୀର୍ଘ ଅଟଇ ତାହାରି ।

ଉପରେ ବେନି ଯୋଜନ ତ୍ରିଯୋଜନ ଉଚ୍ଚ

ଧବଳ ପିଙ୍ଗଳ ବର୍ଣ୍ଣେ ପାଷାଣ ସୁସଞ୍ଚ ।

ସେହି ପର୍ବତେ ଉଠିଲେ ହଳୀ ଚକ୍ରପାଣି

ତଳେ ମିଳିଲେ ଯାଇଣ ସକଳ ସଇନି ।

ଜରା ବୋଇଲା ଏ ଘାନ୍ତି ମୋର ପ୍ରାଣପୀଡ଼ା

ସହସ୍ରେ ପୁର କରିଣ ପର୍ବତକୁ ବେଢ଼ା ।

ଖଞ୍ଜା ମୂଳରେ ପର୍ବତ ଆବୋରି ସମସ୍ତେ

ଠଣା ବସାଇ ଜଗିଲେ ସର୍ବେ ଯେଝା ମତେ ।

ବେଣ୍ଟକାର ଶ୍ଵାନ ବ୍ୟାଘ୍ର ଭାଲୁଙ୍କର ମେଳେ

ତଇଲା କାଟି ଆସନ୍ତି ସଇନି ସକଳେ ।

ରାଜାଜ୍ଞା ପ୍ରମାଣେ ଥାଟ ବେଢ଼ି ଚଉକତି

ଚୋଖା ତୁରଙ୍ଗ ପଦାତୀ ହାତୀ ଆଉ ରଥୀ ।

ଯେଝା ଖଞ୍ଜାମୂଳେ ବାଣ୍ଟି ରହିଲେ ସକଳ

ଚାରିଊଣା ଲକ୍ଷେ ରାଜା ବେଢ଼ି ତହିଁ ତଳ ।

ଉପରେ ରହିଅଛନ୍ତି ସ୍ଵାମୀ ନନ୍ଦବଳା

ନିଶ୍ଚିନ୍ତେ ବସି ଅଛନ୍ତି ଲଗାଇଣ ଲୀଳା ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକ ଯତି

ଶୁଣ ତୁ ହୋ ସାବଧାନେ ସୁଭଦ୍ରାର ନାତି ।

ଏହି ପ୍ରକାରେ ଚୌବିଂଶ ଦିନ ବହିଗଲା

ଗୋମତକୁ ବେଢ଼ି ଜରାସନ୍ଧ ଯେ ବସିଲା ।

ଛୟାଣୋଇ ସହସ୍ରଙ୍କ ଚତୁରଙ୍ଗ ବଳ

ଅକଳିତ ସୈନ୍ୟ ଯେହ୍ନେ ସିନ୍ଧୁର କଲ୍ଲୋଳ ।

ପର୍ବତ ଚୌପାଶେ ଦୀର୍ଘେ ଅଛନ୍ତି ସେ ପୂରି

ତଳେ ଛଡ଼ା ନାହିଁ ସୈନ୍ୟ ଯେଝାମତେ ଘେରି ।

ଦେଖନ୍ତି ପର୍ବତ ପରେ ଥାଇ ଦେବରାୟେ

ପୂରି ଅଛନ୍ତି ସଇନି ସିନ୍ଧୁ ଜଳ ପ୍ରାୟେ ।

ଏଥୁଅନ୍ତେ ଜରାସନ୍ଧ ନୃପ ଗୁଣନିଧି

ରାଜାଙ୍କୁ ହକାରି ବୋଲେ କରିବା କି ବୁଦ୍ଧି ।

ରାମକୃଷ୍ଣ ଉଠିଲେ ଯେ ପର୍ବତ ଉପର

ଅଗମ୍ୟ ଗହନ ବଡ଼ ଏହି ଗିରିବର ।

ଶାଳ ଶିଳ ଲଗାଲଗି ଅତି ଲତାମୟେ

ଶିଖା ଲାଗିଛି ଏହାର ଅର୍ଦ୍ଧାକାଶ ଯାଏ ।

ଦେବତାନ୍ତ ଘେନି ଯେବେ ଆସେ ବଜ୍ରପାଣି

ବଳବନ୍ତ ପଣେ କେବେ ନୁହଇ ନ ଜିଣି ।

ପୂର୍ବେ ରହିଥିଲେ ଏଥେଁ ଗୋମତ ମହର୍ଷି

ଅନେକ ଯତନେ ଥିଲେ ଗଣ୍ଡାଟିଏ ପୋଷି ।

କଂସ ସୁନାସ ଏ ଦୁହେଁ ଏଠାକୁ ଅଇଲେ

ମୁନିଙ୍କ ଆଶ୍ରମେ ଭାଙ୍ଗି ଗଣ୍ଡା ଗୋଟି ନେଲେ ।

ପୁଣି ବୋଇଲେ ମୁନିଙ୍କି ଭରତ୍ସନା ବାଣୀ

କୋପେ ପ୍ରଜ୍ଜ୍ଵଳିତ ମୁନି ତାଙ୍କ କଥା ଶୁଣି ।

ବଳବନ୍ତେ ଏ ପର୍ବତ ନ ପାରନ୍ତି ଜିଣି

ମୋ ଆଶ୍ରମ ଭାଙ୍ଗି ଗଣ୍ଡା ନେଲେ ହାଦେ ପୁଣି ।

ବଳବନ୍ତ ପଣ ମୋତେ ଦେଖାଇଲେ ଆସି

ବାଳକାଳୁ ଦୁଷ୍ଟ ମୋର ସଙ୍ଗେହେଲ ଦୋଷୀ ।

ମୋର ପୋଷା ଗଣ୍ଡା ଗୋଟି ନେଉଅଛ ଛଳେ

ତପୀଙ୍କର ତପ ସିନା ରାଜାଙ୍କର ବଳେ ।

ଏତେ ମତେ ଆମ୍ଭେ ତୁମ୍ଭ ଦୋଷକୁ ସହିଲୁ

ଆମ୍ଭର ବଚନ ଏବେ ଶୁଣ ଆରେ ଓଲୁ ।

ବଳବନ୍ତେ ଯେବେ କେହି ଏ ପର୍ବତେ ଉଠି

ଦିଗପାଳ ହେଉ ପଛେ ମୂର୍ଦ୍ଧାଯିବ ଫାଟି ।

ଏ କଥା ପୂର୍ବରୁ ରାମ କୃଷ୍ଣ ଜାଣିଥିଲେ

ତେଣୁକରି ପର୍ବତରେ ନିସତେ ଉଠିଲେ ।

ଏହି କଥା କହି ଆଜ୍ଞା ଦେଲା ନୃପମଣି

ଖଣ୍ଡ ଖଣ୍ଡ କରି ଗିରି ପକାଇବା ହାଣି ।

କାଙ୍କ କୁରାଢ଼ି କଟୁରି ଘେନିବ ସାବଳ

ପର୍ବତକୁ କାଟି ନେଇ ପକା ସିନ୍ଧୁଜଳ ।

ଥୋକେ ୟା ଶୁଣି ବୋଇଲେ ପେଷି ବଜ୍ରଶର

ଏକାବେଳେ ପର୍ବତକୁ କରିଦେବା ଚୂର ।

ଏହାଶୁଣି ବୋଇଲେ ଯେ ଥୋକେ ନୃପସାଇଁ

ଚାରି ଊଣା ଲକ୍ଷେ ରାଜା ଏଠାରେ ଅଛଇଁ ।

ଏକ ଏକ ରାଜାଙ୍କର ଦଶବିଂଶ ଥାଟ

ଖଣ୍ଡ ଖଣ୍ଡ କରି ଗିରି କାଟିକା ଯେ ବାଣ୍ଟ ।

ଥୋକାଏ ବୋଇଲେ ନେଇ ପିଟିବା ହେ ଗଦା

ମସିଗୁଣ୍ଡା କରି ଗିରି କରିଦେବା ପଦା ।

ଏହା ଶୁଣିଣ ବୋଇଲା ମଗଧ ନୃସାଇଁ

ପର୍ବତକୁ ପୋଡ଼ିଦେବା କାଠକୁ କୁଢ଼ାଇ ।

ତୃଣ ନାନା ତରୁ କାଟି ଲତା ବୁଦାମାଳ

ଏଠାରେ କୁଢ଼ାଅ ତହିଁ ଲଗାଇବା ଜାଳ ।

ଆକାଶ ପରାୟେ କାଠ କୁଢ଼ା ଆଣି ବେଗେ

ପାଉଁଶ କରିଣ ଦେବା ପର୍ବତକୁ ବ୍ୟଗ୍ରେ ।

ମଗଧେଶ୍ୱର ବୋଇଲା ଯହୁଁ ଏହି ବାଣୀ

ସବୁ ସୈନ୍ୟ ବୁଦା କାଟି ଜମା କଲେ ଆଣି ।

କଞ୍ଚା ଶୁଖିଲା ବୋଲିଣ ନୁହେଁ ତହିଁ ବାରି

ପାରୁ ପର୍ଯ୍ୟନ୍ତେ ଆଣିଲେ ମୁଣ୍ଡେ ବୋହିକରି ।

ରାଉତ ମାହୁନ୍ତ ରଥୀ ପଦାତି ସହିତେ

ରାଜା ଆଜ୍ଞା ପାଇ କାଠ ଆଣନ୍ତି ସମସ୍ତେ ।

ଏହିପରି ପାଞ୍ଚ ଦିନଯାକେ ଯେ ବୋହିଲେ

ଗିରିବର ସମାନରେ ଆଣି ଜମା କଲେ ।

ଦେଖିଣ ହରଷେ ହେଲା ଜରାସନ୍ଧ ରାୟେ

ବୋଲନ୍ତି ଏଘନ୍ତି ଶତ୍ରୁ ମୋର ହେଲେ କ୍ଷୟେ ।

ଏତେକ ବୋଲିଣ ରାଜା ଆପେ ଉଭା ହୋଇ

ଚାରିଆଡ଼ରେ ଅନଳ ଦେଲା ସେ ଲଗାଇ ।

ଲାଗିଲା  ପ୍ରଚଣ୍ଡ ତେଜେ ବିକରାଳ ବହ୍ନି

ଧୂମ ବ୍ୟାପିଲା ସଚରାଚର ଯେ ମେଦିନୀ ।

ଝଲ ଝଲ ଅନଳରେ ଭୟଙ୍କର ଜ୍ୟୋତି

ପର୍ବତଯାକ ଘୋଟିଣ ବେଢ଼ିଲା ଗୈକତି ।

ମହାପ୍ରଳୟ କାଳରେ ସିନ୍ଧୁ ଯେହ୍ନେ ଦିଶି

ଜାଜ୍ୱଲ୍ୟମାନ ତେଜ ତା ଜ୍ୟୋତି ରୂପରାଶି ।

ଲହଲହ ଜିଭ କରି ଦହେ ଦାବାନଳ

ଦେଖି ଅପସରି ଗଲେ ସଇନ ସକଳ ।

ବେଳକୁ ବେଳ ଅନଳ ଘୋଟିଲା ଚୌକତି

ଦେଖି ବନଜନ୍ତୁମାନେ ପାଇଲେକ ଭୀତି ।

ହରିଣ ଶମ୍ବର ମୃଗ ବାହୁଟିଆ ଶଶା

ବ୍ୟାଘ୍ର ଭାଲୁ ହସ୍ତୀ ଗଣ୍ଡା ଯେ ନେପାଳି ମୂଷା ।

ଶୁକ ଶାରିକା ଯିଆଦ ଝିଙ୍କାରି ବଳିଆ

ମୟୁର ବକ ବାରେହା ଖୁରାଣ୍ଟି ଶାଳେହା ।

ସିଂହ ଶାର୍ଦ୍ଦୂଳ ଗୟଳ ଜମ୍ବୁକ ସହିତେ

ନିର୍ଧୂମ ଅନଳ ମଧ୍ୟେ ପୋଡ଼ି ମଲେ କେତେ ।

ଆକାଶ ମଣ୍ଡଳଯାଏ ଅଗ୍ନିଶିଖା ବଢ଼ି

ପକ୍ଷୀ ଜନ୍ତୁମାନେ ଶୂନ୍ୟେ ନ ପାରିଲେ ଉଡ଼ି ।

ନିର୍ଧୂମ ଅନଳ ଶିଖା ଅତିଅନ୍ତ ତେଜ

କାଷ୍ଠା ପାଷାଣ ମୃତ୍ତିକା ହୁଅନ୍ତି ଦହିଯ୍ୟ ।

କଞ୍ଚା ଶୁଖିଲା ଯେ ହୋଇଗଲା ଦହି

ବନଜନ୍ତୁ ମାତ୍ର ତାହା ନ ପାରିଲେ ସହି  

ଭୟେ କାତର ହୋଇଣ ପଳାନ୍ତି ସକଳ

ବିଶ୍ରାମ ନ ପାଇ ହେଉଅଛନ୍ତି ବିକଳ ।

କାର ପାଦ ପୋଡ଼ିଗଲା ପୋଡ଼ିଲାକ ତନୁ

କାର ପେଟ ପୋଡ଼ିଲା କା ପୋଡ଼ିଗଲା ଜାନୁ ।

ପ୍ରାଣ ଆକୁଳରେ କେହୁ ଧାମନ୍ତି ଆରତେ

ଛଇ ଛଡ଼ରେ ପଳାନ୍ତି କେ ବିକଳ ଚିତ୍ତେ ।

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଚୌକତି

ପର୍ବତ ବେଢ଼ି ଜଳୁଛି ମହାନଳ ଜ୍ୟୋତି ।

ବନଜନ୍ତୁଏ ଏରୂପେ ଧାମନ୍ତି ଆରତେ

ଦୀର୍ଘ ରଡ଼ିକୁ ଛାଡ଼ଇ କେ ବିକଳ ଚିତ୍ତେ ।

ପର୍ବତକୁ ଜରାସନ୍ଧ ରାଜାର ଧାଉଡ଼ି

ମୃଗ ପଳାଇ ଯାଉଛି ମୃଗୁଣୀ କି ଛାଡ଼ି ।

ଏପରି ବ୍ୟାକୁଳ ହ୍ୱନ୍ତି ସର୍ବେ ବନଜୀବେ

ସନ୍ନିଧେ ଥାଇ ଦେଖିଲେ କୃଷ୍ଣ ବଳଦେବେ ।

ଶ୍ରୀକୃଷ୍ଣ ଆଜ୍ଞା ଦେଲେକ ବଳଦେବ ଚାହିଁ

କପାଳ ପଡ଼ିଲା ଏବେ ଆସିଣ ଗୋସାଇଁ ।

ପାପିଷ୍ଠ ଜରାସନ୍ଧ ତ ଗିରି ଦେଲା ପୋଡ଼ି

ଦେଖୁଁ ଦେଖୁଁ ଦାବାନଳ ପଡ଼ୁଅଛି ମାଡ଼ି ।

ପୃଥିବୀ ଘୋଟିଲା ଧୂମ ଅନ୍ଧକାରମୟ

ବୈଶ୍ୱାନର ଜ୍ୟୋତ୍ସ୍ନାଲାଗି ପୋଡ଼ିଯାଏ କାୟ ।

ବନଜନ୍ତୁଙ୍କ ବିକଳ ପ୍ରତ୍ୟକ୍ଷରେ ଦେଖ

ଆମ୍ଭ ଆଗରେ ଏମାନେ ପାଉଛନ୍ତି ଦୁଃଖ ।

କେବଣ ପ୍ରକାରେ ସ୍ୱମୀ ଏଥୁଁ ହେବାପାର

କହୁଁ କହୁଁ ପାଶେ ଆସି ମିଳେ ବୈଶ୍ୱାନର ।

ହଳୀ ବୋଇଲେରେ କୃଷ୍ଣ କିଛି ଚିନ୍ତା ନାହିଁ

ଏହିକ୍ଷଣି ଦାବାନଳ ଯିବା ଆମ୍ଭେ ଡେଇଁ ।

ଶ୍ରୀକୃଷ୍ଣ ବୋଇଲେ ଭାଇ ତୁମ୍ଭେ ଆଗ ହୁଅ

ପୂର୍ବମୁଖ ହୋଇ ବେଗେ ଏଥୁ ଡେଇଁ ଯାଅ ।

ଶୁଣିଣ ବିକ୍ରମ ମହାବଳୀ କାମପାଳ

ଅନ୍ତରୀକ୍ଷେ ଡେଇଁଗଲେ ଯେସନ ଶ୍ୟାମଳ ।

କଳାମେଘେ ଶୋହେଯେହ୍ନେ ବିଜୁଳିର ଜ୍ୟୋତି

ନୀଳମେଘେ ବଳାହକେ ଯେହ୍ନେ ଶୋଭାପାନ୍ତି ।

କିବା ହିମବନ୍ତ ଗିରି ହୋଇ ଦେହବନ୍ତ

ଉଡ଼ି ଆସଇ ବ୍ୟଗ୍ରରେ ଗଗନର ପଥ ।

ସମ୍ପୂର୍ଣ୍ଣକଳା ବହି କି ଉଦେ ହୁଏ ଭାନୁ

ଦିବ୍ୟ ଦେହ ଘେନି ଉଡ଼ି ଆସନ୍ତି ଗଗନୁ ।

କ୍ଷୀରସମୁଦ୍ରୁ ହେଲେ କି ଉଚ୍ଚୈଃଶ୍ରବା ଜାତ

ମନ୍ଥନେ ଅମୃତ ନିଧି ଉପୁଜେ ଯେମନ୍ତ ।

ଶୁକ୍ଳାମ୍ବର ବିଷ୍ଣୁ ବୋଲି ଦେଶାନ୍ତରେ ଭାଷି

ତେସନେ ଉଡ଼ି ଆସନ୍ତି ପରଂବ୍ରହ୍ମ ରାଶି ।

ଦକ୍ଷିଣ କରରେ ମୁଦ୍ରା ବାମରେ କୁଣ୍ଡଳ

କନ୍ଧରେ ପଇତା ହୃଦମଧ୍ୟେ ବନମାଳ ।

ତାରାମଣ୍ଡଳୁ ନକ୍ଷତ୍ର ଯେହ୍ନେ ପଡ଼େ ଖସି

ବିଜୁଳିର ତେଜ ପ୍ରାୟେ ଦିଶି ବିଶ୍ୱବାସୀ ।

ଶିରରେ ପିଙ୍ଗଳବର୍ଣ୍ଣ ଜଟା ସପ୍ତଫେଣୀ

ନାଭି ପରିଯନ୍ତେ ପୃଷ୍ଠୁ ପଡ଼ିଅଛି ବେଣୀ ।

କଟିତଟେ ନୀଳବସ୍ତ୍ର ଜାଜ୍ୱଲ୍ୟ ଯେ ଅତି

ମଣି ମାଣିକ୍ୟ ଯେସନେ କିବା ଗଜମୋତି ।

ବଳଦେବ ଶ୍ରୀଚରଣେ ରହୁ ମୋର ମତି

ଭାବଇ ଅଚ୍ୟୁତ ଦାସ କରି ଏହା ନିତି ।

 

ବଳରାମଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ କୃଷ୍ଣଙ୍କର ବାରୁଣୀବନ୍ତରେ ପ୍ରବେଶ

ଏଥୁ ଅନନ୍ତରେ ପୁଣି ବଳରାମ ସ୍ୱାମୀ

ଅର୍ଦ୍ଧାକାଶ ଯାଏ କ୍ଷେପିଗଲେ ଅନ୍ତର୍ଯ୍ୟାମୀ ।

ଜରାସନ୍ଧ ଆଦିକରି ସକଳ ନୃପତି

ଦେଖିଲେ ଆକାଶମାର୍ଗେ ଦିଶେ ଦିବ୍ୟଜ୍ୟୋତି ।

ନୟନ ସ୍ଥିର କରିଣ ଦେଖିଣ ସମସ୍ତେ

ବୋଇଲେ କିମ୍ଭୁତ ମାୟା ଜାଣିବା କେମନ୍ତେ ।

ତଦନ୍ତ କରିଣ ଏହା ଜାଣି ତ ନ ପାରି

କୃତାନ୍ତ ଦେବତା ଅବା ଆସେ ଦେହ ଧରି ।

ଜାଜ୍ୱଲ୍ୟମାନ ଶିଖା ଯେ ଅଗ୍ନିତେଜ ପ୍ରାୟେ

ପାତାଳୁ ଘୋଟି ଆସୁଛି ଶୂନ୍ୟପୁର ଯାଏ ।

କେ ବୋଲନ୍ତି ମୃତ୍ୟୁଦେବ ମୁଖରେ ଆହୁତି

ଆମ୍ଭଙ୍କୁ କରିବେ ଅବା ଆଜି ବେଦପତି ।

ଏମନ୍ତ ଭାଳନ୍ତି ଚାହିଁ ନୃପତି  ସମସ୍ତ

ଅର୍ଦ୍ଧ ଆକାଶରୁ ଖସିପଡ଼ି ହଳହସ୍ତ ।

 

 

ନିଃଶ୍ୱାସ ଘାତରେ ଯେହ୍ନେ ଜାଈଫୁଲ ଉଡ଼ି

ସେ ପ୍ରକାରେ ସ୍ୱାମୀ ଧୀରେ ଭୂମିପରେ ପଡ଼ି ।

ଦମଘୋଷ ବୋଲେ ଜରା ବଦନକୁ ଚାହିଁ

ଶୁଣ ସାବଧାନେ ଏବେ ମଗଧ ନୃସାଇଁ ।

ଧନ୍ୟ ମହିମା ରଖିଲ ସ୍ୱାମୀ ରବିତଳେ

ଚାରିଊଣା ଲକ୍ଷେ ରାଜା ଖଟି ପାଦତଳେ ।

ଲକ୍ଷେପୁର କରି ଏଡ଼େ ଗିରି ଅଛି ବେଢ଼ି

ପାଉଁଶ ଗଦା ହୋଇଲା ଦେଲ ତାକୁ ପୋଡ଼ି ।

ତୁମ୍ଭର ପେରୀହୋଇ କେ ଅଛି ଦେହ ଘେନି

ଅବହେଳେ ଜିଣପାର ସକଳ ମେଦିନୀ ।

ଏବେ ଯେ ଦିଶିଲା ତୁମ୍ଭ ଭାଗ୍ୟବନ୍ତ ପଣ

କୃଷ୍ଣ ଜ୍ୟେଷ୍ଠଭାଇ ୟାଙ୍କ ନାମ ସଙ୍କର୍ଷଣ ।

ଦାବାନଳର ପ୍ରଖର ତେଜ ଦେହେ ଲାଗି

କୃଷ୍ଣ ମଲା ବୋଲି ଭାବି ପଳାଉଛି ବେଗି ।

ବିପଦ କାଳରେ ଭାଇ ଛାଡ଼ି ପଳାଇଲେ

ଯହିଁ ଡରୁଥିଲେ ତହିଁ ଆସି ପୋଡ଼ି ମଲେ ।

ଦନ୍ତବକ୍ର ବୋଲେ ରାଜା କି କଥା ବିଚାରୁ

ସମସ୍ତେ ହିଁ ବେଢ଼ି ମାର ସଙ୍କର୍ଷଣ ମରୁ ।

କେ ବୋଲେ ଏଠାରୁ ଉଠି ଯିବ ଆଉ କାହିଁ

ଆଣ୍ଠୁ ଗଣ୍ଠି ଭାଙ୍ଗିଅଛି ପର୍ବତରୁ ଡେଇଁ ।

କେହୁ ବୋଲଇ ଏହା ତ ଅସମ୍ଭବ ବାଣୀ

ନୟନରେ ଦେଖା ନାହିଁ କର୍ଣ୍ଣେ ନାହିଁ ଶୁଣି ।

ଦ୍ୱାଦଶ ଯୋଜନ ଉଚ୍ଚ ଯେଉଁ ଗିରିବର

ତିନି ଯୋଜନ ସ୍ଥଳୀ ଯା ଯୋଜନେ ଓସାର ।

ଏହାକୁ ଡେଇଁ ଯିବାକୁ କାହାର ସାହସ

ଏଡ଼େ ବଡ଼ଲୋକ କିବା ଅଳ୍ପେ ଯାଇ ନାଶ ।

ଏତେ ଭାଳି ସୈନ୍ୟ ଧାତିକାରେ ଗଲେ ଧାଇଁ

ନୟନେ ଦେଖିଲେ ତାହା ରେବତୀର ସାଇଁ ।

ହଳ ମୂଷଳ ସ୍ମରଣ କଲେ ହୃଦଗତେ

ଆୟୁଧ ଆସି କରରେ ମିଳିଲା ତୁରିତେ ।

ଦକ୍ଷିଣ କରେ ମୂଷଳ ବାମକରେ ହଳ

ବିକ୍ରମ ସିଂହ ପରାୟେ ଦିଶେ କାମପାଳ ।

ଦେଖିକରି ରାଜାଗଣେ ହୋଇଲେ ଆଶ୍ଚର୍ଯ୍ୟ

ସୈନ୍ୟଙ୍କୁ ହକାରି ଆଜ୍ଞାଦେଲା ମହାରାଜ ।

ଏକାହୋଇ ବଳରାମ ଭେଟ ପଡ଼ିଅଛି

ଏଥୁ ଉବୁରି ଗଲେ ତ ନୁହେଁ କାର୍ଯ୍ୟ କିଛି ।

ହାତୀ ରଥୀ ଅଶ୍ୱ ସୈନ୍ୟ ପଦାତି ସହିତେ

ବେଢ଼ିକରି ଧରି ମାର ଯେ ଯାହାର ମତେ ।

ରାଜାର ଆଜ୍ଞା ପ୍ରମାଣେ ଧାମନ୍ତି ସଇନି

କାମପାଳଙ୍କୁ ମାରନ୍ତି ଅସ୍ତ୍ର ଶସ୍ତ୍ର ଘେନି ।

ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ବଜ୍ରନାଭ ନାରକା ଯେ ବାଣା ମହାରଣ ।

ଶମ୍ବର ଶୌନିକ ଭଗଦତ୍ତ ବୀରସେନ

ଦ୍ରୁପଦ ପୁରୁଜିତ ଯେ ରାଜା ଦୁର୍ଯ୍ୟୋଧନ ।

କାଳିଞ୍ଜନ କୁନ୍ତଭୋଜ ଜୟଦ୍ରଥ ବୀର

କୌଶିକ ପଦ୍ମକେଶର ସତ୍ୟବନ୍ତ ଧୀର ।

ସୁବାହୁ ବୀରବାହୁ ଯେ ହରିସେନ ରାୟେ

ଭୀଷ୍ମ ଦ୍ରୋଣ ଭୂରିଶ୍ରବା କୃପାଚାର୍ଯ୍ୟ ଯାଏ ।

ରେରେକାର କରି ମାଡ଼ି ପଡ଼ି ଯେଝାମତେ

ଧର ଧର ମାର ମାର ବୋଲନ୍ତି ସମସ୍ତେ ।

ଛୁରୀ ଯମଦାଢ଼ ତୀର କମାଣ ଶକତି

ଶାବେଳି ଭୂଷଣ୍ଡି ଗଦା ଶସ୍ତ୍ର ନାନାଜାତି ।

ଚନ୍ଦ୍ରକାନ୍ତି ପରିଘ ଯେ ଆଉ ତୀକ୍ଷ୍‌ଣ ମୁନା

ଅନିବାର ଶରମାନ ଧରିଛନ୍ତି ନାନା ।

ଅନର୍ଯ୍ୟାପ୍ତ ସଇନିଏ ଏକମୁଖ ହୋଇ

ହଳୀଙ୍କ ଅଙ୍ଗକୁ ଶସ୍ତ୍ର ବିନ୍ଧି ପରିଘାଇ ।

ଏକଜଣ ଦଶସସ୍ର ଶର କରେ ଘେନି

ହଳୀଙ୍କୁ ବିନ୍ଧନ୍ତି ମିଳି ସକଳ ସଇନି ।

ଶସ୍ତ୍ରଙ୍କର ତେଜ ଦେଖି ସେ ଦେବାଧି ରାୟେ

ଅବ୍ୟକ୍ତ ବିଶ୍ୱ ମୂରତି ଧଇଲେ ସେ କାୟେ ।

ଶ୍ରୀହସ୍ତେ ହଳ ମୂଷଳ ଘେନି କାମପାଳ

ଶସ୍ତ୍ର ମାରନ୍ତେ ଦେଖାଇ ଦ୍ୟନ୍ତି ବକ୍ଷସ୍ଥଳ ।

ମହା ମହା ଶରମାନ ତାଙ୍କ ଦେହେ ବାଜି

ଖଣ୍ଡ ଖଣ୍ଡ ହୋଇକରି ପଡ଼ୁଛନ୍ତି ଭାଜି ।

ପୁଣି ଶସ୍ତ୍ର ଧରି ସର୍ବେ ମାରି ଯେ ଯାହାରେ

ସବୁ ଶର ବାଜିଅଛି ହଳୀଙ୍କ ଶରୀରେ ।

ଅତିବଳେ ବଳବନ୍ତ ରୋହିଣୀର ବତ୍ସି

କୋଟିସିଂହ ପ୍ରାକର୍ମ ଯା ରୋମମୂଳେ ଅଛି ।

କୀଟୁ ବ୍ରହ୍ମ ପରିଯନ୍ତେ ସବୁ ଦେହେ ପୂରି

ତାଙ୍କୁ ବଳି ସଂସାରରେ କେବା ଶସ୍ତ୍ରଧାରୀ ।

ଅନନ୍ତ ମହୀଧର ଯେ ଦେବ ଦେହବନ୍ତା

ଠୁଳଶୂନ୍ୟ ବିବର୍ଜିତ ଶୟଳ ରଖନ୍ତା ।

ଅନନ୍ତ ବିଶ୍ୱମୂର୍ତ୍ତି ଯା ଆଦିଅନ୍ତ ନାହିଁ

ତାଙ୍କୁ ଘେରି ବନ୍ଦୀ କଲେ ପାରିଅବା କାହିଁ  

ଜରା ଆଦି ଚାରିଊଣା ଲକ୍ଷେକ ନୃପତି

ନୃପତିକେ ଦଶବିଂଶ କ୍ଷୌରୀ ସୈନ୍ୟ ଛନ୍ତି ।

ରାଉତ ମାହୁନ୍ତ ରଥୀ ପଦାତି ସହିତେ

ଅନର୍ଯ୍ୟାପ୍ତ ଶର ଧରି ମାରନ୍ତି ସମସ୍ତେ ।

ବଜ୍ରଅଙ୍ଗ ପାତିଛନ୍ତି ଦେବ ଶୂଳପାଣି

ଶସ୍ତ୍ର ଉପୁଡ଼ି ପଡ଼ନ୍ତି ବର୍ଷା ପାଣି ଜାଣି ।

ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ଶାଢ଼ୀ ପାଇ ଆଗୁଆଣି ହେଲେ ଚାରିଜଣ ।

ବାମକରେ ଧନୁଶର ଧରି ଦୃଢ଼ମୁଷ୍ଟି

ତୂଣୀରେ ପୂରାଇଛନ୍ତି ବାଣ ଲକ୍ଷେ କୋଟି ।

ଗୁଣ ଟଙ୍କାରିଣ ଧ୍ୱନି କରୁଛନ୍ତି ରାଗେ

ରହ ରହ ବୋଲି ଉଭା ହେଲେ ଯାଇ ଆଗେ ।

ବୋଲନ୍ତି ଆମ୍ଭ ମହିମା ଶୁଣିନାହୁଁ କାଳେ

ପ୍ରାଣ ତୁ ଘେନି କି ଯିବୁ ଏଥୁ ଆଜ ଭଲେ ।

ନିଶ୍ଚେଁ କୃତାନ୍ତକ ଦେବ ପୋଛିଲା ତୋ ପାଞ୍ଜି

ତୂଳା ପ୍ରମାଣରେ ମାଂସ ପକାଇବୁ ପିଞ୍ଜି ।

ଏତେ ବୋଲି ଚାରିବୀରେ ବେଢ଼ି ଚାରିକତି

ପାର୍ଶ୍ୱେ ବେଢ଼ିଛନ୍ତି ପଞ୍ଚ ସହସ୍ର ନୃପତି ।

ଏକମୁଖରେ ସମର କରନ୍ତି ସକଳ

ଶ୍ରାବଣ ମାସରେ ଯେହ୍ନେ ବରଷା ପ୍ରବଳ  

ମେଘ ଘଡ଼ଘଡ଼ି ପ୍ରାୟେ ଶୁଭେ ଗୁଣମୁଷ୍ଟି

ଦିବସରେ ଅନ୍ଧକାର ଦିଶେ ନବସୃଷ୍ଟି ।

ସୈନ୍ୟଙ୍କର ଆଗଭର ଦେଖି ନୀଳାମ୍ବର

ହଳ ମୁଷଳ ବୁଲାଇ ଧାଇଁଲେ ସତ୍ୱର ।

ଦିବ୍ୟ ବିଶ୍ୱମୂର୍ତ୍ତି ବିକରାଳ ତେଜମୟେ

ନୟନେ ଚନ୍ଦ୍ର ସୂର୍ଯ୍ୟକି ହୋଇଛି ଉଦୟେ ।

ପ୍ରଖର ପବନ ବହେ ଅଣଚାଶ ଜାଣି

ଦନ୍ତବକ୍ର ରଥେ ତାହା ପିଟିଲାକ ଆଣି ।

ବାମହସ୍ତରେ ମୂଷଳ ବୁଲାଇ ବୈରାଗେ

ଶାଲ୍ୱରାଜା ରଥେ ନେଇ ପିଟି ତାହା ବେଗେ ।

ଦୁର୍ଜ୍ଜୟ ବଜ୍ରାଘାତରେ ସେ ମୁଷଳ ବାଜି

ଏକାବେଳେ ଗଲା ଦୁଇଗୋଟି ରଥ ଭାଜି ।

ଶତେଖଣ୍ଡ ହୋଇ ରଥ ଭାଙ୍ଗେ ଏକଘାଏ

ସାରଥି ଚାରିଅଶ୍ୱେ ଯେ ମରିଲେ ସେଠାଏ ।

ବିରଥୀ ହୋଇଲେ ଶାଲ୍ୱ ଦନ୍ତବକ୍ର ବେନି

ବିକଳେ ପଳାଇ ଗଲେ ହୋଇ ପାଦଗାମୀ  

ନିକଟେ ଦେଖିଲେ ଶିଶୁପାଳ ଯେ ରୁକ୍ମଣ

କରେ ଶସ୍ତ୍ର ଧରି ଆବୋରିଲେ ତତକ୍ଷଣ ।

ଦେଖିକରି କୋପଭର ହେଲେ ହଳପାଣି

ଏକାବେଳେ ଲଙ୍ଗଳକୁ ପ୍ରହାରିଲେ ପୁଣି ।

ନିର୍ଘାତ ଶବଦ ପ୍ରାୟେ ଶୁଭେ ପରଚଣ୍ଡା

ବେନି ରହୁବର ଭାଙ୍ଗି ହେଲେ ମସିଗୁଣ୍ଡା ।

ବିକଳେ ପଳାଇ ଗଲେ ଦୁହେଁ ପ୍ରାଣ ଘେନି

ଦେଖିଣ ଶଙ୍କା ପାଇଲେ ସକଳ ସଇନି ।

ରଥୀ ମହାରଥୀ ସହିତରେ ଆଦିକରି

ବଳରାମ ମୂର୍ତ୍ତି ଦେଖି ଗଲେ ଅପସରି ।

ହାତୀ ରଥୀ ପୁଣି ଅଶ୍ୱ ପଦାତି ବହୁତ

ସର୍ବଯୋଦ୍ଧା ପଳାଇଲେ ହୋଇ ମହାଭୀତ ।

ପଳାନ୍ତି ସଇନିମାନେ ପଛକୁ ନ ଚାହିଁ

ଗୋଡ଼ାଇ ଯାଆନ୍ତି ସ୍ୱମୀ ମୂଷଳ ବୁଲାଇ ।

ସୈନ୍ୟ ପଳାଇବା ଦେଖି ମଗଧ ନୃପତି

କାମପାଳ ଆଗେ ରଥ ଟେକିଲା ତଡ଼ତି  

ମାର ମାର ବୋଲି ସୈନ୍ୟ ଡାକି ମହାରାୟେ

ମୁଁ ଥାନ୍ତେ କାହାକୁ ଅଛି ତୁମ୍ଭରରେ ଭୟେ ।

ପର୍ବତ ଉପରେ କୃଷ୍ଣ ଭସ୍ମ ହେଲା ପୋଡ଼ି

ଏକ୍ଷଣି ମରିବ ଏ ତ ଆଗେ ଅଛି ପଡ଼ି ।

ଅନେକ ଶାସ୍ତି ଦେଇଣ ମାରିବଇଁ ଆଜ

ତେବେ ସୁଫଳ ହୋଇବ ନିଶ୍ଚେ ମୋର କାର୍ଯ୍ୟ ।

ଏତେ ବୋଲି ଧନୁ ରାୟେ ଧରେ ବାମକର

ସାରଥିକୁ ଆଜ୍ଞାଦେଲେ ବାହା ରହୁବର ।

ଶୁଣି ସାରଥି ଚଳାଏ ରଥ ଅନ୍ତରୀକ୍ଷେ

ଚାରିଊଣା ଲକ୍ଷେରାଜା ଯାନ୍ତି ପଛେ ପଛେ ।

ଆଗେ ଓଗାଳିଲା ଯାଇ ସଂକୋଚନ ସୁତ

ଅକଳିତ ସୈନ୍ୟ ତାର ନ ଯାଏ କଥିତ  

ବାରା ବଜ୍ରନାଭ ଆଉ ନାରକା ଶମ୍ବର

ଦୁର୍ଯ୍ୟୋଧନ ଆଦିକରି ବହୁ ନୃପବର ।

ଜରାସନ୍ଧ ପାରୁଶରେ ସର୍ବେ ଛନ୍ତି ଖଟି

ଏକୁଁ ଆରେକ ଯୋଦ୍ଧା ଯେ ଲକ୍ଷେ ନବକୋଟି ।

କୋପମୁଖରେ ନୃପତି ପେଶେ ମୋହଶର

ଦୁସ୍ତର ବର୍ଷାରେ ଯେହ୍ନେ ବର୍ଷେ ଜଳଧର ।

ଏକା ବଳଦେବ ଅଙ୍ଗେ ଅସ୍ତ୍ରମାନ ପଡ଼ି

ଥୋକେ ଭାଙ୍ଗନ୍ତି ଥୋକାଏ ପଡ଼ନ୍ତି ଉପୁଡ଼ି ।

କୋପେ ଜରା ଦଶସସ୍ର ନାରାଚ ପୂରାଇ

କାମପାଳଙ୍କ ଅଙ୍ଗରେ ବିନ୍ଧିଲା ତୁହାଇ ।

କଙ୍କପକ୍ଷ ତୀକ୍ଷ୍‌ଣମୁନା ପଚିଶ ପୂରାଇ

ନିଃଶ୍ୱାସ ମାତ୍ରକେ ପେଷେ କୋପଭର ହୋଇ ।

ପୁଣି ଶତେକ ନାରାଚ ବିନ୍ଧେ ଚଉକତି

ମେଘ ଅଗ୍ନିଶର ପେଷେ ହୋଇ କୋପମୂର୍ତ୍ତି ।

ରଥୀ ମହାରଥୀ ଆଉ ପଦାତି ସହିତେ

ଅନର୍ଯ୍ୟାପ୍ତ ଶରବୃଷ୍ଟି କରି ଯେଝାମତେ ।

ରଣ ଝଣ ଝଙ୍କାରରେ କରି ଶରବୃଷ୍ଟି

ଭୂମିରୁ ସ୍ୱରଗ ଯାଏ ପୂରିଅଛି ସୃଷ୍ଟି ।

ଅକ୍ଷୟ ଅଜ୍ରାମର ଯେ ଆଦି ଅନ୍ତ ନାହିଁ

ଅଗ୍ନିଶର ବିନ୍ଧିଲେ ନ ଲାଗେ ତାର ତହିଁ ।

ଶସ୍ତ୍ର ମାରି ଅଙ୍ଗଭେଦ କରିବ କେ ତାକୁ

କେ ଆଗେ ଛିଡ଼ା ହୋଇବ ଏଡ଼େ ଧରି ବୁକୁ ।

ଅନନ୍ତ ଯେ ଶେଷଦେବ କ୍ଷୀରସିନ୍ଧୁ ଶାୟୀ

ଅଚିନ୍ତ୍ୟ ଚିନ୍ତାମଣି ଯେ ପ୍ରଭୁ ଭାବଗ୍ରାହୀ ।

ନୃପତିମାନେ ତାହାଙ୍କୁ ଜରାର ସହିତେ

ଅବିଚ୍ଛିନ୍ନେ ନାରାଚକୁ ବିନ୍ଧି ଯେଝାମତେ ।

ଜୁଳୁଜୁଳା ପୋକ ପ୍ରାୟେ ସ୍ୱର୍ଗେ ଖସିପଡ଼ି

ଥୋକେ ଉପୁଡ଼େ ଥୋକାଏ ଅଧବାଟୁଁ ଝଡ଼ି ।

ଲୁହାରେ ଲୁହା ବାଜିଣ ହୁଏ ସମତାଳ

ଉଠେ ଅଗ୍ନିଶିଖା ଯେହ୍ନେ ମଧ୍ୟାହ୍ନର ବେଳ ।

ଢୋଲ ମା ଟମକ ଯେ ବାଜେ କରତାଳ

ଭୂଲୋକ ଆଦି କରିଣ କମ୍ପେ ସ୍ୱର୍ଗଆଳ ।

ଟଳମଳ ବସୁନ୍ଧରା ବ୍ରହ୍ମାଣ୍ଡ ଯେ ତିନି

ଚାରିଊଣା ଲକ୍ଷେ ନରପତିଙ୍କ ସଇନି ।

ଏକା ଜଣକୁ ସମସ୍ତେ ଅସ୍ତ୍ରାନ୍ତ ସନ୍ଧିଲେ

ଦେବଶର ଆଦିକରି ରିଝାରି ବିନ୍ଧିଲେ ।

କୌଣସି ଶସ୍ତ୍ର ନ କାଟେ ବଳଦେବ ଅଙ୍ଗେ

ଲଜ୍ଜାପାଇ ରାଜାମାନେ ରହି ମାନଭଙ୍ଗେ ।

ସୈନ୍ୟଙ୍କୁ ଚାହିଁଣ ବୋଇଲେକ ନୀଳାମ୍ବର

ଆରେ ଆଉ କେତେ ଅସ୍ତ୍ର ଅଛିରେ ତୁମ୍ଭର ।

ଏ ଶସ୍ତ୍ରମାନଙ୍କେ ହୁଏ ଆମ୍ଭଙ୍କୁ କି ଜିଣି

ଦେବଶସ୍ତ୍ର ଶିଖିଥିଲେ ପ୍ରହାରରେ ଆଣି ।

ଏସନ ବାକ୍ୟ ଶୁଣିଣ ରାଜା ଦୁଷ୍ଟବଳେ

ପୁନରପି ବହୁଶର ପେଷ ଅଙ୍ଗଛଳେ ।

ବାଣାସୁର କରେ ଧରି ମାଇଲା ଶକତି

ଗରୁଡ଼ାସ୍ତ୍ର ପେଷେ ବଜ୍ରନାଭ ନଭପତି ।

ରୁଦ୍ରଶର ପେଷେ ବେଗେ ନାରକା ଅସୁର

ନାରାୟର ଶର ମନ୍ତ୍ର ପେଷଇ ସମ୍ବର ।

ଆପଣେ ଜରାସନ୍ଧ ଯେ ଭୈରବାସ୍ତ୍ର ମାରି

ବିଜେ ଶକ୍ତି ମାରେ ମୃଗସେନ ଦଣ୍ଡଧାରୀ ।

କଳିଙ୍ଗସେନ ପେଷଇ ଲୌହ ପଞ୍ଚବାଣ

କଙ୍କପକ୍ଷ ଦଶବାଣ ମାରେ ଦୁର୍ଯ୍ୟୋଧନ ।

ଭୀଷ୍ମ ବିଂଶବାଣ ମାଇଲେକ ଖଣ୍ଡେଦୂରୁ

ହାବୋଡ଼ା ତୀକ୍ଷ୍‌ଣ ନାରାଚ ମାରି ଦ୍ରୋଣଗୁରୁ ।

କର୍ଣ୍ଣ ଏକାଦଶ ବାଣ ଦୁଃଶାସନ ସାତ

ଚଉଦ ବାଣ ପେଷଇ ବୀର ଜୟଦ୍ରଥ ।

ଅଶ୍ୱତ୍‌ଥାମା ତିନିବାଣ ସନ୍ଧିକରି ପେଷି

ନମସ୍କାର କରି ବାଣ ମାରି କୃତକେଶୀ ।

ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣ

ଅଭିମନ୍ତ୍ର କରି ପେଷି ସସ୍ରେ ସସ୍ରେ ବାଣ ।

ଦ୍ରୁପଦ ବିରାଟ ରାଜା ଆବର କୌଶିକ

ହରିସେନ ଶିବସେନ ସୁବାହୁ ଭୀଷ୍ମେକ ।

ଏହିମାନେ ବାଛି ବାଛି ତୀକ୍ଷ୍‌ଣ ଶରମାନ

ବଳରାମଙ୍କ ଉପରେ କରନ୍ତି ସନ୍ଧାନ ।

ଶୁଣ ପରୀକ୍ଷିତ ରାଜା ବଦୟନ୍ତି ଯତି

ଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।

ଶ୍ରୀବିଷ୍ଣୁଙ୍କ ପୁରାଣ ଏ ୟାର ଅନ୍ତ ନାହିଁ

ସିନ୍ଧୁ ଶୁଖାଇ ପାରିବ କେବା କରେ ବୋହି ।

ଏ ରୂପରେ ଚାରିଊଣା ଲକ୍ଷେରାଜା ସୈନ୍ୟ

ବଳରାମ ପରେ ଶସ୍ତ୍ର କରନ୍ତି ସନ୍ଧାନ ।

ବାଲି ପକାଇଲେ ସିନ୍ଧୁ ହୋଇବ କି ପୋତି

ପିମ୍ପୁଡ଼ିମାନେ କି ଗିରି ଉପାଡ଼ି ପାରନ୍ତି ।

ହସ୍ତୀକୁ ମଶକେ କାହୁଁ ବିନାଶି ପାରନ୍ତି

ଶୃଗାଳ କି ମାରିପାରେ ଶାର୍ଦ୍ଦୂଳ ନୃପତି ।

ତେସନ ପ୍ରକାରେ ରାଜାମାନଙ୍କର ଯୁଦ୍ଧ

ଦିକ୍‌ପାଳ ଦେବେ ଦେଖନ୍ତି ଥାଇ ସ୍ୱର୍ଗମଧ୍ୟ ।

ବୃହସ୍ପତି ବୋଇଲେକ ଶୁଣ ସୁରରାୟେ

ଦେଖ ଏବେ ତୁମ୍ଭେ ହଳୀଙ୍କର ବିଶ୍ୱକାୟେ ।

ଯୋଦ୍ଧାଙ୍କର ଶର ବାଜେ କାମପାଳ ଅଙ୍ଗେ

ନିଃଶଙ୍କରେ ଛିଡ଼ା ହୋଇଛନ୍ତି କେହ୍ନେ ଆଗେ ।

ଅଚଳ ପର୍ବତ ପ୍ରାୟ ଅଛନ୍ତି ସେ ରହି

ରାଜାମାନେ ଫୁଟିଲେଣି ମହାଲଜ୍ଜା ପାଇ ।

ଏସନକ ବିଚାରକୁ କରି ସୁରଗଣ

ହଳ ମୂଷଳ ବୁଲାଇ ଧାଇଁ ସଂକର୍ଷଣ ।

ବକପକ୍ଷୀ ଦେଖି ଯେହ୍ନେ ଶାମଳ ଧାମଇଁ

ସୌନନ୍ଦ ମୁଷଳ ଧରି ପିଟିଲେ ବୁଲାଇ ।

ହୁଂକାର ନାଦ କରିଣ ପିଟନ୍ତେ ସେ ଘୋଟି

ପଡ଼ିଲେ ମୁକୁଟବନ୍ଧା ଯୋଦ୍ଧା କୋଟି କୋଟି ।

ରଥର ଉପରେ ରଥ କଚାଡ଼ନ୍ତି ଧରି

ଗଜ ଉପରେ ଗଜକୁ ପିଟି ରୋଷଭରି ।

ପାଦରେ ମର୍ଦ୍ଦନ୍ତି କାକୁ ମାରନ୍ତି ଯେ ନାତ

ମୁଷଳ ମାରି କାହାକୁ ହସ୍ତରେ ନିପାତ ।

ପଡ଼ିଲେ ଅନେକ ଯୋଦ୍ଧା ଚତୁରଙ୍ଗ ବଳ

ଉଲ୍ଲୋଳ ପ୍ରଖରେ ରକ୍ତ ବହେ ବେନିତାଳ ।

ହାତୀ ରଥୀ ମଡ଼ା ଅଶ୍ୱ ପଦାତିକ ମୂଳେ

କାଠଭେଳା ପ୍ରାୟେ ଭାସିଯାନ୍ତି ରକ୍ତଜଳେ ।

ଚଣ୍ଡୀ ଚାମୁଣ୍ଡା ମାତଙ୍ଗୀ ଦେବୀ ଭଦ୍ରକାଳୀ

ରକ୍ତ ମାଂସ ଖାଇ ତହିଁ କରିଲେକ କେଳି ।

ବୀରତୂର ବାଜଣା ଯେ ବାଜେ ଲକ୍ଷକୋଟି

ସହସ୍ର ସଂଖ୍ୟା କବନ୍ଧ ନୃତ୍ୟ କଲେ ଉଠି ।

ଏସନ ମାରନ୍ତେ ସୈନ୍ୟ ପଶି କାମପାଳ

ଭୟେ ଭାଜି ପକାଇଲେ ଜରାସନ୍ଧ କଳ ।

ବସାଭଗ୍ନେ ପକ୍ଷୀ ଯେହ୍ନେ ବିଚଳିତ ଚିତ୍ତ

ଜାଲରୁ ଫିଟି ଯେସନ ଯାନ୍ତି ମୀନଯୂଥ ।

ବ୍ୟାଧକୁ ଦେଖି ପଳାଏ ଯେହ୍ନେ ମୃଗ ଡରେ

ଛାଗଳ ନ ରହେ ଯେହ୍ନେ ବ୍ୟାଘ୍ରର ଛାମୁରେ  

ସେପରି ଲୋକେ ପଳାନ୍ତି ସଂଗ୍ରାମକୁ ଛାଡ଼ି

ପ୍ରାଣ ବିକଳେ ଧାମନ୍ତି ହୋଇ ତଡ଼ବଡ଼ି ।

ପ୍ରଳୟ କାଳ ପଡ଼ିଲେ ଯେହ୍ନେ ହତମେରୁ

ଧନ ତେଜି ଜୀବ ଘେନି ପଳାଏ କେ ଦୂରୁ ।

ତିନିତାଳ ଉଚ୍ଚେ ମଡ଼ା କୁଢ଼ ଜମା ହେଲା

ଭାଗ୍ୟବନ୍ତ ଲୋକ ତହୁଁ ଉବୁରିଣ ଗଲା ।

ରଥର ଉପରେ ଗଜ ପଡ଼ିଲେକ ମାଡ଼ି

ଅଶ୍ୱ ସଙ୍ଗତେ ପଦାତି ହେଲେ ଗଡ଼ାଗଡ଼ି ।

ଆନୁ ଆନରୂପ ସ୍ୱାମୀ ବଳରାମ ଧରି

ଚାରିଊଣା ଲକ୍ଷେରାଜା ସୈନ୍ୟ ଶେଷକରି ।

ଜାନୁ ଭଗ୍ନ ହେଲା କାର ଭଗ୍ନ ହେଲା ମୁଣ୍ଡ

ମୁଷଳ ବା ଜିଣ କାର ଭାଙ୍ଗେ ଭୁଜଦଣ୍ଡ ।

ଆଣ୍ଠୁ ଭାଙ୍ଗିଗଲା କାର ଭାଙ୍ଗେ  ବକ୍ଷସ୍ଥଳ

ବହୁ ପ୍ରାଭବ ପାଇଲେ ନୃପତି ସକଳ ।

ଜରାକୁ ଛାଡ଼ି ପଳାନ୍ତି ସର୍ବେ ଭୟ ପାଇ

ନୃପତି ଏକା କେ ଅଛି ଆରମ୍ଭ ଦେଖାଇ ।

ଦେଖିଣ ରାମ ବିକ୍ରମ ସ୍ୱରୂପକୁ ଧରି

ରଥର ପରେ ମୁଷଳ ପିଟି ରୋଷଭରି ।

ଖଣ୍ଡ ବିଖଣ୍ଡ ହୋଇଣ ପଡ଼େ ରହୁବର

ଅଖ ଚକ ଦଣ୍ଡାମାନ ସବୁ ହେଲା ଚୂର ।

ନିର୍ଘାତ ଶବଦ ପ୍ରାୟ ଶୁଭିଲାକ ରଡ଼ି

ସାଥି ଅଶ୍ୱ ସହିତେ ମଲେ ତଳେ ପଡ଼ି ।

ରଥଗୋଟି ଭାଙ୍ଗିଯାନ୍ତେ ମଗଧ ନୃପତି

ଧାଇଁ ଧପଡ଼ିଣ ରଥୁଁ ଉତୁରି ତଡ଼ତି ।

ବାସ୍ତରି ଭାର ଗଦାକୁ ଘେନି ନିଜକରେ

ବଳରାମଙ୍କ ଉପରେ ପିଟେ ଧାତିକାରେ ।

ଦେଖି କାମପାଳ ପ୍ରଭୁ ଲଙ୍ଗଳ ପ୍ରହାରି

ଉଠିଲା ପ୍ରଚଣ୍ଡ ବହ୍ନି ସର୍ବ ବସୁନ୍ଧରୀ ।

ପୁଣି ଚକ୍ରଗତି କରି ମଗଧ ନୃପତି

ଖଣ୍ଡେଦୂରେ ଉଭା ହେଲା କରି ପାଦଗତି ।

ପୁଣି ମନେ ବିଚାରଇ ଧରିବି ଆଣ୍ଟରେ

ବେକଷଣ୍ଢା ମୋଡ଼ି ପେଷିଦେବି ଯମପୁରେ ।

ଏହାର ପାଇଁକି ପଛେ ଜୀବ ଯାଉ କିନା

ସମର ସରୁ ପଛକେ ନାହିଁ ମୋ ଭାବନା ।

ନାନା ପରକାରେ ଆଜ ଏହାକୁ ମାରିବି

ନୋହିଲେ ତୋ ପାଇଁ ପଛେ ମରିଲେ ମରିବି ।

ଆବର ଦେଖିଲା ତାଙ୍କ ସଙ୍ଗେ କେହି ନାହିଁ

ଜୀବ ବିସର୍ଜନ କରି ପଡ଼େ ବେଗେ ଧାଇଁ ।

ବଳରାମ ଅଣ୍ଟାଧରି ଭିଡ଼ି ରୋଷଭରେ

କଚାଡ଼ି ଦେଲେ ପର୍ବତେ ବୁଲାଇଣ ଥରେ ।

ଏମନ୍ତ ବିଚାରି ମାଡ଼ି ବସିବ ବୋଲିଣ

ମନ କରନ୍ତେ ତା ଜାଣିପାରି ସଙ୍କର୍ଷଣ ।

ଦକ୍ଷିଣ ପାଦ ସିଞ୍ଚାଡ଼ି ଦେଲେ ତତକ୍ଷଣି

ଘୁମାଇ ପଡ଼ିଲା ଜରା ଖଣ୍ଡେ ଦୂରେ ପୁଣି ।

ଦେଖିଣ ପ୍ରତିଜ୍ଞା କରି ଧାଇଁ ହଳପାଣି

କେଶ ଧରିଣ ଜରାକୁ ବନ୍ଦୀ କଲେ ଆଣି ।

ଜରାସନ୍ଧର ଯେତେକ ସୈନ୍ୟ ରହିଥିଲେ

ରାଜା ବନ୍ଦୀ ହେବା ଦେଖି ସର୍ବେ ପଳାଇଲେ ।

ଜରାସନ୍ଧେ କାଖେ ଯାକି ପ୍ରଭୁ ହଳପାଣି

ଆନନ୍ଦରେ ଚାଲିଯାନ୍ତେ ମତ୍ତଗଜ ଜାଣି ।

ଜଗନ୍ନାଥେ ଚାହିଁ ଛନ୍ତି ଗିରିପରେ ଥାଇ

ଦେଖନ୍ତି ଜରାକୁ ନ୍ୟନ୍ତି ରେବତୀର ସାଇଁ ।

ଗିରି  ପୋଡ଼ିଯାନ୍ତେ ଜୀବଜନ୍ତୁଏ ଆରତ

ଦୟାବନ୍ତ ସ୍ୱାମୀ ତାହା ଦେଖନ୍ତି ସାକ୍ଷାତ ।

ମେଘକୁ ଆଜ୍ଞା ଦେଲେ ତୁ ଏକ୍ଷଣି ବର୍ଷିବୁ

ଆଜ୍ଞା ପାଇ ମେଘମାନେ ଏକ ହେଲେ ସବୁ ।

ପୁଣି ମନେ ବିଚାରିଲେ ଅନାଦି ମାଧବ

ଘୋଟୁ ଘୋଟୁ ଘଡ଼ିଏକ ବିଳମ୍ବ ହୋଇବ ।

ଚାହୁଁ ଚାହୁଁ ପୋଡ଼ିଯିବେ ଜୀବଜନ୍ତୁମାନେ

କିପରି ଉଦ୍ଧାର ହେବେ ଏଥିରୁ ଏମାନେ ।

ଏତେ ବୋଲିଣ ବିକ୍ରମ ରୂପକୁ ସେ ଧରି

ଅଙ୍ଗୁଷ୍ଠି ଘେନି ପର୍ବତ ଯାକି ଆଣ୍ଟ କରି ।

ଡେଇଁବା ବେଳରେ ଗିରି ତଳେ ଗଲା ଲସି

ରସାତଳରେ ପର୍ବତ ପ୍ରବେଶଇ ଆସି ।

ସେ ବାଟେ ପାତାଳୁ ପଡ଼େ ଉଛୁଳି ସଲିଳ

ସୂର୍ଯ୍ୟମଣ୍ଡଳକୁ ଜିଣି ଉଠେ ମହାଜଳ ।

ବତିଶ ଯୋଜନ ପାଞ୍ଚଯୋଜନ ଓସାର

ଗିରି ଲସି ସରୋବରେ ହୋଇଲା ଏଠାର ।

ପହଁରିଣ ଜନ୍ତୁମାନେ କୂଳରେ ଲାଗିଲେ

ଦରପୋଡ଼ା କାଠ ସବୁ ଜଳେ ଭାସିଗଲେ ।

ଜୀବମାନେ ମହାସୁଖେ ଖାଇ ତହୁଁ ପାଣି

ବତିଶ ଯୋଜନ ଦୀର୍ଘେ ଉଠେ ତରଙ୍ଗିଣୀ ।

ସମସ୍ତେ ଆଶ୍ଚର୍ଯ୍ୟ ହେଲେ ନେତ୍ରେ ତାହା ଦେଖି

ସର୍ବଜନ୍ତୁ ଉପକାର କଲେ ପଦ୍ମଆଖି ।

ଶୁକ ପରୀକ୍ଷେ ବଦନ୍ତି ଶୁଣ ମହାଯତି

ଇତି ଶିରୀ ହରିବଂଶ ପୁଣ୍ୟମୟ କୀର୍ତ୍ତି ।

ପର୍ବତ ଉପରୁ ହରି ବିକ୍ରମିଣ ଯାନ୍ତେ

ବିଦ୍ୟାଧରି ନୃତ୍ୟକଲେ ମିଳି ଶୂନ୍ୟପଥେ ।

ଗନ୍ଧର୍ବେ ଗାଇଲେ ଗୀତମାନ ତାଳ ଧରି

ମୁନିମାନେ ସାମବେଦ ପଢ଼ିଲେ ଉଚ୍ଚାରି ।

ଆନନ୍ଦରେ ସିଦ୍ଧଗଣ ସ୍ୱସ୍ତି ସ୍ୱସ୍ତି ଭଣି

ଅପସରାମାନେ ପୁଷ୍ପ ବରଷିଲେ ଆଣି ।

କୈଳାସ କନ୍ଦରେ ଥାଇ ଭବାନୀ ଶଙ୍କର

ସିଂହନାଦ ବଜାଇଣ କଲେ ଜୟକାର ।

ଇନ୍ଦ୍ର ଆଦି କରେ ଯେତେ ଦେବତା ନିଚୟ

ସାନନ୍ଦରେ ସ୍ୱର୍ଗେ ଥାଇ କଲେ ଜୟ ଜୟ ।

ଅନେକ ଦୂର ପର୍ଯ୍ୟନ୍ତ ଶ୍ରୀହରି ଚଳିଲେ

ବାରୁଣା ପର୍ବତେ ଯାଇ କ୍ଷଣକେ ମିଳିଲେ ।

ଡଗରେ କହିଲେ ଯାଇ ଯୁଧିଷ୍ଠି ଅଗ୍ରତେ

ଭୋ ଦେବ ତୁମ୍ଭପୁରରେ ବିଜେ ଜଗନ୍ନାଥେ ।

ବଳଦେବ ଆଦି ସଙ୍ଗେ କେହି ଜଣେ ନାହିଁ

ଶ୍ରୀପୟରେ ବିଜେକରି ଆସନ୍ତି ଗୋସାଇଁ ।

ଡଗରା ବାରତା ଶୁଣି ଯୁଧିଷ୍ଠିର ରାଜ

ବୋଇଲେ କୃତାର୍ଥ ହେଲି ନିସ୍ତରିଲି ଆଜ ।

ଜଗବନ୍ଧୁ ନାଥ ମୋର ପୁରେ ବିଜେ କଲେ

ଏଥିରୁ ପୁଣ୍ୟ ଅଧିକ ଅଛି କି ମୋ ଭାଲେ ।

ଏତେକ ବୋଲିଣ ଭୀମ ଅର୍ଜ୍ଜୁନ ଯୁଧିଷ୍ଠି

ନକୁଳ ସହଦେବ ଯେ ଚଳିଲେ ପାଛୋଟି ।

ନଗ୍ରରୁ ବାହାର ହୋଇ ଖଣ୍ଡେଦୂର ଲାଗେ

ଦେଖିଲେ ଶ୍ରୀଜଗନ୍ନାଥ ଆସୁଛନ୍ତି ଆଗେ ।

ନୀଳ ଇନ୍ଦୀବର ପ୍ରାୟେ ବିରାଜଇ ତନୁ

ନିର୍ମଳ ଗଗନେ ଯେହ୍ନେ ଶୋହେ ଇନ୍ଦ୍ରଧନୁ ।

ଗଗନେ ଆର୍ଦ୍ରାବଳି କି ତେଜ ବିଶ୍ୱମୟେ

ଅଶେଷ କୋଟି କନ୍ଦର୍ପ କି ଅବା ଉଦୟେ ।

ସବୁ ଜନ ପ୍ରଜା ଦେଖି ହୋଇଲେକ ମୋହି

ବୋଇଲେ ନିଶ୍ଚୟ ପ୍ରଭୁ ନାରାୟଣ ଏହି ।

କେହୁ ବୋଲନ୍ତି ଆମ୍ଭର ବହୁତର ପୁଣ୍ୟ

କମଳାକାନ୍ତକୁ ଆଜି ଦେଖିଲୁ ନୟନ ।

ଏହାଙ୍କ ବାସ ବୈକୁଣ୍ଠେ ଏହି ଅନ୍ତର୍ଯ୍ୟାମୀ

ଦେବାଧିଦେବଙ୍କ ପରେ ଏ ତ ଶିରୋମଣି ।

ପୃଥିବୀର ଭାରାଭର ନିବାରିବା ପାଇଁ

କଉତୁକେ ଜାତ ମର୍ତ୍ତ୍ୟେ ନରତନୁ ବହି ।

ଅକ୍ଷୟ ଆଜରାମର ପ୍ରଭୁ ବିଶ୍ୱବାସ

ସନ୍ଥଜନ ପାଳିବେ ଏ ଦୁଷ୍ଟ କରି ନାଶ ।

ଏସନ ବିଚାର କରୁଛନ୍ତି ନର ନାରୀ

ଜଗବନ୍ଧୁ ପଛେ ପଛେ ଯାନ୍ତି ଅନୁସରି ।

କୁଳବଧୂମାନେ ଲଜ୍ଜା ଛାଡ଼ିଣ ଆରତ

କେଶବାସ ଅସମ୍ଭାଳେ ହୋଇ ଏକଚିତ୍ତ ।

କେ ବୋଲେ ଏହାକୁ ଯେଉଁ ବିଧାତା ଗଢ଼ିଲା

ବୈକୁଣ୍ଠେ ନ ରଖି କିପାଁ ମର୍ତ୍ତ୍ୟକୁ ଆଣିଲା ।

ଭ୍ରୂଲତାକୁ ଫୁଲାଇଣ ଚାହାନ୍ତି ଅପାଙ୍ଗେ

ବିନ୍ଧେ ପଞ୍ଚବାଣ ଯାଇ କାମିନୀଙ୍କ ଅଙ୍ଗେ ।

ରାଜହଂସ ଲୀଳା ନିନ୍ଦେ ଚାଲିବାର ଠାଣି

ଅଣ୍ଡିର କୋକିଳ ପରି କହିବାର ବାଣୀ ।

ସୁସଞ୍ଚ ନାସିକା ତାଙ୍କ ବଧୂଲି ଅଧର

ସିନ୍ଦୂରେ ମୁକୁତା ଶୋଭାପାଏ ଯେ ପ୍ରକାର ।

ସଂକୀର୍ଣ୍ଣମଝା ଶଙ୍କର ଡମ୍ବରକୁ ଜିଣି

ମତ୍ସ୍ୟ ଅଙ୍କିତ ଲୋହିତ ଦିଶେ ପାଦପାଣି ।

ବିସ୍ତାରିତ ବକ୍ଷମୂଳ ଜାନୁ ଯାଏ ଭୁଜ

କଲ୍ଲୋଳ କର୍ଣ୍ଣମୂଳ ଯା ଅତିଶୟ ତେଜ ।

ଅଙ୍ଗୁଷ୍ଠି ଚମ୍ପକ କଢ଼ୀ ପ୍ରାୟେ ଦିବ୍ୟ ଶୋଭା

ମସ୍ତକରେ ବାନ୍ଧିଅଛି ଜାଈଫଳ ଗଭା ।

ଭୂମିକି ଆକର୍ଷି ଚାଲୁଛନ୍ତି ସିଂହଠାଣି

ଦେଖିଣ ମୂର୍ଚ୍ଛି ପାରିବ କେବଣ ତରୁଣୀ ।

ଚାଚର ଚିକୁର କେଶ ଅତିଶୟ ଘନ

ଚାହାଣୀ ଛଟକେ ମୋହୁଛନ୍ତି ତ୍ରିଭୁବନ ।

କେ ବୋଲଇ ମୋହ ଘରବରେ କାର୍ଯ୍ୟ ନାହିଁ

ଏହାର ପାଶେ ଥିବଇଁ ଦାସୀ ପ୍ରାୟ ହୋଇ ।

ଏତେ ବୋଲି ନରନାରୀ ଧାମନ୍ତି ଆରତେ

ବାରୁଣାବନ୍ତେ ଉଚ୍ଚାଟ ହୋଇଲେ ସମସ୍ତେ ।

ଶ୍ରୀକୃଷ୍ଣ ସଙ୍ଗେ ସକଳେ ଅଛନ୍ତି ଗୋଡ଼ାଇ

ଥୋକାଏ ଦୂରେ ପାଣ୍ଡବେ ଭେଟିଲେକ ଯାଇ

ଯୁଧିଷ୍ଠିଙ୍କ ମୁଖ ଚାହିଁ ପ୍ରଭୁ ବନମାଳୀ

ଛାମୁରେ ନିଉଛାଳିଣ ଶୋଇ ଗଢ଼ଘାଲି ।

ମନ୍ତ୍ରୀ ସହଦେବ ଆଉ ନକୁଳ ଅର୍ଜ୍ଜୁନ

ନମସ୍କାର କଲେ ଯାଇ ଗୋବିନ୍ଦ ଚରଣ ।

ଜଗବନ୍ଧୁ ଅର୍ଜ୍ଜୁନକୁ ସମ୍ଭାଷଣ କଲେ

ଶ୍ରୀକରେ ଦେବ ଆଉଁଷି ମୁଖେ ଚୁମ୍ବ ଦେଲେ ।

ନିସ୍ତରିଗଲି ବୋଲନ୍ତି ଲକ୍ଷ୍ମୀଦେବୀ ସାଇଁ

ଅନେକ କଲ୍ୟାଣ କଲେ ପୁଣି ତାହାକୁହିଁ ।

ନକୁଳ ସହଦେବ ଏ ସମ୍ଭାଷଣ କରି

ଇଷ୍ଟବନ୍ଧୁ ମର୍ଯ୍ୟାଦାକୁ କଲେ ଯେ ଯାହାରି ।

କୁଇନ୍ତା ନନ୍ଦନ ଧର୍ମଶୀଳ ଯୁଧିଷ୍ଠିର

ଜଗନ୍ନାଥ ରୂପ ଦେଖି ଆନନ୍ଦ ଅପାର ।

ଅନେକ ଚାଟୁ ବଚନ ପ୍ରବୋଧି କହିଲେ

ନବର ଭିତରେ ପ୍ରଭୁ ବିଜେ କରିଗଲେ ।

ଯେ ସ୍ଥାନରେ ବିଜେ କୋନ୍ତଭୋଜର ନନ୍ଦିନୀ

ସେ ସ୍ଥାନେ ପାଣ୍ଡବ ସହ ମିଳି ଚକ୍ରପାଣି ।

ଏକତ୍ରେ ଯାଇଣ କୁନ୍ତୀ ପାଦରେ ଶୁତିଲେ

ସୋମବଂଶ ଠାକୁରାଣୀ ଦେଖି ହୃଷ୍ଟ ହେଲେ ।

କୁଇନ୍ତା ବୋଇଲେ ଉଠ ଉଠ ଚକ୍ରପାଣି

ଉଠ ଉଠ ପୁତ୍ରେ ମୋର କୁଳର କାରେଣୀ ।

ଧନ୍ୟ ଧନ୍ୟ ପୁତ୍ରେ ସୋମବଂଶର ଧାରଣ

ତୁମ୍ଭର ବଂଶରେ ଛନ୍ତି ଦେବ ନାରାୟଣ ।

ସର୍ବ ଅନ୍ତର୍ଯ୍ୟାମୀ ନାଥ କଳପନାନିଧି

ଅଷ୍ଟଧାତି ନାଟକାଦି ପାର ତୁମ୍ଭେ ସାଧି ।

ଧନ୍ୟ ମୋହର ଭଗିନୀ ଅଟେ ତୁମ୍ଭ ମାତ

ଅନ୍ତର୍ଯ୍ୟାମୀ ପୁରୁଷଙ୍କୁ ଗର୍ଭୁ କଲା ଜାତ ।

ଅଶେଷ ବ୍ରହ୍ମାଣ୍ଡ ରୋମେ ଅଛନ୍ତି ଯେ ବହି

ସ୍ତିରୀମାତ୍ର ହୋଇ ଗର୍ଭେ ଧରେ ତାହାଙ୍କୁହିଁ ।

ଧନ୍ୟ ମୋହର କନକ ଧନ୍ୟ ମୋର ମାୟେ

ଚର୍ମ ନୟନେ ଦେଖିଲି ଦିବ୍ୟ ଜ୍ୟୋତିର୍ମୟେ ।

ଶୁଭାଶୁଭ କର୍ମ ବାବୁ ଆନ କରିପାରୁ

ଅଭିମାନ ଭଞ୍ଜନ ତୁ ଆଶା କଳ୍ପତରୁ ।

ଅପାର ମହିମା ତୋର କହିବଇଁ କେତେ

ଏକା ପଞ୍ଚୁ ପାଣ୍ଡବଙ୍କ କଥା ଲାଗେ ତୋତେ ।

ଦେଢ଼ଶୁର ପୁତ୍ରେ ଅଟନ୍ତି ତ ଅଗ୍ରଲେଖା

ଭୀଷ୍ମ ଦ୍ରୋଣ ଆଦି ବୀରେ ଯାହାଙ୍କର ସଖା ।

ତାହାଙ୍କ ପକ୍ଷେ ଏମାନେ ସାମାନ୍ୟ ତ ଜାଣ

କକ୍ଷାରେ କାରେଣି ମାତ୍ର ହେଲେ ଅକାରଣ ।

ତୁମ୍ଭେ ଯେବେ ଅନୁରାଗ କରିବ ଶ୍ରୀପତି

ତେବେ ସଂସାରେ ରହିବ ପାଣ୍ଡବଙ୍କ କୀର୍ତ୍ତି ।

ଜଗନ୍ନାଥ ବୋଇଲେ ଗୋ ଚିନ୍ତା ତୁ ନ କର

ଅଚଳା ଶିରୀ ଭୋଗିବେ ତୋହର କୁମର ।

ବଳବନ୍ତ ଗୁଣବନ୍ତ ଅଟନ୍ତି ତୋ ପୋଏ

ତୁମ୍ଭ ପ୍ରସାଦେ ଏହାଙ୍କୁ ନାହିଁ କିଛି ଭୟେ ।

ମାଗୋ ଜାଣ ଧର୍ମ ସବୁ କାଳରେ ଯେ ରଖି

ଇହ ପରଲୋକେ ସିନା ଧର୍ମ ଅଟେ ସାକ୍ଷୀ ।

ଧର୍ମ ହିଁ ଅତ୍ୟନ୍ତ ସୂକ୍ଷ୍ମ ଖଣ୍ଡେ ସର୍ବଭୟେ

ଧର୍ମରେ ପ୍ରାଣୀଏ ଥିଲେ ନାହିଁ ଅପଚୟେ ।

ମାଗୋ ତୁମ୍ଭ ନିଜ ସ୍ୱାମୀ ପଣ୍ଡୁରାଜା ଥିଲେ

ଧର୍ମପାଳି ରାଜ୍ୟେ ଭାଇ ଥାପି ବନେ ଗଲେ ।

ଭାଗ୍ୟ ବଳେ ପାଇଅଛ ତୁମ୍ଭେ ପାଞ୍ଚସୁତ

ଯୁଧିଷ୍ଠିର ରୂପେ ଧର୍ମ ହୋଇଛନ୍ତି ଜାତ ।

ସତ୍ୟବାଦୀ ଅଟନ୍ତି ଏ ଶ୍ରୀମନ୍ତ ପୁରୁଷ

ନାମ ସୁମରିଲେ ମହାପାପ ଯିବ ନାଶ ।

ଅକ୍ଷୟ ଅଜରାମର ଅଟନ୍ତି ଗୋ ଏହି

ଜନମ ମରଣ ବାଧା ନାହିଁ ୟାଙ୍କ ଦେହୀ ।

ମଞ୍ଚମଣ୍ଡଳେ ଏ ହେବେ ଏକ ଚକ୍ରବର୍ତ୍ତୀ

ଏହାଙ୍କ ପାଦେ ପୂଜିବେ ଲକ୍ଷେକ ନୃପତି।

ତୁ ପରମ ମାହେଶ୍ୱରୀ ଅଟୁ ଗୋ ସାକ୍ଷାତେ

ତୁ କିସ ନ ଜାଣୁ ମାତ କହିବି ମୁଁ ତୋତେ  

ଦ୍ୱିତୀୟ ପୁତ୍ର ତୋହର ଭୀମ ମହାବଳୀ

ପୃଥ୍ୱୀଦେବୀ ନ ସହଇ ଏହାର ଆର୍ଦ୍ଦୋଳି ।

ଦ୍ୱାପରେ ଭାରୋଇ ମଲ୍ଲ ଭାରା ନିବାରଣ

ଏ ତୋତେ କରିବ ନିଶ୍ଚେଁ ବହୁତ କାରଣ ।

ଅରଜୁନ ନାମେ ଯେଉଁ ପୁତ୍ର ଅଛ ପାଇ

ସାକ୍ଷାତେ ଦ୍ୱିତୀୟ କୃଷ୍ଣ ଅଟଇ ଗୋ ସେହି ।

ପୃଥ୍ୱୀଭାର ନିବାରିବୁ ଆମ୍ଭେ ତାକୁ ଘେନି

ସର୍ବ ଜଗଜ୍ଜିତା ଅଟେ ବୀର ଫାଲଗୁନି ।

ଇନ୍ଦ୍ର ଗଙ୍ଗାଧର ତାକୁ ହାରିବେ ସମରେ

ଚାରିଊଣା ଲକ୍ଷେ ରାଜା ଏକା ଜିଣିପାରେ ।

ଗଣ ଗନ୍ଧର୍ବ ଦେବତା ସୁରାସୁର ଯେତେ

ଜିଣିପାରଇ ଏ ଏକାବାଣକେ ଜଗତେ ।

ନକୁଳ ବୋଲି କରି ଯେଉଁ ପୁତ୍ର ଗୋଟି

କୁନ୍ତମୁନେ ଜିଣିପାରେ ଚରାଚର ସୃଷ୍ଟି ।

ଅଶ୍ୱପିଠିରେ ସେ ଯେବେ ଥିବଟି ଆରୋହି

ତ୍ରଇଲୋକର ଭିତରେ ଜିଣନ୍ତା କେ ନାହିଁ ।

ସହଦେବର ମହିଁମା କହିବଇଁ କିସ

ଭୂତ ଭବିଷ୍ୟ ତ୍ରିକାଳ ୟାକୁ ହୁଏ ଦୃଶ୍ୟ ।

ଅଂଶାବତାର ଏହି ତ ନର ଶିରୋମଣି

ବୁଦ୍ଧିବଳେ ଜିଣିପାରେ ସକଳ ମେଦିନୀ ।

ଏମନ୍ତ ପୁତ୍ର ଜନମ କରି କିପାଁ ଭୟେ

ସଂସାରର ଉପଦ୍ରବ ନାହିଁ ଅପଚୟେ ।

ଏମନ୍ତ ବେଳେ ବିଦୁର ଦାସୀପୁତ୍ର ମିଳି

ଜଗନ୍ନାଥଙ୍କ ପୟରେ କଲେ ନିଉଛାଳି ।

ଛାମୁରେ କର ଯୋଡ଼ିଣ ଭଣି ବହୁ ସ୍ତୁତି

ଜୟ ଜୟ ଜଗନ୍ନାଥ ଅଟ ଲକ୍ଷ୍ମୀପତି ।

ଜୟ ପ୍ରଭୁ ଜଗନ୍ନାଥ କର୍ମାକର୍ମ ଦାନୀ

ବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହାନି ।

ଜୟ ଆହେ ଜଗନ୍ନାଥ କ୍ଷୀର ସିନ୍ଧୁଶାୟୀ

କରୁଣା ସାଗର ନାଥ ଅଟ ଭାବଗ୍ରାହୀ ।

ଜୟ ଆହେ ଜଗନ୍ନାଥ କଳ୍ପାଦି ପୁରୁଷ

କଳିକାଳ ପୁଂସ ଦେଖି ପାପ ହୋଏ ଧ୍ୱଂସ ।

ଜୟ ଆହେ ଜଗନ୍ନାଥ ଦେବ ଚିନ୍ତାମଣି

ଅଶେଷ କୋଟି ବ୍ରହ୍ମାଣ୍ଡେ ତୁମ୍ଭେ ଯେ କାରେଣି ।

ଜୟ ଜୟ ଜଗନ୍ନାଥ ମହାଯୋଗଜିତା

ସ୍ଥାବର ଜଙ୍ଗମ କୀଟ ଆଦି ପଡ଼ିଦାତା ।

ଜୀବ ଅଜୀବ ତୁମ୍ଭେ ଯେ ସବୁ ଜୀବମୟେ

ବାସନା ବର୍ଜିତ ଅଜରାମର ଅକ୍ଷୟେ ।

ଏହି ସଂସାର ତୁମ୍ଭର ଖେଳଘର ଲୀଳା

ଭବସାଗର ତରଣେ ତୁମ୍ଭ ନାମ ଭେଳା ।

ତୁମ୍ଭେ ଭଗବନ୍ତ ନାଥ ସର୍ବ ଗୁଣମଣି

ସପ୍ତଦ୍ୱୀପା ପୃଥିବୀରେ ତୁମ୍ଭେ ଯେ କାରେଣୀ ।

ସେ ଜଗନ୍ନାଥ ପୟରେ ରହୁ ମୋର ଚିତ୍ତ

ଅଚ୍ୟୁତ ଜାସ କବିର ଭାବନା ଏମନ୍ତ ।

ଏସନକ ସ୍ତୁତି ଯହୁଁ କରିଲେ ବିଦୁର

ଶୁଣିଣ ସନ୍ତୋଷ ହେଲେ ଜଗତ ଈଶ୍ୱର ।

ଆହେ ବିଦୁର ବୋଲିଣ ପାଖକୁ ହକାରି

ଶ୍ରୀକରରେ ଆଶ୍ୱାସନା ଦେଲେ ଦଇତ୍ୟାରି ।

ତୁମ୍ଭେ ଆମ୍ଭର ଜନ୍ମାନ୍ତ ବାସନାକୁ ଘେନି

ଶାନ୍ତଶୀଳ ପୁରୁଷ ଯେ ଅଟ ମହାଜ୍ଞନୀ ।

ବ୍ୟାସଙ୍କ ନନ୍ଦନ ତୁମ୍ଭେ ସର୍ବ ଗୁଣଗ୍ରାହୀ

ଧୃତରାଷ୍ଟ୍ର ପଣ୍ଡୁ ଯାର ବୈମାତ୍ରେୟ ଭାଇ ।

ଭାଗ୍ୟରେ ତୁମ୍ଭ ଆମ୍ଭର ସାକ୍ଷାତ ହେଲାଇଁ

ପାଣ୍ଡବ କଥା ତୁମ୍ଭଙ୍କୁ ଲାଗେ ସର୍ବଦାଇ ।

ବିଦୁର ବୋଲେ ନ କହ ମୋତେ ସ୍ୱାମୀ ଏହା

ପାଣ୍ଡବେ ଅଟନ୍ତି ସିନା ମୋର ପ୍ରାଣସାହା ।

ଏହା କହି ବୀର ଛିଡ଼ା କରପତ୍ର ଯୋଡ଼ି

ପୁନରପି ସ୍ତୁତି କଲେ ହୋଇ ଆଗବଢ଼ି ।

ଏହି ସମୟରେ ଆସି ଡାକେ ସୂପକାର

ମଣୋହି ସଞ୍ଚାମାନ ହେ ବେଗେ ନିର୍ଭାକର ।

ତାହା ଶୁଣି ଯୁଧିଷ୍ଠିର ସହିତେ ଶ୍ରୀହରି

ରାଜନୀତି ବେଭାରରେ ମଣୋହିକୁ କରି ।

ଆଚମନ ସାରି କଲେ ତାମ୍ବୁଳ ଭୋଜନ

ଅଚ୍ୟୁତ ଦାସକୁ ତ୍ରାହି କର ଭଗବାନ ।

 

ହରିବଂଶ ପଞ୍ଚମ ଖଣ୍ଡ

ଜରାସନ୍ଧର ମୋହ ଏବଂ ବଳଦେବଙ୍କର ଗୋପପୁରେ ପ୍ରବେଶ

ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକମୁନି

ଶୁଣ ହୋ ପରୀକ୍ଷ ରାଜା ହରିବଂଶ ଧ୍ୱନି ।

ଏଥୁ ଅନନ୍ତରେ ବଳଦେବଙ୍କର କଥା

ସଂକ୍ଷେପ କରି କହିବା ଶୁଣ ମହାରଥା ।

ଗୋମତ ପର୍ବତ ତଳେ ରାଜାମାନେ ଥିଲେ

ଜରାସନ୍ଧ ବନ୍ଦୀ ହେବା ପ୍ରତ୍ୟକ୍ଷେ ଦେଖିଲେ ।

ସମଦଣ୍ଡ ନଷ୍ଟ ହେଲେ ଧନହେଲା ଜୂର

ଯେ ଯାହା ରାଜ୍ୟକୁ ଗଲେ ସର୍ବ ଦଣ୍ଡଧର ।

ଏକେତ ଚଇତ୍ର ମାସ ତାତି ଗୁରୁତର

ଶଙ୍କା ମନରେ କରିଣ ସର୍ବ ନୃପବର ।

ଖରତରେ ପଳାଇଲେ ଛାଟିପିଟି ହୋଇ

ଯେ ଯାହାର ନଗରରେ ପ୍ରବେଶିଲେ ଯାଇ ।

ଜରାସନ୍ଧ ଜାକି କାଖେ ରାମ ଚଳିଗଲେ

ରଇବତ ପର୍ବତରେ ଯାଇଣ ମିଳିଲେ ।

ଗଙ୍ଗାର ଦକ୍ଷିଣ କୂଳେ ଗିରି ବିତପନ

ଚାରି ଯୋଜନ ଦୀର୍ଘ ଯେ ପ୍ରତି ଦ୍ୱିଯୋଜନ ।

 

ସେ ଗିରିତଳେ ମିଳିଲେ ରେବତୀର ପତି

ମନେ ବିଚାରନ୍ତି ଜରା ମରିବ ଏ ଘାନ୍ତି ।

ଏକ ହସ୍ତରେ ଅଛଇ ହଳ ଯେ ମୂଷଳ

କାଖରୁ ଆଣି ଧଇଲେ ଜରାସନ୍ଦ ବାଳ ।

ଊର୍ଦ୍ଧ୍ୱେ ବୁଲାଇଣ ତାକୁ କଚାଡ଼ନ୍ତି ରୋଷେ

ଅଦଭୂତେ ଶବ୍ଦଗୋଟା ଶୁଭିଲା ଆକାଶେ ।

ଭୋ ବଳରାମ ସ୍ୱାମୀ ହେ କୋପକର ଶାନ୍ତି

ଜରାସନ୍ଧ ପ୍ରାଣଦାନ ଦିଅ ଯେ ଏ ଘାନ୍ତି ।

ଏହାରେ ଦେବକାର୍ଯ୍ୟ ତ ଅଛି ହାଦେ ଜାଣ

ତେବେ ସଂସାରର ଭାରା ହେବ ନିବାରଣ ।

ତୁମ୍ଭେ ଦେବ ଯେ ଅନାଦି ପୁଂସ ବିଶ୍ୱମୟେ

ଯୋଗିଜନମାନେ ତୋତେ କରୁଥାନ୍ତି ଲୟେ ।

ତୁମ୍ଭର କୋପରେ ବର୍ତ୍ତିବ କି ଜରାସନ୍ଧ

ବାରେ ରକ୍ଷାକର ସ୍ୱାମୀ ପ୍ରଭୁ ସଦାନନ୍ଦ ।

ଦେବଙ୍କ ସ୍ତୁତିରେ ସ୍ୱାମୀ ସନ୍ତୋଷ ହୋଇଲେ

ବୁଲାଇ ବୁଲାଇ ତାକୁ ଫୋପଡ଼ାଇ ଦେଲେ ।

ଶିମିଳି ତୁଳା ପରାୟେ ଉଡ଼ିଣ ସେ ଗଲା

ତିନିଶତ ଯୋଜନରେ ଯାଇଣ ପଡ଼ିଲା ।

ଦେବଗିରି ନାମେ ତହିଁ ପର୍ବତ ଯେ ଗୋଟି

ଭୈରବୀ ଧାର ତହିଁରୁ ଯମୁନାକୁ ଫୁଟି ।

ପାଞ୍ଚ ଯୋଜନ ପର୍ଯ୍ୟନ୍ତେ ଘରଗ୍ରାମ ନାହିଁ

ଉଡ଼ିଣ ଜରାସନ୍ଧ ଯେ ପଡ଼ିଲାକ ତହିଁ ।

ଖୁଣ୍ଟରୁ ଫିଟିଲେ ଯେହ୍ନେ ଅଣାୟତ୍ତ ଭେଳା

ପଡ଼ି ତହିଁ ମୂର୍ଚ୍ଛା ଗଲା ନୃପ ଅନର୍ଗଳା ।

ରଜନୀ ହୁଅନ୍ତେ ଲାଗେ ଚନ୍ଦ୍ରମା କିରଣ

ଜରାସନ୍ଧ ଦେହେ ଆସି ପଶିଲା ଜୀବନ ।

ସଚେତ ହୋଇଣ ଉଠି ବସେ ନୃପସାଇଁ

ଦଶଦିଗକୁ ଚାହିଁଲା ପାଶେ କେହି ନାହିଁ ।

କେତେବେଳେ ଜ୍ଞାନପାଇ ଗଲାକ ପଳାଇ

ଭଗ୍ନବଳ ଭେଟ ପାଞ୍ଚ ଦିବସରେ ଯାଇ ।

ଅମନାତ୍ୟ ପୁରୋହିତ ମନ୍ତ୍ରୀର ସହିତେ

ନିଜ ରାଜ୍ୟେ ପ୍ରବେଶିଲା ଯାଇଣ ତୁରିତେ ।

ଜରାକୁ ଫିଙ୍ଗେ ଦେଇଣ ସେ ପ୍ରଭୁ ମୂଷଳୀ

ଗୋପ ନଗରୀ ସୀମାରେ ଯାଇ ବେଗେ ମିଳି ।

ଯମୁନା ନଦୀ କୂଳରୁ କେତେଦୂର ଗଲେ

ଗୋଧିକା ଘାଟରେ ଯାଇ ପ୍ରବେଶ ହୋଇଲେ ।

ଦେଖିଲେ ମାଧବୀ ଲତା ଅତି ପରିମଳ

ଅବସନ୍ତରେ ବସନ୍ତ ବହେ ସୁଶୀତଳ ।

ଫଳିତ ପୁଷ୍ପ ତରୁ ଏ ଅତି ଶୋଭାମାନ

ପଲ୍ଲବି ଦିଶନ୍ତି ଯେହ୍ନେ ଚଇତ୍ର କାନନ  

ନାନାପକ୍ଷୀ ଜନ୍ତୁ ତହିଁ କରୁଛନ୍ତି ଧ୍ୱନି

ପକ୍ୱଫଳମାନ ଝଡ଼ି ପଡ଼ନ୍ତି ଅବନୀ ।

କ୍ରୀଡ଼ୁଛନ୍ତି ମଧୁକରେ ପୁଷ୍ପ ଗନ୍ଧବାସେ

ମୟୂର କୁମ୍ଭାଟୁଆ ଯେ ଡାକନ୍ତି ଚୌପାଶେ ।

କୁଞ୍ଜବନ ନେତ୍ରେ ଦେଖି ଦେବ କାମପାଳ

ପୂର୍ବର କଥାମାନ ଯେ ସୁମରି ସକଳ ।

ସଂଗ୍ରାମ ଭୂମିରେ ବହୁ ପରିଶ୍ରମ ପାଇ

କଦମ୍ବ ତରୁ ତଳରେ ମିଳିଲେ ସେ ଯାଇ ।

ସୁବର୍ଣ୍ଣ ଚଉଁରା ପରେ ଯାଇଣ ବସିଲେ

ତରୁକୁ ତିନିବାରେ ସେ ପ୍ରଦକ୍ଷିଣ କଲେ ।

ଶରୀରରେ ତୃଷା ତାଙ୍କୁ ବହୁଅଛି କଣ୍ଟି

ଡାହାଣ ହସ୍ତେ ଲଙ୍ଗଳୁ କାଢ଼ି ଫାଳଗୋଟି ।

ଆକର୍ଷଣ ମୁନ ଘେନି ହାଣି ତରୁତ୍ରୋଟେ

ଝରିଲା କଦମ୍ବ ରସ ପିଇ ମନହୃଷ୍ଟେ ।

ଶୁଦ୍ଧ ଶୁକଳ ବରନ ଗୋକ୍ଷୀରର ଜଳ

ଗଡ଼ୁନଳା ପରି ହୋଇ ଝରେ ଝର ଝର ।

ଦକ୍ଷିଣ ହସ୍ତେ ପାତିଲେ ସେ ମୂଷଳ ଧାରୀ

ତୃଷା ଖଣ୍ଡିବା ଆଶାରେ ଭକ୍ଷି କାଦମ୍ବରୀ ।

କ୍ଷଣେ କ୍ଷଣେ ବିଶ୍ରାମିଣ ପିଅନ୍ତି ସଲିଳ

ଏମନ୍ତେ ବସନ୍ତେ ରବି ଅସ୍ତ ମେରୁତଳ ।

ଲାଗିଲା ଧାତୁ ମାତୁ ଯେ ଘୋଟେ ବ୍ରହ୍ମରନ୍ଧ୍ର

ହୋଇ ଅଚେତନ ଘୁମାଇଲେ ରାମଚନ୍ଦ୍ର ।

କହୁଁ କହୁଁ କାଦମ୍ବରୀ ଲାଗିଲା ଘୁମୁଟି

ଅଚେତନ ହୋଇ ସ୍ୱାମୀ ପଡ଼ି ମହୀ ଲୋଟି ।

କଦମ୍ବର ମୂଳେ ଦେବ ନିଦ୍ରା ଗଲେ ଯହୁଁ

ଗୋପାଳେ ଆସିଣ ରୁଣ୍ଡ ହୋଇଲେକ ତହୁଁ ।

ନନ୍ଦ ଉପନନ୍ଦ ସୁନନ୍ଦ ଯେ ଚନ୍ଦ୍ରସେଣା

ଆବର ମହାଖୁଡ଼ ଯେ ଗୋଷ୍ଠର ଯାତନା ।

ଏରୂପେ ଗୋପାଳମାନେ ମିଳିଲେକ ପାଶେ

ବଳଦେବ ବିହ୍ୱଳିତ କାଦମ୍ବରୀ ରସେ ।

କଦମ୍ବ ବୃକ୍ଷରେ ହଳ ମୁଷଳ ଯେ ଡେରି

ମତ୍ତଭୋଳେ ଅଚେଷ୍ଟାରେ ନିଦ୍ରିତ ଯେ ହଳୀ ।

କଣ୍ଠତଟ ନୀଳବର୍ଣ୍ଣ ଶୋଭାକୁ ଧରଇ

ଷୋଳକଳା ସୂର୍ଯ୍ୟଜ୍ୟୋତି ଯେହ୍ନେ ବିକାଶଇ ।

ଧବଳ ପର୍ବତ ପ୍ରାୟେ ହୋଇ ଦେବ ସ୍ୱାମୀ

ପଶ୍ଚିମକୁ ଶିରକରି ଶୋଇଛନ୍ତି ଭୂମି ।

ଦେଖିଣ ଗୋପାଳେ ଏକୁଁ ଆରେକ ବିଚାରି

କିମ୍ଭୁତ ମାୟାଟି ଏହା ଜାଣିତ ନ ପାରି ।

ଅକ୍ରୂର ସଙ୍ଗତେ ରାମକୃଷ୍ଣ ଚଳିଗଲେ

ଏତେଦିନ ଗଲା ଗୋପେ ଲେଉଟି ନଇଲେ ।

ଥୋକେ ଗୋପାଳେ ବୋଲନ୍ତି କୃଷ୍ଣଛନ୍ତି କାହିଁ

ଥୋକେ ବୋଲନ୍ତି ଅବା ସେ ଗଲେଣି ପଳାଇ ।

ଥୋକାଏ ବାଟ ଚାଲନ୍ତି ଥୋକେ ଚଢ଼ି ଗଛେ

ଥୋକେ ବୋଲନ୍ତି ଅବା ସେ ଆସୁଛନ୍ତି ପଛେ ।

ଥୋକାଏ ଧାମନ୍ତି ଖଣ୍ଡେ ଦୂରେ ଏଣେତେଣେ

କେ ବୋଲନ୍ତି ଅବା ଲୁଚା ଦେଇଛନ୍ତି ବଣେ ।

କେ ବୋଲନ୍ତି ଖୋଜିବା ହେ ଚାଲଘରେ ଯାଇ

ଆନ ବାଟ ଅବା ସେହୁ ଗଲେ ଆଗ ହୋଇ ।

ଥୋକାଏ ଗୋପାଳମାନେ ଏମନ୍ତ ବିଚାରି

ନନ୍ଦରାଜା ମନ୍ଦିରକୁ ଧାଇଁ ଶୀଘ୍ରକରି ।

ଗୋପ ନଗର ଭିତରେ ଛନ୍ତି ଯେତେ ଜନ

ରାମକୃଷ୍ଣ ଅଇଲେଣି ବୋଲି ହୃଷ୍ଟମନ ।

ଦେଖିବେ ବୋଲି କରିଣ କଲେ ହାଲହୋଳି

ମଦନରେ ଅଚେତନ ସର୍ବ ଗୋପବାଳୀ ।

କେହୁ ଅସମ୍ଭାଳେ ଏକ ଆରେକକୁ ପୁଚ୍ଛି

କେ ବୋଲଇ ସଖି ଆଗେ କୃଷ୍ଣ କାହିଁ ଅଛି ।

କେହୁ ବୋଲଇ ଭୋ ସଖି ଶୁଣିଲି ଏକ୍ଷଣି

କଦମ୍ବ ମୂଳରେ ଛନ୍ତି ହଳୀ ବେଣୁପାଣି ।

ଏହାଶୁଣି ଲୋକମାନେ ବେଗେ ଧାଇଁଯାଇ

ଦେଖିଲେ କଦମ୍ବମୂଳେ ହଳୀ ଛନ୍ତି ଶୋଇ ।

ଏହା ଦେଖିଣ ଗୋପୀଏ ଖରଶ୍ୱାସ ଛାଡ଼ି

ନୟନ ଥନଥନ ଯେ ହୃଦେ ହସ୍ତ କୋଡ଼ି ।

ସ୍ୱପନର ଫଳ କାହିଁ ସଦ୍ଭାବେ ପାଇବୁ

ସତେ ଶ୍ରୀକୃଷ୍ଣଙ୍କୁ ଆମ୍ଭେ ନୟନେ ଦେଖିବୁ ।

କାମଦେବ ପରି ଯାର ଜ୍ୟୋତି ଦିଶୁଥିଲା

ଏକାବେଳକେ ସମସ୍ତ ବିଫଳ ହୋଇଲା ।

କେ ବୋଲଇ ଯେବେ ଅଇଲେଣି ସଂକର୍ଷଣ

ନିଶ୍ଚେଁ ଶ୍ରୀକୃଷ୍ଣ ଆସିବେ ବୋଲି ତଥ୍ୟ ଜାଣ ।

କେ ବୋଲଇ କଥା ନିଶ୍ଚେଁ ଜାଣିଲଇଁ କିନା

ନିଦ୍ରା ଭାଙ୍ଗିଲେ ନିୟତ କଥା ଜାଣ ସିନା ।

କୁହାକୁହି ହୁଅନ୍ତି ଯେ ଗୋପବାଳୀମାନେ

ବଳଦେବ ଚେତି ଭାବୁଥାନ୍ତି ମନେ ମନେ ।

ଯଶୋଦାକୁ ମୁଖ୍ୟକରି ସର୍ବ ଗୋପାଳୁଣୀ

ଶତେପୁର କରି ବେଢ଼ି ଦେଖି ହଳପାଣି ।

ନିର୍ମଳ ଆକାଶୁଁ ଯେହ୍ନେ ଖସେ ଶଶଧର

କ୍ଷୀର ସମୁଦ୍ର ତଟରେ କିବା ଚକ୍ରଧର ।

ତେସନ ସଂଜାତ ଦିଶେ ବଳଦେବ ତନୁ

ଦେଖି ସ୍ତୁତି କଲେ ନାନାବିଧ ଶତମନୁ ।

କେତେବେଳେ ଅନ୍ତେ ନିଦ୍ରା ଭାଙ୍ଗୁ ଅନ୍ତର୍ଯ୍ୟାମୀ

ଶ୍ରୀକରେ ନୟନ ମଳି ଚାହିଁ ଦେବସ୍ୱାମୀ ।

ସଂଗ୍ରାମର ପରିଶ୍ରମ କାଦମ୍ବରୀ ନିଶା

ବେଳୁବେଳ ଅଙ୍ଗେ ଆସି ଘୋଟେ ଶ୍ରମଯୋଷା

ମୁଖ ପଖାଳିଣ ସ୍ୱାମୀ ଲୋଡ଼େ ଜଳ ଭକ୍ଷି

ଦେଖିଲେ ଯମୁନାନଦୀ ଖଣ୍ଡେଦୂରେ ଅଛି ।

ଆକର୍ଷି ଲଙ୍ଗଳ ପୁଣି ଦେଲକ ବଢ଼ାଇ

ସନ୍ନିଧିକୁ ଆଣିଲେ ସେ ଯମୁନା ବୁହାଇ ।

କେଶେକ ଓସାର ତାର ଗଭୀର ତ୍ରିତାଳ

ହଳେ ଚକ୍ରପରି ଘୁରାଇଲେ କାମପାଳ ।

ଗୋବର୍ଦ୍ଧନ ପର୍ବତରୁ କଦମ୍ବର ଯାଏ

ପାଞ୍ଚକ୍ରୋଶ ପରିଯନ୍ତେ ବାହି ଦେବରାୟେ ।

ଗୋପୀ ଗୋପାଳେ ଦେଖିଣ ଅପରୂପ ମଣି

ପଦ୍ମପାଦ ତଳେ ଖଟି ଯମୁନାର ପାଣି ।

ସାନନ୍ଦ ହୋଇଣ ଦେବ ରେବତୀର ପତି

ନଦୀର ଭିତରେ ପଶି ତୃଷା କଲେ ଶାନ୍ତି ।

ରୋହିଣୀ ନନ୍ଦନ ମହାତୃଷାରେ ଆରତ

ପେଟ ଭରି ଜଳପିଇ ତୃଷା କଲେ ଶାନ୍ତ ।

ଶରୀର ସୁସ୍ଥ ହୋଇଲା ନିଶାଝୁଙ୍କ ଛାଡ଼ି

ଦେଖିଲେ ଗୋପୀ ଗୋପାଳେ ପାଶେଛନ୍ତି ବେଢ଼ି ।

ନନ୍ଦ ଯଶୋଦା ବୋଇଲେ ବଳଦେବ ଚାହିଁ

ତୁମ୍ଭେ ତ ଅଇଲ କୃଷ୍ଣ ରହିଛନ୍ତି କାହିଁ  

ଅକ୍ରୂର ତୁମ୍ଭଙ୍କୁ ଯେଉଁଦିନ ଘେନିଗଲା

ସେହିଦିନୁ ଗୋପପୁରେ ଅନ୍ଧାର ଦିଶିଲା ।

ସପତାଙ୍ଗେ ଲକ୍ଷ୍ମୀ ଏଥୁ ପଳାଇଲେ ଛାଡ଼ି

ଅନେକ ପ୍ରମାଦ ଆସି ପଡ଼ିଲାକ ମାଡ଼ି ।

ରାଜା ବିହିନେ ତସ୍କର ଖଣ୍ଟ ଖଣ୍ଡାଇତ

ନାନା ଅରିଷ୍ଟି ଏଠାରେ ପଡ଼ିଲା ସନ୍ତତ ।

ତିରଣ ନ ପାଇ ଚରି ନ ପାରନ୍ତି ଗାବ

କ୍ଷୀର ନ ଦିଅନ୍ତି ବତ୍ସାଠାରେ ନାହିଁ ଭାବ ।

ଦଣ୍ଡପାଟ ଉତପାତ ଦୁଷ୍ଟଙ୍କର ଡକା

ଅରକ୍ଷିତ ହେଲୁବାବୁ କେହି ନାହିଁ  ସଖା ।

ଆମ୍ଭଙ୍କୁ ଯେଦିନୁ ତୁମ୍ଭେ ଦୁହେଁ ଗଲ ଛାଡ଼ି

ଉପରେ ପର୍ବତ କିବା ପଡ଼ିଥାଇ ମାଡ଼ି ।

ଏମନ୍ତେ ନନ୍ଦ ଯଶୋଦା ଦୁହେଁ ଶୋକଭରେ

ସବୁ ବୃତ୍ତାନ୍ତ କହିଲେ ରାମଙ୍କ ଛାମୁରେ ।

ଗୋପୀ ପଚାରନ୍ତି କାମପାଳ ମୁଖ ଚାହିଁ

ତୁମ୍ଭେ ତ ଅଇଲ କୃଷ୍ଣ ନଇଲେ କିପାଇଁ ।

ଆମ୍ଭମାନଙ୍କୁ ଛାଡ଼ିବା ପାଇଁ ହେଲା ଚିତ୍ତ

ଜଣ ଜଣକରେ ଆମ୍ଭେ ଅଟୁ ସିନା ଭୃତ୍ୟ ।

ପଥୁକୀ ପରାୟେ ସର୍ବେ ହେଲୁ ଗୋପନାରୀ

ଏଡ଼େ ବଡ଼ ଆଶା କେହ୍ନେ ଖଣ୍ଡିଲେ ଶ୍ରୀହରି ।

ବଳରାମଙ୍କ ଆସିବା ବାର୍ତ୍ତା ତଥ୍ୟପାଇ

ଗୋରକ୍ଷକ ବାଳପୋଏ ଆସି ବେଗେ ଧାଇଁ ।

ପୂର୍ବର ଭାବନା ହେତୁ ହ୍ୱନ୍ତି ଆନନ୍ଦିତ

ସମସ୍ତଙ୍କୁ ଆଶ୍ୱାସନ୍ତି ରେବତୀର ନାଥ ।

ପୁଣି ହଳୀ କହନ୍ତି ଯେ ନନ୍ଦମୁଖ ଚାହିଁ

ଭୋ ପିତା ଆମ୍ଭର ଆତ୍ମା ତୁମ୍ଭଠାରେ ରହି ।

ଜନନୀ ଜନମ ଭୂଇଁ ଗଙ୍ଗାତଟେ ବାସ

ନିଶ୍ଚୟ ଏହା ପାଆନ୍ତି ପୁଣ୍ୟବନ୍ତ ପୁଂସ ।

ଆମ୍ଭର ଜନମଭୂମି ଅଟେ ଗୋପ ସୀମା

ପଟାନ୍ତର ନାହିଁ ପୁଣ୍ୟ ଭୂମିର ମହିମା ।

ନନ୍ଦ ପରି ପିତା ମାତା ଯଶୋଦାର ପରି

ପୁଣ୍ୟବନ୍ତ ପ୍ରଣୀ ଏହା ଭାଗ୍ୟେ ପାଇକରି ।

ରାଜା ଆଜ୍ଞାରେ ଅକ୍ରୂର ରଥେ ଘେନିଗଲା

ଆମ୍ଭଙ୍କୁ ଦେଖିଣ କଂସ ଜୀବନ ତେଜିଲା ।

ବହୁ ଉପଦ୍ରବ ମାତା ଲାଗେ ସେହି ଦିନୁ

କେ ରଖିବ ଆମ୍ଭଙ୍କୁ ଗୋ ଦଇବର ବିନୁ ।

କଂସର ଅଟେ ଶ୍ୱଶୁର ଜରାସନ୍ଧ ରାୟେ

କୋପେ ଧାଡ଼ି ଦେଲା ସପ୍ତଦଶ ବାର ଯାଏ ।

ଚାରି ଊଣା ଲକ୍ଷେ ରାଜା ଘେନିଣ ବାହିଲା

ଅଥୟ କରି ଆମ୍ଭଙ୍କୁ ବହୁ ଦୁଃଖ ଦେଲା ।

ଗୋପାଳେ ବୋଇଲେ ଆମ୍ଭେ ଜାଣିଛୁ ଏମାନ

ଏ ରାଜ୍ୟଯାକେ ପୂରିଲେ ଆସି ତାର ସୈନ୍ୟ ।

ତେଣୁ ଆମ୍ଭେ ପାଇଲୁଣି ଅନେକ ଅବସ୍ଥା

ଆଜଯାଏ ଛାଡ଼ି ନାହିଁ ହୃଦୟରୁ ଚିନ୍ତା ।

ରାମ ବୋଇଲେ ଦେଲାଣି ବହୁବାର ଧାଡ଼ି

ଏହିରୂପେ ଆମ୍ଭେମାନେ ପଳାଉ ଯେ ଛାଡ଼ି ।

ଚୌରାଶୀ କୋଟି ଯାଦବେ ଉଗ୍ରସେନ କରି

ମଧୁବନ ଛାଡ଼ି ଗଲୁ ସର୍ବେ ଯେ ଯାହାରି ।

ଆମ୍ଭେ ଦୁଇଭାଇ ଗଲୁ ଆତଙ୍ଗେ ପଳାଇ

ଗୋମତ ଗିରି ଉପରେ ଉଠିଲୁ ଯେ ଯାଇ ।

ସେ ପର୍ବତ ପରେ ବହୁ କୁଢ଼ାଇ କାଠନ୍ତ

ପୋଡ଼ିଦ୍ୟନ୍ତେ ଆମ୍ଭେ ତହୁଁ ଅଇଲୁଁ ତୁରିତ ।

ମୋର ପଛେ ଥାଇ ଡେଇଁଗଲେ ଦେବହରି

କେଣେ ଗଲେ ସେହୁ ମୁଁ ନ ଜାଣେ ତଥ୍ୟକରି ।

ନନ୍ଦ ବୋଇଲେ ଏ କଥା ଜାଣୁ ତ ଆଗହୁଁ

ଯେତେ ଅରିଷ୍ଟି ସହିଲ ଧର୍ମ ସାକ୍ଷୀ ହେଉ ।

ପୁତନା ଷଣ୍ଢା କଟା ଯାମଳା ଯେ ବକା

ତୃଣାବର୍ତ୍ତ ଅଘାସୁର ଯେତେ କଂସ ସଖା ।

ଏମାନେ କରିଲେ ବାବୁ ଯେତେ ଉପଦର୍ପ

ପ୍ରତ୍ୟକ୍ଷେ ଏମାନ ଆମ୍ଭେ ଜାଣିଛୁ ରେ ବାପ ।

ଏହାକହି ମାତା ପିତା ହଳୀ ସଙ୍ଗେ ଘେନି

ନିଜପୁରେ ପ୍ରବେଶିଲେ ଯାଇ ତତକ୍ଷଣି ।

ଗୋପପୁର ନର ନାରୀ ଯେଝା ପୁରେ ଗଲେ

ସୁପକ୍ୱ ପଦାର୍ଥ ମାତା ରାମେ ଭୁଞ୍ଜାଇଲେ ।

କଥାରେ ବୋଧ କରିଲେ ସେ ଗୋପିକାବୃନ୍ଦ

ବହୁତ ଆନନ୍ଦ ହେଲେ ଯଶୋଦା ଯେ ନନ୍ଦ ।

ଅନ୍ଧକୁ ପ୍ରାପତ ହେଲା କିବା ବେନି ଚକ୍ଷୁ

ନିଧି ପାଇଲା କି ଅବା ଦରିଦ୍ର ଯେ ଭିକ୍ଷୁ ।

ତେମନ୍ତେ ସନ୍ତୋଷ ହେଲେ ନନ୍ଦ ଯଶୋବନ୍ତୀ

କି ଅବା ହୋଇଲା ତାଙ୍କୁ ସପ୍ତନିଧି ପ୍ରାପ୍ତି ।

ସ୍ୱର୍ଗପୁରେ ଦେବତାଏ ସାଧୁ ସାଧୁ କଲେ

ଧନ୍ୟ ଗୋପନଗ୍ରେ ନର ନାରୀ ଜନ୍ମ ହେଲେ ।

ଚର୍ମ ନୟନେ ଦେଖିଲେ ବ୍ରହ୍ମ ବିଦ୍ୟମାନ

ସପ୍ତ ପୁରୁଷ ତାରିଲେ କର୍ମର ଲିଖନ ।

ସର୍ବଗୋପିକା ଗୋପାଳ ଯେଝାପୁରେ ଗଲେ

ଅନ୍ନ ବ୍ୟଞ୍ଜନ ଭୁଞ୍ଜିଣ ସନ୍ତୋଷ ହୋଇଲେ  

ଏହିରୂପେ ତହିଁ ଗତ ହେଲା ଦିନା ଚାରି

ନନ୍ଦକୁ ବୋଲନ୍ତି ଚାହିଁ ଦେବ ହଳଧାରୀ ।

ଭୋ ପିତା ଆମ୍ଭଙ୍କୁ ବଡ଼ ପଡ଼ିଲା କଟାଳ

ପରବତ ପୋଡ଼ିଦେଲା ମଗଧ ଭୂପାଳ ।

ଧର୍ମେଣ ମୁହିଁ ତହିଁରୁ ଅଇଲି ଉବୁରି

କୃଷ୍ଣ କେଣେ ଗଲେ ଜଣା ନାହିଁ ତଥ୍ୟ କରି ।

ଚାରିଊଣା ଲକ୍ଷେ ରାଜା ସଙ୍ଗେ ଆମ୍ଭ କଳି

ଏକୁ ଆର ସମର୍ଥ ଯେ ବଳେ ମହାବଳୀ ।

ପରବତ ପୋଡ଼ିଦେଲା କୃଷ୍ଣଛନ୍ତି ଏକା

ସଙ୍ଗତରେ କେହି ନାହିଁ ଶସ୍ତ୍ର ନାହିଁ ସଖା ।

ଆପେ ପଛେ ଥାଇ ପେଷି ଦେଲେ ଆଗ ମୋତେ

ନ ପୁଣ ପ୍ରମାଦ ପଡ଼େ ଭୟ ହୁଏ ଚିତ୍ତେ ।

ଚାରିଦିନ ହେଲା କୃଷ୍ଣଚନ୍ଦ୍ରେ ନାହିଁ ଦେଖି

ପଞ୍ଚଭୂତ ଆତ୍ମା ମୋର ହୁଏ ମହାଦୁଃଖୀ ।

ପ୍ରମାଦ ଭୂମିରେ ମୁହିଁ ଅଛି ତାଙ୍କୁ ଛାଡ଼ି

ଚାରି ଊଣା ଲକ୍ଷେ ରାଜା ପର୍ବତକୁ ବେଢ଼ି ।

କାର୍ଯ୍ୟ କାରଣ ଅର୍ଥରେ ଯାକୁ ବାଟ ଚାହିଁ

ଅବଶ୍ୟ ଖଣ୍ଡେ ଦୂରରୁ ପାଛୋଟିଣ ଯାଇ ।

ଏତେଦିନ ହେଲା ନଇଲେକ ଦେବରାୟେ

ପଥ ଅନୁସରିବା ନା ଭେଟହେବା ଯାଏ ।

ତୁମ୍ଭେ ଆମ୍ଭ ମାତା ପିତା ଜୀବ ଅଧିକାରୀ

ତୁମ୍ଭର ଗୁଣମାନ କି ପାସୋରିଣ ପାରି ।

ଯହିଁ ଥିଲେ ଆମ୍ଭେ ତୁମ୍ଭ ପୁତ୍ର ଅଟୁ ସିନା

ସବୁବେଳେ ମନେ ଥିବୁ ନ କର ଶୋଚନା ।

ଏ ଗୋପ ଆବୋରି ତୁମ୍ଭେ ଥାଅ ସ୍ଥିର ହୋଇ

ଜଗବନ୍ଧୁଙ୍କୁ ଘେନିଣ ଆସେ ଶୀଘ୍ର ଯାଇ ।

ନନ୍ଦ ବୋଇଲେ ବାପରେ ବିଳମ୍ବ ନ କର

ଦୁଇ ଭାଇ ଭେଟ ହୋଇ ଆସ ଧାତିକାର ।

ଅନ୍ନ ବ୍ୟଞ୍ଜନ ସଂଯୁକ୍ତ କରିଥିବି ଚାହିଁ

ରଜନୀ ଦିବସ ଥିବୁଁ ଉଜାଗର ହୋଇ ।

ତୁମ୍ଭର ଶ୍ରୀମୁଖ ବାରେ ଦେଖିଲୁ ଏ ଘାନ୍ତି

ଶ୍ରୀକୃଷ୍ଣ ଦେଖିଲେ ହେବ ଆମ୍ଭ ମନ ଶାନ୍ତି ।

ଉଦ୍ଧବ ତହୁଁ ବହୁତ ପ୍ରତିଜ୍ଞାକୁ କରି

ଯେତେ ଶୀଘ୍ର ଆଣ ଯାଇ ତୁମ୍ଭେ ଦେବହରି ।

ହଳୀ ବୋଇଲେ ପ୍ରତିଜ୍ଞା ଶୁଣ ଏବେ ମୋର

ଅବଶ୍ୟ ବେନି ଭାଇତ ଆସିବୁଁ ସତ୍ୱର ।

ଗୋପୀ ଗୋପାଳ ସମସ୍ତ ପ୍ରବୋଧନା କରି

ବାହାର ହୋଇଲେ ତହୁଁ ଦେବ ହଳଧାରୀ ।

ପାଦୁକା ମନ୍ତ୍ର ବଳରେ ଧାତିକାରେ ଗଲେ

ମଧୁବନ ନିକଟରେ ଯାଇ ପ୍ରବେଶିଲେ ।

ନମିଲେ ଯେ ଉଗ୍ରସେନ ଇନ୍ଦୁମତୀ ପାଦେ

ସର୍ବ ଯାଦବମାନଙ୍କୁ ମାନ୍ୟ କରି ହାଦେ ।

ବସୁଦେବ ପୁରେ ଯାଇ ଆନନ୍ଦେ ରହିଲେ

ସଂଗ୍ରାମର ବାର୍ତ୍ତା ଦେବ ସକଳ କହିଲେ ।

ସେ ବଳରାମଙ୍କ ପାଦେ ସଦା ମୋ ଭକତି

ଅଚ୍ୟୁତ ଦାସ କବିକି ଦିଅ ସଦଗତି ।

 

କୃଷ୍ଣଙ୍କର ମଥୁରାପୁରେ ପ୍ରବେଶ

ଏଥୁଅନ୍ତେ ଶୁକମୁନି ପରୀକ୍ଷିତେ ଚାହିଁ

ବୋଇଲେ କହିବା ନୃପ ଶୁଣ ମନ ଦେଇ ।

ବାରୁରାବନ୍ତ ପୁରକୁ କୃଷ୍ଣ ଯାଇଥିଲେ

ପାଣ୍ଡବଙ୍କ ସଙ୍ଗେ ଥୋକେ ଦିନ ବିହରିଲେ ।

ଜରାସନ୍ଧ ସଙ୍ଗ ଛାଡ଼ି ମାନ ଚକ୍ରବର୍ତ୍ତୀ

ହସ୍ତିନା କଟକେ ଯାଇ ମିଳିଲା ତଡ଼ତି ।

ଭୀଷ୍ମଦ୍ରୋଣ ଅଶ୍ୱତ୍‌ଥାମା ଭୂରିଶ୍ରବା କର୍ଣ୍ଣ

ବାହ୍ଲିକ ଯେ ଜୟଦ୍ରଥ ଦୁଷ୍ଟ ଦୁଃଶାସନ ।

ଅଠର କ୍ଷଉଣୀ ବଳ ଜରା ସଙ୍ଗେ ଥିଲେ

ଅପଚୟ ପାଇ ନିଜ ରାଜ୍ୟରେ ମିଳିଲେ ।

ସନ୍ଧ୍ୟାବକାଶେ ଆସ୍ଥାନେ ବିଜେ କୁରୁସାଇଁ

ଏହି ସମୟେ ଡଗରା ବାର୍ତ୍ତା ଦେଲା ନେଇ ।

ଭୋ ଦେବ ମାନଗୋବିନ୍ଦ ସାବଧାନେ ଶୁଣ

ବାରୁଣାବନ୍ତ କଟକେ ଛନ୍ତି ନାରାୟଣ ।

ଶୁଣି ସନ୍ତୋଷ ହୋଇଲା କୁରୁ ନୃପମଣି

ପୁରୋହିତେ ବୋଲେ ଯିବ ଜଇନ୍ତା ଏକ୍ଷଣି ।

 

ବାରୁଣାବନ୍ତରେ କୃଷ୍ଣ ଅଛନ୍ତି ଯେ ରହି

ଆମ୍ଭ ବୋଇଲା ବୋଲିଣ ଆଣିବ ମଣାଇ ।

ଶୁଣି ଧୌମ୍ୟ ପୁରୋହିତ ତତକ୍ଷଣେ ଗଲେ

ଜଇନ୍ତା ଦେଖି ବାରୁଣାବନ୍ତରେ ମିଳିଲେ ।

ପାଣ୍ଡବନ୍ତ ଘେନି ବିଜେ ପ୍ରଭୁ ଯଦୁସାଇଁ

ଏ ସମୟେ ଚାର ବାର୍ତ୍ତା କହିଲାକ ଯାଇଁ ।

ତୁମ୍ଭ ପାଶେ ବିଜେ କଲେ ଧୌମ୍ୟ ପୁରୋହିତ

ଶୁଣିକରି କୃଷ୍ଣଚନ୍ଦ୍ର ହେଲେ ଆନନ୍ଦିତ ।

ତହୁଁ ଧୌମ୍ୟ ପୁରୋହିତେ ପ୍ରବେଶ ହୋଇଲେ

ଦେଖି ପଞ୍ଚପାଣ୍ଡବେ ଯେ ତାଙ୍କୁ ମାନ୍ୟ କଲେ ।

ଦୁର୍ଯ୍ୟୋଧନ ବାର୍ତ୍ତା ଜଣାଇଲେ ଜଗନ୍ନାଥେ

ଶୁଣିଣ ବହୁ ସନ୍ତୋଷ ହେଲେ ଲକ୍ଷ୍ମୀକାନ୍ତେ ।

ହସ୍ତିନାକୁ ବିଜେ କଲେ ପାଣ୍ଡବନ୍ତ ଘେନି

ବେଳ ସାତ ଘଡ଼ିରେ ସେ ମିଳିଲେ ତକ୍ଷଣି ।

ଗୋବିନ୍ଦ ବିଜୟ ବାର୍ତ୍ତା ପାଇ କୁରୁରାୟେ

ବାଟକୁ ପାଛୋଟି ଆସେ ତହୁଁ ସେ ଥୋକାଏ ।

ଶ୍ୱେତ ଚାରିପାଶେ ମଧୁବନ ତୋଟାଗୋଟି

ସେ ସ୍ଥାନେ ସକଳେ ଯାଇ ହେଲେ ଭେଟାଭେଟି ।

ସୋମବଂଶର ବୃଦ୍ଧ ଯେ ଭୀଷ୍ମ ମହାରଥୀ

କର୍ଣ୍ଣ ଅଶ୍ୱତ୍‌ଥାମା ଦ୍ରୋଣ ଛନ୍ତି ତହିଁ କତି ।

ଦୁର୍ଯ୍ୟୋଧନ ଦୁଃଶାସନ ସହ ଶତେ ଭାଇ

ନଗ୍ର ଭିତରକୁ ସର୍ବେ ବିଜେକଲେ ଯାଇ ।

ଥୋକାଏ ଦିନ ରହିଣ ତହିଁ ବଂଶୀଧାରୀ

ବୀରବର ଅର୍ଜ୍ଜୁନକୁ ସଙ୍ଗେ ଘେନିକରି ।

ସତ୍ୱରେ ମିଳିଲେ ଯାଇ ଦମଘୋଷ ଦେଶେ

ବନ୍ଧୁପଣରେ ପ୍ରବେଶି ସେଠାରେ ହରଷେ ।

ଦମଘୋଷ ଭାରିଯା ଦୈବକୀ ନାମେ ନାରୀ

ଶିଶୁପାଳ ମାତା ଉଗ୍ରସେନର କୁମାରୀ ।

ଯୁକତରେ ଅଟନ୍ତି ସେ କୃଷ୍ଣଙ୍କ ମାଉସୀ

ସାଷ୍ଟାଙ୍ଗରେ ପ୍ରଣିପତ୍ୟ ହେଲେ ବିଶ୍ୱବାସୀ ।

ଦେଖି ସୁରଗଣେ ତହିଁ କଲେ ସାଧୁ ସାଧୁ

ପାଟବଂଶୀ ରାଜା ଦମଘୋଷ ତୁମ୍ଭ ବନ୍ଧୁ ।

ଦମଘୋଷ ନିଉଛାଳି କରେ ପାଦତଳେ

ସଙ୍ଗରେ ଅଛଇ ତାର ପୁତ୍ର ଶିଶୁପାଳେ ।

ରାମକୃଷ୍ଣ ନିନ୍ଦା ସେହୁ କରେ ଅନୁକ୍ଷଣେ

ଅଂଶାବତାର ହୋଇଣ ଅଛି ଆଦ୍ୟଜନ୍ମେ ।

ତାଳୁରେ ନୟନ ତାର ଅଛଇ ଗୁପତେ

ଧାଈଗଣେ ଜାଣନ୍ତି ତା ଜାଣନ୍ତି ଅଚ୍ୟୁତେ ।

କେଶ ଭିତରେ ବନ୍ଧନ ନୟନ ଦିଓଟି

ଚାହିଁଲେ ଦିଶଇ ତାକୁ ଚରାଚର ସୃଷ୍ଟି ।

ଭୁବଲୋକ ମହଲ୍ଲୋକ ସ୍ୱର୍ଲୋକ ସହିତେ

ଚାହିଁଲେ ଦିଶଇ ତାକୁ ଚରାଚର ଯେତେ ।

ଯେବଣ ନୟନ ଗୁପ୍ତେ ବ୍ରହ୍ମା ଛନ୍ତି ସର୍ଜି

ଶ୍ରୀକୃଷ୍ଣ ଚାହିଁବା ମାତ୍ରେ ହୋଇଗଲା ବୁଜି ।

ସେହୁ ଗୁପତ ହୁଅନ୍ତେ ସେ ଶିଶୁପାଳର

ହୋଇଲାକ ହୀନବୀର୍ଯ୍ୟ ପୁରୁଷାର୍ଥ ତାର ।

ତାଦେଖି ଲୋକେ ବୋଇଲେ ଆରେକକୁ ତହୁଁ

କଳଙ୍କ ଛାଡ଼ିଣ ଗଲା ଚନ୍ଦ୍ରମାର ଦେହୁଁ ।

ଏଡ଼େ ବଡ଼ କୁମରର ଗୁପ୍ତବ୍ୟାଧି ଗଲା

ବିପରୀତ କଥା ଏହା ଶୁଣା ତ ନ ଥିଲା ।

ଏସନ ଦେଖିଣ ସର୍ବେ ସାନନ୍ଦ ହୋଇଲେ

ପରୀକ୍ଷିତ ନୃପତିଙ୍କୁ ଶୁକ ଯେ ବୋଇଲେ ।

ଯେ ଦିନ ଜନ୍ମିଲା ଦମଘୋଷର କୁମର

ଦେଖିଲେ ତିନୋଟି ନେତ୍ର ଶିରେ ଅଛି ତାର ।

ଛାମୁରେ ମିଳିଲେ ଆସି ନାରଦ ମହର୍ଷି

ଦେଖି ଦମଘୋଷ ତାଙ୍କୁ ବିନୟରେ ଭାଷି ।

କିମ୍ଭୁତ ମାୟା ହେ ମୁନି କାହିଁଅଛ ଦେଖି

ବିପରୀତ କଥା ନର ଶିରେ ଏକ ଆଖି ।

ନାରଦ ବୋଇଲେ ତହୁଁ ଏସନକ ବାଣୀ

ଏ ନୟନ ପ୍ରସାଦରେ ପୁତ୍ର ଜଗଜ୍ଜିଣି ।

ଆବର ବଚନ ଏକ କହିଥିବା ତଥ୍ୟ

କା ଆଗେ ନ କହି ଏହା ରଖିବ ଗୁପତ ।

ଯାହାର ଦୃଷ୍ଟିମାତ୍ରକେ ନେତ୍ର ଯିବ ଲୁଚି

ତାର ହସ୍ତେ ଏହା ମୃତ୍ୟୁ ହେବ ଅଛି ସଞ୍ଚି ।

ଏସନ ସନ୍ଦୋ ମୁନି ପୂର୍ବୁଛନ୍ତି କହି

ଚକ୍ଷୁତାର ଲୀନ ହେଲା କୃଷ୍ଣମୁଖ ଚାହିଁ  

ମାଉସୀ ବୋଲନ୍ତି ବାବୁ ଶୁଣ ନନ୍ଦସୁତ

ତିନିକାଳ କଥା ତୁହି ଭଲରେ ଜାଣୁ ତ ।

ନ ଜାଣି ଅପ୍ରୀତି କଲା ଦୁଷ୍ଟରାଜା କଂସ

କାହାକୁ ଦୋଷ ଦେବା ସେ ଅଳ୍ପେ ଗଲାନାଶ ।

ବାବୁ ମୋର ପୁତ୍ର ଶିଶୁପାଳ ବଡ଼ଦୁଷ୍ଟ

ତୁମ୍ଭ ସଙ୍ଗତେ ଅପ୍ରୀତି କରେ ଯେ ପାପିଷ୍ଠ ।

ବାବୁ ତୁମ୍ଭଙ୍କୁ ଅଧିକ କହିବଇଁ କିସ

କ୍ଷମା କରିବୁରେ ବାବୁ ତାର ଦଶଦୋଷ ।

ହରି ବୋଇଲେ ପାଳିବି ଶତେବାର ଯାଏ

ତିନିବାର ସତ୍ୟକଲି ସହିବି ଗୋ ମାୟେ ।

ଏଥୁ ବଳି ଦୋଷ ଯେବେ କରିବ ତୋ ସୁତ

ଦଣ୍ଡକୁ ଶାସ୍ତି ପାଇବ ଜାଣ ଏହା ଏହା ତଥ୍ୟ ।

ଦଇବକୀ ବୋଲେ ତୁମ୍ଭେ ଅଟ ମାୟାଧର

ତୁମ୍ଭର ମହିମା ବ୍ରହ୍ମା ଶିବେ ଅଗୋଚର ।

ଜଗନ୍ନାଥ ବୋଇଲେ ଗୋ ଯେଝାର କରମ

ଦୋଷାନୁରୂପରେ ଦଣ୍ଡ ଦିଏ ସିନା ଧର୍ମ ।

ଦଇବକୀ ବୋଲେ ମୁହିଁ ଜାଣଇନା ବାବୁ

ସନାତନ ପୁଂସ ତୁମ୍ଭେ ଭିଆଇଛ ସବୁ ।

ପୋଡ଼ୁ ମୋହର କରମ କେଉଁ ପାପ କଲି

ଦିଗପାଳ ପୁତ୍ର ଅର୍ଜି ଅକାରଣ ହେଲି ।

ଏତେ ବୋଲି ଚଳିଗଲେ ଆପଣା ଭବନ

ଦ୍ୱାଦଶ ଦିବସ ତହିଁ  ରହି ଜନାର୍ଦ୍ଦନ ।

ଅର୍ଜ୍ଜୁନକୁ ସଙ୍ଗେ ଘେନି ମଥୁରା ବିଜୟେ

ନମସ୍କାର କଲେ ଯାଇ ଉଗ୍ରସେନ ପାୟେ ।

ତଦନ୍ତରେ ଗଲେ ବସୁଦେବଙ୍କ ମନ୍ଦିର

ଯଥାବିଧିରେ ସେ ମାନ୍ୟ କଲେ ଯେ ଯାହାର ।

ଚୌରାଶୀ କୋଟି ଯାଦବ କୃଷ୍ଣ ଆଗେ ମିଳି

ଯେଝା ଅନୁରୂପେ ମାନ୍ୟ କଲେ ବନମାଳୀ ।

ଯଥାନୁକ୍ରମେ ରହିଲେ ସେ ଯାଦବବୃନ୍ଦ

ସଙ୍ଗତେ କ୍ରୀଡ଼ା କରନ୍ତି ଦେବ ସଦାନନ୍ଦ ।

ଧନ୍ୟ ସେହି ମଧୁବନ ଧନ୍ୟ ଗୋପନାରୀ

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଯେ କରି ।

ପ୍ରତ୍ୟକ୍ଷେ ଚର୍ମନୟନେ ଦେଖି ଦେବରାୟେ

ନିରଞ୍ଜନ ନିରାକାର ପ୍ରଭୁ ବିଶ୍ୱମୟେ ।

ଧନ୍ୟ ସେ ଦ୍ୱାପର ଯୁଗ ବିଷ୍ଣୁ ଜନମିଲେ

ଧନ୍ୟ ଧନ୍ୟ ସେ ସମୟେ ଯେତେ ଜନ୍ତୁଥିଲେ ।

ନିରାକାର ବିଷ୍ଣୁ ଅବତାର ଦେହବନ୍ତ

କଳ୍ପାଦି ପୁରୁଷ ଯାର ନାହିଁ ଆଦି ଅନ୍ତ ।

ଦ୍ୱାପରର ଭାରାଭର ନିବାରିବା ଅର୍ଥେ

ଚତୁର୍ଦ୍ଧାରୂପରେ ଜନ୍ମ ଲଭି ପୁଣ୍ୟପଥେ ।

ବିଷ୍ଣୁ ବଳଦେବ ଅନିରୁଦ୍ଧ ଯେ ପ୍ରଦ୍ୟୁମ୍ନ

ପ୍ରକୃତ ଅବ୍ୟକ୍ତ ପୁରୁଷ ଏ ଚାରିଜନ୍ମ ।

ମନପବନ ଯେ ଚିଆଁ ଚଇତନ୍ୟ ମୂଳେ

ସହଜେ ଉଜାଣି ଯାର ଲାଗି କର୍ମବଳେ ।

ଅଚ୍ୟୁତାନନ୍ଦ ବାନା ଯେ ନିରନ୍ତରେ ବହି

ଜଗତଚ୍ୟୁତ ହୋଇଲେ ଯାର ଚ୍ୟୁତି ନାହିଁ ।

ସୃଷ୍ଟି ପାତନା ଯାହାର ଖେଳଘର ନାଟ

ତ୍ରିଗୁଣ ରଜ୍ଜୁବନ୍ଧନେ ସର୍ବେ କରି ମୋଟ ।

ଚାରିଖାନି ଚାରିବାନି ମୂଳେ ଜନ୍ତୁ ଜୀବ

ଜଳ ସ୍ଥଳ ପୂରିଣ ଯେ ଅଛଇ ସରବ ।

ଶ୍ରୁତି ସ୍ମୃତି ପ୍ରକୃତିରେ ବିଚାରିଣ ମୋକ୍ଷ

ଧର୍ମ ଅଧର୍ମ ବୋଲିଣ ଅଟେ ବେନିପକ୍ଷ ।

ଧର୍ମରୁ ଜାତ କରିଲେ ଦେବତା ସକଳ

ଅଧର୍ମରୁ ଜାତ ହେଲେ ସର୍ବ ଦୁଷ୍ଟବଳ ।

ଏମାନଙ୍କୁ ଜାତକରି ଅଛନ୍ତି ଯେ ପୁଣି

ଲେଉଟି ସଂହାର କରେ ଯଥାକାଳ ଜାଣି ।

ଶତ୍ରୁ ମିତ୍ର ଉଦାସିତା ନାହିଁ ନା ଯାହାରି

ତେଣୁକରି ଶଙ୍ଖ ଚକ୍ର ଗଦା ଅବଧାରୀ ।

ସନ୍ଥଜନ ପ୍ରତିପାଳି ଦୁଷ୍ଟ କରି ନାଶ

ପୃଥିବୀର ଭାରାଭର କରିବେ ଉଶ୍ୱାସ ।

ଲବଣ ସମୁଦ୍ର ତଟେ ଶୋହେ ନୀଳଗିରି

ଚତୁର୍ଦ୍ଧାରୂପରେ ତହିଁ ବିଜେ ଦେବହରି ।

କଳ୍ପବଟ ନିକଟରେ ପ୍ରାସାଦ ଶୋଭନ

ପୁଷ୍କର ମଣ୍ଡପ ତଳେ ରତ୍ନ ସିଂହାସନ ।

ସେ ସିଂହାସନ ଉପରେ ବିଜେ ଦେବରାଜ

ଛାମୁରେ ଗରୁଡ଼ ଯତି ବିନତା ଆତ୍ମଜ ।

ଲକ୍ଷ୍ମୀ ସରସ୍ୱତୀ ଆଉ ବିଳମ୍ବ ଯେ ଦେବୀ

କୋଟି ବିଦ୍ୟାଧରୀ ପୁଣି ଅନନ୍ତ  ଭୈରବୀ ।

ସନକ ସନାତନର ମୂଳେ ଦେବ କୋଟି

ବାରବ୍ରତ ବାରତୀର୍ଥ ପାଦେ ଛନ୍ତି ଖଟି ।

ଏକବାରେ ଦରାନେ ଖଣ୍ଡେ ସର୍ବଭୟେ

ପାପାଧିପାପ ବିଧ୍ୱଂସ ଚାରିଯୁଗ ଯାଏ ।

ସର୍ବାଳଙ୍କାର ଭୂଷଣ ଯାହାର ଶରୀର

ଗନ୍ଧ ପୁଷ୍ପ ଆଭରଣ ନାନା ପରକାର ।

ହୀରା ନୀଳା ପ୍ରବାଳ ଯେ ବୈଡୁର୍ଯ୍ୟ ମୁକୁତା

ଶତେବାନି ହେମ ମାଣିକ୍ୟରେ ମୋତିମୁକ୍ତା ।

ଧୂପ ଦୀପ ନଇବେଦ୍ୟ ସୁଧା ଷଡ଼ରସ

ନାନାରଙ୍ଗରେ ଭୋଗନ୍ତି ଯେବଣ ପୁରୁଷ ।

ଏକେ ନାଟ ବହୁବାର ତୀର୍ଥଯାତ୍ରା ମୂଳେ

ଇନ୍ଦ୍ର ସମ୍ପଦ ବହଇ ପାଦପଦ୍ମ ତଳେ ।

ନମସ୍ତେ ସେ ଜଗବନ୍ଧୁ ସର୍ବ ଅନ୍ତର୍ଯ୍ୟାମୀ

ରାଗ ମୋହ ଅହଙ୍କାର ବିବର୍ଜିତ ସ୍ୱାମୀ ।

ଲକ୍ଷ୍ମୀର ବଲ୍ଲଭ ସ୍ୱାମୀ ଶାରଦାବିଳାସ

ଶ୍ରୀପଦେ ଭକ୍ତି କରେ ଅଚ୍ୟୁତାନନ୍ଦ ଦାସ ।

କର୍ଣ୍ଣକୁହିଁ ଏ ଅମୃତ ସୁଧାରସ ବାଣୀ

ପଦେ ପଦେ ମୁକ୍ତିପଥ ଧାତା ଦିଏ ଆଣି ।

ଅତିଭାଗ୍ୟେ ଭାଗବତ ସାରସ୍ୱତ ଗ୍ରନ୍ଥ

ଅଷ୍ଟାଦଶ ପୁରାଣ ଏ ବେଦାନ୍ତ ମୋକ୍ଷାର୍ଥ ।

ପାପ ହରଣରେ ହରିବଂଶ ହରିକୀର୍ତ୍ତି

ଜ୍ଞାନସଂହିତା ପରେ ଏ ଅଟେ ବିଷ୍ଣୁସ୍ମୃତି ।

ଯେଉଁ ବିଷ୍ଣୁ ନାମ ସୁମରନ୍ତେ ଏକବାର

ମାୟା ମୋହ ସଂସାରରୁ ହୋଇଯାନ୍ତି ପାର ।

ଯେ ଯାହାନୁରୂପେ ବଳ ଭିଆଇ ଯେଝାରେ

ଏତେ ଯୋଗ ଭିଆଇଲେ ଯେ ଦେବ ମର୍ତ୍ତ୍ୟରେ ।

ମଧୁବନ ପୁରେ ରହି କୃଷ୍ଣ କାମପାଳ

ଉଗ୍ରସେନ ଆଦି ସେବା କରନ୍ତି ସକଳ ।

ଇନ୍ଦ୍ରଦେବ ଦେଲେ ଦଶସହସ୍ର ନାୟିକା

ଅମର ବିଦ୍ୟାଧରର ମୂଳେ ଇନ୍ଦୁରେଖା ।

କିନ୍ନରୀ ଅପ୍‌ସରୀ ସର୍ବେ ଅଂଶ ଅବତାର

ଜନ୍ମ ଜନ୍ମାନ୍ତରେ ସେହୁ ଦାସୀ ଶ୍ରୀବିଷ୍ଣୁର ।

ତାହାନ୍ତ ଘେନିଣ କ୍ରୀଡ଼ାକରି ଦେବରାୟେ

ବସୁଦେବର ମନ୍ଦିରେ ଥାନ୍ତି ସର୍ବଦାଏ ।

ସମସ୍ତେ ସେହି ଦେବୀଙ୍କୁ କରୁଥାନ୍ତି ସେବା

ଅନ୍ଥଃପୁରର ଭିତରେ ଥାନ୍ତି ନବଯୁବା ।

ସୁନାସ ପୁତ୍ର ସୁରଥ ନାମରେ କୁମର

ଟିକାଇତ ଜେନା ସେହୁ ରାଜ୍ୟକୁ ଉଦ୍ଧାର ।

ଇନ୍ଦୁମତୀ ଦେବକୀର ଅଷ୍ଟ ଅଷ୍ଟ ପୁତ୍ର

ସପତାଙ୍ଗେ ରହିଥାନ୍ତି ପାସୋରିଣ କଷ୍ଟ ।

ସାତବଂଶ ଯାଦବ ଚୌରାଶୀ କୋଟି ବଳ

କୁବେର ସମାନ ଧନବନ୍ତ ସେ ସକଳ ।

ବହୁ ଶୂଦ୍ର କ୍ଷତ୍ରୀ ବୈଶ୍ୟ ଆଉ ନାନାଜାତି

ସମସ୍ତେ ସୁଖରେ ଥାନ୍ତି ନାହିଁ ଭୟ ଭ୍ରାନ୍ତି ।

ଶ୍ରୀକୃଷ୍ଣଙ୍କ ପଞ୍ଚଆତ୍ମା ଅଟେ ଫାଲଗୁନି

ସବୁବେଳେ ଅର୍ଜ୍ଜୁନକୁ ସଙ୍ଗତରେ ଘେନି ।

ସାନ୍ଦୀପନିଙ୍କ ନିକଟ ବିଦ୍ୟା ଶିକ୍ଷା ଯାହା

ଏକାଙ୍ଗେ ପାର୍ଥେ କହିଲେ କୃଷ୍ଣଚନ୍ଦ୍ର ତାହା  

ନରନାରାୟଣ ରୂପେ ହୋଇ ଅବତାର

ଏହି ନିବାରିବେ ମହୀଦେବୀ ଭାରାଭର ।

ହରିବଂଶ ପୁରାଣର ବାଣୀ ପୁଣ୍ୟମୟେ

ଇଦଂ ତ୍ରୟୋଦଶ ଅଧ୍ୟା ସମାପତ ହୁଏ ।

 

ଜରାସନ୍ଧର ଅଷ୍ଟାଦଶ ବାର ଧାଡ଼ି

ଏଥୁ ଅନନ୍ତରେ ତହୁଁ କେତେଦିନ ଗଲା

ଜରାସନ୍ଧ ଆଗେ ଯାଇ ଚାର ଜଣାଇଲା ।

ଭୋ ଦେବ ବଳବନ୍ତ ହେ ନୃପ ଗୁଣରାଶି

ମଥୁରା ବାରତା ଏବେ ଶୁଣ ଦଣ୍ଡେ ବସି ।

ଗୋମତ ଗିରି ଉପରୁ ରାମ କୃଷ୍ଣ ଗଲେ

ମଥୁରା କଟକେ ଯାଇ ବାହୁଡ଼ି ମିଳିଲେ ।

ତହୁଁ ଦଶଗୁଣେ ନିରିମାଣି ସେହି ଗଡ଼

କାଙ୍ଗୁଲା କମଳଶିରା ଚାଙ୍ଗବନ୍ଧା ଫେର ।

ସାତବାଳ ଖଣା ଆଉ ନବତାଳ ଉଚ୍ଚ

ରତ୍ନାକର ପାଟଣା ତହିଁକି ନୁହେ ସଞ୍ଚ ।

ଚୌରାଶୀ କୋଟି ଯାଦବେ ସର୍ବେ ଛନ୍ତି ତହିଁ

ଆନନ୍ଦରେ ବିହରନ୍ତି ମନେ ହିଂସା ନାହିଁ ।

ଜରାସନ୍ଧ ବୋଲେ ତହିଁ ଜାଣଇ ସକଳ

ଯାଦବଙ୍କ କଥା ଶୁଣି ଦେହେ ବାଜେ ଶଲ ।

କୌଣସି ପ୍ରକାରେ ତାଙ୍କୁ ନ ପାରିଲି ଜିଣି

ଅନେକ କଟାଳ ସେ କଲେ ମୋତେ ପୁଣି ।

 

ତାହାଙ୍କ ଯୋଗେ ପ୍ରମାଦ ପଡ଼େ ମୋତେ କିନା

ମନ ସିନା ଜାଣଇ ଯେ ମନର ବେଦନା ।

ଚାରି ଊଣା ଲକ୍ଷେ ରାଜା ଜିଣି ଭୁଜବଳେ

ଗୌଡ଼ ଦୁହିଙ୍କି ହାରିଲି କର୍ମର ଅବଳେ ।

ମାୟାଯୁଦ୍ଧ ସପ୍ତଦଶ ବାର ସେ କହିଲେ

ଧରୁ ଧରୁ ହାତରୁ ସେ ଫୋପଡ଼ାଇ ଗଲେ ।

ଦେବଶସ୍ତ୍ର ଆଦି ତାଙ୍କ ଅଙ୍ଗେ ନ କାଟଇ

ରଥୀ ମହାରଥୀମାନେ ଯାନ୍ତି ଯମଭୂଇଁ ।

ଧନ ଭଣ୍ଡାର ଆଦି ମୋ ସର୍ବନାଶ ଗଲା

ଚାରି ସହସ୍ର ନୃପତିଗଣେ ବିନାଶିଲା ।

ଛଅ ସହସ୍ର ପଡ଼ିଲେ ରଣେ ବୀରଗଣେ

କେ ତାହା ସଂକ୍ଷେପି କରି କହିବ ବଚନେ ।

ମୋର ଭଳି ଲୋକ ହାରି ପଳାଇ ଅଇଲା

ପ୍ରାଣଭୟେ କିଏ କେଣେ ପଳାଇଣ ଗଲା ।

ଚାରି ଊଣା ଲକ୍ଷେ ରାଜା ସୈନ୍ୟ ସଙ୍ଗେ ଥିଲେ

ଅସମୟେ ଦେଖି ମୋତେ ଛାଡ଼ି ପଳାଇଲେ ।

ପର୍ବତେ କଚାଡ଼ୁଥିଲା ବଳରାମ ମୋତେ

ପୁଣି ସେ ଫୋପାଡ଼ି ଦେଲା କି ବିଚାରି ଚିତ୍ତେ ।

ଦଇବେ ମୁଁ ବର୍ତ୍ତିଅଛି ପ୍ରାଣେ ଆଜିଯାଏ

ସେ କଥା ମନେ ପଡ଼ନ୍ତେ ଚିତ୍ତେ ଲାଗେ ଭୟ ।

ପୋଡ଼ୁ ମୋର ରାଜ୍ୟଭାର ଯିବି ଦେଶାନ୍ତର

ଈଶ୍ୱରଙ୍କୁ ସେବାକରି ମାଗିବଇଁ ବର ।

ସାଗରରେ ଦେହ ଝାସି ମାଗିବଇଁ ଦୀକ୍ଷା

ରାମ କୃଷ୍ଣ ଜିଣିବାକୁ ଅଟେ ମୋର କକ୍ଷା ।

ସାତବଂଶ ଯାଦବଙ୍କ ମାଂସକୁ କାଟିବି

ଆହୁତିରେ ଦେଇଆଣି ଶିଳାରେ ବାଟିବି ।

ନୋହିଲେ ତ ଜୀବନକୁ ନାହିଁ ମୋର ଆଶ

କା ମୁଖ ନ ଚାହିଁ ଦେବି ଅନଳରେ ଝାସ ।

କ୍ଷତ୍ରିୟ କୁଳକୁ ନିନ୍ଦା ଅଟଇ ଏମାନ

ଯୁଦ୍ଧେ ହାରି କେତେକାଳ ରଖିବି ଜୀବନ ।

ଯେବଣ ଦିନୁ ଅଇଲି ଯୁଦ୍ଧେ ଲଜ୍ଜା ପାଇ

ସେ ଦିନୁ ହୃଦରେ ବ୍ୟଥା ରଖିଛି ପୂରାଇ ।

ସାମ ଦାନ ଭେଦ ଦଣ୍ଡ ବିଷ ପ୍ରୟୋଗରେ

ଶତ୍ରୁକୁ ଜିଣିବ ନୃପ ନାନା ଉପାୟରେ ।

ରାମ କୃଷ୍ଣ ଜିଣିବାକୁ ଯାର ବଳ ଅଛି

ମୁଁ ତାକୁ ସେବା କରିବି ନିଶ୍ଚୟେ କହୁଛି ।

ନୋହିଲେ ବା ଦେବତାଙ୍କୁ ପ୍ରସନ୍ନ କରାଇ

ଧନ ଜୀବନ କୁଟୁମ୍ବ ନିଶ୍ଚେଁ ତେଜିବଇଁ ।

ଏ ଦେହ ଅଜରାମର ହେବ କେତେ ଦିନ

ଦିନେ ତ ହୋଇବ ନିଶ୍ଚେଁ କାଳର ଅଧୀନ ।

ବିଶୁଦ୍ଧ କ୍ଷତ୍ରିୟ ମୁଁ ଯେ ଅଟେ ସୂର୍ଯ୍ୟବଂଶୀ

ହୀନହାତେ ପରାଭବ ପାଇ ହେଲି ଧ୍ୱଂସି ।

ମୋ ଲାଗି ସକଳ ନୃପେ ପାଇଲେ ଅବସ୍ଥା

ଯୁଗ ଯୁଗାନ୍ତର ଯାଏ ରହିଲା ଏ କଥା ।

ଏସନ ଭାଳନ୍ତେ ରାଜା ଏକାନ୍ତରେ ବସି

ନାରଦ ପ୍ରବେଶ ହେଲେ ତା ଆଗରେ ଆସି  

ହସ୍ତେ ଦଣ୍ଡ କମଣ୍ଡଳୁ ବ୍ରହ୍ମବୀଣା ଶୋହେ

ମସ୍ତକରେ ଜଟାଜୂଟ ଦିଶେ ତେଜୋମୟେ ।

କାନ୍ଧେ ଉତ୍ତରୀ ପଇତା କାଖେ ବେଦ ପୋଥି

ତପତ କାଞ୍ଚନ ପ୍ରାୟେ ଦିଶେ ଦେହ ଜ୍ୟୋତି ।

ଅଙ୍ଗରେ ଦ୍ୱାଦଶ ଚିତା କର୍ଣ୍ଣରେ କୁଣ୍ଡଳ

କଣ୍ଠତଟେ ଲମ୍ବିଅଛି ରୁଦ୍ରାକ୍ଷର ମାଳ ।

ବ୍ରହ୍ମାଙ୍କ ନନ୍ଦନ ମହାଜ୍ଞାନୀ ଦେବଋଷି

ସାକ୍ଷାତେ ଧର୍ମ ଦେବତା ପରାୟେ ସେ ଦିଶି ।

ମନଦଣ୍ଡ ଆରୋହଣ କରି ଯୋଗମାର୍ଗେ

ଅଦ୍ଭୁତେ ମିଳିଲା ଆସି ଜରାସନ୍ଧ ଆଗେ ।

ଦେଖି ମଗଧ ଈଶ୍ୱର ନିସ୍ତରିଲି ବୋଲି

ସାଷ୍ଟାଙ୍ଗରେ ପାଏ ପଡ଼ି ଶୋଏ ଗଡ଼ଘାଲି ।

କରପତ୍ର ଯୋଡ଼ି ଆଗେ କରେ ବହୁ ସ୍ତୁତି

ଗନ୍ଧ କୁସୁମେ ପୂଜଇ ହୋଇ ତୋଷମତି ।

ଅନେକ ବିନୟ ଭାବେ କରି ପାଦ ପୂଜା

ବହୁ ଅରଚନା ମାନ୍ୟ କରେ ମହାରାଜା ।

ସୁବର୍ଣ୍ଣ ସିଂହାସନରେ କୃଷ୍ଣାଜିନ ପାଡ଼ି

ତା ପରେ ବସିଲେ ମୁନି ସିଂହାସନ ମାଡ଼ି ।

ମଗଧେଶ୍ୱର ପଚାରେ କିପାଁ ଆଗମନ

ପୁର ମୋର ପ୍ରତିଷ୍ଠା ତ କଲ ତପୋଧନ ।

ନାରଦ ବୋଇଲେ ରାଜା କହଇ ମୁଁ ତୋତେ

ଅମଳାନ କ୍ଷତ୍ରୀ ଅଟୁ ସୂର୍ଯ୍ୟ କୁଳ ଗୋତ୍ରେ ।

ତ୍ରିଭୁବନଜିତା ତୁହି ଏକେ ମହାବଳୀ

ସମ୍ଭର୍ବେ ଥାଟ ଚଳାଉ ଧନ୍ୟ ଏ ଆର୍ଦୋଳି ।

ଜମ୍ବୁଦ୍ୱୀପ ମଧ୍ୟେ ଚାରି ଊଣା ଲକ୍ଷେ ରାଜା

ତୁମ୍ଭ ଚରଣେ କରନ୍ତି ସର୍ବେ ପାଦପୂଜା ।

ତୁମ୍ଭଠାରେ ଶ୍ରଦ୍ଧା ମୋର ରହିଥାଏ ଜହୁଁ

ତେଣୁ ତୁମ୍ଭର ଛାମୁକୁ ଅଇଲଇଁ ତହୁଁ ।

ଜରା ବୋଇଲା ତୁମ୍ଭେ ତ ଅଟ ମୋର ପିତା

ଭୂତ ଭବିଷ୍ୟତ ଆଦି ତିନିକାଳ ଜ୍ଞାତା ।

ପ୍ରତ୍ୟକ୍ଷରେ ବ୍ରହ୍ମବେତ୍ତାଅଂଶୁ ଅବତାର

ସତ୍ୟବନ୍ତ ପୁରୁଷ ଯେ ପରଂଯୋଗେଶ୍ୱର ।

ଭୋ ମୁନି ତୁମ୍ଭର ଆଗେ କହିବି ଯେ କଥା

ତୁମ୍ଭେ ମହାତ୍ମା ଖଣ୍ଡିବ ମୋର ମନୋବ୍ୟଥା ।

ନନ୍ଦ ଗଉଡ଼ର ପୁଅ କଲା ବହୁ ହାନି

ମୋର ଭଳି ଲୋକ ପୁଣି ହେଲା ହୀନମାନୀ ।

ଚାରି ଊଣା ଲକ୍ଷେ ରାଜାଙ୍କର ସେ ସଇନି

ପରାଜୟ ପାଇକରି ହେଲେ ମାନହାନି ।

ସତର ବାର ଧାଡ଼ିରେ ଯୁଝିଲି ରିଝାଇ

ଜିଣି ନ ପାରିଣ ତାଙ୍କୁ ଅଇଲି ପଳାଇ ।

ବଡ଼ ମାୟାବୀ ଅଟନ୍ତି ସେହି ବେନିଭ୍ରାତ

ଆକର୍ଷି ଧରୁ ଧରୁ ଯେ ଯାନ୍ତି ହାତୁ ହାତ ।

ଭୋ ମୁନି ଅଟ ତୁମ୍ଭେ ତ ମହା ତପୋନିଧି

ରାମକୃଷ୍ଣ ଧରିବାକୁ ଅଛି କେଉଁ ବୁଦ୍ଧି ।

ନାରଦ ବୋଇଲେ ରାଜା ପଚାରିଲୁ ଯାହା

ସାବଧାନ ହୋଇ ଶୁଣ କହୁ ଆମ୍ଭେ ତାହା ।

ବଡ଼ ଗୁପତ କଥା ଏ ନ ଜାଣନ୍ତି ଆନ

ଏକା ଜାଣନ୍ତି ଗାର୍ଗବ ମହା ତପୋଧନ ।

ଚନ୍ଦ୍ରକାନ୍ତି ପରେ କାଳଦମନ ନୃପତି

ଅତ୍ୟନ୍ତ ବଳବନ୍ତ ସେ ଶକ୍ତି ମହାରଥୀ ।

ବୀର ଅଭିମାନୀ ବଳବନ୍ତ ଶିରୋମଣି

ଏକା ନିଃଶ୍ୱାସେ ଯାଦବେ ପାରେ ସେହୁ ଜିଣି ।

ଶତେ ରାମ କୃଷ୍ଣ କୋଟି କୋଟି ଯେ ଯାଦବ

ଆରେଣି କରିବ ପଟୁଆରେ ଅସମ୍ଭବ ।

ଗଣ ଗନ୍ଧର୍ବ ଦେବତା ଘେନି ବଜ୍ରପାଣି

କାଳଦମନକୁ କେବେ ନ ପାରିବେ ଜିଣି ।

କହନ୍ତେ ନ ସରେ କାଳଦମନର ରୀତି

ଯାଦବେ ଜିଣିବା ପାଇଁ ଏକା ସେହି କ୍ଷତ୍ରୀ ।

ଆବର ବିଶେଷେ ବର ଦେଲେ ଉମାସାଇଁ

କାଳଦମନ ଜନ୍ମିଛି ଯାଦବଙ୍କ ପାଇଁ ।

ଶୁଣି ତୋଷ ହେଲା ଜରାସନ୍ଧ ନରପତି

ସଂକ୍ଷେପି କରି କହିଲେ ମୁନି ପୂର୍ବରୀତି ।

ନାରଦ ବତାଇ ଦେଲେ ଗୁପ୍ତକଥାମାନ

ଆଗହୁଁ ଭିଆଇଛନ୍ତି ଏହା ପଞ୍ଚାନନ ।

ଶୂରବନ୍ତ ପଣ ତାର କି କହିବା ଅବା

ଜନମ ହୋଇବା ମାତ୍ରେ କରେ ଶିବସେବା ।

ସେ ନିଶ୍ଚେଁ ଫେଡ଼ିବ ରାଜା ଦୁଃଖକୁ ତୁମ୍ଭର

ଏହା କହି ଅନ୍ତର୍ଦ୍ଧାନ ହେଲେ ମୁନିବର ।

ଶୁକମୁନି ବୋଇଲେ ହେ ପରୀକ୍ଷ ନୃମଣି

ଜରାସନ୍ଧ ତୋଷ ହେଲା ମୁନି କଥା ଶୁଣି ।

ପାତ୍ର ମନ୍ତ୍ରୀଙ୍କୁ ପାଶକୁ ଡାକି ନୃପନିଧି

ବିନୟେ ବୋଲଇ କହ କରିବା କି ବୁଦ୍ଧି ।

ନାରଦ ମୁନି କହିଲେ ମୋତେ ତ ବିଶ୍ୱାସି

କାଳଦମନ ସେ ରାମକୃଷ୍ଣେ ପାରେ ନାଶି ।

ଆଗହୁଁ ଏ କଥା ମୋତେ କେ କହି ନ ଥିଲା

ସରିଲା ସମ୍ପଦ ବଡ଼ପଣ ନାଶଗଲା ।

ଚାରିଊଣା ଲକ୍ଷେରାଜା ଚତୁରଙ୍ଗ ବଳ

ସର୍ବ ବିନାଶ କରିଲେ କରିଣ କୌଶଳ ।

କୌଣସି ପ୍ରକାରେ ତାଙ୍କୁ ନ ପାରିଲେ ଜିଣି

ଏତେକାଳେ ଦୈବ ବୁଦ୍ଧି ଦେଉଅଛି ଆଣି ।

ବାଣାସୁର ବଜ୍ରନାଭ ଶମ୍ବର ନାରକା

ମହାବଳୀ ରାଜାମାନେ ହେଲେ ମୋତେସଖା ।

ନାନାଛନ୍ଦ କୂଟ କପଟରେ ଯୁଦ୍ଧ କଲି

ଯୁଝି ନ ପାରିଣ ମୁଁ ଯେ ଗଞ୍ଜିଣ ହୋଇଲି ।

ତୁମ୍ଭେ ମୋର ମନ୍ତ୍ରୀ ଅଟ ରାଜ୍ୟକୁ କାରେଣୀ

କି ଉପାୟ କରିବଇଁ କହ ହେ ଏକ୍ଷଣି ।

ଜରାର ବଚନ ଶୁଣି କହେ ମନ୍ତ୍ରୀବର

ନୁହସି ଆରତ ଦେବ ମନ କର ସ୍ଥିର ।

ତୁମ୍ଭେ ମହାବଳବନ୍ତ ଧାରମିକ ରାଜା

ବୁଦ୍ଧି ପରାକ୍ରମେ ପାଇ ସର୍ବଦେଶେ ପୂଜା ।

ବୁଦ୍ଧିବଳ କଲେ ସିନା ହେବ କାର୍ଯ୍ୟସିଦ୍ଧି

ମୁଁ କିସ କରିବି ତୁମ୍ଭ ମନକୁ ଯେ ବୋଧି ।

କାଳଦମନ ଛାମୁକୁ ଦୂତ ବରଗିବା

ପ୍ରୀତି ଉପୁଜାଇ ତାକୁ ସମାଧା କରିବା ।

ଉଭୟ ଅନୁମତରେ ବନ୍ଧୁପଣ ଗଢ଼ି

ତେବେ ଯାଇ ସବୁକାର୍ଯ୍ୟ କହିବା ଯେ ଫେଡ଼ି ।

ମନ୍ତ୍ରୀର ବଚନ ଶୁଣି ମଗଧ ନୃପତି

ତଥ୍ୟବାର୍ତ୍ତା ପାଇ ତୋଷ କଲା ନିଜମତି ।

ସତ୍ୱରେ ରଥବରକୁ ଆଣିଲା ସଜାଇ

ଷାଠିଏ ସହସ୍ର ଅଶ୍ୱ ତହିଁରେ ଯୋଗାଇ ।

ନେତ ପତନୀ ସିନ୍ଧୁର ଆବର ମାଞ୍ଜିଷ୍ଠ

ବସନ୍ତ ମାଧବୀ ନାନାବର୍ଣ୍ଣେ ରଙ୍ଗପାଟ ।

କର୍ପୂର କସ୍ତୁରୀ ଗନ୍ଧ ଚନ୍ଦନୋପହାର

ନବଲକ୍ଷ ସଜାଡ଼ିଣ ବହି ବୋଝଭାର ।

ଉଦଣ୍ଡ ଲକ୍ଷେକ ପାଟଛତ୍ର ଯେ ବିମଳ

ସନ୍ତୋଷେ ସଜ କରିଲା ମଗଧ ଭୂପାଳ ।

ଉତ୍ସୁକରେ ଆଜ୍ଞାଦେଲା ଦନ୍ତବକ୍ରେ ରାଇ

କାଳଦମନ ପାଶକୁ ଯିବ ମୋହପାଇଁ ।

ତୁମ୍ଭେ ଦେଖୁଛ ବେଦନା ମୋର ଯେତେଯେତେ

ଭାସୁଛି ଚିନ୍ତାଜଳେ ମୁଁ କହିବଇଁ କେତେ ।

ଧାର୍ମିକ ବିବେକ ତୁମ୍ଭେ ଅଟ ଗୁଣବନ୍ତା

ତୁମ୍ଭବିନୁ ଫେଡ଼ି ନୁହେ ମୋର ଯେତେ ଚିନ୍ତା ।

ତୁମ୍ଭେ ଅପମାନ ପାଇ ଆସିଛ ଆପଣେ

ଚନ୍ଦ୍ରକାନ୍ତି କଟକକୁ ଯାଅ ଏହିକ୍ଷଣେ ।

ଯେମନ୍ତେ କାଳଦମନ ସଙ୍ଗେ ବଢ଼େ ପ୍ରୀତି

ତେମନ୍ତ କରିବ ତୁମ୍ଭେ ଯାଇଣ ଝଟତି ।

ଗୁଣବନ୍ତ ମନ୍ତ୍ରୀ ତୁମ୍ଭ ସଙ୍ଗେ ସଙ୍ଗେ ଥିବ

ନାନାବିଧିରେ କଥା ସେ ସନ୍ଧାଇ କହିବ ।

ତୁମ୍ଭେ ଶୁଣିଅଛ ପୁଣି ନାରଦଙ୍କ ବାଣୀ

କାଳଦମନ ଯାଦବଗଣେ ପାରେ ଜିଣି ।

ଏହିପରି ସମ୍ମାନନା କରି ନରନାଥ

ରତନ ମୁକୁଟ ବାନ୍ଧେ ଦନ୍ତବକ୍ର ମାଥ ।

ତାଡ଼ ତୋମର ସୀମନ୍ତ ଆଉ ଜଗଦ୍‌ବଳା

ପଦକ ହୃଦରେ ହାର କାଞ୍ଚନରମାଳା ।

ବହୁ ପୁରଃସରି ରାଜା ସମ୍ମାନନା କଲା

ମନ୍ତ୍ରୀକୁ ଏହି ପ୍ରକାରେ ଉପହାର ଦେଲା ।

ବାଜଇ ଯେ ଜୟଶଙ୍ଖ ମଙ୍ଗଳ ମହୁରୀ

ଦୂତପଣେ ଗମେ ଦନ୍ତବକ୍ର ଦଣ୍ଡଧାରୀ ।

ହସ୍ତୀ ରଥୀ ପଦାତିକ ସୈନ୍ୟ ଚତୁରଙ୍ଗେ

ଅନେକ ବଳ ଗୋଡ଼ାଇ ଯାଆନ୍ତି ତା ସଙ୍ଗେ ।

ପାରୁଶେ ଗୁଣଭୁଷଣ ମନ୍ତ୍ରିବର ଥାଇ

ଉତ୍ତର ମୁଖେ ମଗଧ ଦେଶୁ ବାହାରଇ ।

ରାଜାର ଆତଙ୍ଗ ଦେଖି ଶୀଘ୍ର ଚଳିଗଲେ

ଚନ୍ଦ୍ରକାନ୍ତି ଦେଶେ ଦଶଦିନରେ ମିଳିଲେ ।

ରାଜ୍ୟେ ପଶନ୍ତେ ଦେଖିଣ ଦମନର ଥାଟ

କରେ ଶସ୍ତ୍ର ଧରି ଆସି ଓଗାଳିରେ ବାଟ ।

ଦନ୍ତବକ୍ର ବୋଲେ ନୃପେ ବେଗେ ଜଣାଯାଇ

ଆମ୍ଭେ ଆସିଛୁ ରାଜାର ଦରଶନ ପାଇଁ ।

ମଗଧେଶ୍ୱର ଯେ ଜରାସନ୍ଧ ମହୀପତି

ସଙ୍ଗାତ ବେଭାର ଦେଇଛନ୍ତି ତାଙ୍କ କତି ।

ତାହାଙ୍କ ଆଜ୍ଞା ପ୍ରମାଣେ ଆସିଅଛୁଁ ଆମ୍ଭେ

ଶୁଣିକରି ଚାରଗଣେ ଚଳିଗଲେ ଭବେ ।

ବାର୍ତ୍ତା ଜଣାଇଲେ କାଳଦମନର ଆଗେ

କର ଯୋଡ଼ିଣ କହନ୍ତି ଅତ୍ୟନ୍ତ ସରାଗେ ।

ଭୋ ଦେବ ସାବଧାନେ ହେ ଶୁଣ ନୃପସାଇଁ

ଦନ୍ତବକ୍ର ରାଜା ଆସେ ଦରଶନ ପାଇଁ ।

ଅନେକ ରଥ ଗଜ ତା ଚତୁରଙ୍ଗ ସଙ୍ଗେ

ଗୁଣଭୂଣେ ମନ୍ତ୍ରୀ ଯେ ଅଛଇ ସରାଗେ ।

ଶୁଣିଣ କାଳଦମନ ହୋଇଲା ହରଷ

ଆଜ୍ଞା ବିହିଲା ଛାମୁକୁ ବେଗେ ଘେନିଆସ ।

ରାଜା ବଚନେ ଖୁଣ୍ଟିଆ ଅଇଲେକ ଧାଇଁ

ତାଙ୍କୁ ପାଛୋଟି କରିଣ ଆଗ କଲେ ନେଇ ।

ଦେଖା ଦରଶନି ଯେତେ ଦ୍ରବ୍ୟ କରି ସଜ

ଦେଖି ହୃଷ୍ଟହେଲା କାଳଦମନ ଯେ ରାଜ ।

ଦନ୍ତବକ୍ର ନୃପତିକୁ ଷଡ଼ର୍ଘ୍ୟେ ପୂଜିଲା

ଆସନାଦି ଦେଇ ବହୁ ଗଉରବ କଲା ।

ଅଷ୍ଟରତ୍ନ ସିଂହାସନେ ବସାଇ ଆଦରେ

ସର୍ବକୁଶଳ ପୁଚ୍ଛଇ ଅତି ହରଷରେ ।

ଦନ୍ତବକ୍ର ବୋଲେ ଶୁଣ ଗୋପାବଳୀ ବତ୍ସି

ଦୂତପଣେ ତୁମ୍ଭପାଶେ ମୁହିଁ ତ ଆସିଛି ।

ମଗଧ ଈଶ୍ୱର ଜରାସନ୍ଧ ନରପତି

ତାଙ୍କର ବେନି ଦୁହିତା ହେତୀ ଯେ ପ୍ରହେତୀ ।

ସୁକୁମାରୀ ସୁଲକ୍ଷଣୀ ହ୍ୱନ୍ତେ ନବଯୁବା

ଦିଗବିଜେବେଳେ ତାଙ୍କୁ କଂସ ହେଲା ବିଭା ।

ବଡ଼ାଇ ପ୍ରତାପୀ ସେହି ମଥୁରା ନୃନାଥ

ହଂସ ଡିମ୍ବ ବୋଲିକରି ତାଙ୍କ ବେନିପୁତ୍ର ।

ରାମକୃଷ୍ଣବୋଲି ଦୁଇ ବସୁଦେବ ବାଳେ

ନନ୍ଦ ଗଉଡ଼ର ଘରେ ଥିଲେ ବାଳକାଳେ ।

ବଡ଼ାଇ ହୀନବୁଦ୍ଧି ସେ ଦୁର୍ଦ୍ଦାନ୍ତ ଦର୍ପିଷ୍ଠ

ଖୁଡ଼ୀ ମଉଳାଣୀ ସବୁ ହରିଲେ ପାପିଷ୍ଠ ।

ଅଷ୍ଟମଲ୍ଲ ମୂଳେ କଂସେ ବିନାଶ କରିଲେ

କପଟରେ ହଂସ ଡିମ୍ବ ବେନି ନାଶ କଲେ ।

ପୁତ୍ର ଭର୍ତ୍ତା ହତେ ହେତି ପ୍ରହେତି ସୁକେଶୀ

ଉଚ୍ଚସ୍ୱରେ ରୋଦିଲେ ସେ ପିତା ପାଶେ ଆସି ।

ଦୁହିତାଙ୍କର ବିକଳ ଦେଖି ଜରାସନ୍ଧ

ଲକ୍ଷେରାଜା ସଙ୍ଗେଘେନି ହୋଇଲେ କ୍ରୋଧାନ୍ଧ ।

ମଥୁରା କଟକେ ବେଢ଼ି ସଂଗ୍ରାମ କରିଲେ

ରଥୀ ମହାରଥୀ ତହୁଁ ବହୁ ବିନାଶିଲେ ।

ଯେଉଁ ଜରାସନ୍ଧ ତ୍ରଇଲୋକ୍ୟ ପାରେ ଜିଣି

ଦୁଇଗୋଟା ଗୌଡ଼ ଶିଶୁ ଦୁଃଖ ଦେଲେ ଆଣି ।

ଲକ୍ଷେ ରାଜାଙ୍କର ଅଟେ ଅଲୋକିତ ବଳ

ସତର ବେଳ ଧାଡ଼ିରେ ନାଶିଲେ ସକଳ ।

ଅସଂଖ୍ୟ ସୈନ୍ୟ ମରିବା ସଂଖ୍ୟା କେ କରିବ

ରଥୀ ମହାରଥୀ ମୂଳେ ଅଶ୍ୱାରୋହୀ ସର୍ବ ।

ତିନିତାଳ ଉତ୍ସର୍ଗରେ ବହେ ରକ୍ତ ନଦୀ

ଅନେକ ସଇନି ନାଶକଲେ ସେ ଦୁର୍ବୁଦ୍ଧି ।

ତେଣୁ ମହାରାଜା ମନେ ପାଇ ମହଖେଦ

ଦିନେ କ୍ଷୁଧା ନାହିଁ ରାତ୍ରେ ନ ମାଡ଼ଇ ନିଦ ।

ଭାଳି ଭାଳି ଦୁର୍ବଳ ଯେ ହେଲେଣି ନୃପତି

ଲଜ୍ଜା ପାଇବାରୁ ମୁଖ ଟେକି ନ ପାରନ୍ତି ।

ଏକମାତ୍ର ତୁମ୍ଭଙ୍କୁ ସେ କରିଛନ୍ତି ଆଶ

ତେଣୁ ପଠାଇ ଅଛନ୍ତି ମୋତେ ତୁମ୍ଭପାଶ ।

ବହୁ ଅଳଙ୍କାର ଦେଇଛନ୍ତି ହସ୍ତ ପାତି

ଭୃତ୍ୟ ପଣରେ ସେବିବେ ମଗଧ ନୃପତି ।

ଗୁଣବନ୍ତ ମନ୍ତ୍ରୀ ଯହୁଁ ଜଣାଏ ଏ ବାଣୀ

ସନ୍ତୋଷ ହୋଇଲା କାଳଦମନ ତା ଶୁଣି ।

ବୋଇଲା କାଳଦମନ ଯେବେ ମୋତେ ଆଶ

ସାତବଂଶ ଯାଦବଙ୍କୁ କରିବି ବିନାଶ ।

ମୋର ପିତାଙ୍କୁ ସଭାରେ ଦେଇଛନ୍ତି ଲାଜ

କରିବି କାର୍ଯ୍ୟ ଶୁଝିବ ପିତା ମାନ ଆଜ ।

ରାମକୃଷ୍ଣ ଆଦି ଯେତେ ଚଉରାଶୀ ବଳ

ଏକା ନାରାଚକେ ସାଧି ମାରିବି ସକଳ ।

ଯଦ୍ୟପି ଇନ୍ଦ୍ରାଦି ଦେବେ ଯୁଝିବେ ରିହାଇ

ଏ ମୋହର ଛାମୁରୁ କି ଯିବେ ପ୍ରାଣ ପାଇ ।

ସାଜ ସାଜ ସମଦଣ୍ଡ ବୋଲେ ଦଣ୍ଡଧାରୀ

ଆଜ୍ଞା ପ୍ରମାଣରେ ସଜହେଲେ ଯେ ଯାଝାରି ।

ହାତୀ ରଥୀ ଅଶ୍ୱ ସୈନ୍ୟ ବଳ ଅପ୍ରମାଣ

ନିର୍ଘାତ ଶବ୍ଦ କି ଘଡ଼ଘଡ଼ି ବଜ୍ରବାଣ ।

ଢୋଲ ଦମା ଟମକାଦି ବାଦ୍ୟ ବୀରତୂର

ଶଙ୍ଖ ମହୁରୀ ଭେରୀର ଶବ୍ଦ ମହାଘୋର ।

ଦମା ଉଦ୍ଦଣ୍ଡ ଘୁମୁରା ମରଦଳ ବେରୀ

ଅପାଙ୍ଗ ଅଳାବେଣୀ ଯେ ବାଜଇ କାହାଳୀ ।

ଚାଙ୍ଗୁ ଦମାଲୁ ପଟ୍ଟହ ଆଦି ବିଜିଘୋଷ

କମ୍ପଇ ବ୍ରହ୍ମାଣ୍ଡ ଖଣ୍ଡ ପୁର ଦଶଦିଶ ।

ହେମର ବିମଳ ଛତ୍ର ଉଡ଼େ ପନ୍ତି ପନ୍ତି

ନେତ ଉଦଣ୍ଡ ପତାକାମାନ ବିରାଜନ୍ତି ।

ରଥନ୍ତ ଆରୋହି ରଥୀ ହେଲେ ବେଗେ ସଜ

ପରାର୍ଦ୍ଧେ ମାହୁନ୍ତ ଚଢ଼ିକରି ମତ୍ତଗଜ ।

ଅଶ୍ୱନ୍ତ କ୍ଷୁରି ଦେଇଣ ଧାଇଁଲେ ପ୍ରବଳେ

ପଏକାର ଆଗୁଆଣି ଥାଟ ମଧ୍ୟେ ଚଳେ ।

ମଇଁଷ ଗର୍ଦ୍ଦଭ ଓଟ ଗଜ ଶାରଦୂଳ

ଭାଲୁ ଶ୍ୱାନ ଆରୋହି କେ ଗମନ୍ତି କେବଳ ।

ବିକରାଳ ବଦନ ଯେ ଭୟଙ୍କର ମୂର୍ତ୍ତି

ଅତିଦୀର୍ଘ କେଶ ଦନ୍ତ ବିଭୀଷଣ ଜ୍ୟୋତି ।

ଚର୍ମ ଆଭରଣ ଗଳେ ଜବାପୁଷ୍ପ ମାଳ

ପ୍ରଚଣ୍ଡ ଆଦିତ୍ୟ ପରି ନେତ୍ର ବିକରାଳ ।

ରଙ୍ଗମାଟି ଆଭରଣ ବିଭୂତି ଲେପନ

ହାଡ଼ମାଳ କଙ୍କାଳ କା ବିକଟାଳପଣ ।

ଅସିପତ୍ର କୋନ୍ତ କେହୁ ଘେନି କାଣ୍ଡ ଖଣ୍ଡା

କିଳିକିଳି କୁହୁକୁହୁ ରାବେ ନାଚି ଭେଣ୍ଡା ।

ବ୍ରହ୍ମାଇନ୍ଦ୍ର ଗଙ୍ଗାଧର କାକୁ ନାହିଁ ଶଙ୍କା

ବୀର ବେଶରେ ଧାମନ୍ତି ଦୈତ୍ୟ ରଣ ରଙ୍କା ।

ରଥେକ ଆରୋହି କାଳଦମନ ଯେ ବୀର

ଅନୁକୂଳ ଘେନି ପୁରୁଁ ହୋଇଲା ବାହାର ।

ଗୁଣଭୂଷଣ ଯେ ଦନ୍ତବକ୍ର ହେଲେ ସଜ

ବାମ ଡାହାଣରେ ଛନ୍ତି ଅର୍ବୁଦେକ ଗଜ ।

ବତିଶ କ୍ଷଉଣୀ ବଳ ଚଳାଏ ନୃମଣି

ପାଦଭରେ କମ୍ପୁଅଛି ସକଳ ମେଦିନୀ ।

ପାଞ୍ଚ ଯୋଜନ ମାଡ଼ିଣ ଚଳିଯାନ୍ତି ଥାଟ

ଖାଲ ଡିଙ୍ଗର ପର୍ବତ ହେଉଅଛି ବାଟ ।

ହାତୀ ଘୋଡ଼ା ବ୍ୟାଘ୍ର ନର ଯେ ଆଗରେ ପଡ଼ି

ତତକ୍ଷଣେ ଧରି ତାଙ୍କ ବେକ ଦ୍ୟନ୍ତି ମୋଡ଼ି ।

ଗୋ ବ୍ରାହ୍ମଣ ଋଷି ଦେବଆଦି ନ ମାନନ୍ତି

ପାଇଲା ମାତ୍ରକେ ତାଙ୍କୁ ତତ୍‌କ୍ଷଣେ ଭକ୍ଷନ୍ତି ।

ଜରାସନ୍ଧ ଏହିରୂପେ ବାରତାକୁ ପାଇ

ପାଣିଦ୍ରବ୍ୟ ଘେନିକରେ ପାଛୋଟିଣ ଯାଇ ।

ଗୋମତୀ ପାଶରେ ସିଂହନାଗ ଗିରିଗୋଟି

ସେଇଠାରେ ଦୁଇରାଜା ହେଲେ ଭେଟାଭେଟି ।

ଧାତିକାରେ ଦୁଇରାୟେ ରଥୁ ଓହ୍ଳାଇଲେ

ଏକକୁ ଆରେକ କୋଳ ସମ୍ଭାଷଣ କଲେ ।

କୁଶଳ ବାର୍ତ୍ତା ହୋଇଲେ ପଚରା ପଚରି

ମଗଧେଶ୍ୱର କଟକେ ଗଲେ ବିଜେକରି ।

କଟକ ଅନ୍ତରେ ନଗ୍ର ଏକ ବିତପନ

ସାନନ୍ଦେ ରହିଲା କାଳଦମନ ରାଜନ ।

ପାତ୍ର ପୁରୋହିତ ଖୁଣ୍ଟିଆ ଯେ ପଢ଼ିହାରୀ

ଆନନ୍ଦେ ବସା ଆବୋରି ରହିଲେ ଯେଝାରି ।

ଆଗେ ଉଭାହେଲା ଆସି ସେ ଗୁଣ ଭୂଷଣ

ସମ୍ଭାର ରଖାଇ ଡାକ ଦିଏ ଜଣ ଜଣ ।

ରାନ୍ଧଣା ଯୋଗାଡ଼ମାନ ଯାକୁ ଯେତେ ଅଣ୍ଟି

ଅଶ୍ୱଙ୍କୁ ଘାସ ବ୍ରୀହି ସେ ଖାଦ୍ୟ ଦିଏ ବାଣ୍ଟି ।

ସକଳ ଯୋଗାଡ଼ ଦ୍ୟନ୍ତି ବେଳ କାଳ ଜାଣି

ସବୁଙ୍କ ଚର୍ଚ୍ଚା ବୁଝନ୍ତି ଆପେ ନୃପମଣି ।

ଅନ୍ନ ବ୍ୟଞ୍ଜନାଦି ଖାଇ ସର୍ବେ ସୁସ୍ଥ ହେଲେ

ରଜନୀ ହୁଅନ୍ତେ ସୈନ୍ୟ ଶୟନ କରିଲେ ।

କେତେହେଁ କବେଳେ ତହୁଁ ପାହିଲା ରଜନୀ

ଗଗନେ ଉଦୟ ହେଲେ ପ୍ରଭୁ ଦିନମଣି ।

ଅନେକ ସଇନି ଦଣ୍ଡ ଭୂପାଳକୁ ଘେନି

ଆସ୍ଥାନେ ବିଜେ ଜରା କାଳଦମନ ବେନି ।

ସକଳ ନୃପତିମାନେ ଘେନି ଅଙ୍ଗବଳ

କ୍ରମେ କ୍ରମେ ଆସି ସର୍ବେ ହୋଇଲେକ ଠୁଳ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି

ଅତିଭାଗ୍ୟେ ଭାଗବତ ପୁରାଣର କୀର୍ତ୍ତି ।

 

 

ଚାରିଊଣା ଲକ୍ଷେରାଜା ଅଇଲେକ ବାହି

ଜରା କଟକେ ରହିଲେ ଗଉରବ ପାଇ ।

 

ଉଗ୍ରସେନ ନିକଟକୁ କାଳଦମନର ଚିଟାଉ

ଏଥୁ ଅନନ୍ତରେ କାଳଦମ୍ନ ନରନିଧି

ଜରାକୁ ବୋଇଲା ମିତ କରିବା କି ବୁଦ୍ଧି ।

ଉଗ୍ରସେନ ରାଜା ପାଶେ ଲେଖା ପଠାଇବା

ତାହାର କି ମତ ତାହା ନିକଟୁ ଜାଣିବା ।

ହେଉ କହି ଉଗ୍ରସେନ ପାଶେ ଲେଖା ଦେଲେ

ସୁବର୍ଣ୍ଣ ପେଡ଼ିରେ କାଳସର୍ପ ପୂରାଇଲେ ।

କର୍ପୂର କସ୍ତୁରୀ ମୁଦଦେଇ ତା ଉପର

କାଳଦୂତେ ପଠାଇଲେ ସେ ମଥୁରା ପୁର ।

କହିବୁ ତୁ ଚାରିଊଣା ଲକ୍ଷେକ ନୃପତି

ଘେନିଣ କାଳଦମନ ଯୁଦ୍ଧକୁ ଆସନ୍ତି ।

କେମନ୍ତେ ବଳିଷ୍ଠ ଅଟ ସର୍ବ ଯଦୁବୀର

କାଳସର୍ପ ଆଗୁ କାହିଁ ନିସ୍ତାର ତୁମ୍ଭର ।

ନିଶ୍ଚୟ ମାରିବେ ସେହି ହଳୀ ବନମାଳୀ

ତାଙ୍କ ସଙ୍ଗରେ ତୁମ୍ଭର ଏଡ଼େକ ଢମାଳି ।

ସତର ବାର ଧାଡ଼ିରେ ଗଲ ଯେ ଉବୁରି

ଜୀବନକୁ ଯେବେ ଭୟ ଥାଏରେ ତୁମ୍ଭରି ।

 

ଦନ୍ତେ ତିରଣ କାମୁଡ଼ି ଆସ ଶୀଘ୍ର ହୋଇ

କାଳଦମନ ରାଜାଙ୍କୁ ଦେଖା କର ଯାଇ ।

ଶରଣ ରକ୍ଷଣ ବାନା ଅଟେ ତାହାଙ୍କର

ନିଶ୍ଚୟ କ୍ଷମିବେ ଦୋଷ ଜାଣିବ ତୁମ୍ଭର ।

ରାଜା ଆଜ୍ଞା ପ୍ରମାଣରେ ଦୂତେ ଶୀଘ୍ରେ ଗଲେ

ମଥୁରା କଟକେ ଯାଇ ପ୍ରବେଶ ହୋଇଲେ ।

ଉଗ୍ରସେନ ହସ୍ତେ ଦେଲେ ନେଇ ଲେଖାଗୋଟି

ଚମକି ପଡ଼ି ତାହାକୁ ଫିଟାଇ ଲେଉଟି ।

ଫେଡ଼ି କରିଣ ଦେଖିଲେ କାଳସର୍ପ କାୟେ

ଗର୍ଜ୍ଜଇ ସେ ମହାମେଘ ଘଡ଼ଘଡ଼ି ପ୍ରାୟେ ।

ଚଳଇ ସର୍ପ ପର୍ବତ ପ୍ରାୟେ ଟେକି ଫେଣ

କୁଲା ପରାୟେ ଦିଶଇ ଭୀଷଣ ବଦନ ।

ଲହଲହ ବେନି ଜିହ୍ୱା ଭୟଙ୍କର କାୟେ

ନୟନ ଦୁଇରେ ଚନ୍ଦ୍ର ସୂର୍ଯ୍ୟ କି ଉଦୟେ ।

ଦେଖିକରି ଯଦୁବୀର ଚିତ୍ତେ ଭୟ ପାଇ

ବୋଇଲେ ଏମନ୍ତ ସର୍ପ ଦେଖିଲାକ ନାହିଁ ।

ବହୁକାଳର ବୃଦ୍ଧ ଏ ଅଟେ ମହାସର୍ପ

ଦଂଶିଲେ ଧ୍ୱଂସି ପାରଇ ଦେବତାଙ୍କ ଦର୍ପ ।

ଥୋକେ ଯାଦବ ବୋଲନ୍ତି ପ୍ରୟୋଜନ ନାହିଁ

ଅଯାତ୍ରା ଜନ୍ତୁ ଏ ୟାକୁ ଆଣେ କିସ ପାଇଁ ।

ଥୋକାଏ ବୋଲନ୍ତି କାଳଦମନ ବାତୁଳ

ସର୍ପ ଗୋଟାଏ ଦେଇଣ ପେଷିଛି ପାଗଳ ।

ଏହାଶୁଣି ଉଗ୍ରସେନ ଦୂତେ ପଚାରଇ

ଏ କାଳସର୍ପ ଘେନିଣ ଅଇଲ କିପାଇଁ ।

ଏହାଶୁଣି ଦୂତ ତହୁଁ ବୋଲଇ ଉତ୍ତର

ମଘଦେଶେ ରୁଣ୍ଡ ଆସି ଲକ୍ଷେ ନୃପବର ।

ଲେଖି ଅଛନ୍ତି ସେ ରାମକୃଷ୍ଣ ଯିବାପାଇଁ

ଚତୁରଙ୍ଗ ବଳଘେନି ଆସିବେକ ବାହି ।

ବାରତା ଦେଇ ପେଷିଲେ ମୋତେ ସେହି ଆଗେ

ବୋଇଲେ ଏହା କହିବ ଯାଦବଙ୍କୁ ବେଗେ ।

ଜରାସନ୍ଧ ଆମ୍ଭେ ବଳବନ୍ତ ଶିରୋମଣି

ସ୍ୱର୍ଗ ମଞ୍ଚ ପାତାଳକୁ କ୍ଷଣେ ପାରୁ ଜିଣି ।

ଚାରିଊଣା ଲକ୍ଷେ ରାଜା ହୋଇଅଛୁ ମେଳି

ସବୁଙ୍କରି ବୈରୀ ଜାଣ ରାମ ବନମାଳୀ ।

ଏହି ବାର୍ତ୍ତା ଯାଇ ତୁମ୍ଭେ ଯାଦବଙ୍କୁ କହ

ସେ କିପାଁ କରନ୍ତି ରାମକୃଷ୍ଣେ ଏଡ଼େ ସ୍ନେହ ।

ନ ଜାଣି ଏତେକଷ୍ଟ ସେ ପାଉଥିଲେ ରହି

ଏବେ ଆସନ୍ତୁ କୌଣସି ଭୟ ତାଙ୍କୁ ନାହିଁ ।

ଅର୍ଥେ ଅର୍ଥ ସମ୍ବନ୍ଧ ଯେ ଗଜେ ଗଜ ବାଜି

ଦୋରେହାଙ୍କ ସଙ୍ଗେ କିପାଁ ହୋଇଥାନ୍ତି ମଜ୍ଜି ।

ଯେବେ ମୋ କଥା ଲଙ୍ଘିବେ ନାହିଁ ତାଙ୍କୁ ଭଲ

କାଳଦମନ ଯେ ସର୍ପ ସେ ମଣ୍ଡୁକ ପଲ ।

ଦୂତର ବଚନ ଶୁଣି ଭଣି ଦେବରାୟେ

କୋଟି କାଳଦମନକୁ ନାହିଁ ଆମ୍ଭ ଭୟେ ।

କୋଟି ବଦନରେ କୋଟି ଜରା ଆସୁ ବାହି

କରିବୁ ସଂଗ୍ରାମ ଆମ୍ଭେ କିଛି ଭୟ ନାହିଁ ।

ସେ ଯେ ସନ୍ଦେଶ ଦେଇଛି ଗୋଟା ସାଳସର୍ପ

ଏକା ଜନ୍ଦା ପିମ୍ପୁଡ଼ିକେ ଯିବ ତାର ଦର୍ପ ।

ଏତେ ବୋଲିଣ ପିମ୍ପୁଡ଼ି ଗୋଟାଏକ ଧରି

ସର୍ପ ପେଡ଼ାର ଭିତରେ ମୁଦି ଦେବହରି ।

ନାରାୟଣ ଭରନ୍ତେଣ ତହିଁ ଏକଗୋଟି

ତକ୍ଷଣେ ପେଡ଼ା ଭିତରେ ବ୍ୟାପେ ଲକ୍ଷକୋଟି ।

ଅନନ୍ତ ମାୟାଧର ସେ ରଚି ବିଶ୍ୱମାୟା

ଆପଣେ ପେଡ଼ା ଭିତରେ ଧରି ନିଜ କାୟା ।

ସେ କାଳସର୍ପ ଶରୀରଯାକ ଗଲେ ବେଢ଼ି

ରକତ ମାଂସ ଭକ୍ଷିଲେ ସବୁ ଝାଡ଼ିଝୁଡ଼ି ।

ନିମିଷକେ ଧ୍ୱଂସ ହେଲା କାଳସର୍ପ ଗାତ୍ର

ରକ୍ତମାଂସ ଭକ୍ଷନ୍ତେର ରହେ କଣ୍ଟାମାତ୍ର ।

ଏସନ ଚରିତ ଆନେ ଗୋଚର ତ ନାହିଁ

ଜାଣନ୍ତି ହଳୀ ଜାଣନ୍ତି ଲକ୍ଷ୍ମୀଦେବୀ ସାଇଁ ।

ଦୂତମାନଙ୍କୁ ଶ୍ରୀହରି ଗଉରବ କଲେ

ଶାଢ଼ୀ ସୁନାବଳା ଧନ ରତ୍ନଦ୍ରବ୍ୟ ଦେଲେ ।

ବୋଇଲେ କାଳଦମନେ କହ ଏହା ଯାଇ

ବିଳମ୍ବ ନ କରି ରାଜା ଦଣ୍ଡ ଆସୁ ବାହି ।

ଶୁଣି ଦୂତମାନେ ଶୀଘ୍ର ଲେଉଟିଣ ଗଲେ

ପୁଣି ଯାଇ ମଗଧେଶ ପାଶରେ ମିଳିଲେ  

ଯାହା କହିଥିଲେ ରାମକୃଷ୍ଣ ହୋଇ ମେଳ

ରାଜସଭା ପରି ମୁଖେ କହିଲେ ସକଳ ।

ଆସ୍ଥାନ ତଳରେ ମୁଦ ଫେଡ଼ି ସାପ ଗୋଟି

ଦେଖିଲେ ପିମ୍ପୁଡ଼ି ପୂରିଛନ୍ତି କୋଟି କୋଟି ।

ରକ୍ତ ମାଂସ ଝାଡ଼ି ଖାଇଦେଲେ ସେ ସକଳ

ପେଡ଼ା ଭିତରେ ଅଛଇ ମାତ୍ର ହାଡ଼ମାଳ ।

ଦେଖି ବିସ୍ମୟ ହୋଇଲା ସେ କାଳଦମନ

ସର୍ବ ରାଜାମାନେ ମନେ ପାଇଲେ ବିଷର୍ଣ୍ଣ ।

ଜରା ପୁଚ୍ଛଇ ଦୂତଙ୍କ ବଦନକୁ ଚାହିଁ

ଏ କାଳସର୍ପ ପିମ୍ପୁଡ଼ି କେହ୍ନେ ଗଲେ ଖାଇ ।

ଥୋକାଏ ନୃପତିମାନେ ପାଇଲେକ ବ୍ୟଥା

କେ ବୋଲନ୍ତି ଏ ଅଦୃଶ୍ୟ ଅଗୋଚର କଥା ।

ଦୂତମାନେ ବୋଇଲେକ ସର୍ପେ ବହି ନେଇ

ଦେବସଭା ମଧ୍ୟେ ଦେଖାଇଲୁ ଫେଡ଼ିଦେଇ ।

ଏ ତୁମ୍ଭ ବଚନ ମାନ କହିଲୁ ସକଳ

ଶୁଣି ଉପହାସ କଲେ କୃଷ୍ଣ କାମପାଳ ।

ବୋଇଲେ କାଳଦମନ କୋଟି ଆସୁବାହି

କରିବୁ ସଂଗ୍ରାମ ଆମ୍ଭେ କାହିଁ ଭୟ ନାହିଁ ।

ଜରାସନ୍ଧ ପରି ଲକ୍ଷେ ଆସୁ ନରପତି

ତିଳେମାତ୍ର ଆମ୍ଭ ହୃଦେ ନାହିଁ ତାଙ୍କୁ ଭୀତି ।

ସଭା ସମ୍ମୁଖେ ଫେଡ଼ିଲେ ସର୍ପ ପେଡ଼ା ଗୋଟି

ଥିର କରିଣ ଥୋଇଲେ ଆଣି ପିମ୍ପୁଡ଼ିଟି ।

ଏଡ଼େ ବଡ଼ କାଳସର୍ପ କ୍ଷଣେ ଗଲା ନାଶ

ଏକାଦିନେ ଝିଞ୍ଜାଡ଼ିଣ ଖାଇଲେ ମାଉଁସ ।

ରାଜାଧି ମହାରାଜା ସେ ବଳିଷ୍ଠ ଅଗ୍ରଣୀ

କିମ୍ଭୂତ ମାୟା ତାହାର ନ ପାରିଲୁ ଜାଣି ।

ଆହୁରି ଚାତୁର୍ଯ୍ୟ କରି କହିଲେ ବଚନ

ଭୟ ନ କଲେ ତୁମ୍ଭଙ୍କୁ ସେ ଯାଦବଗଣ ।

ଏ ଅପମାନ ସହିବ କିଏ ଦେହ ଧରି

ଶୁଣି କାଳଦମନ ଯେ କୋପଭରେ ଥରି ।

ଅଧରେ ଦନ୍ତ ଚାପିଣ ନୟନ ତରାଟି

ଭୂମିକୁ ଆକର୍ଷି ମାରେ ସେହି ବଜ୍ରମୁଷ୍ଟି ।

ମେଘ ଘଡ଼ଘଡ଼ି ପରି ଗର୍ଜ୍ଜି ରୋଷଭରେ

ରୋମ ଟାଙ୍କୁରନ୍ତେ ଝାଳ ବହଇ ଦେହରେ ।

ବୋଇଲେ ସେ ଲକ୍ଷେରାଜା କରିଛନ୍ତି ସଭା

ଏତେ ବଡ଼ ଅପମାନ କେମନ୍ତେ ସହିବା ।

ସିଂହ ଆଗରେ ଶୃଗାଳ ଏଡ଼େ ଗର୍ବ କରି

ଶୃଗାଳକୁ ଦେଖି ଭୟ କରେ ଯେ କେଶରୀ ।

ଅଜାତି ଅଗୋଷ୍ଠି ନନ୍ଦ ଗଉଡ଼ର ବଳା

ସବୁ ରାଜାଙ୍କ ମୁଖରେ ଲଗାଇଲା କଳା ।

ଏବେ ବିଳମ୍ବ ନ କର ସର୍ବେ ହୁଅ ସଜ

କ୍ଷତ୍ରୀ ବୃତ୍ତିରେ କରିବା ଜରାସନ୍ଧ କାର୍ଯ୍ୟ ।

ଏହା କହିଣ ଉଠିଲା ଗୋପବଳୀ ସୁତ

ଆସ୍ଥାନ ଉପେକ୍ଷି ସେହି ଆରୋହିଲେ ରଥ ।

ଜରାସନ୍ଧ ଆଦିକରି ସର୍ବ ରାଜାଗଣ

ଯେ ଯାହା ଯାନ ବାହନେ ଚଢ଼ିଲେ ତକ୍ଷଣ ।

ହାତୀ ରଥୀ ପଦାତିକ ଅଶ୍ୱଙ୍କ ସହିତେ

ଚତୁରଙ୍ଗ ବଳ ସଜ ହେଲେ ଯେଝାମତେ ।

ବାଜିଲା ଶଙ୍ଖ ମହୁରୀ ବାଦ୍ୟ କୋଟି କୋଟି

ମୁଖରାବ ଶବଦରେ କମ୍ପେ ନବସୃଷ୍ଟି।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଜାତି ଚାରି

ବାଟୁଆ ବଣିଜାର ଯେ ବ୍ୟବସାୟୀ କାରୀ ।

ପାତ୍ର ଅମନାତ୍ୟ ପୁରୋହିତ ଯେତେ ଜନ

ଲେଙ୍କା ଲମ୍ବହତା ଜେନା ଆଦି ବିତପନ ।

ହାତୀ ଘୋଟକ ପାଲ୍ୟଙ୍କି ଛତ୍ରାଦି ତରାସ

ଗହଣେ ଚଳିଲେ ସର୍ବେ ହୋଇଣ ହରଷ ।

ଅନେକ ରାଜ୍ୟ ମାଡ଼ିଣ ଦେଶ ଉଜାଡ଼ିଲେ

ଖାଲ ଡିଙ୍ଗର ସମସ୍ତ ସମତୁଲ କଲେ ।

ପ୍ରଥମ ଦିନ ରହିଲେ ପାରାଦେଶେ ଯାଇ

ରାତ୍ର ପ୍ରଭାତ ହୁଅନ୍ତେ ଗଲେକ ଚଳାଇ ।

ଦ୍ୱିତୀୟ ଦିନ ରହିଲେ ନେପାଳ ଦେଶରେ

ରନ୍ଧନ ଭୋଜନ କଲେ ବ୍ରହ୍ମ ନଦୀ ତୀରେ ।

ଶଙ୍ଖ ଧ୍ୱନି କରି ସର୍ବେ ତହୁଁ ଚଳିଗଲେ

ଟିକର ପର୍ବତ ମାଡ଼ି ସଡ଼ ବାଟ କଲେ ।

ଶଶକ କେଶରୀ ବୋଲି ଗିରି ବର ଗୋଟି

ଉତ୍ତରବାହିନୀ ସରସ୍ୱତୀ ଅଛି ଫୁଟି ।

ଅକଳନା ପଦା ଗୋଟି ପଶ୍ଚିମ ଭାଗରେ

ତହିଁରେ ରହିଲେ ସୈନ୍ୟ ଦିବସ ଶେଷରେ ।

ରନ୍ଧନ ଭୋଜନ କାର୍ଯ୍ୟ ତହିଁ ଶେଷ କଲେ

ରଜନୀ ପ୍ରଭାତ ହ୍ୱନ୍ତେ ତହୁଁ ଚଳିଗଲେ ।

ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି

ହରିବଂଶ ପୁରାଣ ଏ ପୁଣ୍ୟମୟ ଧ୍ୱନି ।

ଛୟାନବେ ସସ୍ର ରାଜା ଅପ୍ରମିତ ବଳ

ଚାଲିଯାନ୍ତେ ପାଦଭରେ କମ୍ପେ ଭୂମଣ୍ଡଳ ।

ଏକ ଏକ ରାଜାଙ୍କର ଦଶବିଂଶ କ୍ଷୌଣୀ

ଆଦିଅନ୍ତ କରି ସୈନ୍ୟ କେ କହିବ ଗଣି ।

ସମୁଦ୍ର ଲହରୀ ପ୍ରାୟେ ମାଡ଼ିଯାନ୍ତେ ଥାଟ

ପର୍ବତ କନ୍ଦର ଭାଜି ସମ ହେଲା ବାଟ। ।

ବାଣାସୁର ବଜ୍ରନାଭ ଶମ୍ବର ନାରକା

ଚାରିଊଣା ଲକ୍ଷେ ରାଜା ହୋଇଛନ୍ତି ସଖା ।

ଆପଣେ କାଳଦମନ ଥାଟେ ଆଗୁଆଣି

ସଙ୍ଗେ ତାର ଅଙ୍ଗବଳ ବତିଶ କ୍ଷଉଣୀ ।

ତିନି କ୍ଷଉଣୀ ମୁକୁଟବନ୍ଧା ରାଜା ଯେତେ

ଏହିରୂପେ ସଂଖ୍ୟା କରି କହିବଇଁ କେତେ ।

ଅନେକ ସମ୍ଭାର ଥାଟ ଚଳାଇଣ ଗଲେ

ବାରଦିନେ ମଥୁରାରେ ଯାଇ ପ୍ରବେଶିଲେ ।

ମଥୁରା କଟକଠାରୁ ଚୌଦଯୂଣ ଛାଡ଼ି

ରହିଲେ ସକଳଥାଟ ବନଗିରି ମାଡ଼ି ।

ଜରାସନ୍ଧ ବୋଲେ ଶୁଣ ଦମନ ନୃମଣି

ମଥୁରା ନିକଟ ହେଲା କି କରିବା ପୁଣି ।

ସପ୍ତଦଶ ବେଳ ଧାଡ଼ି ଦେଲି ଏହିମତେ

ଯାଦବଙ୍କୁ ଜିଣି ନ ପାରିଲି କଦାଚିତେ ।

କାଳ ଦମନ ବୋଲଇ ରବି ଅସ୍ତେ ଯିବା

ରନ୍ଧନ ଭୋଜନ ସାରି ଏଠାରେ ରହିବା ।

ନୃପତିମାନେ ବୋଇଲେ ଏହା ସୁବିଚାର

ରାନ୍ଧି ଅନ୍ନ ବ୍ୟଞ୍ଜନ ଭୁଞ୍ଜିବେ ଧାତିକାର ।

ଯମୁନା ନଦୀରେ ଅଶ୍ୱ ଗଜେ ଦେଲେ ପାଣି

ଧାତିକାରେ ଆଣିଦେଲେ ବ୍ରିହୀ ଯେ ଚରଣି ।

ଏଥୁ ଅନନ୍ତରେ ହେଲା ଚୌଦଘଡ଼ି ବେଳ

ସମଦଣ୍ଡ ଚଳାଇଲେ ନୃପତି ସକଳ ।

ଆଗୁଆଣି ଥାଟେ ଚଳେ ଦମନ ନୃପତି

ବତିଶ କ୍ଷଉଣୀ ଥାଟେ ଆପେ ସେନାପତି ।

ଯମୁନା ନଦୀକୂଳରେ ଗଲେ ସମଦଣ୍ଡ

ପାଦଭରେ କମ୍ପୁଅଛି ପୃଥ୍ୱୀ ନବଖଣ୍ଡ ।

ବହୁତ ପଦାତି ଅପ୍ରମିତ ରଥ ଗଜ

ସମସ୍ତେ ରଣ ଦୀକ୍ଷାରେ ହୋଇଛନ୍ତି ସଜ ।

ପବନହୁଁ ବେଗେ ସୈନ୍ୟ ଚଳିଯାନ୍ତି ଖରେ

ଏକପଛ କରି ଧାମଇଁ ଆଗରେ ।

ତର୍ଜନ୍ତି ଗର୍ଜନ୍ତ ବୀରେ କରନ୍ତି ପହିଜ

ବିକରାଳ ଭୟଙ୍କର ରୂପ ମହାତେଜ ।

ଅନେକ ପ୍ରତିଜ୍ଞା କରି ତହୁଁ ଚଳିଗଲେ

ରଜନୀ ଦେଢ଼ପ୍ରହରେ ମଥୁରା ବେଢ଼ିଲେ ।

ଚୌରାଶୀ କୋଟି ଯାଦବେ ଗଡ଼େ ଛନ୍ତି ରହି

ଲକ୍ଷେ ପୁର କରି ଗଡ଼ ବେଢ଼ିଲେକ ଯାଇ ।

ଏମନ୍ତ ଚରିତ କେହି ନ ଜାଣନ୍ତି ଆନ

ଏହା କେବଳ ଜାଣନ୍ତି ପ୍ରଭୁ ଭଗବାନ ।

କୃଷ୍ଣ ବିଚାରିଲେ କଥା ହୋଇଲାକ ମନ୍ଦ

ଏବେ ଘୋଟିଲାକ ଆସି ଭୟଙ୍କର ଦ୍ୱନ୍ଦ ।

କାଳଦମନ ନୃପତି ଜରାସଙ୍ଗେ ଥାଇ

ଚିତ୍ତେ ମହାଦକା ଦେଲା କିସ କରିବଇଁ ।

ବଡ଼ ବଳବନ୍ତ ଗୋପାବଳୀର କୁମର

ତାହାକୁ ଜିଣିବ କିଏ ପୃଥିବୀ ମଧ୍ୟର ।

ଗାର୍ଗବଙ୍କ ବୀର୍ଯ୍ୟରୁ ଅଛି ଜାତ ହୋଇ

ଯାଦବେ ଜିଣିବ ଶିବ ଛନ୍ତି ବର ଦେଇ ।

ତାହାର ସମାନ ନାହିଁ ତ୍ରିଭୁବନ ମଧ୍ୟ

ମୋ ହସ୍ତେ କାଳଦମନ ନୋହିବ ଯେ ବଧ ।

ଅଗ୍ନି ପାଣିଖଡ଼୍‌ଗ ଆଦି ନ କାଟେ ତା ଦେହେ

ଦେବଗଣ ନ ପାରିବେ ତାହାକୁ କେବେହେଁ ।

ବିଚାରିଣ ଜରାସନ୍ଧ ଆଣିଛି ତାହାକୁ

ମେଦିନୀରେ ନ ଥୋଇବ ଯାଦବମାନଙ୍କୁ ।

ଏସନ ବହୁ ବିଚାର କଲେ ଦେବରାଜ

କୂଟ କପଟେ ମାରିବା ଏହାକୁ ହିଁ ଆଜ ।

ଏଥୁ ଅନନ୍ତରେ ପୁଣି ମଘଦେଶ ସାଇଁ

କୃତାଞ୍ଜଳି ହୋଇ କାଳ ଦମନକୁ କହି ।

ଆହୋ ମଇତ୍ର ଶରଣପଞ୍ଜର ତୋ ବାନା

ଆରତ କାଳରେ ତୁମ୍ଭେ ଅଟ ବଜ୍ରସେହ୍ନା ।

ଏ ଜମ୍ବୁଦ୍ୱୀପରେ ତୁମ୍ଭେ ଅଟ ଅଧିକାରୀ

ଚାରିଊଣା ଲକ୍ଷେ ରାଜା ଛନ୍ତି ସର୍ବେ ବେଢ଼ି ।

ତୁମ୍ଭେ ସିନା ହରିପାର ଯାଦବଙ୍କ ଦର୍ପ

ଯାଦବେ ମଣ୍ଡୁକ ତୁମ୍ଭେ ଅଟ କାଳସର୍ପ ।

ଏତେକ ମାତ୍ରକ କଥା କହୁଅଛି ମୁହିଁ

ବଡ଼ ମାୟାଧର ରାମକୃଷ୍ଣ ବେନିଭାଇ ।

ଏହି ପ୍ରକାରେ ହୋଇଲା ସପ୍ତଦଶ ଥର

ଧରୁଁ ଧରୁଁ ପଳାଇଲେ ଗଉଡ଼ କୁମର ।

ଏବେ ସେହିମତେ ହୋଇ ଯିବେଟି ପଳାଇ

ଏହିକ୍ଷଣି ଗଡ଼ ବେଢ଼ି ପଶିବା ଧସାଇ ।

ଗଡ଼ ଜୟ କରି ଯଦୁବଳ ବିନାଶିବା

ରାମ କୃଷ୍ଣଙ୍କୁ ଜୀବନ୍ତ ଧରି ଘେନିଯିବା ।

ଆମ୍ଭର ଆସିବା ବାର୍ତ୍ତା କେହି ନ ଜାଣନ୍ତି

ଯାଦବ କୁଟୁମ୍ବଯାକ ମରିବେ ଏ ଘାନ୍ତି ।

କାଳଦମନ ବୋଲଇ ମହା ନିଶାକାଳ

ଆପଣା ଆପଣା ଥାଟେ ଉପୁଜିବ ଗୋଳ ।

କେହି କାହାକୁ ଅନ୍ଧାରେ ନ ପାରିବେ ଚିହ୍ନି

ଆପଣା ଆପଣା ମଧ୍ୟେ ହେବେ ହଣାହଣି ।

ଯୁକତେ ଯାଦବଂଶ ରଣେ ଅନର୍ଗଳ

ବିଶେଷରେ ପାଇଛନ୍ତି ରାମକୃଷ୍ଣ ବଳ ।

ନ ବୁଝି ସଂଗ୍ରାମ କଲେ ପଛେ ହେବ ହାନି

ଗୋଟି ଗୋଟି ଧରିନେବା ପାହିଲେ ରଜନୀ ।

ଏବେ ଗଡ଼କୁ ବେଢ଼ିଣ ବସିବା ଅଯୋଗେ

କେଉଁ ବାଟ ଦେଇ କାହିଁ ଯିବେ ନିଶାଭାଗେ ।

ଏଥକୁ ଆତୁର ତୁ ନ ହୁଅ ମହାରାୟେ

ନାନା ଉପାୟେ ମାରିବି ତାହାଙ୍କୁ ନିଶ୍ଚୟେ ।

ମୋହ ଛାମୁରେ ଯାଦବେ କାହିଁ ଯିବେ ଆଜ

ମାନ ଉଦ୍ଧାରିବି ମୁହିଁ କରି ତୋର କାର୍ଯ୍ୟ।

ଚୌରାଶୀ କୋଟି ଯାଦବ ମାରିବି ବୋଇଲା

କୃଷ୍ଣଙ୍କୁ ମାରିବି ବୋଲି ନିଶେ ହସ୍ତ ଦେଲା ।

ଏତେ କହିଣ ଅନେକ ପ୍ରତିଜ୍ଞା ସେ କଲା

ନିଅବକାଶେ ଶୟନ ମନ୍ଦିରେ ଶୋଇଲା ।

ଜରାସନ୍ଧ ଆଦିକରି ସବୁ ରାଜାମାନେ

ପାତ୍ର ମନ୍ତ୍ରୀ ଘେନିଯାଇ ବିଜେ ଶଯ୍ୟାସ୍ଥାନେ ।

ଯାଦବମାନେ ନିଶ୍ଚିନ୍ତେ ହୋଇ ଶୋଇଛନ୍ତି

ହାଟୁଆ ବାଟୁଆଙ୍କର ନାହିଁ କିଛି ଭୀତି ।

ବଳରାମ ଆଦି ଉଗ୍ରସେନଙ୍କ ସହିତେ

କେହି ନ ଜାଣନ୍ତି ଶୋଇଅଛନ୍ତି ସମସ୍ତେ ।

ସାତ୍ୟକି ପ୍ରସନ୍ନାଜିତ ଆବର ଉଦ୍ଧବ

ନିଦ୍ର ତ ଅଛନ୍ତି କୃତବର୍ମା ବସୁଦେବ ।

କହୁଁ କହୁଁ ଘୋଟିଗଲା ଅନ୍ଧାର ରଜନୀ

ଠଣା ମାଡ଼ି ରହିଛନ୍ତି ଜରାସନ୍ଧ ସୈନି ।

ନ ଜାଣନ୍ତି ଏହା କିଛି ସକଳ ଯାଦବ

କେବଳ ଜାଣନ୍ତି ମାୟାଧର ବାସୁଦେବ ।

ଯା ମାୟାରେ ଚରାଚର ସୃଷ୍ଟି ଆତଯାତ

ସେ ପ୍ରଭୁଙ୍କ ପାଦତଳେ ରହୁ ମୋର ଚିତ୍ତ ।

ଜନ୍ମଜନ୍ମାନ୍ତରେ ମୂର୍ଖ ମୁଁ ଅଚ୍ୟୁତ ଦାସ

ଶ୍ରୀହରି କୃପାରୁ କଲି ଏ ଗ୍ରନ୍ଥ ପ୍ରକାଶ ।

 

ଶ୍ରୀକୃଷ୍ଣଙ୍କର ଦ୍ୱାରକା ଗଡ଼ ନିର୍ମାଣ ଓ ଦ୍ୱାରକା ରେ ଯାଦବମାନଙ୍କର ଅବସ୍ଥିତି

ଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷ ନୃପତି

ଜନଜନ୍ତୁ ଆଦି ଏହା କେହି ନ ଜାଣନ୍ତି ।

କେବଳ ଜାଣନ୍ତି ଏହା ପ୍ରଭୁ ଭଗବାନ

ବିଶ୍ୱକୂଟ ମାୟା ଅଟେ ଯାହାର ଅଧୀନ ।

ମନେ ମନେ ବିଚାରନ୍ତି ସେହି ଆଦିକନ୍ଦ

ଜରାସନ୍ଧ ସଙ୍ଗେ କେତେ କରୁଥିବା ଦ୍ୱନ୍ଦ ।

ଦେବକାର୍ଯ୍ୟ ପାଇଁ ୟାକୁ ନ କରୁ ବିନାଶ

କେବଳ ଗଞ୍ଜି ହେଉଛୁ ରଣେ ପାଇ ପ୍ରାସ ।

ଏତେ ମାନହାନୀ କଲି ପୁଣି ହିଁ ବେଢ଼ିଲା

ନିଶ୍ଚୟ ମଥୁରା ଭୂମି ଛାଡ଼ିବାକୁ ହେଲା ।

ପଳାଇ ପଳାଇ ସର୍ବେ ପାଇଲେଣି କଷ୍ଟ

ଉଗ୍ରସେନ ପରା ଲୋକ ହେଲେ ସ୍ଥାନଭ୍ରଷ୍ଟ ।

ହାଟ ବାଟ ପରାୟେ ମଥୁରା ହେଲା ନାଶ

ସମସ୍ତ ଯାଦବମାନେ ପାଇଲେଣି ତ୍ରାସ ।

 

 

ପୁଣି ହିଁ ଆସିଣ ଜରା ଅଛି ଗନ ବେଢ଼ି

ରାତ୍ର ପାହିଲେ ଏହାଙ୍କୁ କାହିଁ ନେଇ କାଢ଼ି ।

ଚୌରାଶୀ କୋଟି ଯାଦବ ତାଙ୍କ ଅନ୍ତ ନାହିଁ

ସାତପାଞ୍ଚ ହୋଇଲେ ଲୁଚନ୍ତେ ଯହିଁ ତହିଁ ।

ସତର ବେଳ ପର୍ଯ୍ୟନ୍ତେ ବଞ୍ଚାଇଲୁ ଭଲେ

ଅନେକ ପ୍ରମାଦ ହେବ ଦମନ ଯୁଝିଲେ ।

ଜାଣୁ ଜାଣୁ ବିପଦ ସହିବା କାହିଁ ପାଇଁ

ଗାର୍ଗବ ଯୋଗେ ଦମନ ଆସିଅଛି ବାହି ।

ରଜନୀର ପ୍ରଭାତେ ସବୁଙ୍କୁ ନେବ ଧରି

ଛୟାନବେ ସସ୍ରରାଜା ସର୍ବେ ଛନ୍ତି ବେଢ଼ି ।

ପୋଡ଼ୁଏ ବିବାଦ ଆଉ ଅରଜିବା କେତେ

ବିନାଶ ହେଉ ପୈତୃକ ସମ୍ପଦାଦି ଯେତେ ।

ନିରନ୍ତର ପରମାଦ ଉପୁଜଇ ଯହିଁ

ସେ ସ୍ଥାନକୁ ଛାଡ଼ିଯିବା ଶାସ୍ତ୍ରେ ଅଛି କହି ।

ଏମନ୍ତ ମନେ ବିଚାର କରି ଦେବ ସ୍ୱାମୀ

ବରୁଣ ରାଜାଙ୍କୁ ସ୍ତୁତି କରେ ଅନ୍ତର୍ଯ୍ୟାମୀ ।

ଜୟ ଜୟ ରତ୍ନାକର ଜୟ ପୁଣ୍ୟ ବାରି

ଉତ୍ପତ୍ତି ସ୍ଥିତି ଲୟରେ ତୁମ୍ଭେ ଅଧିକାରୀ ।

ପାତାଳ ସୁତଳ ରସାତଳ ଆଦି ଜିଣି

ଏ ତୁମ୍ଭର ବିଶ୍ୱଗର୍ଭ ନୁହେ ପରିମାଣି ।

କ୍ଷୀର କ୍ଷାର ଇକ୍ଷୁ ପୁଣ ସୁରା ଘୃତ ଦଧି

ଚୌରାଶୀ କାଠି ଗଭୀର ଅଟେ ପୟୋନିଧି ।

ବଡ଼ବାନଳ ଭିତରେ ସୁଧାକର କୁଣ୍ଡ

ନବଦ୍ୱୀପ ସାତସିନ୍ଧୁ ତହିଁ ଏକରୁଣ୍ଡ ।

ସେ କୁଣ୍ଡ ଭିତରେ ଅଛି ତୁମ୍ଭର ପାଟଣା

ବାରସ୍ୱତୀ ଭୁବନର କୋଟିଗଣ ଜିଣା ।

ସେ ପୁରେ ବିଶ୍ରାମ କର ସ୍ୱକୁଟୁମ୍ବ  ଘେନି

ନିମିଷକେ ନାଶିପାର ସକଳ ମେଦିନୀ ।

ତୁମ୍ଭେ ଦେବ ଆଦିଅନ୍ତ ତିନିକାଳ ଜ୍ଞାତା

ପ୍ରାଣୀଙ୍କ ଜୀବନ ତୁମ୍ଭେ ଲକ୍ଷ୍ମୀଙ୍କର ପିତା ।

ଅକ୍ଷୟ ଅଜରାମର ତୁମ୍ଭେ ପୁଣ୍ୟଦେହୀ

ତୁମ୍ଭ ଆଦିଅନ୍ତ ମଧ୍ୟ ନ ଜାଣନ୍ତି କେହି ।

ଅଶେଷ କୋଟି ରତନ ତୁମ୍ଭ ଗର୍ଭୁ ଜାତ

ତୁମ୍ଭେ ଭିଆଇଛ ଚରାଚର ଏ ଜଗତ ।

ବୁଦ୍ଧିମନ୍ତ ବଳବନ୍ତ ସୁଜ୍ଞାନୀ ବିବେକ

ଅଷ୍ଟଲୋକପାଳଙ୍କର ତୁମ୍ଭେ ଯେ ପାଳକ ।

ଚାରିବେଦ ଅଷ୍ଟାଦଶ ପୁରାଣର ମୂଳେ

ତିଥିବାର ନକ୍ଷତ୍ରାଦି କର ସବୁକାଳେ ।

ନମସ୍ତେ ହେ ରତ୍ନାକର ଅର୍ଥୀ କାମଧେନୁ

ନମସ୍ତେ ହେ ରତ୍ନାକର ଯୁଗକଳ୍ପ ମନୁ ।

ନମସ୍ତେ ହେ ରତ୍ନାକର ଦେବ କାମରୂପୀ

ଅଶେଷ ବ୍ରହ୍ମାଣ୍ଡେ ତୁମ୍ଭେ ରହିଅଛ ବ୍ୟାପି ।

ଭୂଲୋକ ଯେ ଭବଲୋକ ସ୍ୱର୍ଗଲୋକ ମୂଳେ

ଜନଲୋକ ମହଲୋକ ସତ୍ୟ ଲୋକ ତୁଲେ ।

ସୂର୍ଯ୍ୟଲୋକ ଚନ୍ଦ୍ରଲୋକ ଧ୍ରୁବଲୋକ ଜିଣି

ବ୍ରହ୍ମଲୋକ ରୁଦ୍ରଲୋକ ବିଷ୍ଣୁ ଲୋକ ପୁଣି ।

ଗୋଲୋକ ଭୁବନ ନିରଞ୍ଜନ ଲୋକ ଯାଏ

ଏକାଣୋଇ ବଇକୁଣ୍ଠ ଜିଣି ପୁଣ୍ୟମୟେ ।

ଏ ତୁମ୍ଭ ମହିମା ହାଦେ ଆଦି ଅନ୍ତ ନାହିଁ

ଜଳ ସ୍ଥଳ ଅନଳରେ ପୂରିଅଛି ରହି ।

ତୁମ୍ଭର ସଞ୍ଚିଲା ଚରାଚର ଏ ଧରିଣୀ

ପରମ ପୁରୁଷ ତୁମ୍ଭେ ବେଦ ଅଛ ଭଣି ।

ରତ୍ନାକର ଶ୍ରୀଚରଣେ ଶରଣ ନମାମି

ଅଚ୍ୟୁତ ଦାସ କବିକୁ ଉଦ୍ଧରିବା ସ୍ୱାମୀ ।

ଏସନକ ସ୍ତୁତି ଯହୁଁ କଲେ ନନ୍ଦଚାଟ

ବରୁଣ ଦେବା ମନେ ଲାଗିଲା ଉଚ୍ଚାଟ ।

ମନ ମଧ୍ୟେ ଜାଣିଲେ ସେ ସୁବିଚାର କରି

ମଥୁରା କଟକେ ମୋତେ ସୁମରନ୍ତି ହରି ।

ତରଙ୍ଗ ମନ୍ତ୍ରୀକୁ ପୁଚ୍ଛେ ସାଗରାଧିପତି

କିପାଇଁ ଚିନ୍ତନ୍ତି ମୋତେ ଦେବ ଶିରୀପତି ।

ମନ୍ତ୍ରୀବର ବୋଲେ ଜରାସନ୍ଧ ରାଜାପାଇଁ

ଲକ୍ଷେରାଜା ଘେନି ସେହୁ ମଥୁରାକୁ ବାହି ।

ବତିଶ କ୍ଷଉଣୀ ବଳେ ସେ ଦମନ ରାଜା

ଯାଦବଙ୍କୁ ଜିଣିବାକୁ କରିଛି ପରିଜା ।

କାଳଦମନ ଗାର୍ଗବ ମୁନିଠାରୁ ଜାତ

ଜରାର ଯେତେକ ବଳ ଆଣିଛି ସମସ୍ତ ।

ତେଣୁକରି ଜଗନ୍ନାଥ ଯିବେ ଅପସରି

ଭୂମିଖଣ୍ଡ ମାଗିଣ ରହିବେ ବାସକରି ।

ବରୁଣ ବୋଲେ ଏହା ମୁଁ ପୂର୍ବୁଅଛି ଜାଣି

ଆଗହୁଁ ସେ କୁଶସ୍ଥଳୀ ଦ୍ୱାରକା ପ୍ରମାଣି ।

ଅନେକ କାଳ ପର୍ଯ୍ୟନ୍ତ ଗୁପ୍ତ ହୋଇଥିଲା

ବ୍ରହ୍ମାଙ୍କ ଦିବସେ ଆସି ଉଦିତ ହୋଇଲା ।

ସତରସସ୍ର ଷାଠିଏ ଯୁଗର ଅନ୍ତରେ

ବସୁ ନାମରେ ଦ୍ୱାପର ହୁଏ ସେ ସ୍ଥାନରେ ।

କଂସ ହୋଇଥିଲା ଦ୍ରୁମିଲାର ବୀର୍ଯ୍ୟୁଜାତ

ଏହି ଶ୍ରୀକୃଷ୍ଣ କଲେ ଯେ ସେ କଂସକୁ ହତ ।

ତାହାଙ୍କର ସୃଜିଲା ଅନେକ ବସୁନ୍ଧରୀ

ସମୟେ ସେ ଆସିଣ ଜନ୍ମିଲେ ଦେହ ଧରି ।

ଏବେ ଗଲା ଦେବତାମାନଙ୍କ ମନୋଭୀତି

ପୃଥିବୀ ଦେବୀ ଉଶ୍ୱାସ ଲଭିଲେ ଏ ଘାନ୍ତି ।

ଏବେ ସେ ଦ୍ୱାପରଯୁଗ ପ୍ରତିଷ୍ଠା ହୋଇଲା

ଏ ମଞ୍ଚ ଭୁବନେ ଏବେ ଶୋଭା ପ୍ରକାଶିଲା ।

ଋଷି ବିପ୍ରଙ୍କର ମନ ହେଲା ଏବେ ସୁସ୍ଥ

ସବଂଶେ ଅସୁର ବଳ କରିବେ ନିପାତ ।

ଯାହାଙ୍କୁ ବ୍ରହ୍ମାଦି ଦେବେ ଯୋଗେ ଧ୍ୟାନକରି

ସେ ଅବ୍ୟନ୍ତ ରୂପ ଆସି ହେଲେ ଦେହଧାରୀ ।

ଯାହାଙ୍କ ନିବାସଭୂମି ଦ୍ୱାରକା ନଗର

ରଙ୍ଗାବତାରେ ଏଥିରେ କରନ୍ତି ବିହାର ।

ଚୌରାଶୀ କୋଟି ଯାଦବେ କୁଟୁମ୍ବ ସହିତେ

ସଙ୍ଗତେ ଘେନି ବିଜୟ ହେବେ ଜଗନ୍ନାଥେ ।

ସ୍ୱର୍ଗଠାରୁ ଅଧିକ ଏ ପୁର ଶତ ଗୁଣେ

ଭୁଞ୍ଜିଲେ ସ୍ୱର୍ଗ ସମ୍ପଦ ଏଥି ଜଣେ ଜଣେ ।

ଅଷ୍ଟ ପାଟବଂଶୀ ବିଭା ହେବେ ଜଗନ୍ନାଥ

ଲକ୍ଷେ ବାସ୍ତରି କୁମର କରିବେ ସେ ଜାତ ।

ପୁତ୍ରକେ ଦଶ କୁମର ଦଶହିଁ ଦୁହିତା

ଏରୂପେ ଦ୍ୱାଦଶ ପାଟ ହୋଇବ ଗଣିତା ।

ଶଙ୍ଖନିଧି ପଦ୍ମନିଧି ସୁଧର୍ମା ଯେ ସଭା

ଏ ଭୁବନ ମଧ୍ୟେ ଆସି ପ୍ରକାଶିବେ ଶୋଭା ।

ଏତେକାଳେ ଏ ସ୍ଥାନର ଭାଗ୍ୟହିଁ ଦିଶିଲା

ଶୁଦ୍ଧ ସ୍ୱର୍ଣ୍ଣ ସଙ୍ଗେ ଅଷ୍ଟ ରତନ ମିଳିଲା ।

ଜଳତରଙ୍ଗ ମନ୍ତ୍ରୀକି ବୋଲେ ଜଳପତି

ବିଳମ୍ବ ନ କରି ବାବୁ ଚଳ ଶୀଘ୍ର ଗତି ।

କୁଶସ୍ଥଳୀ ଦ୍ୱାରକାରେ ସିନ୍ଧୁଅଛି ମାଡ଼ି

ଶତେ ତାଳ ଗଭୀର ସେ ଜଳ ଯାଉ ଛାଡ଼ି ।

ବିଶ୍ୱକର୍ମାଙ୍କୁ ବୋଇଲେ ପୁର ନିର୍ଭାକର

ଯାଦବ ଘେନି ରହିବେ ରାମ ଚକ୍ରଧର ।

ମଥୁରାକୁ ଲାଗିଅଛି ଜରାସନ୍ଧ ଭୟ

ତେଣୁ ଏ ସ୍ଥାନେ ରହିବେ ଆସି ଦେବରାୟ ।

ବରୁଣଙ୍କ ଆଜ୍ଞା ଘେନି ବିଶ୍ୱକର୍ମା ଗଲେ

କୁଶସ୍ଥଳୀ କଟକରେ  ପ୍ରବେଶ ହୋଇଲେ ।

ସମୁଦ୍ର ସେଠାରୁ ଛାଡ଼ିଗଲା ଶତେ ଯୂଣ

ଆପେ ବିଶ୍ୱକର୍ମା କଲେ ସେ ପୁର ନିର୍ମାଣ ।

ଅତୁଲାଇତ ସେ ଦିଶେ ବାରସ୍ୱତୀ ପୁରୀ

ନାହିଁ ପଟାନ୍ତର ତାକୁ ସ୍ୱର୍ଗ ମଞ୍ଚ ପୁରୀ ।

ପୁରେ ପୁରେ କରି ବିଶ୍ୱକର୍ମା ନିର୍ମାଣିଲା

ଚିତ୍ର ବିଚିତ୍ର ପୁର ସେ ଏକୁଁ ଏକ ଭଲା ।

ମେଢ଼ ମଣ୍ଡପ ଦେଉଳ ଜଗତୀ ଅଟ୍ଟାଳୀ

ନବ ରତନରେ ପୁର ଦିଶେ ଭଳି ଭଳି ।

ରତ୍ନାକର ପୁର ନିର୍ଭା ହେବା ଜାଣି କରି

ମଗର ବାହନେ ତହୁଁ  ଯାଏଁ  ଦଣ୍ଡଧାରୀ ।

ପାଦୁକା ମନ୍ତ୍ର ସୁମରି ଚଳଇ ତୁରିତେ

କୃଷ୍ଣଙ୍କ ଆଗେ ମିଳିଲା ସେ ନିଃଶ୍ୱାସ ମାତ୍ରେ ।

ଦେଖିଣ ଖଣ୍ଡେ ଦୂରରୁ ଉଠିଲେ ଶ୍ରୀହରି

ବରୁଣକୁ ଯାଇ କୋଳ ସମ୍ଭାଷଣ କରି ।

ଉଭୟକୁଳ କୁଶଳ ଏକୁ ଆରେ ପୁଚ୍ଛି

ଜରାସନ୍ଧ ଉପଦ୍ରବ କହି ନନ୍ଦବତ୍ସୀ ।

ବୋଇଲେ ସତରଥର ଉବୁରିଲୁ ତହୁଁ

କାଳଦମନ ଆସିଛି ପଳାଇବୁ କାହୁଁ ।

କେତେକ କଷ୍ଟରେ ଥିବା ଆମ୍ଭେ ପଥେ ରହି

ଚାରି ଊଣା ଲକ୍ଷେ ରାଜା ବେଳୁ ବେଳବାହି ।

ଆମ୍ଭ ହେତୁ ଯଦୁଗଣେ ପାଇବେକ କଷ୍ଟ

ଅନୁବ୍ରତେ ଧନ ସବୁ ହେଲା ଆମ୍ଭ ନଷ୍ଟ ।

କାଳଦମନ ନୃପତି ନ ହୋଇବ ଜୟେ

ଦେବକାର୍ଯ୍ୟ ପାଇଁ ରାଜା ନ କରୁ ଯେ କ୍ଷୟେ ।

ଅଯୋଗେ ଆସିଣ ରାଜ୍ୟ ବସିଅଛି ମାଡ଼ି

ଲକ୍ଷେପୁର କରିଣ ଯେ କଟକକୁ ବେଢ଼ି ।

ବଳଦେବ ଆଦିକରି ନ ଜାଣନ୍ତି ଆନ

ନିଶ୍ଚେଷ୍ଟରେ ନିଦ୍ରିତ ସେ ନାହିଁ ତାଙ୍କ ଜ୍ଞାନ ।

ତୁମ୍ଭେ ଯେ ଭକ୍ତବତ୍ସଳ ଅଟ ବାରାନିଧି

ଅଶେଷ ମହିମା ତବ ଅଟଇ ପୟୋଧି ।

ମୁହିଁ ତୁମ୍ଭଙ୍କୁ ଆଶ୍ରୟ କଲି କରି ଶ୍ରଦ୍ଧା

ଜୀବନ ଉପରେ ମୋର ଲାଗେ ଆସି ବାଧା ।

ତେଣୁକରି ଶରଣ ମୁଁ ମାଗଇ ନିବେଶି

କୁଟୁମ୍ବ ଘେନି ରହିବି ସ୍ଥାନ ମୋତେ ଦେସି ।

ପ୍ରତ୍ୟକ୍ଷେ ଦେଖୁଛ ତୁମ୍ଭେ କରୁଛି କଟାଳ

ପ୍ରତିଜ୍ଞା କରି ଆସିଛି ଗୋପାବଳୀ ବାଳ ।

ରଜନୀ ପାହିଲେ ଆଜ ପଡ଼ିବ ପ୍ରମାଦ

ତେଣୁକରି ମନରେ ମୁଁ ପାଉଅଛି ଖେଦ ।

ଶ୍ରୀଜଗନ୍ନାଥଙ୍କ ମୁଖୁ ଏ ବଚନ ଶୁଣି

କରଯୋଡ଼ିଣ ବରୁଣ କହେ ମୃଦୁବାଣୀ ।

ଭୋ ଦେବ ଦେବଙ୍କର ତୁ ଅଟୁ ଶିରୋମଣି

ସ୍ଥାବନର ଜଙ୍ଗମ ସବୁ ସୃଜିଅଛୁ ପୁଣି ।

ଦେବଙ୍କ ଉପରେ ତୁମ୍ଭେ ଅଟ ଆଦିଦେବ

ସର୍ବଜ୍ଞ ପୁରୁଷ ତୁମ୍ଭେ ଅଟ ମହାଦେବ ।

ତୁମ୍ଭେ ରତ୍ନାକର ପଦ ଦେଇଅଛ ମୋତେ

ଠାକୁର ହୋଇ ଭୃତ୍ୟକୁ ପଉରୁଷ କେତେ ।

ଭୋ ଦେବ ଆଗହୁଁ ଏହା ମୁହିଁ ଅଛି ଜାଣି

ବ୍ରହ୍ମାଙ୍କ ଦିବସଠାରୁ ଅଛି ଦିନ ଗଣି ।

ଦ୍ୱାପର ଯୁଗରେ ଭାରା ନିବାରିବା ପାଇଁ

କଉତୁକେ ଜନ୍ମିଅଛ ନରଦେହ ବହି ।

ଯୁଗେ ଯୁଗେ ଏହିପରି ରୂପ ତୁମ୍ଭେ ଧର

ଦ୍ୱାରାବତୀ ପୁରେ ଚିରକାଳ ବାସ କର ।

ତୁମ୍ଭେ ମୋତେ ନ ସୁମରୁ ପୂର୍ବଅଛି ଜାଣି

କୁଶସ୍ଥଳୀ ଦ୍ୱାରକା ମୁଁ ଅଛଇ ନିର୍ମାଣି ।

ଦେବାଧିଦେବତା ତୁମ୍ଭେ ମହାଲକ୍ଷ୍ମୀସାଇଁ

ତୁମ୍ଭ ଆଜ୍ଞା ପ୍ରମାଣେ ବା କେଉଁ କଥା ନାହିଁ ।

କୁଶସ୍ଥଳୀ ଦ୍ୱାରକା ଯେ ତୁମ୍ଭ ନିଜ ଭୂମି

ସର୍ବ ଯାଦବଙ୍କୁ ଆଗ ପେଷ ଅନ୍ତର୍ଯ୍ୟାମୀ ।

ଶୁଣି ଜଗନ୍ନାଥେ ତହୁଁ ହୋଇଲେ ହରଷ

ଗରୁଡ଼କୁ ସୁମରଣା କଲେ ପୀତବାସ ।

ମେରୁ ମନ୍ଦରରେ ବୈନତେୟ ବସିଥିଲା

ଜଗନ୍ନାଥ ଚିନ୍ତା କଲେ ଅନ୍ତରେ ଜାଣିଲା ।

ପାଦୁକା ମନ୍ତ୍ରବଳେ ସେ ଗମେ ଶୂନ୍ୟମାର୍ଗେ

ନିମିଷେ ମିଳିଲା ଆସି କୃଷ୍ଣ ଛାମୁ ଲାଗେ ।

କରପତ୍ର ଯୋଡ଼ିକରି ଛାମୁରେ ପଚାରି

କି କାରଣେ ସୁମରଣା କଲ ଦେବହରି ।

ଜଗନ୍ନାଥ ବୋଇଲେକ ଶୁଣ ବୈନତେୟ

ପ୍ରତ୍ୟକ୍ଷେ ଦେଖୁଛୁ କିସ କହିବା ଯେ କୁହ ।

ଚାରି ଊଣା ଲକ୍ଷେ ରାଜା ସୈନ୍ୟ ଛନ୍ତି ବେଢ଼ି

କାଳ ଦମନ ସହିତେ ଦେଉଛନ୍ତି ଧାଡ଼ି ।

ସତର ଧାଡ଼ି ବଞ୍ଚିଲୁ ତାହାଙ୍କ ଦାଉରୁ

କିପରି ରକ୍ଷା ପାଇବୁଁ ଏବେଟି ଏଥିରୁ ।

ଖଗେଶ୍ୱର ବୋଲେ ଦେବ ନ କୁହ ଯେ ଏହା

କେବଣ ଆଜ୍ଞା ହେଉ ହେ ଲକ୍ଷ୍ମୀଦେବୀ ନାହା ।

ତୁମ୍ଭ ଶ୍ରୀମୁଖରୁ ବାକ୍ୟ ଶୁଣନ୍ତେ ମୁଁ ହରି

ଛୟାଣୋଇ ସହସ୍ର ରାଜା ଦେବି ଧ୍ୱଂସ କରି ।

ଆଜ୍ଞା ଦେଲେ ସମସ୍ତଙ୍କୁ ନାଶିବି ଏକ୍ଷଣି

ଡେଣାଘାତେ ଉଡ଼ାଇବି ଥଣ୍ଟେ ହାଣି ହାଣି ।

ନିମିଷକ ମଧ୍ୟେ ସବୁ କରିବଇଁ ଧ୍ୱଂସ

ଖଣ୍ଡ ଖଣ୍ଡ କରି ପିଞ୍ଜିଦେବି ହାଡ଼ମାଂସ ।

ନାରାୟଣ ବୋଇଲେକ ସମୟ ବିଚାରି

ଦୋଷଦେଇ ମାରିବାଟି ଗୋଟି ଗୋଟି ଧରି ।

ଏବେ ଆମ୍ଭର ବଚନ ଶୁଣ ବୈନତେୟ

କଳି ଭିଆଇବାର ଯେ ନୁହେଁ ଏ ସମୟ ।

ଏଥର ଧାଡ଼ି ଆମ୍ଭଙ୍କୁ ବିଷମ ପଡ଼ିଲା

ଅପସରି ଯିବାର ତ ଉଚିତ ହୋଇଲା ।

ବରୁଣକୁ ମାଗିଲୁଁ ସେ ଦେଲେ ଦିବ୍ୟଭୂଇଁ

ଯାଦମାନଙ୍କୁ ନେଇ ଛାଡ଼ିବୁ ଯେ ତହିଁ ।

ଯେ ଯାହା ଆୟୁଧ ଧନ ସମ୍ପଦାଦି କରି

ମଥୁରା ସ୍ଥାପିବୁ ନେଇ ଦ୍ୱାରାବତୀ ପୁରୀ ।

ଶୁଣି ଖଗେଶ୍ୱର ତହୁଁ ହୋଇଲେ ହରଷ

କଟକକୁ ପିଠିପରେ ବସାଇ ପକ୍ଷୀଶ ।

ବଳଦେବ ଉଗ୍ରସେନ କାର ଜ୍ଞାନ ନାହିଁ

ନିଶ୍ଚେଷ୍ଟରେ ଅଚେତନ ପଡ଼ିଛନ୍ତି ଶୋଇ ।

ଶ୍ରୀକୃଷ୍ଣଙ୍କୁ ଆଜ୍ଞା ମାଗି ବରୁଣ ଚଳିଲେ

ରତ୍ନାକର କଟକରେ ଯାଇଣ ମିଳିଲେ ।

ମଥୁରାପୁରକୁ ପୃଷ୍ଠେ ରଖି ଖଗେଶ୍ୱର

ଆକାଶ ମାର୍ଗରେ କ୍ଷେପି ଚଳେ ଧାତିକାର ।

ରାତ୍ର ଚଉବିଂଶ ଦଣ୍ଡ କାର ଜ୍ଞାନ ନାହିଁ

ଦ୍ୱାରକାରେ ମଥୁରାକୁ ଥୋକେ ଦୃଢ଼େ ନେଇ ।

ଚୌରାଶୀକୋଟି ଯାଦବେ ଶୋଇ ଯେ ଯାହାରେ

ପାତ୍ର ଅମନାତ୍ୟ ସବୁ ନେଲେ ସେ ପିଠିରେ ।

ଦ୍ୱାରକାରେ ଯାଇ ସବୁ ଯାଦବେ ମିଳିଲେ

ଶୁଣ ଆହେ ପରୀକ୍ଷିତ ଶ୍ରୀଶୁକ କହିଲେ ।

ଅଶେଷ ମାୟାଧର ଯେ ପ୍ରଭୁ ଦେବରାୟେ

ଦେବକାର୍ଯ୍ୟେ ରହିଲେ  ସେ ଏସନ ଉପାୟେ ।

ଶୁଭାଶୁଭ କର୍ମ ଯେହୁ କରିପାରେ ଆନ

କୌତୁକେ ରଖିଲେ ଯଦୁଗଣେ ଭଗବାନ ।

ଚାରି ଊଣା ଲକ୍ଷେ ରାଜା ଗଡ଼ ଛନ୍ତି ବେଢ଼ି

ନିଦ୍ରା ଅଚେଷ୍ଟାରେ ସର୍ବେ ଶୋଇଛନ୍ତି ପଡ଼ି ।

କପଟ କରି ଅଛନ୍ତି ମାୟାଧର ଯାହା

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନ ଜାଣନ୍ତି ତାହା ।

ମଥୁରା କଟକେ ଜନ ଜନ୍ତୁ ଗମ୍ୟ ନାହିଁ

ସମସ୍ତ ପଠାଇ ଏକା ରହି ଲକ୍ଷ୍ମୀସାଇଁ ।

ବିଶ୍ୱକର୍ମାକୁ ଯେ ଆଜ୍ଞା ଦେଲେ ଚକ୍ରଧର

ମାୟାପୁର ଗୋଟିଏକ ଶୀଘ୍ର ତୁମ୍ଭେ କର ।

ଚାରି ଊଣା ଲକ୍ଷେ ରାଜ ଆସିଛନ୍ତି ବାହି

ସର୍ବେ ଆଶ୍ଚର୍ଯ୍ୟ ହୋଇବେ ତାହାକୁ ଅନାଇଁ ।

ନାରାୟଣ ଆଜ୍ଞା ପାଇଁ ବିଶ୍ୱକର୍ମା ଯାଇ

ତତକ୍ଷଣେ ମାୟାପୁର ରଚିଲାକ ସେହି ।

ଅମର ବାରସ୍ୱତୀ ଯେ ନୋହିବ ସମାନ

ଏକା ରହିଛନ୍ତି ତହିଁ ଦେବ ଜନାର୍ଦ୍ଦନ ।

ଲକ୍ଷେ ରାଜାଙ୍କର ଥାଟ ବାହାରେ ଅଛନ୍ତି

କେହି ଜଣେ ସେହି କଥା ଜାଣି ତ ନାହାନ୍ତି ।

ଚକ୍ରକୂଟ ମାୟାଧର ଯେଉଁ ଭଗବାନ

ତାଙ୍କ ମାୟା  ଜାଣିବାକୁ କେ ଅଛି ଭାଜନ ।

ସେ ମାୟା ନ ଲାଗୁ ମୋତେ ଆହେ ପୀତବାସ

ତବ ପାଦ ଭୃତ୍ୟ ଅଟେ ମୁଁ ଅଚ୍ୟୁତ ଦାସ ।

 

ହରିବଂଶ ପଞ୍ଚମ ଖଣ୍ଡ

ମୁଚୁକୁନ୍ଦ କୋପାନଳରେ କାଳଦମନ ଭସ୍ମ

ଶୁକମୁନି ବୋଇଲେ ହେ ଶୁଣ ପରୀକ୍ଷିତ

ଅମୀୟ ପୀୟୁଷ ଏ ଯେ ଶ୍ରୀହରି ଚରିତ ।

ଏମନ୍ତ ପ୍ରକାରେ ତହିଁ ଗଲା କେତେବେଳ

ରଜନୀ ପାହି ହୋଇଲା ପ୍ରଭାତର କାଳ ।

ସକଳ ସଇନିମାନେ ଥିଲେ ନିଦ୍ରାଯାଇ

ଭାଙ୍ଗନ୍ତେ ନିଦ୍ରା ସେମାନେ ଉଠିଲେ ଚିତୋଇ ।

ମାର ମାର ଧର ଧର ଶବ୍ଦ ଭୟଙ୍କର

ସମୁଦ୍ର ପରାୟେ ଶୁଭେ ମୁଖରାବ ଘୋର ।

ଚାରିଊଣା ଲକ୍ଷେରାଜା ପଦାତି ସହିତେ

କରେ ଶସ୍ତ୍ର ଧରି ସର୍ବେ ଯାଇଁ ଯେଝାମତେ ।

ମାର ମାର ଧର ଧର ଶବ୍ଦ ଘୋରରଡ଼ି

ପଥରମାନ ପୁରରୁ ପକାଇଲେ ତାଡ଼ି ।

ସେହି ପଥର ନେଇଣ ପୋତିଲେଖ ଖଣା

ଜଣ ଜଣକରେ ଜୟ କରିଣ ପାତନା ।

ଝିଙ୍କାଝିଙ୍କି କରି  ଉପାଡ଼ିଲେ କାଠମାନ

କୁରାଢ଼ିରେ କବାଟକୁ କରିଦେଲେ  ଚୂର୍ଣ୍ଣ ।

 

ଯେ ଯାହା ରୂପରେ ସର୍ବେ ପଶିଲେ ଝସାଇ

ଅତି ଆନନ୍ଦରେ କେହୁ ଆଗ ଡେଇଁଯାଇ ।

ଦେଖିଲେକ ଘରମାନ ହୋଇଅଛି ତୁଚ୍ଛା

ବିହରନ୍ତି ବଳ ସର୍ବେ ଯେ ଯାହାର ଇଚ୍ଛା ।

ପୁଣି ଭାଳନ୍ତି ଅଇଲୁ ଆମ୍ଭେ ଯହିଁପାଇଁ

ସର୍ବଘର ତୁଚ୍ଛା ଏଥେ ଜଣେ କେହି ନାହିଁ  

କେବଳ ମାତ୍ର ରହିଛି ଅଟ୍ଟାଳି ଜଗତୀ

କନ୍ଦି ବିକନ୍ଦି ଖୋଜନ୍ତି ଆଡ଼ ଚଉକତି ।

ଜରାମୁଖ ଚାହିଁ କାଳଦମନ ବୋଇଲା

ଭୋ ମଇତ୍ର ଏ କଥା ତ ଗହନ ହୋଇଲା ।

ଯାହାର ନିମନ୍ତେ ଆସି ଏତେ କଷ୍ଟ ପାଇ

ସର୍ବଘର ତୁଚ୍ଛା କେହି ଜଣେ ଏଥେ ନାହିଁ ।

ଅଦୃଷ୍ଟ ଅଶ୍ରୁତ ଏହା ଅସମ୍ଭବ ଭଲା

ଏତେ ଲୋକ ରାତ୍ରେ ଥିଲେ କିଏ କେଣେ ଗଲା ।

ଆମ୍ଭର ଥାଟ ଅଛନ୍ତି ଚଉକତି ବେଢ଼ି

କାହିଁ ଲୁଚିଲେ ସେମାନେ ଗଲେ କିବା ଉଡ଼ି ।

ଜଣେହେଁ ମନୁଷ୍ୟ ଏଥେ ନାହାନ୍ତି ତ ଭଲା

କୀଟ ପତଙ୍ଗାଦି କେହି ଦୃଶ୍ୟତ ନୋହିଲା ।

ଜରା ବୋଇଲାକ ମୁହିଁ କହୁଛି ଆଗହୁଁ

ଅନେକ ବାର ସେ ତହୁଁ ଗଲେ କହୁଁ କହୁଁ ।

ବଡ଼ ମାୟାବୀ ସେ ଦୁଇଭାଇ ଯେ ଅଟନ୍ତି

ହାତେ ଧରୁ ଧରୁଁ ସେହୁ ଫୋପଡ଼ାଇ ଯାନ୍ତି ।

କୌଣସି ରୂପରେ ତାଙ୍କୁ ନ ପାରିଲୁ ଜିଣି

ତେଣୁ ମୁଁ ଆସିଛି ତୁମ୍ଭଙ୍କୁ ତ ସଙ୍ଗେ ଘେନି ।

ମୋର ବିଦ୍ୟାବୁଦ୍ଧି ସବୁ ସରିଲା ଉପାୟେ

ତୁମ୍ଭେ ଯାଦବ ବଳରେ କରିପାର ଜୟେ ।

ତୁମ୍ଭ ବୁଦ୍ଧିବଳେ କାର୍ଯ୍ୟ କିଛି ତ ନୋହିଲା

ଜନମୁଖେ ଲାଜ ଅପବାଦ ଯେ ମିଳିଲା ।

ଯେଉଁ ସମୟରୁ ଗଡ଼ ବେଢ଼ିଲୁଣି ଆସି

କାର୍ଯ୍ୟ ସିଦ୍ଧ ହୋଇଥାନ୍ତା ଗଡ଼େ ଥିଲେ ପଶି ।

ଭୋ ମଇତ୍ର ତୁମ୍ଭେ ମୋର ନ କରିଲ ବୋଲ

ହେଳେ କାର୍ଯ୍ୟ ନଷ୍ଟ ହେଲା ନୋହିଲା ତ ଭଲ ।

ଦମନ ବୋଇଲା ମଲା ଗଲା ଦୁହେଁ ସରି

ପଣ୍ଡିତ ଲୋକ ତହିଁକି ଶୋଚନା ନ କରି ।

ତୁମ୍ଭେ ଆମ୍ଭେ ଦୁଇଜଣ ଯେବେ ଏକ ହୋଇ

କ୍ଷଣକରେ ଯାଦବଙ୍କୁ ପାରିବା ଯେ ଦହି ।

ଲକ୍ଷେପୁର କରି ଗଡ଼ ବେଢ଼ନ୍ତେ ଚୌକତି

ଏହା ଦେଖିଣ ଗୋପାଳେ କଲେ ମହାଭୀତି ।

ପ୍ରାଣର ବିକଳେ ସେହୁ ଲୁଚିଛନ୍ତି ଅବା

ଚାଲ ନିର୍ବନ୍ଧ କରିଣ ସକଳେ ଖୋଜିବା ।

ଏହିରୂପେ ସେହି ଦୁହେଁ ହୋଇ କୁହାକୁହି

ଶ୍ରୀପୟରେ ବିଜେ କଲେ ଧରାଧରି ହୋଇ ।

ପଛରେ ଗୋଡ଼ାଇଛନ୍ତି ଲକ୍ଷେକ ନୃପତି

ବାଙ୍କ ଗଳି ଥାନମାନ ଲୋଡ଼ି ଚଉକତି ।

ବିଶ୍ୱକର୍ମାର ଘଟନ ମଥୁରା ନଗରୀ

ବିଚିତ୍ର ପୁର ଯେସନେ ବାରସ୍ୱତୀ ପୁରୀ ।

ଶ୍ରଦ୍ଧା ପାଇଣ ଦେଖନ୍ତି ସର୍ବ ଦଣ୍ଡଧାରୀ

ଧନ୍ୟ ଏ ମଥୁରା ବୋଲି ପରଶଂସା କରି ।

କୋଟିପାଦେ ଲକ୍ଷ୍ମୀ ଏଥେ ବିଜେ କରିଛନ୍ତି

ଏ ପୁରକୁ ତେଜିବାକୁ ହେଲା କେହ୍ନେ ମତି ।

ଏସନକ ବିଚାରିଣ ଧାତିକାରେ ଗଲେ

ନବରର ସିଂହଦ୍ୱାରେ ଯାଇଣ ମିଳିଲେ ।

ଦେଖିଲେ ସକଳ ଶୋଭା ପାଏ ଦିବ୍ୟପୁର

ଦ୍ୱାଦଶ ତାଳଉତ୍ସର୍ଗ ଅଟେ ସିଂହଦ୍ୱାର ।

କାଙ୍କୁଲା ବାଘମୁହାଁ ଯେ କମଳର ଶିରା

ଚନ୍ଦ୍ରମଣ୍ଡଳ ଜ୍ୟୋତିକୁ ଧବଳର ଧାରା ।

ଉଭା ତ୍ରୋଣା ମେଲା କାନ୍ଥ ମଣ୍ଡଣି ଉପରେ

ନେତ ପତାଙ୍ଗ ଉଡ଼ଇ ତହିଁ ନିରନ୍ତରେ ।

ହାଟ ଦାଣ୍ଡ ପରିମଳ ରମଣୀୟ ସ୍ଥାନ

ଦେଖିଣ ମୋହ ହୋଇବେ ସର୍ବ ଯୋଗୀଜନ ।

କାଠ ଅରଗଳି ଫେରି ଭିତରକୁ ପଶି

ଦେଖିଲେ ସେ ପୁରେ ବାଳ କୁମରେକ ବସି ।

ନୀଳେନ୍ଦିବର ପରାୟେ ବିରାଜଇ ତନୁ

ନିର୍ମଳ ଆକାଶେ ଯେହ୍ନେ ଉଦେ ଇନ୍ଦ୍ରଧନୁ ।

ମସ୍ତକରେ ଦିବ୍ୟଚୂଳ ବର୍ହିପୁଚ୍ଛ ଜିଣି

କନ୍ଧମୂଳ ପରିଯନ୍ତେ ଲମ୍ବିଅଛି ବେଣୀ ।

ବାହୁରେ ବାଜୁବନ୍ଧ ଯେ କର୍ଣ୍ଣରେ କୁଣ୍ଡଳ

ଶ୍ରୀଭୁଜେ କଙ୍କଣ ଗଳେ ନବରତ୍ନ ମାଳ ।

ଲଲାଟରେ ଚିତା ମୃଗନାଭିର କସ୍ତୁରୀ

ହୃଦୟରେ ବନମାଳା ଅତ୍ୟନ୍ତ ମାଧୁରୀ ।

ଝୀନବାସ ପରିଧାନ ହୋଇଛନ୍ତି ଅଙ୍ଗେ

ବିଦ ମୁଦି କଙ୍କଣାଦି ସ୍ୱର୍ଣ୍ଣହାର ସଙ୍ଗେ ।

ଗୋଡ଼େ ଗୋଡ଼ବଳା ବାନ୍ଧି ଅଛନ୍ତି ବାହୁଟି

ମଣି ମାଣିକ୍ୟ ମୁକୁତା ହୀରା କୋଟି କୋଟି ।

ଅପୂର୍ବ ବାଳ ମୂରତି କନ୍ଦରପ ଶୋଭା

ସିଂହଦ୍ୱାର ମାଡ଼ିବସି ସେ ଦେବାଧିଦେବା ।

ପାଦରେ ପାଦ ଛନ୍ଦିଣ ବସି ପଦ୍ମାସନେ

ପୂର୍ବକୁହିଁ ମୁଖକରି ବିଜେ ଭଗବାନେ ।

ଦେଖି ତାଙ୍କୁ ମୋହ ହେଲେ ସର୍ବ ମହୀପାଳ

ଏକଦୃଷ୍ଟି କରିଣ ସେ ଚାହିଁଲେ ସକଳ ।

ଜରା କାଳଦମନକୁ ଚାହିଁଣ ପୁଚ୍ଛଇ

ଦେଖ ହେ ମଇତ୍ର ଏହା ଅପୂର୍ବ ଅଟଇ ।

ରାଜ୍ୟଯାକ ଲୋଡ଼ିଲୁ ଯେ ବୁଲି ସବୁଠାରେ

କାହାରିକି ଜଣେ ମାତ୍ର ନ ଦେଖି ନେତ୍ରରେ ।

ଆମ୍ଭମାନଙ୍କୁ ଦେଖି ଏ ନ କରଇ ଭୟେ

ଆରମ୍ଭେ ବସିଅଛଇ ସିଂହଠାଣି ପ୍ରାୟେ ।

ନଖ ମୁଖ ନାସିକା ୟା ଅତ୍ୟନ୍ତ ସୁସଞ୍ଚ

ନାହିଁ ପଟାନ୍ତର ୟାକୁ ସ୍ୱର୍ଗପୁର ମଞ୍ଚ ।

କେତେକାଳ ଧାତା ବସି ଗଢ଼ିଲା ୟା ଦେହ

ବାହୁନିବା କେତେ ୟାର ରୂପଗୁଣଚୟ ।

ଭ୍ରୂଲତା ମଦନଧନୁ କାମ ପଞ୍ଚବାଣ

ଶର ଖଞ୍ଜିଲେ ବିନଷ୍ଟ ହେବ କାମୀପ୍ରାଣ ।

ଇଷ୍ଟ ବାନ୍ଧବ ଏହାର କେହି ନାହିଁ ସଖା

ସର୍ବେ ପଳାଇଣ ଗଲେ ରହିଅଛି ଏକା ।

କେ ଏହାର ପିଅର କେ ଅଟେ ୟାର ମାତ

ୟାକୁ ଛାଡ଼ିଯିବା କେହ୍ନେ ବଳିବଟି ଚିତ୍ତ ।

ଜରା ବୋଇଲା ଆମ୍ଭେ ତ ଆସୁ ଅତି ବେଗେ

ନେଇ ନ ପାରି ପୁତ୍ର କେ ପଳାଇଲା ମାର୍ଗେ ।

ଜୀବନ ବିକଳେ ତେଜିକରି ପୁତ୍ର ଭାର୍ଯ୍ୟା

ପଳାଇଲା ଧନ ଗୃହ କରିଣ ସେ ତେଜ୍ୟା ।

କେବଳ ପ୍ରାଣ ଘେନିଣ ପଳାଇ ବିକଳେ

ଶରୀର ରଖନ୍ତି ଲୋକ ବିପତ୍ତିର କାଳେ ।

ଚୌରାଶୀ କୋଟି ଯାଦବେ ଥିଲେ ଗୃହ ବେଢ଼ି

ଅସମ୍ଭାଳ ହୋଇ ଗଲେ ଏ ବାଳକ ଛାଡ଼ି ।

କେବଣ ନୃପତି ବୋଲେ ବଦନକୁ ଚାହିଁ

ଆମ୍ଭଙ୍କୁ ଏ ନରପରି କେବେ ଦିଶୁନାହିଁ ।

କିମ୍ଭୁତ ମାୟା ଏହାର ଜାଣି ତ ନ ପାରି

କେବଣ ଦେବତା ଅବା ହୋଇ ଦେହଧାରୀ ।

ବିପରୀତ କଥା ଏ ତ ଭଲ ଦିଶୁ ନାହିଁ

ନୋହିଲେ ଏତେଲୋକ ତ ଗଲେ ଅବା କାହିଁ ।

ଏମନ୍ତ ବିଚାର କରି ସର୍ବ ନରପତି

ଶ୍ରୀକୃଷ୍ଣଙ୍କ ଅଗ୍ରତରେ ମିଳିଲେ ଝଟତି ।

ମଣିମା ମଣିମା ବୋଲି ଡାକେ ପଡ଼ିହାରୀ

ଦୁଇରାଜା ସଙ୍ଗ ହୋଇ ଯାନ୍ତି ଧରାଧରି ।

ପାତ୍ର ମନ୍ତ୍ରୀ ଅମନାତ୍ୟ ବଳ ଚତୁରଙ୍ଗ

ଶ୍ରୀହରିଙ୍କ ରୂପ ଦେଖି ପୁଲକିତ ଅଙ୍ଗ ।

ବିଶ୍ୱକୁଟ ରୂପ ଦେଖି ସର୍ବେ ହେଲେ ମୋହି

ଶ୍ରୀମୁଖକୁ ଉପଲକ୍ଷ୍ୟି ନ ପାରନ୍ତି କେହି ।

ପଦ୍ମାସନେ ସିଂହଦ୍ୱାରେ ବିଜେ ଦେବ ହରି

ରାଜାମାନେ ବେଢ଼ିଛନ୍ତି ଲକ୍ଷେ ପୁର କରି ।

ଗହଳରେ ପେଲାପେଲି ହୁଅନ୍ତେ ସରାଗେ

ଏକକୁ ପର କରିଣ ଏକ ଯାଏ ଆଗେ ।

କାଳଦମନ ବୋଇଲା ଶୁଣରେ ବାଳୁତ

ସର୍ବେ ପଳାଇଲେ ତୁହି ରହିଲୁ କେମନ୍ତ ।

ସକଳ ଯାଦବେ ଏଥୁ ଗଲେକ ପଳାଇ

କାହିଁ ରହିଛନ୍ତି ତାଙ୍କ ପତା ନ ମିଳଇ ।

କାଳଦମନ ମୁଖରୁ ଏସନକ ଶୁଣି

ଦରହସିତେ ବୋଲନ୍ତି ପ୍ରଭୁ ଚକ୍ରପାଣି ।

ଶୁଣ ତୁମ୍ଭେ ସାବଧାନେ ଗୋପାବଳୀ ବଳା

ଈଶ୍ୱର ବଳେ ଦମନ ଯୁଦ୍ଧେ ଅନର୍ଗଳା ।

ତୁମ୍ଭ ସପ୍ତଦଣ୍ଡ ବାହିବାର ବାର୍ତ୍ତା ପାଇ

ଯାଦବମାନେ ରହିଲେ ଦ୍ୱାରକାରେ ଯାଇ ।

ପଶ୍ଚିମ ସମୁଦ୍ର ମଧ୍ୟେ ଦୁର୍ଜ୍ଜୟ ଯେ ଗଡ଼

ସ୍ୱର୍ଣ୍ଣମୟ କୁଶସ୍ଥଳୀ ଅତିଅନ୍ତ ଗାଢ଼ ।

ବଜ୍ର କିଳିଣି ଦେଇଣ ରହିଛନ୍ତି ତହିଁ

ଶ୍ରଦ୍ଧାଥିଲେ ସେହିଠାକୁ ଯାଅ ଏବେ ବାହି ।

ଜରାସନ୍ଧ ବୋଲେ ମୁହିଁ ଥିଲି ଗଡ଼ବେଢ଼ି

ଲୁହାର କବାଟମାନ ଥିଲି ତହିଁ ପାଡ଼ି ।

ଏତେ ଲୋକମାନେ ଏଥୁ ଗଲେ କେଉଁବାଟେ

ଦ୍ୱାରୁ ବାହର ହୁଅନ୍ତେ ପଡ଼ି ଥାଟେ ଭେଟେ ।

କେଉଁ ଉପାୟେ ଗଲେ ସେ ଲାଗୁଛି ସନ୍ଦେହ

ପାତାଳ ବିବର ବାଟେ ଗଲେ କି ନିଶ୍ଚୟ ।

ଚାଲିଗଲେ ଅବଶ୍ୟ ତା ଖୋଜ ପଡ଼ିଥାନ୍ତା

କହନ୍ତେ ଦୁର୍ଲ୍ଲଭ ଏହା ନ ଥିଲା ଶୁଣନ୍ତା ।

କୃଷ୍ଣ ବୋଇଲେକ ସେହୁ ବିଷ୍ଣୁ ମାୟା କଥା

ତାହା ସଂକ୍ଷେପି କଥନେ କେହୁ ସାମରଥା ।

ଦେବ ନିର୍ମାଣ ଦ୍ୱାରକା ଆଗୁ ହୋଇଥିଲା

ଗରୁଡ଼ ପିଠି ଉପରେ ତାଙ୍କୁ ବସାଇଲା ।

ବସାଇ ପିଠିରେ ପକ୍ଷୀ ଶୂନ୍ୟେ ଗଲା ଉଡ଼ି

ନେଇଣ ସେ ଦ୍ୱାରକାରେ ସମସ୍ତଙ୍କୁ ଛାଡ଼ି ।

କାଳଦମନ ବୋଇଲା ସର୍ବେ ଯେବେ ଗଲେ

ତୁମ୍ଭଙ୍କୁ ଛାଡ଼ି ସଙ୍ଗତେ କିପାଇଁ ନ ନେଲେ ।

ଜଗନ୍ନାଥ ବୋଇଲେ ମୁଁ ରହେ ଯହିଁ ପାଇଁ

ସେ କଥା କହିବି ଶୁଣ ସାବଧାନ ହୋଇ ।

ଚାରି ଊଣା ଲକ୍ଷେ ରାଜା ଆସିଛି ସକଳ

ଏକ ଏକ ରାଜାଙ୍କର ଦଶକ୍ଷୌଣୀ ବଳ ।

ସର୍ବ ରାଜାମାନଙ୍କର ଚରଚାର ପାଇଁ

ଅନ୍ନ ବ୍ୟଞ୍ଜନ ଦେଇ ମୁଁ ତୋଷ କରିବଇଁ ।

ଅଶ୍ଵ ଗଜ ପଦାତି ଯେ ଆସିଛ ସମସ୍ତ

ଧର୍ମହାନି ହେବ ଚର୍ଚ୍ଚା ନ କଲେ ଏମନ୍ତ ।

ଜରା ବୋଇଲା ମଇତ୍ର ଜାଣ ତଥ୍ୟବାଣୀ

ନୁହଇ ବାଳୁତ ଏହି ଅଟେ ଚକ୍ରପାଣି ।

ତୁମ୍ଭେ ତ ନ ଜାଣ କରେ ଏ ବଡ଼ କପଟ

ଏସନକ ବହୁରୂପେ କରୁଥାଇ ନାଟ ।

ଏହି ଧରୁଥାଇ ବହୁ ରୂପ ନାନା ବେଶ

ଭଲ ଭଲ ଲୋକେ ଗଲେ ୟାର ଯୋଗୁ ନାଶ ।

ଅଶେଷେ ନରପତିଙ୍କ ଗଜାଶ୍ଵ ପଦାତି

ସମରରେ ନାଶ ଗଲେ ଲକ୍ଷେକ ନୃପତି ।

ସତର ବାର ପର୍ଯ୍ୟନ୍ତ ଧରୁ ଧରୁ ଯାଇ

ନିର୍ବନ୍ଧ କରି ଧର ଯେ ଯିବଟି ପଳାଇ ।

କାଳଦମନ ବୋଇଲା କାହୁଁ ଆମ୍ଭ ଭାଗ୍ୟ

ଏହା ଯୋଗୁ ଜଗନ୍ନାଥ ପଡ଼ି ଆମ୍ଭ ଆଗ ।

ଦେଖିଲେ ନାନା ପ୍ରକାରେ କରିବାଟି ନାଶ

ଯାଦବେ ଜୀବନେ ଥାଇ କରିବେ ବା କିସ ।

ଜରା ବୋଇଲା ମିତ ନ କର ଭ୍ରାନ୍ତି ମନ

ଏହି ଶ୍ରୀକୃଷ୍ଣ ଅଟଇ ବଳଦେବ ସାନ ।

ଚାରି ଊଣା ଲକ୍ଷେ ରାଜା ଘେନି ତୁମ୍ଭେ ବାହି

ଆନ କେ ରହିବ ଆଗେ ଏଡ଼େ ଭରସାହିଁ ।

ଶବଦେ କମ୍ପୁଅଛଇ ଚରାଚର ସୃଷ୍ଟି

ଆନ ଲୋକ ହୋଇଲେ ଯେ ହୃଦ ଯାନ୍ତା ଫାଟି ।

ବାଳୁତ ପୁଅର କାହିଁ ଭରସା ଏଡ଼େକ

ଆଣ୍ଟେ ବଚନ କହିବ ହୋଇଣ ଉତ୍ସୁକ ।

କୃତାନ୍ତକ ପ୍ରାୟ ଦିଶୁଅଛି ୟାର କାୟେ

ଏହି ଯଶୋଦାନନ୍ଦନ କଂସ କଲା କ୍ଷୟେ ।

ଜରା ବାକ୍ୟ ଶୁଣି କାଳଦମନ ପଚାରି

କେ ତୁମ୍ଭର ପିତାମାତା କହ ତଥ୍ୟ କରି ।

ଶ୍ରୀହରି ବୋଇଲେ ମୋର ବସୁଦେବ ପିତା

ଉଗ୍ରସେନର ନନ୍ଦିନୀ ଆମ୍ଭ ନିଜ ମାତା ।

ବାଳୁତ କାଳରେ ଆମ୍ଭେ ଥିଲୁ ନନ୍ଦଘରେ

ମଥୁରାରେ ଜନ୍ମ ହୋଇ ବଢ଼ିଲୁ ଗୋପରେ ।

କାଳଦମନ ବୋଇଲା ଅଧିକ ନ କହ

କଥାର ଚାତୁରି ଶୁଣି ହୋଇଲଇଁ ମୋହ ।

ସର୍ବଶୁଭେ ହେଲା ତୁମ୍ଭ ଆମ୍ଭ ଭେଟାଭେଟି

ଆମ୍ଭେ ଆସିଅଛୁ ତୁମ୍ଭ ନିମିତ୍ତ ଜାଣଟି ।

କାର୍ଯ୍ୟସିଦ୍ଧି ହୋଇଲା ଯେ ଫିଟିଲା ସଙ୍କଟ

ଅନେକ ଭାଗ୍ୟରେ ଆମ୍ଭେ ପାଇଅଛୁ ଭେଟ ।

ଛୟାଣୋଇ ସସ୍ରରାଜା ଚତୁରଙ୍ଗ ବଳ

ତୁମ୍ଭ ହେତୁ ବହୁ କଷ୍ଟ ପାଇଲେ ସକଳ ।

ଏବେ ଆମ୍ଭର କାର୍ଯ୍ୟ ତ ହୋଇଲାକ ସିଦ୍ଧି

ବାହାସ୍ଫୋଟ ମାରି ହସେ ସେହି ନୃପନିଧି ।

ଜରାସନ୍ଧ ବୋଲେ ମିତ ବିଚାରୁଛ କିସ

ଏହି କୃଷ୍ଣ ଲାଗି ମୋର ହେଲା ସବୁ ନାଶ ।

ଏକା ନାଶିଲା ଏ ଚାରି ଊଣା ଲକ୍ଷେ ବଳ

ଏହା ହେତୁ ନାଶ ହେଲା କଂସରାଜା କୁଳ ।

ଏହାକୁ ଦେଖି ମୋହର ପୋଡ଼ୁଅଛି ମନ

ଏ ମୋର ପିତୃ ବଇରୀ ଅଟେ ନନ୍ଦନାନ ।

ଭୋ ମଇତ୍ର ଏହାକୁଟି ଉପ୍ରୋଧ ନ କର

ନ ପୁଣ କହୁଁ କହୁଁ ଏ ଯାଏ ଧାତିକାର ।

କାଳଦମନ ବୋଇଲା ବାଇ ପ୍ରାୟ କହୁ

ଜାଲେ ପଡ଼ିଥିବା ମୀନ ଉବୁରିବ କାହୁଁ ।

ଏତେବେଳ ପରିଯନ୍ତେ ନୋହିଥିଲା ଭେଟ

ଏବେ ପଡ଼ିଅଛି ନିଶ୍ଚେଁ ପଡ଼ିବ ସଙ୍କଟ ।

ଆଖି ଆଗରେ ବିଧାତା କଲାଣି ଯେ ଆଣି

ଏହାର ମାୟା ବୁଝିଣ ଅଇଲି ମୁଁ ଜାଣି ।

ସାର୍ଥକ ହୋଇଲା କାର୍ଯ୍ୟ ନିଶ୍ଚେଁ ହେବ ସିଦ୍ଧି

ପ୍ରାଣେ ନ ମାରି ଜୀବନ୍ତା ନେବଇଁ ମୁଁ ବାନ୍ଧି ।

ସମୟେକ ବନ୍ଦିରେ ଯେ ନେଇଣ ରଖିବା

ଦୋଷ ଦେଖିଣ ଏହାକୁ ନିତି ଦଣ୍ଡୁଥିବା ।

କୃଷ୍ଣ ମୁଖ ଦେଖି କାଳଦମନ ବୋଇଲା

ନିଶ୍ଚୟ କାଳ ତୋହର ସମାପତ ହେଲା ।

ସୁମର ଗଉଡ଼ ଏବେ ତୋର ପିତା ମାତା

ସୁମର ଗଉଡ଼ ତୋର ଯେ ଇଷ୍ଟ ଦେବତା ।

ଏତେ ବୋଲି ଉପରକୁ ପଡ଼େ ବେଗେ ଧାଇଁ

ଜଗନ୍ନାଥ ଉଭା ହେଲେ ଖଣ୍ଡେ ଦୂରେ ଯାଇ ।

ବିଜୁଳି ପରାୟେ ଖସିଲେକ ଚକ୍ରଧର

ସର୍ବ ରାଜାମାନେ ଦେଖି ହେଲେ ଚମତ୍କାର ।

ଫାଶରେ ଯେଉଁ ରୂପରେ ବାୟୁ ନୋହେ ଧରି

ତେସନ ସଂଜାତ କରି ଖସିଗଲେ ହରି ।

କାଳଦମନ ବୋଇଲା ମଲାବେଳେ ପ୍ରାଣୀ

ଅବଶ୍ୟ ନିସତ ହୁଏ ସର୍ବେ ଏହା ଜାଣି ।

ଯେ ଯାହାର କର୍ମଫଳ ଅବଶ୍ୟ ଭୁଞ୍ଜଇ

ମୋହର ଛାମୁକୁ ତୁହି ଲୋଡ଼ୁକିରେ ଯାଇ ।

ଅନିମିତ୍ତେ କଷ୍ଟ ତୁରେ ପାଇବୁଟି ଆଜ

ନିସତ ହୋଇବାରେ ତ କିଛି ନାହିଁ କାର୍ଯ୍ୟ ।

କ୍ଷତ୍ରିୟ କୁଳରେ ଜନ୍ମି ମରଣକୁ ଡରି

ଶତେ ଜନ୍ମ ପରିଯନ୍ତେ ଗଉରବେ ପଡ଼ି ।

କେସନେ ବୋଲନ୍ତି ତୋତେ ଯଦୁବଂଶ ଜାତ

ବସୁଦେବ ପିତା ତୋର ଦେବକୀ ଯେ ମାତ ।

ସେହି କଥାମାନ ଅଟେ ତୋର ସବୁ ମାୟା

ନିଶ୍ଚେଁ ଜାଣିଲି ତୁମ୍ଭର ଗଉଡ଼ ବିଷୟା ।

ତୁହି ଯେବେ କ୍ଷତ୍ରି ବୀର୍ଯ୍ୟେ ହୋଇଥାନ୍ତୁ ଜାତ

ତେବେ ତୁହି ନ ହୁଅନ୍ତୁ ମରଣେ ନିସତ ।

ଏହା କହି ଧନୁଗୁଣ ଟଙ୍କାର ସେ କଲା

ନାଗ ପାଶଶର ବେଗେ ମନରେ ସ୍ମରିଲା ।

ଏସନ ସ୍ଵରୂପ ଦେଖି ଲକ୍ଷ୍ମୀଦେବୀ ସାଇଁ

ଭାବିଲେ ଆମ୍ଭ ହସ୍ତରେ ୟାର ମୃତ୍ୟୁ ନାହିଁ ।

ପ୍ରସନ୍ନରେ ବର ଦେଇଛନ୍ତି ଉମାସାଇଁ

ଜାତ କରିଛନ୍ତି ୟାକୁ ଯାଦବଙ୍କ ପାଇଁ ।

ପରିଶ୍ରମ ପାଇବା ନା ନ ହୋଇବ କାର୍ଯ୍ୟ

କପଟେ ପ୍ରାଣ ଏହାର ଘେନିବଇଁ ଆଜ ।

ଏସନ ବିଚାର କରି ଦେବ ଚକ୍ରପାଣି

କାଳଦମନକୁ ଚାହିଁ କହି ମଞ୍ଜୁବାଣୀ ।

ତୁ କାଳଦମନ ଅଟୁ ରାଜାଧିଙ୍କ ରାଜା

ଚାରି ଊଣା ଲକ୍ଷେ ରାଜା କରି ପାଦପୂଜା ।

ଅଭିସାରିକା ଲକ୍ଷଣେ ହୋଇଅଛୁ ଜନ୍ମ

ତୋହ ଭଳି ଲୋକ କେହ୍ନେ ଲଙ୍ଘିବଟି ଧର୍ମ ।

ଜାଣୁଛୁ ଏକାକୀ ଆମ୍ଭ କରେ ଶସ୍ତ୍ର ନାହିଁ

ଧନୁରେ ଶର ତୁ ପୂରାଇଲୁ କିସ ପାଇଁ ।

ତୁହି କି ଭଲରେ ଜାନୁ ସଂଗ୍ରାମର ବିଧି

ଶୂରବନ୍ତ ଶକ୍ତା ତୁହି କ୍ଷତ୍ରୀ ଗୁଣନିଧି ।

ଛୟାଣୋଇ ରାଜାଙ୍କର ଯେତେକ ସଇନି

ଜରାସନ୍ଧ ରାଜା ସବୁ ଆଣିଅଛି ଘେନି ।

ରଥୀ ମହାରଥୀ ଆଦି ରଣେ ଅନର୍ଗଳ

ଜଣକେ ଜିଣି ପାରନ୍ତି ସ୍ଵରଗ ପାତାଳ ।

ଏକା ଜଣକୁ ତୁମ୍ଭେ ତ ସର୍ବେ ବେଢ଼ିଅଛ

ବିଶେଷରେ ଧର୍ମପଥ ଛାଡ଼ିବାକୁ ଇଚ୍ଛ ।

ସତ୍ୟେ ରହିଅଛି ଚରାଚର ଏ ଜଗତ

ସତ୍ୟେ ଚନ୍ଦ୍ର ସୂର୍ଯ୍ୟ ହେଉଛନ୍ତି ଆତଯାତ ।

ସତ୍ୟରେ ସମୁଦ୍ର ପୁଣି ନ ଲଙ୍ଘଇ କୂଳ

ସତ୍ୟରେ ମେଘମାନେ ଯେ ବରଷନ୍ତି ଜଳ ।

ସାତ ବାର ସତାଇଶ ନକ୍ଷତ୍ର ଯେ ତିଥି

ସତ୍ୟେ ଆତଯାତ ସିନା ହେଉଅଛି ପୃଥ୍ଵୀ ।

ତାର ବାର ଯୋଗ ଆଦି କରଣ ସହିତେ

ସତ୍ୟେ ଆତଯାତ ହେଉଅଛନ୍ତି ସମସ୍ତେ ।

ସତ୍ୟେ ବେଦ ବେଦାନ୍ତାଦି ସାଧି ସର୍ବ କର୍ମ

ତୁହି ମହାରାଜା ହୋଇ ଛାଡ଼ୁ କେହ୍ନେ ଧର୍ମ ।

କାଳଦମନ ସନ୍ତୋଷ ଜଗନ୍ନାଥ ବୋଲେ

ବୋଇଲା ଜଣ ଜଣକେ ସଂଗ୍ରାମ ମୋ ତୁଲେ ।

ଚାରିଊଣା ଲକ୍ଷେ ରାଜା ଅଛୁଟି ପ୍ରମାଣ

ଜଣ ଜଣକର ବିନୁ ନ କରିବୁ ରଣ ।

ଏ ଆମ୍ଭର ସତ୍ୟ ସତ୍ୟ ତିନିବାର ସତ୍ୟ

କାହା ସଙ୍ଗରେ ଯୁଝିବ ଆଗ ହେ କୁହତ ।

ଜଗନ୍ନାଥ ବୋଇଲେ ମୁଁ ଅଖଡ଼େ ପଡ଼ିଛି

ଜଣ ଜଣକେ ବାହାର ହୁଅ ବେଗେ ବାଛି ।

ହାତୀ ରଥୀ ଅଶ୍ଵାରୋହୀ ପଦାତି ସହିତେ

ଚାରି ଊଣା ଲକ୍ଷେ ରାଜା ଅଛ ଯେ ସମସ୍ତେ ।

ଧର୍ମପଥେ ଚାଲ ମୂର୍ଖପଣ ନ ଆଚର

କାଳଦମନ ବୋଇଲା କେତେ ଦୃଢ଼ କର ।

ଜରାସନ୍ଧ ବୋଇଲା ହୋ କର ପୀଢ଼ କେତେ

ତୁମ୍ଭ ଆମ୍ଭର ସମର ହୋଇବ ଯୁକତେ ।

ମୀନର ଗଳାରେ ଏବେ ଲାଗିଅଛି ଫାଶୀ

ନ ପୁଣ ହେମନ୍ତ କରି ଯାଉଁ ହାତୁଁ ଖସି ।

କାଳଦମନ ବୋଇଲା ସର୍ବେ ହୁଅ ଦୂର

ମୋହର ଆଗରେ ଆସି କରୁ ସେ ସମର ।

ତୁମ୍ଭମାନଙ୍କର କାର୍ଯ୍ୟ ନୋହିବଟି ଜାଣ

ଯେଝାମତେ ସର୍ବେ ପାଇଅଛ ଲାଜ ପୁଣ ।

ଶୁଣି ଅପସରି ଗଲେ ସର୍ବେ ଦଣ୍ଡଧାରୀ

ଶସ୍ତ୍ର ଛାଡ଼ି ହୋଇଲେକ ସେ ଦେଖଣାହାରୀ ।

କେଉଁ ଯୁଦ୍ଧ କରିବା ହୋ କାଳଦମ୍ନ ଭଣେ

ଶ୍ରୀହରି ବୋଇଲେ ମାଲଯୁଦ୍ଧ ମୋ ପ୍ରମାଣେ ।

ଶୁଣିଣ କାଳଦମନ ସନ୍ତୋଷ ହୋଇଲା

ସମସ୍ତ ଶସ୍ତ୍ରମାନଙ୍କୁ ରଥରେ ଥୋଇଲା ।

ବୀରବେଶେ କର୍ଣ୍ଣାଞ୍ଚଳ ଆୟମାନ ଛାଡ଼ି

ତ୍ରିକସି ବସନ ଛନ୍ଦେ ଅତି ଆଣ୍ଟେ ଭିଡ଼ି ।

କାନ୍ଧରୁ ପଇତା କାଢ଼ି ବାନ୍ଧିଲା ଅଣ୍ଟାରେ

ଅଷାଢ଼ୁଆ ସୂତା କାଢ଼ି ଭିଡ଼ିଲା ଗଳାରେ ।

ବିନ୍ଧାଣ ଗତି କରିଣ ହେଲା ବୀର ଉଭା

ଭୟଙ୍କର ବଦନ ତା ମନ୍ଦରର ପ୍ରଭା ।

ଶ୍ରୀକୃଷ୍ଣ ଉପରେ ବୀର ପଡ଼ିଲାକ ଧାଇଁ

ହୁଂକାର କରି ବିଧାଏ ମାରେ ଆଣ୍ଟେ ନେଇ ।

ଶ୍ରୀକୃଷ୍ଣଙ୍କ ଅଙ୍ଗେ ବାଜେ ଯେହ୍ନେ ବଜ୍ରାଘାତ

ତାହା ସମ୍ଭାଳିଣ ଦୂରେ ଉଭା ଜଗନ୍ନାଥ ।

ଦେଖି ଧାଏଁ କୋପେ କାଳଦମନ ନୃପତି

ଆଉ ଏକ ବିଧା ମାରେ ନେଇକରି ଛାତି ।

ପୁଣି ବଜ୍ର ବିଧାମାରେ ନେଇଣ ପିଠିରେ

ଶ୍ରୀକୃଷ୍ଣ ନିବାରିଲେ ତା ବିଚିତ୍ର ଗତିରେ ।

ତତକ୍ଷଣେ ଅଦୃଶ୍ୟ ଯେ ହେଲେ ଦେବହରି

ପୁଣି ଖଣ୍ଡେଦୂରେ ଯାଇ ନିଜ କାୟା ଧରି ।

କାଳଦମନ ଦେଖିଣ ଧାଏଁ ଅତି ବେଗେ

ନିମିଷକେ ମିଳେ ଆସି ଶ୍ରୀକୃଷ୍ଣଙ୍କ ଆଗେ ।

ରଟମଟ ଘୋର ଦନ୍ତ ଭୟଙ୍କର ରୂପେ

ଜଗବନ୍ଧୁଙ୍କୁ ଚାହିଁଣ ବୋଲେ ପରିତାପେ ।

କ୍ଷତ୍ରିୟ ଧର୍ମ ଛାଡ଼ି ତୁ ହୋଇଲୁ ନିସତ

ସମ୍ମୁଖ ସମରେ ଆଜ ବୁଝିବାକ ତତ୍ତ୍ଵ ।

ଦେହେ ଦେହ ଲଗାଇଣ ସମର କରିବା

କିଏ ସେ ହାରିବ କିଏ ଜିଣିବ ଜାଣିବା ।

ଜଗନ୍ନାଥ ବୋଇଲେକ ଯୁଦ୍ଧର ଏ ରୀତି

ଚୂହାଣ ବୁଲାଣ ଆଉ ନାହାଣ ଏମନ୍ତି ।

ଯୁକତେ କରିବା ଆମ୍ଭେ ଆଗ ମାଲବନ୍ଧ

କପଟେ କହନ୍ତି ଏହି କଥା ଯେ ଗୋବିନ୍ଦ ।

ତେଣୁ ଆମ୍ଭେ ଅପସରି ଯାଉ ପୁଣି ପୁଣି

ଦଗା ଦେଇଣ ପଳାଉ ଆମ୍ଭେ ଏହା ଜାଣି ।

ଧାଇଁଲେ ଫୁଟିବୁ ଏହା ଜାଣୁ ଆମ୍ଭେ ଭଲେ

ତୁହି ତ ନ ଛାଡ଼ିବୁଟି ନିସତ ହୋଇଲେ ।

ଲାଗେ ଲାଗେ ଗୋଡ଼ାଇବୁ ପ୍ରତ୍ୟକ୍ଷରେ ତୁହି

ଲାଗି ହୋଇଲେକ ଆମ୍ଭେ ଯାଉ ତ ପଳାଇ ।

ଏତେ ବୋଲି ଧାତିକାରେ ଧାଇଁ ଦେବ ହରି

ଶୂନ୍ୟେ ଶୂନ୍ୟଚିରା ମାରି ଯାନ୍ତି ଅପସରି ।

ବିଚାର କରନ୍ତି ଦେବେ ଥାଇ ସ୍ଵର୍ଗପୁରେ

ଆମ୍ଭର ଦଶା ଫେରିବ ନିଶ୍ଚୟ ଏ ବାରେ ।

ଏତେ ବୋଲି ଧୀର କରି ଚାହିଁ ଦେବବୃନ୍ଦ

ପିଠି ଦେଇଣ ପଳାନ୍ତି ଅପେ ଆଦିକନ୍ଦ ।

କାଳଦମନ ବୋଇଲା ଦୃଢ଼େ ପୀଢ଼ କରି

ଚୋର ପରାୟେ ପଳାଉ କେହ୍ନେ ନରହରି ।

ଏତେ ବୋଲି ଧାମଇଁ ସେ ଅତ୍ୟନ୍ତ ପ୍ରଖରେ

ଶ୍ୟମଳ ପକ୍ଷୀ ପରାୟେ ଉଠି ଧାତିକାରେ ।

ପଛରେ ଗୋଡ଼ାଇଚନ୍ତି ସର୍ବ ନୃପରାୟେ

ତେଜ ଲାଗୁଅଛି ପଞ୍ଚାଶତ କ୍ରୋଶଯାଏ ।

ଶୁଣ ପରୀକ୍ଷ ରାଜନ ସୂତମୁନି ଭଣି

ଅତି ଭାଗ୍ୟେ ଭାଗବତ ପୁରାଣର ଧ୍ଵନି ।

କହୁ କହୁ ବହୁଦୂରେ ପଳାଇ ଶ୍ରୀହରି

ମାୟାଧର ପୁରୁଷକୁ ଧରି କେବା ପାରି ।

କାଳଦମନ ଗୋଡ଼ାଏ କରି ପ୍ରାଣ ପୀଢ଼

ହସ୍ତରେ ହସ୍ତ ବଜଇ ଗୋଡ଼େ ବାଜେ ଗୋଡ଼ ।

ଗୋଡ଼ାଉଁ ଗୋଡ଼ାଉଁ ହରି ଉଛୁଡ଼ି ପଳାନ୍ତି

ଫୁଟି ରହିଣ ଥୋକାଏ ଦୂରେ ଚାହିଁ ଦ୍ୟନ୍ତି ।

ମାୟଧର ସ୍ଵାମୀ ସମସ୍ତଙ୍କୁ ମାୟା କଲେ

ଏକା ଘଡ଼ିକେ ସହସ୍ର ଯୋଜନ ଯେ ଗଲେ ।

ପଶ୍ଚିମରାଷ୍ଟ୍ର ଯେ ତୁଙ୍ଗଭଦ୍ରା ନଦୀକୂଳେ

ଇନ୍ଦ୍ରଗିରି ନାମେ ତହିଁ ପର୍ବତର ତଳେ ।

ଭରଦ୍ଵାଜ ମହାଋଷି ମଠ କରିଥିଲେ

ମୟ ନାମେ ବିଶ୍ଵକର୍ମା ପୁର ନିର୍ଭାଇଲେ ।

ନିହାର ଘେନି କୁନ୍ଦିଲେ ସେ ପର୍ବତ ଗୋଟି

ମନ୍ଦିର ରଚିଲେ ତହିଁ ଅତି ସୁନ୍ଦରଟି ।

କୋଶେ ଆୟତନ ତାର ମଧ୍ୟ ମହାସଞ୍ଚ

ନାହିଁ ପଟାନ୍ତର ତାକୁ ସ୍ଵର୍ଗ ଆଦି ମଞ୍ଚ ।

ପଞ୍ଚନଳ ଆୟତନ ବଖରା ଗୋଟିଏ

ବଖରାକୁ ବଖରା ଯେ ଅତି ଶୋଭାପାଏ ।

ହୀରା ଲୀଳା ବଇଡ଼ୁର୍ଯ୍ୟ ଲୁଳେ ପନ୍ତି ପନ୍ତି

ମଣି ମାଣିକ୍ୟ ପାତିଆମାନ ଶୋଭାପାନ୍ତି ।

ଗଜଦନ୍ତର ପିତୁଳି ପୋହଳାର କାଠି

ସୁରଙ୍ଗ ପାଟକେଶର ଶୋଭାରେ ପ୍ରକଟି ।

ସ୍ଫଟିକ ପାବଚ୍ଛ ପୀଢ଼ ସ୍ଵର୍ଣ୍ଣ ଜ୍ୟୋତିର୍ମୟେ

ଶତେ ଚନ୍ଦ୍ରକାନ୍ତି କିବା ହୋଇଛି ଉଦୟେ ।

ଚନ୍ଦ୍ରାତପ ପରେ ଇନ୍ଦ୍ର ଗୋବିନ୍ଦର କମ

ରସାଣର ପାନପତ୍ର ଶତେବାନି ହେମ ।

ନେତ ପତନି ସିନ୍ଧୁଆ ଶାଢ଼ୀ ଯେ ମାଞ୍ଜିଷ୍ଠ

ବସନ୍ତ କାଳର ରଙ୍ଗ ମାଧବୀର ପାଟ ।

ରଙ୍ଗ ଶୁକଳ ଚାମର ଦିବ୍ୟ ପଦ୍ମକାନ୍ତି

ମଣି ମାଣିକ୍ୟ ମୁକୁତା କେଶର ଶୋଭନ୍ତି ।

ଜାଈ ଯୂଈ ମଲ୍ଲୀ ଚମ୍ପା ଆଦି ଶତଦଳ

ଅମଳାନ ସୁରଗନ୍ଧ ପୁଷ୍ପ ଧଣ୍ଡାମାଳ ।

ଆମ୍ବ ପଣସ କଦଳୀ ଜାମୁ ନଟୀକାଳ

ଇକ୍ଷୁ ଦାରାକ୍ଷ ପଇଡ଼ ଆଉ ଜାତିଫଳ ।

ଖଜୁରୀ ବଦରୀ ଆଦି ଡାଳିମ୍ବ କଇଥ

ଅମୃତ ପଦାର୍ଥମାନ ଅଛଇ ବହୁତ ।

ସେ ଭୁବନ ମଧ୍ୟେ ଏକ ମଣ୍ଡପ ଶୋଭଇ

ମଧ୍ୟାହ୍ନେ ଆଦିତ୍ୟ ପ୍ରାୟେ ଜ୍ୟୋତି ବିରାଜଇ ।

ତହିଁ ମଧ୍ୟରେ ବିଚିତ୍ର ପଲ୍ୟଙ୍କ ପ୍ରମାଣି

ହଂସୁଲି ସୁପାତି ଶେଯ ହୋଇଛି ବିଛଣି ।

ତହିଁପରେ ସେବତୀର ପାଖୁଡ଼ାକୁ ସିଞ୍ଚି

କର୍ପୂର ଗୁଣ୍ଡି ତା ପରେ ଯତନରେ ବିଞ୍ଚି ।

ଏମନ୍ତ ଅପୂର୍ବ ଶଯ୍ୟା ପଟାନ୍ତର ନାହିଁ

ସେ ପଲ୍ୟଙ୍କେ ମୁଚୁକୁନ୍ଦ ଛନ୍ତି ନିଦ୍ରା ଯାଇ ।

ଅନେକ କାଳରୁ ତହିଁ ଶୋଇଣ ଅଛନ୍ତି

ଆଠସସ୍ର ବର୍ଷଯାଏ ନିଦ୍ରିତ ସେ ଅତି ।

ତେତିଶକୋଟି ଦେବତା ଛନ୍ତି ବରଦେଇ

ତେଣୁକରି ଅଚେଷ୍ଟାରେ ନିଦ୍ରା ଛନ୍ତି ଯାଇ ।

ଇଷ୍ଟବନ୍ଧୁ କୁଟୁମ୍ବାଦି ସହୋଦର ସଖା

ସନ୍ନିଧେ କେହି ନାହାନ୍ତି ଶୋଇଛନ୍ତି ଏକା ।

ବାହାରରେ ପଡ଼ିହାରୀ ଦ୍ଵାର ଅଛି ଜଗି

ଶ୍ରୀକୃଷ୍ଣ କାଳଦମନ ଧାଇଁ ଅତି ବେଗି ।

ପର୍ବତ ବେନି କୋଶରୁ ଚଉଦ ପହଣ୍ଡ

ବିଚିତ୍ର ଦ୍ଵାର ଫିଟିଛି ତହିଁ ଦିବ୍ୟ ଦାଣ୍ଡ ।

ନିରିମଳ ପଥ ଅପୂରୁବ ଦାଣ୍ଡ ପାଇ

ଶ୍ରୀକୃଷ୍ଣ ଦମନ ଦୁହେଁ ଯାଉଛନ୍ତି ଧାଇଁ ।

ଥୋକେ ଦୂରେ ଦେଖିଲେ ସେ ବିବରର ଦ୍ଵାର

ଛାମୁରେ ଅଛଇ ସିଂହ ଅତି ଶୋଭାକର ।

ଅପୂର୍ବ ମଣ୍ଡଳ ତାର ଦ୍ଵାର ଦିବ୍ୟପଡ଼ା

ନବ ରତନେ ନିର୍ମାଣ କବାଟର ପୁଡ଼ା ।

ଆଗରୁହୁଁ ଫିଟି ଦିଶୁଅଛି ମେଲା ବାଟ

ପୁଡ଼ାକୁ ପୁଡ଼ା ଫିଟିଛି ପଡ଼ିଛି କବାଟ ।

ଶ୍ରୀ ଜଗନ୍ନାଥ ପଳାନ୍ତି ଗୋଡ଼ାଏ ସେ ବୀର

ଧରଣୀ ନ ସହେ ଦନୁଜଙ୍କ ପାଦଭର ।

ସଙ୍ଗେ ସଙ୍ଗେ ଗୋଡ଼ାଇଛି ନ ରହିଣ କାହିଁ

ସତ୍ୟ କରିଛନ୍ତି ଶସ୍ତ୍ର ନ ଧରିବେ କେହି ।

କାଳଦମନ ଗୋଡ଼ାଏ ରୋଷେ ପଛେ ପଛେ

ହାତେ ହାତ ବାଜି ପଳାବନ୍ତି ଶିରୀବତ୍ସେ ।

କେତେକ ଦୂରରେ ଯାଇ ଅଦୃଶ୍ୟ ହୁଅନ୍ତି

ଆଡ଼ଭଙ୍ଗୀ ଦେଇ ଖଣ୍ଡେଦୂରେ ଉଭା ହ୍ଵନ୍ତି ।

ସର୍ବେ ଦେଖୁଛନ୍ତି ଧାଇଁଯାନ୍ତି ବିଶ୍ଵବାସୀ

ଦୁଆର ଜିଣିଣ ସେହୁ ଭିତରକୁ ପଶି ।

କାଳଦମନ ଶ୍ରୀକୃଷ୍ଣ ଦେହ ଲଗାଲଗି

ଅପୂର୍ବ ଗୃହେ ପଶନ୍ତି ଯାଇ ବେଗି ବେଗି ।

ପେଲାପେଲି ହୋଇ ପଶି ଥୋକାଏ ନୃପତି

ଦେଖଣାହାରିଏ  ଠିଆ ହୋଇଣ ଦେଖନ୍ତି ।

ରଥ ଗଜ ଅଶ୍ଵ ସଙ୍ଗେ ନାହିଁତ କାହାର

ଠଣାବଣା ସନ୍ଧିଆଦି ଜଗି ଯେ ଯାହାର ।

ଏହିପରି ଥୋକେଦୂର ଗଲେ ଲକ୍ଷ୍ମୀସାଇଁ

ଦେଖିଲେ ତା ମଧ୍ୟେ ମୁଚୁକୁନ୍ଦ ଛନ୍ତି ଶୋଇ ।

ଅପୂର୍ବ ପଲ୍ୟଙ୍କ ପରେ ଶୋଇଣ ଅଛନ୍ତି

ଅଚେଷ୍ଟାରେ ଘୋରନିଦ୍ରା ସେହି ଯାଇଛନ୍ତି ।

ଦଣ୍ଡେମାତ୍ର ଛିଡ଼ାହୋଇ ପବନ ଆଘାତେ

ମଣ୍ଡପ ପରେ ଉଠିଲେ ଯାଇ ଜଗନ୍ନାଥେ ।

ଉଲୁକ ମନ୍ତ୍ର ସୁମରି ଦେହ ଗୋପ୍ୟ କଲେ

ଡାହାଣ ସ୍ତମ୍ଭରେ ଯାଇ ଲୁଚିଣ ରହିଲେ ।

କାଳଦମନ ଗୋଡ଼ାଇଅଛି ଯେ ନିଠାଇ

ଧାଇଁ ମଣ୍ଡପ ଉପରେ ଉଠି ବେଗେ ଯାଇ ।

ଚାରିକତି ଚାହଇଁ ସେ କାହିଁ ନ ଦିଶଇ

ଦେଖିଲେ ପଲ୍ୟଙ୍କେ ପୁରୁଷେକ ଅଛି ଶୋଇ ।

ନୀଳେନ୍ଦିବର ପରାୟେ ବିରାଜଇ ତନୁ

ନୀଳମେଘେ ଉଦେ କିବା ହୁଏ ଇନ୍ଦ୍ରଧନୁ ।

ଦ୍ଵିତୀୟ କୃଷ୍ଣ ପରାୟ ଶରୀର ଦିଶଇ

ଜାଜ୍ୱଲ୍ୟମାନ ଜ୍ୟୋତିରେ ଦେହ ବିକାଶଇ ।

ନିମିଷେ ଭେଟିଲା ଯାଇ ସେ କାଳଦମନ

ଛାତି ଦକଦକ ତାର ମନ ଛନ୍ନଛନ୍ନ ।

ନିଶ୍ଚୟେ ଜାଣିଲା ଏହି ନନ୍ଦନ ତନୟେ

ମୋ ଛାମୁରୁ ଅଇଲାକ ଏତେଦୂର ଯାଏ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ମୁଁ କ୍ଷଣେ ପାରେ ବୁଲି

ମୋହର ନାମରେ ପଡ଼େ ପୃଥିବୀରେ ହୁରି ।

ଏ ବାଳଛେଉଣ୍ଡା କଷ୍ଟ ଦେଲା ଏତେବେଳ

ଏବେ ସେ ଏହାର ନିଶ୍ଚେଁ ପୂରିଲାତ କାଳ ।

ଏତେଦୂର ଧାଇଁ ଫୁଟି ନ ପାରନ୍ତେ ଚଳି

ନିଶ୍ଚେଷ୍ଟ ହୋଇ ଏ ସ୍ଥାନେ ଶୁଏ ବନମାଳୀ ।

ପୁଣି ବିଚାରଇ ଅବା ମୋହେ ନିଦ୍ରା ଗଲା

ଆସୁ ଆସୁ ଏତେ ବେଗେ କିପରି ଶୋଇଲା ।

ପୁଣି ବିଚାରଇ ମନେ ମଲା ଧାଇଁ ଧାଇଁ

କି ଅବା ଏ କପଟରେ ମହାନିଦ୍ରା ଯାଇ ।

ନିଦ୍ରିତ ପ୍ରାଣୀ ମାଇଲେ ପାପ ଶାସ୍ତ୍ରପଥେ

ଏମନ୍ତେ ବିଚାରି ଅବା ଶୋଇଛି ନିସତେ ।

ପୁନରପି ବିଚାରିଲା କିବା ରାଜଯୋଗ

ମୃତ୍ୟୁକାଳେ ମିଳେ ଇନ୍ଦ୍ର ସମ୍ପଦର ଭୋଗ ।

ଯେଝାର ଭକ୍ଷ ପାଇଲେ ଅବଶ୍ୟ ତା ଖାଇ

ବୋଲେରେ ଛେଉଣ୍ଡାମୋତେ ଏମନ୍ତ ଭଣ୍ଡାଇ ।

ତୋ ନିମନ୍ତେ ଏତେ ରାଜା ଆସି ଶ୍ରମପାଇ

ଏହା କହି କର୍ଣ୍ଣମୂଳେ ବିଧାମାରେ ନେଇ ।

କାଳଦମନ ବିଧାରେ ବହୁକଷ୍ଟ ପାଇ

ନିଦ୍ରାଭଗ୍ନେ ମୁଚୁକୁନ୍ଦ ଚାହିଁ ଆଖିଫେଇ ।

ରୋମ ଟାଙ୍କୁରନ୍ତେ ଦେହ ଲାଗିଲାକ ପ୍ରାସ

କାଳଦମନ ତତ୍‌କ୍ଷଣେ ହୋଇଲା ପାଉଁଶ ।

ଦେବାଧିଦେବଙ୍କ ଶ୍ରେଷ୍ଠ ଯେଉଁ ଦେବ ହରି

ତାହାଙ୍କ ମାୟାରୁ କେବା ଯିବଟି ଉବୁରି ।

ଅଶେଷ ମହିମା ଯାର କହି ଅନ୍ତ ନୋହି

କେବଣ କଥାକୁ କରି ନ ପାରନ୍ତି ସେହି ।

ଆତ୍ମାର ଆତ୍ମା ସେ ଥାନ୍ତି ଚରାଚର ଦେହୀ

ନବଖଣ୍ଡ ମଦିନୀ ଯା ଆୟତେ ଅଛଇ ।

ଯା ଆଜ୍ଞାରେ ହେଉଅଛି ସୃଷ୍ଟି ଆତଯାତ

ଜଳ ସ୍ଥଳ ପୃଥ୍ଵୀ ଯାର କୃପାରେ ସମ୍ଭୂତ ।

ନିତ୍ୟାଚାର ବେଭାର ଯା ସର୍ବଠାରେ ସର୍ପ

ଆଗହୁଁ ନିର୍ମାଣ ତାହା କରିଥାନ୍ତି ଘଞ୍ଚ ।

ଭିଆଇ ଅଛନ୍ତି କାଳ କାମ ନିଦ୍ରା ଯେହି

ତ୍ରିଗୁଣ ନିର୍ମାଣ କରିଛନ୍ତି ଯେ ଗୋଡ଼ାଇ ।

ଗୁଣ ଦୋଷ ଅନ୍ୟୋଅନ୍ୟ ଯେହୁ କରିପାରେ

ଦୋଷ ଗୁଣ ବାଛି କାର୍ଯ୍ୟ କରେ ନିରନ୍ତରେ ।

ଅଶେଷ ବିଶ୍ଵ ସଂସାର ଯାର ଖେଳାଲୀଳା

ସଂସାରାବ୍‌ଧି ତରଣରେ ଯାର ନାମ ଭେଳା

ସେ ଦେବ ପଦ୍ମପାଦରେ ଲୁଳୁ ମୋର ମାଥ

ଅଚ୍ୟୁତ ଦାସ ଭଣଇ ଶ୍ରୀହରି ଚରିତ ।

 

ମୁଚୁକୁନ୍ଦ ଗନ୍ଧର୍ବର ପୂର୍ବ ବୃତ୍ତାନ୍ତ ଓ କୃଷ୍ଣଙ୍କର ସ୍ଵର୍ଗପୁର ଗମନାନ୍ତର ଦ୍ଵାରକା ପ୍ରବେଶ

ଏଥୁ ଅନ୍ତେ ପରୀକ୍ଷିତ ନାମେ ମହାରାଜା

ଶୁକମୁନି ଚରଣରେ କଲେ ଦିବ୍ୟପୂଜା ।

ଭୋ ମୁନି ପବିତ୍ର ହେଲି ହରିବଂଶ ଶୁଣି

ପାପାଧି ପାତକ ମୋର ଅଙ୍ଗୁ ଗଲା ପୁଣି ।

କାହିଁ ମୁଚୁକୁନ୍ଦ କାହିଁ ସେ କାଳଦମନ

ଏଡ଼େ ଦାନବ କିପରି ହୋଇଲା ନିଧନ ।

ମୁଚୁକୁନ୍ଦ ନିଦ୍ରା ଯାଇଥିଲେ କିସ ଅର୍ଥେ

ଏ କଥା ସଂକ୍ଷେପି ମୁନି କହିବାକ ମୋତେ ।

ରାଜାଧିରାଜା ସେ କାଳଦମ୍ନ ମହାବଳୀ

ନୟନେ ଚାହିଁବା ମାତ୍ରେ କିପାଁ ଗଲା ଜଳି ।

ଶ୍ରୀହରି ଚରିତ ଏହି ସୁଧାରସ ବାଣୀ

ଧନଧାନ୍ୟ ପ୍ରାପ୍ତ ହ୍ଵନ୍ତି ନରେ ଏହା ଶୁଣି ।

ଏତେ ବୋଲିଣ ନୃପତି ବିନୟୀ ଯେ ହୋଇ

ମୁନିଙ୍କୁ ପୁଚ୍ଛା କରଇ ସ୍ଵର୍ଣ୍ଣପାତ୍ର ଦେଇ ।

 

 

ଏ ଭାବସାଗରୁ ମୋତେ ଉଦ୍ଧରି ଭୋ ନାଥ

ମୋକ୍ଷ କରିଣ ମୋ କାୟା କର ହେ ପବିତ୍ର ।

ଇଦଂ ପ୍ରତିବାକ୍ୟ କଥା କହନ୍ତି ସେ ମୁନି

ସାବଧାନେ ଶୁଣ ପଣ୍ଡବଂଶ ନୃପମଣି ।

ମୋତେ ପୁଚ୍ଛା କଲ ମୁଚୁକୁନ୍ଦ ପୂର୍ବକଥା

ସଂକ୍ଷେପି କହିବା ଶୁଣ ତହିଁର ବ୍ୟବସ୍ଥା ।

ଯାହା ପୁଚ୍ଛା କଲ ଏ ତ ଅଟେ ସୁଧାବାଣୀ

କାୟାକୁ ପବିତ୍ର କର ସେହି କଥା ଶୁଣି ।

ଶୁଣ ତୁ ହୋ ମହାରାଜା ପୁରାତନ କଥା

ବଶିଷ୍ଠ କହିଅଛନ୍ତି ପୂର୍ବେ ଯେଉଁ ବାର୍ତ୍ତା ।

ତାହା ଶୁଣିବାକୁ ଯେବେ ବଳିଛି ଉତ୍ସାହ

ଯମ ଦଣ୍ଡକୁ ତୁମ୍ଭର ନାହିଁ ଆଉ ଭୟ ।

ବସୁ ସତ୍ୟଯୁଗେ ସ୍ଵରୋଚିଷ ନାମେ ଇନ୍ଦ୍ର

ଭାନୁ ନାମେ ସୂର୍ଯ୍ୟେ ନିଶାକର ନାମେ ଚନ୍ଦ୍ର ।

ବ୍ରହ୍ମାର ପଣନାତି ସେ ବିଶ୍ରବାର ସୁତ

ତ୍ରିଲୋକଜୟୀ ରାବଣ ନାମରେ ଦଇତ୍ୟ ।

ନିକଷା ନନ୍ଦନ ସେହୁ ବଳେ ମହାବଳୀ

ଏକ ଦେହି ବିଂଶଭୁଜ ଦଶଟି ମଉଳି ।

ଈଶ୍ଵରଙ୍କଠାରୁ ସେହି ପାଇଥିଲା ବର

ଛପନ ଗଣ୍ଡା ଯୁଗକୁ ହୋଇଲା ଅମର ।

ଅଠାଣୋଇ ସସ୍ର ଭାର୍ଯ୍ୟା ତେରଶତ ନାତି

ଚାଳିଶ ସହସ୍ର ପୁତ୍ର ବିପ୍ର ଶୁଦ୍ଧଜାତି ।

ଭ୍ରାତା ବନ୍ଧୁ ସହୋଦର କୁଟୁମ୍ବଙ୍କୁ ଘେନି

ଭୁଜବଳେ ବିଳସଇ ସକଳ ମେଦିନୀ ।

ସର୍ବପୁତ୍ର ମଧ୍ୟେ ଇନ୍ଦ୍ରଜିତ ଯେ ଉତ୍ତମ

ବିଦ୍ୟା ପଢ଼ିବା ପାଇଁକି ହେଲା ତାର ମନ ।

ମୟ ନାମେ ବିଶ୍ଵକର୍ମା ପଢ଼ାଇଲେ ପାଠ

ବିପରୀତି ମାୟାଯୁଦ୍ଧ ଜାଣେ ସେ ମୁରାଟ ।

ଶରୀର କଦର୍ଥ କରି ବହୁତପ କଲା

ବ୍ରହ୍ମା ସେବାକରି ବହୁଶସ୍ତ୍ର ସେ ପାଇଲା ।

ଶତେବାର ପରିଯନ୍ତେ ସ୍ଵର୍ଗେ ଦେଲା ଧାଡ଼ି

ଡରେ ଦେବଗଣମାନେ ସ୍ଵର୍ଗ ଗଲେ ଛାଡ଼ି ।

ମାୟା ସମର କରି ସେ ଇନ୍ଦ୍ରେ ବନ୍ଦୀ କଲା

ସ୍ୱକୁଟୁମ୍ବ ଘେନି ଲଙ୍କା ଗଡ଼ରେ ରହିଲା ।

ଏଥୁ ଅନନ୍ତରେ ବେନିବର୍ଷ ଗଲା ବହି

ସ୍ଵର୍ଗପୁରଯାକ ସବୁ ଶୂନ୍ୟ ସେ ହୁଅଇ ।

ସମସ୍ତେ ପଳାଇ ଗଲେ ଜଣେ କେହି ନାହିଁ

ମୁଚୁକୁନ୍ଦ ଗନ୍ଧରବ ଏକା ଅଛି ରହି ।

ଧନ ସମ୍ପଦ ରଖିଲା ଦଣ୍ଡୁ ଆସିପଣେ

ସଙ୍ଗତରେ କେହି ନାହିଁ ହୋଇ ଏକ ଜଣେ ।

ଧନ ସମ୍ପଦ କୁଟୁମ୍ବ ପୁତ୍ରଆଦି କରି

ଦେବତାଏ ପଳାଇଲେ ଛାଡ଼ି ଯେ ଯାହାରି ।

ବାରସ୍ଵତୀ ପୁରେ ଥିଲା ଯେତେ ଧନଦ୍ରବ୍ୟ

ପଳାଇଣ ଗଲେ ସେହୁ ତେଜିକରି ସର୍ବ ।

ଶ୍ରୀରାମଚନ୍ଦ୍ର କରିଲେ ରାବଣକୁ ହତ

ଦେବତାଏ ରହିଲେକ ସୁଖେ ସ୍ଵର୍ଗପଥ ।

ସେହିଦିନୁ ଦେବଗଣେ ସୁସ୍ଥ ଯେ ଲଭିଲେ

ସ୍ଵର୍ଗଭୁବନରେ ପୁଣି ସୁଖରେ ରହିଲେ ।

ଯେଝା ଦ୍ରବ୍ୟମାନ ସବୁ ଅଖଣ୍ଡିତ ଥିଲେ

ଦେଖିକରି ଦେବଗଣେ ସନ୍ତୋଷ ଲଭିଲେ ।

ଧନ୍ୟ ମୁଚୁକୁନ୍ଦ ବୋଲି କରିଲେ ପ୍ରଶଂସା

ତୋହ ଯୋଗୁଁ ସବୁ ଦ୍ରବ୍ୟ ମିଳିଲା ସହସା ।

ତୋହର ହେତୁରୁ ରକ୍ଷା ହେଲା ସ୍ଵର୍ଗପୁରୀ

ସର୍ବ ଦେବତାମାନଙ୍କ ଅଟୁ ଉପକାରୀ ।

ମାଗ ମାଗ ବର ତୋତେ ଦେବୁ ଆମ୍ଭ ଇଚ୍ଛା

ସକଳ ଦେବତାମାନେ ପୂରାଇବୁ ବାଞ୍ଛା ।

ମୁଚୁକୁନ୍ଦ ବୋଲଇ ସେ ଦେବେନ୍ଦ୍ରଙ୍କୁ ଚାହିଁ

ଭୋ ପିତା ତୁମ୍ଭ ପ୍ରସାଦେ ଭୋଗିପାରେ ମୁହିଁ ।

ତୁମ୍ଭେ ମୋତେ ସୁପ୍ରସନ୍ନ ହେଲ ସସ୍ରଯୋନି

ସୁଖ ଭୋଗ କରିଲଇଁ ମୁହିଁ ତୁମ୍ଭ ଘେନି ।

ଚୌରାଅଶୀ ଖଣ୍ଡ ଜ୍ଞାନ ଅଷ୍ଟାଙ୍ଗ ଯେ ଯୋଗ

ନଦ୍ରା ଆହାର ମୈଥୁନ ସ୍ଵର୍ଗ ଉପଭୋଗ ।

ଦେବତାମାନେ ବୋଇଲେ କହିଲ ଯେ ବିଧି

ଯେ ତୁମ୍ଭର ମନୋବାଞ୍ଛା ହେଉ ସର୍ବ ସିଦ୍ଧି ।

ମୁଚୁକୁନ୍ଦ ବୋଲେ ଶୁଣ ସର୍ବ ଦେବତାଏ

ଅନିଦ୍ରାରେ ଅଛି ମୁହିଁ ବହୁ ଯୁଗଯାଏ ।

ରାତ୍ର ଦିବସ ଇନ୍ନିଦ୍ରେ ଜଗିଅଛି ପୁରୀ

ନିଦ୍ରାବଳେ ଲଭିବଇଁ ମହାସୁଖ ଶିରୀ ।

ଦେବଗଣ ଆଜ୍ଞାଦେଲେ ବିଶ୍ଵକର୍ମା ରାଇ

ପୁରେକ ନିର୍ମାଣକର ତୁମ୍ଭେ ଏଥୁ ଯାଇ ।

ଦେବତାଙ୍କର ଆଜ୍ଞାରେ ବିଶ୍ଵକର୍ମା ସ୍ଵାମୀ

ଶୀଘ୍ର କୁଣ୍ଡୀ ନଗ୍ର ନାମେ ନିର୍ମାଣିଲେ ଭୂମି ।

ମୁଚୁକୁନ୍ଦ ବୋଲେ ମୁହିଁ ଯେବେ ନିଦ୍ରା ଯିବି

ଆବର ବ୍ରତେକ ମୁଁ ଯେ ଦୃଢ଼ କରିଥିବି ।

ଯେ ମୋ ନିଦ୍ରାକୁ ଭାଙ୍ଗିବ ନ ଡାକିଣ ବଳି

ପ୍ରଥମେ ଚାହାନ୍ତେ ନିଶ୍ଚେଁ ସେହୁ ଯିବ ଜଳି ।

ତଦନ୍ତେ ଆଧାର ମୁହିଁ ଭୁଞ୍ଜିବି ସମୟେ

ତତ୍ପରେ ବନିତା ଭୋଗ କରିବି ଥୋକାଏ ।

ହେଉ କହି ଦେବତାଏ ଯେଝାପୁରେ ଗଲେ

ସେହିଦିନୁ ମୁଚୁକୁନ୍ଦ ନିଦ୍ରା ଯାଇଥିଲେ ।

ମାୟଧର ପୁରୁଷ ସେ କପଟ ରଚିଲେ

ଯୁଦ୍ଧବ୍ୟାଜେ କାଳଦମନକୁ ଭଣ୍ଡିନେଲେ ।

ଆଗହୁଁ ଏ କଥା ଜଣିଥିଲେ ବନମାଳୀ

ମୁଚୁକୁନ୍ଦ କୋପାନଳେ ଗଲା ସେହୁ ଜଳି ।

ଗର୍ଗ ମାଗିଥିଲେ ବର ନ ହୋଇଲା କିଛି

ଉପାୟରେ ଉପଦ୍ରବ ଖଣ୍ଡିଲେ ଶ୍ରୀବତ୍ସି ।

ଏମନ୍ତ କୂଟରେ କାଳଦମନକୁ ମାରି

ଗରୁଡ଼କୁ ସୁମରଣା କଲେ ଦେବ ହରି ।

ରମ୍ୟକ ଦ୍ଵୀପରେ ଥାଇ ଜାଗି ଖଗେଶ୍ଵର

କୃଷ୍ଣଙ୍କ ଛାମୁରେ ଆସି ମିଳିଲେ ସତ୍ଵର ।

ତା ଦେଖି ପରମ ତୋଷ ହୋଇ ନାରାୟଣ

ଗରୁଡ଼ ପୃଷ୍ଠରେ ସ୍ଵାମୀ କଲେ ଆରୋହଣ ।

କରେ ଶଙ୍ଖ ଚକ୍ର ଗଦା ସାରଙ୍ଗ ଯେ ଧନୁ

ନୀଳ ଜୀମୁତ ପରାୟେ ଶୋହେ ଦିବ୍ୟ ତନୁ ।

ହୃଦରେ କୌସ୍ତୁଭ ମଣି ମୁକ୍ତା ରତ୍ନାମାଳି

ଆଦିକନ୍ଦ ସ୍ଵାମୀ ତାର୍କ୍ଷ୍ୟ ପଠିପରେ ଚଳି ।

ବିଦ ମୁଦି କଙ୍କଣ ଯେ କରରେ ବାହୁଟି

ମଣିମାଣିକ୍ୟ ବିରାଜେ ତହିଁ କୋଟି କୋଟି ।

ମୁକୁଟ କର୍ଣ୍ଣାଞ୍ଚଳରେ ଗଣ୍ଡ ଶିର ଶୋହେ

ମୃଗନାଭୀ କସ୍ତୁରୀର ଚିତା ଶୋଭାପାଏ ।

କଟିରେ ଝୀନ ବସନ କନ୍ଧରେ ପଇତା

କୋଟି କାମରୂପୀ ସ୍ଵାମୀ ଧରି ଜଗଜ୍ଜିତା ।

ଗରୁଡ଼ ପିଠି ଉପରେ ବିଜେ କଲେ ଯାଇ

ବାରସ୍ଵତୀରେ ମିଳିଲେ ଜଗତ ଗୋସାଇଁ ।

ତେତିଶ କୋଟି ଦେବତା ଆସ୍ଥାନେ ବିଜୟେ

ଦେଖିଲେ ଦୂରରୁ ଆସୁଛନ୍ତି ଦେବରାୟେ ।

ତତ୍‌କ୍ଷଣେ ଦେବତାମାନେ ଆସ୍ଥାନୁ ଉଠିଲେ

ଉର୍ଦ୍ଧ୍ଵମୁଖ ହୋଇ କରି ଉପରେ ଚାହିଁଲେ ।

ଇନ୍ଦ୍ର ଦେବତା ସହିତେ ଅଇଲେ ପାଛୋଟି

ଦେଖିଣ ମହାସନ୍ତୋଷ ହେଲେ ପରମେଷ୍ଠୀ ।

କରପତ୍ର ଯୋଡ଼ି ସର୍ବେ ହୋଇଲେକ ଉଭା

କ୍ଷୀର ସମୁଦ୍ର ପରାୟେ ଦିଶି ଦିବ୍ୟ ଶୋଭା ।

ସକଳ ଦେବତାଙ୍କୁ ଯେ ଦେଖି ନାରାୟଣ

ଗରୁଡ଼ ପିଠିରୁ ଉତୁରିଲେ ତତକ୍ଷଣ ।

ଦେବଙ୍କୁ ଘେନି ଆସ୍ଥାନେ ବିଜେକଲେ ଯାଇ

ବୃହସ୍ପତି ବୋଇଲେକ ଆସିଲ କିପାଇଁ ।

ଇନ୍ଦ୍ର ବୋଇଲେ ଭୋ ଗୁରୁ କ୍ଷଣେ ହୁଅ ସ୍ଥିର ।

ସୁସ୍ଥ ହୋଇ ପ୍ରଭୁ ବିଜେ କରନ୍ତୁ ସଭାର ।

ଏହାଶୁଣି ଦେବଗଣେ ନୀରବେ ରହିଲେ

ଇନ୍ଦ୍ର ସଭାରେ ଉପେନ୍ଦ୍ର ସୁସ୍ଥେ ବିଜେ କଲେ ।

ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃପତି

ହରିବଂଶ ପୁରାଣ ଏ ପୁଣ୍ୟମୟ କୀର୍ତ୍ତି ।

କାଳଦମନ ସଙ୍ଗରେ ଯେତେ ରାଜା ଥିଲେ

ତା ମୃତ୍ୟୁ ଦେଖନ୍ତେ ସର୍ବେ ଭୟେ ପଳାଇଲେ ।

ଯେ ଯାହାର ଚତୁରଙ୍ଗ ସେନା ଘେନି ସଙ୍ଗେ

ପ୍ରବେଶ ହୋଇଲେ ଯାଇ ଜରାସନ୍ଧ ଆଗେ ।

ବୁଝାଇ କହିଲେ କଥା ହୋଇଲା ଯେତେକ

ଶୁଣି ଦୁଃଖ ଶୋକ କଲା ମଗଧ ନାୟକ ।

କପାଳରେ କର ମାରି ବୋଲେ ମୋ ସମାନ

ଜଗତ ମଧ୍ୟରେ କେହି ନାହିଁ କର୍ମହୀନ ।

ଆପେ ଲଜ୍ଜା ପାଇ ପୁଣି ପରେ ଆଶାକଲି

ତଥାପି ତହିଁରୁ କିଛି ଫଳ ନ ପାଇଲି ।

ଏତେ ବୋଲି ସବୁ ନୃପମାନଙ୍କୁ ହକାରି

ସମସ୍ତଙ୍କୁ ଆଜ୍ଞା ଦେଲା ମନେ ଦୁଃଖ ଧରି ।

ଆପଣା ରାଜ୍ୟକୁ ସର୍ବେ ଯାଅ ଯେ ଯାହାରେ

ରାଜ୍ୟ ପ୍ରଜା ସମ୍ଭାଳିଣ ଥିବ ନିଶ୍ଚିନ୍ତରେ ।

ଦୂତ ବରଗିଲେ ପୁଣି ସତ୍ଵରେ ଆସିବ

ଏ ମୋର ବଚନ ସର୍ବେ ପ୍ରତିପାଳି ଥିବ ।

ଏହାଶୁଣି ରାଜାମାନେ ସୈନ୍ୟ ଘେନି ଗଲେ

ଯେ ଯାହା ରାଜ୍ୟରେ ଯାଇ ପ୍ରବେଶ ହୋଇଲେ ।

ଆପେ ଜରାସନ୍ଧ ରାଜା ସଇନ୍ୟ ଚଳାଇ

ବାହୁଡ଼ି ଆପଣା ରାଜ୍ୟେ ପ୍ରବେଶିଲା ଯାଇ ।

ଗୁଣଭୂଷଣ ମନ୍ତ୍ରୀକି ପାଶକୁ ହକାରି

ବହୁତ ପ୍ରକାରେ ତାକୁ କହିଲା ତିଆରି ।

ଅନେକ ସଇନ୍ୟ ମୋର ଯୁଦ୍ଧ କ୍ଷୟ ଗଲେ

ବଡ଼ ବଡ଼ ଯୋଦ୍ଧାମାନେ ପ୍ରାଣ ହରାଇଲେ ।

ବାକି ଯେ ଅଛନ୍ତି ତାଙ୍କୁ ସୁସ୍ଥେ ପ୍ରତିପାଳ

ବହୁ ଦୁଃଖ ପାଇଛନ୍ତି ଅଙ୍ଗେ ନାହିଁ ବଳ ।

କାଳଦମନ ପାତ୍ରକୁ ପୁଣି ସେ ହକାରି

ବହୁତ କହିଲା ତାକୁ ପ୍ରବୋଧନା କରି ।

ମୋ ପାଇଁରେ ଆସି ତୁମ୍ଭେ କଷଣ ଭୁଞ୍ଜିଲ

ପ୍ରାଣଗଲା ସିନା କାର୍ଯ୍ୟ ସାଧି ନ ପାରିଲ ।

ଏବେ କାଳଦମନର ପୁତ୍ରକୁ ବସାଇ

ରାଜ୍ୟେ ରାଜା କର ଦଣ୍ଡ ସିଂହାସନ ଦେଇ ।

ଏମନ୍ତ ପ୍ରକାରେ କହି ତାଙ୍କୁ ବିଦାକଲା

ପାତ୍ର ମନ୍ତ୍ରୀ ଘେନି ନିଜ ପ୍ରଜାଙ୍କୁ ପାଳିଲା ।

ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃପତି

ସ୍ଵର୍ଗପୁରେ ବିଜେ କଲେ ପ୍ରଭୁ ଲକ୍ଷ୍ମୀପତି ।

ବୃହସ୍ପତି ପଚାରନ୍ତେ ବଚନ ଉଚ୍ଚାରି

ରୁହାଇଣ ରଖିଲେ ତାହାକୁ ବଜ୍ରଧାରୀ ।

ପୁଣି ବୃହସ୍ପତି ଉଠି ପୁଚ୍ଛିଲେ ଏସନ

କିମର୍ଥେ କରିଲେ ପ୍ରଭୁ ଶୁଭ ଆଗମନ ।

ଶ୍ରୀଜଗନ୍ନାଥ ବୋଇଲେ ଗୋପେ ଆମ୍ଭେ ଥିଲୁ

କଂସକୁ ମାରିଣ ଆମ୍ଭେ ଏଥକୁ ଅଇଲୁ ।

ତହିଁ ଲାଗିଲା ଆମ୍ଭଙ୍କୁ ଜରାସନ୍ଧ ଭୟେ

ନିରନ୍ତର ଧାଡ଼ି ଦେଖି ଅଷ୍ଟାଦଶ ଯାଏ ।

ସମରାଜ୍ୟ ଯାକ ସବୁ ହୋଇଲା ନିରେଖ

ପଳାଇଲେ ଯାଦବେ ଯେ ପାଇ ମହାଦୁଃଖ ।

ତେଣୁକରି ମଥୁରାକୁ ଆମ୍ଭେ ଯିବାନାହିଁ

ସର୍ବ ଯାଦବେ ରହିଲେ ଦ୍ଵାରକାରେ ଯାଇ ।

ଆମ୍ଭେ ବାହାରେ ବାହାରେ ଦ୍ଵାରକାକୁ ଯିବୁ

ସର୍ବ ଯାଦବଙ୍କ ସଙ୍ଗେ ସେଠାରେ ରହିବୁ ।

ତୁମ୍ଭେମାନେ ସଙ୍ଖୋଳା ଯେ କରିଥିବ ନିତି

ନିରନ୍ତର ଲାଗିଥାଇ ଅସୁରଙ୍କ ଭୀତି ।

ଦେବତା ବୋଇଲେ ତବ ଦୈତ୍ୟ ହତବାନା

କଳ୍ପନା କାମନା ନିଧି ଆର୍ତ୍ତ ବ୍ରଜସେହ୍ନା ।

ଭାରାଭର ନିବାରଣ ହୋଇ ଅବତାର

ସଂସାର ନଉକା ତୁମ୍ଭେ ସିନା ତ କାଣ୍ଡାର ।

ତୁମ୍ଭର ସ୍ଥାପିଲା ଆମ୍ଭେ ସକଳ ଦେବତା

ଭକତଜନ ବାନ୍ଧବ ତୁମ୍ଭେ ଜଗତ୍‌କର୍ତ୍ତା ।

ତୁମ୍ଭେ ସ୍ଵର୍ଗପୁର କଲ ଆହେ ଦେବରାୟେ

ନିଶ୍ଚିନ୍ତେ ରହିଲୁ ଆମ୍ଭେ ସର୍ବ ଦେବତାଏ ।

ତୁମ୍ଭେ ପ୍ରଭୁ ଅଟ ଦ୍ଵାରକାର ଅଧିପତି

ଶଙ୍ଖନିଧି ପଦ୍ମନିଧି ଅଛି ତୁମ୍ଭ କତି ।

ସୁଧର୍ମା ସଭାରେ ବିଜେ କର ତୁମ୍ଭେ ଆସି

ତୁମ୍ଭର ଅର୍ଜିଲା ଧନ ସବୁ ବିଶ୍ଵବାସୀ ।

ସ୍ଵର୍ଗ ସମ୍ପାଦନା ଯେତେ ରତ୍ନ ଧନଧାନ୍ୟ

ଅଶେଷ କୋଟି ଲକ୍ଷ୍ମୀର ବଲ୍ଲଭ ଆପଣ ।

ଏତେ କହି ଇନ୍ଦ୍ର ଶଙ୍ଖନିଧି କରେ ଦେଲେ

ସୁଧର୍ମା ସଭାରେ କୃଷ୍ଣ ଗୋଚରେ ଅର୍ପିଲେ ।

ଅନେକ ବିନୟେ କହିଲେକ ସସ୍ରଯୋନି

ବୋଇଲେ ଦ୍ଵାରକା କୃଷ୍ଣ ଯାଅ ନିଧି ଘେନି ।

ଏ ନିଧି ଅଟେ ଅମର ଭଣ୍ଡାରର ଆୟେ

ଯେତେ ବ୍ୟୟ କଲେ କେବେ ନୁହଇଟି କ୍ଷୟେ ।

କୋଟିଏକ ଶଙ୍ଖନିଧି ପୂରିଅଛି ଏଥି

ଏକା ନିଧିକେ ତୁଳନା ନାହିଁ ଏହି ପୃଥ୍ଵୀ ।

ସମୁଦ୍ର ମନ୍ଥନ କାଳେ ଉପୁଜିଲା ଏହି

ତୁମ୍ଭେ ତ ଏହା ମହିମା ଜାଣ ଭାବଗ୍ରାହୀ ।

ଅନେକ ଯତ୍ନେ ସାଇତି ଥିଲି ୟାକୁ ମୁହିଁ

ଏ ରତନ ପାଶେ ଥିଲେ କିଛି ଭୟ ନାହିଁ ।

ପଦ୍ମନିଧି ନେଇ ଦେଖାଇଲେ ପୁଣି ପୁଣି

ବୋଇଲେ ୟାର ମହିମା ଶୁଣ ଚକ୍ରପାଣି ।

ହସ୍ମେ ପଦ୍ମ ପାଦେ ପଦ୍ମ ବିଜେ କରିଛନ୍ତି

କ୍ଷୀର ସମୁଦ୍ରୁ ଉପୁଜିଅଛି ଚନ୍ଦ୍ରକାନ୍ତି ।

ଏହା ଯୋଗେ ଉପୁଜଇ ଦେହେ ବୁଦ୍ଧିବଳ

ଏ ପଦ୍ମନିଧି ପ୍ରସାଦେ ଜିଣିବ ସକଳ ।

ରୋଗ ଶୋକ ବାଧା ନାହିଁ ନାହିଁ ଶତ୍ରୁଭୟେ

ଦେବ ଶସ୍ତ୍ରରେ ନିର୍ଜିତ ରଣେ ହୁଏ ଜୟେ ।

ଯେତେବେଳେ ବାଞ୍ଛା କରିବଟି ଯେଉଁ ଦ୍ରବ୍ୟ

ତତକ୍ଷଣେ ପ୍ରାପ୍ତ ହୁଏ ଆସିଣ ସେ ସର୍ବ ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ବଜ୍ରଧାରୀ

ଏ ସୁଧର୍ମା ସଭାକଥା ଶୁଣ ଦେବହରି ।

ଏ ସଭାଗୋଟି ସମୁଦ୍ର ମନ୍ଥନରୁ ଜାତ

ମହା ପ୍ରଳୟକାଳେ ଏ ସାଇତି ଜଗତ ।

କହନ୍ତେ ନ ସରେ ଏହି ସଭାର ମହିମା

ନିରନ୍ତର ନିର୍ମାଣନ୍ତି କୋଟି ବିଶ୍ଵକର୍ମା ।

କୁଳଶୂନ୍ୟ ବିବର୍ଜିତ ଏହି ସଭାଗୋଟି

ଏହାକୁ ପଟନ୍ତର ଯେ ନାହିଁ ଲକ୍ଷକୋଟି ।

ଅମର ବାରସ୍ଵତୀ ଏ ଅଟେ ଦେବସଭା

ବୃଦ୍ଧିହିଁ ବସିଲେ ଏଥେ ହେବ ନବଯୁବା ।

ତେତିଶ କୋଟି ଦେବତା ହୋଇ ଏକମୂର୍ତ୍ତି

ଖମ୍ବାଶେଣି ରୁଅ ହୋଇଛନ୍ତି ନାନାପ୍ରତି ।

ରାତ୍ର ଦିନ ବିଜର୍ଜିତ ସଭା ପୁଣ୍ୟମୟେ

ନିରନ୍ତର ଚନ୍ଦ୍ର ସୂର୍ଯ୍ୟ ହୁଅନ୍ତି ଉଦୟେ ।

ତୁମ୍ଭେ ଯେବେ ଦ୍ଵାରକାରେ ରହିବ ଅଚ୍ୟୁତ

ତୁମ୍ଭ ହେତୁ ଶୋଭା ଏହୁ ପାଇବ ଅତ୍ୟନ୍ତ ।

ଏସନକ କୃତ୍ୟକୃତ୍ୟ ହୋଇ ବଜ୍ରପାଣି

ବହୁ ଉପହାର କୃଷ୍ଣଚନ୍ଦ୍ରେ ଦେଲେ ଆଣି ।

ଯେଝାରେ ଅନୁରୂପରେ ସର୍ବ ଦେବବୃନ୍ଦ

କୃଷ୍ଣେ ଅକ୍ଷତ ଦିଅନ୍ତି ହୋଇଣ ଆନନ୍ଦ ।

ଜଗନ୍ନାଥଙ୍କର ପାଦେ ସର୍ବେ କଲେ ପୂଜା

ଗରୁଡ଼ ପିଠିରେ ବିଜେ ସେ ଦେବାଧିରାଜା ।

ସର୍ବ ଦେବତାମାନଙ୍କୁ ଦେଇଣ ମେଲାଣି

ଅନ୍ତରୀକ୍ଷ ମାର୍ଗେ ଚଳିଗଲେ ଚକ୍ରପାଣି ।

ଅନନ୍ତ ମାୟାଧର ଶ୍ରୀପ୍ରଭୁ ବିଶ୍ଵବାସ

କୁଶସ୍ଥଳୀ ଭୁବନରେ ଯାଇଣ ପ୍ରବେଶ ।

ଖଣ୍ଡେ ଦୂରରେ ଥାଇଣ ଦେଖିଲେ ଶ୍ରୀହରି

ଅତ୍ୟନ୍ତ ସୁନ୍ଦର ଦିଶେ ଦ୍ଵାରକା ନଗରୀ ।

ନବ ରତନେ ନିର୍ମାଣ ଅତ୍ୟନ୍ତ ଘଟଣ

ଲକ୍ଷେଗୁଣ ଶୋଭା ପାଏ ଅପୂର୍ବ ଭୁବନ ।

ସକଳ ନର ନାରୀଏ ନିଦ୍ରା ଯାଇଥିଲେ

ରଜନୀ ପ୍ରଭାତେ ନିଦ୍ରା ତେଜିଣ ଉଠିଲେ ।

ଦେଖିଲେ ସୁବର୍ଣ୍ଣମୟ ପୁର ବିତପନ

ଘରେ ଘରେ ଚାନ୍ଦୁଆ ଯେ ଅତ୍ୟନ୍ତ ଘଟଣ ।

ହାଟ ବାଟ ଦାଣ୍ଡଆଦି ବଣିଜ ପସରା

ପୂର୍ବହୁଁ ଦିଶୁଅଛଇ ଅତିଶୟ ତୋରା ।

ଗୃହ ବାସ୍ତୁ ଆଦିକରି ଯେ ଯାହାର ଦ୍ରବ୍ୟ

ଅଖଣ୍ଡିତ ଭାବେ ପୂରି ଅଛନ୍ତି ସେ ସର୍ବ ।

ମେଢ଼ ମଣ୍ଡପ ଦେଉଳ ଅଟ୍ଟାଳି ଜଗତୀ

ବ୍ରାହ୍ମଣ କ୍ଷତ୍ରିୟ ଆଦି ଷଡ଼ତ୍ରିଂଶ ଜାତି ।

ଯେସନ ଦିଶେ ମଥୁରା ଗଡ଼ର ପାତନା

ବାମ୍ଫୀ କୂପ ତଡ଼ାଗାଦି ନଦୀ ଘାଇ ଖଣା ।

ପୁର ଦ୍ଵାରମାନ ସବୁ ଅତିଶୋଭା ପାନ୍ତି

ରେଖ ରେଖ ଧାଡ଼ି ଧାଡ଼ି ମନ୍ଦିର ଶୋଭନ୍ତି ।

ଉଭା ତ୍ରୋଣା ମେଲା କାଠ ସମସ୍ତଙ୍କ ଦାଣ୍ଡେ

ଯେଝାରେ ସାଇତି ଆବୋରିଣ ଖଣ୍ଡେ ଖଣ୍ଡେ

ଫଳିତ କୁସୁମ ତରୁ ଅତି ବିତପନ

ନନ୍ଦନବନ ପରାୟେ ଦିଶଇ ଶୋଭନ ।

ଭୂମି ଆଦିକରି ପୁଣି ଷାଠିବାନି ସୁନା

ଆବର କେତେ ସମ୍ପଦ ଅଟେ ଅଳିକଣା ।

ମନ୍ଦ ମନ୍ଦ ଗନ୍ଧବହ ମଳୟର ବାୟେ

ଝିଙ୍କାରୀଙ୍କର ଶବଦେ ପୁଲକିତ କାୟେ ।

ଅଚଳାଚଳ ସମ୍ପଦ କିସ ଯେ କହିବା

ଘରେ ଘରେ ଲକ୍ଷ୍ମୀଦେବୀ ପାଉଛନ୍ତି ଶୋଭା ।

ସକଳ ଯାଦବେ ଦେଖି ଅପୂର୍ବ ମଣିଲେ

କିମ୍ଭୂତ ମାୟା ହେଲା ତ କେହି ନ ଜାଣିଲେ ।

ସମସ୍ତଙ୍କୁ ଭ୍ରମ କରାଇଣ ଦେବରାୟେ

ଥୋକାଏ ମଣନ୍ତି ଏହା ସ୍ଵପନ ପରାୟେ ।

ଥୋକେ ଯାଦବେ ଜାଣିବେ ପୁଣି ତଥ୍ୟକରି

ବୋଇଲେ ଜରାର ହେତୁ ଛାଡ଼ି ମଧୁପୁରୀ ।

ଏଠାରେ ରହିଲୁ ଆମ୍ଭେ ଆସିକରି ପୁଣି

ଦ୍ଵିତୀୟ ସ୍ଵର୍ଗ ପରାୟେ ଧାତା ଦେଲା ଆଣି ।

ଏଥେ ବିଳସିବା ନାରାୟଣଙ୍କ ସଙ୍ଗରେ

ଅଶେଷ କୋଟି ପାତକ ଥିଲା ଯା ଅଙ୍ଗରେ ।

ଦେବ ଶାସ୍ତ୍ରମାତେ ତାହା ହୋଇବ ବିନାଶ

କୋଟିଜନ୍ମ ଯାଏ ଯେହୁ ସେବିବ ମହେଶ ।

ପ୍ରୟାଗ ମଣିକର୍ଣ୍ଣିକା ଆଦିରେ ଝାସିଲେ

ଏହିପରି ଭୂମି ତାକୁ ମିଳବଟି ଭଲେ ।

ଜଳ ତିଳ ଅନ୍ନ ବସ୍ତ୍ର ଆବର ଭୂଦାନ

ପଞ୍ଚ ଇନ୍ଦ୍ରିୟ ନିଗ୍ରହ ସାଧି ବ୍ରହ୍ମଜ୍ଞାନ ।

ନାନାବାର ବ୍ରତ କରିଥିବ ତୀର୍ଥ ଜପ

ସମଭକ୍ତିରେ କରିଣ ଥିବ ଘୋରତପ ।

ସତ ସତ କ୍ରିୟା ରଖି ହେବ ବନଚାରୀ

କନ୍ଦମୂଳକୁ ଭକ୍ଷିବ ଆଉ କ୍ଷୀର ବାରି ।

କୋଟି କୋଟି ଯାଗକରି ଶୁଦ୍ଧପୂତ

କାୟା କଦର୍ଥ ନ କରି କହୁଥିବ ସତ୍ୟ ।

ଆଜନମ ପରିଯନ୍ତେ ଯେତେ ପୁଣ୍ୟକରି

ଗୋବିନ୍ଦ କୀର୍ତ୍ତନେ କେହି ନୁହଇଟି ସରି ।

ଯୋଗିଜନମାନେ ମୂଳମନ୍ତ୍ର ଜପି ଯାହା

କେବଣ ଭାଗ୍ୟରେ ଆମ୍ଭେ ଦେଖିଲୁଟି ତାହା ।

ପୁରାଣ ପୁରୁଷ ଯେହୁ ମହା ବିଶ୍ଵମୂର୍ତ୍ତି

ଚାରିଖାନି ଚାରିବାନି ହୋଇ ନାନାଜାତି ।

ସେହି ସେ ଜାଣଇ ସିନା ଯାବତ କପଟ

ଏ ସଂସାର ଗୋଟି ତାର ଅଟେ ଖେଳ ନାଟ ।

ଶୁଣ ହେ ପରୀକ୍ଷ ରାଜା ଭଣି ଶୁକଯତି

ଯାଦବମାନେ ଏମନ୍ତ ଭାବନା କରନ୍ତି ।

ବଳରାମ ଉଗ୍ରସେନ ବସୁଦେବ ସହ

ଉଦ୍ଧବ ଅକ୍ରୂର ଅନାଧୃଷ୍ଟ ଯେ ଦୁର୍ଜ୍ଜୟ ।

ସୁରଥ ଯେ ବୃଦ୍ଧଶବା ଆବର ସାତ୍ୟକି

ଶତଧନୁ ପ୍ରଶ୍ନାଜିତ ମୂଳେ ଯେତେ ଲେଖି ।

ବସୁଦେବ ଅଷ୍ଟପୁତ୍ର ଉଗ୍ରସେନ ପୁତ୍ର

ଶ୍ରୀକୃଷ୍ଣ ସୁମରି ରଚି ସାମ୍ରାଜ୍ୟ ସମସ୍ତ ।

ଯେ ଯାହାର ନିତ୍ୟକର୍ମ ସର୍ବେ ଆବୋରିଲେ

ପ୍ରହରେ ଆସିଣ ଯହୁଁ ଦିନମଣି ହେଲେ ।

ମକର ଶୁକଳ ତ୍ରୟୋଦଶୀ ବୁଧବାର

ପୁନର୍ବସୁ ନକ୍ଷତ୍ର ଯେ ଅଟେ ସେ ଦିନର ।

ବେଳ ଦଶଦଣ୍ଡେ ମୀନଳଗ୍ନେ ଅନୁକୂଳ

ଦ୍ଵାରକାରେ ବିଜେ କଲେ ପ୍ରଭୁ ଆଦିମୂଳ ।

ନକ୍ଷତ୍ର ଯେସନେ ଆକାଶରୁ ପଡ଼େ ଖସି

ମଧ୍ୟାହ୍ନ ଆଦିତ୍ୟ ପରି ଦିଶେ ତେଜରାଶି ।

ଆର୍ଦ୍ରାବଳୀ ମାସେଯେହ୍ନେ ବାଳସୂର୍ଯ୍ୟୋଦୟେ

ରୂପ ତେଜ ଲାଗଇଟି ତେସନ ପରାୟେ ।

ଆକାଶରୁ ଗଣ୍ଡପକ୍ଷୀ ଯେହ୍ନେ ଦିଏ ଝାମ୍ପ

ତେସନ ପ୍ରକାରେ ଅଟେ ବୈନତେୟ ଧାପ ।

ଖଗେଶ୍ଵର ପିଠିପରେ ଦିବ୍ୟମୂର୍ତ୍ତି ଧରି

ଚତୁର୍ଦ୍ଧାରୂପେ ହରି ତହିଁ ବିଜେକରି ।

ଶଙ୍ଖ ଚକ୍ର ଗଦା ପଦ୍ମ ଚାରିକରେ ଶୋହେ

ପୀତ ଅମ୍ଵର ଶୋଭିତ ନାନା ରତ୍ନମୟେ ।

ବିନତା ନନ୍ଦନ ପରେ ନାରାୟଣ ବସି

ଧୀରେ ଧୀରେ ଖଗବର ଆକାଶରୁ ଖସି ।

ପ୍ରେମ ଆନନ୍ଦେ ଶବଦେ ଯେହ୍ନେ ଘଡ଼ଘଡ଼ି

ଶ୍ରାବଣ ମାସେ ମାରଇ ଯେହ୍ନେ ଚଡ଼ଚଡ଼ି ।

ଅଣଚାଷ ପ୍ରାୟେ ଶୁଭେ ଆସନ୍ତେ ତୁରିତ

ଦଲଦଲ ବସୁନ୍ଧରୀ ମହୀ ଖଣ୍ଡ ସାତ ।

ଶବଦକୁ ଅନାଇଣ ସର୍ବ ଯଦୁବୃନ୍ଦ

ଦେଖିଲେ ଚତୁର୍ଦ୍ଧାରୂପେ ବିଜୟେ ଗୋବିନ୍ଦ ।

ନବରର ସିଂହଦ୍ଵାରେ ଆସି ବିଜେକରି

ଦେଖିବାପାଇଁ ଯାଦବେ ଆସନ୍ତେ ଯେଝାରି ।

ଅଗ୍ରତରେ ନିରନ୍ତର ହୁଏ ଶଙ୍ଖଧ୍ଵନି

ହୁଳହୁଳି ଦେଲେ ଦ୍ଵାରକାର ଯେ କାମିନୀ ।

ମେଘାଡ଼ମ୍ବର ଉଦ୍ଧଣ୍ଡ ଉଡ଼େ ଏକଲକ୍ଷ

ଆଲମ୍ଵ ବିରାଳ ବିମଳାଦି ପଞ୍ଚମୁଖ ।

ଧୂପକାଠି ଯେ ପନୀର ପାଣିମାନ ସିଞ୍ଚି

ବନ୍ଦନ ଛେରା ସେବତୀ ପାଖୁଡ଼ାକୁ ବିଞ୍ଚି ।

ବୀରତୂର କାହାଳି ଯେ ବାଜେ ଅଳାବେଣୀ

ବୀଣା ବଇଁଶୀ ଉପାଙ୍ଗ ସିଂହନାଦ ପୁଣି ।

ସୁବର୍ଣ୍ଣ ବେତ ଘେନିଣ ପଡ଼ିହାରୀ ଆଗେ

ସୁଧର୍ମା ସଭାକୁ ବିଜେ କରାବନ୍ତି ବେଗେ ।

କୋଟିଏ କିନ୍ନର ସେହି ସଭା ଛନ୍ତି ବହି

ଶଙ୍ଖନିଧି ପଦ୍ମନିଧି ପୂରଅଛି ତହିଁ ।

ଭକ୍ତି  ମୁକ୍ତିଦାତା ପରି ଦିଶେ ଜ୍ୟୋତିର୍ମୟେ

କୋଟିଚନ୍ଦ୍ର ସୂର୍ଯ୍ୟ କିବା ହୋଇଛି ଉଦୟେ ।

ଦେଖିଣ ସନ୍ତୋଷ ହେଲେ ସେ ସମସ୍ତ ଲୋକେ

ଏ କେବଣ ଦ୍ରବ୍ୟ ବୋଲି ପଚାରନ୍ତି ଥୋକେ ।

ଜାଣିମା ଲୋକେ ବୋଲନ୍ତି ଶଙ୍ଖ ପଦ୍ମନିଧି

ଶ୍ରୀଜଗନ୍ନାଥଙ୍କୁ ଏହା ଦେଲେ ଜମ୍ଭଭେଦୀ ।

ସୁଧର୍ମା ସହିତେ ଦେଇଛନ୍ତି ସସ୍ରଯୋନି

ଆବର ଅନେକ ଦ୍ରବ୍ୟ ଆସିଛନ୍ତି ଘେନି ।

ଏତେ ବୋଲିଣ ସକଳେ ଧାମନ୍ତି ଯେ ବେଗେ

ତୁରିତେ ମିଳିଲେ ଯାଇ ସିଂହଦ୍ଵାର ଲାଗେ ।

ବଳଦେବ ଉଗ୍ରସେନ ବସୁଦେବ ହରି

ଏମାନେ ବାଟକୁ ଅଇଲେକ ଅନୁସରି ।

ଇନ୍ଦୁମତୀର ନବରେ ପାର୍ଥ ରହିଥିଲେ

ଶ୍ରୀକୃଷ୍ଣ ଆସନ୍ତେ ଯାଇ ଦରଶନ କଲେ ।

ଅର୍ଜ୍ଜୁନର ହସ୍ତ ଧରି ପ୍ରଭୁ ଦେବହରି

ନବରକୁ ବିଜେ କଲେ ଗରୁଡ଼ୁଁ ଉତୁରି ।

ଉଗ୍ରସେନ ନମସ୍କାର କଲେ ନାରାୟଣ

ପ୍ରଣାମ କରିଲେ ବସୁଦେବଙ୍କ ଚରଣ ।

ତଦନ୍ତରେ କଲେ ବଳଦେବ ପାଦପୂଜା

ତତ୍ପରେ ଇନ୍ଦୁମତୀକୁ ନମି ଦେବରାଜା ।

ଆବର ଯାଦବଗଣେ ଯେଝାମାନ୍ୟ କଲେ

ଦେବକୀଙ୍କୁ ନମସ୍କାର ଯାଇଣ କରିଲେ ।

ସନାତନ ପୁରୁଷ ଯା ଆଦିଅନ୍ତ ନାହିଁ

ସମସ୍ତେ ହେଉ ଅଛନ୍ତି ଦେଖି ତାଙ୍କୁ ବାଇ ।

ସେ ଯେବେ ଆପଣା ଧର୍ମ ନ କରେ ପାଳନା

ସମସ୍ତ ପ୍ରାଣୀମାନେ ଯେ ହୋଇବେଟି ବଣା ।

ଯାହାରେ ଆନ ନୁହଇ ଶୁଭାଶୁଭ କର୍ମ

ଲୋକଙ୍କ ମନ ମନାଇ କରି ନାନାଧର୍ମ ।

ଏଥୁ ଅନ୍ତରେ ସକଳ ଯଦୁବୀରମାନେ

ଆନନ୍ଦ ମନରେ ଗଲେ ଯେ ଯାହା ଭୁବନେ ।

ନବରତନ ଜଡ଼ିତ ସବୁ ଗୃହମାନ

ଥୋକେ ବୋଲନ୍ତି ଏହା ତ ଅପୂର୍ବ ଗଠନ ।

ଥୋକାଏ ବୋଲନ୍ତି ଆଉ ଜରା ଭୟ ନାହିଁ

ଥୋକାଏ ବୋଲନ୍ତି ଆମ୍ଭେ ରହିଲେ ଯେ କାହିଁ

ଥୋକାଏ ବୋଲନ୍ତି ଜଗନ୍ନାଥେ ଯେ ଆସନ୍ତେ

କେବଣ କଥା ଅପୂର୍ବ ହୋଇବଟି ଏଥେ ।

ଏସନେକ ବିଚାରନ୍ତେ ନଗ୍ର ନରନାରୀ

ସ୍ନାହାନ ସାରିଲେ ଯାଇ ସ୍ଵାମୀ ଦେବହରି ।

ଭୋଜନରେ ବସିଲେ ସେ ଆନନ୍ଦ ମନରେ

ଦେବକୀ ଦେବୀ ପର୍ଷନ୍ତି ଆଣି ହରଷରେ ।

ସୁସିଦ୍ଧ ପାକ ଅମୃତ ପରାୟ ରାନ୍ଧଣା

ସୁପକ୍ଵ ଅନ୍ନ ବ୍ୟଞ୍ଜନ ଏକୁ ଏକ ଜିଣା ।

ଭୁଞ୍ଜିଣ ତୃପତ ହେଲେ ଦେବ ଭଗବାନ

ଆଚମନ ସାରି କଲେ ତାମ୍ଵୁଳ ଭୋଜନ ।

ସିଂହଦୁଆରେ ସୁଧର୍ମା ସଭାଗୋଟି ଥୋଇ

ଶଙ୍ଖନିଧି ପଦ୍ମନିଧି ପୁରରେ ରଖାଇ ।

ଏଥୁ ଅନନ୍ତରେ ଅସ୍ତ ହେଲେ ଦିନମଣି

କହୁଁ କହୁଁ ପ୍ରବେଶିଲା ଆସିଣ ରଜନୀ ।

ଦ୍ଵାରକାପୁରେ ରହିଲେ ସର୍ବ ନରନାରୀ

ନିତ୍ୟକର୍ମ ସାରି ନିଦ୍ରାଗଲେ ଯେ ଯାହାରି ।

ସମସ୍ତଙ୍କ ମନ ମୋହିଛନ୍ତି ଲକ୍ଷ୍ମୀସାଇଁ

ଜଗବନ୍ଧୁ ଦେଖି ସର୍ବେ ଆନନ୍ଦିତ ହୋଇ ।

ଏହିପରି ପ୍ରସଙ୍ଗରେ କେତେଦିନ ଗଲା

ସବୁଦେଶେ ବାର୍ତ୍ତା ଯାଇ ଚାର ଜଣାଇଲା ।

ଅଷ୍ଟାଦଶ ବେଳ ଜରା ଦେଲାକ ଯେ ଧାଡ଼ି

ଉଗ୍ରସେନ ରାଜା ଗଲେ ମଥୁରାକୁ ଛାଡ଼ି ।

ସବୁ ଯାଦବେ ଘେନିଣ ତ୍ରିଦଶର ସାଇଁ

ଗଡ଼ ବାନ୍ଧିଣ ରହିଲେ ଅବ୍‌ଧି ମଧ୍ୟେ ଯାଇ ।

ସୁବର୍ଣ୍ଣମୟ ଅଟଇ ଦ୍ଵାରକା ଭୁବନ

ଆଡ଼ ଦୀର୍ଘ ପ୍ରତି ତାର ସହସ୍ରେ ଯୋଜନ ।

ସୁନ୍ଦର ଯେ ଶୋଭାକର ଜାଜ୍ଜ୍ଵଲ୍ୟ ତା ଜ୍ୟୋତି

କପିଳାସ କନ୍ଦର କି ପୁର ବାରସ୍ଵତୀ ।

ସେ ପୁରେ ଯାଦବେ ଘେନି ରହି ନାରାୟଣ

ଏସନ ବାରତା ଯାଇ କହି ଚାରଗଣ ।

ଦେଶେ ଦେଶେ ବୁଲି ବୁଲି କହନ୍ତେ ଏସନ

କେତେ ହର୍ଷହେଲେ କେତେ ଦୁଃଖକଲେ ମନ

ଇତି ଶିରୀ ଭାଗବତ ପୁରାଣର ଧ୍ଵନି

ଧର୍ମବାଣୀ ଶୁଣି ନରେ ମୁକ୍ତ ହୁଅ ପୁଣି ।

ପବିତ୍ର ଗଙ୍ଗାଜଳ ଏ ଅତି ପୁଣ୍ୟମୟେ

ଇଦଂ ଚତୁର୍ଦ୍ଦଶ ଅଧ୍ୟା ସମାପତ ହୁଏ ।

 

ଅର୍ଜ୍ଜୁନକୁ ଘେନି ସାତ୍ୟକିର ବାରୁଣାବନ୍ତ ଗମନ ଓ ଗୋପନଗ୍ରରୁ ସୁଭଦ୍ରାକୁ ଆନୟନ

ଏଥୁ ଅନନ୍ତରେ ପୁଣି ଶୁକମୁନି କହି

ଶୁଣ ସାବଧାନେ ତୁମ୍ଭେ କୁରୁକୁଳ ସାଇଁ ।

ଏହି ପରକାରେ ତହୁଁ କେତେ ଦିନ ଗଲା

ଦୁଃଖସୁଖ ଭାବେ ଦିନ ଅତୀତ ହୋଇଲା ।

ଦିନେ ସୁଧର୍ମା ସଭାରେ ପ୍ରଭୁ ଦେବରାୟେ

ଅତ୍ୟନ୍ତ ଆନନ୍ଦ ଚିତ୍ତେ କରିଲେ ବିଜୟେ ।

ଉଗ୍ରସେନ ଆଦି ସର୍ବ ଯାଦବଙ୍କୁ ଘେନି

ବଳଦେବ ପାର୍ଥସହ କେତେକ ସଇନି ।

ଦକ୍ଷିଣ ଖମ୍ଵ ମାଡ଼ିଣ ବସିଲେ ତକ୍ଷଣ

ତାହାଙ୍କର ପାଶେ ବିଜେ କଲେ ନାରାୟଣ ।

ଅଗ୍ରେଛନ୍ତି ଉଗ୍ରସେନ ସୁଦେବ ସହିତେ

ପାରୁଶେ ବସିଅଛନ୍ତି ସାତବଂଶ ଯେତେ ।

ହାତୀ ରଥୀ ପଦାତିକ ଅତ୍ୟନ୍ତ ଗହଳ

ପଟୁଆର ତଳେ ବସି ସର୍ବ ଯଦୁବଳ ।

 

 

ଉଗ୍ରସେନ ମୁଖ ଚାହିଁ ପୁଚ୍ଛନ୍ତି ଅଚ୍ୟୁତ

ମଥୁରା ରାଜ୍ୟେ ଯିବାକୁ ବଳଇ କି ଚିତ୍ତ ।

ଜନନୀ ଜନମଭୂମି ଗଙ୍ଗାକୂଳ ବାସ

ଅନ୍ତିମକାଳେ ପାଆନ୍ତି ଏହା ସୁପୁରୁଷ ।

ଯୁକତେ ମଥୁରା ପିତୃ ପିତାମହ ପୃଥ୍ଵୀ

ନହୁଷ ରାଜାଙ୍କର ସେ ଅପୂର୍ବ କୀରତି ।

ଯଦୁଆଦି ଥିଲେ ତହିଁ ଅନେକ ଯେ ରାଜା

ଦିଗପାଳ ସମାନରେ ପାଉଥିଲେ ପୂଜା ।

ସାତବଂଶ ଯାଦବ ଯେ ଏକୁ ଏକ ଯୋଦ୍ଧୀ

ସମୟେ ଭୋଗ କରିଲେ ମହତ ସମୃଦ୍ଧି ।

ଏତେକାଳରେ ଖଣ୍ଡିଲା ଧାତା ତାହା ଆଣି

ପୂର୍ବର ବିଷୟ ଏହା ପୁରାଣେ ବଖାଣି ।

ସେ ବଂଶକୁ କଂସରାଜା ହେଲା ପୁଣି ସଲ

ଜରା ଜୀବନେ ଥିଲେ କି ଅଛି ଆମ୍ଭ ଭଲ ।

ରାଜ୍ୟ ଉଜାଡ଼ି କଟକ ଗୋଟି ଦେଲା ଭାଜି

ପୁଣି ବାହିବ ବୋଲିଣ ସଦା ଥାଏ ବୁଝି ।

କେତେ ତାହାର ସଙ୍ଗରେ ହେବ ଅମରଷ

ଅତି ମନ୍ଥନେ ଉପୁଜେ କାଳକୂଟ ବିଷ ।

ଈଶ୍ଵର ଭଳି ଲୋକ ଯେ ତାହାକୁଟି ପୂଜି

ହୃଷ୍ଟଲୋକ ହାତେ ଆଉ କେତେ ହେବ ଗଞ୍ଜି ।

ତେଣୁକରି ଅପସରି ଅଇଲୁ ସର୍ବଥା

ଲୋକେ ମହାଲଜ୍ଜା ପୁଣି ଆପଣାର କଥା ।

ତୁମ୍ଭେ ସେ ଅଟ ଆମ୍ଭର ପିତୃ ପିତାମହ

ତୁମ୍ଭ ବିଚାରେ ଏ କଥା ଯୋଗାଏ କି କହ ।

ନୋହିଲେ ମଥୁରାପୁରେ ଯେବେ ମନ ହୋଇ

ଅବିଳମ୍ଵେ ସେଠାବରେ ଛାଡ଼ିବାକ ନେଇ ।

ତୁମ୍ଭେ ତ ଜରାସନ୍ଧର କରିନାହଁ ଦୋଷ

ଆମ୍ଭ ନିମନ୍ତେ ତୁମ୍ଭଙ୍କୁ କରିଅଛି ରୋଷ ।

ଯୁକତରେ ବନ୍ଧୁଭାବ ହେବ ପାଶେ ଗଲେ

ଉପେକ୍ଷା କରିବ କୋଟିଏକ ଦୋଷ ଥିଲେ ।

ଯାଦବଙ୍କର ସେପରି ନାହିଁ ଦୋଷ ପୁଣି

ଶ୍ରଦ୍ଧା ଥିଲେ ମଥୁରାକୁ ଯିବା ଏହିକ୍ଷଣି ।

ପିତୃ ଭୂମିରେ ଯାହାର ହେଉଅଛି ବାଞ୍ଛା

ଯିବାକୁ ଉଦ୍‌ବେଗ ହୁଅ ଯେ ଯାହାର ଇଚ୍ଛା ।

ଉଗ୍ରସେନ ବୋଲେ ତୁମ୍ଭେ ଅଟ ବ୍ରହ୍ମରାଶି

ପୁରାଣ ପୁରୁଷୋତ୍ତମ ବସୁଦେବ ଶିଷି ।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଯାକୁ କରି ଚିନ୍ତା

ସନାତନ ପ୍ରଭୁ ତୁମ୍ଭେ ଅଟ ମୁକ୍ତିଦାତା ।

ଭୂଲୋକ ଯେ ଭୁବଲୋକ ସ୍ଵର୍ଲୋକ ଏ ତିନି

ମହଲୋକ ଜନଲୋକ ସତ୍ୟଲୋକ ଘେନି ।

ଏରୂପେ ଅନେକ ଲୋକ ଅଷେ ବ୍ରହ୍ମାଣ୍ଡ

ଆଗହୁଁ ଦେଇଛ ତୁମ୍ଭେ ସମସ୍ତଙ୍କୁ ପିଣ୍ଡ ।

ପଞ୍ଚଭୂତ ପଞ୍ଚତତ୍ତ୍ଵ ଖେଳଘର ସିନା

ଭକତ ଜନ ବାନ୍ଧବ କର ହେ କରୁଣା ।

ସେ ପିତାମହ ଭୂମିରେ ନାହିଁ ମୋର କାର୍ଯ୍ୟ

ତୁମ୍ଭ ପାଦ ଆଶା କରିଥିବି ଦେବରାଜ ।

ସର୍ବେଶ୍ଵର ନାଥ ତୁମ୍ଭେ ଭୁଲାଅ କିପାଇଁ

ମୁଁ ପୂର୍ବ ଅଭିସମ୍ପାତେ ଅଛି ଜନ୍ମ ହୋଇ ।

ସତ୍ୟ କହୁଅଛି ମଥୁରାକୁ ମନ ନାହିଁ

ଶିବଲୋକ ଅଭିଶାପୁ ମୁକ୍ତ ଏବେ ହୋଇ ।

ତୁମ୍ଭ ସଙ୍ଗେ ରହିବି ନା ବିଳସି ଦ୍ଵାରକା

ତେବେ ରୁଦ୍ରଗଣେ ମୁହିଁ ହୋଇବଇଁ ଲେଖା ।

ତୁମ୍ଭେ କହିଲେ କଦାପି ମୁଁ ତ ଯିବି ନାହିଁ

ନିର୍ବାଣ ମୁକତି କେବା ଛାଡ଼େ ଦେହ ବହି ।

ଅମୃତ ହୁଡ଼ିଣ କେହୁ ଭୁଞ୍ଜିବ ଗରଳ

ମଣି ଛାଡ଼ି କରିବ କେ ଗଳେ ସର୍ପମାଳ ।

ଗଙ୍ଗାଜଳ ତେଜି ପୂଜଜଳ କେ ଭକ୍ଷିବ

ଗୋ ବ୍ରାହ୍ମଣ ଛାଡ଼ି ଶିବପୂଜା କେ କରିବ ।

ତୁମ୍ଭେ ଦେବାଧିଦେବ ଯେ ଜାଣ ସର୍ବମନ

ଯାଦବଙ୍କୁ କାହିଁପାଇଁ କରୁଅଛ ଭିନ୍ନ ।

ଏ ମୋହର ପଞ୍ଚପ୍ରାଣ ପଛେ ହେଉ ତେଜ୍ୟା

ତୁମ୍ଭ ପାଶୁଁ ନ ଯିବଇଁ କେବେ ଦେବରାଜା ।

ସର୍ବ ଯାଦବେ ବୋଇଲେ ଏସନକ ବାଣୀ

ନିରାଶ ବଚନ କିପାଁ କହ ଚକ୍ରପାଣି ।

ଯାଦବମାନେ ତୁମ୍ଭର ସିନା ଅଟୁ ଭୃତ୍ୟ

ଯାହା ଇଚ୍ଛା ତାହା କର ତୁମ୍ଭର ଯେ ଚିତ୍ତ ।

ସତ୍ୟ ସତ୍ୟ କହୁଅଛୁ ସତ୍ୟ ହେ ତୁମ୍ଭଙ୍କୁ

ତୁମ୍ଭେ ବା ଛାଡ଼ିଲେ ଆମ୍ଭେ ନ ଛାଡ଼ି ତୁମ୍ଭଙ୍କୁ ।

ତୁମ୍ଭ ଭୃତ୍ୟ ହୋଇ ସେବାକାରୀ ପଣେ ଥିବୁ

ତୁମ୍ଭେ ଯେଣେ ଯିବ ଆମ୍ଭେ ତେଣିକି ଯେ ଯିବୁ ।

ଏହା ଆମ୍ଭଙ୍କୁ ନ କହ ଆହେ ନାରାୟଣ

ନିରନ୍ତର ଭଜୁଥିବୁ ତୁମ୍ଭର ଚରଣ ।

ଏତେ ମତେ ଯାଦବନ୍ତ କଲେ ନିଉଛାଳି

ବୋଇଲେ ମୃତ୍ୟୁ ଲଭିବୁ ନିଶ୍ଚେଁ ବନମାଳୀ ।

ନଗ୍ର ନରନାରୀମାନେ ଏହି କଥା ଶୁଣି

ସମସ୍ତେ ତ୍ରିବାର ସତ୍ୟ କଲେ ସେହିକ୍ଷଣି ।

ହରି ବଳରାମ ଆମ୍ଭେ ଉପରେ ଯେ ରାଜା

ଉଗ୍ରସେନ ଆଦିକରି ସକଳେ ପରଜା ।

ଏହିକ୍ଷଣି ଦଣ୍ଡଛତ୍ର ଟେକିନେଇ ଆଗେ

ଅଭିଷେକ କରାଇବୁ ତୁମ୍ଭଙ୍କୁ ଯେ ବେଗେ ।

ଜଗନ୍ନାଥ ବୋଇଲେ ୟା ନୁହଇ ଉଚିତ

ଉଗ୍ରସେନ ଆମ୍ଭମାନଙ୍କର ନୃପନାଥ ।

ତାହାଙ୍କ ଥାଆନ୍ତେ ଆମ୍ଭେ ହୋଇବୁଁ କି ରାଜା

ମୂର୍ଦ୍ଧନାଭିଷେକୀ ସେହୁ ଅଟେ ମହାରାଜା ।

ଆମ୍ଭେ ତ ବିଶେଷେ ନୋହୁ ରାଜପୁତ୍ର ଜେନା

ଆମ୍ଭ ପିତା ବସୁଦେବ ରାଜ୍ୟେ ପାତ୍ର ସିନା ।

ପାତ୍ରକୁଳେ ଜନ୍ମ ହୋଇ ଧରାଇବୁ ଛତ୍ର

ଉପହାସ କରିବେଟି ଶୁଣି ୟା ଜଗତ ।

ଯାଦବେ ବୋଇଲେ ଦେବ ଯେ ତୁମ୍ଭର ଇଚ୍ଛା

ବ୍ରହ୍ମା ଇନ୍ଦ୍ର ରୁଦ୍ରପଦ ଯାହା ହୁଏ ବାଞ୍ଛା ।

ଅଶେଷ କୋଟି ଠାକୁର ପରେ ଶିରୋମଣି

ଶମ୍ଭୁଲିଙ୍ଗ ଥାନ୍ତେ ଶିଳପୁଆକୁ ବରଣି ।

ତୁମ୍ଭେ ଜଗତ କରତା ବ୍ରହ୍ମାଣ୍ଡ କାରେଣି

ତୁମ୍ଭେ ଯାହାକୁ ସ୍ଥାପିବ ଆମ୍ଭେ ରାଜା ମାନି ।

ଏତେ ବୋଲିଣ ଯାଦବ ଚଉରାଶୀ କୋଟି

ଉଗ୍ରସେନ ପୂଜା କଲେ ସଭାପରୁ ଉଠି ।

ହସ୍ତୀର ଉପରେ ଛତ୍ରୀ ଧରାଇ ଯତନେ

ନଗ୍ରେ ବିଜେ କରାଇଲେ ରାଜା ଉଗ୍ରସେନେ ।

ପରିବାରୀଏ ଗୋଡ଼ାଇ ଅଛନ୍ତି ପଛରେ

ସମ୍ଭର୍ବେ ପାଟବଂଶୀଏ ଦେବରାଜା ଠରେ ।

ତଦଅନ୍ତେ ଯଦୁଗଣେ ଯେଝା ଗୃହେ ଗଲେ

ସାତ୍ୟକିକୁ ଡାକି କୃଷ୍ଣ ଏମନ୍ତ ବୋଇଲେ ।

ତୁମ୍ଭେ ତ ସାତ୍ୟକି ଅଟ ଆମ୍ଭ ନିଜ ଦେହ

ରହିଥାଏ ତୁମ୍ଭପରେ ସଦା ଆମ୍ଭ ସ୍ନେହ ।

ବାରୁଣା କଟକେ ତୁହି ଏହିକ୍ଷଣି ଯିବୁ

ଯୁଧିଷ୍ଠିଙ୍କ ଅଗ୍ରତରେ ପାର୍ଥେ ସମର୍ପିବୁ ।

ଆମ୍ଭ ବାର୍ତ୍ତା ଯୁଧିଷ୍ଠିଙ୍କ ଅଗ୍ରତରେ କହି

ତାଙ୍କ ଶୁଭବାର୍ତ୍ତା ଘେନିଆସ ଶ୍ରୀଘ୍ର ହୋଇ ।

ଆବର ବଚନ ଏକ ମୋର ଶୁଣିଯାଅ

ଲେଉଟାଣିବେଳେ ଗୋପେ ଯିବୁଟି ନିଶ୍ଚୟ ।

ନନ୍ଦ ଆମ୍ଭର ଜନକ ଯଶୋଦା ଯେ ମାତା

ଆମ୍ଭେ ତାଙ୍କ ପୁତ୍ର ସେହୁ ଆମ୍ଭ ଜନ୍ମ କର୍ତ୍ତା ।

ଗୋପରେ ବସନ୍ତି ଯେତେ ନଗ୍ର ନରନାରୀ

ପ୍ରାଣର ସମାନ ସେହୁ ଅଟନ୍ତି ଆମ୍ଭରି ।

ନନ୍ଦ ଯଶୋଦାଙ୍କୁ ତୁମ୍ଭେ କହିବ ସନ୍ଦେଶ

ଆମ୍ଭ ଭଗ୍ନୀ ଶୁଭଦ୍ରାକୁ ଘେନି ବେଗେ ଆସ ।

ଏତେ ବୋଲି ଲେଖାଗୋଟି ଲେଖିଣ ଶ୍ରୀହରି

ସାତ୍ୟକିର ହସ୍ତେ ଦେଲେ ବିଶ୍ଵାସ ସେ କରି ।

ବୋଇଲେ ଏହା ନେଇଣ ନନ୍ଦ କରେ ଦେବୁ

ଯଶୋଦାଙ୍କ ଆଗେ ସବୁ ମଣାଇ କହିବୁ ।

ଯେତେ ସମ୍ପତ୍ତି ଅର୍ଜିଲୁ ଯେତେ ଧନଦ୍ରବ୍ୟ

ବିଚାରିଲେ ଏହିମାନ ଅଟେ ତାଙ୍କ ସର୍ବ ।

ଗୋପୀ ଗୋପାଳେ କହିବ ଏହି ଦୃଢ଼ବାଣୀ

ଆମ୍ଭେ ତାହାଙ୍କର ବୋଲି ମନେ ଥିବେ ଜାଣି ।

କାର୍ଯ୍ୟ ଅନେକ ହୋଇବ ଅର୍ଜି ବହୁଯଶ

ନାନାମତେ କହି ସୁଭଦ୍ରାକୁ ଘେନିଆସ ।

ନନ୍ଦ ଯଶୋଦାଙ୍କୁ ପୁଣି କହିବଟି ଏହା

ଏହି ମତେ କହିଛନ୍ତି ପ୍ରଭୁ ଚଉବାହା ।

ତାହାଙ୍କ ଦୁହିତା ବୋଲି କରିଥିବେ ସ୍ନେହ

ଆମ୍ଭର ଭଗିନୀ ତାଙ୍କ ତହିଁ ଆମ୍ଭ ମୋହ ।

ଥୋକେଦିନ ରହି ଏଥେ ବଢ଼ିବ ମୋ ତୁଲେ

ଭଲଠାରେ ବିଭା ଦେବୁ ତାହାଙ୍କର ବୋଲେ ।

ଆମ୍ଭେ ଯେ ମଥୁରାପୁରୀ ଛାଡ଼ିଣ ଅଇଲୁ

ଜରାସନ୍ଧ ଡରେ ଆମ୍ଭେ ଏଠାରେ ରହିଲୁ ।

ଏହି କଥାମାନ ବାବୁ କହ ବେଗେ ଯାଇ

ଯୁଧିଷ୍ଠିଙ୍କ ସମ୍ମୁଖରେ ଭାଷା ଦେବୁ ନେଇ ।

ଅର୍ଜ୍ଜୁନକୁ ଅକ୍ଷତ ଯେ ଦେଲେ ଜଗନ୍ନାଥ

ହୀରା ମଣି ମାଣିକ୍ୟାଦି ଦ୍ରବ୍ୟ ଶତେ ରଥ ।

ସହସ୍ରେକ ମତ୍ତଗଜ ଦଶସସ୍ର ଅଶ୍ଵ

ପାଟପତନୀ ସିନ୍ଧୁଆ ଦେଲେ ଝୀନବାସ ।

ବୀରବେଶ ଅର୍ଜ୍ଜୁନକୁ କରି ଦେବରାଜ

ବୋଇଲେ ନନ୍ଦିଘୋଷରେ ବାରୁଣା ଯା ଆଜ ।

ତୁହି ମୋର ପଞ୍ଚପ୍ରାଣ ଅଟୁ ଧନଞ୍ଜୟ

ତୋତେ ଘେନି କରିବି ମୁଁ ଭାରାଭର କ୍ଷୟ ।

କୋଳ ସମ୍ଭାଷଣ ତାକୁ କଲେ ଚକ୍ରପାଣି

ନନ୍ଦିଘୋଷ ରଥପରେ ବସାଇଲେ ଆଣି ।

ଖଣ୍ଡେକ ଦୂର ପର୍ଯ୍ୟନ୍ତେ ଚଳିଲେ ପାଛୋଟି

ଯାଦବଙ୍କୁ ଘେନି ତହୁଁ ଅଇଲେ ଲେଉଟି ।

ତତକ୍ଷଣେ ସାତ୍ୟକି ଯେ ଅଶ୍ଵନ୍ତ ହାମ୍ପୋଳି

ଅଶ୍ଵ ପିଟିଦ୍ୟନ୍ତେ ଶୂନ୍ୟମାର୍ଗେ ଗଲେ ଚଳି ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକଯତି

ଶୁଣ ତୁ ହୋ ସାବଧାନେ ଅର୍ଜ୍ଜୁନର ନାତି ।

ଚଳିଗଲା ନନ୍ଦିଘୋଷ ଆକାଶ ମାର୍ଗରେ

ଧାତିକାରେ ମିଳେ ଯାଇ ବାରୁଣାବନ୍ତରେ ।

ଆସ୍ଥାନରେ ବସିଥିଲେ ଯୁଧିଷ୍ଠି ରାଜନ

ଛାମୁରେ ମିଳିଲେ ଯାଇ ସାତ୍ୟକି ଅର୍ଜ୍ଜୁନ ।

ଧାତିକାରେ ରଥପରୁ ଉତୁରିଣ ଗଲେ

ପାଦେ ପଡ଼ି ସାଷ୍ଟାଙ୍ଗରେ ଦଣ୍ଡବତ କଲେ ।

ଯୁଧିଷ୍ଠିଙ୍କ ମନ ଶାନ୍ତି ଅର୍ଜ୍ଜୁନଙ୍କୁ ଦେଖି

ଦୁହିଙ୍କୁ କୋଳ କରିଲେ ଆସନ ଉପେକ୍ଷି ।

ସାତ୍ୟକିଙ୍କୁ ନିଜ ସିଂହାସନରେ ବସାଇ

ବାମ ଜାନୁରେ ପାର୍ଥକୁ ବସାଇଲେ ନେଇ ।

ପୁଣ ପୁଣ ଚୁମ୍ବନ ସେ ଦେଇ କୋଳକରି

ବହୁତ ଆଦର କଲେ କୁଶଳ ପଚାରି ।

ଭୀମ ନକୁଳ ଯେ ସହଦେବ ସହିତରେ

ବାର୍ତ୍ତାପାଇ କୁନ୍ତୀଦେବୀ ମିଳିଲେ ସେଠାରେ ।

ଦୁର୍ବାକ୍ଷତ ବନ୍ଦାଇଲେ ଦେବୀ ସେ ଦୁହିଙ୍କି

ସମସ୍ତ କହିଲେ ତାଙ୍କୁ ଅର୍ଜ୍ଜୁନ ସାତ୍ୟକି ।

ଶୁଣି ଯୁଧିଷ୍ଠିର ରାଜା ହୋଇଣ ତୃପତି

ମନେ ବିଚାରିଲେ ନିସ୍ତରିଲି ମୁଁ ଏ ଘାନ୍ତି ।

ଅଶେଷ କୋଟି ବ୍ରହ୍ମାଣ୍ଡ ଠାକୁର ଯେ ହରି

ଆମ୍ଭଙ୍କୁ ସୁଦୟା ଯେବେ ଅଛି ତାହାଙ୍କରି ।

ଏଥିରୁ ଅଧିକ ଭାଗ୍ୟ କି ଅଛି ଜଗତେ

ଶ୍ରୀକୃଷ୍ଣଙ୍କ ପ୍ରସାଦରୁ ରହିବୁ ନିଶ୍ଚିନ୍ତେ ।

ସାତ୍ୟକି ମୁଖକୁ ଚାହିଁ କୁନ୍ତୀ ଯେ ବୋଲନ୍ତି

ପାଣ୍ଡବଙ୍କ ଇଷ୍ଟଦେବ ଶ୍ରୀକୃଷ୍ଣ ଅଟନ୍ତି ।

ତୁ ବାବୁ ସାତ୍ୟକି ଅଟୁ କୃଷ୍ଣଙ୍କର ଦେହ

ମୋ ପୁତ୍ରଙ୍କ ପାଇଁ ତାଙ୍କ ଛାମୁରେ ଜଣାଅ ।

ଆରତଭଞ୍ଜନ ବୋଲି ଉଡ଼େ ତାଙ୍କ ବାନା

ଅରକ୍ଷିତ ପ୍ରାଣୀଙ୍କର ସେ ଯେ ବଜ୍ରସେହ୍ନା ।

ମୁହିଁ ପାଞ୍ଚପୁତ୍ର ଘେନି ପଶିଲି ଶରଣ

ସୁଦୟା କରନ୍ତୁ ମୋତେ ପ୍ରଭୁ ନାରାୟଣ ।

ବିଚାରିଲେ ସେହି ପୁଣି ନୁହନ୍ତି ତ ପର

ସୋଦର ଭଗ୍ନୀର ପୁତ୍ର ଅଟନ୍ତି ଯେ ମୋର ।

କୁରୁ ପାଣ୍ଡବଙ୍କ ଯୁଦ୍ଧ ହୋଇବା ସମୟେ

କୃଷ୍ଣ ସାହା ହେଲେ ରକ୍ଷା ପାଇବେ ମୋପୋଏ ।

ବିଶ୍ଵକୂଟ ମୟାଧର ପ୍ରଭୁ ଚକ୍ରପାଣି

ପୂର୍ବଜନ୍ମ ହେତୁରୁ ମୁଁ ଅଛି ଏହା ଜାଣି ।

ତୁ ବାବୁ ସାତ୍ୟକି ଯଦୁବଂଶରେ ସୁଜାଣ

ବହୁତ ଦୟା କରନ୍ତି ତୋତେ ନାରାୟଣ ।

ତୁ ମୋହର ପାଇଁ ତାଙ୍କୁ କହିବୁ ବହୁତ

ଜାଣିଥା ପାଣ୍ଡବେ ନିଶ୍ଚେଁ ଶ୍ରୀକୃଷ୍ଣଙ୍କ ଭୃତ୍ୟ ।

ଏହି ସମୟରେ ଆସି ମିଳିଲେ ବିଦୁର

କୁଇନ୍ତାଙ୍କ ଚରଣରେ କଲେ ନମସ୍କାର ।

ଭୀମ ଅର୍ଜ୍ଜୁନ ନକୁଳ ଆଦି ଯୁଧିଷ୍ଠିରେ

ବିଦୁରଙ୍କୁ ନମସ୍କାର କଲେ ଧାତିକାରେ ।

ସାତ୍ୟକିକୁ ଦେଖି କୋଳ ସମ୍ଭାଷଣ କଲେ

ନିତ୍ୟକର୍ମ ସାରି ମଣୋହିକି ବିଜେ କଲେ ।

ଆପେ କୁଇନ୍ତା ଦେବୀ ଯେ ପରଷିଲେ ଅନ୍ନ

ନାନା ବ୍ୟଞ୍ଜନ ରାନ୍ଧଣା ଅମୃତ ଭୋଜନ ।

ଭୁଞ୍ଜିକରି ସାତ୍ୟକି ଯେ ସନ୍ତୋଷ ହୋଇଲେ

କୁଇନ୍ତା ମୁଖକୁ ଚାହିଁ ସଧୀରେ କହିଲେ ।

ମାଗୋ ପରଂ ମାହେଶ୍ଵରୀ ନ ଜାଣ ବା କାହା

ନିଶ୍ଚେ ଜଗନ୍ନାଥ ହେବେ ତୁମ୍ଭ ପୁତ୍ରେ ସାହା ।

ଅଭେଦ ଆତ୍ମା ଅଟନ୍ତି କୃଷ୍ଣ ଅରଜୁନ

ତେଣୁ ସ୍ନେହକରି ଦେଲେ ନନ୍ଦିଘୋଷ ଯାନ ।

କୃଷ୍ଣଙ୍କ ଦୟାରୁ ମାଗୋ ଗଲା ତୁମ୍ଭ ଦୁଃଖ

ଏଣିକି ନିଶ୍ଚିନ୍ତ ହୋଇ ଭୋଗ କର ସୁଖ ।

ଏମନ୍ତେ ସାତ୍ୟକି ତାଙ୍କୁ ପ୍ରବୋଧନା କରି

ଗୌରବ ପାଇ ରହିଲେ ତହିଁ ଦିନ ଚାରି ।

କୁନ୍ତୀଙ୍କୁ ଆଜ୍ଞା ମାଗିଣ ଯୁଧିଷ୍ଠିଙ୍କୁ କହି

ରଥେ ବସି ଲେଉଟିଲେ ତହିଁ ବେଗ ହୋଇ ।

ଅନେକ ଅକ୍ଷତ ଦ୍ରବ୍ୟ ପାଇ ଉପହାର

ଗୋପରେ ପ୍ରବେଶ ହେଲେ ଯାଇଣ ସତ୍ଵର ।

ଦେଖିଲେକ ମଧୁପୁର ହୋଇଛି ଉଜାଡ଼ି

କଟକ ଆଦି କରିଣ ଯାଇଅଛି ପୋଡ଼ି ।

ରାଜାର ଅଭାବେ ପ୍ରଜା ଅରକ୍ଷିତ ପରି

ଧନ କାଞ୍ଚନ ବିହୀନେ ଯେହ୍ନେ ହତଶିରୀ ।

ଦେଖ ଗୋପପୁରଯାକ ହୋଇଅଛି ଏକା

ରାଜା ଉପଦ୍ରବ ହେତୁ ପୁରଯାକ ଡକା ।

ଖଣ୍ଡ ଦଣ୍ଡପାଟ ହେତୁ ଖଣ୍ଡାଇତ ଯେତେ

ନିରନ୍ତର ପୀଡ଼ାକରି ଯେ ଯାହାର ମତେ ।

କଂସମଲା ଉଗ୍ରସେନ ଗଲା ରାଜ୍ୟଛାଡ଼ି

ଖଣ୍ଡାଇତ ଆଗକୁହା ବସିଲେକ ମାଡ଼ି ।

ଖଳ ବଳୀୟାର ହେଲେ ରଖନ୍ତାକେ ନାହିଁ

ସାଧୁ ସୁଜ୍ଞଜନେ ଭୟେ ଗଲେଣି ପଳାଇ ।

ଦେଖିଣ ସାତ୍ୟକି ମନେ ପାଇ ବହୁବ୍ୟଥା

ବୋଲେ ଶ୍ରୀକୃଷ୍ଣଙ୍କ ଆଗେ କହିବି ଏ କଥା ।

ଏ ମଥୁରା ଆଦି ପିତୃ ପିତାମହ ପୃଥ୍ଵୀ

ରଖି ନ ପାରିଣ ଆମ୍ଭେ ଅର୍ଜିଲୁ ଅକୀର୍ତ୍ତ ।

ରାଜାର ଥାଆନ୍ତେ ଯେବେ ପ୍ରଜା ହ୍ଵନ୍ତି ନଷ୍ଟ

ଭର୍ତ୍ତା ଥାଉଁ ଭାର୍ଯ୍ୟା ଯେବେ ହୁଅଇ ବିନଷ୍ଟ ।

ପିତାଥାନ୍ତେ ଅପାଣ୍ଡୁକ ହୁଏ ଯେବେ ପୁତ୍ର

ତାହାକୁ ବୋଲିବା ସିନା ଧାତା ଘଟସୂତ୍ର ।

ସପ୍ତନିଧି ଆବୋରି ଯେ ନ ପାଇ କାରଣ

ଜଗବନ୍ଧୁ ନାଥ ୟାକୁ ଗଲେକ ମୁର୍ଚ୍ଛିଣ ।

ପରଶୁ ପଥର ଲାଗି ଅଷ୍ଟଲୌହ ସୁନା

ଏ ମଥୁରା ରାଜ୍ୟ ଲୋକେ ସେହିମତେ ସିନା ।

ଏତେ ଭାଳି ରଥେ ଯାନ୍ତି ଯମୁନାର କୂଳେ

ନିମିଷକେ ମିଳିଲେକ କଦମ୍ଵର ମୂଳେ ।

କୁଞ୍ଜବନ ଦେଖି ବହୁ ପରଶଂସା କରି

ଅନ୍ତର୍ଗତେ ଭାଳେ ଏଥେ ଥିଲେ ଦେବହରି ।

ଧନ୍ୟ ତରୁମାନେ ଏଥେ ବସି ଯେତେ ଜୀବ

ଏଥେ ବନ୍ୟ କ୍ରୀଡ଼ା କରିଥିଲେ ବାସୁଦେବ ।

ଧନ୍ୟ ଏ କାଳିନ୍ଦୀ ନଦୀ ପୁତ୍ୟ ୟାର ଜଳ

ଏ ନଦୀରେ କ୍ରୀଡ଼ା କରିଥିଲେ ନନ୍ଦବାଳ ।

ଏତେ ଭାଳି ଯମୁନାରେ ସ୍ନାହାନ କରିଲେ

ଗୋଧିକା ଘାଟ ଜିଣିଣ ଗୋପେ ପ୍ରବେଶିଲେ ।

ଗୋରୁଙ୍କର ତଡ଼ବଡ଼ି ଚାଲିବାର ପ୍ରାୟେ

ଗୋପାଳମାନେ କ୍ରୀଡ଼ନ୍ତି ଘେନି ବାଳପୋଏ ।

ଜଗତୀ ମେଢ଼ ମଣ୍ଡପ ଦେଉଳ ଅଟ୍ଟାଳି

ଝିଙ୍କପକ୍ଷୀ ବିହରନ୍ତି ହୋଇ ମେଳି ମେଳି ।

ବାଳବୃଦ୍ଧ ତରୁଣାଦି ଯେତେ ତହିଁ ନରେ

ଶ୍ରୀକୃଷ୍ଣଙ୍କ ଗୁଣମାନ ଗାବନ୍ତି ମୁଖରେ ।

ସ୍ଥାବର ଜଙ୍ଗମ କୀଟ ପତାଙ୍ଗାଦି କରି

ଅଛିଦ୍ରଭାବେ ସକଳ ଘଟେ ଛନ୍ତି ପୂରି ।

ସେହି ସ୍ଵାମୀଙ୍କ ଦର୍ଶନ ପାଆନ୍ତି ଯଦ୍ୟପି

ଦେହେ ପ୍ରାଣ ଥିଲେ ମୂର୍ଚ୍ଛ ନ ପାରି କଦାପି ।

ସାତ୍ୟକି ବିଚାରେ ଗୋପେ ୟାଙ୍କ ଜନ୍ମଧନ୍ୟ

ମନ ବଚନ କାୟାରେ ଚିନ୍ତି ଭଗବାନ ।

ରାତ୍ର ଦିବସ ଘୋଷନ୍ତି ଅଭ୍ୟାସକୁ କରି

ବିଚାରିଲେ ତପ ନୋହିବ ତ ୟାଙ୍କୁ ସରି ।

ଶ୍ରୀକୃଷ୍ଣ ସଙ୍ଗେ ଏ ଖେଳୁଥିଲେ ନାନାରଙ୍ଗେ

ପାପାଧିପାତକ ନ ଥିବଟି ୟାଙ୍କ ଅଙ୍ଗେ ।

ଆଜି ମୁହିଁ ନୟନରେ ଏହାଙ୍କୁ ଦେଖିଲି

କୋଟିଏ ଜନ୍ମ ପାତକମାନ ବିଧ୍ଵଂସିଲି ।

ଏତେ ବିଚାରିଣ ମନେ ହରି ହରି ସ୍ମରି

ଗୋପରେ ରଥ ଚଳାଏ ଅତି ଧୀରକରି ।

ଦେଖି ନଗ୍ର ନରନାରୀ ଗୋଡ଼ାବନ୍ତେ ପଥେ

ଅପୂର୍ବ ପ୍ରାୟେ ମଣିଣ ଦେଖୁଛନ୍ତି ନେତ୍ରେ ।

ଏସନକ ଯାନ ଆମ୍ଭ ଦେଖିଲା ତ ନାହିଁ

କେବଣ ଦେବ ଅବା ଏ ନରତନୁ ବହି ।

ଥୋକାଏ ବୋଇଲେ କିବା ଶ୍ରୀକୃଷ୍ଣ ଅଇଲେ

ଥୋକାଏ ବୋଲନ୍ତି ଅବା ହଳୀ ବିଜେ କଲେ ।

କେହୁ ବୋଇଲେ ସୁବର୍ଣ୍ଣପ୍ରାୟେ ଦେହଜ୍ୟୋତି

ଏ ଅଟେ ସାତ୍ୟକି କୃଷ୍ଣଠାରେ ଅତି ପ୍ରୀତି ।

ଯାଦବଙ୍କର ଅଗ୍ରଣୀ ଅଟେ ଦେବବଳା

ରାଜ୍ୟକୁ ତ ମନ୍ତ୍ରୀ ହୁଏ ମହା ଅନର୍ଗଳା ।

କେ ବୋଲଇ ପଳାଇଲେ ରାଜ୍ୟ ଦେଶ ଛାଡ଼ି

କେହୁ ବୋଇଲେ ଅବା ସେ ଅଇଲେ ବାହୁଡ଼ି ।

କେହୁ ବୋଇଲେ ଅକ୍ରୂର ପୂର୍ବେ ଆସିଥିଲା

ଆମ୍ଭ ଆଶା ଭାଙ୍ଗି ରାମ କୃଷ୍ଣ ଘେନି ଗଲା ।

କେହୁ ବୋଲେ ସେ ଉଦ୍ଧବ ଅଇଲେଗୁପତେ

ଦେଖୁଛୁଁ ଭଣ୍ଡିଗଲା ସେ ଆମ୍ଭଙ୍କୁ ଏମନ୍ତେ ।

ତୃତୀୟରେ ସାତ୍ୟକି ତ ଆସିଅଛି ପୁଣି

ଭଲ ଜଣେ ଘେନିଯିବ ଆମ୍ଭ ମନ ଜାଣି ।

ଏସନକ ବିଚାରନ୍ତି ଗୋପ ନରନାରୀ

ସାତ୍ୟକି ପଛେ ଗୋଡ଼ାଇଛନ୍ତି ଯେ ଯାହାରି ।

ନଗ୍ର ପରିମଳେ ଥୋକାଏକ ଦୂର ଗଲେ

ନନ୍ଦରାଜା ଉଆସରେ ଯାଇ ପ୍ରବେଶିଲେ ।

ତରତର ହୋଇଣ ସେ ଭିତରକୁ ପଶି

ଦେଖିଲେ ଯଶୋଦା କୋଳେ ଭଦ୍ରାଅଛି ବସି ।

ଏହି ସମୟେ ସାତ୍ୟକି ମିଳିଲାକ ଯାଇ

ଛାମୁରେ ଉଭା ହୋଇଲେ କାଖେ ହାତଦେଇ ।

ଅନେକ ସ୍ତୁତି ବଚନେ କଲା ଭକ୍ତିଭାବ

କହେ ଭଦ୍ରା ଯିବାବାର୍ତ୍ତା ଦେଇଛନ୍ତି ଦେବ ।

ତୁମ୍ଭେ ତାଙ୍କ ପିତା ମାତା ସେ ତୁମ୍ଭ କୁମର

ଅଶେଷ କୋଟି ବ୍ରହ୍ମାଣ୍ଡେ ଯେ ପ୍ରଭୁ ଈଶ୍ଵର ।

ସମୟେ ଖେଳିଲ ତୁମ୍ଭେ ତାହାଙ୍କୁ ତ ଘେନି

ଏବେ ତାହାଙ୍କର ଗୁଣ ମନରେ ବାହୁନି ।

ଦେଲେ ରାମକୃଷ୍ଣ ବାର୍ତ୍ତା ଏମନ୍ତ ରୂପେହିଁ

ସେ ତୁମ୍ଭର ପୁତ୍ର ସିନା ଜାଣ ସର୍ବଦାହିଁ ।

ଏବେ ତୁମ୍ଭର ନିକଟେ ଛନ୍ତି ମୋତେ ପେଷି

ସର୍ବ ଶୁଭବାର୍ତ୍ତା ଘେନିଅଛି ମୁହିଁ ଆସି ।

କୋଟିଏକ ପାଣିଦ୍ରବ୍ୟ ଆଣିଅଛି ରଥ

ତାହା ତୁମ୍ଭେ ଘେନାକର ହୋଇ ଆନନ୍ଦିତ ।

ପୁତ୍ର ଅର୍ଜିଲା ଦ୍ରବ୍ୟକୁ ପିତା ଭୋଗକରି

ଶତ ଅଶ୍ଵମେଧ ଯାଗ ତହିଁ ନୁହେ ସରି ।

କୋଟିଏ ପୁରୁଷ ଯାଏ କରିଥାଇ ଧର୍ମ

ତେବେ କୁଳଖ୍ୟାତ ସୁତ ହୁଅଇ ଜନମ ।

ତା ନାମଧରି ସଂସାରୁ ହ୍ଵନ୍ତି ସର୍ବେ ପାରି

ଯୋଗୀଏ ତରନ୍ତି ଯାର ନାମଗୋଟି ଧରି ।

ତାଙ୍କର ଯୋଗକୁ କଲ ସବୁଦ୍ରବ୍ୟ ଭୋଗ

ତୁମ୍ଭେ ତାଙ୍କ ପିତାମାତା ସଦା ଏହି ଯୋଗ ।

ଗୁହାଳ ତୋଳାଇ ପୁରେ ଗୋରୁମାନ ରଖି

ନିଯୋଗୀଙ୍କୁ ହାଟଘାଟ ଦେଉଥିବ ଲେଖି ।

ଖଣ୍ଟ ଖଣ୍ଡାଇତମାନେ ଉପଦ୍ରବ କଲେ

ଧାତିକାରେ ବାର୍ତ୍ତାଦେବ ସାତ୍ୟକି ବୋଇଲେ ।

ସେବକ ଲୋକଙ୍କୁ ଅନ୍ନବସ୍ତ୍ର ଲେଖିଦେବ

ଦେବତା ବ୍ରାହ୍ମଣ ଦାନ ଧ୍ୟାନ କରାଇବ ।

କଉଣସି କଥା ମନେ ନ କରି ଶୋଚନା

ପୁତ୍ରଙ୍କ ହେତୁରୁ ତୁମ୍ଭେ ଉଦ୍ଧରିଲ ସିନା ।

ଶୁଣିଣ ସାନନ୍ଦ ଅତି ଯଶୋଦା ହୋଇଲେ

ରାମକୃଷ୍ଣ ବାର୍ତ୍ତାପାଇ କୃତକୃତ୍ୟ ହେଲେ ।

ପୁଣି ପୁଣି ପୁଚ୍ଛନ୍ତି ସେ ଏହିରୂପେ ବାଣୀ

ପୁଲକିତ ରୋମାବଳୀ ହୁଏ କଥା ଶୁଣି ।

ସକଳ ଶୁଭବାରତା ସାତ୍ୟକି ବୋଲଇ

ହରି ହରି ଶବଦରେ ଅଙ୍ଗ ଉଲୁସଇ ।

ସାତ୍ୟକି ବୋଇଲେ ଏତେ ଅଷ୍ଟବର୍ଗ ଥିଲେ

ମଥୁରାରେ ଛଅବର୍ଷ ଯାଇଣ ରହିଲେ ।

ସେଠାରେ ଲାଗିଲା ଯହୁଁ ଜରାସନ୍ଧ ଭୟେ

ଯାଦବେ ଘେନି ଦ୍ଵାରକା ପୁରରେ ବିଜୟେ ।

କହନ୍ତେଣ ନ ସରଇ ଦ୍ଵାରକା ମହିମା

ଅତି ଯତ୍ନେ ସୃଜିଅଛି ତାକୁ ବିଶ୍ଵକର୍ମା ।

ସେ ପୁରେ ତୁମ୍ଭର ପୋଏ ଛନ୍ତି ସର୍ବ ଶୁଭେ

ଉପହାର ଦ୍ରବ୍ୟମାନ ରଖ ନେଇ ଏବେ ।

ଆବର ବଦନେ ଯାହା ଅଛନ୍ତି ସେ କହି

ସଂକ୍ଷେପି କହିବା ଏବେ ଶୁଣ ମନ ଦେଇ ।

ତୁମ୍ଭେ ଦ୍ଵାରକାକୁ ଯେବେ ପାରିବଟି ଯାଇ

ଧାତିକାରେ ସଜ ହୁଅ ଏହା ଛନ୍ତି କହି ।

ଦେଖିବ ସେ ପୁତ୍ରଙ୍କର ସମ୍ପଦ ଅପାର

ଇଚ୍ଛାସୁଖେ ବିହରିବ ତହିଁ ନିରନ୍ତର ।

ସେ ଘର ଏ ଘର ତୁମ୍ଭ ଭିନ୍ନ ନୋହେ କିନା

ଦୁଇ ଘରକୁ କାରେଣି ତୁମ୍ଭେ ଅଟ ସିନା ।

ଯେବେ ଯାଇ ନ ପାରିବ ଗୃହ ଛାଡ଼ି କରି

ଭଦ୍ରାକୁ ବିଦାୟ କର କହିଛନ୍ତି ହରି ।

ଭାଇମାନଙ୍କର ସଙ୍ଗତେ ଥୋକେ ଦିନ ଥିବ

ତୁମ୍ଭର ଲୋଡ଼ିବା ଦିନ ଲେଉଟି ଆସିବ ।

ଭାଇ ଯଦ୍ୟପି ଦେଖିବା ପାଇଁ  କଲେ ମନ

ବେଢ଼ାଏ ଯାଇ ଆସନ୍ତୁ ନ ବିଚାରି ଆନ ।

ଏହାକହି ଛାମୁରେ ସେ ଦେଲେ ଲେଖାଗୋଟି

ଭାଷା ଶୁଣି ନନ୍ଦରାଣୀ ହୋଇଲାକ ତୁଷ୍ଟି ।

ଆନନ୍ଦରେ ଅଶ୍ରୁଜଳ ଗଳେ ଘନ ଘନ

ପୁଲକଇ ରୋମାବଳୀ ଉଲୁସଇ ମନ ।

ବିଧାତା ସର୍ଜିଲା ସିନା ଏମନ୍ତ ମୁହାଁସ

ପୁତ୍ରଙ୍କ ବାରତା ଶଉଣି ପିତା ମାତା ତୋଷ ।

ସନ୍ଦେହ ହୋଇଲା ପରି ମନରେ ମଣିଲେ

ନିରାକାର ପ୍ରଭୁ ବୋଲି ସକଳେ ଜାଣିଲେ ।

ଜଗମୋହନ ରୂପରେ ମୋହିଛନ୍ତି ହରି

ତାହାଙ୍କର ମାୟାରୁ କେ ପାରିବ ଉବୁରି ।

ନନ୍ଦ ଯଶୋଦା ମନରେ ହେଲେ ଆନନ୍ଦିତ

ଅଷ୍ଟମଲ୍ଲ ମଲାଦିନୁ ମଣିଛନ୍ତି ସତ ।

ଧନ ରତ୍ନ ଦେଖିକରି ମୋହିତ ହୋଇଲେ

ଏହା ଗୃହ ବୋଲି ମନମଧ୍ୟେ ପ୍ରତେ କଲେ ।

ଭଗ୍ନୀକି ଦେଖିବା ପାଇଁ ଭାଇ ଶ୍ରଦ୍ଧା କରେ

ତେଣୁ ଦୂତ ପେଷିଛନ୍ତି ଅତି ଉଲ୍ଲାସରେ ।

ଶ୍ରୀହରି ଜାଣନ୍ତି ଭଦ୍ରା ସ୍ନେହ କରେ ଯେତେ

ୟାଙ୍କର ବାକ୍ୟକୁ ପ୍ରତେ ନ ଯିବା କେମନ୍ତେ ।

ସୁଭଦ୍ରା ବଦନ ଚାହିଁ ନନ୍ଦ ବୋଲେ ହସି

ମାଗୋ ଭାଇଙ୍କ ଭୁବନେ ଯିବ ରଥେ ବସି ।

ସେ ତୋତେ ନେବାପାଇଁ କି ପେଷିଛନ୍ତି ଲୋକ

ଧନ ରତ୍ନ ଦେଇ କରେ ଲେଖିଛନ୍ତି ଲେଖ ।

ସମସ୍ତେ ଦ୍ଵାରକାପୁରେ ରହିଲେକ ଯାଇ

କୁଶସ୍ଥଳୀ କଟକରେ ଛନ୍ତି ବେନିଭାଇ ।

ବହୁ ସମ୍ପଦମାନ ସେ କରିଛନ୍ତି ଆୟେ

ପରିଚାର ପଣେ ଖଟି ସର୍ବ ଦେବତାଏ ।

ଅନୁରୂପେ ବର ଖୋଜି କରାଇବେ ବିଭା

ସୁଭଦ୍ରା ବୋଇଲେ ପିତା ଚାଲ ଏବେ ଯିବା ।

ନନ୍ଦ ବୋଇଲେ ଗୋ ଚତୁର୍ମାସ୍ୟା ହେଉ ଶେଷ

ତେବେ ଯାଇ ଯିବା ସିନା କୁଶସ୍ଥଳୀ ଦେଶ ।

ସୁଭଦ୍ରା ବୋଇଲେ ତୁମ୍ଭେ ଛମାସରେ ଯାଅ

ସାତ୍ୟକି ସଙ୍ଗରେ ଏବେ ମୋତେ ପଠିଆଅ ।

ଦେଖିବି ଦ୍ଵାରକା ଭାଇ ସଙ୍ଗେ ସଙ୍ଗେ ଥିବି

ତୁମ୍ଭେ ଗଲେ ପଛେ ତୁମ୍ଭ ସଙ୍ଗତେ ଆସିବି ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକ ମୁନି

ଇତି ଶିରୀ ଭାଗବତ ପୁରାଣର ଧ୍ଵନି ।

ଶୁଣ ପରୀକ୍ଷ ନୃପତି ଏହି ହରିବଂଶ

ପାପାଧିପାତକମାନ ହୋଇବ ବିଧ୍ଵଂସ ।

ଏହିରୂପେ ସମସ୍ତେ ହୋଇଲେ ଏକାମନ

ସାତ୍ୟକିକୁ କଲେ ପୁଣି ଗଉରବ ମାନ ।

ଅପୂର୍ବ ମନ୍ଦିରେ ନେଇ ଦେଲେ ତାକୁ ବାସ

ରନ୍ଧନ ଭୋଜନ କାର୍ଯ୍ୟ କରିଲେ ଅଶେଷ ।

ଦିନେକ ବିଶ୍ରାମି ତହିଁ ରଜନୀ ପୁହାଇ

ଭଦ୍ରାକୁ ଘେନି ସତ୍ଵରେ ଗଲେ ତହୁଁ ବାହି ।

ନନ୍ଦ ଯଶୋଦା ପଛରେ ଅଛନ୍ତି ଗୋଡ଼ାଇ

ବାବୁ ତୁ କୃଷ୍ଣଙ୍କୁ ଏହା କହିବୁ ମଣାଇ ।

ଆମ୍ଭେ ତାଙ୍କୁ ବାଟ ଚାହିଁ ଅଛୁ ନିରନ୍ତର

ସେଠା କାର୍ଯ୍ୟ ନିବାଡ଼ିଣ ଆସନ୍ତୁ ସତ୍ଵର ।

ବାରେ ବଳରାମ ଏକା ହୋଇଣ ଅଇଲା

କୃଷ୍ଣଙ୍କୁ ଆଣିବି ବୋଲି ପ୍ରତିଜ୍ଞା ସେ କଲା ।

ସେହି ଦିନୁ ଆମ୍ଭେ ତାଙ୍କୁ ଚାହିଁଅଛୁ ବାଟ

ରାତ୍ର ଦିବସ ଲାଗିଛି ଶ୍ରୀକୃଷ୍ଣ ଉଚ୍ଚାଟ ।

ଏରୂପେ କହିବି ବୋଲି ଆଶା ଦେଇଗଲା

ଆଜଯାଏ ଚାହିଁଅଛୁ ଦେଖା ନ ମିଳିଲା ।

ସେହି କାଳରୁ ଆମ୍ଭେ ତ ଚାହିଁଅଛୁ ବାଟ

ରାତ୍ରଦିନ ଆମ୍ଭଙ୍କୁ ତ ଲାଗଇ ସଂକଟ ।

ଏହିରୂପେ କହ ଯାଇ ଶ୍ରୀକୃଷ୍ଣଙ୍କ ଆଗେ

ବୁଝାଇଣ ଥରେ ମାତ୍ର ଆଣିବଟି ବେଗେ ।

ସାତ୍ୟକି ବୋଲି ମନରେ ନ ଧର କେ ଆନ

ଅବଶ୍ୟ ଆଣିବି ବଳରାମ ଭଗବାନ ।

ନ ଆସିବେ ବୋଲି ମନେ ଚିନ୍ତା ନ କରିବ

ବିଳମ୍ଵ ହୋଇଲେ ତୁମ୍ଭେ ଦ୍ଵାରକାକୁ ଯିବ ।

ନନ୍ଦ ବୋଇଲେ ତୁମ୍ଭେ ତ କୃଷ୍ଣଙ୍କର ଦେହ

ସୁଭଦ୍ରା ପାଇଁ ଛାମୁରେ ବହୁତ ଯେ କହ ।

ସାତ୍ୟକି ବୋଇଲା ଏଥେଁ ସନ୍ଦେହ ତ ନାହିଁ

ସବୁ ଭଲ ହେବ କୃଷ୍ଣେ କହିବଇଁ ଯାଇ ।

ଏତେ ବୋଲି ନନ୍ଦ ତହୁଁ ବାହୁଡ଼ିଣ ଗଲେ

ଭଦ୍ରା ଘେନିଣ ସାତ୍ୟକି ରଥ ବାହି ନେଲେ ।

ମନପବନ ବିମାନ ଚଳେ ତ୍ଵରା ହୋଇ

ଆକାଶମାର୍ଗେ ଗମିଲେ ପବନ ପରାୟି ।

ଦ୍ଵାରକାପୁରରେ ଯାଇ ମିଳିଲେ ତକ୍ଷଣ

ଆକାଶ ମାର୍ଗରେ ଥାଇ ଦେଖି ଦେବଗଣ ।

ସିଂହଦ୍ଵାରରେ ସାତ୍ୟକି ରଥକୁ ଉତୁରି

ନବର ମଧ୍ୟେ ପଶିଲେ ଦ୍ଵାର ଡେଇଁ କରି ।

ସୁଭଦ୍ରା ହସ୍ତକୁ ଧରି ଧୀରେ ଧୀରେ ଯାଇ

ସୁଧର୍ମା ସଭାତଳରେ ମିଳିଲେକ ସେହି ।

ଉଗ୍ରସେନ ଆଦି କରି ସର୍ବ ଯଦୁ ବୃନ୍ଦ

ସମସ୍ତଙ୍କୁ ସଙ୍ଗେ ଘେନି ଅଛନ୍ତି ଗୋବିନ୍ଦ ।

ଏକାଳେ ସାତ୍ୟକି ଯାଇ ସଭାତଳେ ମିଳି

ଗଡ଼ଘାଲି ଶୁତିଲେ ସେ କରି ନିଉଛାଳି ।

ଭ୍ରାତାଙ୍କର ଅଗ୍ରେ ନେଇ ଭଦ୍ରା କଲେ ଉଭା

ତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ରଦିଶେ ଶୋଭା ।

ପଦ୍ମବନେ ରାଜହଂସ କରେ ଯେହ୍ନେ କେଳି

ଅଷ୍ଟରତନ ଗିରିରେ ଉଦେ ଅଂଶୁମାଳି ।

ସୁକୁମାରୀ ସୁଲକ୍ଷଣୀ ଅତିଶୟ ଶୋଭା

ଲାବଣ୍ୟନିଧି କି ମନୋହର କାମଦେବା ।

ସକଳ ଯାଦବମାନେ ହୋଇଲେକ ମୋହି

ବିଚାରିଣ ବୋଲନ୍ତି କି ଲକ୍ଷ୍ମୀଦେବୀ ଏହି ।

ରତି ଦମୟନ୍ତୀ କିବା ପାର୍ବତୀ ଅଟନ୍ତି

ଇନ୍ଦ୍ରନାରୀ ଶଚୀଦେବୀ ପରାୟେ ଶୋଭନ୍ତି ।

ସର୍ବଲକ୍ଷଣେ ସମ୍ପୂର୍ଣ୍ଣ ପଦ୍ମିନୀ ଜାତି

କେ ବୋଲଇ ଅଳ୍ପବର୍ଷ କେ ବୋଲେ ଯୁବତୀ

ଭ୍ରୁଭଙ୍ଗୀ ନୟନ ୟାର ମୋହେ ନବସୃଷ୍ଟି

କେତେ କାଳେ ବିହି ୟାକୁ ନିର୍ମାଣ କଲାଟି ।

କେବଣ ଦଇବ ବସି ଏହାକୁ ଗଢ଼ିଲା

ଅପଟାନ୍ତର ଶରୀର କେହୁ ନିର୍ମାଣିଲା ।

ଚାଚର ଚିକୁର କେଶ ଶିରେ ଦିବ୍ୟ ଜଟ

ସୁବର୍ଣ୍ଣ ପଦକ ଗୋଟି ଲୁଳେ କଣ୍ଠତଟ ।

ମସ୍ତକରେ ଶୋଭାପାଏ ଅତି ଚାରୁବେଣୀ

ଧବଳ ପର୍ବତପରେ ଯେହ୍ନେ ମେଘଶ୍ରେଣୀ ।

ସୁନ୍ଦର କର୍ଣ୍ଣ ବଦନ କପୋଳ ଶ୍ରୀଖଣ୍ଡ

ଭ୍ରୂଲତା ଯେସନେ କାମଦେବର କୋଦଣ୍ଡ ।

ଗଣ୍ଡସ୍ଥଳ ଆବୋରିଣ ଶୋହେ ରତ୍ନକାପ

ଦିଶଇ ଯେମନ୍ତ ସେହୁ କାମଦେବ ଚାପ ।

ବିମ୍ଵଫଳର ପରାୟେ ଶୋଭଇ ଅଧର

ଅମୃତ ସାଗରେ କିବା ଖେଳେ ଶଶଧର ।

ବାରିତରଙ୍ଗ ପ୍ରାୟେ କି ରାଜହଂସ ପନ୍ତି

ସିନ୍ଦୂର ମଣ୍ଡିତ ଯେହ୍ନେ ଅଳଙ୍କାର ଦ୍ୟୁତି ।

ଅପୂର୍ବ ସ୍ଥାନମାନ ତା ଦିଶେ ଦିବ୍ୟଶୋଭା

କଳା ମେଘ ଖସିଲା କି ତାରାଗୁଚ୍ଛ ଅବା ।

ଚକୋର ନେତ୍ରେ କଜ୍ଜ୍ଵଳ ଅଛି ଅବା ରଖି

ସମ୍ପୂର୍ଣ୍ଣ ଚନ୍ଦ୍ରବଦନେ କଳଙ୍କ ହେଲା କି ।

କୋମଳ କମ୍ଵୁ କଣ୍ଠରେ କହେ ସୁଧାବାଣୀ

ବଚନ ଭାଷନ୍ତେ ଧାରା ବହିପଡ଼େ ପୁଣି ।

ହସ୍ତୀ ଥୋରହସ୍ତ ପରି ଦିଶେ ବେନିବାହା

ରୂପିଲା ମର୍କତ ପ୍ରାୟେ ରାଜେ ବପୁଦେହା ।

ମୃଗନାଭି କସ୍ତୁରୀର ଚିତା ବେନି ଗୋଟି

ଏଣୁ ଏହି ମୋହୁଅଛି ଚରାଚର ସୃଷ୍ଟି ।

ନବରତ୍ନରେ ନିର୍ମାଣ କଙ୍କଣ ଦରବ

ଚାଲକ୍ତେ ମୋହୁଅଛଇ ମେଦିନୀ ସରବ ।

ମଣି ମାଣିଜ୍ୟ ପୋହିଳା ମୁକ୍ତା ପନ୍ତି ପନ୍ତି

ନାନାବର୍ଣ୍ଣରେ ମୁକୁତା ଦେହେ ଶୋଭାପାନ୍ତି ।

ପ୍ରସ୍ଫୁଟିତ ଚମ୍ପାକଢ଼ୀ ଶୋଭିତ ଅଙ୍ଗୁଳି

ସ୍ଵରେଖିତ ପାଖୁଡ଼ା ସେ ଦିଶେ ନଖଝଳି ।

ହର ଡମ୍ଵରୁ ପରାୟେ ସମ୍ପୂର୍ଣ୍ଣାୟା ମଝା

ଝୀନ ବସ୍ତ୍ର ପରିଧାନ ସିଂହ କରେ ଲଜ୍ଜା ।

ଉଲଟ ରମ୍ଭା ପରାୟେ ଦିଶେ ବେନି ଜାନୁ

ମଦନ ଅମୃତ କିବା ଗ୍ରାସେ ହେମ ଭାନୁ ।

ବିଦ ମୁଦ୍ରିକା ବଳୟ ତୋଡ଼ର ଯେ ସାଜେ

ପାଦେ ନୂପୁର ଚାଲନ୍ତେ ରୁଣ ଝୁଣ ବାଜେ ।

କେହି କେହି ବୋଲନ୍ତି ଏ ରାଜାର କୁମାରୀ

କେହୁ ବୋଲେ ଆମ୍ଭେ ଏହା ଜାଣି ତ ନ ପାରି

କେହି ବୋଲନ୍ତି ଏହାର ବାଳୁତ ବୟସ

ଯୋଗୀଜନମାନେ ଦେଖି ହେବେ ୟାର ବଶ ।

କେହି କେହି ବୋଲନ୍ତି ଏ ନୁହେ ନରଜାତି

ଗୋଟିଯାକ ଦିଶେ ରାମକୃଷ୍ଣଙ୍କ ଆକୃତି ।

ଅଶେଷ ମାୟାଧର ଯେ ନ ଜାଣେ କି ଏହା

ସେହି ସିନା ଜାଣେ ପୁଣି ଭିଆଇଛି ଯାହା ।

ତାହାର ମାୟାରୁ କେହି ପାରିବ ଉବୁରି

ସକଳେ ବୋଇଲେ ଏହା ଜାଣି ତଥ୍ୟକରି ।

କେହି କେହି ବୋଲନ୍ତି ଏ ଯଶୋଦାଙ୍କ ଜେମା

କେହୁ ବୋଲନ୍ତି ସୁଭଦ୍ରା ନାମେ ଏହୁ ବାମା ।

ବାଳୁତ କାଳରୁ ଏହି ଗୋପନଗ୍ରେ ଥିଲେ

ସାତ୍ୟକି ପଠାଇ ଜଗନ୍ନାଥେ ଅଣାଇଲେ ।

ଏପରି ବିଚାର ଏକୁଁ ଆରେକରେ କରି

ଭଦ୍ରାକୁ କୋଳେ ନେଇଣ ବସାଇଲେ ହରି ।

ଶ୍ରୀହସ୍ତରେ ଆଉଁସିଣ ମୁଖେ ଚୁମ୍ଵ ଦ୍ୟନ୍ତି

ପୁଣି ସମ୍ଭାଷଣ କରି ବଦନ ଚାହାନ୍ତି ।

ସଂକ୍ଷେପିଣ ସର୍ବ ବାର୍ତ୍ତା ପୁଚ୍ଛି ପ୍ରିୟଭାବେ

ଉଗ୍ରସେନ ଆଦି ବଳରାମ ବସୁଦେବେ ।

ଜଗବନ୍ଧୁ ନାଥ ଯହୁଁ ହସ୍ତେ କୋଳ କଲେ

ତେଣୁ ସୁଭଦ୍ରାକୁ ସର୍ବେ ଧଇଲେକ କୋଳେ ।

ରାମକୃଷ୍ଣଙ୍କ ଭଗିନୀ ବୋଲିଣ ଜାଣିଲେ

ଅନ୍ତଃପୁରେ ସୁଭଦ୍ରାକୁ କୋଳକରି ନେଲେ ।

ଦେବକୀ ଛାମୁରେ ଦେଲେ ନେଇ ମୁଦୁସୁଲୀ

ସେବାକଲେ ଯାଇ ଦଶ ବିଂଶ ଯେ ପୋଇଲି ।

ଗୋପ ପାସୋରି ସୁଭଦ୍ରା ଦ୍ଵାରକା ରହିଲେ

ଅପୂର୍ବ ଭୁବନ ଦେଖି ଆନନ୍ଦ ହୋଇଲେ ।

ଶୁକ ବୋଇଲେ ଶୁଣ ପରୀକ୍ଷିତ ରାୟେ

ଏ ଗ୍ରନ୍ଥ ଶୁଣିଲେ ଅଙ୍ଗୁ ପାପ ଯାଏ କ୍ଷୟେ ।

ହରିବଂଶ ପୁରାଣ ଏ ଅତି ପୁଣ୍ୟ ବାଣୀ

ମହାପାପ ଯାଏ ନାଶ ଏ ଗ୍ରନ୍ଥକୁ ଶୁଣି ।

ଶ୍ରୋତା ବକତାକୁ ଦୟା କରନ୍ତି ଶ୍ରୀହରି

ପୁରାଣ ଶୁଣି ଦକ୍ଷିଣା ଦେବ ଯତ୍ନକରି ।

ନମୋ ନମୋ ନାରାୟଣ କମଳାର କାନ୍ତ

କ୍ଷୀର ସମୁଦ୍ରେ ଶୟନ ବେନି ପଦ୍ମନେତ୍ର ।

କିରୀଟ ମୁକୁଟ ଶିରେ ଅତି ଶୋଭାବନ

କର୍ଣ୍ଣରେ କୁଣ୍ଡଳ ହୃଦେ କୌସ୍ତୁଭ ରତନ ।

ଲକ୍ଷ୍ମୀ ଦେବୀର ବଲ୍ଲଭ ଶାରଦାର କାନ୍ତ

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚଉହସ୍ତ ।

ସେ ହରି ନାମକୁ ମୁହିଁ ଧରେ ହୃଦୟର

କୃତାନ୍ତ କାଳ ଦଣ୍ଡରୁ କର ମୋତେ ପାର ।

ଅଖିଳ ନାଥ ପରମ ଯୋଗେଶ ପୁରୁଷ

କୃଷ୍ଣ ଚରଣେ ଶରଣ ମୁଁ ଅଚ୍ୟୁତ ଦାସ ।

 

ହରିବଂଶ ପଞ୍ଚମ ଖଣ୍ଡ

ମଥୁରାରେ ସୁରଥର ଅଭିଷେକ

ଏଥୁ ଅନନ୍ତରେ ପରୀକ୍ଷିତ ମହାରାଜା

ଶୁକ ମୁନି ଚରଣରେ କରି ଦିବ୍ୟ ପୂଜା ।

ପୁନଃ ପୁନଃ ପୁଚ୍ଛେ ହରିବଂଶର ଚରିତ

ଶ୍ରୀଶୁକ କହିଲେ ଶୁଣ ଆହେ ପରୀକ୍ଷିତ ।

ଏଥୁ ଅନନ୍ତରେ ଶୁଣ ସମସ୍ତ ବାରତା

ଜଗବନ୍ଧୁ ଆଗେ କହି ସାତ୍ୟକି ସେ କଥା ।

ବିଦୁର କୋଇନ୍ତା ଯୁଧିଷ୍ଠିର ସହଦେବ

ଯେ ଯାହା କହିଥିଲେ ସେ କହିଲେ ସରବ ।

ତଦନ୍ତରେ ବୋଇଲେକ ମଥୁରା ବାରତା

ପ୍ରଜା ବାର୍ତ୍ତା ପାଇ କୃଷ୍ଣ ଲଭି ବଡ଼ ବ୍ୟଥା ।

ସଭା ପରିମୁଖରେ ସେ ସୁରଥେ ହକାରି

ଶ୍ରୀକରେ ତାମ୍ଵୁଳ ତାକୁ ଦେଲେକ ଶ୍ରୀହରି ।

ମଥୁରା ରାଜ୍ୟେ ଆମ୍ଭର ପିତୃ ପିତା ବୃତ୍ତି

ସେ ରାଜ୍ୟ ବିନଷ୍ଟ ହ୍ଵନ୍ତେ ହେଲା ଅପକୀର୍ତ୍ତି ।

ତୁମ୍ଭେ ସୈନ୍ୟ ଘେନି ଏବେ ଧାତିକାରେ ଯାଆ

ପାଟଛତ୍ର ଧରାଇଣ ହୁଅ ତହିଁ ରାଜା ।

 

ଯଦ୍ୟପି ଶତ୍ରୁ ଆସିଣ ହେବ ଉପଗତ

ଆମ୍ଭେ ଚକ୍ର ପେଷି ତାକୁ କରିବୁ ନିହତ ।

ଅନିତ୍ୟ ସଂସାର ଏହୁ କାର ନୁହେ କିଛି

ଭାଗ୍ୟଭୋଗା ବସୁନ୍ଧରୀ ପୁରାଣେ କହିଛି ।

ନିୟତ ରାଜ୍ୟ ଆମ୍ଭର ସେ ମଥୁରା ଦେଶ

ଆମ୍ଭର ଦେଖୁ ଦେଖୁ ସେ ଯାଉଅଛି ନାଶ ।

ସୁରଥ ବୋଇଲେ ଦେବ ଯେ ତୁମ୍ଭର ଇଚ୍ଛା

ନିହନ୍ତା ବିହନ୍ତା ନାଥ ତୁମ୍ଭ ଧର୍ମରକ୍ଷା ।

ତୁମ୍ଭର ଆଜ୍ଞାକୁ କେହୁ ଲଙ୍ଘିବ ହେ ହରି

ତୁମ୍ଭେ ଯହିଁକି ପେଷିବ ଯିବି ବେଗ କରି ।

ଏତେମାତ୍ର ମାଗୁଅଛି ମୁହିଁ ହୃଷୀକୋଶି

ପାଦପଦ୍ମର କଠାଉ ମୋତେ ତ ଦିଅସି ।

ତାହାକୁ ନିରନ୍ତର ମୁଁ କରୁଥିବି ସେବା

ତାକୁ ନେଇ ଦଣ୍ଡଛତ୍ର ଶିରେ ଧରାଇବା ।

ସମସ୍ତ ଯାଦବେ ଶୁଣି ହୋଇଲେ ସନ୍ତୋଷ

ସୁରଥ ଶିରରେ ଶାଢ଼ୀ ବାନ୍ଧି ପୀତବାସ ।

ଲକ୍ଷେକ ରଥ ଯେ ତିନିସସ୍ର ଲକ୍ଷ ହସ୍ତୀ

ପାଞ୍ଚଲକ୍ଷ ଅଶ୍ଵ ଦଶଲକ୍ଷେକ ପଦାତି ।

ବିବିଧ ବାଦ୍ୟ ବାଜଣା ଆଲଟ ଚାମର

ଦଣ୍ଡଛତ୍ର ଆଦି ଯେତେ ରାଜା ଉପଚାର ।

ପାତ୍ର ମନ୍ତ୍ରୀ ସେନାପତି ଚତୁରଙ୍ଗ ବଳ

ଏସନ ପ୍ରକାରେ ବିଧି ସଞ୍ଚିଲେ ସକଳ ।

ଅଭିଷେକ କରି ଶିରେ ପାଟ ବନ୍ଧାଇଲେ

ଅକଣ୍ଟକ ମଥୁରାକୁ ପାଳ ହେ ବୋଇଲେ ।

ବିଜୟ ନାମରେ ଧନୁ ଶତଘାତୀ ଶର

ବିରାଜ ନାମେ ମୁକୁଟ କୁଣ୍ଡଳ ଆକାର ।

ସଚଳା ନାମରେ ଅଶ୍ଵ ଶ୍ଵେତ ପାଟଗଜ

ଏ ବିଧିରେ ଉପଚାର କରାଇଲେ ସଜ ।

କକଡ଼ା ଶୁକ୍ଲ ପଞ୍ଚମୀ ତିଥି ଗୁରୁବାର

ହସ୍ତା ନାମରେ ନକ୍ଷତ୍ର ଅଟେ ସେ ଦିନର ।

କନ୍ୟା ନାମେ ଲଗ୍ନଭୋଗ ବାର ଦଣ୍ଡବେଳ

ପାଦୁକା ଘେନି ସୁରଥ କଲେ ଅନୁକୂଳ ।

ସୁନାସନନ୍ଦନ ବୀର ଉଗ୍ରସେନ ନାତି

ମୁର୍ଦ୍ଦା ଅଭିଷେକୀ ପାଟବଂଶୀ ଶୁଦ୍ଧଜାତି ।

ପାଠପଢ଼ା ବେଳେ ରାମ କୃଷ୍ଣ ସଙ୍ଗେ ଥାଇ

ସାନ୍ଦୀପନି ପଣ୍ଡାଠାରୁ ବିଦ୍ୟା ଅଛି ପାଇ ।

ବଡ଼ ବଳବନ୍ତ ସେ ଯେ ଭୋଜବଂଶ ବଳା

ତ୍ରୈଲୋକ୍ୟ ଜିଣି ପାରଇ ରଣେ ଅନର୍ଗଳା ।

ଶ୍ରୀକୃଷ୍ଣ ଆଜ୍ଞା ପ୍ରମାଣେ ଗଲା ଦଣ୍ଡ ଭିଡ଼ି

ସମ୍ଭାରେ ମଥୁରାଗଡ଼ ବସିଲାକ ମାଡ଼ି ।

କୃଷ୍ଣଙ୍କ କଠାଉ ସିଂହାସନେ କରି ପୂଜା

ମଥୁରାରେ ରାଜା ହୋଇ ପାଳିଲା ସେ ପ୍ରଜା ।

ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି

ଇତି ଶିରୀ ଭାଗବତ ପୁରାଣର ଧ୍ଵନି ।

ଶ୍ରୀଜଗନ୍ନାଥ ପ୍ରଭୁଙ୍କ ପାଦପଦ୍ମ ସେବି

ମୁଁ ଦୀନ ଅଚ୍ୟୁତ ଦାସ ବୋଲାଉଛି କବି ।

 

ଦ୍ଵାରକାପୁରୀ ବର୍ଣ୍ଣନ ଓ ଦେବତାମାନଙ୍କର ଶ୍ରୀକୃଷ୍ଣଙ୍କୁ ଦେଖିବାପାଇଁ ଦ୍ଵାରକାକୁ ଆଗମନ

ଏଥୁ ଅନନ୍ତରେ କେତେଦିନ ବହିଯାଏ

ସୁଧର୍ମା ସଭାରେ ବିଜେ କରି ଦେବରାୟେ ।

ମୟ ନାମେ ବିଶ୍ୱକର୍ମା ପାଶକୁ ହକାରି

ଖଡ଼ି କାଟି ଦ୍ଵାରକାକୁ ପାତନା ସେ କରି ।

ସିନ୍ଧୁମଧ୍ୟେ ଭୂମି ଗୋଟି ଅତି ଆୟତନ

ଆଡ଼ ଦୀର୍ଘ ପ୍ରତି ଦଶ ସହସ୍ର ଯୋଜନ ।

ତହିଁ ମଧ୍ୟେ ଭୂମି ଶତେ ଯୋଜନେକ ସାର

ସ୍ଵର୍ଣ୍ଣମୟ ଦ୍ଵାରକାକୁ ନାହିଁ ପଟାନ୍ତର ।

ସର୍ବଦା ଅମୂଲ୍ୟ ସେହୁ ନିରାପଦ ଭୂମି

ସବୁକାଳେ ତହିଁ ବିଜେ ଦେବ ଅନ୍ତର୍ଯ୍ୟାମୀ ।

ସମୟେକ ଦୃଶ୍ୟ ସେହୁ ହୁଏ କିଛି ଦିନ

ପୁଣି ଦ୍ଵାପର ଅନ୍ତେ ସେ ହୁଅଇ ଗୋପନ ।

ମର୍ତ୍ତ୍ୟପୁରର ମଧ୍ୟରେ ସେ ଅମରାବତୀ

ନିର୍ବାଣ ମୁକ୍ତି ମନ୍ଦିର ଜାଜ୍ଵଲ୍ୟ ତା ଜ୍ୟୋତି ।

 

 

କହନ୍ତେଣ ନ ସରଇ ଦ୍ଵାରକା ମହିମା

ଅତି ଯତ୍ନେ ସୃଜିଅଛି ତାକୁ ବିଶ୍ଵକର୍ମା ।

ସୁବର୍ଣ୍ଣର ପାଚେରୀ ଯେ ଉଚ୍ଚ ବେନି ତାଳ

କାଙ୍ଗୁଲା ଚାଙ୍ଗୁବନ୍ଧା ଯେ ବାଘମୁହିଁ ମାଳ ।

ଅଶେଷ ତାଳ ଗଭୀର ସାତତାଳ ଖଣା

କପିଳାସ କନ୍ଦରୁ ସେ ସସ୍ର ଗୁଣେ ଜିଣା ।

ଚାରି ପାରୁଶରେ ଚାରିଦ୍ଵାର ବିତପନ

ଗଡ଼ ଚଉପାଶେ ଚିତ୍ର ଅଟ୍ଟାଳୀ ଶୋଭନ ।

ଅଷ୍ଟରତ୍ନେ ବିତପନ ଶ୍ଵେତ ଜ୍ୟୋତିର୍ମୟେ

ନିରେଖି ଚାହିଁଲେ ଦିଶେ ଧବଳର କାୟେ ।

ଉପରକୁ ଦୃଷ୍ଟି ଦେଲେ ଅର୍ଦ୍ଧକୋଷ ହୋଏ

ଷଣପୁଷ୍ପ କାନ୍ତି ପୁର ବଡ଼ ଶୋଭାପାଏ ।

ପାଞ୍ଚତାଳ ଉଚ୍ଚେ ସେ ସିଂହଦ୍ଵାର ବେନି

କବାଟ ସହସ୍ରେ ହାତ ତହିଁରେ ନିର୍ମାଣି ।

ତହିଁ ସୁଦର୍ଶନ ଚକ୍ର ବୁଲଇ ପ୍ରଚଣ୍ଡ

ଆଗରେ ମାଛି ପଡ଼ିଲେ କରେ ନବଖଣ୍ଡ ।

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମର କତି

ଲକ୍ଷ ଲକ୍ଷ ପଡ଼ିହାରୀ ଦ୍ଵାରେ ବସିଛନ୍ତି ।

ଆଧି ଉତ୍ପାଧିର ବାର୍ତ୍ତା ଜଣାନ୍ତି ସେ ଜାଣି

ଛତିଶ ନିଯୋଗୀ ଛନ୍ତି ତହିଁ ପରିମାଣି ।

କୋଟି ବାରସ୍ଵତୀ ପରି ଶୋଭଇ ସେ ପୁର

ହାଟ ବାଟ ଦାଣ୍ଡ ଘାଟ ଅତି ଆଡ଼ମ୍ଵର ।

ଅଷ୍ଟରତନରେ ସେହି ପୁର ଶୋଭା ପାଇ

ଧାଡ଼ି ଧାଡ଼ି ରେଖ ରେଖ ବୃକ୍ଷ ଯେ ଶୋଭଇ ।

ହୀରା ନୀଳା ମରକତ ବଇଡ଼ୁର୍ଯ୍ୟ ମୋତି

ନାନା ମଣି ରତନରେ ଶୋଭାପାଏ ଅତି ।

ନନ୍ଦାବର୍ତ୍ତ କମ ଗଜଦନ୍ତରେ ଶୋଭଇ

ହିଙ୍ଗୁଳ ପାତିଆମାନ ତହିଁ ଝଟକଇ ।

ଗଜଦନ୍ତ ପିତୁଳୀ ଯେ ଖମ୍ଵ ଶ୍ରେଣୀ ଓରା

ବିଚିତ୍ର ମନ୍ଦିର ତହିଁ ସ୍ଵର୍ଣ୍ଣ କେରା କେରା ।

ଦୁଆରରେ କାଚଢାଳ ବଇଡ଼ୁର୍ଯ୍ୟ ପୀଢ଼

ସ୍ଫଟିକ ପାବଚ୍ଛ ବନ୍ଧା ପିତୁଳିର ଦାଢ଼ ।

ନେତ ପାଟ ପତନୀ ଯେ ଆବର ମାଞ୍ଜିଷ୍ଠ

ବସନ୍ତ ମାଧବୀ କଳା ଧଳା ନାନା ପାଟ ।

ଦାଣ୍ଡେ ଉଭା ତୋରଣାରେ କଳସର ଖମ୍ଵ

ନକ୍ଷତ୍ର ଗୁନ୍ଥା ପୋହଳା ପରାୟେ ଆରମ୍ଭ ।

ରଙ୍ଗ କଳା ଧଳା ନୀଳ ଚାମର ଶୋଭନ୍ତି

ସୁଗନ୍ଧ ସେବତୀ ଧଣ୍ଡା ମାଳହିଁ ଲମ୍ଵନ୍ତି ।

ବିଚିତ୍ର ପାଟଝୁମ୍ଫା ଯେ ଆଉ ପାଟଗଣ୍ଠି

ଶୋଭିତ ପଞ୍ଚମ ଶର ପୋହଳାର କଣ୍ଠି ।

ରତନ ମୟୂର କଣ୍ଠି ଗୋବିନ୍ଦ ଚାନ୍ଦୁଆ

ବଖରାମୂଳେ ଖଞ୍ଜିଣ ସୂଚିକମ ନୂଆ ।

ଚନ୍ଦନ କସ୍ତୁରୀ ଆଉ ପନୀରର ପାଣି

ନିରନ୍ତରେ କିନ୍ନରୀଏ ସିଞ୍ଚୁଛନ୍ତି ଆଣି ।

ମନ୍ଦଗନ୍ଧ ବହଇ ସେ ସୁଶୀତଳ ବାୟେ

ଅବସନ୍ତରେ ବସନ୍ତ ପୁଲକାୟେ କାୟେ ।

ନ ଲାଗଇ ସେଠାବରେ ଆଦିତ୍ୟ ଜ୍ୟୋଛନା

ଷଡ଼ଋତୁ ବାରମାସେ ଫଳ ଫଳେ କିନା ।

ମେଡ଼ ମଣ୍ଡପ ଦେଉଳ ଅଟାଳୀ ଜଗତୀ

ଛତ୍ରଶାଳ ଗଜଶାଳ ଯତ୍ନେ ତୋଳିଛନ୍ତି ।

କୂପ ବାମ୍ଫି ତଡ଼ଗାଦି ଅଛି ଦ୍ରବ୍ୟ ଖଣା

ଅମୃତ ସୁସ୍ଵାଦୁ ଦ୍ରବ୍ୟ ଏକୁ ଏକ ଜିଣା ।

ଚୌରାଶୀ କୋଟି ଯାଦବ ପୁର ଭିନ୍ନ ଭିନ୍ନ

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିବର୍ଣ୍ଣ ।

ହାଟୁଆ ପାଟକ ଆଦି ବାର ବଣିଜାର

ନିଶ୍ଚିନ୍ତରେ ରହିଥାନ୍ତି ସେଠାରେ ଯେ ଯାର ।

ପଞ୍ଚ ଅରବୁଦ ଘର ବସିଛି ସେଠାରେ

କୁବେର ସମାନ ଦେଖାଯାନ୍ତି ଯେ ଯାହାରେ ।

ରୋଗ ଶୋକ ବିବର୍ଜିତ ଦରିଦ୍ର ଭିକ୍ଷାଶୀ

ଧର୍ମ ଆଶ୍ରେ ପ୍ରାଣୀମାନେ ତହିଁ ସଦା ବସି ।

ଯେବଣ ଭୁବନେ ଯମ କରେ ଭୟ ଭୀତି

ଯାର ନାମ ସୁମରନ୍ତେ ଲଭି ମୁକ୍ତି ଗତି ।

ସେ ସ୍ଵାମୀ ଦେହବନ୍ତରେ ବିଜୟେ ଆପଣ

ପରିଚାରପଣେ ଖଟିଥାନ୍ତି ଦେବଗଣ ।

କାମଦେବ ପ୍ରାୟ ଜନେ ଦିଶି ଦିବ୍ୟଶୋଭା

ବୃଦ୍ଧଜନମାନେ ଯହିଁ ହ୍ଵନ୍ତି ନବଯୁବା ।

ଯେ ଯାହାର ଶତ୍ରୁଭାବ ନୋହି ନରନାରୀ

ଏକୁ ଆରେକର କଳି ନାହିଁ ଯେ କାହାରି ।

ପ୍ରାଣୀମାନେ ଲୋଡ଼ୁଥାନ୍ତି ଯେତେବେଳେ ଯାହା

ଚକ୍ରାକାର ପୁରୁଷ ଯେ ବିକୁଥାନ୍ତି ତାହା ।

ନଟ ନଟିକା ଚନ୍ଦନ ଦ୍ୟନ୍ତି ଶିବ ଆଳେ

ଯୋଦ୍ଧା ଆଖଡ଼ା କରନ୍ତି ମଧ୍ୟାହ୍ନର ବେଳେ ।

ଗାଉଥାନ୍ତି ଗୀତ ବିପ୍ରେ କରି ବେଦଧ୍ଵନି

ସୁନ୍ଦରପଣେ ଦ୍ଵାରକା ମୋହେ ପୁର ତିନି ।

ଆମ୍ଵ ପଣସ ଗୁବାକ ରମ୍ଭା ନଟୀକାଳ

ଫଳଭରେ ତରୁଗଣେ ଲୋଟନ୍ତି ଭୂତଳ ।

କେନ୍ଦୁ କପିତ୍‌ଥ ପାଟଳୀ ଯେ ପାରିଜାତକ

ଦାରାକ୍ଷ ପେଣ୍ଡି ଖର୍ଜୁରୀ ଡାଳିମ୍ଵାଦି ବୃକ୍ଷ ।

ନାରଙ୍ଗ ଟଭା ଲେମ୍ଵୁ ଯେ ଉଆଉ କରୁଣା

ଜାଈ ଯୂଇ ମଲ୍ଲୀ ଚମ୍ପା ଅଶୋକ ଦୟଣା ।

ଟଗର ତରାଟ ବୃକ୍ଷ ମନ୍ଦାର ସେବତୀ

କନିଅର କୁରୁବେଲି ଆଦି ନାନାଜାତି ।

କଦମ୍ଵ ଧାତୁକୀ କିଆ କେତକୀ ମାଳତୀ

କୋକନଦ ବିକଚ ଯେ ପୁଷ୍ପେ ନାନା ଜାତି ।

ଚମ୍ପକ ଚନ୍ଦ୍ରାବତୀ ଯେ କୋରୁଆ ବକୁଳ

ଏସନକ ନାନା ପୁଷ୍ପେ ଶୋହେ ପରିମଳ ।

ବୃକ୍ଷଙ୍କ ଚୌପାଶେ ପକ୍ଷୀକ୍ରୀଡ଼ା କୁତୂହଳେ

କରନ୍ତି ପକ୍ଷୀଏ କୋଳାହଳ ଏକମେଳେ ।

ଅଚିନ୍ତରେ ଅଇଶ୍ଵର୍ଯ୍ୟେ ଥାନ୍ତି ସର୍ବେ ଜାଣ

ମୁକ୍ତି ଲୋକର ଗଣନା ହ୍ଵନ୍ତି ସର୍ବଜନ ।

ବସୁଦେବ ଆଦି କରି ସର୍ବ ଯଦୁବଳ

ଉଗ୍ରସେନ ଆରାଧନା କରନ୍ତି ସକଳ ।

ଧନ୍ୟ ଦ୍ଵାରକା ନଗର ନରନାରୀଗଣ

ଧନ୍ୟ ସେହି କୃଷ୍ଣଚନ୍ଦ୍ର ମୋହି ତାଙ୍କ ମନ ।

ସନକାଦି ମୁନି ଯାକୁ କରୁଥାନ୍ତି ଚିନ୍ତା

ପରମ ନିରଞ୍ଜନ ଯେ ହୋଇ ଦେହବନ୍ତା ।

ଶୁଣ ହେ ପରୀକ୍ଷ ରାଜା ଭଣି ଶୁକବ୍ରହ୍ମା

କହନ୍ତେ ନ ସରେ ସେହି ଦ୍ଵାରକା ମହିମା ।

ଆପଣେ ଶ୍ରୀବିଶ୍ଵକର୍ମା ବହୁ ମୂର୍ତ୍ତି ଧରି

ପୁର ନିର୍ମାଣ କରନ୍ତି ଭିନ୍ନ ଭିନ୍ନ କରି ।

ସାଧୁ ସେ ନିର୍ମଳ ଭୂମି ଦ୍ଵାରକା ନଗର

ପ୍ରତ୍ୟକ୍ଷରେ ବିଜେ ଯହିଁ ଦେବ ଚକ୍ରଧର ।

ନିରନ୍ତର ବିଷ୍ଣୁ ଚକ୍ର ଦ୍ଵାରକାରେ ବୁଲି

ଦୁର୍ବୁଦ୍ଧି ଦୁରାତ୍ମା ପୁଣ ନାହିଁ ତ କାହାରି ।

ପାତ୍ର ମନ୍ତ୍ରୀ ପୁରୋହିତ ଯେତେ ରାଜବିଧି

କହନ୍ତେ ଅନ୍ତ ନାହିଁ ତା ଅଚଳ ସମୃଦ୍ଧି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ଶୁଭେ ଧନ୍ୟବାଣୀ

ଯାଦବ ଘେନି ଦ୍ଵାରକା ରହି ଚକ୍ରପାଣି ।

ବ୍ରହ୍ମଲୋକ ଭୁବଲୋକ ଭୁଲୋକେ ଜାଣିଲେ

ବ୍ରହ୍ମାଣ୍ଡରେ ଋଷି ମୁନି ଯେତେ ତହିଁ ଥିଲେ ।

ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ସକଳେ ଅଇଲେ

ମହା ମହା ଋଷିମାନେ ତପ ତେଜି ଭଲେ ।

ଶୁକ ସନକ ବଶିଷ୍ଠ ବିଶ୍ଵାମିତ୍ର ବ୍ୟାସ

ଭୃଗୁ ଭାର୍ଗବ ଚ୍ୟବନ ଗୌତମ ଲୋମଶ ।

ଅଗସ୍ତି ଅଙ୍ଗିରା ପଉଲସ୍ତି ବ୍ରହ୍ମବେତ୍ତା

ବିଭାଣ୍ଡକ ବିଶ୍ରବା ଯେ ଋଷି ମହାଜ୍ଞାତା ।

ସନନ୍ଦ ଶ୍ରୀସନାତନ ଜୈମିନି ମହର୍ଷି

ଜମଦଗ୍ନି କପିଳ ଯେ ବୃଦ୍ଧଶ୍ରବା ଋଷି ।

ପୁଲହ ଯେ ଅଷ୍ଟାବକ୍ର ସୁମନ୍ତକ ମୁନି

ଅନନ୍ତ ଆସୁରି ବଇଶମ୍ପାୟନ ଜ୍ଞାନୀ ।

ଗାର୍ଗବ ଗୋମତ କଣ୍ଵ ବିଶ୍ଵାବସୁ ଆଦି

କୁମ୍ଭଋଷି ଦୁର୍ବାସା ଯେ ମୌନତପ ଭେଦି ।

ରାଜର୍ଷି ବ୍ରହ୍ମର୍ଷି ନାଗଋଷି ଦେବଋଷି

ଏକଦଣ୍ଡୀ ଦ୍ଵିଦଣ୍ଡୀ ଯେ ତ୍ରିଦଣ୍ଡୀ ସନ୍ନ୍ୟାସୀ ।

ମନପବନ ଦଣ୍ଡକୁ ସର୍ବେ ଆରୋହିଣ

ରାମକୃଷ୍ଣେ ଦେଖିବାକୁ କଲେ ଆଗମନ ।

କପିଳାସ କନ୍ଦରରେ ବାର୍ତ୍ତା ପାଇ ହର

ବୃଷଭ ଆରୋହି ଆସି ମିଳିଲେ ସତ୍ଵର ।

ହିମବନ୍ତର ନନ୍ଦିନୀ ଉମା ସଙ୍ଗେ ଘେନି

ସଙ୍ଗରେ ଅଛନ୍ତି ନନ୍ଦୀ ଭୃକୁଟୀଏ ବେନି ।

ବାମ ଡାହାଣେ ଚାଲନ୍ତି ସର୍ବ ଦେବଦେବୀ

ରାମକୃଷ୍ମ ଦେଖିବାକୁ ଆସିଲେ ସେ ଭୁବି ।

ମୂଷିକ ବାହନେ ବସି ପ୍ରଭୁ ଗଣପତି

କାର୍ତ୍ତିକେୟ ସଙ୍ଗେ ଘେନି ଚଳି ସେ ଯାଆନ୍ତି ।

ଶଚୀ ସହ ବଜ୍ରପାଣି ଚଢ଼ି ଐରାବତ

ଦେଖିବା ପାଇଁକି ସେହୁ ଗମନ୍ତି ତ୍ଵରିତ ।

ଯମ କୁବେର ନୈର୍ଋତ ଆବର ବରୁଣ

ଧ୍ରୁବ ଅଙ୍ଗିରସ ଆଦି ବୃହଦ୍ଦେବ ଗଣ ।

ଶୁକ୍ର ଶନିଶ୍ଚର ରବି ମଙ୍ଗଳ ଯେ ବୁଧ

ସାତବାର ସତାଇଶ ନକ୍ଷତ୍ର ବିବୁଧ ।

ଚନ୍ଦ୍ର ସୂର୍ଯ୍ୟ ଆଦି କରି ଅମର ସମୂହ

ଗଣ ଗନ୍ଧର୍ବ ଦେବତା କରିଲେ ବିଜୟ ।

ପିତାମହ ଲୋକେ ବାର୍ତ୍ତା ପାଇ ବେଦବର

ପରମହଂସ ବାହନେ ଚଳି ଧାତିକାର ।

ଚୌବିଂଶ ଅର୍ବୁଦ ଦ୍ଵିଜ ସଙ୍ଗତରେ ଘେନି

ସାମଗାୟନ କରିଣ ଯାନ୍ତି ପଦ୍ମଯୋନି ।

ତପୀ ଜପୀ ସିଦ୍ଧମୁନି ଯେତେକ ମହର୍ଷି

ଭୂଲୋକ ଯେ ଭୂବଲୋକ ଆଦି ସ୍ଵର୍ଗବାସୀ ।

ଶ୍ରୀହରି ଦେଖିବା ପାଇଁ ସମୁତ୍ସୁକ ମନ

ଯେ ଯାହା ଯାନ ଚଢ଼ିଣ ଚଳିଲେ ବହନ ।

ଦେଖା ଦରଶନୀ ଧନ ଦେଲେ ଯେ ଯାହାରେ

ସମସ୍ତେ ମିଳିଲେ ଯାଇ ଦ୍ଵାରକା ନଗରେ ।

ସକଳ ଯାଦବ ସଙ୍ଗେ ଘେନି ଦେବ ହରି

ସୁଧର୍ମା ସଭାରେ ଆସି ବିଜୟ ମୁରାରି ।

ଶଙ୍ଖ ଚକ୍ର ଗଦା ଅବ୍‌ଜ ଶୋହେ ଚାରିଭୁଜ

ଶ୍ରୀ ଲକ୍ଷ୍ମୀବଲ୍ଲଭ ନାଥ ଯେ ଦେବାଧିରାଜ ।

ଦେବତାଙ୍କ ଆଗମନ କୃଷ୍ଣଚନ୍ଦ୍ର ଦେଖି

ଧାତିକାରେ ଉଠିଲେ ସେ ଆସନ ଉପେକ୍ଷି ।

କୁଶସ୍ଥଳୀ ଦ୍ଵାରକାକୁ ଆସନ୍ତି ତ୍ରିଦଶ

ଥୋକେ ଦୂରୁଁ ପାଛୋଟିଣ ଗଲେ ପୀତବାସ ।

ଦେଖିକରି ଗଙ୍ଗାଧର ବୃଷଭୁଁ ଉତୁରି

ପାର୍ବତୀଙ୍କୁ ସଙ୍ଗେ ଘେନିଯାନ୍ତି ଚାଲିକରି ।

ରାମକୃଷ୍ଣ ଆଗମନ ଦେଖି ବେଦବର

ହଂସ ପିଠିରୁ ଓହ୍ଲାଇ ଯାନ୍ତି ଧାତିକାର  

ଐରାବତରୁ ଉତୁରି ଦେବ ଶଚୀଶତି

ପାଦଗମୀ ହୋଇକରି ଚାଲି ସେ ଯାଆନ୍ତି ।

ଏପରି ତ୍ରିଦଶେ ଆଉ ଯେତେ ଲୋକପାଳ

ଯେଝା ଯାନ ବାହନକୁ ତେଜିଣ ସକଳ ।

ସମସ୍ତେ ରୁଣ୍ଡ ହୋଇଲେ ଗୁମତୀର କୂଳେ

ରାମକୃଷ୍ଣ ପ୍ରଣମିଲେ ବ୍ରହ୍ମା ପାଦତଳେ ।

ଈଶ୍ଵରଙ୍କୁ ରାମକୃଷ୍ଣ ହୋଇ ପଣିପତ୍ୟ

ଯେଝାରୂପେ ମାନ୍ୟ କଲେ ଦେବଙ୍କୁ ସମସ୍ତ ।

ସ୍ଵସ୍ତି କଲ୍ୟାଣ କରିଲେ ସନକାଦି ବୃନ୍ଦ

ମୁନିଙ୍କୁ ପ୍ରଣମିଲେ ସେ ଦେବ ଆଦିକନ୍ଦ ।

ଉଗ୍ରସେନ ଆଦିକରି ଯଦୁବଂଶ ଯେତେ

ଶୁକ ସନକାଦି ମୁନି ପ୍ରଣମି ସମେତେ ।

ସମ୍ଭର୍ବରେ ବିଜେ କଲେ ସୁଧର୍ମା ସଭାର

ଜଗନ୍ନାଥ ମୁଖ ଚାହିଁ ଭଣି ବେଦବର ।

ଭୋ ଦେବ ପୁରାଣପୁଂସ ତୁମ୍ଭେ ଦେବରାଜା

ସନକ ଆଦି କରନ୍ତି ତୋର ପାଦପୂଜା ।

ଜଳସ୍ଥଳ ଅନଳରେ ସବୁଠାରେ ବ୍ୟାପି

ଅନନ୍ତ ମାୟାଧର ତୁ କାମକଳ୍ପରୂପୀ ।

ଏ ବିଶ୍ଵ ସଂସାର ତୁମ୍ଭ ଖେଳଘର ସିନା

ସ୍ଵୟଂ ଶିବ ତୋ ମାୟାରେ ହେଉଥାନ୍ତି ବଣା ।

ଅନାଦି ଅଚଳ ତୁମ୍ଭେ ପୁରାଣ ପୁରୁଷ

ଶ୍ରୀଜଗଦ୍‌ବନ୍ଦନ ନାଥ ଅନାଦି ରମେଶ ।

ଶାରଦାବଲ୍ଲଭ ତୁମ୍ଭେ ଲକ୍ଷ୍ମୀ ପ୍ରାଣପତି

ଅଶେଷ ବ୍ରହ୍ମାଣ୍ଡ ନାଥ ଧର ବହୁମୂର୍ତ୍ତି ।

ଦିନ ବାର ନକ୍ଷତ୍ରାଦି ତିଥି ବାର ମନୁ

ସଦାବେଳେ ତୁମ୍ଭେ କଳପନା କାମଧେନୁ ।

କଳ୍ପ କଳ୍ପାନ୍ତେ ବିଦୀତ ଅଟେ ତୁମ୍ଭ ନାମ

ପୃଥିବୀକୁ ରଚିବାକୁ ତୁମ୍ଭେ ସିନା କ୍ଷମ ।

ବ୍ରହ୍ମାଙ୍କ ଦିବସେ ଆଠସହସ୍ର ଯୁଗାନ୍ତେ

ଏହିପରି ଶତସସ୍ର ଷାଠଯୁଗ ଅନ୍ତେ ।

ଚଉଦ ମନୁରେ ଚୌଦ ଇନ୍ଦ୍ରଯାଏ ମରି

ଦ୍ଵାଦଶ ଅବତାରକୁ ତୁମ୍ଭେ ଦେହଧାରୀ ।

ପୃଥୀ ଭାରାଭର ଅର୍ଥେ ମର୍ତ୍ତ୍ୟରେ ବିଜୟେ

ବାଳମୁକୁନ୍ଦ ରୂପକୁ ଧରି କର କ୍ଷୟେ ।

ଏହି ଦ୍ଵାରକା ଭୁବନେ କୃଷ୍ଣରୂପ ଧରି

ସର୍ବଦାକାଳେ ବିହରୁ ତୁହି ନରହରି ।

ଏ ସାତବଂଶ ଯାଦବ ସଙ୍ଗେ ତୋର ଥାନ୍ତି

ମ୍ଲେଚ୍ଛାଦି ସଂହାର ତୁମ୍ଭେ କର ଯଦୁପତି ।

କୋଟିସ୍ଵର୍ଗ ଦ୍ଵାରକାକୁ ନୁହଇ ତ ସମ

ରୋଗ ଶୋକ ବିବର୍ଜିତ ନ ପଶଇ ଯମ ।

ସମୟେକ ଭୋଗ ଦେବ କର ତୁମ୍ଭେ ଏଥେ

ପୁତ୍ର ନାତି କୁଟୁମ୍ଵ ଯେ ହ୍ଵନ୍ତି ଅପ୍ରମିତେ ।

ଶଙ୍ଖନିଧି ପ୍ରଦ୍ମନିଧି ପୁରେ ବିଦ୍ୟମାନ

ବାଳ ବୃଦ୍ଧ ଯୁବା କେହି ନାହିଁ ଦୁଷ୍ଟଜନ ।

କୁବେର ପରାୟେ ସର୍ବେ ଅତି ବଳବନ୍ତ

ଶତ୍ରୁର ଭୟ ଏଠାରେ ନାହିଁ ଯେ କିଞ୍ଚିତ ।

ମହାପ୍ରଳୟେ ଏ ପୁର ନୁହଇ ବିନାଶ

ତେତିଶ ଦେବ ଦେବଙ୍କ ଅଟେ ଏହୁ ବାସ ।

କହନ୍ତେ ନ ସରଇ ଏ ଦ୍ଵାରକା ମହିମା

ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକବ୍ରହ୍ମା ।

ଏହିପରି କୁବେରାଦି ଦେବେ ରୁଣ୍ଡ ହୋଇ

ଅଭିଷେକ କରିଲେ ସେ କୃଷ୍ଣଚନ୍ଦ୍ରେ ଯାଇ ।

ସରସ୍ଵତୀ ଯମୁନା ଯେ ନର୍ମଦା କାବେରୀ

ସରଯୂ ଭାନୁମତୀ ଏ ନଦୀ ଆଦିକରି ।

ବ୍ରାହ୍ମଣୀ ଗୋମତୀ ଚିତ୍ରୋତ୍ପଳା ବୈତରଣୀ

ଗନ୍ଧବତୀ ଗଣ୍ଡୁକୀ ଯେ ଆଉ କୃଷ୍ଣାବେଣୀ ।

ସାଗର ଚନ୍ଦ୍ରଭାଗାଦି ନାନାତୀର୍ଥ ଜଳ

ପୁଷ୍କର ରୁଣ୍ଡ କରିଲେ ଆଣିଣ ସକଳ ।

ଅଷ୍ଟରତ୍ନ ପୂର୍ଣ୍ଣକୁମ୍ଭେ ପୂରାଇଣ ନୀର

ଅଭିଷେକ କଲେ ନେଇ ଶ୍ରୀକୃଷ୍ଣଙ୍କ ଶିର ।

ସନକ ସନନ୍ଦ ସନାତନ ମହାମୁନି

ଓଁକାର ସାମ ଗାୟନ ଉଚ୍ଚେ କରି ପୁଣି ।

ଡାହାଣାବର୍ତ୍ତ ଶଙ୍ଖରେ ଜଳ ତିଳ ଭରି

ସପ୍ତଋଷି ଅଭିଷେକ କଲେ ଶିରୋପରି ।

ଯମ ନଇର୍ଋତ ଆଉ ବରୁଣ ମଘବା

ଛତ୍ର ଚାମର ଆଲଟ ଧରି ହେଲେ ଉଭା ।

ଗଣ ଗନ୍ଧରବ ଅପସରା ଆଦି ଯେତେ

ନଟ ନାଟ୍ୟକାର ଅଗ୍ରେ ମିଳି ନୃତ୍ୟଗୀତେ ।

ବଂଶୀ ବୀଣା ମରଦଳ ମହୁରୀ କାହାଳି

ପଞ୍ଚମ ସ୍ଵରେ ବଜାନ୍ତି ହୋଇ କୁତୂହଳୀ ।

ଦୁର୍ବାକ୍ଷତ ତଣ୍ଡୁଳକୁ ଦ୍ୟନ୍ତି ମହାକାଳ

ଅପାର ଆନନ୍ଦ ମନେ ବହି ମୁନିକୁଳ ।

ଅଷ୍ଟରତ୍ନ ବେଦୀପରେ ବସି ଦେବରାୟେ

ପାରୁଶେ ବେଢ଼ିଅଛନ୍ତି ସର୍ବ ଦେବତାଏ ।

ଚୌରାଶୀ କୋଟି ଯାଦବ ଉଗ୍ରସେନ ମୂଳେ

ବସୁଦେବ ସହିତରେ ଉଭା ବେଦୀତଳେ ।

ଛତ୍ର ଆଲମ୍ଵ ଚାମର ହଡ଼୍‌ପ ଧୂପକାଠି

ଖଟଣି ସାମନ୍ତ ସର୍ବେଛନ୍ତି ତହିଁ ଖଟି ।

ଆପେ ବ୍ରହ୍ମା ହୋଇଲେକ ଆଚାର୍ଯ୍ୟ ବରଣ

ଚତୁର୍ମୁଖେ ଚତୁର୍ବେଦ କରନ୍ତି ଗାୟନ ।

ଗଉରୀ ଅକ୍ଷତ ଆଣି ନିଉଡ଼ନ୍ତି ମାଥ

ଅଭିକେ ହୋଇଲେ ଯେ ତହିଁ ଜଗନ୍ନାଥ ।

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜ

ଆନନ୍ଦ କନ୍ଦ ଜ୍ୟୋତି ଯା ବିଦିତ ସ୍ଵତେଜ ।

ମୁକୁଟ ଯେ କର୍ଣ୍ଣାଞ୍ଚଳ ସୀମନ୍ତିନୀ କଳା

ଲୁଳିତ ବକ୍ଷ ସ୍ଥଳରେ ଶୋଭେ ରତ୍ନମାଳା ।

ବିଦ ମୁଦ୍ରିକା କଙ୍କଣ ବଳୟର କାନ୍ତି

ଶ୍ରୀନାରାୟଣ ଅଙ୍ଗରେ ଅତିଶୋଭା ପାନ୍ତି ।

ନୀଳେନ୍ଦ୍ରିଦଳ ପରାୟେ ରାଜେ ଦିବ୍ୟବପୁ

ଦନୁଜାନ୍ତକ ରୂପକୁ ଧରି କଂସରିପୁ ।

ଗଣ ଗନ୍ଧର୍ବ ଦେବତା ଦେଖି ସ୍ତୁତି କଲେ

ଯେଝା ଅନୁରୂପେ ଉପହାରମାନ ଦେଲେ ।

ଦଶସସ୍ର ବିଦ୍ୟାଧରୀ ସୁନ୍ଦରୀ ରମଣୀ

ବେଦୀତଳେ ଉତ୍ସୁକରେ ସମର୍ପିଲେ ଆଣି ।

ଜଗତମୋହିନୀ ବାମାରୂପେ ଜଗଜ୍ଜିଣା

ସୁଦରୀପଣରେ ସେହୁ ଏକୁଁ ଏକ ଜିଣା ।

ଜନ ଅକ୍ଷତ ଦେଲେ ସେ ଜଳସ୍ତମ୍ଭ ମଣି

ନବନାଟକ ବିଦ୍ୟାକୁ ଦେଲେ କୁଶପାଣି ।

ନୈର୍ଋତ ଦେଲେ କମଠ ପାଶାଙ୍କୁଶ ଆଣି

ଦିନକର ସମର୍ପିଲେ ନେଇ ଦିବ୍ୟମଣି ।

କୁବେର ଦେଲେ ଅମର ଭଣ୍ଡାର ବାହୁଟି

ବୈଶ୍ଵାନର ସମର୍ପିଲେ ଶ୍ଵେତ ମୁଦିଗୋଟି ।

ପବନ ଦେବତା ଦେଲେ ମନଯାନ ଖଣ୍ଡ

ଗୋମତା କପିଳା ଦେଲେ କାମଧେନୁ ଦଣ୍ଡ ।

କୃତାନ୍ତକ ଦେବ ଦେଲେ ମୃତ୍ୟୁଞ୍ଜୟ ମଣି

ଜଳଧାରା ନାରାଚକୁ ଦେଲେ ମେଘ ଆଣି ।

କୋଟି ବାରସ୍ଵତୀ ପରି ଦିଶେ ସେ ନଗର

କେ ବୋଲଇ ବ୍ରହ୍ମଲୋକ ନୁହେ ପଟାନ୍ତର ।

କେଉଁ ଦେବତା ବିଜୟ କଲେ ଆସିକରି

କେହୁ ବୋଲଇ ବୈକୁଣ୍ଠ ନୁହେ ୟାକୁ ସରି ।

ବିଚାରନ୍ତି ଗୋବିନ୍ଦଙ୍କ ଅଭିଷେକ ବିଧି

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର କୋଟିଦେବ ସିଦ୍ଧି ।

ଯେ ଯାହା ଆଶ୍ରମେ ତହୁଁ ଗଲେ ଦେବଗଣେ

ଆସ୍ଥାନ ମୌଳନ୍ତେ ଆସି ସେ ଯାଦବମାନେ ।

ଉଗ୍ରସେନ ଆଦିକରି ସର୍ବ ଯଦୁବୃନ୍ଦ

କୃଷ୍ଣ ମହିମା ଦେଖିଣ ପରମ ସାନନ୍ଦ ।

ଜଗନ୍ନାଥ ବିଜେ କଲେ ଯାଇ ଅନ୍ତଃପୁରେ

ବଳରାମ ବିଜେ କଲେ ଆପଣା ମନ୍ଦିରେ ।

ନିଜ ପୁରକୁ ଚଳିଲେ ସେ ଯାଦବମାନ

ଉଗ୍ରସେନ ଆଦିକରି ଯେତେ ଯଦୁଗଣ ।

ନିଜ ପୁରେ ପ୍ରବେଶିଲେ ସକଳ କାମିନୀ

ହରି ନାମେ ବନ୍ଦାଅନ୍ତି ଦୁର୍ବାକ୍ଷତ ଘେନି ।

ଅଚିନ୍ତାରେ ଦ୍ଵାରକାରେ ରହି ଦେବରାୟେ

ଶୁଭ ବାରତା ଶୁଭଇ ବ୍ରହ୍ମଲୋକ ଯାଏ ।

ଇତି ଶିରୀ ହରିବଂଶ ଗ୍ରନ୍ଥ ପୁଣ୍ୟମୟେ

ଇଦଂ ଅଷ୍ଟାଦଶ ଅଧ୍ୟା ସମାପତ ହୁଏ ।

ଶୁକ ବ୍ରହ୍ମାଏ କହିଲେ ପରୀକ୍ଷିତ ଶୁଣି

କୃଷ୍ଣ ପ୍ରସାଦେ ଅଚ୍ୟୁତ ଦାସ କବି ଭଣି ।